Unknown

 

 

 

 

 

 

 

 

 

 

 

ବ୍ୟକ୍ତି ଓ ବ୍ୟକ୍ତିତ୍ୱ

ଚିତ୍ତରଞ୍ଜନ ଦାସ

 

 

 

 

 

 

—ଡକ୍ଟର ପାର୍ଥସାରଥି ସିଂହ ମନୋବିଜ୍ଞାନର ଅଧ୍ୟାପକ ଥିଲେ । ଦୂରରେ ଥାଇ ମଧ୍ୟ ଖୁବ୍‍ ଲକ୍ଷ୍ୟ କରି ଦେଖିଛି ମନୋବିଜ୍ଞାନକୁ ସେ କେବଳ ବିଶ୍ୱବିଦ୍ୟାଳୟର ପାଠ୍ୟ ବିଷୟରୂପେ ଆଦୌ ଗ୍ରହଣ କରି ପାରୁନଥିଲେ । ଆମ ଜୀବନ ସହିତ ତାହାର ସର୍ବଦା ଏକ ପ୍ରାସଙ୍ଗିକତା ରହିଛି ବୋଲି ହୃଦୟଙ୍ଗମ କରୁଥିଲେ । ବର୍ତ୍ତମାନ ଅବସର-ଗ୍ରହଣ ପରେ ମଧ୍ୟ ତାଙ୍କର ସେହି ମନୋଦୃଷ୍ଟିଟି ଅବ୍ୟାହତ ରହିଛି ।

 

‘‘ବ୍ୟକ୍ତି ଓ ବ୍ୟକ୍ତିତ୍ୱ’’ ପୁସ୍ତକଟିକୁ ମୁଁ ଡକ୍ଟର ସିଂହଙ୍କୁ ଉତ୍ସର୍ଗ କରୁଛି—

Image

 

ସୂଚୀପତ୍ର

 

୧.

ଅନୁମାନ ଅନେକ ଅନେକ

୨.

ବ୍ୟକ୍ତିତ୍ୱର ଅଧ୍ୟୟନ

୩.

ବ୍ୟକ୍ତିତ୍ୱର ବିଜ୍ଞାନ

୪.

ମନୋମୟ ମନୁଷ୍ୟର ବିଶ୍ଳେଷଣ

୫.

ବ୍ୟକ୍ତିତ୍ୱର ବିକାଶ

୬.

ସୁସ୍ଥ ଏବଂ ଅସୁସ୍ଥ

୭.

ବ୍ୟକ୍ତିତ୍ୱର ଆହ୍ୱାନ

Image

 

ଅନୁମାନ ଅନେକ ଅନେକ

 

ମଣିଷମାତ୍ରେ ଆମେ ସମସ୍ତେ ଗୋଟିଏ ଗୋଟିଏ ବ୍ୟକ୍ତି । କିନ୍ତୁ, ଜଣେ ବ୍ୟକ୍ତି କହିଲେ ଆମେ କଦାପି କଥାଟିକୁ ଗୋଟିଏ ଅର୍ଥରେ ବୁଝି ନଥାଉ । ସମ୍ଭବତଃ ପ୍ରତ୍ୟେକ ବ୍ୟକ୍ତି ସେହି ଶବ୍ଦଟିକୁ ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଆମେ ଜଣେ ଜଣେ ମନୁଷ୍ୟ ମଧ୍ୟ ଭିନ୍ନ ଭିନ୍ନ ଅବସରରେ ତାହାକୁ ଭିନ୍ନ ଭିନ୍ନ ଅର୍ଥରେ ବୁଝିଥାଉ । ଏହି କାରଣରୁ ଆମ ପରସ୍ପରର ଜୀବନକ୍ଷେତ୍ରରେ ବହୁତ ଭୁଲବୁଝାମଣା ହେବାରେ ଲାଗିଥାଏ ସତ, କିନ୍ତୁ ଆମର ଏହି ସଂସାରଟା ଭାରି କଉତୁକିଆ ମଧ୍ୟ ହୋଇ ରହିଥାଏ । ଏପରିକି ମନୁଷ୍ୟ, ସଂସାର, ବାସ୍ତବ, ଧର୍ମ, ପ୍ରେମ, ଭଲ ଏହିପରି ଅସୁମାରି ଶବ୍ଦ ରହିଛି, ଯାହାର ସର୍ବବାଦୀସମ୍ମତ ଗୋଟିଏ ଶୁଦ୍ଧ ଅର୍ଥ କେତେବେଳେ ହେଲେ ନଥାଏ । ତଥାପି ସଂସାରଟିଏ ଚାଲିଥାଏ, ମନୁଷ୍ୟମାନେ ପ୍ରେମ କରନ୍ତି, ବାସ୍ତବବାଦୀ ହେବାକୁ ଚେଷ୍ଟା କରନ୍ତି, ଧର୍ମଗୁଡ଼ିକର ପାଳନ କରନ୍ତି ଓ ଭଲମନ୍ଦ ବି ବାରନ୍ତି ।

 

ତେଣୁ, ଆମର ଏହି ନାନା କଳରବପୂର୍ଣ୍ଣ ସଚଳ ପୃଥିବୀଟି ମଧ୍ୟରେ କ’ଣ ତେବେ ଖାଲି ଏହି ମତ ତଥା ଅନୁମାନମାନେ ହିଁ ରହିଛନ୍ତି ଓ ସତ୍ୟ ବୋଲି କିଛି ନାହିଁ ? ହଁ, ସତ୍ୟମାନେ ରହିଛନ୍ତି ଏବଂ, ସେଗୁଡ଼ିକୁ ଏକତ୍ର ଗୁନ୍ଥି ଆଣି ଯେଉଁ ସମଗ୍ର ବୋଧ ଏବଂ ଆବେଦନଟି, ଆମେ ହୁଏତ ସେଇଟିକୁ ସତ୍ୟ ବୋଲି ସ୍ୱୀକାର କରିନେଇ ପାରିବା । ଆମେ ମନୁଷ୍ୟମାନେ ପରସ୍ପରଠାରୁ କେତେ ଅଲଗା, ପୁଣି କେତେ କେତେ ପ୍ରକାରେ ବି ଏକାଭଳି ? ଆମେ ଜଣେ ଜଣେ ଆଉମାନଙ୍କ ଠାରୁ ଯେଉଁସବୁ ଭାବରେ ଅଲଗା, ସେଇଟି କ’ଣ ଆମ ବ୍ୟକ୍ତିତ୍ୱ ? ଅର୍ଥାତ୍, ବ୍ୟକ୍ତିମାତ୍ରକେ କ’ଣ ପ୍ରତ୍ୟେକଙ୍କର ବ୍ୟକ୍ତିତ୍ୱ ବୋଲି ଏକ ଦ୍ରବ୍ୟ ରହିଛି ଏବଂ ସେଇଟି ବିଷୟରେ ସଚେତନ ହୋଇ ଆମେ ଆପଣାକୁ ସତେଅବା କିଛି ନିଆରା ବୋଲି ଅନୁଭବ ମଧ୍ୟ କରୁଛୁ ? କେତୋଟି ଆକସ୍ମିକ କିମ୍ବା ଅର୍ଜିତ କାରଣରୁ ଯେଉଁମାନେ କିଛି ଖାସ୍ ପରିଚୟ ବହନ କରୁଥାନ୍ତି, ଆମେ ସଚରାଚର ସେହିମାନଙ୍କୁ ଅଧିକ ବ୍ୟକ୍ତିତ୍ୱସମ୍ପନ୍ନ ବୋଲି ବିଚାର କରିଥାଉ । ଭାରତବର୍ଷରେ ପ୍ରାୟ କୌଣସି ପାରମ୍ପରିକ ଅଭ୍ୟାସରେ ପଡ଼ି ଯେପରି ଉଚ୍ଚ ଜାତି ଏବଂ ଉଚ୍ଚ କୁଳର ମନୁଷ୍ୟମାନଙ୍କୁ ଅଧିକ ସମ୍ମାନ ଦିଆ ଯାଉଥିଲା ଏବଂ ବର୍ତ୍ତମାନ ଆମର ଏହି ଚଳନ୍ତି କାଳର ହିସାବ ଅନୁସାରେ ଆମ ରାଜନୀତିର ବିଖ୍ୟାତମାନଙ୍କୁ ଯେପରି ସାଧାରଣ ଉପଚାର ଗୁଡ଼ିକରେ ଅଧିକ ମର୍ଯ୍ୟାଦାର ପ୍ରଦର୍ଶନ କରାଯାଉଛି, ତାହା କ’ଣ ଏହିଭଳି କଥାଟିଏ କି ? ତଥାକଥିତ ସଫଳମାନଙ୍କର କ’ଣ ଅଧିକ ବ୍ୟକ୍ତିତ୍ୱ ? ବଡ଼ ଚାକିରି କିଛି କରିଥିବାରୁ ଏବଂ, ସେହି କାରଣରୁ ଅଧିକ ବେତନ ପାଉଥିବାରୁ ଜଣେ ବ୍ୟକ୍ତି ଅଥବା ବ୍ୟକ୍ତିମାନଙ୍କର କ’ଣ ଅଧିକ ବ୍ୟକ୍ତିତ୍ୱ ରହିଥାଏ ?

 

ଆମ ପିଲାଦିନେ ଗାଆଁମାନଙ୍କରେ ଜଣେ ଜଣେ ଏପରି ବ୍ୟକ୍ତି ଥିଲେ, ଯେଉଁମାନଙ୍କୁ ମାମଲତକାର ବୋଲି କୁହା ଯାଉଥିଲା । ପାଖ ପାଞ୍ଚ ଦଶ କ୍ରୋଶ ଆକ୍ରାନ୍ତରେ କୌଣସି କଳହ କିମ୍ବା ସେହିପରି ଆଉକିଛି ହେଲେ ନିଶାପ ନିମନ୍ତେ ସେମାନଙ୍କୁ ସେହି ସେହି ଗ୍ରାମର ଲୋକମାନେ ଆସି ନେଇ ଯାଉଥିଲେ । ସେହି ମାମଲତକାର ମାନଙ୍କର ନିୟମିତଃ ପରିଲକ୍ଷିତ ହୋଇ ପାରୁଥିବା ପରି କିଛି ଅଧିକ ବ୍ୟକ୍ତିତ୍ୱ ଥିଲା, ଯେଉଁଟି ହେତୁ ସେମାନଙ୍କୁ ଅଧିକ ମର୍ଯ୍ୟାଦା ମିଳୁଥିଲା ? ଏକାଳର ସହରୀ ବିଜ୍ଞାପନମାନେ ଯେପରି କେତେ କେତେ ପ୍ରତ୍ୟୟ ଦେଉଥିବା ଭଳି ଏପରି ଜାମାଟିଏ ପିନ୍ଧିଲେ ଓ ଏହି କମ୍ପାନୀର ଗହଣାମାନଙ୍କୁ ଦେହରେ ଲଗାଇଲେ ତୁମର ବ୍ୟକ୍ତିତ୍ୱଟା ବହୁଗୁଣ ହୋଇଯିବ ବୋଲି ଦାବିମାନ ଯେ କରନ୍ତି, ସେଥିରେ ପ୍ରକୃତରେ କେତେ ପରିମାଣର ସତ୍ୟ ନିହିତ ହୋଇ ରହିଥାଏ ? ଏକ ଖାସ୍ ରଙ୍ଗର ତଥା ଖାସ୍ ପ୍ରକାରର ପରିଚ୍ଛଦ ପରିଧାନ କଲେ ତୁମେ ଅନ୍ୟମାନଙ୍କ ମଧ୍ୟରେ ବାରି ହୋଇ ପଡ଼ିବ ଏବଂ ତେଣୁ ତୁମକୁ ସେମାନେ ଜଣେ ବ୍ୟକ୍ତିତ୍ୱ ବୋଲି ବିଶେଷ ଭାବରେ ଅନୁଭବ କରିବେ ଏବଂ ଏପରିକି ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ପରସ୍ପରକୁ ସଂପ୍ରଦାୟ ବାହାରର ଅନ୍ୟମାନଙ୍କର ତୁଳନାରେ ଅବଶ୍ୟ କିଞ୍ଚିତ୍ ବିଶିଷ୍ଟ ପରି ଅନୁଭବ କରି ଏକ ଆତ୍ମସନ୍ତୋଷ ମଧ୍ୟ ଲାଭ କରୁଥିବେ । ପୃଥିବୀରେ ଏହି ଭଳି ଭଳି ବ୍ୟବସ୍ଥାଦିରେ କିଛି ମଣିଷ ସବାଉପରେ ଥାଆନ୍ତି; ତାଙ୍କ ତଳକୁ ଆଉକିଛି ଓ ସେମାନଙ୍କ ତଳକୁ ମଧ୍ୟ ଆଉକିଛି । ଏବଂ, ସବାତଳକୁ ମଧ୍ୟ କେତେ ନା କେତେ ଅନ୍ୟମାନେ । ସେହି ଅନୁସାରେ କର୍ତ୍ତୃତ୍ୱ । ସେହି ଅନୁସାରେ ବ୍ୟକ୍ତିତ୍ୱ ମଧ୍ୟ ନିଶ୍ଚୟ ହୋଇଥିବ କି ?

 

ଆମ ଇସ୍କୁଲ ମାନଙ୍କର ପ୍ରଧାନ ଶିକ୍ଷକ ହେଉଛନ୍ତି ଅନ୍ୟ ସବୁଯାକ ଶିକ୍ଷକଙ୍କର ଉପରେ । ତାଙ୍କରି କର୍ତ୍ତୃତ୍ୱ ସମସ୍ତଙ୍କ ଉପରେ । ସବୁଯାକ ମୀମାଂସା ସେଇ କରିବେ ଏବଂ ଅନ୍ୟମାନେ ତାହାକୁ ଅବଶ୍ୟ ମାନିବେ । ଇସ୍କୁଲରେ କେତେ ପ୍ରକାରର କାର୍ଯ୍ୟ, ପ୍ରଧାନ ଶିକ୍ଷକ ମୋଟେ ସେହି ଯାବତୀୟ କାର୍ଯ୍ୟକୁ ତୁଲାନ୍ତି ନାହିଁ । କିନ୍ତୁ କାଗଜଗୁଡ଼ାକ ଉପରେ ସେଇ ଦସ୍ତଖତ କରନ୍ତି । ବିଦ୍ୟାଳୟର ପାଠାଗାର ନିମନ୍ତେ ବହି କିଣାହୁଏ ତାଙ୍କରି ଦସ୍ତଖତରେ । ପିଲାମାନଙ୍କ ପଇସାରେ ସ୍କୁଲର ବାର୍ଷିକ ଅଥବା ଷାଣ୍ମାସିକ ଛପା ସାହିତ୍ୟ-ପତ୍ରିକାମାନ ବାହାରନ୍ତି; ସେଥିରେ ଏକ ସମ୍ପାଦନା-ମଣ୍ଡଳୀ ରହିଥାଏ, ଯେଉଁଥିରେ କି କେତେଜଣ ସାହିତ୍ୟାନୁରାଗୀ ଶିକ୍ଷକ ଥାଆନ୍ତି, ଛାତ୍ର ପ୍ରତିନିଧି ଭାବରେ ସେଥିରେ ଜଣେ ଦୁଇଜଣଙ୍କୁ ନିଆ ମଧ୍ୟ ଯାଇଥାଏ ଏବଂ ଯାବତ ଆବଶ୍ୟକ କାର୍ଯ୍ୟ ସେହିମାନଙ୍କ ଦ୍ୱାରା ହୁଏ । କିନ୍ତୁ ମୁଖ୍ୟ ସମ୍ପାଦକ ହେଉଛନ୍ତି ନିଜେ ପ୍ରଧାନ ଶିକ୍ଷକ । ଚିନ୍ତା କରି ଚାଲ କହିବା ତ ଏହିସବୁ କାରଣରୁ ସଂପୂର୍ଣ୍ଣ ଇସ୍କୁଲଟା ଭିତରେ ତାଙ୍କରି ହିଁ ସର୍ବାଧିକ ବ୍ୟକ୍ତିତ୍ୱ ବୋଲି କୁହାଯାଇ ପାରିବ କି ? ସାଧାରଣତଃ ଦୃଷ୍ଟିଗୋଚର ହୋଇଥାଏ ଯେ କୌଣସି ସ୍କୁଲର ପିଲାମାନେ ସେଠା ପ୍ରଧାନ ଶିକ୍ଷକଙ୍କୁ ହିଁ ସବୁଠାରୁ ବେଶୀ ପରିମାଣରେ ଭୟ କରନ୍ତି । ପ୍ରଧାନ ଶିକ୍ଷକ ମହାଶୟ ଖୁବ୍ ସମ୍ଭବ ଶ୍ରେଣୀମାନଙ୍କରେ କ୍ଲାସ୍ ନିଅନ୍ତି ନାହିଁ । ପୂରା ଇସ୍କୁଲଟାର ସର୍ବବିଧ ହାନିଲାଭ ଓ କାଗଜପତ୍ର ତ ତାଙ୍କରି ମୁଣ୍ଡ ଉପରେ ଲଦା ହୋଇ ରହିଥାଏ,–ତେଣୁ ଶ୍ରେଣୀ ଭିତରକୁ ଯିବା ସକାଶେ ତାଙ୍କ ପାଖରେ ଫୁରସତ ନଥାଏ । ଏହିପରି ଅନଭ୍ୟାସର କାରଣରୁ ପିଲାଏ ପଢ଼ୁଥିବା ପାଠକମାନଙ୍କୁ ତ ସିଏ ଭୁଲି ମଧ୍ୟ ଯାଇଥିବେ । ତଥାପି ପିଲାମାନେ ସଦାସତର୍କ ହୋଇଥାନ୍ତି ଓ ତାଙ୍କୁ ଡରନ୍ତି । କୋଉ କ୍ଲାସ୍‌ରେ କିପରି କ’ଣ ପାଠପଢ଼ା ହେଉଛି ଓ ପିଲାଏ ଶୃଙ୍ଖଳାର ସହିତ ଶୁଣୁଛନ୍ତି ତନଖି ଦେଖିବାକୁ ପ୍ରଧାନ ଶିକ୍ଷକ ଯେତେବେଳେ ବାରଣ୍ଡା ଦେଇ ବାହାରି ଥାଆନ୍ତି, ଆମ ପିଲାମାନେ ସେତେବେଳେ ତାଙ୍କ ଆଗରେ ମୋଟେ ପଡ଼ନ୍ତି ନାହିଁ । ହେଡ୍ ସାର୍ ଆସୁଛନ୍ତି ବୋଲି ସମ୍ବାଦଟାକୁ ହୁଏତ ସେହି ପିଲାମାନେ ଅଧିକାଂଶ ସମୟରେ ଶ୍ରେଣୀକକ୍ଷରେ ପଢ଼ାଉଥିବା ଶିକ୍ଷକଜଣକ ଗୋଚରକୁ ନେଇଆସନ୍ତି ଏବଂ ସିଏ ମଧ୍ୟ ଅନ୍ତତଃ ସେତେବେଳ ଲାଗି ପୂରା ପିଲାଟିଏ ପରି ସତର୍କ ହୋଇ ଯାଆନ୍ତି ।

 

ଦିନେ ସ୍ଥାନୀୟ ଏକ ବିଶ୍ୱବିଦ୍ୟାଳୟର ଜଣେ ସାହିତ୍ୟ-ଅଧ୍ୟାପକ ତାଙ୍କର ଜଣେ ଶିଷ୍ୟଙ୍କୁ ସାଙ୍ଗରେ ଧରି ମୋ’ ପାଖରେ ଆସି ପହଞ୍ଚିଲେ ଓ ମୁଁ ତାଙ୍କ ସେଠାରେ ଆୟୋଜିତ ହେବାକୁ ଯାଉଥିବା ଆନୁଷ୍ଠାନିକ ଅବସରରେ ଉପସ୍ଥିତ ରହିବା ନିମନ୍ତେ ପ୍ରସ୍ତାବଟିଏ ଦେଇଥିଲେ । ସଂଗଠନଟିର ସର୍ବମୁଖ୍ୟ ହେଉଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି । ପ୍ରକୃତରେ କୁଳପତି ନୁହନ୍ତି । ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ସର୍ବୋଚ୍ଚ ପ୍ରଶାସକ । ଏବଂ, ସତକୁ ସତ ଏହି ପଦରେ କେତେ ମାସ ରହିବେ, ତାଙ୍କୁ ନିଜକୁ ମଧ୍ୟ ଜଣାନାହିଁ । ସାହିତ୍ୟର ଧାର ହିଁ ଧାରନ୍ତି ନାହିଁ । ସମ୍ଭବତଃ ସେଇଟି ହେଉଛି ଚଳଣି । ତେଣୁ ସିଏ ରାଜି ହୋଇ ଯାଇଥିବେ । ସିଏ ହେଉଛନ୍ତି ସବାଉପରେ,-ସବୁଠାରୁ ଅଧିକ କର୍ତ୍ତୃତ୍ୱ ଅର୍ଥାତ୍ ଅଧିକ କ୍ଷମତା । ମାତ୍ର, ଆମର ସେଇ ସର୍ବମୂଳ ପ୍ରଶ୍ନଟି: ଅଧିକ କ୍ଷମତା, ତେଣୁ ଅଲବତ ଅଧିକ ବ୍ୟକ୍ତିତ୍ୱ ନା ଅଧିକ ବ୍ୟକ୍ତିତ୍ୱ ବୋଲି ଅଧିକ କର୍ତ୍ତୃତ୍ୱ ଏବଂ ଅଧିକ କ୍ଷମତା । ନିର୍ଭୁଲ ଉତ୍ତରଟିଏ ପାଇବା ମୋଟେ ସହଜ ନୁହେଁ । କୌଣସି ସାଆନ୍ତଙ୍କ ଘରେ ମୂଲ ଲାଗୁଥିବା ଜଣେ ମୂଲିଆ ଓ ତାକୁ ମୂଲ ଦେଇ କାମ ଖଟାଉଥିବା ସେହି ସାଆନ୍ତଜଣକ,-ଦୁହିଁଙ୍କ ଭିତରୁ କାହାର ଅଧିକ ବ୍ୟକ୍ତିତ୍ୱ ? ଏହି ବିଷୟରେ ସାଆନ୍ତେ କ’ଣ ଭାବୁଥିବେ ଓ ମୂଲିଆଟି ମଧ୍ୟ ପ୍ରକୃତରେ କ’ଣ ଭାବୁଥିବ ? ଆମ ଗାଆଁ ଏବଂ ସହର ମାନଙ୍କରେ ଉଭୟ ଧନୀ ଓ ଦରିଦ୍ରମାନେ ବାସ କରୁଛନ୍ତି, -ସମ୍ଭବତଃ ସେଇ ପଣ୍ଡୁ ଏବଂ ହରିଶ୍ଚନ୍ଦ୍ର ମାନଙ୍କ ଅମଳରୁ । ଧନୀମାନେ ନାନା କାରଣରୁ ଅଧିକାଂଶ ଉଚ୍ଚ ଜାତିର, ସେମାନେ ସବର୍ଣ୍ଣ । ଏବଂ, ଅପର ପକ୍ଷରେ ଦରିଦ୍ରମାନେ ପ୍ରାୟ ସେହି କାଳକାଳରୁ ତଳସ୍ଥ ଜାତିଗୁଡ଼ିକର ଏବଂ ସବର୍ଣ୍ଣ ସରସମାନେ ସେମାନଙ୍କୁ ଅସବର୍ଣ୍ଣ ଅଥବା ନୀରସବର୍ଣ୍ଣ ବୋଲି କହି ଆସିଛନ୍ତି । ଦୁହିଁଙ୍କ ମଧ୍ୟରୁ କୋଉ ପଟଟା ଅଧିକ ବ୍ୟକ୍ତିତ୍ୱର ଅଧିକାରୀ ? ଧନୀ ଏବଂ ଉଚ୍ଚବର୍ଣ୍ଣ ଘରର ପିଲାଟିଏ କ’ଣ ଭାବୁଥିବ ଏବଂ ତା’ରି ବୟସର ଅଳପ ଧନ ରହିଥିବା ଅସବର୍ଣ୍ଣ ଘରର ପିଲାଟି ମଧ୍ୟ କ’ଣ କିପରି ଭାବୁଥିବ ? ସେହି ବ୍ୟକ୍ତିତ୍ୱର କୌଣସି ମାନଦଣ୍ଡ ଉପରେ ଆଧାରିତ ରହି କୌଣସି ସମାଜ ମୋଟାମୋଟି ଚାଲୁଥିଲେ ଆମ ଇସ୍କୁଲ, ଆମ ସରକାରୀ ଏହି ଏଡ଼େ ବିଶାଳ ତନ୍ତ୍ରଟା, ଏପରିକି ଆମର ରାଜନୀତି ଓ ଧର୍ମ ସତକୁ ସତ କିଭଳି ହୋଇଥାଆନ୍ତା କେଜାଣି ?

 

ତେଣୁ ବ୍ୟକ୍ତିମାନେ ଯେ ଯାଉଣୁ ଆସୁଣୁ ବ୍ୟକ୍ତିତ୍ୱ ବୋଲି ଗୋଟାଏ କଅଣ ବିଷୟରେ ଏଡ଼େ ସଚେତନ ହୋଇ ରହିଥାନ୍ତି, ବ୍ୟକ୍ତିତ୍ୱ ଗୁଡ଼ାକୁ ଦେଖାଇ ହୁଅନ୍ତି ଏବଂ ମଉକା କିଛି ପାଇଯିବା ମାତ୍ରକେ ନିଜର ବ୍ୟକ୍ତିତ୍ୱକୁ ନେଇ ଆଉ ବହୁତଙ୍କ ଉପରେ ନେଇ ଦାବି ଦିଅନ୍ତି, ସେମାନେ ବ୍ୟକ୍ତିତ୍ୱ କହିଲେ ପ୍ରକୃତରେ କ’ଣ ଅଥବା କୋଉ ସବୁକୁ ବୁଝନ୍ତି ? ଅଥବା ନାନା ଅନ୍ତର୍ଗତ ତଥା ବାହ୍ୟ କାରଣରୁ ସେମାନେ ବ୍ୟକ୍ତିତ୍ୱ ବୋଇଲେ ଯେତିକି କିମ୍ବା ଯେଉଁପରି ବୁଝିଥାଆନ୍ତି, ତାହାକୁ ହିଁ ବ୍ୟକ୍ତିତ୍ୱ ବୋଲି ବୁଝନ୍ତି ? ବସ୍ତୁତଃ ଖୁବ୍ ଯନ୍ତ୍ରଣାଜନକ ହୋଇଥିବ ଏହିପରି ବୁଝୁଥିବା ଏମାନଙ୍କର ସଂସାରଟା । ଆପଣାର ବ୍ୟକ୍ତିତ୍ୱଟାକୁ ଦେଖାଇବାକୁ ଯାଇ ବହୁ ମନୁଷ୍ୟ ଯେ ଆପଣାର କେତେ କଅଣକୁ ଲୁଚାଇ ରଖୁଥିବେ ଏବଂ ଲୁଚାଇ ରଖୁଛନ୍ତି ବୋଲି ଯେପରି ଧରା ନପଡ଼ିବେ, ସେଥିଲାଗି ଅନୁକ୍ଷଣ କେତେପ୍ରକାରେ ଯେ ବାଙ୍କ ବାଙ୍କ ହୋଇ ରହିଥିବେ, ସେହି କଥାଟିକୁ ନିଶ୍ଚୟ ଖୁବ୍ ସହଜରେ ବୁଝି ହେଉଥିବ । ଏବଂ, ସେହି କାରଣରୁ, ଆମ ପ୍ରତ୍ୟେକଙ୍କର ଓ ସମସ୍ତଙ୍କର ସିଧା ସଂସାରଟା ସତେଅବା କାହିଁକି ଏଭଳି ବାର ପ୍ରକାରେ ବଙ୍କା ହୋଇ ରହିଛି, ଯେତେ ଅଳପ ହେଲେ ମଧ୍ୟ ତଥାପି ବେଶ୍ ଦୃଷ୍ଟି ପଡ଼ିଲା ଭଳି ମାତ୍ରାରେ ଅବଶ୍ୟ ବୁଝି ହେଉଥିବ ।

 

ଠିକ୍ ହେଉ ଅଥବା ଭୁଲ୍ ହେଉ, ଅଧିକ ସଂଖ୍ୟକ ମନୁଷ୍ୟ ସଂସାରଟି ସହିତ ଖାପ ଖାଇଯିବାକୁ ହିଁ ଆପଣା ଆଚରଣର ପରମ ଧର୍ମ ବୋଲି ଗ୍ରହଣ କରି ନେଇଥାଆନ୍ତି । ଖାଲି ଆମର ଏଯୁଗରେ ନୁହେଁ, ଅତୀତର ସବୁ ଯୁଗରେ । ରାମଚନ୍ଦ୍ରଙ୍କର ଅଯୋଧ୍ୟାରେ ଓ କୃଷ୍ଣଙ୍କର ଦ୍ୱାରକାରେ । ଖୁବ୍ ଅନ୍ଦାଜ ହେଉଛି, ଖାପ ଖାଇ ଯିବାଟା ହିଁ ସ୍ପଷ୍ଟତଃ ସବୁଠାରୁ ଅଧିକ ନିରାପଦ ବୋଲି ସେମାନେ ଖାପ ଖାଇ ଯାଆନ୍ତି । ଖାପ ଖାଇ ଯିବାଟା ଉଚିତ ବୋଲି ସେମାନେ ଖାପ ଆଦୌ ସେପରି କରନ୍ତିନାହିଁ । ଖାପ ଖାଇଗଲେ ଆପାତତଃ ଶାନ୍ତି ମିଳିଥାଏ ବୋଲି ଖାପ ଖାଇ ଯାଉଥିବା ମନୁଷ୍ୟମାନେ ସମ୍ଭବତଃ ଏକାଧିକ କାରଣରୁ ବୁଝନ୍ତି ଏବଂ ସେହି ଅନୁସାରେ ନିଜକୁ ଖାପ ଖୁଆଇ ନିଅନ୍ତି । କିନ୍ତୁ, ଖାପ ଖାଇଯିବା ଦ୍ୱାରା ବସ୍ତୁତଃ କୋଉ ଶାନ୍ତି ମିଳେ ଯେ ! ତଥାପି, ବୋଧହୁଏ ଏହିଭଳି କିଛି ହୁଏ ଯେ, ଖାପ ଖାଇଯିବା ଦ୍ୱାରା ନିଜ ଭିତରେ ଯେଉଁ ଅଶାନ୍ତି ଭୋଗ କରିବାକୁ ପଡ଼ିଥାଏ, ବାହାରେ ସଂସାରଟି ସହିତ ଖାପ ନଖାଉଥିଲେ ତାଦ୍ୱାରା ଅଧିକ ଅଶାନ୍ତିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବାହାରର ଅଶାନ୍ତିଟାକୁ ସବାଆଗ ଦେଖୁଥିବାରୁ ସେମାନେ ଭିତରେ ନିଜସହିତ ଲାଗିଥିବା ଭିଡ଼ାଓଟରା ଗୁଡ଼ାକୁ ସହ୍ୟ କରିନିଅନ୍ତି । ଏପରି କାହିଁକି ଯେ ହୁଏ, ତାହାର କାରଣ ଅନେକ । ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଆମର ଏହି ପ୍ରସ୍ତୁତ ଆଲୋଚନାଟିରେ ଆମେ ଯେତିକି ଯେତିକି ଆଗକୁ ଯାଉଥିବା, ସୁନିଶ୍ଚିତ ଭାବରେ ତାହାର ନାନା ସୁରାଖ ପାଇ ଯାଉଥିବା । ନିଜକୁ ଦର୍ପଣ କରି ପୃଥିବୀଟିକୁ ବୁଝୁଥିବା ଏବଂ ପୃଥିବୀନାମକ ଭୂମିକାଟିକୁ ଦର୍ପଣ କରି ଆମ ନିଜକୁ ମଧ୍ୟ ଅଧିକରୁ ଅଧିକ ପ୍ରାଞ୍ଜଳ ଭାବରେ ବୁଝୁଥିବା । ଏବଂ, ସେହି ବୁଝିବାଦ୍ୱାରା ହିଁ ନିଜ ଭିତରକୁ ତଥା ନିଜେ ଆତଯାତ ହେଉଥିବା ଏହି ପୃଥିବୀ ମଧ୍ୟକୁ ବାଟ ପାଇ ଯାଉଥିବା ।

 

ହଁ, ଖାପ ଖାଇଯିବା ଦ୍ୱାରା ହିଁ ଶାନ୍ତି, ଏବଂ ଖାପ ନଖାଇଲେ ହିଁ ଯାବତୀୟ ଝଞ୍ଜଟ,-ଏହି କଥାଟିକୁ ମୋଟାମୋଟି ବୁଝି ପାରିବା ସକାଶେ ପୃଥିବୀରେ ମୋଟେ କୌଣସି ଖାସ୍ ଅଧ୍ୟୟନ କରିବାକୁ ପଡ଼ିନଥାଏ । ନୂଆ ନୂଆ ଯୁଆଳିରେ ଆସି ବନ୍ଧା ହେଉଥିବା ବଳଦଟା ଯୁଆଳିଟାକୁ ମୋଟେ ମାନି ନିଏନାହିଁ । ମାତ୍ର ହାଉଲେ ହାଉଲେ ଖୁବ୍ ଖାପ ଖାଇଯାଏ । ମାଲିକଠାରୁ ଶ୍ରଦ୍ଧା ପାଏ । ବଳଦଟି ଭାରି ସୁଧାର, ଖୁବ୍ ଅଳପ ଦିନରେ ମଣ ହୋଇଗଲା ବୋଲି ମାଲିକ ଉଷତ ହୋଇ କେତେ କ’ଣ ବିଚାର କରିନିଏ । କଚୁଆନ୍‌ର ଘୋଡ଼ା ମଣ ହୁଏ, ସର୍କସ୍‌ର ବାଘ ସିଂହ ମଣ ହୋଇ ଯାଆନ୍ତି ଏବଂ ବୋଲଗୁଡ଼ିକୁ ମାନନ୍ତି । ପଞ୍ଜୁରୀର ଶୁଆ ସାରୀ ମଣ ହୁଅନ୍ତି, ପେଡ଼ୀ ଭିତରର ସାପ ମଣ ହୋଇଯାଏ । ଭାଲୁ ଓ ମାଙ୍କଡ଼ ଇତ୍ୟାଦି ମଦାରୀର ବୋଲ ମାନନ୍ତି । ଖାପ ଖାଇଯାଆନ୍ତି ଏବଂ ମଣ ହୋଇ ରହନ୍ତି । ସତେଅବା ଏହି ପୃଥିବୀର ନାଡ଼ିଗୁଡ଼ିକୁ ଭଲ ଭାବରେ ଚିହ୍ନିଥିବା ଭଗବାନ୍ ମଧ୍ୟ ଏହିସବୁ ଖାପ ଖାଇଯିବାର ଓ ମଣ ହେବାର ପ୍ରକ୍ରିୟାଟିକୁ ନିଶ୍ଚୟ ବୁଝି ପାରୁଥିବେ । ସେଇଟି ଲାଗି ଯିଏ ସବୁବେଳେ ନିଘା ନରଖିଲେ ମଧ୍ୟ ତାଙ୍କର ଏହି ସଂସାରଟି ବେଶ୍ ଚାଲିପାରୁଛି ବୋଲି ହୃଦୟଙ୍ଗମ କରୁଥିବେ । କେବଳ ଇତର ଜୀବମାନଙ୍କର ସଂସାରଟି ନୁହଁ, ମଣିଷମାନଙ୍କର ବି ସଂସାରଟି ।

 

ଆପଣାର ସଂସାରଟିକୁ ଆମେ ମନୁଷ୍ୟମାନେ ସମାଜ ବୋଲି ମଧ୍ୟ କହିଥାଉ । ଚଳନ୍ତି ସାଧାରଣ ଭାଷାରେ ପଶୁମାନଙ୍କର ସଂସାର ଏବଂ ମନୁଷ୍ୟମାନଙ୍କର ସମାଜ । ପଶୁମାନଙ୍କର ସଂସାରକୁ ଯଦି ତଥାପି ସମାଜ ବୋଲି କୁହାଯାଏ ତେବେ ସ୍ୱୀକାର କରିବାକୁ ହେବ ଯେ ସେଇଟି ସର୍ବାଙ୍ଗୀନ ପ୍ରକାରେ ଆପେ ଆପେ ଗଢ଼ିହୋଇ ଆସିଛି । ମନୁଷ୍ୟମାନେ ସମାଜଟିକୁ ଆପେ ଗଢ଼ି ଆଣିଛନ୍ତି । ସେହି କାରଣରୁ, ଇତର ପ୍ରାଣୀମାନଙ୍କର ସଂସାର ଓ ସମାଜ ପୃଥିବୀଯାକ ମୋଟାମୋଟି ଗୋଟିଏ ପ୍ରକାର । କିନ୍ତୁ ମନୁଷ୍ୟର ସଂସାର ଭଳି ଭଳି ଏବଂ ନାନା ମାନବୋଚିତ କାରଣରୁ ଖୁବ୍ ସ୍ଥାନୀୟ ଓ ଖୁବ୍ ଭିନ୍ନ ଭିନ୍ନ । ତେଣୁ ତା’ ସଂସାରଟି ମଧ୍ୟ ଅଳ୍ପବହୁତ ପରିମାଣରେ ସ୍ଥୂଳତଃ ଖୁବ୍ ସ୍ଥାନୀୟ । ସେହି କାରଣରୁ ଭିନ୍ନ ଭିନ୍ନ ଏବଂ ବିଚିତ୍ର । ଯିଏ ଯେଉଁ ସମାଜରେ ରହିଛି, ନିୟମତଃ ତାକୁ ସେଇଟି ହିଁ ସମଗ୍ର ପୃଥିବୀ ବୋଲି ବୋଧ ହେଉଛି । ପୃଥିବୀଯାକ ସମାଜ ମଧ୍ୟ ଠିକ୍ ତାହାରି ଏହି ଚିହ୍ନା ସମାଜଟି ସଦୃଶ ହୋଇଥିବ ବୋଲି ସେ ଧରିନେଉଛି; ନ୍ୟାୟତଃ ସେହି ସମାଜଟି ସହିତ ଖାପ ଖାଇ ରହିବାର ପ୍ରୟାସ କରୁଛି । ଏବଂ, ପୂରା ଧର୍ମରେ ରହିଛି ଓ ନୀତି ଭିତରେ ଅଛି ବୋଲି ବିଶ୍ୱାସ କରୁଛି ଏବଂ ସେହି ବିଶ୍ୱାସରୁ ପ୍ରଭୂତ ସାନ୍ତ୍ୱନା ଲାଭ କରୁଛି । ପୁନଶ୍ଚ, ତା’ର ଏହି ତଥାକଥିତ ଚିହ୍ନା ସମାଜଟି କ’ଣ ସତକୁ ସତ ଗୋଟିଏ ? ଯଦି ଗୋଟିଏ, ତେବେ ତାହାର ଦୈର୍ଘ୍ୟ କେତେ ଓ ପ୍ରସ୍ଥ ମଧ୍ୟ କେତେ ? ଭାରି ଭାଗ୍ୟର କଥା ଯେ, ସିଏ ନିଜକୁ ସଚରାଚର ସେହି ପ୍ରଶ୍ନଟିକୁ ଆଦୌ ପଚାରୁନାହିଁ । ତା’ର ଚାରିପାଖର ସଂସର୍ଗର ଅନ୍ୟମାନେ ମଧ୍ୟ ସେହି ପ୍ରଶ୍ନଟି କରୁନାହାନ୍ତି ଏବଂ ସତେଅବା ଏକ ଅଦୃଶ୍ୟ ସହମତିରେ ଜୀବନଗୁଡ଼ିକୁ ବଞ୍ଚୁଛନ୍ତି । ଶାନ୍ତି ଭିତରେ ରହିଛନ୍ତି । ପୂରା ଠିକ୍‌ଗୁଡ଼ିକରେ ରହିଛନ୍ତି ବୋଲି ଧରି ନେଉଛନ୍ତି ।

 

ଯାହା ଯେପରି ହୋଇଥାଉ ପଛକେ, ଆମ ସମସ୍ତଙ୍କର ଅର୍ଥାତ୍ ‘ପ୍ରତ୍ୟେକଙ୍କର ଏହି ଅନୁକୂଳନର ପ୍ରକ୍ରିୟାଟି ଆମର ଜୀବନନାମକ ବିଧିଟିକୁ ମାଂସ ଓ ରକ୍ତ ଯୋଗାଇଦେଇ ସାକାର କରି ରଖିଛି । ପରିବାରରେ ଏବଂ ପ୍ରତିବେଶରେ, ଗ୍ରାମରେ ଏବଂ ସହରରେ,-ଆମ ଶାସନରେ, ଆମ ଭବିଷ୍ୟର ଚିନ୍ତାଗୁଡ଼ିକରେ । ଜୀବନନାମକ ଆମର ଏହି ସର୍ବବିଧ ହାନି ଏବଂ ଲାଭରେ । ସମ୍ଭବତଃ ଏକାବେଳେକେ ସେହି ଆରମ୍ଭରୁ, ଆମ ପିଲାକାଳରୁ । ପିଲାଟିଏ ତା’ର ବାପାମାଆ ଓ ଅନ୍ୟ ଗୁରୁଜନମାନଙ୍କର ବୋଲି ଅନୁସାରେ ନିଜକୁ ଅବଶ୍ୟ ଅନୁକୂଳିତ କରି ରଖିବ । ଅର୍ଥାତ୍, ଏମାନେ ଆମ ପିଲାଟି ଯେପରି ହେଉ ଅଥବା ନହେଉ ବୋଲି ଇଚ୍ଛା କରୁଥିବେ ଓ ସେହି ଅନୁସାରେ ସେମାନଙ୍କୁ ଯେଉଁସବୁ ଶୃଙ୍ଖଳାଭିତରେ ମନାଇ ଆଣିବା ପାଇଁ ମନ କରିବେ, ପିଲାଟି ସେଗୁଡ଼ିକ ଦ୍ୱାରା ଅବଶ୍ୟ ମଣ ହେବ; ସିଏ ସେଗୁଡ଼ିକୁ ମାନିବ । ମାନିଲେ ଯାଇ ମଣିଷ ହେବ ନହେଲେ ବିଗିଡ଼ିଯିବ । ସେହି କାହାର ବା କେଉଁମାନଙ୍କର ଚାହିବା ଅନୁସାରେ ଅନ୍ତତଃ ବାହାରକୁ ଦିଶି ପାରୁଥିବା ଭଳି ଆପଣାକୁ ମନାଇ ଏବଂ ମଙ୍ଗାଇ ନେବା, ସ୍ଥୂଳ ଭାବରେ ସେହି ରୀତିଟିକୁ ଆମେ ଖାପ ଖାଇଯିବା ବୋଲି କହିବା । ପରିବାର ଭିତରୁ ଖୋଜଟାଏ ଆଗକୁ କାଢ଼ି ଜଣେ ପିଲା ଇସ୍କୁଲରେ ଯାଇ ପ୍ରବେଶ କଲେ ସେଠାରେ ମଧ୍ୟ ସେହି ଅନୁକୂଳନର ପ୍ରକ୍ରିୟାଟି । ମାନିବାକୁ ପଡ଼ିବ, ଖାପ ଖାଇବା ହିଁ ଉଚିତ ହେବ,-ନହେଲେ ସେଠାରେ ମଧ୍ୟ ବହୁ ଅସୁବିଧା । ନହେଲେ ତୁମେ ସମସ୍ତଙ୍କ ଭଳି ନୁହଁ ବୋଲି ଅଚିରେ ବାରି ହୋଇ ପଡ଼ିବ । ଏବଂ, ଯିଏ ବିଚରା ସମସ୍ତଙ୍କ ପରି ହୋଇ ନଥାଏ ଏବଂ ଆଉକିଛି ପ୍ରକାରେ ଆଚରଣ କରୁଥାଏ, ଆମ ସ୍କୁଲମାନଙ୍କରେ ତାହାକୁ ହିଁ ସାଧାରଣତଃ ଦୁଷ୍ଟ ବୋଲି କୁହାଯିବ । ତେଣୁ, ଖାପ ଖାଇବ, ଅଲଗା ପରି ଲାଗିବ ନାହିଁ,-ଆହୁରି ଆଗକୁ ଯାଇ ଆମର ସାମୂହିକ ଜୀବନର ଅବସର ମାନଙ୍କରେ ତାହାକୁ ସାମାଜିକତା ବୋଲି କୁହାଯାଏ,-ଏକ ଅନୁରୂପ ମୂଲ୍ୟାୟନ ଅନୁସାରେ ସଭ୍ୟତା ଏବଂ ଭଦ୍ରତା ବୋଲି ବୁଝା ଯାଇଥାଏ । ତେଣୁ, ଆମେ ନିର୍ବିବାଦରେ ପୁନର୍ବାର କହିପାରିବା ଯେ ଖାପ ଖାଇଯିବା ମଣିଷ ସର୍ବାଧିକ ସଂଖ୍ୟାରେ ସବୁ ସମାଜରେ ରହିଛନ୍ତି ବୋଲି ହିଁ ଆମ ସମାଜ ଚଳୁଛି, ପରସ୍ପରକୁ ବିଶ୍ୱାସ କରି ମଧ୍ୟ ହେଉଛି ।

 

ଯାବତୀୟ ସମାଜରେ ଆମ ଅସାଧାରଣ ମନୁଷ୍ୟବ୍ୟକ୍ତିମାନେ ସମ୍ଭବତଃ ଅସାଧାରଣ ମାତ୍ରାରେ ଖାପ ଖାଇ ପାରୁଛନ୍ତି । ଖାପ ଖାଇ ପାରୁଛନ୍ତି ବୋଲି ଏମାନେ ଅଧିକ ସମ୍ପନ୍ନ ଓ ଅଧିକ ସମର୍ଥ ହୋଇ ପାରୁଛନ୍ତି କି ? ସାଧାରଣ ଅର୍ଥାତ୍ ନିମ୍ନତର ସ୍ତରର ମନୁଷ୍ୟମାନେ ଅଧିକାଂଶ ସମାଜରେ ଏଡ଼େ ଅସରଣ ହୋଇ ରହିଥାଆନ୍ତି ଯେ ଉପର ଗୁଡ଼ିକର ଫରମାସ ଅନୁସାରେ ଚଳଣିଗୁଡ଼ିକୁ ମାନି ନରହିଲେ ସେମାନଙ୍କର ତିଷ୍ଠି ରହିବାଟା ହିଁ ଆଉ ସମ୍ଭବ ହେବନାହିଁ । ଗାଆଁର ଦରିଦ୍ରଟିଏ ଧନୀମାନଙ୍କର ସକଳ ଶୃଙ୍ଖଳାକୁ ନିଶ୍ଚୟ ମାନିବ ଓ ଖାପ ଖାଇ ପାରୁଥିବ । ବିଚରା ତଳ ଜାତିଟିଏ ଉପର ଜାତିମାନଙ୍କର ବତାଇ ରଖିଥିବା ବ୍ୟବସ୍ଥାଟିକୁ ଅବଶ୍ୟ ମାନିବ । ଖାତକ ସାହୁକାରର କଥା ମାନିବ, ଅସାଆନ୍ତ ସମସ୍ତେ ହିଁ ସାଆନ୍ତବର୍ଗଟିର କଥା ମାନିବେ ଓ ଆପଣାକୁ ଖାପ ଖୁଆଇ ନେଉଥିବେ । କାରଣ, ସେଥିପାଇଁ ତ କାଳକାଳରୁ ଶାସ୍ତ୍ରମାନେ ରହିଛନ୍ତି ଓ ଶାସ୍ତ୍ରରେ ଅନୁରୂପ ଉଚିତ ଗୁଡ଼ିକ ଲିପିବଦ୍ଧ ହୋଇ ରହିଛି । ତଳଟା ଖାପ ନଖାଇଲେ ସମାଜର ଶାନ୍ତିଭଙ୍ଗ ହେବ । ଅର୍ଥାତ୍, ଉପରଟା ବର୍ତ୍ତମାନ ଯେପରି ନିରୁପଦ୍ରବ ହୋଇ ରହି ପାରୁଛି, ସେଇଟା ଗୋଟାସୁଦ୍ଧା ଦୋହଲି ହିଁ ଯିବ । ସମାଜଟା ଏହିପରି ଯେ ସମ୍ପନ୍ନମାନଙ୍କର ଶାନ୍ତି ନିମନ୍ତେ ଅସରଣ ମାନଙ୍କ ସହିତ ପୂରା ଖାପ ଖାଇ ଯାଉଥିବାର ନିୟମରେ ଚଳୁଛି, ସ୍ୱୟଂଭଗବାନଙ୍କ ଇଚ୍ଛାରେ ସେହିଭଳି ହୋଇଛି ବୋଲି ଅଧିକ ଜାଣିଥିବା ବର୍ଗମାନେ ସେହିଭଳି ବିଶ୍ୱାସ କରି ଥାଆନ୍ତି ।

 

କିନ୍ତୁ ଯୋଉମାନେ ବେଶୀ ପାଠ ପଢ଼ିଛନ୍ତି, ବେଶୀ ପାଠ ପଢ଼ିଥିବାରୁ ବେଶୀ ଧନ ବି ଉପାର୍ଜନ କରୁଛନ୍ତି, ଉଚ୍ଚ ଚାକିରି ମାନଙ୍କରେ କେଡ଼େ ଉଚ୍ଚରେ ଏବଂ କେତେ ଖାତିର ମଧ୍ୟରେ ରହିଛନ୍ତି,-ଏପରିକି ପୂରା ଦେଶଟାକୁ ବୁଦ୍ଧି ଦେଉଛନ୍ତି ଓ ବୋଲ ବତାଉଛନ୍ତି, ସେମାନେ ମଧ୍ୟ କେଉଁସବୁ ଦୁଃଖରୁ ଯେତିକି ଅଛି ସେତିକିଗୁଡ଼ାକ ସହିତ ଖାପ ଖାଇ ଯାଉଛନ୍ତି ? ସେମାନଙ୍କର ଇଲମ ଅଛି, ଆପଣା ବିଷୟରେ ନାନା ଅଭିମାନ ମଧ୍ୟ ରହିଛି, ନିଜର ବର୍ତ୍ତମାନ ପଦଟା ଅର୍ଥାତ୍ ସ୍ଥାନଟା ଚାଲିଗଲେ ଯେ ସେମାନେ ସତକୁ ସତ ନିରକ୍ଷର ହୋଇଯିବେ, ସେପରି କୌଣସି ଆଶଙ୍କା ମଧ୍ୟ ନାହିଁ । ସେମାନେ ମନ କଲେ ତ କେତେ ପ୍ରକାରେ ପରିବର୍ତ୍ତନ ସମ୍ଭବ କରି ପାରନ୍ତେ ଏବଂ ଆମର ଏହି ସଂପୂର୍ଣ୍ଣ ସମାଜରେ ବାସ କରୁଥିବା ସମସ୍ତଙ୍କ ଲାଗି କେତେ କେତେ ପ୍ରତିକୂଳତାକୁ ଦୂର କରି ପାରନ୍ତେ । ମାତ୍ର ସେମାନେ ସେପରି କରନ୍ତିନାହିଁ ଏବଂ ଯେତିକି ଯେଉଁଠି ଯେଉଁପରି ଅଛି, ସେହି ସବୁକିଛିକୁ ସେହିପରି ରଖିଥାନ୍ତି । ସତେଅବା ତାହାହିଁ ଇଚ୍ଛା କରୁଥାନ୍ତି । ସବୁଠାରୁ ଅଧିକ ସମ୍ଭାବ୍ୟ କାରଣଟା ହୁଏତ ହୋଇଥିବ ଯେ, ଯେତେବଡ଼ ବା ଯେତେ ଉଚ୍ଚ ହୋଇଥିଲେ ମଧ୍ୟ ପ୍ରାୟ ଏକ ପାହାଚ ପାହାଚର ପୂର୍ଣ୍ଣ ଗଢ଼ଣରେ ସେମାନଙ୍କ ଠାରୁ ଆହୁରି ଅଧିକ ବଡ଼ ଏବଂ ଅଧିକ ଉଚ୍ଚମାନେ ରହିଥାନ୍ତି ଏବଂ ଏମାନେ ସେହି ଉଚ୍ଚତର ମାନଙ୍କର କୁହାକୁ ମାନି ଖାପ ଖାଇ ରହିଥାନ୍ତି । ଉପରର ବୋଲ ମାନନ୍ତି ଏବଂ ତଳଗୁଡ଼ିକୁ ବୋଲ ବତାନ୍ତି । ଖାପ ଖାଆନ୍ତି ଓ ଖାପ ଖୁଆନ୍ତି । ବସ୍ତୁତଃ ଏକାଧାରରେ ଗୋଟିଏ ସରସ ଏବଂ ବିରସ ନାଟକ ନୁହେଁ ତ !

 

ବ୍ୟକ୍ତିରୁ ବ୍ୟକ୍ତିତ୍ୱ । ଅନ୍ତତଃ ଯେକୌଣସି ବ୍ୟାକରଣର ନ୍ୟାୟ ଅନୁସାରେ ଜଣେ ବ୍ୟକ୍ତିର ଗୋଟିଏ ବ୍ୟକ୍ତି-ତ୍ୱ ଅବଶ୍ୟ ରହିବା ଉଚିତ । ତଥାପି, ବସ୍ତୁସ୍ଥିତିଟା ଯେଉଁପରି ଆମର ଗୋଚର ବି କରାଇଥାଏ, ଆମ ଜୀବନର ଚଳଣି ନାମକ ସେହି ଅସଲ କ୍ଷେତ୍ରିଟିରେ ଏକାଧିକ କ୍ଷେତ୍ରରେ ଆମେ ମନୁଷ୍ୟମାନେ ସବୁ ମନୁଷ୍ୟଙ୍କୁ ଜଣେ ଜଣେ ବ୍ୟକ୍ତି ହିସାବରେ ସ୍ୱୀକାର କରି ପାରୁନାହୁଁ । କେତେଟା ବାପା ଏବଂ ମାଆ ଥିବେ, ଯେଉଁମାନେ କି ଆପଣାର ସନ୍ତାନମାନଙ୍କୁ ଜଣେ ବ୍ୟକ୍ତି ବୋଲି ଦେଖିଥାଆନ୍ତି ? ଅଲିଅଳୀ ମାଆଟିଏ ତ ସବୁବେଳେ ନିଜ କୋଡ଼ର ଛୁଆଟିକୁ ଖୁବ୍ ସ୍ନେହବଶ ହୋଇ ବକଟେନାକୁ କ’ଣଟିଏ ବୋଲି ଏପରି ଦେଖିବାରେ ଲାଗିଥାଏ ଯେ, ସିଏ ବି ଗୋଟିଏ ମଣିଷ ବୋଲି ଅଧିକାଂଶ ସମୟରେ ଧାରଣା ମଧ୍ୟ କରି ପାରେନାହିଁ । ଓଡ଼ିଶାର ଉତ୍ତର ବାଲେଶ୍ୱର ଅଞ୍ଚଳରେ ବାପାମାଆମାନେ ନିଜର ପୁଅଟି ଆପେ ସଂସାର କରି ପ୍ରୌଢ଼ ଅବସ୍ଥାରେ ଯାଇ ପହଞ୍ଚିଯିବା ପରେ ମଧ୍ୟ ବାପା ତାକୁ ତଥାପି ‘ଛୁଆ’ ବୋଲି ସମ୍ବୋଧନ କରେ ଏବଂ ସଂପୃକ୍ତ ଉଭୟ ପକ୍ଷ ସେଥିରେ ଅସ୍ୱାଭାବିକ ପରି କିଛି ରହିଯାଉଛି ବୋଲି ଅନୁଭବ କରନ୍ତିନାହିଁ । ଆଉ ଟିକିଏ ବଡ଼ ହୋଇ ଇସ୍କୁଲକୁ ଯିବାପରେ ଆମେ ଆମର ସେହି ଅସ୍ତିତ୍ୱମାନଙ୍କୁ କେଡ଼େ ବିଶେଷ ବ୍ୟଞ୍ଜନାମାନ ଦେଇ ପିଲା ବୋଲି କହିଥାଉ । କଲେଜ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ସେମାନଙ୍କୁ ଛାତ୍ରଛାତ୍ରୀ ବୋଲି ଅବଶ୍ୟ କୁହାଯାଏ । କିନ୍ତୁ ଜଣେ ଜଣେ ମନୁଷ୍ୟର ଅର୍ଥବୋଧ ସହିତ ବଡ଼ମାନେ ସେମାନଙ୍କୁ କ୍ୱଚିତ୍ ଦେଖନ୍ତି ଏବଂ ସେମାନଙ୍କ ସହିତ ବ୍ୟବହାର କରନ୍ତି ।

 

ଏବଂ, ଆମର ସେହି ଇସ୍କୁଲ ମାନଙ୍କରେ ଆମ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ କେତେ କେତେ ଅଳପ ଅବସରରେ ମଣିଷ ବୋଲି ଦେଖନ୍ତି ? ସେହି ପିଲାଟି ପ୍ରକୃତରେ ମଣିଷଟିଏ ହେବ ବୋଲି ତ ପିତାମାତା ପୂର୍ଣ୍ଣ ସନ୍ତର୍ପଣରେ ତାକୁ ଇସ୍କୁଲରେ ନେଇ ବସାଇଦେଇ ଆସି ଥାଆନ୍ତି ଏବଂ ଆମର ଆଚାର୍ଯ୍ୟମାନେ ମଧ୍ୟ ପୂର୍ଣ୍ଣ ସନ୍ତର୍ପଣରେ ସେହି ଅମାନତଟିକୁ ମଣିଷ କରିବାରେ ଲାଗିଯାଆନ୍ତି । ଭାରତୀୟ ଶିକ୍ଷାପରମ୍ପରାରେ ସେହି ଗୁରୁମାନେ ତେଣୁ ଅସଲ ଏବଂ ସେଇଥିପାଇଁ ସେହି ଅକଳନ୍ତି କାଳଟାରୁ ହିଁ ବିଷ୍ଣୁଶର୍ମାମାନେ ନିଜ ନିଜ କାଳରୁ ପିଲାମାନଙ୍କୁ ମଣିଷ କରିବାରେ ଗମ୍ଭୀର ଭାବରେ କର୍ମରତ ହୋଇ ରହି ଆସିଛନ୍ତି । ପୂରାପଣେ ଆମ ଏକାଳ ପର୍ଯ୍ୟନ୍ତ-। ଗୋଟିଏ ପୁରୁଷ ଏହିପରି ଭାବରେ ଆପେ ମଣ ହୋଇ ଆସିଛି ଏବଂ ତା’ ନିଜର ପାଳିଟା ଆସି ପହଞ୍ଚିବା ପରେ ପରବର୍ତ୍ତୀ ପୁରୁଷଟିକୁ ମଧ୍ୟ ମଣ କରି ଗଢ଼ିନେବାରେ ଖୁବ୍ ଲାଗି ଯାଉଛି । ଏହି କ୍ରମଟିରେ ଖୁବ୍ କମ୍ ବ୍ୟତିକ୍ରମ ହୁଏତ ହୋଇଛି । ଦେବୀ ସରସ୍ୱତୀଙ୍କ ନାମରେ ପରମ ନିଷ୍ଠା ସହକାରେ ସେହି କଥାଟି ହୋଇ ଆସିଛି । ଛାତ୍ରନାମକ ଜୀବଟିର ଭାରି ଅଳପ ଶକତି ବୋଲି ଗୁରୁମାନେ ବିଶ୍ୱାସ କରିଛନ୍ତି ଏବଂ ତାକୁ ମଣିଷ କରିବାରେ ମନୋନିବେଶ କରିଛନ୍ତି-। ଏହି ଗୁରୁମାନେ ତ ଛାତ୍ର ଥିବା ସମୟରେ ସେମାନଙ୍କର ଗୁରୁମାନେ ମଧ୍ୟ ସେମାନଙ୍କର ଭାରି ଅଳପ ଶକତି ବୋଲି ଖୁବ୍ ଧାରଣ ଜନ୍ମାଇବାର ସାଧନାମାନ କରିଥିବେ ଏବଂ ଉପରେ ଯେତେ ବାଧ୍ୟ ହୋଇଥିଲେ ମଧ୍ୟ ସେମାନଙ୍କର ଯେଉଁଟି ଅନ୍ତରତମ ମନୁଷ୍ୟଚେତନା ସେମାନେ ତାହାକୁ କଦାପି ମାନି ନେଇ ନଥିବେ ଏବଂ ହୁଏତ ତାହାରି କୌଣସି କ୍ଷତିପୂରଣ କଲାପରି ଆପଣାର ଛାତ୍ରମାନଙ୍କୁ ମଣିଷ କରିବାର ସେହି ପବିତ୍ର କାର୍ଯ୍ୟଟିରେ ଏବେ ଲାଗିପଡ଼ନ୍ତି କି ?

 

ଜଣେ ମଣିଷକୁ ମଣିଷ ବୋଲି ସ୍ୱୀକାର ନକରିବାର ଆଉଗୋଟିଏ ଧାରା ମଧ୍ୟ ରହିଛି । ଏବଂ ଅବଶ୍ୟ ସେହି ଆଦିକାଳରୁ ହିଁ ରହି ଆସିଛି । ଆମେରିକାରେ ଯେତେବେଳେ କୃଷ୍ଣକାୟମାନଙ୍କୁ ଆପଣାର ଦାସ ପରି ବ୍ୟବହାର କରା ଯାଉଥିଲା, ସେତେବେଳେ ସେଠାରେ ମାଲିକମାନେ ନିଜର ଦାସମାନଙ୍କୁ ମନୁଷ୍ୟ ପରି ସ୍ୱୀକାର କରୁଥିଲେ କି ? ଏବଂ, ଯେତେବେଳେ ଇଂଲଣ୍ଡ ଓ ସ୍ପେନ୍‌ର ଦସ୍ୟୁମାନେ ଆଫ୍ରିକା ମହାଦେଶରେ ପଶି ବଳାତ୍କାର କରି କଳାମାନଙ୍କୁ ଧରି ଆଣୁଥିଲେ ଏବଂ ଆମେରିକାର ଦାସ-ହାଟ ମାନଙ୍କରେ ପଣ୍ୟବତ୍ ବିକ୍ରୀ କରୁଥିଲେ, ସେମାନେ ସେତେବେଳେ ସେହି କବଳଗ୍ରତ ମାନଙ୍କୁ ମନୁଷ୍ୟ ବୋଲି ଭାବୁଥିଲେ ? ଏବଂ, ଏକାଳକୁ ଆମ ଆମ ଅନେକଙ୍କର ସଂସାର ଭିତରକୁ ଆସି କହିଲେ, ଯେଉଁମାନେ ଆମମାନଙ୍କର ଘରେ ନିତି ବାସନ ମାଜିବାକୁ, ଘର ଖରକି ଚଟାଣ ପୋଛି ଆସନ୍ତି, ଆମେ ମଧ୍ୟ ଆଦୌ କୌଣସି ଗରଜରେ ପଡ଼ି ସେମାନେ ମଧ୍ୟ ମଣିଷ ହୋଇଥିବେ ବୋଲି ଅନୁଭବ କରିଥାଉ କି ? ଏବଂ, ଠିକ୍ ଆମରି ପରି ଅବଶ୍ୟ ଜଣେ ମଣିଷ ବୋଲି ଅନୁଭବ କରିବା ତ ଆହୁରି କେତେ କୋଶର ବାଟ ହୋଇଥିବ-! ଆମ ଗାଆଁଠାକୁରଙ୍କୁ ଆମେ ଯେଉଁମାନେ ଏକ ଅନ୍ୟ ଖାସ୍ ଶ୍ରଦ୍ଧାଦ୍ୱାରା ପରିଚାଳିତ ହୋଇ କେବଳ ଆମର ବୋଲି ମାନୁ ଓ ଗାଆଁରେ ବାସ କରୁଥିବା ନିର୍ଦ୍ଦିଷ୍ଟ ଅନ୍ୟମାନଙ୍କୁ ଦିଅଁଙ୍କ ଦେଉଳ ଭିତରେ ପ୍ରବେଶ କରି ତାଙ୍କୁ ଦର୍ଶନ କରିବାଟାକୁ ନିଷିଦ୍ଧ କରି ରଖିଥାଉ, ଆମେ ସେମାନଙ୍କୁ କେତେ କ’ଣ ଜଣେ ଜଣେ ମନୁଷ୍ୟ ବୋଲି ଦେଖୁଁ ? ନଈ ସେହି ଗୋଟାଏ ନଈ ହୋଇ କୋଉ ଆଦ୍ୟ ଯୁଗରୁ ବହି ଯାଉଥିଲେ ମଧ୍ୟ ଆମେ ଆମ ଗାଆଁଟାଯାକ ତାହାରି କୂଳରେ ନିଜ ବସତିଗୁଡ଼ିକୁ ତିଆରି କରି ସଂସାରମାନ ଗଢି ଆଣିଥିଲେ ମଧ୍ୟ ତଥାପି ଆମେ ଗୋଟିଏ ପକ୍ଷ ଅନ୍ୟ କେତୋଟି ପକ୍ଷକୁ ଯେ ଆମ ସହିତ ଏକାତୁଠରେ ସ୍ନାନ କରିବାକୁ ମୋଟେ ଉଚିତ ବୋଲି ମନେ କରୁନାହିଁ, ପୂରା ଆମରି ପରି ଉକ୍ତ ମନୁଷ୍ୟମାନଙ୍କୁ ସେତେବେଳେ ମନୁଷ୍ୟ ବୋଲି ବିଚାର କରିଥାଉ କି ? ଯିଏ ବା ଯେଉଁମାନେ ନିଜକୁ ସତକୁ ସତ ମଣିଷ ବୋଲି ଦେଖନ୍ତି, କେଉଁସବୁ ତାଡ଼ନାରେ ପଡ଼ି ସେମାନେ ଆଉ କେତେକଙ୍କୁ ତଥାପି ମଣିଷ ବୋଲି କାହିଁକି ସ୍ୱୀକାର କରନ୍ତି ନାହିଁ ?

 

ଆମ ଜୀବନକୁ କେତେ କେତେ ପ୍ରକାରର ଅର୍ଥ-ମହିମାରେ ସମ୍ପଦବାନ୍ କରି ରଖିଥିବା ଆମର ଏହି ପିଲାମାନେ । ଥିଲା ଘରର ପିଲାଏ କେତେ କେତେ ମଣ୍ଡନ ସହିତ ସକାଳ ପାଇଲେ ଇସ୍କୁଲମାନଙ୍କୁ ଯାଆନ୍ତି । ସହରମାନଙ୍କରେ ସେମାନଙ୍କ ନିମନ୍ତେ କେତେ ପ୍ରକାରର ଶିକ୍ଷାସ୍ଥାନମାନ ବରାଦ ହୋଇ ରହିଥାଏ । ମୋଟେ କୌଣସି ଇସ୍କୁଲ ଯାଉନଥିବା ପିଲାମାନେ ମଧ୍ୟ ଆମ ଚାରିପାଖରେ ରହିଛନ୍ତି । ଆମେ ଇସ୍କୁଲ ଯାଉଥିବା ପିଲାଙ୍କ ବାପାମାଆମାନେ ଇସ୍କୁଲ ନଯାଉଥିବା ପିଲାମାନଙ୍କୁ ଏବଂ ସେମାନଙ୍କର ବାପାମାଆଙ୍କୁ ଠିକ୍ ଆମ ପିଲାଙ୍କ ପରି ଓ ଆମପରି ଗୋଟିଏ ମଣିଷ ବୋଲି ଖୁବ୍ ବେଶୀ ବିଚାର କରିଥାଉ କି ? ଏବଂ, ଆଉଟିକିଏ ଆଗକୁ ଭାବ କରି କହିବା ତ, ଆମ ଇସ୍କୁଲ ଯାଉଥିବା ପିଲାମାନେ ପୂରା ସେହିମାନଙ୍କ ବୟସର ଓ ଆକାରର ଇସ୍କୁଲ ନଯାଉଥିବା ପିଲାମାନଙ୍କୁ ମଣିଷ ବୋଲି ଭାବୁଥିବେ ? ସମ୍ଭବତଃ ଆହୁରି ଅଧିକ ମର୍ମ ରହିଥିବା କଥାଟିଏ ହେଉଛି ଯେ, ସେହି ଥିଲା ଘରର ପିଲାମାନଙ୍କୁ ବିଶେଷ ମଣ୍ଡଣିମାନ ରହିଥିବା ବିଦ୍ୟାଳୟ ମାନଙ୍କରେ ପାଠାଦି ପଢ଼ାଉଥିବା ଶିକ୍ଷକମାନେ ମଧ୍ୟ ଆଦୌ କୌଣସି ସ୍କୁଲକୁ ଯାଇ ପାରୁନଥିବା ପିଲାମାନଙ୍କୁ ମଧ୍ୟ ମନୁଷ୍ୟ ବୋଲି ଭାବୁଥିବେ କି ?

 

ପ୍ରଶ୍ନର ପରିଧିଟିକୁ କିଞ୍ଚିତ୍ ଅଧିକ ପ୍ରସାରଣ ଦେଇ କହିବା ତ, ରିକ୍‌ସା ଉପରେ ବସିଥିବା ବାବୁ ବାବୁଆଣୀମାନେ ସେହି ରିକ୍ସାଟାକୁ ଟାଣୁଥିବା ରିକ୍ସାବାଲାଟିକୁ ମଣିଷ ପରି ଦେଖୁଥିବେ ? ଆମ ହାକିମମାନେ ସେମାନଙ୍କର ଅଫିସ୍‌ରେ କାମ କରିବାକୁ ନିଯୁକ୍ତ ହୋଇଥିବା ଜଣେ ପିଅନ୍ ଅର୍ଥାତ୍ ବୋଲକରା ନରଶରୀରଟିକୁ ହାଜିରାଟାଏ ପକାଇ ଦେଇ ସେମାନଙ୍କର ନିଜ ରହୁଥିବା ବଙ୍ଗଳା ମାନଙ୍କୁ ଚଟାପଟ ଯାଇ ମାଆଙ୍କ ବତାଇବା ଆଉସବୁ କ’ଣ କରିବା ନିମନ୍ତେ ପେଷି ଦେଉଥିବା ସମୟରେ ସେମାନଙ୍କୁ ଆଦୌ ଜଣେ ମନୁଷ୍ୟ ପରି ଦେଖୁଥିବେ ? ଆମ ଗାଆଁମାନଙ୍କରେ ସବୁଠାରେ ଭଳି ଭଳି ଜାତି ଓ ପାଟକର ଲୋକେ ବାସ କରୁଥାନ୍ତି । ଉଚ୍ଚ ବର୍ଣ୍ଣର କୌଣସି ଗୋଟିଏ ଘରର ସାନ ସାନ ପିଲାମାନେ ନୀରସ ବର୍ଣ୍ଣର ଅନ୍ୟମାନେ ସେମାନଙ୍କ ବାପା ବୟସର ଅସବର୍ଣ୍ଣମାନଙ୍କୁ ତୁ’ ତା’ କରୁଥିବା ସମୟରେ ନ୍ୟାୟତଃ ଆଦୌ କିଛି ଅସ୍ୱାଭାବିକ କଥା କରି ପକାଇଲେ ବୋଲି କେବେହେଲେ ଭାବନ୍ତିନାହିଁ । ପିଲାମାନେ ସେହିପରି କରନ୍ତୁ ବୋଲି ବାପାମାଆମାନେ ମଧ୍ୟ ନିଶ୍ଚୟ ଭାବୁଥିବେ । ନହେଲେ, ସେମାନଙ୍କର ସଂହତି ଏବଂ ସଂସ୍କୃତିସମ୍ବନ୍ଧୀୟ ଧାରଣାଟି ଅନୁସାରେ, ଗାଆଁର ଦୈନନ୍ଦିନ ଜୀବନଟି ମଧ୍ୟ ଗୋଟାସୁଦ୍ଧା ଏକ ଅରାଜକତାରେ ହିଁ ପରିଣତ ବି ହୋଇଯିବ । ଆଗେ ଯେତେବେଳେ ବରମାନେ ପାଲିଙ୍କି ଚଢ଼ି ବିଭା ହେବାପାଇଁ ଯାଉଥିଲେ, ସେତେବେଳେ ସେହି ପାଲିଙ୍କିକୁ କାନ୍ଧେଇ ନେଉଥିବା ବେହେରା ମାନଙ୍କୁ ଜଣେ ଜଣେ ମନୁଷ୍ୟ ବୋଲି ବିଚାରିବା ସକାଶେ ସେହି ବରମାନଙ୍କର କୌଣସି ପ୍ରୟୋଜନ ନଥିଲା । ଗାଆଁର ଦୀନବାନ୍ଧବମାନେ ଯେତେବେଳେ ଆଉ କାହାକୁ ସଂକ୍ଷେପରେ ଦୀନା ବୋଲି ଡାକନ୍ତି, କରଣସାହିର ପଦ୍ମଚରଣମାନେ ପ୍ରାୟ କୌଣସି ଧର୍ମପାଳନ କରୁଥିବା ପରି କେଉଟ ସାହିର କାହାକୁ ପଦିଆ ବୋଲି ସମ୍ବୋଧନ କରିବାଟାକୁ ହିଁ ସମ୍ଭ୍ରମ ବୋଲି ବିଚାର କରନ୍ତି, ସେତେବେଳେ ସେମାନେ ପ୍ରକୃତରେ ମନୁଷ୍ୟମାତ୍ରେ ସମସ୍ତଙ୍କୁ ମନୁଷ୍ୟ ବୋଲି ଆଦୌ ଗ୍ରହଣ କରିନଥାନ୍ତି । ଏପରିକି, ପ୍ରକାର ପ୍ରକାର ପାଠ ପଢ଼ି ସାରିଥିଲେ ମଧ୍ୟ ଆମ ରକ୍ତ ଭିତରେ ରାଜତ୍ୱ କରୁଥିବା ପୂରା ଅନ୍ୟଗୋଟାଏ ଶାଠ ହିଁ ଆମକୁ ବୁଦ୍ଧି ଦେଇ ଏହି ପୃଥିବୀ ନାମକ ଅରଣ୍ୟଟି ଆମକୁ ବାଟ ଦେଖାଇ ନେଇ ଯାଉଥାଏ ।

 

ତେଣୁ, ସବାଆଗ ମଣିଷକୁ ମଣିଷ ବୋଲି ଦେଖିବା । ଲୋଷ୍ଟ୍ରବତ୍ ନୁହେଁ, ମନୁଷ୍ୟବତ୍-। ଆଦୌ ଗୋଡ଼ିମାଟି ପରି ନୁହେଁ, ଗୋଟିଏ ଗୋଟିଏ ମଣିଷ ପରି । ନିଜକୁ ମଣିଷଟିଏ ବୋଲି ଚିହ୍ନିଲେ ମୁଁ ଅନ୍ୟ ମନୁଷ୍ୟମାନଙ୍କୁ ମଧ୍ୟ ସେହି ନ୍ୟାୟଟି ଅନୁସାରେ ମଣିଷଟିଏ ବୋଲି ନିଶ୍ଚୟ ଚିହ୍ନିବି । ଏହି କଥାଟିକୁ ବୁଝି ପାରିବାକୁ ହେଲେ ମୋତେ ମୋଟେ କୌଣସି ଶାସ୍ତ୍ର ଭିତରକୁ ଯିବାକୁ ପଡ଼ିବ ନାହିଁ । ଅନ୍ୟ ମଣିଷମାନଙ୍କୁ ଗୋଡ଼ି ଓ ମାଟି ପରି ଦେଖୁଥିବା ଯାଏ ମୁଁ ନିଜକୁ ଜଣେ ମଣିଷ ହିସାବରେ ଦେଖୁଛି ବୋଲ କଦାପି ଧରି ନେଇ ହେବନାହିଁ । କାରଣ, ସେହି ସ୍ଥିତିରେ ତୁଚ୍ଛା ଏହି କଥାଟିର ସୂଚନା ମିଳିବାରେ ଲାଗିଥିବ ଯେ, ମୁଁ କେତେକ କାରଣ ହେତୁ ନିଜକୁ ଗୋଡ଼ିମାଟି ସଦୃଶ ଅନୁଭବ କରୁଛି ଏବଂ ଅସଲ କଥାଟିକୁ ଘୋଡ଼ାଇ ରଖିବା ସକାଶେ କିଛି ମୁଖା ମଧ୍ୟ ପିନ୍ଧିଛି ଏବଂ ସେହି ମୁଖାଟାର ବୋଲ ମାନି ଅନ୍ୟ ମନୁଷ୍ୟମାନଙ୍କୁ ଗୋଡ଼ି ମାଟି ଭଳି ବ୍ୟବହାର କରୁଛି । ଠିକ୍ ଯେପରି କେତେକ ଅକାରଣ ଦ୍ୱାରା ବାଧ୍ୟ ହେଉଥିବା ପରି କେତେ ମନୁଷ୍ୟ ଅନ୍ୟ ମନୁଷ୍ୟମାନଙ୍କୁ ଘୃଣା କରନ୍ତି: ନିଜର ଦେଶଟିକୁ ଭଲ ପାଉନଥାନ୍ତି ବୋଲି ଅନ୍ୟ ଏ ଦେଶ ଅଥବା ସେଦେଶଟାକୁ ଘୃଣା କରନ୍ତି । ଆପଣାର ମ୍ଳେଚ୍ଛପଣ ମାନଙ୍କୁ ଢାଙ୍କି ରଖିବାକୁ ଅନ୍ୟମାନଙ୍କୁ ମ୍ଳେଚ୍ଛବୋଲି କହି ସାନ୍ତ୍ୱନା ଲାଭ କରୁଥାଆନ୍ତି । ସେତ ତ, ନିଜ ପାଖରେ ଧନସମ୍ପତ୍ତି ଗଦା ହୋଇ ରହିଥାଏ, ମୋତେ କେଡ଼େ ବଡ଼ କ’ଣଟାଏ ବୋଲି ପ୍ରତିପାଦିତ କରିବାର ମତଲବରେ ଘରେ ମଧ୍ୟ ଚାକର ପରିକର ଭର୍ତ୍ତି ହୋଇ ରହିଥାନ୍ତି । ମୋ’ର ବଦାନ୍ୟତାର ପରିଚୟ ଦେବା ନିମନ୍ତେ ମୁଁ ଦାନଦାକ୍ଷିଣ୍ୟମାନ କରୁଥାଏ, ବିଚରା ଦରିଦ୍ରମାନଙ୍କ ପ୍ରତି କେତେ ଦୟାର୍ଦ୍ର ହୋଇ ରହିଥାଏ,-ତଥାପି ନିଜ ଭିତର ଆପଣାଟାକୁ ମେଦେ ମୂଷାମାଟି ପରି ଦେଖିବାରେ ଲାଗିଥାଏ ।

 

ହଁ, ମଣିଷମାନଙ୍କୁ ମଣିଷରୂପେ ଦେଖିବ, ଆପଣାକୁ ଏବଂ ଅପର ସମସ୍ତଙ୍କୁ; ଏବଂ ସେହି ଦେଖିବାର ବାଟରେ ଅଧିକରୁ ଅଧିକ ଏକ ସ୍ୱଚ୍ଛତା ଅର୍ଥାତ୍ ସହଜତାର ଯୋଗ୍ୟ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ମଣିଷ ଭିତରେ ଜଣେ ବ୍ୟକ୍ତିର ମଧ୍ୟ ପରିଚୟ ମିଳିଯିବ । ଜଣେ ମଣିଷ ଆପଣାକୁ ଜଣେ ବ୍ୟକ୍ତି ବୋଲି ଅନୁଭବ କରିବା, ଏଇଟି ଆଦୌ ଏକ ଅହଙ୍କାର ନୁହେଁ । ନିଜ ସହିତ ଏକ ସ୍ୱଭାବନିବିଡ଼ତାର ପରିଚୟ, ତାହାହିଁ ଜଣେ ମନୁଷ୍ୟ ନିଜକୁ ବ୍ୟକ୍ତିରୂପେ ଜାଣିବାର ଏକ ପରିଚୟ । ସତକୁ ସତ ଅନ୍ତରଙ୍ଗତାର ହିଁ ଗୋଟିଏ ପରିଚୟ, ଯେତେବେଳେ ଆପଣା ଭିତରେ ସମଗ୍ରଟିର ଏକ ସ୍ପର୍ଶ ଉପଲବ୍ଧ ହୋଇଯାଏ । ଏକ ସଳଖ ନୈକଟ୍ୟର ହିଁ ସ୍ପର୍ଶ । ବନ୍ଧୁ କହିଲ, ନିଜସହିତ ସେହି ନୈକଟ୍ୟଟି ସମ୍ଭବ ହୋଇଯିବା ପରେ ନିଜ ପୃଥିବୀଟିରେ ମୋ’ ସହିତ ଗୁଡ଼ାଇ ତୁଡ଼ାଇ ହୋଇ ରହିଥିବା ଅନ୍ୟ ମନୁଷ୍ୟମାନେ ମଧ୍ୟ କାହିଁକି ନିକଟ ବୋଲି ନଲାଗିବେ ! ସେମାନେ ମଧ୍ୟ କେଡ଼େ ସଳଖ ହୋଇ ମୋ’ ଆଡ଼କୁ ଲାଗି ଆସିବାକୁ ଉତ୍ସାହିତ ହେବେ: ମୋତେ କ’ଣ ସବୁ ସାବଲୀଳତା ସହିତ ସେମାନଙ୍କର ଏକାବେଳେକେ ଗର୍ଭଗୃହଟି ମଧ୍ୟକୁ ଡାକି ନେଇଯିବେ ଏବଂ କୌଣସି କାରଣରୁ ମୋ’ ଦ୍ୱାରଟା ଦରଆଉଜା ହୋଇ ରହିଛି ବୋଲି ଘ୍ରାଣଟିଏ ପାଇଲେ ସମ୍ଭବତଃ ନିଜେ ହିଁ ଦୁଆରଟିକୁ ଖୋଲି ଦେଇ ମୋ’ ପାଖରେ ଆସି ପହଞ୍ଚିଯିବେ । ସେମାନେ ମୋ’ ଉପରକୁ ମାଡ଼ି ବସିବେ ନାହିଁ ଏବଂ ମୁଁ ମଧ୍ୟ ସେମାନଙ୍କ ଉପରକୁ ମାଡ଼ି ବସିବାର କୌଣସି ଅବକାଶ ନଥିବ,-ତଥାପି ଏକ ନିକଟତା ହିଁ ଆମ ଉଭୟଙ୍କ ନିମନ୍ତେ ଏକ ମୂଳ ସନ୍ତକ ହୋଇ ରହିଥିବ ।

 

ବ୍ୟକ୍ତି ବ୍ୟକ୍ତି ଭିତରେ ଏକ ଦୂରତା ଥିବ, ପାର୍ଥକ୍ୟ ମଧ୍ୟ ରହିଥିବ, କିନ୍ତୁ ତଥାପି ସେମାନେ ପରସ୍ପରର ଖୁବ୍ ପାଖାପାଖି ହୋଇ ରହିଥିବେ, ପାଖାପାଖି ହୋଇ ବାଟମାନଙ୍କୁ ଚାଲୁଥିବେ । ନ୍ୟାୟତଃ ଏହିଭଳି କିଛି ହୋଇଥିବ ଯେ, ସେହି ପାର୍ଥକ୍ୟଗୁଡ଼ିକ ହିଁ ମୋତେ ଆଉଜଣକ ଆଡ଼କୁ ବରଂ ଅଧିକ ଆକର୍ଷିତ କରି ନେଉଥିବ । ଏହି ପୃଥିବୀଟି ଯେପରି ସହସ୍ର ସହସ୍ର ଏକକତା ଅର୍ଥାତ୍ ବିବିଧତା ସତ୍ତ୍ୱେ ତଥାପି ପୂରା ସନ୍ତର୍ପଣରେ ଅର୍ଥାତ୍ ସର୍ବାଧିକ ସୁସ୍ଥ ଭାବରେ ଗୋଟିଏ ବୋଲି ଅନୁଭୂତ ହୁଏ ଏବଂ ସେହିଭଳି ଅନୁଭୂତ ହେଉଥାଏ ବୋଲି ଏଡ଼େ ସୁନ୍ଦର ଦିଶେ ଏବଂ ଆମୋଦ ଦିଏ, ସେହି ବ୍ୟକ୍ତି-ବ୍ୟକ୍ତିର ସମ୍ପର୍କଟି ମଧ୍ୟ ସେହିପରି କୌଣସି ଜୀବନନ୍ୟାୟ ଦ୍ୱାରା ପରିଚାଳିତ ହେଉଥିବାରୁ ଏପରି ଖାସ୍ ଅନୁଭବମୟ ହୋଇ ରହିଥାଏ କି ? ବ୍ୟକ୍ତି ବ୍ୟକ୍ତିକୁ ଅସୂୟାମୁକ୍ତ ଭାବରେ ସ୍ୱୀକାର କରି ନେଇଥିବ, ଯେକୌଣସି ସମଷ୍ଟିକୁ ଏକ ସୁସ୍ଥ ସମଞ୍ଜସତାର ନିର୍ଭର ଯୋଗାଇଦେଇ ପାରିବା ସକାଶେ ଆମେ ଏକ ଅତ୍ୟାବଶ୍ୟକ ପୂର୍ବସର୍ତ୍ତ ପରି ହିଁ ଗ୍ରହଣ କରିବା । ସମ୍ଭବତଃ ନିଷ୍କର୍ଷଟି ହେଉଛି ଯେ ଯେକୌଣସି ସମୂହର କେତେକ ବ୍ୟକ୍ତି ଅନ୍ୟ ବ୍ୟକ୍ତିମାନଙ୍କୁ ସତେଅବା ଗୋଡ଼ିମାଟି ପରି ଦେଖୁଥିବା ଯାଏ ସେହି ସମୂହ ନାନା ଅସ୍ୱାସ୍ଥ୍ୟକରତାର କାରଣ ହୋଇ ଅବଶ୍ୟ ରହିଥିବ । ସେହି କ୍ଷେତ୍ରରେ ବହୁ ବହୁ ବିଡ଼ମ୍ବନାର ଶିକାର ହୋଇ ଆପଣାକୁ ଗୋଟାଏ ଗୋଟାଏ ବଡ଼ ମାଛ ବୋଲି ଧରିନେଇ ତଥାକଥିତ ଛୋଟ ମାଛମାନଙ୍କୁ ଗିଳି ପକାଇବାରେ ହିଁ ଲାଗିଥିବ । ପ୍ରତ୍ୟେକେ ପ୍ରତ୍ୟେକକୁ ଅକିଞ୍ଚନ ବୋଲି ଭାବୁଥିବେ, ପ୍ରତ୍ୟେକେ ପ୍ରତ୍ୟେକକୁ ଭୟ ମଧ୍ୟ କରୁଥିବେ ।

 

ତେଣୁ, ବ୍ୟକ୍ତିରୁ ବ୍ୟକ୍ତିତ୍ୱ । ପୁନଶ୍ଚ, ଯଦି ପ୍ରତ୍ୟେକ ମନୁଷ୍ୟ ଜଣେ ଜଣେ ବ୍ୟକ୍ତି ବୋଲି ସ୍ୱୀକାର କରାଯିବ, ତେବେ ସେହି ବ୍ୟକ୍ତିମାନଙ୍କର ଏକ ବ୍ୟକ୍ତିତ୍ୱ ରହିଛି ବୋଲି ମଧ୍ୟ କହିବାକୁ ପଡ଼ିବ । ବ୍ୟକ୍ତି ବ୍ୟକ୍ତିଠାରୁ ଭିନ୍ନ ଏବଂ ସେହିପରି, ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଆଉଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱଠାରୁ ମଧ୍ୟ ଅବଶ୍ୟ ଭିନ୍ନ । ଏହିଟି ଆଦୌ ଏକ ଜ୍ଞାନର କଥା ନୁହେଁ, କାର୍ଯ୍ୟତଃ ଏକ ସହିଷ୍ଣୁତାର କଥା । ଏପରି ଏକ ସହିଷ୍ଣୁତା, ଯାହାକି ଆମକୁ ଅଧିକ ବୁଝିବାରେ ସହାୟତା କରିଥାଏ, ଉଭୟ ଆପଣାକୁ ବୁଝିବାରେ ଏବଂ ଅନ୍ୟମାନଙ୍କୁ ବୁଝିବାରେ । ଅଧିକ ପାଠ ପଢ଼ିଲେ ଯେ ସେହି ବୁଝିବା ସମ୍ଭବ ହୁଏ, ସେକଥା ଆଦୌ ନୁହେଁ । ଅଧିକ ବିତ୍ତର ଅଧିକାରୀ ହେଲେ ମଧ୍ୟ ତାହା ହୋଇ ଯାଏ ନାହିଁ ଏବଂ ଗୁଡ଼ାଏ କ୍ଷମତାରେ ଅଧିଷ୍ଠିତ ହୋଇ ରହିଲେ ମଧ୍ୟ ବୁଝିବାର ଶକ୍ତି ମୋଟେ ବୃଦ୍ଧି ପାଏ ନାହିଁ । ବୁଝିଥିବା ବ୍ୟକ୍ତିମାନେ ତ ବରଂ କହିବେ ଯେ ଏକ ସମୁଚିତ ବୁଝାମଣା ସହିତ ଆପଣାର ଜୀବନଟିକୁ ବଞ୍ଚିଲେ ଯାଇ ଆମର ବୁଝିବା ଶକ୍ତି ସମୃଦ୍ଧ ହୁଏ, ନେତ୍ରଯୁକ୍ତ ହୋଇଥାଏ । ଆପଣା ସହିତ ସହଜ ବୁଝାମଣାରେ ବଞ୍ଚି ପାରୁଥିବା ମନୁଷ୍ୟମାନେ ପୃଥିବୀ ନିକଟରେ ସଙ୍କୋଚମୁକ୍ତ ହୋଇ ଆପଣାର ପରିଚୟ ଦେଇ ପାରନ୍ତି । ସେହି ସଙ୍କୋଚମୁକ୍ତମାନେ ହିଁ ପୃଥିବୀଟା ଯାକର ଅନେକ କାମରେ ଲାଗନ୍ତି ଏବଂ କାମରେ ଲାଗିପାରନ୍ତି ବୋଲି ପୃଥିବୀକୁ ବୁଝିବାରେ ସମର୍ଥ ହୁଅନ୍ତି । ସେମାନେ ଆଦୌ ଅଣନିଃଶ୍ୱାସୀ ହୋଇ ପଡ଼ନ୍ତିନାହିଁ । ସମ୍ଭବତଃ ଏହି ଗୋଟା ପୃଥିବୀଟାରେ ତୁଚ୍ଛା ନିଜକୁ ହିଁ ଏକମାତ୍ର ରେଜେଷ୍ଟ୍ରୀଭୁକ୍ତ ଲାଇସେନ୍‌ସଧାରୀ ବୋଲି କ’ଣ ସବୁ ଦୁର୍ଭାଗ୍ୟ ହେତୁ ଧରି ନେଇଥାନ୍ତି ଏବଂ ସେହି କାରଣରୁ ଅଣନିଃଶ୍ୱାସୀ ପ୍ରାୟ ଅନୁଭବ କରୁଥାଆନ୍ତି ।

 

ପୁନରାବୃତ୍ତି କରି କହିଲେ, ଯଦି ମନୁଷ୍ୟମାତ୍ରେ ସମସ୍ତେ ଜଣେ ଜଣେ ବ୍ୟକ୍ତି, ତେବେ ସେହି ବ୍ୟକ୍ତିମାନେ ପ୍ରତ୍ୟେକେ ଗୋଟିଏ ବ୍ୟକ୍ତିତ୍ୱର ଅଧିକାରୀ । ଭଳି ଭଳି ବ୍ୟକ୍ତି ଏବଂ ଭଳି ଭଳି ବ୍ୟକ୍ତିତ୍ୱ । ସମସ୍ତେ ମନୁଷ୍ୟ ହୋଇଥିଲେ ମଧ୍ୟ ତଥାପି ପ୍ରତ୍ୟେକେ ମୋଟେ ଜଣେ ଜଣେ ବ୍ୟକ୍ତି ନୁହନ୍ତି ବୋଲି ଦାବି କରି ବାହାରିବା ଯେପରି ପ୍ରମାଦଯୁକ୍ତ, ସମସ୍ତେ ବ୍ୟକ୍ତି ହୋଇଥିଲେ ମଧ୍ୟ ତଥାପି ସେମାନଙ୍କର ସମସ୍ତଙ୍କର ଆଦୌ ବ୍ୟକ୍ତିତ୍ୱ ନାହିଁ ବୋଲି ଦାବି କରି ବାହାରିବା ମଧ୍ୟ ସେହିପରି ସଂପୂର୍ଣ୍ଣ ଭାବରେ ଗୋଟିଏ ପ୍ରମାଦଯୁକ୍ତ ମିଛ କଥା । ଗୋଟିଏ ସତ୍ୟ କଥା ଯେ ଏକ ଅପସଂସ୍କୃତିର ସୁଅରେ ପଡ଼ି ଅନେକେ ଆମ ନିରୀହ ବ୍ୟକ୍ତିତ୍ୱକାମୀ ମାନଙ୍କୁ ସେହିପରି ଧାରଣାଟିଏ ଦେଇଥାଆନ୍ତି ଏବଂ ତାହାକୁ ପୁଞ୍ଜି କରି ଆପଣାର ବେପାରଗୁଡ଼ିକୁ ଖୁବ୍ କରିପାରନ୍ତି । କାଳର ଚଳଣିଗୁଡ଼ାକର ଫାଶରେ ପଡ଼ିଯାଇ କେତେ ମଣିଷ ମୋ’ର କୌଣସି ବ୍ୟକ୍ତିତ୍ୱ ନାହିଁ ବୋଲି ବଡ଼ ଦୁଃଖ ଭିତରେ ରହିଥାନ୍ତି ଏବଂ ଅମୁକ କସରତ ଅଥବା ପ୍ରସାଧନଟିଏ କରିପାରିଲେ ବ୍ୟକ୍ତିତ୍ୱର ଖନ୍ଦାଟାରେ ବୃଦ୍ଧିସାଧନ ହୋଇପାରିବ ବୋଲି ଏକ ବିଶ୍ୱାସଭ୍ରମରେ ପଡ଼ିଯାଆନ୍ତି । ହଁ, କେତେ ପ୍ରକାର ପ୍ରସାଧନ ଏବଂ କେତେ ପ୍ରକାରର କସରତ । ବଜାରର ସେହିଧର୍ମୀ ବିଜ୍ଞାପନମାନଙ୍କ ଅନୁସାରେ, ତୁମେ ଅମୁକ ପ୍ରକାରର ପରିଚ୍ଛଦ ପିନ୍ଧିଲେ ତୁମ ବିଷୟରେ ଅମୁକ ଅନ୍ୟମାନଙ୍କର ଧାରଣା ବଦଳିଯିବ ଏବଂ ତେଣୁ ତୁମକୁ ଇପ୍ସିତ ସଫଳତାଗୁଡ଼ିକ ନିଶ୍ଚୟ ମିଳିବ । ତୁମେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବ ଓ ତେଣୁ ନିଜର ଜୀବନ ଓ ଜୀବିକାମାନଙ୍କରେ ବହୁତ କିଛି ହାସଲ କରିପାରିବ । ପ୍ରତିଦ୍ୱନ୍ଦିତା ମାନଙ୍କରେ ଜୟଲାଭ କରିବ, ପନ୍ଦର ଜଣରେ ଜଣେ ବୋଲି ସହଜରେ ବାରି ହୋଇ ପଡ଼ିବ । ପୁନଶ୍ଚ, ତୁମର ସେହି ଖାସ୍ ପ୍ରସାଧନ ଓ କସରତ ମାନଙ୍କ ଦ୍ୱାରା ଲବ୍ଧ ବ୍ୟକ୍ତିତ୍ୱଟାକୁ ସ୍ୱୀକୃତି ଦେଇ ଅନ୍ୟମାନେ ତୁମର କହୁଥିବା କଥାଗୁଡ଼ିକୁ ବହୁତ ମୂଲ୍ୟ ଦେବେ । ଏବଂ, ଆନୁଷଙ୍ଗିକ ଆହୁରି ଏକାଧିକ ଲାଭ ମଧ୍ୟ ମିଳିପାରିବ । ଏକ ପଣ୍ୟପ୍ରଧାନ ମିଜାଜ ରଖିଥିବା ସମାଜରେ ମନୁଷ୍ୟର ବ୍ୟକ୍ତିତ୍ୱକୁ ଯେ କିଣିବିକି ପାରିବା ସମ୍ଭବ ହେବ, ସେଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ।

 

ହଁ, ବ୍ୟକ୍ତିମାତ୍ରକେ ପ୍ରତ୍ୟେକର ବ୍ୟକ୍ତିତ୍ୱ ରହିଛି । ପ୍ରତ୍ୟେକ ବ୍ୟକ୍ତିତ୍ୱର ଏକ ସୁସ୍ଥ ବିକାଶଧାରା ମଧ୍ୟ ରହିଛି । କେତେ ସମାଜରେ ତାହା ବାଧାପ୍ରାପ୍ତ ହୋଇଥାଏ । ଯେତେବେଳେ ଆମ ଚଳଣିମାନେ ଏହି ପୃଥିବୀରେ ଆମ ସାମୂହିକ ଜୀବନକୁ ସତେଅବା ଗୋଟାଏ ସଟ୍ଟାବଜାର ପରି ବିଚାର କରୁଥାନ୍ତି, ସେତେବେଳେ ମନୁଷ୍ୟମାତ୍ରେ ସମସ୍ତଙ୍କର ଅବଶ୍ୟ ବ୍ୟକ୍ତିତ୍ୱଟିଏ ରହିଛି ବୋଲି କହିଲେ ଅନେକଙ୍କୁ ତାହା ପ୍ରକୃତରେ ଭାରି ଅଶ୍ୱସ୍ତିକର ମନେ ହୋଇଥାଏ । ବ୍ୟକ୍ତିତ୍ୱର ଅଧ୍ୟୟନକୁ ଏକ ବିଜ୍ଞାନ ବୋଲି ଗ୍ରହଣ କରି ନେଉଥିବା ସଙ୍ଗେ ସଙ୍ଗେ ସେହି ଆଗର ସଂସ୍କାରଟି କ୍ରମଶଃ ଦୂର ହିଁ ହୋଇ ଯାଉଛି । ଏକ ସାନ ପିଲାର ମଧ୍ୟ ବ୍ୟକ୍ତିତ୍ୱ ରହିଛି । ଜଣେ ଅପରାଧୀର ବ୍ୟକ୍ତିତ୍ୱ ରହିଛି । ପାଠୁଆମାନେ ଯେତେ ପ୍ରକାରେ ଅରାଜି ହୁଅନ୍ତୁ ପଛକେ, ପାଠ ନପଢ଼ିଥିବା ଜଣେ ଛାର ମନୁଷ୍ୟପ୍ରାଣୀର ମଧ୍ୟ ବ୍ୟକ୍ତିତ୍ୱ ରହିଛି । ଆପଣା ଚିତ୍ତର ମିଛ ବଡ଼ପଣ ଗୁଡ଼ିକ ମଧ୍ୟରେ ଯେଡ଼େ ଗରିଷ୍ଠ ହୋଇ ସଂସାରଯାକର ବ୍ୟକ୍ତିତ୍ୱ କେବଳ ତା’ରିଠାରେ ରହିଛି ବୋଲି ଅନୁଭବ କରୁଥିବା ମହାମାନବ ମହାଶୟଟିଏ ଯେତେ ଦାବି କରୁଥିଲେ ମଧ୍ୟ ତଥାକଥିତ ତୁଚ୍ଛା ଦରିଦ୍ରମାନଙ୍କର ମଧ୍ୟ ବ୍ୟକ୍ତିତ୍ୱ ରହିଛି । ସବୁଯାକ କ୍ଷମତା ତଥା ସୁଯୋଗମାନଙ୍କ ଉପରେ ଯେତେ ପ୍ରଚଣ୍ଡ ଭାବେ ଅଧିକାର ଜମାଇ ରହିଥିବା ପ୍ରତାରକମାନେ ସ୍ୱୀକାର କରୁନଥିଲେ ମଧ୍ୟ ପ୍ରତାରିତମାନଙ୍କ ମଧ୍ୟ ଅବଶ୍ୟ ବ୍ୟକ୍ତିତ୍ୱ ରହିଛି । ନାନା ଅପପରାକ୍ରମର ବଶବର୍ତ୍ତୀ ହୋଇ ଆପଣାର ଖାସ୍ ବ୍ୟକ୍ତିତ୍ୱର ତୋଡ଼ଗୁଡ଼ାକୁ ଜାହିର୍ କରିବାରେ ଲାଗିଥିବା ଅତ୍ୟାଚାରୀ ମାନଙ୍କର ଅତ୍ୟାଚାର ଇତ୍ୟାଦିର ସମ୍ମୁଖରେ ଚୁନୌତି ଦେଇ ଛିଡ଼ା ହୋଇ ପାରୁଥିବା ଅନ୍ୟମାନଙ୍କର ମଧ୍ୟ ବ୍ୟକ୍ତିତ୍ୱ ରହିଛି । ବ୍ୟକ୍ତିତ୍ୱ ହେଉଛି ପ୍ରତ୍ୟେକ ମନୁଷ୍ୟ ଭିତରେ ରହିଥିବା ନାନା ସମ୍ଭାବନାର ସେହି ଗଠନକ୍ଷମ ସମଗ୍ରଟି, ଯାହାର ସଚେତନତା ଆମ ପ୍ରତ୍ୟେକ ମଣିଷଙ୍କୁ ଏକାଧିକ ଭାବେ ଅନନ୍ୟ ବୋଲି ଏକ ସବଳ ବିଶ୍ୱାସ ଆଣି ଦେଇଥାଏ, ନିଜର ଜୀବନଟିକୁ ଉଚିତ ଶ୍ରଦ୍ଧା ଏବଂ ଶୁଶ୍ରୂଷା ଦେଇ ଏକ ସ୍ୱକୀୟ ସଚଳତା ସହିତ ଚିହ୍ନି ଓ ବଞ୍ଚି ପାରିବା ନିମନ୍ତେ ଯାହା ଆଖିମାନଙ୍କୁ ଯେଗାଇ ଦେଉଥାଏ । ପୃଥିବୀରେ ସଚେତନ ବ୍ୟକ୍ତିତ୍ୱ ଗୁଡ଼ିକର ମହିମା ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ସେହି ପୃଥିବୀର ମହିମା ମଧ୍ୟ ବୃଦ୍ଧି ପାଇବାରେ ଲାଗିଥାଏ ।

 

ଆମେ ମନୁଷ୍ୟବ୍ୟକ୍ତିମାନେ ବାହାରକୁ ଅନେକ ଅନେକ ହିସାବରେ ପ୍ରାୟ ଗୋଟାସୁଦ୍ଧା ଏକାଭଳି: ଅଙ୍ଗପ୍ରତ୍ୟଙ୍ଗ ଏକାଭଳି, ଭୋକ ଓ ଶୋଷ ସମସ୍ତଙ୍କୁ କରେ । ସମସ୍ତେ ଅସୁସ୍ଥ ହୁଅନ୍ତି; ଝଡ଼ି ଯାଉଥାନ୍ତି, ମୋଟା ବି ହୁଅନ୍ତି ସବୁରି ଇନ୍ଦ୍ରିୟଯନ୍ତ୍ର ଗୁଡ଼ିକ ଏକା ଧର୍ମଗୁଡ଼ିକର ପାଳନ କରନ୍ତି । ସମସ୍ତେ ସ୍ୱପ୍ନ ଦେଖନ୍ତି, ନିରାଶ ମଧ୍ୟ ହୁଅନ୍ତି । ବାଟ ଚାଲନ୍ତି, ବାଟ ହୁଡ଼ନ୍ତି, ସମସ୍ତେ ଯେତେ ସାବଧାନ ହୋଇ ରହିଥିଲେ ମଧ୍ୟ ଝୁଣ୍ଟନ୍ତି, ପଡ଼ନ୍ତି ଏବଂ ପୁଣି ଝାଡ଼ିଝୁଡ଼ି ହୋଇ ଉଠନ୍ତି । ସମସ୍ତଙ୍କର ବୁଦ୍ଧି ରହିଛି, ଆବେଗମାନେ ରହିଛନ୍ତି । ବେଦନା ତଥା ସଂବେଦନାମାନେ ବି ରହିଛନ୍ତି-। ସମସ୍ତେ ଆକୃଷ୍ଟ ହୋଇ କେତେ କୁଆଡ଼େ ଧାଇଁବାରେ ଲାଗିଥାନ୍ତି, ପୁଣି ସମସ୍ତେ ରୁଷ୍ଟ ହୋଇ ମୁହଁ ଆଡ଼େଇ ନିଅନ୍ତି । ସମସ୍ତେ ନିଜକୁ ସବଳ ବୋଲି ଭାବି ଅନ୍ୟମାନଙ୍କୁ ଦୁର୍ବଳ ବୋଲି ଭାବନ୍ତି ଏବଂ ସେପରି କରି ହୁଏତ କିଞ୍ଚିତ୍ ଆନନ୍ଦ ମଧ୍ୟ ଅନୁଭବ କରନ୍ତି । କେତେ କେତେ ପ୍ରକାରେ ନିଜକୁ ସତେଅବା ଏକା ବୁଦ୍ଧିଆ ବୋଲି ବିଚାରନ୍ତି ଏବଂ ଅନ୍ୟ ଅନେକଙ୍କୁ ବୋକା ବୋଲି ଧରି ନେଇଥାନ୍ତି-। ନିଜକୁ ଏତେ ଏତେ ଅଧିକ ପ୍ରକାରେ ସିଧା ବୋଲି ବିଶ୍ୱାସ କରିବାରେ ଅଭ୍ୟସ୍ତ ହୋଇ ପଡ଼ିଥାନ୍ତି ଯେ, ଅନ୍ୟମାନଙ୍କୁ ବଙ୍କା ବୋଲି ସମଝି ନେଇଥାନ୍ତି । ସମସ୍ତେ ଭୁଲ କରନ୍ତି ଏବଂ ପୁନର୍ବାର ସେହି ଭୁଲଗୁଡ଼ିକୁ ସୁଧାରି ନିଅନ୍ତି । ବ୍ୟକ୍ତିମାତ୍ରକେ ସମସ୍ତେ ଆପଣାକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଥାନ୍ତି ଓ ସମସ୍ତେ ଧରା ପଡ଼ି ଯାଆନ୍ତି । ଉଭୟ ନିଜ ପାଖରେ ଏବଂ ଅନ୍ୟମାନଙ୍କ ପାଖରେ ସମସ୍ତେ ଉଦାର ହୁଅନ୍ତି, ପୁଣି କୃପଣ ମଧ୍ୟ ହୁଅନ୍ତି । ଯେତେ ଅଳପ ଅଥବା ଅଧିକ ପରିମାଣରେ ହୋଇଥାଉ ପଛକେ, ଯୁଆଡ଼ୁ ବର୍ଷା ହେଉଥାଏ, ସେହି ଆଡ଼କୁ ଛତା ଦେଖାନ୍ତି । ତଥାପି ଓଦା ହୋଇ ଯାଆନ୍ତି । ସମସ୍ତେ ମୋହରୁ ମୁକ୍ତ ହୋଇ ଆଉଗୋଟାଏ ମୋହରେ ଯାଇ ପଡ଼ିଯାଆନ୍ତି । କେତେ ବାଧା ଓ ପ୍ରତିବନ୍ଧକ ରହିଥାଏ ସିନା, ତଥାପି ସମସ୍ତେ ଜୀବନକୁ ଭଲ ପାଆନ୍ତି । ଜୀବନଦର୍ଶନର ଉଚ୍ଚ ବ୍ୟାଖ୍ୟାତାମାନେ ଏହି ସଂସାରର ଜୀବନକୁ ମାୟା ବୋଲି କହୁଥିଲେ ମଧ୍ୟ ସବୁ ମଣିଷ ସେହି ମାୟାରେ ହିଁ ପଡ଼ିଥାଆନ୍ତି । ସତେଅବା, ସେମାନଙ୍କ ଭିତର ତଥା ବାହାରର ବୃହତ୍ତର ପୃଥିବୀଟାରୁ ସେମାନଙ୍କର ଖୁବ୍ ଚିହ୍ନା ଅସଲ ଦୋସରଟିଏ ଏକ ମନ୍ତ୍ରଣା ଯୋଗାଇ ଦେଉଥିବା ପରି ଏହି ମାୟା ଭିତରେ ହିଁ ବାଟ ଚାଲିବାକୁ ସେମାନଙ୍କୁ ଖୁବ୍ ଭଲ ଲାଗୁଥାଏ ।

 

ହଁ, ବାଟଟିଏ ବାହାର କରିବା ଓ ସେହି ବାଟଟିକୁ ଚାଲିବା, ହୁଏତ ସେଇଟି ହେଉଛି ଆମ ପ୍ରତ୍ୟେକଙ୍କର ବ୍ୟକ୍ତିତ୍ୱ ଅନୁସାରେ ପରସ୍ପର ଠାରୁ ଭିନ୍ନ ଭିନ୍ନ । ଆଦୌ ପରସ୍ପରର ପରିପନ୍ଥୀ ନୁହନ୍ତି, ଭିନ୍ନ ଭିନ୍ନ । କ’ଣ ସବୁ ଅନ୍ତର୍ଗତ ଅସମର୍ଥତା ହେତୁ ଯେଉଁମାନେ କେବଳ ନିଜ ବାଟଟିକୁ ଏକମାତ୍ର ବାଟ ବୋଲି ବିଶ୍ୱାସ କରୁଥାଆନ୍ତି, ସେହିମାନେ ହିଁ ବାଟଗୁଡ଼ିକୁ ପରସ୍ପରର ବିରୋଧୀ ବୋଲି ବିଚାର କରନ୍ତି । ପୂର୍ଣ୍ଣ ଭାବରେ ସଫା ହୋଇ ନିଜର ବାଟଟାକୁ ଚାଲି ପାରନ୍ତି ନାହିଁ କିମ୍ବା ଚାଲନ୍ତି ନାହିଁ ବୋଲି ସେମାନେ ସେହିପରି ଏକ ମିଛ ହଙ୍ଗାମାଭିତରେ ଯାଇ ଜଡ଼ିତ ହୋଇ ରହିଥାନ୍ତି କି ? ପୁନଶ୍ଚ, ଆହୁରି ଏପରି ଏକ କାଟର ମନୁଷ୍ୟବ୍ୟକ୍ତି ମଧ୍ୟ ଥାଆନ୍ତି, ଯେଉଁମାନେ ବାଟଟିଏ ଦେଖିଛନ୍ତି ଅଥବା ପାଇଛନ୍ତି ବୋଲି ଘୋଷଣା କରୁଥିଲେ ମଧ୍ୟ ମୋଟେ କୌଣସି ବାଟ ଚାଲୁନଥାନ୍ତି । ଅଧିକାଂଶତଃ ଆମ ଧର୍ମ ପ୍ରବରମାନେ ହିଁ ଆମର ଏହି ସଦାଚଳମାନ୍ ପୃଥିବୀଟିରେ ସେହିପରି ଗୋଟିଏ ଭୂମିକାରେ ଥାଆନ୍ତି । ସେମାନେ ସଂପ୍ରଦାୟମାନ ସର୍ଜନା କରନ୍ତି ଏବଂ ସତେଅବା ସବୁଯାକ ବାଟର ଶେଷରେ ଯାଇ ପହଞ୍ଚି ଯାଇଥାନ୍ତି ବୋଲି ଦାବି କରନ୍ତି । ସେମାନେ ଅନେକ ସମୟରେ ଧର୍ମୀୟ ଅବତାରଣାମାନ କରି ଏକାବେଳେକେ ଶିଖରରେ ଯାଇ ପହଞ୍ଚି ଯାଇଛନ୍ତି ବୋଲି ଶାସ୍ତ୍ରମାନ ଲେଖି ପ୍ରତ୍ୟୟମାନ ଯୋଗାଇ ଦିଅନ୍ତି । ପୃଥିବୀରେ ବ୍ୟକ୍ତିତ୍ୱବିକାଶର ଈଶ୍ୱରୀୟ ଧାରାଟିକୁ ବ୍ୟାହତ କରି ପକାନ୍ତି । ସତେଅବା ପୂରା ପୃଥିବୀଟା ସେହିମାନଙ୍କର ଚଉକାଠଟା ପାଖରେ ଆସି ଅଟକି ରହି ଯାଇଥାଏ ।

 

ଯେକୌଣସି ରାଜନୀତିକ ମତବାଦର ତଥାକଥିତ ସିଦ୍ଧାନ୍ତାଦର୍ଶ ଗୁଡ଼ିକ ମଧ୍ୟ ସଚରାଚର ସେହିପରି ଭାବରେ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ୱକୁ ଅଟକାଇ ରଖିବାଲାଗି ଅନେକତଃ ଖୋରାକ ଯୋଗାଇ ଆସିଛନ୍ତି । ରାଷ୍ଟ୍ରୀୟ କ୍ଷମତାରେ ରହିଥିବା ଏକ ରାଜନୀତିକ ଦଳ ଓ କ୍ଷମତାସୀନ ମାନଙ୍କୁ ତଡ଼ି ଆପେ ସେହି କ୍ଷମତାକୁ ଦଖଲ କରିବାକୁ ଚେଷ୍ଟା କରୁଥିବା ଅନ୍ୟ ଦଳଟି ବା ଦଳମାନେ, ଉଭୟେ ସେଇଥିରେ ପ୍ରାୟ ସର୍ବତୋଭାବେ ଲିପ୍ତ ହୋଇ ପଡ଼ିଛନ୍ତି । ସେପରି କରି ସେମାନେ ରାଷ୍ଟ୍ର ତଥା ଆପଣା ଆପଣାର ରାଜନୀତିକ ଆଦର୍ଶ, ଉଭୟଙ୍କୁ କ୍ଷତିଗ୍ରସ୍ତ କରାଇଛନ୍ତି ଏବଂ ଲୋକସଚେତନାକୁ ମଧ୍ୟ ନାନା ଅରାଜନୀତିକ ଉତ୍ତେଜନା ଦ୍ୱାରା ତାହାର ସ୍ୱାଭାବିକ ବିକାଶଧର୍ମରୁ ବିଚ୍ୟୁତ କରି ନେବାର ଉପକ୍ରମ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିକୁ ତା’ର ବ୍ୟକ୍ତି-ପରିଚୟରେ ଏକ ସ୍ୱୀକୃତି ଏବଂ ସେହି କ୍ରମରେ ପ୍ରତ୍ୟେକ ବ୍ୟକ୍ତିର ଏକ ବ୍ୟକ୍ତିତ୍ୱ ନିଶ୍ଚୟ ରହିଛି ଏବଂ ତାହାର ବିକାଶ ନିମନ୍ତେ ଯଥେଷ୍ଟ ପ୍ରସାର ପ୍ରଦାନ କରିବା ଦ୍ୱାରା ରାଷ୍ଟ୍ର ସମେତ ସଂପୂର୍ଣ୍ଣ ସାମୂହିକ ଜୀବନଟିର ସୁସ୍ଥ ବହୁ ବିକାଶ ଯେ ଅବଶ୍ୟ ସମ୍ଭବ ହୁଏ, ଦୁର୍ଭାଗ୍ୟବଶତଃ ଆମର ଧର୍ମୀୟ ଅତ୍ୟୁତ୍ସାହ ଓ ଆମର ରାଜନୀତି-କ୍ଷେତ୍ରର ପ୍ରାୟ ଯାବତୀୟ ଚହଲପହଲ ଏବଂ କ୍ଷମତାରେ ଅଧିଷ୍ଠିତ ଆମ କର୍ତ୍ତାମାନେ ସେହି ସର୍ବମୂଳ ନୀତିଟିକୁ ବାରମ୍ବାର ପାସୋରି ପକାଇଛନ୍ତି । ସେମାନେ ଆପଣାକୁ ହିଁ ସର୍ବୋଚ୍ଚ ଶେଷ ଶିଖର ବୋଲି ଧରି ନେଇଛନ୍ତି ବୋଲି ପୃଥିବୀଯାକର ଆମ ମନୁଷ୍ୟମାନଙ୍କୁ ବହୁ ଅନାବଶ୍ୟକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି । ଏବେ ମଧ୍ୟ ପଡ଼ୁଛି ।

‘‘ବହୁ ବହୁ ସଂଖ୍ୟାର ବିସ୍ମୟ ଏହି ପୃଥିବୀରେ ରହିଛି ଏବଂ ଏହି ମନୁଷ୍ୟ ଠୁଁ ବଳି ଅଧିକ ବଡ଼ ବିସ୍ମୟ କେଉଁଠି ହେଲେ ନାହିଁ ।’’ ପ୍ରାଚୀନ ଗ୍ରୀସ୍‌ର ଶ୍ରୀଯୁକ୍ତ ସୋଫୋକ୍ଳିସ୍ ଏକଦା ଏହି ମନ୍ତବ୍ୟଟିକୁ ଦେଇଥିଲେ । ଏହି ମନୁଷ୍ୟବ୍ୟକ୍ତି ହେଉଛି ପ୍ରକୃତରେ ଏକ ବିସ୍ମୟ ଏବଂ ସିଏ ଏବେ ମଧ୍ୟ ଏକ ବିସ୍ମୟ ହୋଇ ରହିଛି । ଅନୁକ୍ଷଣ ପ୍ରଲୁବ୍ଧ କରି ରଖିଛି ଏବଂ ଅଗ୍ରସର କରାଇ ନେଉଛି । ଗୋଟିଏ ପ୍ରକାରର ବିସ୍ମୟ ରହିଛି, ଯାହା ଧର୍ମତଃ ଚକିତ କରି ପକାଏ, ବିବଶ କରି ରଖିଥାଏ । ଏବଂ, ନିରସ୍ତ୍ର ହୋଇ ତା’ଠାରୁ ଦୂରରେ ରହିବାଟା ହିଁ ବରଂ ସବୁଠାରୁ ଅଧିକ ନିରାପଦ ବୋଲି ପ୍ରତୀତ ହେଉଥାଏ । ମାତ୍ର, ଏହି ମନୁଷ୍ୟ ହେଉଛି ଏପରି ଏକ ବିସ୍ମୟ ଯାହା ଧର୍ମତଃ ଉଚ୍ଚାଟିତ କରେ, ଆକର୍ଷିତ କରେ, ଆଦୌ ବୁଢ଼ା ହେବାକୁ ବାଟ ଛାଡ଼ି ଦିଏନାହିଁ । ମନୁଷ୍ୟନାମକ ଏହି ପଟାନ୍ତରହୀନ ପ୍ରାଣୀଟିର ଆଖିଭିତରେ କେଉଁ ସଦାନୁରାଗୀ ମହାସତ୍ୟଟିର ନାନା ଆହ୍ୱାନର ଏକ ମୁକ୍ତ ଆତ୍ମିକତା ଅବସ୍ଥିତ ରହିଥାଏ ଓ ତା’ର ଆତ୍ମାର ସତେ ଯେପରି ଜଣେ ପରମବନ୍ଧୁ ଭଗବାନ୍‌ଙ୍କ ସଦୃଶ ଧାତୁଟିଏ, ଆକଟଟିଏ ଏବଂ ଆଦେଶଟିଏ ଆମ ଭିତରେ ଆମଠାରୁ ଆହୁରି ଅନେକ ବଡ଼ ବଡ଼ ସମ୍ପଦ-ସମ୍ଭାବନାର ନାନା ପ୍ରତିଶ୍ରୁତିକୁ ଉଜ୍ଜୀବିତ କରି ରଖିଥାଏ ଯାହାଦ୍ୱାରା, ମନ କଲା ମାତ୍ରକେ ସେମାନେ ଦିଶି ଦିଶି ଯାଉଥାନ୍ତି ଏବଂ ଆମର ଅନୁଭବ ହେବାକୁ ବି ଲାଗନ୍ତି । ସେହି ପୂର୍ଣ୍ଣପ୍ରତ୍ୟୟଯୁକ୍ତ ଆଖିକୁ ତଥା ପୂର୍ଣ୍ଣପ୍ରତ୍ୟୟଯୁକ୍ତ ଦୋସରଟିକୁ ଆମେ ଆମର ବ୍ୟକ୍ତିତ୍ୱ ବୋଲି କହିପାରିବା କି ? ନିଜ ବ୍ୟକ୍ତିତ୍ୱଟି ସହିତ ସେହି ସ୍ପର୍ଶଲାଭ ଅର୍ଥାତ୍ ସାକ୍ଷାତକାର, ତା’ପରେ ଆମକୁ ତତ୍‌କ୍ଷଣାତ୍ ବାଟଟିଏ ମିଳିଯାଏ । ଆମ ନିଜ ବାଟଟି ଆମକୁ ମିଳିଯାଏ । ସତେଅବା ବାଟଟି ଆଗରୁ ହିଁ ଆମଲାଗି ଅପେକ୍ଷା କରୁଥିଲା ବୋଲି ଏକ ଅପରୋକ୍ଷ ଅନୁଭବ ହୋଇଥାଏ ।

ତେଣୁ, ଯେତେ ଯାହା ବିସ୍ମୟ, ଆମ ଇତିହାସଯାକ ଏହି ମଣିଷମାନେ ହିଁ ତ ସେଗୁଡ଼ିକୁ ଯୁଗେ ଯୁଗେ ଆବିଷ୍କାର କରିଛନ୍ତି । ଅର୍ଥାତ୍, ବସ୍ତୁତଃ ସେହି ମଣିଷଟା ବି ଆପେ କେଡ଼େ ବଡ଼ ବିସ୍ମୟ ନହୋଇଥିବ । ସେହି କାରଣରୁ ଆଗ କୌଣସି ଯୁଗର ମେନ୍‌ସିଉସ୍ (Mencius,-Meng-Zi)(୧) ମଧ୍ୟ ସବୁକାଳର ଆମ ସମସ୍ତଙ୍କ ନିମନ୍ତେ କହି ଯାଇଛନ୍ତି: ‘‘ଯଦି ମନୁଷ୍ୟ ନାମକ ଅଶେଷ ସମ୍ଭାବନାଯୁକ୍ତ ଜୀବନରୂପଟି ଆପଣାର ଆବଶ୍ୟକ ସର୍ବବିଧ ଖାଦ୍ୟସାର ଗୁଡ଼ିକୁ ପାଇପାରିବ, ତେବେ ଆପଣାର ଅଭିବୃଦ୍ଧିକ୍ରମରେ ଏପରି କୌଣସି ଗାର ନାହିଁ, ସିଏ ଯାହାକୁ ଛୁଇଁ ନପାରିବ । ଏବଂ, ଏପରି ପକ୍ଷରେ, ସେହି ଖାଦ୍ୟସାର ଗୁଡ଼ିକରୁ ଯଦି ସେହି ମନୁଷ୍ୟ ବଞ୍ଚିତ ହୋଇ ରହେ, ତେବେ ଏପରି କୌଣସି ବସ୍ତୁ ନାହିଁ, ଯାହାକି ତାହାରି ଭିତରେ ଥାଇ ମଧ୍ୟ ବରବାଦ ହୋଇ ନଯିବ ।’’ ମନୁଷ୍ୟବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ପ୍ରସ୍ତୁତ ଆଲୋଚନାଟିକୁ ଆରମ୍ଭ କଲା ସମୟରେ ଆମେ ସେହି କଥାଟିକୁ ହିଁ ଆମର ଅସଲ ନିର୍ଣ୍ଣାୟକ ପରି ହିଁ ଗ୍ରହଣ କରିବା । ପ୍ରକୃତରେ ସେହିଭଳି ଗୋଟିଏ ସତ୍ୟପ୍ରତ୍ୟୟକୁ ଆପଣାର ସର୍ବମୂଳ ଅନୁମାନରୂପେ ଗ୍ରହଣ କରି ଚତୁର୍ଦ୍ଦଶ ପଞ୍ଚଦଶ ଶତାବ୍ଦୀରେ ରେନେସାନ୍‌ସ୍ ନାମକ ସେହି ଇଉରୋପୀୟ ଭାବପ୍ଳାବନଟି ଆରମ୍ଭ ହୋଇଥିଲା । ‘ମନୁଷ୍ୟ ସମ୍ବନ୍ଧରେ ଏକ ପ୍ରତିବେଦନ’ ନାମକ ସ୍ୱଲିଖିତ ଗୋଟିଏ ପୁସ୍ତିକାରେ ଇତାଲୀ ଦେଶର ଶ୍ରୀଯୁକ୍ତ ପିକୋ ଦେଲା ମିରାନ୍ଦୋଲା (ମଧ୍ୟ)(୨) ଅବିକଳ ସେହି ଗୋଟିଏ ଆବେଦନ ସହିତ ମନୁଷ୍ୟ-ବ୍ୟକ୍ତିତ୍ୱ ବିଷୟରେ ତାଙ୍କର ଏହି ଉକ୍ତିଟିର ଘୋଷଣା କରିଥିଲେ: ‘‘ମଣିଷକୁ ତା’ର ଆବଶ୍ୟକ ଅନୁକୂଳତା ଗୁଡ଼ିକୁ ଯୋଗାଇଦିଅ,-ତେବେ ଦେଖିବ, ଏପରି କୌଣସି ଉଚ୍ଚତା ନାହିଁ ଯେଉଁଠାରେ କି ସିଏ ପହଞ୍ଚି ନପାରିବ । ପୁନଶ୍ଚ, ସେହି ଅନୁକୂଳତା ଗୁଡ଼ିକ ଯଦି ଉପଲବ୍ଧ ନହେବେ, ତେବେ ଏପରି କୌଣସି ନିମ୍ନ ରସାତଳ ନାହିଁ, ଯେଉଁଠାକୁ କି ସିଏ ଖସି ଯିବ ନଯିବ ।’’

ଯଦି ମନୁଷ୍ୟମାତ୍ରକେ ସମସ୍ତଙ୍କର ବ୍ୟକ୍ତିତ୍ୱଟିଏ ରହିଛି, ଯଦି ଖିଳ ସଂସାରଟା ଏହି ବ୍ୟକ୍ତିତ୍ୱଧର୍ମଟିର ନାନାବିଧ ସମାବେଶ ଦ୍ୱାରା ସକଳ ପ୍ରକାରେ ଚାଲିଛି, ତେବେ ଏଠି କେଉଁସବୁ କାରଣରୁ ଦୂରତାମାନ ରହିଛି, ଅସମଞ୍ଜତାମାନ ରହିଛି ଏବଂ ଅସୂୟାମାନେ ହିଁ ସତେଅବା ଆମର କେତେ ନା କେତେ ବିବର୍ତ୍ତନକୁ ଅଟକାଇ ରଖିଛନ୍ତି ? ସମ୍ଭବତଃ, ଏପରି ମଧ୍ୟ ହୋଇପାରେ ଯେ, ବ୍ୟକ୍ତି କହିଲେ ବ୍ୟକ୍ତିମାନେ କେବଳ ନିଜକୁ ହିଁ ଦେଖୁଛନ୍ତି ଏବଂ ତେଣୁ ନିଜ ନିଜର ବ୍ୟକ୍ତିତ୍ୱଗୁଡ଼ିକୁ ଆବିଷ୍କାର କରି ପାରୁନାହାନ୍ତି । ସେମାନେ ଆପଣାର ସେହି ବ୍ୟକ୍ତିତ୍ୱଟିର ସମ୍ମୁଖୀନ ହେବାଲାଗି କ’ଣ ସବୁ ଗରଜରେ ପଡ଼ି ସାହସ କରି ପାରୁନାହାନ୍ତି କି ? ନିଜ ପାଖରେ ତଥା ପରସ୍ପର ପାଖରେ ବିଦେଶୀ ହୋଇ ରହିଛନ୍ତି ? ଏବଂ, ସେଥିଲାଗି ନାନା ପ୍ରସୀମିତତା ମଧ୍ୟରେ ଆପଣାକୁ ଭାରି ଅଳପ, ଭାରି ତାତ୍କାଳିକ ଓ ଅପୋଖତ କରି ରଖିଛନ୍ତି ! ଆପଣାକୁ ଏକ ମହାସମୂହର ଅନ୍ତର୍ଗତ କରି ନଦେଖି ସତେ ଅବା କୌଣସି ଅକିଞ୍ଚନ ଉଡ଼ାପତର ପରି ଦେଖୁଥିବା ମହାବିରାଗୀମାନେ କାର୍ଯ୍ୟତଃ ଭାଗ୍ୟବାଦୀ ହୁଅନ୍ତି କି ? ଭାଗ୍ୟବାଦୀ ଅର୍ଥାତ୍ ମୁଁ ମୋ’ର ତଥାକଥିତ ସମ୍ଭାବ୍ୟ ଆୟତନଗୁଡ଼ିକୁ ସେଗୁଡ଼ିକର ସଂପୂର୍ଣ୍ଣ ପ୍ରସ୍ଥର ବୃହତ୍ତା ଦେଇ ଦେଖିବାଲାଗି ରାଜି ହୋଇ ପାରୁନାହିଁ-। ତେଣୁ ନିଜକୁ ମିଶାଇ ପରସ୍ପରକୁ ତଥା ପରସ୍ପରକୁ ମିଶାଇ ଆପଣାର ନିକଟବର୍ତ୍ତୀ ହେବା ସକାଶେ ମୋ’ର ବୃଦ୍ଧି ପାଉନାହିଁ ଏବଂ କ’ଣ ସବୁ ଭୀରୁପଣ ହେତୁ ମୁଁ ତେଣେ ହୁଏତ ମୋଟେ ମନ ବି କରୁନାହିଁ । ଭୀରୁପଣ ହେତୁ ଅର୍ଥାତ୍ ଗେହ୍ଲାପଣ ହେତୁ । କାରଣ, ସଚରାଚର ଗେହ୍ଲାମାନେ ହିଁ ତ ଏହି ପୃଥିବୀରେ ଭୀରୁ ହୋଇଥାଆନ୍ତି । ପରସ୍ପରର ପୂରା ପାଖରେ ଯାଇ ବସି ପାରିବାଲାଗି ଏବେ ତ ଆମ ପୃଥିବୀରେ ଭୁରି ଭୁରି ନାନା ସାଧନ ଉପଲବ୍ଧ ହେଲାଣି, କବାଟ ବନ୍ଦ କରି ରହିବା ନିମନ୍ତେ ଆଉ କୌଣସି ପ୍ରୟୋଜନ ନାହିଁ । ଆମ ସମସ୍ତଙ୍କୁ ଅଭିଭୂତ କରି ଆଗକୁ ଆହୁରି ଅଧିକ ଫର୍ଚ୍ଚା ହୋଇ କେତେ କ’ଣ ଦିଶିଯାଉଛି ।

 

ତଥାପି ବ୍ୟକ୍ତିତ୍ୱର ଅନୁଶୀଳନ ନକରି ଆମେ ଏତେ ମଣିଷ ମୁଖାଗୁଡ଼ାକୁ କାହିଁକି ଆଶ୍ରେ କରି ରହିଛୁ ? ଆପଣାର ବ୍ୟକ୍ତିତ୍ୱ ଅପେକ୍ଷା ସେହି ମୁଖାମାନଙ୍କୁ ହିଁ ଅଧିକ ନିର୍ଭରଯୋଗ୍ୟ ମଣୁଛୁ । ବଜାରଯାକର ବେପାରୀମାନେ ମୁଖ୍ୟତଃ ସେହି ମୁଖାମାନଙ୍କୁ ନେଇ ଗବେଷଣା କରୁଛନ୍ତି-। ତାହାର ଏକମାତ୍ର ପ୍ରତିବାଦ ହୁଏତ ହେଉଛି ଯେ, ଆମେ ତଥାପି ସେହି ବ୍ୟକ୍ତିତ୍ୱଟି ବିଷୟରେ ହିଁ ଆହୁରି ଅଧ୍ୟୟନ କରିବା । ତଟସ୍ଥ ଭାବରେ ନୁହେଁ, ସମ୍ପୃକ୍ତ ଭାବରେ । ତେବେଯାଇ ଉପଲବ୍ଧି କରିବା ଯେ, ବାଟଟିଏ ଅବଶ୍ୟ ଅଛି, ଆଗକୁ ପ୍ରକୃତରେ ବହୁ ବାଟ ଅପେକ୍ଷା କରି ରହିଛନ୍ତି ।

 

ଟିପ୍ପଣୀ :

୧.

Meng-Zi, ପ୍ରାଚୀନ ଚୀନ୍‍ର ଚିନ୍ତାନାୟକ. (ଖ୍ରୀଷ୍ଟପୂର୍ବ ପ୍ରାୟ ୩୭୧-୨୮୯)

୨.

Pico della Mirandola – ରେନେସାସ୍‍ ଆଦ୍ୟକାଳୀନ ଇତାଲୀର ଜଣେ ପ୍ରଖ୍ୟାତ ବ୍ୟକ୍ତି, (1463-1499)

Image

 

ବ୍ୟକ୍ତିତ୍ୱର ଅଧ୍ୟୟନ

 

ସବୁ ଅଧ୍ୟୟନ ଅନୁମାନରେ ହିଁ ଆରମ୍ଭ, ଏବଂ ସମ୍ଭବତଃ ସେଇଟିଲାଗି ସର୍ବବିଧ ତଟସ୍ଥ ଅଧ୍ୟୟନ ମୋଟାମୋଟି ସେହି ଅନୁମାନରେ ହିଁ ସମାପ୍ତ । କେତେଟା ପୁରାତନ ଅନୁମାନକୁ କାଟି ଦେଇ ସେଗୁଡ଼ିକର ସ୍ଥାନାପନ୍ନ ଭାବରେ କେତୋଟି ନୂଆ ଅନୁମାନ ଭିତରେ ଆଶ୍ରୟ-ଗ୍ରହଣ । ସମାଜ ସମାଜ ମଧ୍ୟରେ କେତେ ଫରକ: ଅନ୍ଦାଜ ଏବଂ ଚାହାଣି ମାନଙ୍କରେ, ଏବଂ ନୈତିକତା ନାମକ ଆମ ମନୁଷ୍ୟ-ମାନଙ୍କର ସେହି ପ୍ରିୟ କ୍ଷେତ୍ରଗୁଡ଼ିକରେ । ନୀତି ଏବଂ ତେଣୁ ସେହି ଅନୁସାରେ କିଛି ଅନୀତି, ଗ୍ରହଣୀୟ ଓ ଗର୍ହିତ । ନୀତିଗୁଡ଼ିକୁ ମାନି ତଦନୁରୂପ ଆଚାର ଭିତରେ ରହିଥିବା ଏହି ମନୁଷ୍ୟପ୍ରାଣୀମାନେ ଦେବତାମାନଙ୍କର ମଧ୍ୟ ପ୍ରିୟ ହୁଅନ୍ତି ବୋଲି ଆମର ମୁନିଋଷିଗଣ ମଧ୍ୟ କେତେ ହେପାଜତରେ କହି ନଯାଇଛନ୍ତି ! ନୀତିରେ ରହିଥିବା ଜଣେ ମଣିଷ ତେଣୁ ନ୍ୟାୟତଃ ଉତ୍ତମ ମଣିଷ ଏବଂ, ସେହି ଉତ୍ତମ ମଣିଷଟି ହେଉଛି ଉତ୍ତମ ବ୍ୟକ୍ତି । ତଥାପି, ଖୁବ୍ ଆଗ୍ରହ-ଉଦ୍ଦୀପକ କଥାଟିଏ ଯେ, ସେହି ନୀତିଗତ ନିର୍ଣ୍ଣୟଗୁଡ଼ିକ ମଧ୍ୟ ବଦଳି ବଦଳି ଯାଇଛି । ସେକାଳେ ମଧ୍ୟ ନିର୍ଣ୍ଣାୟକମାନେ ବର୍ଣ୍ଣ ଅନୁସାରେ ଅଲଗା ଅଲଗା ସଂଜ୍ଞା ପ୍ରଦାନ କରିଛନ୍ତି । ରାଜାପାଇଁ ଅଲଗା ନିୟମଧର୍ମ, କାରଣ ରାଜାର ଏକ ଅଲଗା ସ୍ଥାନ । ସେହି ଅନୁସାରେ ଏକ ଖାସ୍ ବ୍ୟକ୍ତିତ୍ୱ । ଏବଂ, ସେହି ଗଣିତଟି ମୁତାବକ ତା’ପାଇଁ କ୍ଷତ୍ରିୟ ବ୍ୟକ୍ତିତ୍ୱ, ବ୍ରାହ୍ମଣ ବର୍ଗଟି ନିମନ୍ତେ ବ୍ରାହ୍ମଣୋଚିତ ବ୍ୟକ୍ତିତ୍ୱ ଏବଂ ସେହି ଅନୁସାରେ ବୈଶ୍ୟ ତଥା ଶୂଦ୍ରମାନଙ୍କ ଲାଗି ଅନୁରୂପ ମଡେଲ୍‌ର ବ୍ୟକ୍ତିତ୍ୱମାନ ।

 

ଉତ୍ତମ ବ୍ୟକ୍ତିତ୍ୱର ସଂଜ୍ଞାୟତନ ଗୁଡ଼ିକୁ ବ୍ରାହ୍ମଣ ହିଁ ନିର୍ଦ୍ଧାରଣ କରୁଥିଲା ଓ ଅନ୍ୟ ତିନି ବର୍ଗ ସେହିଗୁଡ଼ିକର ବାଡ଼ାଟି ଭିତରେ ରହିଲେ ଜଣେ ଉତ୍ତମ ବ୍ୟକ୍ତି ବୋଲି ବିବେଚିତ ହେଉଥିଲେ-। ଏବେ ଆମ ଶାସକୀୟ ଭୃତ୍ୟତନ୍ତ୍ର ଏବଂ ଶିକ୍ଷାଳୟ ମାନଙ୍କରେ ପରିପୂର୍ଣ୍ଣ ପରିପାଟୀରେ ଅଳ୍ପବହୁତ ତାହାହିଁ ଅନୁସୃତ ହୋଇ ଆସୁଛି । ଉପରର ଉଚ୍ଚତମମାନେ ସ୍ଥିର କରି ଦେଇଥିବା ବିଧାନଟି ଅନୁସାରେ ଥାକ ଅନୁସାରେ ତୁମର ବା ମୋ’ର ବ୍ୟକ୍ତିତ୍ୱ । ବେତନ ଅନୁସାରେ, ତେଣୁ କ୍ଷମତା ଅନୁସାରେ: କ୍ଷମତା ଅନୁସାରେ, କାରଣ ବେତନଗୁଡ଼ିକ ଅନୁସାରେ । ଯେଝା ଦିହର ପିନ୍ଧିଥିବା କୁରୁତାଟି ଅନୁସାରେ ଯେଝାର ବ୍ୟକ୍ତିତ୍ୱ । ଭାରି ସହଜ ଏବଂ ଭାରି ସୁବୋଧ୍ୟ । ତେଣୁ, ଏହିସବୁର ଜଗତରେ ବ୍ୟକ୍ତିତ୍ୱ ବିଷୟରେ ଆଉ ଅଲଗା କରି ଅଧ୍ୟୟନ କରିବାର ମୋଟେ ପ୍ରୟୋଜନ ନାହିଁ । ସମ୍ଭବତଃ ପୃଥିବୀଯାକ ଅଳ୍ପବହୁତେ ତାହାହିଁ ହୋଇଛି । କେତେକ ଦେଶରେ ତଥା ସମାଜରେ ବଙ୍କା ଅଥବା ସିଧା ନାନା ବାସ୍ତବତା ହେତୁ ସେଇଟି ହିଁ ବଳବତ୍ତର ରହିଛି । ଚଳନ୍ତି ଅନୁମାନ ଗୁଡ଼ିକ ପଛରେ ଶାସ୍ତ୍ରୀୟ ଯୌକ୍ତିକତା ଗୁଡ଼ିକୁ ଆଣି ବାଢ଼ି ଦିଆଯାଇଛି । ସମଗ୍ର ଜଗତର ବିଧାୟକ ହିସାବରେ ଜଣେ ଭଗବାନ୍ ଆମ ଅଧ୍ୟାତ୍ମଟା ଭିତରେ ରହିଥିଲେ ମଧ୍ୟ ସଂସାରଧର୍ମରେ ତଥାକଥିତ ସଂସାର-ନେତାମାନେ ହିଁ ସବୁ ସ୍ଥିର କରି ଦେଇଛନ୍ତି ଓ ସେମାନେ ଯାହା କରୁଛନ୍ତି, ତା’ ପଛରେ ଭଗବାନଙ୍କର ସମର୍ଥନ ରହିଛି ବୋଲି ବିଶ୍ୱାସ କରୁଛନ୍ତି-

 

ତେଣୁ, ସ୍ଥୂଳ ଭାବରେ ମନୁଷ୍ୟମାନଙ୍କର କେତେକ ଦେହଲକ୍ଷଣକୁ ଦେଖି ପାରମ୍ପରିକ ସମାଜ ମାନଙ୍କରେ ଉତ୍ତମ ଏବଂ ଅନୁତ୍ତମ ଗୁଡ଼ିକ ବିଷୟରେ ମଧ୍ୟ ବିଚାର କରାଯାଇ ଆସିଥିଲା । ଆମ ଦେଶରେ କିଛି ସଂସ୍କୃତ ଶ୍ଳୋକାମାନ ରହିଛି, ଯେଉଁଗୁଡ଼ିକରେ ତଦନୁରୂପ ବଖାଣମାନ ରହିଛି-। ଜଣେ ଦନ୍ତା, ଆଉ ଜଣେ କଣା, ଆହୁରି କିଏ ଟେରା ଏବଂ ସେଇଗୁଡ଼ିକ ଅନୁସାରେ ସେମାନଙ୍କର ବ୍ୟକ୍ତିତ୍ୱ ବିଷୟରେ ନାନା ଅନୁମାନ । ସେମାନଙ୍କୁ ଦେଖିଲେ ଅଶୁଭ ଘଟେ, ଅକଲ୍ୟାଣ ମଧ୍ୟ ହୁଏ । ଯଦି ବିଶ୍ୱାସ କରିବାର ଲୋକମାନେ ଅଛନ୍ତି, ତେବେ ବିଶ୍ୱାସଟିଏ ଅବଶ୍ୟ ରହିବ । ଇତାଲୀ ଦେଶର ଲୋମ୍ବ୍ରୋସୋ ଦେହଲକ୍ଷଣ ଅନୁସାରେ କୋଉ ବ୍ୟକ୍ତି ଚୋର ଓ ଆଉକିଏ ଚୋର ନୁହେଁ, ସେହି ବିଷୟରେ ବେଶ୍ ସନ୍ଧାନଗୁଡ଼ିଏ ଦେଇ ଯାଇଛନ୍ତି ଏବଂ ଆମ ବର୍ତ୍ତମାନ କାଳର ଅପରାଧବିଜ୍ଞାନୀ କେହି କେହି ସେଗୁଡ଼ିକୁ ଅନ୍ତତଃ କିଞ୍ଚିତ ପରିମାଣରେ ଏକ ସହାୟକ ହିସାବରେ ସମ୍ଭବତଃ ବ୍ୟବହାର ମଧ୍ୟ ଖୁବ୍ କରୁଥିବେ । ଜଣେ ମନୁଷ୍ୟର ବ୍ୟକ୍ତିତ୍ୱ ତାହାର ଦେହ ତଥା ଦେହସ୍ୱଭାବଟିର ମାଧ୍ୟମରେ ଅବଶ୍ୟ ପ୍ରକଟ ହେଉଥିବ ବୋଲି ଏକ ସତ୍ୟାନୁମାନ ବ୍ୟକ୍ତିତ୍ୱ-ନିରୂପଣରେ ସେଥିପାଇଁ ସର୍ବପ୍ରଥମେ ପ୍ରାୟ ଏକ ମାପକରୂପେ ବ୍ୟବହୃତ ହୋଇଛି । ଯେକୌଣସି ବ୍ୟକ୍ତିକୁ ଯଦି ସବାଆଗ ତାହାର ଦେହଟିର ମାଧ୍ୟମରେ ପ୍ରତ୍ୟକ୍ଷ କରାଯାଇ ପାରୁଛି, ଏବଂ ଅଧିକନ୍ତୁ, ଦେହଟିକୁ ଅବଲୋକନ କରି ତା’ ଭିତରଟିର ଚେହେରା ତଥା ଚରିତ୍ର ବିଷୟରେ ମଧ୍ୟ କିଛି କିଛି ସୁରାଖ ମିଳିଯିବା ପରି ଲାଗୁଛି, ତେବେ ନ୍ୟାୟତଃ ତାହାରି ମାଧ୍ୟମରେ ଜଣେ ମନୁଷ୍ୟ ଏବଂ ମନୁଷ୍ୟମାନଙ୍କ ବିଷୟରେ କିଛି ତତ୍ତ୍ୱ କରି କହି ପାରିବାଲାଗିୁ ଅବଶ୍ୟ ସ୍ପୃହାଟିଏ ଜନ୍ମଲାଭ କରିଥିବ । ଇଉରୋପରେ ତେଣୁ ସେହିପରି ଦେହଗତ ଶ୍ରେଣୀବିଭାଜନରୁ ହିଁ ବ୍ୟକ୍ତିତ୍ୱ ବିଷୟରେ କିଛି ପ୍ରାଥମିକ ଅବଲୋକନ ଆରମ୍ଭ ହୋଇ ଯାଇଥିଲା ଏବଂ ତଥାପି ତଥା ଅତ୍ୟନ୍ତ ଅଭିନବ ବୋଲି ନିଶ୍ଚୟ ଲାଗିଥିବ ଏବଂ ଅବଲୋକନ ଗୁଡ଼ିକୁ ପ୍ରସାରିତ କରିନେବାକୁ ଜିଜ୍ଞାସୁମାନଙ୍କୁ ଉତ୍ସାହିତ କରିଥିବ ।

 

ମନୁଷ୍ୟରୂପୀ ଆମ ସମସ୍ତଙ୍କର ଏହି ଶରୀରଟି,-ସେଇଟି ମଧ୍ୟ ସକଳ ଅର୍ଥରେ ଗୋଟିଏ ସାମ୍ରାଜ୍ୟ ଏବଂ ଗୋଟିଏ ସମଗ୍ର । ଆମେ ଗ୍ରହଣ କରୁଥିବା ଖାଦ୍ୟର ପରିପାଚନ ନିମନ୍ତେ ଗୋଟିଏ ସମଗ୍ର ଏବଂ ସନ୍ତୁଳିତ ସଂସ୍ଥାନ, ପ୍ରଶ୍ୱାସ ଏବଂ ନିଃଶ୍ୱାସକୁ ଆଧାର କରି ଏକ ସଂପୂର୍ଣ୍ଣ ସଦାପ୍ରକ୍ରିୟା, ରକ୍ତସଂଚାଳନ,-ଅଗଣିତ ଶିରା ଓ ଧମନୀମାନଙ୍କର ମାଧ୍ୟମରେ ରକ୍ତର ପରିପ୍ରେରଣ ଏବଂ ପରିଶୋଧନ, ମୂତ୍ର, ମଳ ଏବଂ ସ୍ୱେଦନିର୍ଗମନର ସାହାଯ୍ୟରେ ନିଷ୍କାସନର ପ୍ରକ୍ରିୟାଟିଏ, ସନ୍ତାନଜନନର ବ୍ୟବସ୍ଥାପନାଟି,-ନାରୀପୁରୁଷର ଭିନ୍ନତା ଅନୁସାରେ ସେଥିରେ ନିହିତ ଥିବା ଭିନ୍ନଭିନ୍ନ କ୍ରିୟାଧର୍ମଗୁଡ଼ିକ, ଶରୀରମୟ ଏବଂ ବହୁଚାତୁର୍ଯ୍ୟପୂର୍ଣ୍ଣ ସ୍ନାୟବିକ କ୍ରିୟାଶୀଳତା ଏବଂ ମସ୍ତିଷ୍କକ୍ଷେତ୍ରରେ ରହିଥିବା ଏକ ସଂପୂର୍ଣ୍ଣ ସଚେତନପ୍ରାୟ ସମନ୍ୱୟନ, ମାଂସପେଶୀ ଗୁଡ଼ିକର ଗଠନ ଏବଂ ଯାବତୀୟ ଧର୍ମମାନ, ଦେହଟିକୁ ଗୋଟାଏ କରି ସଚଳ କରି ରଖିଥିବା ଅସ୍ଥିପଞ୍ଜରା ଏବଂ ଶେଷରେ କ୍ଷରଣସମର୍ଥ ଗ୍ରନ୍ଥି-ସଂସ୍ଥାନଟି, ଯାହା ଆମ ଶରୀରଗତ ବୃଦ୍ଧିକ୍ରମମାନଙ୍କରେ ନାନାବିଧ ଭୂମିକା ଗ୍ରହଣ କରିଥାଏ । ଆମର ଏହି ଶରୀର ଆମ ମନ, ପ୍ରାଣିକ ଅଭିବ୍ୟକ୍ତି ତଥା ଏପରିକି ଆତ୍ମିକ ବିକାଶ ଉପରେ ଯେ କେତେ ପ୍ରଭାବ ପକାଇଥାଏ ଓ ନିଜେ ମଧ୍ୟ ସେହି ପ୍ରତ୍ୟେକଗୁଡ଼ିକ ଦ୍ୱାରା କେତେ କେତେ ପ୍ରକାରେ ପ୍ରଭାବିତ ହୋଇଥାଏ, କ୍ରମେ ସେହି ଯାବତୀୟ କ୍ଷେତ୍ରରେ ବହୁ ଗବେଷଣା ଇତିମଧ୍ୟରେ ହେଲାଣି ଓ ବ୍ୟକ୍ତିତ୍ୱର ଅଧିକରୁ ଅଧିକ ଅଧ୍ୟୟନ ନିମନ୍ତେ ବି ତାହା କେତେ କେତେ ନୂତନ ଦ୍ୱାରକୁ ଉଦ୍‌ଘାଟିତ କରି ଆଣିବାରେ ଲାଗିଛି ।

 

ଭାରତୀୟ କେତେ ସଂସାର-ଉଦାସୀ ଏହି ଶରୀରକୁ ସତେଅବା ଏକ ହେୟ ପଦାର୍ଥବତ୍ ଦେଖାଇ ଦେବାକୁ ଚେଷ୍ଟା କରିଛନ୍ତି । ଏକାବେଳେକେ ଆମର ସେହି ତତ୍ତ୍ୱକାରମାନଙ୍କର ସମୟରୁ । ସମ୍ଭବତଃ ସେହିପରି କୌଣସି ନହସରେ ଆମେ ସଂସାରଲିପ୍ତମାନେ ମଧ୍ୟ ଆମ ଖାସ୍ ମୁହୂର୍ତ୍ତମାନଙ୍କରେ ଏହି ତମାମ ସଂସାରଟାକୁ ମାୟା ବୋଲି କହି ବେଶ୍ ପରିତୋଷ ଲାଭ କରିଥାଉ । ବଡ଼ ଗଦ୍‌ଗଦ୍ ହୋଇ ତତ୍ତୁଲ୍ୟ ଭଜନ ଇତ୍ୟାଦି ଗାନ କଲାବେଳେ ସେଥିରେ ପୂରା ଗମି ଯାଇଥିବା ପରି ମୁଦ୍ରାଗୁଡ଼ିକର ପ୍ରଦର୍ଶନ କରୁ । ସେଇଟି ମଧ୍ୟ ଅନ୍ତତଃ କିଛି ପରିମାଣରେ ଭାରତୀୟ ବ୍ୟକ୍ତିଚରିତ୍ର ମଧ୍ୟରେ ପ୍ରଚ୍ଛନ୍ନ ହୋଇ ରହିଥିବା କୌଣସି ବିରୋଧର ହିଁ ଆଭାସ ଦେବାରେ ଲାଗିଥାଏ । ସର୍ବଦା ମନେ ରଖିବାକୁ ହେବ ଯେ ଭାରତୀୟ ସାଧନା-ପରମ୍ପରାରେ କାୟାସାଧକ ମାନଙ୍କର ସଂପ୍ରଦାୟମାନେ ରହିଛନ୍ତି । ମୂଳ ଉପନିଷଦରେ ପରମସତ୍ୟ ଏହି ଶରୀର ନାମ ଆବାସଟିରେ ଅବସ୍ଥାନ କରୁଛନ୍ତି ବୋଲି ଘୋଷଣା କରାଯାଇଛି । ଯୋଗ-ଉପନିଷଦ ମାନଙ୍କରେ ଶରୀରକୁ ଏକ ଆସ୍ଥାନ ପରି ଆସ୍ଥାନରୂପେ ଗଢ଼ି ଆଣିବା ନିମନ୍ତେ ବହୁ ବିଶଦ ଭାବରେ ଆସନ, ମୁଦ୍ରା ତଥା ଅନ୍ୟ ଉପଯୋଗୀ ପ୍ରକ୍ରିୟା ଗୁଡ଼ିକର ବର୍ଣ୍ଣନା ପ୍ରଦତ୍ତ ହୋଇଛି । ସମ୍ପ୍ରତି, ଶରୀରର ଯଥାବଶ୍ୟକ ଅନୁଶୀଳନ କରିବାକୁ ଯାବତୀୟ ଅନ୍ୟାୟ ଶ୍ରେୟଃର ଉପଲବ୍ଧି ନିମନ୍ତେ ଏକ ଅତ୍ୟାବଶ୍ୟକ ପ୍ରଥମ ସୋପାନ ବୋଲି ଗ୍ରହଣ ବି କରାଯାଉଛି ।

 

ଆମଲାଗି ବୁଝିବାକୁ ମୋଟେ କଷ୍ଟକର ହେବନାହିଁ ଯେ, ପାଶ୍ଚାତ୍ୟରେ ଏହି ଶରୀରକୁ ଆଧାର କରି ବ୍ୟକ୍ତିତ୍ୱ-ଅଧ୍ୟୟନର ପର୍ବଟି ଆରମ୍ଭ ହେଲା । ଶରୀରର ଚେହେରାମାନ ଭିନ୍ନ ଏବଂ ସେହି ଅନୁସାରେ ବ୍ୟକ୍ତିମାନେ ମଧ୍ୟ ଭିନ୍ନ । ସମ୍ଭବତଃ, ଏଇଟିରୁ ବେଳେବେଳେ ଏଭଳି ପ୍ରତ୍ୟୟଟିଏ ଆସୁଥିବ ଯେ, ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ୱଗୁଡ଼ିକ ଭିନ୍ନ ହୋଇଥିବାରୁ ସେମାନଙ୍କର ଶାରୀରିକ ଚେହେରାଟି ମଧ୍ୟ ପ୍ରକାର ପ୍ରକାରର । ଗୋଟିଏ ଶ୍ରେଣୀର ମନୁଷ୍ୟମାନେ ଅଛନ୍ତି, ଯେଉଁମାନଙ୍କ ଶରୀରର ଅସ୍ଥି ଓ ମାଂସପେଶୀମାନେ ଅତ୍ୟୁତ୍ତମ ଭାବରେ ଏପରି ବିକାଶଲାଭ କରିଛନ୍ତି ଯେ ସେମାନେ ଅନ୍ୟ ଅନେକଙ୍କ ମଧ୍ୟରେ ପୂରା ବାରି ହୋଇ ପଡ଼ୁଛନ୍ତି । ପୂରା ସୁଶକ୍ତ ଭାବରେ ଗଠିତ ହୋଇ ରହିଥିବା ସେମାନଙ୍କ ଦେହ । ଅପର ପକ୍ଷରେ ଅନ୍ୟମାନେ ଅହେତୁକ ଭାବରେ ଅଧିକ ଡେଙ୍ଗା ଏବଂ ବଡ଼ ପତଳା । ସତେଯେପରି କେତେଟା କାଠିକୁ ଏକାଠି ପେଚ ବାଡ଼ିଆ ହୋଇ, ସେହି ଦେହଗୁଡ଼ିକର ଯଥାଯୋଗ୍ୟ ବିକାଶ ସମ୍ଭବ ହୋଇନାହିଁ,-ପ୍ରକୃତ ବର୍ଣ୍ଣନାଟିଏ ଦେଇ କହିଲେ, ସେମାନଙ୍କର ସେହି ଦେହନାମକ ସେହି ଚମ୍ପାବରଣଟି ତଳୁ ହାଡ଼ମାନେ ଖଣ୍ଡେ ଖଣ୍ଡେ କାଠି ପରି ହିଁ ଦିଶୁଛନ୍ତି । ଦେହ ଚେହେରାକୁ ଭିତ୍ତି କରି ଆଉ ଏକ ଶ୍ରେଣୀବିଭାଜନ ଅନୁସାରେ ଆମେ ତିନି ଭଳି ବ୍ୟକ୍ତିମାନଙ୍କର ଅବଶ୍ୟ ଭିନ୍ନ ଭିନ୍ନ କିସମର ବ୍ୟକ୍ତିତ୍ୱ ବୋଲି ଖୁବ୍ ଅନୁମାନ କରି ନିଆ ଯାଇଥିବ । ପ୍ରଥମ ବର୍ଗରେ ଉଦରର ତୃପ୍ତିକୁ ଜୀବନର ପରମତମ ଭାଗ୍ୟସୁଖ ବୋଲି ଅନୁଭବ କରୁଥିବା ତୁମେ ଆମେମାନେ: ଉତ୍ତମ ଖାଦ୍ୟ ଓ ଉତ୍ତମ ପାନୀୟରେ ହିଁ ସବାବଡ଼ ଆନନ୍ଦପ୍ରାପ୍ତି । ତେଣୁ ଜୀବନର ଭୋଗଟା ହିଁ ଜୀବନର ସର୍ବସାର । ସେମାନେ ଭାରି ସହଜରେ ସମସ୍ତଙ୍କ ସହିତ ମିଶି ପାରନ୍ତି,-ପୂରା ନିଜର ହୋଇ ଯାଆନ୍ତି । ଭାରି ଲୋଡ଼ନ୍ତି ଅନ୍ୟ ମନୁଷ୍ୟମାନଙ୍କ ସହିତ ମେଳରେ ବସି ଖୁସିରେ ସମୟ ବିତାଇବାକୁ । ଏକୁଟିଆ ରହିବାକୁ ପଡ଼ିଲେ ଭାରି ସନ୍ତାପିତ ଅନୁଭବ କରନ୍ତି । ଅନ୍ୟମାନଙ୍କୁ ସ୍ନେହ ଦେଇ ପାରନ୍ତି କି ନାହିଁ, ସେକଥା ସିନା କହି ହେବନାହିଁ; କିନ୍ତୁ ଖୁବ୍ ସ୍ନେହକାଙ୍ଗାଳ ହୋଇ ରହିଥାଆନ୍ତି । କାହାକୁ ପାଖରେ ପାଇଲେ କୃତକୃତ୍ୟ ହୁଅନ୍ତି । ଦ୍ୱିତୀୟ ଶ୍ରେଣୀଟି ସଦା କର୍ମସଚଳ । ଯେମିତି ହେଲେ ନିଜ ମାଂସପେଶୀଗୁଡ଼ିକୁ ଖଟାଇ ରଖିବାରେ ହିଁ ସ୍ୱଭାବତଃ ସବୁଠାରୁ ଅଧିକ ଆନନ୍ଦ । ତୁମ ସମସ୍ତଙ୍କଠାରୁ ମୁଁ ଅଧିକ ପାରିବି ବୋଲି ଯାଉଣୁ ଆସୁଣୁ କହିବାରେ ଲାଗିଥା’ନ୍ତି । କର୍ମତତ୍ପରତାରେ ହିଁ ଆନନ୍ଦ । ସେଥିଲାଗି ଅନ୍ୟମାନଙ୍କୁ ଆଡ଼େଇ ଦେଇ ସବୁ ସେହିମାନେ ହିଁ କରିଦେବେ ବୋଲି ବାହାରି ପଡ଼ନ୍ତି । ହଁ, ଅଧିକ କରିପାରିବେ, ଅଧିକ କରିପାରନ୍ତି ବୋଲି ପ୍ରତିପାଦିତ କରିବେ ଏବଂ ତାହାରି ଦ୍ୱାରା ସେମାନଙ୍କର ଯେ ଅଧିକ କ୍ଷମତା, ସେହିପରି ଅନୁଭବ କରୁଥିବେ । ଶେଷ ବର୍ଗଟିକୁ ମସ୍ତିଷ୍କପ୍ରଧାନ ବୋଲି ଚିହ୍ନଟ କରାଯାଇଛି । ସେମାନେ ବିଶେଷ ଭାବରେ ଲୋକମାନଙ୍କ ସହିତ ଦିହଘଷା ହୋଇ ରହିବାକୁ ଭଲ ପାଆନ୍ତି ନାହିଁ । ଅନ୍ୟମାନଙ୍କୁ ଅପର ବୋଲି ଭାବନ୍ତି ଓ ଏପରିକି ଘୃଣା କରନ୍ତି କି ? କ’ଣ ପାଇଁ ନିଜକୁ ବହୁତ ବହୁତ ନିଷେଧ ମଧ୍ୟରେ ସଙ୍କୁଚିତ କରି ରଖିଥାନ୍ତି । ବେଶୀଗୁଡ଼ାଏ କହିବାକୁ ହକହକ ହୁଅନ୍ତି ନାହିଁ । ସତେଅବା କ’ଣସବୁ ଗାର କାଟି ଦେଇ ଆପଣାକୁ ଆୟତ୍ତ ମଧ୍ୟରେ ରଖିଥାନ୍ତି ।

 

ବେଶ୍ ଲକ୍ଷ୍ୟ କରି ହେଉଛି ଯେ ବ୍ୟକ୍ତିତ୍ୱର ଏହି ପ୍ରକାର-ବିଭାଜନରେ ଉଦର ବଳିଷ୍ଠ ମାଂସପେଶୀ ଓ ମସ୍ତିଷ୍କଗତ କୁଣ୍ଠାଭାବକୁ ପ୍ରଧାନତଃ ପ୍ରତୀକ ଭଳି ବ୍ୟବହାର କରାଯାଇଛି ଓ ମୂଳତଃ ଆଚରଣଗୁଡ଼ିକର କ୍ଷେତ୍ରରେ ରହିଥିବା ପାର୍ଥକ୍ୟମାନଙ୍କୁ ଦର୍ଶାଇ ଦିଆ ହୋଇଛି । ହଁ, ଏହାପରେ ଏଠାରେ ଦିଆ ଯାଇଥିବା ଶ୍ରୀ ଏଡୁଆର୍ଡ୍ ସ୍ପ୍ରାଙ୍ଗର୍‌ଙ୍କର ଯେଉଁ ବ୍ୟକ୍ତିତ୍ୱଗତ ବିଶେଷ ଲକ୍ଷ୍ୟଣୀୟ ଗୁଡ଼ିକର ଚର୍ଚ୍ଚା, ସେଥିରେ ଆଚରଣ ହିଁ ମୁଖ୍ୟ ସୂଚକ ହୋଇ ରହିଛି । ଏକାବେଳେକେ ଛଅ ପ୍ରକାରର ମିଜାଜ ଏବଂ ତେଣୁ ଭିନ୍ନ ଭିନ୍ନ ଛଅ ପ୍ରକାରର ବ୍ୟକ୍ତିତ୍ୱର ଦ୍ୟୋତକ ଆମେ ମନୁଷ୍ୟମାନେ: ପ୍ରଥମେ ସିଦ୍ଧାନ୍ତ-ଅନୁରାଗୀମାନେ, ଯେଉଁମାନେ ନିଜ ଜୀବନର ଯାବତୀୟ ଅନୁସରଣରେ ସତ୍ୟର ସନ୍ଧାନ କରି ବାହାରିଥାନ୍ତି । ତା’ପରେ ଅର୍ଥଧର୍ମୀମାନେ,-ସେମାନେ ବାସ୍ତବବାଦୀ ଏବଂ ପ୍ରୟୋଜନବାଦୀ । ଲାଭ କ୍ଷତିର ତରାଜୁଟାଏ ହାତରେ ଧରି ବାଟ ଚାଲନ୍ତି । ଲାଭର ସମ୍ଭାବନା ଥିଲେ ଆଗେଇ ଯାଆନ୍ତି ଏବଂ ଲାଭ ମିଳିବାପରି ଦିଶୁନଥିଲେ ଥଙ୍ଗେଇ ମଙ୍ଗେଇ ହୁଅନ୍ତି । ତିନି ନମ୍ବରରେ ଯେଉଁମାନେ ସବୁକିଛିକୁ ସେମାନଙ୍କର ବୁଝିବାରେ ସୌନ୍ଦର୍ଯ୍ୟ ଉପରେ ହିଁ ସର୍ବାଧିକ ମହତ୍ତ୍ୱ ଦେଇ ଜୀବନ ବଞ୍ଚନ୍ତି । ହଁ, ସବୁକିଛି ସୁନ୍ଦର ହୋଇଥିବ, ଅର୍ଥାତ୍ ସୁନ୍ଦର ଦିଶୁଥିବ, ସମାନୁପାତ ରକ୍ଷା ବି କରୁଥିବ ଓ ଯେଉଁଥିରେ ଏକ ସମଞ୍ଜସତା ହିଁ ଅଭିବ୍ୟକ୍ତ ହୋଇ ପାରୁଥିବ । ଚତୁର୍ଥରେ ସାମାଜିକ ସ୍ୱଭାବର ଲେକମାନେ । ଅନ୍ୟ ସମସ୍ତଙ୍କ ସହିତ ଅମାୟିକ ଭାବରେ ମିଶି ପାରୁଥିବେ,-ଅନ୍ୟମାନଙ୍କୁ ନିକଟ ପରି ଅନୁଭବ କରୁଥିବେ ଓ ସେମାନଙ୍କ ସହିତ ସଂପୃକ୍ତ ହୋଇ ରହିବାରେ ଆଗ୍ରହ ରଖିଥିବେ । ରାଜନୀତିକ ସ୍ୱଭାବର ଆଉମାନେ ପଞ୍ଚମ ପ୍ରକାରଟିର ଅନ୍ତର୍ଗତ । ଏମାନେ ପ୍ରଭାବ ବିସ୍ତାର କରିବାକୁ ଓ କ୍ଷମତାଶାଳୀ ବୋଲାଇବାକୁ ନିଜ ଜୀବନର ଅସଲ ସାର୍ଥକତା ବୋଲି ହୃଦୟଙ୍ଗମ କରନ୍ତି । ସମସ୍ତେ ସେମାନଙ୍କୁ ଅନୁକ୍ଷଣ ସେହିପରି ଏକ ପରିଚୟରେ ସ୍ୱୀକାର କରିବେ, ସେମାନେ ସେଇଥିରୁ ସର୍ବାଧିକ ଆନନ୍ଦ ପାଆନ୍ତି ଏବଂ, ସବାଶେଷରେ ଧର୍ମୀୟ ସ୍ୱଭାବର ସେହି ମନୁଷ୍ୟମାନେ, ଯେଉଁମାନେ ଦୃଶ୍ୟ ଏହି ସବୁକିଛି ପଛରେ ଆଉକିଛି ସର୍ବଦା ରହିଛି ବୋଲି ବିଶ୍ୱାସ କରନ୍ତି ଏବଂ ସେହି ଅନୁସାରେ ନିଜେ ବଞ୍ଚୁଥିବା ଜୀବନଟିକୁ ମଧ୍ୟ କାର୍ଯ୍ୟତଃ କେଉଁ ବୃହତ୍ତରର ଇଙ୍ଗିତରେ ପରିଚାଳିତ ହେଉଥିବାର ଅନୁଭବ କରୁଥାନ୍ତି ।

 

ମଝିରେ ଗୋଟାଏ ଗୋଟାଏ କାନ୍ଥ ଠିଆ କରିଦେଇ ଆମେ ଯେ ଛଅ ପ୍ରକାରର ମଣିଷଙ୍ଗୁ କେବେହେଲେ ଗୋଟିଏ ଗୋଟିଏ ଅଲଗା ପ୍ରକାର ହିସାବରେ ଠାବ କରି ବାହାରିବା, ସେକଥା କଦାପି ନୁହେଁ । ଏହି ଛଅ ପ୍ରକାର କେବଳ ଆମର କିଛି ମୋଟା ଧାରଣା କରିପାରିବା ସକାଶେ । ବାସ୍ତବ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଏକାଧାରରେ ଏକାଧିକ ମଣିଷମାର୍କାର ଏକ ସମାହାର ହୋଇ ରହିଥାଏ ଏବଂ ତଥାପି କୌଣସି ଗୋଟିଏ ଚରିତ୍ର ତା’ ଜୀବନରେ ମୁଖ୍ୟ ହୋଇ ରହିଛି ବୋଲି ତାକୁ ଉତ୍ତମ ଭାବେ ଜାଣୁଥିବା ସଙ୍ଗେ ଏକ ଅବବୋଧ ଜାତ ହୁଏ ଏବଂ ଆମେ ପ୍ରଧାନତଃ ସୁବିଧା ଦୃଷ୍ଟିରୁ ହିଁ ତାକୁ ସିଏ ଅମୁକ ଅଥବା ଅମୁକ ପ୍ରକାରର ବୋଲି ଆମ ହେଜ ଭିତରେ ମନେ ରଖିଥାଉ । ବ୍ୟକ୍ତିତ୍ୱ-ଅଧ୍ୟୟନର ପରବର୍ତ୍ତୀ କାଳପର୍ଯ୍ୟାୟରେ ଆହୁରି ବହୁବିଧ ଶ୍ରେଣୀ-ନିରୂପଣମାନ କରାଯାଇଛି । ସେଗୁଡ଼ିକ ମଧ୍ୟରୁ ଅନ୍ତତଃ କେତୋଟି ବିଷୟରେ ଆମେ କିଛି କିଛି ଅବଶ୍ୟ ଆଲୋଚନା କରିବା ଏବଂ, ମନୁଷ୍ୟ-ଦେହକୁ ମୁଖ୍ୟ ମର୍ଯ୍ୟାଦା ଦେଇ ପରବର୍ତ୍ତୀ କାଳରେ ମଧ୍ୟ ମୂଲ୍ୟବାନ୍ ଅଧ୍ୟୟନମାନ କରା ଯାଇଛି । ଜଣେ ଜଣେ ମନୁଷ୍ୟ ହିସାବରେ ଆମ ଦେହଗୁଡ଼ିକର ଦର୍ପଣ ଉପରେ କିପରି ଆମ ବ୍ୟକ୍ତିତ୍ୱର ବିଶେଷତାମାନଙ୍କର ପ୍ରତିଫଳନ ହୋଇଥାଏ, ସେହିପରି ଗୋଟିଏ ପୁଙ୍ଖାନୁପୁଙ୍ଖ ଅଧ୍ୟୟନକୁ ମଧ୍ୟ ସହାନୁଭୂତି ସହିତ ଅବଶ୍ୟ ବୁଝିବା-। ବୈଜ୍ଞାନିକ ପ୍ରଣାଳୀ ବୋଲି ଯାହାସବୁ ଗବେଷଣାଗୁଡ଼ିକର କ୍ଷେତ୍ରରେ ସ୍ୱୀକାର ଲାଭ କରୁଥିଲା, ସେଗୁଡ଼ିକୁ ଆଦୌ ଏଡ଼ି ନଯାଇ ଆମେରିକାର ଅଧ୍ୟାପକ ଉଇଲିଅମ୍ ଶେଲ୍‌ଡନ୍ ଉକ୍ତ ଅଧ୍ୟୟନଟିକୁ କରିଥିଲେ । ବହୁ ଧୈର୍ଯ୍ୟସାପେକ୍ଷ ତାଙ୍କର ସେହି ଅଧ୍ୟୟନଟି । ଅଧ୍ୟୟନଟିରୁ ପ୍ରାପ୍ତ ଅନୁମାନ-ସତ୍ୟଗୁଡ଼ିକୁ ଆମେ ଏବେ ମଧ୍ୟ ଅପ୍ରାସଙ୍ଗିକ ବୋଲି କହି ଉପେକ୍ଷା କରି ପାରିବାନାହିଁ । ମନୁଷ୍ୟର ବ୍ୟକ୍ତିତ୍ୱ ବିଷୟରେ ଆମେ ଅଧ୍ୟୟନର କେଉଁସବୁ ଦିଗକୁ ଅଗ୍ରାଧିକାର ଦେଉଛୁ, ଶ୍ରୀ ଶେଲ୍‌ଡନ୍‍ଙ୍କର ଏହି ଅଧ୍ୟୟନଟି ବିଷୟରେ ଆମର ମତାମତ ମୁଖ୍ୟତଃ ତାହାରି ଉପରେ ନିର୍ଭର କରିବ ।

 

ଅପରାଧ-ପ୍ରବଣ ବହୁସଂଖ୍ୟକ ତରୁଣଙ୍କୁ ଅଧ୍ୟୟନ କରି ଏହି ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟୟନଟି ପ୍ରସ୍ତୁତ କରା ଯାଇଥିଲା । ସେହିପରି ଏକ ନିର୍ଦ୍ଦିଷ୍ଟ ବର୍ଗରେ ଅନ୍ତର୍ଭୁକ୍ତ କରି ଅପରାଧ ସହିତ ସଂପୃକ୍ତ ତରୁଣମାନଙ୍କର ସେମାନେ ଅତିବାହିତ କରି ଆସିଥିବା ଜୀବନଟିର ତଥ୍ୟସମୂହକୁ ଏକତ୍ର କରି ମୂଲ୍ୟାୟନ କରା ଯାଇଥିଲା । ସେମାନଙ୍କର ପିତାମାତା, ଶରୀରର ଗଠନ ଏବଂ ଆଚରଣ ଏବଂ ଶୈଶବ-ବିକାଶର ପ୍ରାସଙ୍ଗିକ ତଥ୍ୟଚୟକୁ ଦତ୍ତ ଦ୍ରବ୍ୟରୂପେ ବ୍ୟବହାର କରି ଯଥାସମ୍ଭବ ଏକ ସମଗ୍ର ଅବଲୋକନ ଦ୍ୱାରା କେତେକ ସାଧାରଣ ସତ୍ୟରେ ପହଞ୍ଚିବାର ଉଦ୍ୟମଟିଏ ହୋଇଥିଲା । ବାଲ୍ୟାବସ୍ଥାରେ କିଛି ଖାସ୍ ଅସୁସ୍ଥତା ଭୋଗ କରିବାକୁ ପଡ଼ିଥିଲା କି ? ମାନସିକ ବିକାଶ ନିରୁପଦ୍ରବ ଥିଲା ତ ? ତା’ ସ୍କୁଲ ପାଠରେ ସିଏ ସନ୍ତୋଷଜନକ ଫଳ ଇତ୍ୟାଦି ଦେଖାଉଥିଲା ? ଏହା ବ୍ୟତୀତ ସାମାଜିକ ଯାବତୀୟ ସମ୍ପର୍କ ତଥା ଅସମ୍ପର୍କ,-ପ୍ରାପ୍ତ ସୁଯୋଗ ଓ ସଫଳତାଗୁଡ଼ିକ ଏବଂ, ବିଫଳତା ଓ ତଜ୍ଜନିତ ନୈରାଶ୍ୟ ମାନଙ୍କର କାହାଣୀ । ଏହିପରି ଭାବରେ ଜଣେ ତରୁଣର ଜୀବନକୁ ସର୍ବାଙ୍ଗୀନ ଭାବରେ ଜାଣିବା ।

 

ଆମର ଶରୀର,-ଆମର ଜୀବନ କହିଲେ ଯାହାକିଛି, ଆମ ଶରୀର ମଧ୍ୟ ତାହାକୁ ଅଙ୍ଗେ ନିଭାଇଛି ଏବଂ ଆମର ସର୍ବବିଧ ଜୀବନ-ପ୍ରତ୍ୟକ୍ଷର ହାଓ୍ୱା ଏହି ଶରୀର ଉପରେ ସର୍ବଦା ଅବଶ୍ୟ ବାଜିଛି । ଆମ ଜୀବନ ନାମକ ସମ୍ପତ୍ତିଟିର ଆମ ନିକଟତମ ନମୁନାଟି ହେଉଛି ଏହି ଶରୀର-ସବୁକିଛିର ହିଁ ଅନୁଭବୀ । ଆମ ଅସ୍ତିତ୍ୱ ଏବଂ ଅସ୍ମିତାର ସଦାଅବସ୍ଥିତ ସଦନଟି । ତେଣୁ ଯାବତୀୟ ଅଧ୍ୟୟନ ତଥା ଅନୁସନ୍ଧାନ ଦେହରୁ ହିଁ ଆରମ୍ଭ ହେବ । ଶ୍ରୀ ଶେଲ୍‌ଡନ୍ ସେହିପରି ଏକ ଅନୁମାନ ଦ୍ୱାରା ପ୍ରେରିତ ହୋଇ ଶତାଧିକ ଅପରାଧପ୍ରବଣଙ୍କ ଦେହର ଫଟୋର ଟିକିନିଖି ପରୀକ୍ଷା କରି ଗବେଷଣାଟିକୁ ଆରମ୍ଭ କରିଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କର ଏକାବେଳେକେ ତିନି ତିନୋଟି ଶୁଦ୍ଧ ପୂର୍ଣ୍ଣାବୟବ ଫଟୋ,-ସାମନାରୁ, ପିଠି ପଟୁ ଏବଂ ପାର୍ଶ୍ୱରୁ । ନୀତିମାନେ ଯେପରି ନିତାନ୍ତ ଅତିଗୁଡ଼ାକରେ ଭାସିଯାଇ ଏକାବେଳେକେ କେତେଟା ଶିଖରର ଅନ୍ଦାଜରେ ଆମ ମଣିଷମାନଙ୍କର କଳନା ଏବଂ କଳ୍ପନା କରିବାରେ ମାତି ଯାଇଥାନ୍ତି, ସେପରି ମୋଟେ ନୁହେଁ । ତେଣୁ ଏକ ଭାରସାମ୍ୟ, ଏକ ହାରାହାରି,-କାରଣ ସେଇଟି ସୁସ୍ଥ ଓ ପ୍ରୟାସ-ସାପେକ୍ଷ । ଅସମ୍ଭବ ଆଦର୍ଶଗୁଡ଼ିକର ଉପସ୍ଥାପନା କରି ଜଣେ ମନୁଷ୍ୟକୁ ପ୍ରାୟ ମୂଳରୁ ହିଁ ବିଚଳିତ କରିଦେବାର ଆଦୌ କୌଣସି ଅଭିସନ୍ଧି ନୁହେଁ । ଗୌତମ ବୁଦ୍ଧଙ୍କ ଦ୍ୱାରା ଏକଦା ପ୍ରଚାରିତ ସେହି ମଧ୍ୟମ ମାର୍ଗରେ ରହିବାକୁ ଚେଷ୍ଟା କରୁଥିବା ଗୋଟିଏ ସାଧୁ ଜୀବନ । ତାହାହିଁ କାମ୍ୟ ।

 

ଗ୍ରୀକ୍ ପୁରାଣର ଡାୟୋନିସୀୟ ଦୃଷ୍ଟାନ୍ତଟିର ଦୃଷ୍ଟାନ୍ତ ଦେଇ ଶେଲ୍‌ଡନ୍ କହିଛନ୍ତି ଯେ, ଜୀବନରେ ସୁଖ ଏବଂ ଆରାମର କାମନା କରିବା ନିଶ୍ଚୟ ଗୋଟିଏ ଉତ୍ତମ କଥା, କିନ୍ତୁ କେବଳ ସୁଖ ଓ କେବଳ ଆରାମର ଗୁଡ଼ାଏ ଆକାଙ୍‌କ୍ଷାର ଶିକାର ହୋଇ ରହିବା,-ତାହା ଗୋଟିଏ ରୋଗ, ଏକ ଅତିଚାର ଓ ବହୁବିଧ ଅପରାଧପ୍ରବଣତାର ଜନନୀ ସ୍ୱରୂପ । ଆପଣାକୁ ଏକ କାମ୍ୟ ଭାରସାମ୍ୟଟି ଦ୍ୱାରା ମଧ୍ୟ ସହଜପ୍ରେରିତ କରି ରଖିବା, ତାହାହିଁ ଅସଲ ନୈତିକତା ଏବଂ ଅସଲ ଧର୍ମ । ଏକ ସୁସ୍ଥ ସଂଯମର ରୀତି । ସେତିକି ସାଧ୍ୟ ହୋଇ ନପାରିଲେ ମନୁଷ୍ୟମାନେ କେଡ଼େ ଅନାୟାସରେ ଗାରମାନଙ୍କୁ ଡେଇଁ ଯାଆନ୍ତି ଏବଂ ଏକାଧିକ ଅର୍ଥରେ ଅପରାଧୀ ହୁଅନ୍ତି । ତେଣୁ ଅତ୍ୟନ୍ତ ସଚେତନ ହୋଇ ବାଟ ଚାଲିବାକୁ ହୁଏ । ସତକୁ ସତ ଖଣ୍ଡାର ଧାର ଉପରେ । ଶେଲ୍‌ଡନ୍ କେଡ଼େ ବିଶ୍ୱସ୍ତ ବନ୍ଧୁଟିଏ ପରି ଜୀବନର ବାଟୋଇମାନଙ୍କୁ କହିଛନ୍ତି: ଏପାଖରେ ଥାଇ ଆମ ଭିତରର ଦୁର୍ଦ୍ଧର୍ଷ ସୁଖକାମୀଟା କହୁଥିବ,-ନଗଦଟା ସେଇଟି ସେଠାରେ ଥୁଆ ହୋଇ ରହିଛି, ତୁ ଉଠାଇ ନେଇ ଦଉଡ଼ି ପଳାଇଯାଆ । ଏହି ଯେଉଁ ତୋ’ ଶରୀରରୂପୀ ଆପଣାର ଏହି କଞ୍ଚା ଜୀବନଟି-ଏହିଠାରେ ଏବଂ ଏହି ମୁହୂର୍ତ୍ତରେ ତୋତେ ଅଧିକରୁ ଅଧିକ ସୁଖ ଲାଗି ମନ୍ତ୍ରଣା ଯୋଗାଇ ଦେଉଛି,-ସେଇଟି ହିଁ ଅସଲ, ସକଳ ଯଥାସ୍ପଦର ନିଧାନ । ଏବଂ, ସମାନ୍ତର ରୂପେ ସେହି ଅନ୍ୟ ପ୍ରଲୋଭନଟି ତୋତେ ଠିକ୍ ଓଲଟା ପରାମର୍ଶଟା ଦେଇ ତୋ’ କାନପାଖରେ ଆସି କହୁଛି: ନାଇଁ ନାଇଁ, ମୋଟେ ନୁହେଁ, ପୂରା ଫିଙ୍ଗିଦେଇ ବାହାରି ଚାଲିଆ’,-ତୋ’ର ସେହି ସୁଖକାମୀ ଶରୀର-ଆତ୍ମାଟି ହେଉଛି ସବୁ ଆପଦର କାରଣ । ତାହାକୁ ଛାଡ଼ି ଚାଲିଆ, ଛାଡ଼ି ବାହାରି ଆସିଲେ ହିଁ ତୁ ଯଥାର୍ଥ ସୁଖର ଅଧିକାରୀ ହୋଇପାରିବୁ, ଏକ ପରମ ଶାନ୍ତିର ଉପଲବ୍ଧି କରି ପାରିବୁ । ତେଣୁ ଛଳନା କର,-ଭିତରଟା ଯେତେ ମାନୁ ନଥିଲେ ମଧ୍ୟ ତଥାପି ଗୁଣି ହେଉଥା’ ଯେ, ଏହି ଦେହଟା ଆଦୌ କିଛି ନୁହେଁ-ଏହି ସଂସାରରୂପୀ ସ୍ଥୂଳ ସବୁକିଛି ଗଠନ, ସାଧନ ଏବଂ ଆୟତନ, ଏମାନେ ସଂପୂର୍ଣ୍ଣ ଭାବରେ ତାତ୍ପର୍ଯ୍ୟହୀନ । ତେଣୁ ଅସଲ ନିର୍ଭର ହେଉଛି, ଯେଉଁଟି ଅଦୃଶ୍ୟ ହୋଇ ରହିଛି । ସେହି ଆତ୍ମା ତଥା ଈଶ୍ୱର,-ସେହିମାନଙ୍କର ଆଶ୍ରୟ ଭିତରେ ଯାଇ ପ୍ରବିଷ୍ଟ ହୋଇଯା’ । ତା’ପରେ ଏହି ଶରୀର ନାମକ ବ୍ୟପାରଟିର ଆଉ କୌଣସି ମୂଲ୍ୟ ହିଁ ନଥିବ ।

 

ଶ୍ରୀଯୁକ୍ତ ଉଇଲିଅମ୍ ଶେଲ୍‌ଡନ୍ ଆଗକୁ ଯାଇ କହିଛନ୍ତି: କୌଣସି ସମାଜରେ ତରୁଣମାନଙ୍କର ଅପରାଧ କରିବାର ମନୋବୃତ୍ତିକୁ ଅଧ୍ୟୟନ କରିବାକୁ ହେଲେ ସେହି ସମାଜରେ ରହିଥିବା ସମ୍ପତ୍ତି ଓ ଅର୍ଥବିତରଣର ରୀତିଟିକୁ ଜାଣିବାକୁ ହେବ, ସେହି ସମାଜରେ ସକ୍ରିୟ ଅର୍ଥାତ୍ ପ୍ରଚଳିତ ହୋଇ ରହିଥିବା ରାଜନୀତିଗତ ସତ୍ୟଗୁଡ଼ିକ ସହିତ ପରିଚିତ ହେବାକୁ ପଡ଼ିବ ଏବଂ ତୃତୀୟତଃ ବ୍ୟକ୍ତିଗତ ଯୌନଜୀବନ ଓ ବଂଶବୃଦ୍ଧିଗତ ସ୍ୱଭାବାଚରଣ ମାନଙ୍କର ଖବର ନେବାକୁ ମଧ୍ୟ ହେବ । ମାତ୍ର, ଶେଲ୍‌ଡନ୍ ଏହି ସବୁକିଛିକୁ ଗୋଟିଏ ଗୋଟିଏ ତଥ୍ୟ ହିସାବରେ ନ୍ୟାୟତଃ ଗୌଣ ବୋଲି କହିଛନ୍ତି । ତାଙ୍କରି ଭାଷାରେ କହିଲେ, ଏହି ତିନୋଟିଯାକକୁ ଆମେ ଜଣେ ମହାରଣାର ସରଞ୍ଜାମମାନଙ୍କ ସହିତ ତୁଳନା କରି ପାରିବା । ଜଣେ ମିସ୍ତ୍ରୀ ତାହାର ଔଜାରଗୁଡ଼ିକର ଉତ୍ତମ ଯତ୍ନ ନେବ ଏବଂ ସେଗୁଡ଼ିକୁ ସଂପୂର୍ଣ୍ଣ ପ୍ରକାରେ ବ୍ୟବହାରସମର୍ଥ କରି ନିଶ୍ଚୟ ରଖିବ । କିନ୍ତୁ ଏହି ଯାବତୀୟ ହତିଆରମାନଙ୍କ ସାହାଯ୍ୟରେ ସେହି କାରିଗର ବସ୍ତୁତଃ କି ପ୍ରକାରର ଦ୍ରବ୍ୟମାନ ତିଆରି କରୁଛି, ସେଇଟି ହିଁ ଏହି କ୍ଷେତ୍ରରେ ସକଳ କୁଶଳତାର ମୀମାଂସକ ହେବ । ତେଣୁ, ଯଦି ଆମେ ଆମ ଅର୍ଥନୀତିର ବୃଦ୍ଧିଯୁକ୍ତ ପ୍ରୟୋଗମାନ କରୁଥିବା,-ଅର୍ଥାତ୍, ଉତ୍ପାଦନ ବଢ଼ିବ ଓ ଯୁଗପତ୍ ଭାବରେ ଖାଦ୍ୟ ତଥା ଅନ୍ୟାନ୍ୟ ପଦାର୍ଥଗୁଡ଼ିକର ସୁବିତରଣ ମଧ୍ୟ ହେଉଥିବ,-ସମସ୍ତେ ଭଲ ଖାଉଥିବେ, ଭଲ ପିନ୍ଧିବେ, ଭଲ ଘରମାନଙ୍କରେ ରହୁଥିବେ ଏବଂ ମନରେ ଆଦୌ କୌଣସି ମଳିନତା ନରଖି ଖୁସି ହୋଇ କାମକୁ ଯାଉଥିବେ, ସେହି ସ୍ଥିତିକୁ ସର୍ବଦା ଗୋଟିଏ ଉତ୍ତମ ସ୍ଥିତି ବୋଲି କୁହାଯିବ । ମାତ୍ର, ଶେଲ୍‌ଡନ୍‌ଙ୍କର ଅବଧାରଣାଗୁଡ଼ିକ ଅନୁସାରେ ସେତିକିକୁ ମଧ୍ୟ ସର୍ବୋତ୍ତମ ବୋଲି କହିବା ଉଚିତ ହେବନାହିଁ ଏବଂ, ଏହି ସବୁକିଛି ହାସଲ ହୋଇ ଯିବାପରେ ବି ଗୋଟିଏ ସମାଜ ବେଶ୍ ଅପରାଧପ୍ରବଣ ହୋଇ ରହିପାରିବ ।

 

ତେବେ ଅସଲ ଲକ୍ଷ୍ୟ ଏବଂ ଅସଲ ସାର୍ଥକତାଟି ପୁଣି କ’ଣ ? ଏକ ଜୀବନ-ଏକ ବାଟ ଚାଲିବା ଅର୍ଥାତ୍ ବଞ୍ଚିବା । ଶ୍ରୀଯୁକ୍ତ ଶେଲ୍‌ଡନ୍ ତାହାକୁ ଧର୍ମ ବୋଲି କହିଛନ୍ତି । ଆମର ଏଠା ପରିଭାଷାଟି ଅନୁସାରେ ଆମେ ତାହାକୁ ଅଧ୍ୟାତ୍ମ ବୋଲି କହିବା । ଆର୍ଥିକ ପ୍ରୟୋଜନଗୁଡ଼ିକର ପୂରଣର କ୍ଷେତ୍ରରେ ଆମର ବସ୍ତୁତଃ କୌଣସି ଅପୂରଣ ନଥିବ; ତଥାପି ଖୁବ୍‌ସମ୍ଭବ ଆମେ ଆମକୁ ନିୟତ ଆହ୍ୱାନ ଦେଉଥିବା ଦାୟିତ୍ୱଗୁଡ଼ିକୁ ଫାଙ୍କି ଦେଇ ବୁଲୁଥିବା,-କଷ୍ଟସାଧ୍ୟ ଯଥାର୍ଥ ନିଷ୍ପତ୍ତିଗୁଡ଼ିକୁ କରୁନଥିବା ଏବଂ ବିକଳ୍ପମାନଙ୍କୁ ଖୋଜୁ ନଥିବା । ମାତ୍ର, ନଖୋଜି ପ୍ରକୃତରେ ନିସ୍ତାର ଅଛି କି ? କାରଣ, ନ ଖୋଜିଲେ ଏବଂ ସମ୍ମୁଖୀନ ନହେଲେ ତ ବାଟ ପାଉ ନଥିବା, ସେହି ପୁରୁଣା ଭୁଲମାନଙ୍କୁ କରୁଥିବା ଏବଂ ଭବିଷ୍ୟତ ମଧ୍ୟକୁ ବାଟ ବି ପାଉନଥିବା । ତାଙ୍କ ନିଜ ଇଉରୋପୀୟ ସଭ୍ୟତାର ଏକ ପ୍ରଧାନ ଅସମର୍ଥତା ହେଉଛି ଯେ, ଲେଖକଙ୍କର ବିଚାର ଅନୁସାରେ, ସୁଖ ଓ ଆହୁରି ସୁଖ ପାଇବାର ଦଉଡ଼ରେ ବ୍ୟକ୍ତିମାନେ ଅସଲ ଧର୍ମଟିରୁ ସେହି ଜୀବନଧର୍ମରୁ ବିଚ୍ୟୁତ ହୋଇଛନ୍ତି, କେତେଟା ତଥାକଥିତ ନିୟମର ପାଳନ କରିବାରେ ହିଁ କୁଆଡ଼େ କୁଆଡ଼େ ହୁଡ଼ି ଯାଇଛନ୍ତି ଏବଂ, ଯାବତୀୟ ଅପରାଧ ନିମନ୍ତେ ଉନ୍ମୁକ୍ତ ରହିଛନ୍ତି । ମନୁଷ୍ୟଜାତିର ଅଦୂର ଭବିଷ୍ୟତରେ କେତେ ନା କେତେ ସମସ୍ୟାର ସାମନା କରିବାକୁ ରହିଥିଲେ ମଧ୍ୟ ସର୍ବଥା ପ୍ରଥମେ କାମ୍ୟ ଅସଲ ଧର୍ମଟି ମଧ୍ୟକୁ ଫେରିଯାଇ ପାରିଲେ ଯାଇ ଆମର ବର୍ତ୍ତମାନର ଜାଗତିକ ଜୀବନରେ ପ୍ରକୃତ ସ୍ୱାସ୍ଥ୍ୟ ଓ ପ୍ରକୃତ ବଳଟି ବାହୁଡ଼ି ଆସି ପାରିବ ।

 

ତେଣୁ, ଧର୍ମର ରୁଟିନ୍‌ଗତ ଅଭ୍ୟାସମାନଙ୍କୁ ମାନି ଉପାସନାଦି ମଧ୍ୟରେ ବାନ୍ଧି ହୋଇ ରହିଥିବା, ଲେଖକ ଶେଲ୍‌ଡନ୍ ତାହାକୁ କେତେକ ମନୁଷ୍ୟଙ୍କର ହସ୍ତମୈଥୁନ ନାମକ ସେହି ଦୁରାଗ୍ରହୀ ଦୁରବସ୍ଥାଟି ସହିତ ତୁଳନା କରିଛନ୍ତି । ସେହି ଅଭ୍ୟାସଟି ବେଶ୍ ଏକ ସନ୍ତୋଷ ଦିଏ ଏବଂ ଖୁବ୍ ହାଲୁକା ମଧ୍ୟ ଲାଗୁଥାଏ । ଆମ ମାନସିକ ଜୀବନରେ ଯେ ଆଗ କେତେ କ’ଣ ମୂଲ୍ୟବାନ୍ ସତ୍ୟବାସ୍ତବର ଉପଲବ୍ଧି କରିବାର ସର୍ବଦା ପ୍ରୟୋଜନ ରହିଥାଏ, ସେହି ସଚେତନତାଟିରୁ ଆମକୁ ବିସ୍ମୃତ କରି ରହିଥାଏ । ଲେଖକଙ୍କ ଭାଷାରେ, ଉପାସନା କରିବାର ଅଭ୍ୟାସ ଆମକୁ ଆମ ଜୀବନର ସତ ସଂଗ୍ରାମଟିକୁ ବିସର୍ଜନ କରିଦେବାର ଜାଲଭିତରେ ନେଇ ପକାଇଦିଏ,-ବୁଝିବା ଲାଗି ଆମର ଯାବତୀୟ ସଂଗ୍ରାମକୁ । ସତେଅବା ଆମକୁ କୁହାଇବାରେ ଲାଗିଥାଏ, ମୁଁ ସେଇଠି ହିଁ ଅଟକି ଯିବି ଏବଂ ମୋ’ ମୁଣ୍ଡ ଉପରର ବୋଝଟିକୁ ଉତାରି ତଳକୁ ପକାଇଦେବି । ଏହି ଅନ୍ୟ କର୍ମଟି ହେଉଛି ଗୋଟିଏ ଅନ୍ୟ ଉତ୍ସାହର ଭିଡ଼ରେ ଆସି ସାମିଲ ହୋଇଯିବା ଏବଂ ଜୀବନର ଯଥାର୍ଥ ଧର୍ମଟି ପାଖରୁ ଲୁଚି ବୁଲୁଥିବା । ଧର୍ମ ହେଉଛି, ଉପସ୍ଥିତ କାଳଟିର ପଘାଟି ଉପରେ ଯେତିକି ଦେଖା ଯାଉଛି, ତା’ଠାରୁ ଆହୁରି ଆଗକୁ ଲୟ ରଖି ଆପଣା ନିମନ୍ତେ ଏକ ଆଭିମୁଖ୍ୟର ଆବିଷ୍କାର କରିବା । ମୁଁ ଯେତିକି କାଳଗତ ପରିଧି ମଧ୍ୟରେ ଅଛି, କାଳ ଆଦୌ ସେତିକିମାତ୍ର ନୁହେଁ-। ହଁ, ଏକ ଭାବଦ୍ୱାରା ପରିପ୍ରେରିତ ସଂପୃକ୍ତି । ବର୍ତ୍ତମାନର ଜୀବନଟି କହିଲେ ମୁଁ ଯେତିକି ଆଚରଣର ବେଢ଼ଟି ମଧ୍ୟରେ ରହିଛି, ଦୂର ଅନାଗତ କାଳଟି ସହିତ ତାହାର କିଛି ପ୍ରାସଙ୍ଗିକତା ଅଛି ତ ? ହଁ, ଭବିଷ୍ୟତଟି ଲାଗି ଏକ କରୁଣାର ଭାବ, ଏବଂ ତାହାରି ଅନୁସାରେ ମୋ’ର ସଂପୃକ୍ତିଟି ।

 

କରୁଣାରେ ବିଗଳିତ ହୋଇ ପଡ଼ିବାର ସେହି ଭାବଟି, ସେଇଟି ଭାରି ସହଜରେ ଉପାସନାକୁ ରୂପାନ୍ତରିତ ହୋଇ ଯାଇଥାଏ । ଭାରି ସୁଖକର ପ୍ରକୃତରେ ଉପାସନାର ସେହି ଅଭ୍ୟାସଟା,-ଶ୍ରୀ ଉଇଲିଅମ୍ ଶେଲ୍‌ଡନ୍ ତାହାକୁ ସତେଅବା ଆମ ଭାବପ୍ରବଣତା ଗୁଡ଼ିକ ଦ୍ୱାରା ଖୁବ୍ ବଳଯୁକ୍ତ ହୋଇ ଆମକୁ ଗୋଟିଏ ଗର୍ତ୍ତଭିତରେ ନେଇ ପକାଇଦିଏ, ଯେଉଁଟି ଭିତରେ ଆମର ଏହି ମନଟି ମଧ୍ୟ କେଡ଼େ ଚମତ୍କାର ଭାବରେ ଯାଇ ଲାଖି ଯାଏ । ଉପାସନାର ଅର୍ଥ ହେଉଛି ଯେ ଆମ ଆଗରେ ଦିଗ୍‌ବଳୟ ନାମକ ସେହି ପ୍ରସାରମାନେ ଆଦୌ ଦୃଷ୍ଟିଗୋଚର ହେଉନଥିବେ । ସତେଅବା ଆମର ଯେତେଯାହା କାମ୍ୟ ଏବଂ ପ୍ରାପ୍ୟ ଯେଉଁଗୁଡ଼ିକୁ ପାଇବାଲାଗି ଆମକୁ ସଂଗ୍ରାମ ତଥା ପ୍ରୟାସ କରିବାକୁ ହୋଇ ଥାଆନ୍ତା, ସେହି ସବୁକିଛି ଆମ ଉଦର ଭିତରେ ପୂର୍ବରୁ ହିଁ ଆମଲାଗି ସୁରକ୍ଷିତ ହୋଇ ରହିଛି । ଅର୍ଥାତ୍, ଆମ ବୁଦ୍ଧିର ଭୂମିରେ ଆଉ ସମୀକ୍ଷା ଓ ପରୀକ୍ଷା କରି ଦେଖିବାର ଆବଶ୍ୟକତା ରହିବନାହିଁ । ଧର୍ମର ନାମରେ ଯେଉଁମାନେ ଶୋଷଣ କରି ବାହାରି ଥାଆନ୍ତି ତଥା ସେହି ଆଚାରଗୁଡ଼ିକ ମଧ୍ୟରେ ଗ୍ରସ୍ତ ହୋଇ ରହିଥାଆନ୍ତି, ସେମାନେ ସେହି କଥାଟିକୁ ଭଲ ଭାବରେ ଜାଣନ୍ତି । ସେମାନେ କାଳକାଳରୁ ଉପାସନାର ଯାବତୀୟ ମାର୍କାକୁ କାଗଜ ମାରି ଚିହ୍ନଟ କରି ରଖିଛନ୍ତି ଏବଂ ତାହାକୁ ତୁଚ୍ଛା ପୌତ୍ତଳିକତା ବୋଲି କେବେହେଲେ କହିନାହାନ୍ତି ।

 

ସତକୁ ସତ ଏକ ବହୁ ଆହ୍ୱାନ ଦ୍ୱାରା ପରିପୂର୍ଣ୍ଣ କର୍ମବିଭବର କ୍ଷେତ୍ରଟିଏ ରୂପେ ଧର୍ମକୁ ବଞ୍ଚି ପାରିଲେ ଆଗକୁ ଆଗକୁ ନିୟତ ବାଟପରେ ବାଟମାନେ ହିଁ ଉନ୍ମୋଚିତ ହୋଇ ଯାଉଥିବେ ଏବଂ ଆମର ଶକ୍ତିଗୁଡ଼ିକୁ ଉଦ୍‌ବୋଧିତ କରି ନେଉଥିବେ । ଆମର ଏହି ନାନା ଆନୁଷ୍ଠାନିକତା ଦ୍ୱାରା ବନ୍ଧା ହୋଇ ରହିଥିବା ଧର୍ମକୁ ପରୀକ୍ଷା କରି ଦେଖିଲେ ସ୍ପଷ୍ଟ ହୋଇଯାଇ ପାରିବ ଯେ, ଧର୍ମମାନେ ଆମକୁ ସର୍ବପ୍ରଥମେ ହିଁ ଗୁଡ଼ିଏ ଉତ୍ତମ ଏବଂ ଅନୁତ୍ତମ ଆଚରଣ ସମ୍ବନ୍ଧରେ ସବୁବେଳେ ସର୍ବାଧିକ କଥା କହି ଆସିଛନ୍ତି । ଅର୍ଥାତ୍, ସେମାନେ ଭଳି ଭଳି ସମାଜର ନାନା ନିୟନ୍ତ୍ରଣଗତ ଫାଶ ଭିତରେ ଧର୍ମକୁ ଛନ୍ଦି ରଖିଛନ୍ତି । ନୈତିକତା ବିଷୟରେ କୁଢ଼କୁଢ଼ ପରାମର୍ଶ ଦେଇଛନ୍ତି, ଏବଂ, ଉକ୍ତ ନୈତିକତା କହିଲେ ନିୟମତଃ ଆମ ସାମାଜିକ ଆଚରଣର ସାମ୍ପ୍ରତିକ ଢାଞ୍ଚାଗୁଡ଼ିକୁ ମାନି ଚଳିବାକୁ ବୁଝାଇ ଆସିଛି । ଅଥଚ ଏକ ଯଥାର୍ଥ ଧର୍ମସ୍ଥ ଜୀବନ କହିଲେ କାଳେ କାଳେ ସେହି ତାତ୍କାଳିକ ପ୍ରୟୋଜନଟିର ଉର୍ଦ୍ଧ୍ୱକୁ ଉଠିଯାଇ ବସ୍ତୁତଃ ଦୂରତର ଲକ୍ଷ୍ୟ ତଥା ଆହ୍ୱାନଗୁଡ଼ିକୁ ଆଖିଆଗରେ ରଖି ଆପଣାର ସର୍ବବିଧ ଭାଗବତ ଗତିଶୀଳତା, ଯାବତୀୟ ଭାବନା ତଥା କର୍ମଗୁଡ଼ିକୁ ସେହି ଅନୁସାରେ ନିୟୋଜିତ କରି ରଖିବାକୁ ସୂଚାଇ ଆସିଛି । ଅଥଚ, ବୁଜୁଳାଏ ବୁଜୁଳାଏ ପ୍ରତୀକକୁ ଗୁଡ଼ାଏ ମହତ୍ତ୍ୱ ପ୍ରଦାନ କରି ଆମେ ଆପଣାର ମହାନ୍ ମହାନ୍ କ୍ଷୁଧାଗୁଡ଼ିକୁ ବରବାଦ କରିଦେଉଛୁ ଏବଂ ଆପଣାର ଜୀବନବାଚୀ ସତଆବେଦନ ଗୁଡ଼ିକୁ ବଞ୍ଚୁଥିଲେ ଆମ ଜୀବନରେ ଯାହା ସମ୍ଭବ ହୁଅନ୍ତା, ସେଗୁଡ଼ିକର କ୍ଷେତ୍ରରେ ବିଫଳ ହୋଇ ରହିଛୁ । ଆମର ସର୍ବଶ୍ରେଷ୍ଠ କର୍ମସମର୍ଥତା ଗୁଡ଼ିକ ମଧ୍ୟ ବରବାଦ ହୋଇ ଯାଉଛି । ଆଗକୁ ଆଗକୁ ଆମର ଏହି ଜୀବନଟିର କ୍ଷେତ୍ରରେ ସମ୍ଭବ ହୋଇ ଆସିବାଲାଗି ଯାହାସବୁ ଅପେକ୍ଷା କରି ରହିଛି, ସେଗୁଡ଼ିକର ଅବହେଳା କରିବାରେ ଲାଗିଛୁ ।

 

ଆମ ଜୀବନର ଜ୍ଞାନକ୍ଷେତ୍ରଟିରେ, ଯଥାର୍ଥ ଧର୍ମ ତ ଆମ ନିମନ୍ତେ ଆହୁରି ଆଗକୁ ଯାଇପାରିବା ସକାଶେ ଏକ ନକ୍ସା ତିଆରି କରିବାର ଉଦ୍ୟମ କରନ୍ତା । ସମ୍ମୁଖରେ ଥିବା ଅନାଗତ କାଳଟି ମଧ୍ୟରେ ପଡ଼ିଥିବା ଆମ ମାର୍ଗବ୍ୟବସ୍ଥାଟି ମଧ୍ୟରେ ଆମକୁ ଆମ ମାଇଲ୍‌ଖୁଣ୍ଟ ଗୁଡ଼ିକ ବିଷୟରେ ପରିଚିତ କରାଇ ନିଅନ୍ତା ଏବଂ, ଏହି ଅର୍ଥରେ ବୁଝିବାକୁ ଆରମ୍ଭ କଲା ମାତ୍ରକେ ଧର୍ମ ଆମଲାଗି ଆଉ କେବେହେଲେ ବିଡ଼ାଏ ଅମୁକ ବା ସମୁକ ବିଶ୍ୱାସ ଭିତରେ ଆବଦ୍ଧ ହୋଇ ରହି ପାରିବନାହିଁ । ଧର୍ମ ବସ୍ତୁତଃ ଏକ ‘ପ୍ରୟାସ’ରେ ପରିଣତ ହୋଇଯିବ, ଆମ ନିମନ୍ତେ ଗୋଟିଏ ଚର୍ଯ୍ୟାମାର୍ଗକୁ ଦୃଶ୍ୟ କରି ଆଣୁଥିବାର ଏକ ପ୍ରୟାସ । ଅସଲ ଜଣେ ଧର୍ମାଭିଳାଷୀ ହେଉଛି ଜଣେ ଦ୍ରଷ୍ଟା । (ଭାରତୀୟ ଅଧ୍ୟାତ୍ମ-ବିଶ୍ଳେଷଣରେ ଏହାକୁ ଆମେ ଜଣେ ‘କ୍ରାନ୍ତଦର୍ଶୀ’ ବୋଲି ମଧ୍ୟ କହିପାରିବା) ହଁ, ସେହି ଦ୍ରଷ୍ଟା ଅନାଗତକୁ ମଧ୍ୟ ଦେଖିପାରେ । ତାହାର ନିହିତ ଇଙ୍ଗିତଗୁଡ଼ିକୁ ଅନୁମାନ ବି କରିପାରେ । ତେଣୁ, ଆମ ଇତିହାସରେ ଧର୍ମକୁ କାର୍ଯ୍ୟତଃ ଈଶ୍ୱରବିଶ୍ୱାସ ସମ୍ବନ୍ଧୀ କେତେଟା ସୂତ୍ର ମଧ୍ୟକୁ ବାଧ୍ୟ କରି ଆଣିବାଦ୍ୱାରା ପ୍ରକୃତରେ ଏକ ଦୁଷ୍ଟ ଜାଲ ମଧ୍ୟରେ ଆଣି ପକାଇ ଦିଆଯାଇଛି । ଯାବତୀୟ ଧର୍ମବିଚାରକୁ ପ୍ରାୟ ଏକ ନିଦ୍ରାଳୁତା ଏବଂ ସ୍ୱପ୍ନବିଳାସର ଅନ୍ୟମନସ୍କତା ମଧ୍ୟକୁ ନିକ୍ଷେପ କରି ରଖାଯାଇଛି । ଅର୍ଥାତ୍ ଧର୍ମର ଅନୁଶୀଳନ-କ୍ଷେତ୍ରରେ କୌଣସି ବିଚାରମାର୍ଗକୁ ମୋଟେ ଉତ୍ସାହିତ କରା ଯାଉନାହିଁ । ବିଚାର ନାହିଁ, ଅର୍ଥାତ୍ ବାଟ ଚାଲିବା ମଧ୍ୟ ନାହିଁ । ଯିଏ ବାଟ ଚାଲେ, ସେଇ ତ ସୂତ୍ରାନୁଷ୍ଠାନିକ ବ୍ୟବସ୍ଥାଗୁନିକୁ ଆଉ ଗୁଡ଼ିଏ ମହତ୍ତ୍ୱ କଦାପି ଦେଇ ପାରେନାହିଁ । ତେଣୁ ଯଥାସମ୍ଭବ ସମସ୍ତଙ୍କୁ ଶୁଆଇ ରଖିବାର ଚକ୍ରାନ୍ତ କରି ଧର୍ମସ୍ଥ ଗଡ଼ମାଲିକମାନେ ଆମକୁ ଅନୂରୂପ ଅନ୍ୟ ନାନା ଆସକ୍ତତା ଗୁଡ଼ିକୁ ଉତ୍ସାହିତ କରି ଆସିଛନ୍ତି କି ?

 

ଡାୟୋନିସିଅସ୍ ସହିତ ପ୍ରାଚୀନ ଗ୍ରୀକ୍ ମିଥ୍‌ସାହିତ୍ୟର ଯେଉଁ ଦୁଇଟି ନାମକୁ ଶ୍ରୀ ଉଇଲିଅମ୍ ଶେଲ୍‌ଡନ୍ ଏହି ସଂକ୍ରାନ୍ତରେ ବ୍ୟବହାର କରିଛନ୍ତି, ସେମାନେ ହେଉଛନ୍ତି ଏପିମେଥିଅସ୍ ଏବଂ ପ୍ରୋମେଥିଅସ୍ । ଏପିମେଥିଅସ୍ ଓ ପ୍ରୋମେଥିଅସ୍ ଦୁଇ ଭାଇ । ସବୁବେଳେ କଳହରତ । ଜଣକର ଏବାଟ ତ ଆଉଜଣକର ସେବାଟ । ବସ୍ତୁତଃ ଆମ ମନୁଷ୍ୟମାନଙ୍କର ଚେତନା ମଧ୍ୟରେ ଅବସ୍ଥିତ ଅନୁକ୍ଷଣ କଳହରତ ଦୁଇଟି ଖଣ୍ଡ । ଗୋଟିଏ ଖାପ ଖାଇଯିବାକୁ ଫୁସୁଲେଇବାରେ ଲାଗିଛି-। ତା’ ନିଜ ଧର୍ମରେ ଅଛି । ଆରଟି ଖାପ ଖାଇ ସନ୍ତୁଷ୍ଟ ହୋଇ ମାନି ଯାଇ ପାରୁନାହିଁ । ବଦଳିବାକୁ ଏବଂ ବଦଳାଇବାକୁ ଇଚ୍ଛା କରୁଛି । ଏହିଟି ହିଁ ଚରମ ନୁହେଁ ଏବଂ, ଆହୁରି ଅନ୍ୟ ସ୍ଥିତିମାନେ ମଧ୍ୟ ରହିଛନ୍ତି ଏବଂ ସେଗୁଡ଼ିକୁ ହାସଲ କରିହେବ ବୋଲି ସତକୁ ସତ ବିଶ୍ୱାସ କରୁଛି ଏବଂ ଜୀବନଟିକୁ ସେହି ଅନୁସାରେ ବାଗେଇ ନେବାରେ ଚେଷ୍ଟା କରୁଛି । ପ୍ରୋମେଥିଅସ୍ କହୁଛି, ନାହିଁ ନାହିଁ, ଯେଉଁପରି ଯେତିକି ଅଛି, ସେତିକି ସହିତ ଖାପ ଖାଇ ରହିଯିବା ଗୋଟିଏ ନିତାନ୍ତ ଅନୁଚିତ ଅଭିଳାଷ । ଯଥାସମ୍ଭବ ନିଜ ସ୍ୱଭାବଟି ଦ୍ୱାରା ପରିଚାଳିତ ହୋଇ ସିଏ ସେହି ଅନୁସାରେ ନିଜକୁ ଏଇ ଅନୁରୂପ ଶୃଙ୍ଖଳାରେ ତିଆରି କରୁଛି । ସିଏ କ’ଣ ସବୁ ଶକୁନ ଦେଖି ଜାଣିପାରୁଛି ଯେ, ଗୋଟିଏ ବୃହତ୍ତର କଲ୍ୟାଣର ସମୟ ଆସୁଛି ଏବଂ ତା’ ବିଚାରରେ ସେଇଟି ଆସି ବର୍ତ୍ତମାନର ଏହି ନାନାବିଧ ଅନୁଷ୍ଠାନଗତ ଅସମର୍ଥତାକୁ ନିଶ୍ଚୟ ଅତିକ୍ରମ କରିଯିବ, ବର୍ତ୍ତମାନର ଅବୟବଟିରେ ଆବଶ୍ୟକ ସଂଶୋଧନମାନ ଅବଶ୍ୟ ଆଣିବ ।

 

ଏପିମେଥିଅସ୍ ରାଜି ହୋଇ ପାରୁନାହିଁ । ସିଏ ତ ସକଳ ଅର୍ଥରେ ଏହି ମୁହୂର୍ତ୍ତଟିରେ ହିଁ ବାସ କରୁଛି । ଏହି ମୁହୂର୍ତ୍ତଟି ଗଡ଼ିଗଲେ ହୁଏତ ମୋଟେ ଆଉଥରେ ଆସିବନାହିଁ । ତେଣୁ, ସେଇଟିକୁ ଭୋଗ କରିବା ହିଁ ସମୁଚିତ ହେବ । ଅର୍ଥାତ୍ ଖାପ ଖାଇଯାଅ ଓ ଫାଇଦାଟିକୁ ଲାଭ କର-। ଏହି ଦେହସୁଖଗତ ଭୋଗଜୀବନଟି ଏହି ମୁହୂର୍ତ୍ତରେ ଯେପରି ଯାହା ଇଚ୍ଛା କରୁଛି, ତୁମେ ସେହି ଅନୁସାରେ ତତ୍ପର ହୋଇ ରହିଥାଅ । ଆମ ଭିତରର ଏପିମେଥିଅସ୍ ତାହାକୁ ହିଁ ବାସ୍ତବ ବୁଦ୍ଧି ବୋଲି କହିଥାଏ । ଭାଇ ପ୍ରୋମେଥିଅସ୍ ତେଣୁ ଆଦୌ ବାସ୍ତବବାଦୀ ନୁହେଁ । କଳ୍ପନା ମଧ୍ୟରେ ଯାଇ ଭାସୁଥାଏ, ଏପରିକି ନାନା ବ୍ୟାଧିତ ପ୍ରକାରେ ଆପଣାକୁ ବଞ୍ଚିତ କରି ରଖିଥାଏ । ଆରେ ବାବୁ ନିଜର ଏହି କ୍ଷଣଟିର କାମନାଟାକୁ ପୂର୍ଣ୍ଣ କରି ପାରିଲେ ସିନା ସେହି ଅନୁସାରେ ଆହୁରି ଆଗରେ ରହିଥିବା ଅନାଗତ ବିଷୟରେ ଆଦୌ କିଛିହେଲେ ନିର୍ଭରଯୋଗ୍ୟ ଭାବରେ ଏକ ପଦକ୍ଷେପ ଗ୍ରହଣ ମଧ୍ୟ କରିପାରିବ । ଶ୍ରୀଯୁକ୍ତ ଶେଲ୍‌ଡନ୍ ଏହାକୁ ଆମ ଯୁଗସ୍ଥ ଉପସ୍ଥିତ ଦ୍ୱନ୍ଦ୍ୱଗୁଡ଼ିକର ଗୋଟିଏ ଡାୟୋନିସସ୍‌ଧର୍ମୀ ସମାଧାନ ବୋଲି କହିଛନ୍ତି ଏବଂ ଆମ କାଳର ଏପିମେଥିଅସ୍‍ଧର୍ମୀ ମାନସ-ବିବେକଟି ତାହାକୁ ଖୁବ୍ ଚତ୍ମକାର ଭାବରେ ଗ୍ରହଣ କରିନେଇଛି । ହଁ, ଆସ, ଖାପ ଖାଇଯିବା, ଏବଂ ସେଇଟିଦ୍ୱାରା ମିଳି ପାରୁଥିବା ସୁଯୋଗଗୁଡ଼ିକ ଦ୍ୱାରା ପୂର୍ଣ୍ଣ ଉପକୃତ ହେବା । ମୁଁ ସେହିପରି କରୁଛି, ତୁମେ କର; ଆମେ କରୁଛୁ, ତୁମେମାନେ କର । ଜଗତଟାଯାକ ଏହିପରି ଭାବରେ ଚଳିଆସିଛି, ତେଣୁ ମୋଟେ ରହି ଯାଅନାହିଁ ।

 

ଅପର ପକ୍ଷରେ, ଆମ ଭିତରର ପ୍ରୋମେଥିଅସ୍‌ଧର୍ମୀ ଉପାଦାନଟା ଏକ ଅନ୍ୟ ଉଚ୍ଚାଟନ ଆଣି ଦେଉଛି । ସତେଅବା ଏକ ଅନ୍ୟ ଧର୍ମ ଓ ଅନ୍ୟ ଧର୍ମର ଅବତାରଣା କରିବାରେ ଲାଗିଛି । ପୃଥିବୀର ଇତିହାସରେ କୌଣସି ଗୋଟିଏ ସତ୍ୟ ହିଁ ଆଦ୍ୟରୁ ଅନ୍ତିମଯାଏ ଥିର ଅପରିବର୍ତ୍ତନୀୟ ହୋଇ ରହିନାହିଁ । ସବୁକିଛି ବଦଳିଛି । ପ୍ରୋମେଥିଅସ୍ ନାମକ ମନୁଷ୍ୟ ଭିତରର ସେହି ଅନ୍ୟ ଧାତୁଟା ଅନ୍ୟଭଳି କ’ଣ ସବୁ ସାହସ କରିଛି ଏବଂ ନକ୍ସାଗୁଡ଼ିକୁ ବଦଳାଇଛି । ବ୍ୟକ୍ତି ଏବଂ ସମଷ୍ଟିର ଜୀବନରେ ଆହ୍ୱାନଗୁଡ଼ିକ ନିରନ୍ତର ରହିଆସିଛି । ଆମ ବ୍ୟକ୍ତିଜୀବନରେ ଯେମିତି, ସମଷ୍ଟିଗତ ଜୀବନରେ ମଧ୍ୟ ସେହିପରି । ଭୋଗ ଏବଂ ସୁଖର ବାଞ୍ଛା କରୁଥିବା ଏପିମେଥିଅସ୍ ନାମକ ହାଓ୍ୱାଟା ବିଶେଷ ମୁଣ୍ଡ ନଘୁରାଇ ଯେତିକି ଗାରଗୁଡ଼ିକ ମଧ୍ୟରେ ଭୋଗ ଏବଂ ସୁଯୋଗ ଆକାରରେ ରହିଛି, ତାହାରି ଆଡ଼େ ଢଳିଯାଇଛି,-ଖାପ ଖାଇଯାଇଛି ଏବଂ ସଫଳ ବୋଲି ପ୍ରକୀର୍ତ୍ତିତ ହୋଇଆସିଛି । ବାନା ମଧ୍ୟ ଉଡ଼ାଇଛି । ଶେଲ୍‌ଡନ୍‌ଙ୍କର ବିଚାରରେ ଯେକୌଣସି ସମାଜରେ ସମଧିକ ମାନ୍ୟତା ପାଉଥିବା ସଂସ୍ଥାଗୁଡ଼ିକ ହେଉଛନ୍ତି ଏପିମେଥିଅସ୍ ନାମକ ସେହି ପ୍ରକାରଟିର ସମଗୋତ୍ରୀ ଏବଂ ସମଧର୍ମୀ । ଏହି ସଂସ୍ଥାମାନେ କେତେକ ବିଧାନକୁ ସତେଅବା ଗ୍ରନ୍ଥବଦ୍ଧ କରି ରଖି ଦେଇଥାନ୍ତି । ସେହି ବିଧାନଗୁଡ଼ିକ ମଧ୍ୟରେ ଉଚିତ କାଇଦାରେ ରହିଥିବା ଯାଏ ତୁମେ ଖେଳଟିରେ ଜିତୁଥିବ ଏବଂ ଖୁସି ହୋଇ ଜୀବନ କଟାଉଥିବ । ସେଥିଲାଗି ତୁମକୁ ତୁମ ସମାଜରୁ ବିବିଧ ସ୍ୱୀକୃତି, ସମ୍ମାନ ତଥା ପୁରସ୍କାରମାନ ପ୍ରାପ୍ତ ହେଉଥିବ ଏବଂ, କାଇଦାଗୁଡ଼ିକର ବାହାର ହୋଇଗଲେ ସେହି ମୁତାବକ ମଧ୍ୟ ମିଳିବ । ସଂପୂର୍ଣ୍ଣ ଭାବରେ ସର୍ବମାନ୍ୟ ପୁସ୍ତକ ଗୁଡ଼ିକର ଅନୁଜ୍ଞାମାନଙ୍କ ଅନୁସରଣରେ ।

 

ଶେଲ୍‌ଡନ୍‌ଙ୍କର ବକ୍ତବ୍ୟ ହେଉଛି, ଧର୍ମକୁ ପୁଞ୍ଚି କରି ଗଠିତ ହୋଇ ଆସିଥିବା ଅନୁଷ୍ଠାନମାନେ ଧର୍ମର ଅସଲ କାର୍ଯ୍ୟକାରିତାଟିକୁ ପଣ୍ଡ କରି ଦେଇଛନ୍ତି । ସେମାନେ ପ୍ରଧାନତଃ ମୋକ୍ଷର ମାର୍ଗଗୁଡ଼ିକୁ ବତାଇ ଦେବାର ଏକ ଭୂମିକାରେ ଅବତୀର୍ଣ୍ଣ ହୋଇ ଆସିଛନ୍ତି । ନାନା ସାନ୍ତ୍ୱନା ପ୍ରଦାନ କରି ଧର୍ମର ସତ ଆହ୍ୱାନ ଗୁଡ଼ିକର ସମ୍ମୁଖୀନ ହେବାର ଦାୟିତ୍ୱରୁ ବ୍ୟକ୍ତିମାନଙ୍କୁ ମୁକ୍ତି ଦେଇଛନ୍ତି । ନାନା ବୁଦ୍ଧିଯୁକ୍ତିପୂର୍ଣ୍ଣ ମାୟା ଭିତରେ ପକାଇ ରଖି ସେମାନଙ୍କୁ ଅତିରିକ୍ତ ଭାବରେ ଭାବପ୍ରବଣ କରି ରଖିଛନ୍ତି । ସର୍ବଦା ପରିବର୍ତ୍ତିତ ହେବାରେ ଲାଗିଥିବା ଏକ ପୃଥିବୀରେ ମନୁଷ୍ୟମାନଙ୍କୁ ଉଦାସୀନ ଓ ନିଷ୍ପୃହ କରି ରଖିଛନ୍ତି । ସାଂପ୍ରତିକ ପୃଥିବୀଟିରେ ଯୌବନ ଆସୁ ଆସୁ ହିଁ ମନୁଷ୍ୟମାନେ ସେହି ଅକାଳେ ହିଁ ଉଦାସୀନ ହୋଇ ପଡ଼ୁଛନ୍ତି,-ଜୀବନଠାରୁ ପରାଭବ ସ୍ୱୀକାର କରି ନିରାଶ ଓ କାତରଚକିତ ହୋଇ ଯାଉଛନ୍ତି । ଜୀବନର ମୂଳଭୂତ ଆହ୍ୱାନଗୁଡ଼ିକ ପାଖରୁ ଚାହାଳିଚୋର ହୋଇ ରହି ଯାଉଛନ୍ତି; ଏପରିକି, ନିଜ ଦେହସ୍ତରରେ ମଧ୍ୟ ପୂର୍ଣ୍ଣରୂପେ ପୋଖତ ହେବା ଆଗରୁ ମଧ୍ୟ ଦୁର୍ଦ୍ଦଶାଟିର କବଳରେ ଯାଇ ପଡ଼ୁଛନ୍ତି । ଶେଲ୍‌ଡନ୍ ତାହାକୁ ଜୀବନଧର୍ମର ଅସଲ ଆହ୍ୱାନମାନଙ୍କ ଲାଗି ଯୋଗ୍ୟ ହେବାର କ୍ଷେତ୍ରରେ ସେମାନଙ୍କର ଏକ ଅସମର୍ଥତା ବୋଲି କହିଛନ୍ତି ।

 

ସେହି କାଟର ଦୁଇଶହ ନଗ୍ନ ଶରୀରସ୍ଥିତିକୁ ଅବଲୋକନ ଏବଂ ଅଧ୍ୟୟନ କରି ଶ୍ରୀଯୁକ୍ତ ଶେଲ୍‌ଡନ୍ ସେମାନଙ୍କ ଭିତରେ ଜୀବନର ଅସଲ ଧର୍ମଟିକୁ ପାଳନ କରିବାର ଏକ କ୍ଷୁଧା ହିଁ ସେମାନଙ୍କୁ ଅଶାନ୍ତ କରି ରଖିଥିବାର ପ୍ରତ୍ୟକ୍ଷ କରି ପାରିଛନ୍ତି । ସେମାନେ ଆପଣାର ଏହି କଞ୍ଚା ବୟସରୁ ହିଁ କିପରି ଗୋଟିଏ ଗୋଟିଏ ଅନୁଷ୍ଠାନ-ସର୍ବସ୍ୱତାର ଅଡ଼ା ଭିତରେ ଆସି ପଡ଼ି ଯାଇଛନ୍ତି ଏବଂ ଆପଣାକୁ ହରାଇ ପକାଇଛନ୍ତି, ତାହାରି ନାନା ସାକ୍ଷ୍ୟ ହିଁ ପାଇଛନ୍ତି । କେତେ କାରୁଣ୍ୟର ସହିତ ଶେଲ୍‌ଡନ୍ କହିଛନ୍ତି: ସେମାନେ ପ୍ରକୃତରେ ଜୀବନ ପାଖରୁ ଶକ୍ତିପ୍ରଦାନକାରୀ ଅନ୍ନ ହିଁ ଆଶା କରୁଥିଲେ, କିନ୍ତୁ ତାହା ପରିବର୍ତ୍ତେ ସେମାନଙ୍କୁ ଗୋଟିଏ ନିଶାଦ୍ରବ୍ୟ ଭୁଞ୍ଜାଇ ଦିଆଯାଇଛି ଏବଂ, ଏକ ଉପସଂହାର କରିଆଣି କହିଲେ, ଏହି ତରୁଣମାନେ ସେମାନଙ୍କର ସେହି ଅସମର୍ଥତା ଲାଗି ଦାୟୀ ନୁହନ୍ତି । କାରଣଟା ହେଉଛି ଯେ, ସେମାନଙ୍କର ସଂସ୍କୃତିରେ କ୍ରିୟାଶୀଳ ହୋଇ ରହିଥିବା ଧର୍ମରୂପୀ ଅସଲ ମୂଲ୍ୟଗୁଡ଼ିକର ବିଫଳତା, ଯାହାକି ସେମାନଙ୍କର ଜୀବନଗତ ମୂଳସତ୍ୟଟିକୁ ନେଇ ଖେଳ ଖେଳିଛି । ଗୁଡ଼ାଏ ସୂତ୍ରର ଭେଳିକି ଦେଇ ସେମାନଙ୍କୁ ଜୀବନ ଆଡ଼କୁ ନାକ ଟେକି ଶିଖାଇଛି,-ଜୀବନବାଚୀ ସମ୍ଭାବନାଗୁଡ଼ିକୁ ସେମାନଙ୍କ ଲାଗି ତୁଚ୍ଛା ଶବରେ ପରିଣତ କରି ରଖିଛି ।

 

ତେବେ ଏକମାତ୍ର ଉଦ୍ଧାରମାର୍ଗ ହେଉଛି ପ୍ରଶ୍ନଗୁଡ଼ିକୁ ପଚାରିବା,-ଯେତେ ଆଗକୁ ଅନ୍ଦାଜ ପାଉଛି, ସେତେ ଆଗକୁ ପ୍ରଶ୍ନମାନ ପଚାରୁଥିବା । କୌଣସି ପ୍ରଶ୍ନର ଆଖର ଅନ୍ତିମ ଉତ୍ତରଟିଏ ନାହିଁ ବୋଲି ସଂଶୟାତ୍ମାଟିଏ ହୋଇ ରହିବା ମଧ୍ୟ ଯଥେଷ୍ଟ ନୁହେଁ ବୋଲି ଶ୍ରୀଯୁକ୍ତ ଶେଲ୍‌ଡନ୍ ଆମକୁ ସତର୍କ କରି ଦେଇଛନ୍ତି । କଠୋର ଶ୍ରମରତ ହୋଇ ରହିଥିବା ଏବଂ ପରିପୂର୍ଣ୍ଣ ସାଧୁତା ଏବଂ ନମ୍ରତା ସହିତ ଉତ୍ତୋଳିତ ହୋଇ ଆସୁଥିବା ପ୍ରଶ୍ନର ଉତ୍ତର ଦେବାପାଇଁ ଚେଷ୍ଟା କରୁଥିବା । ମାନବଜାତି ଯଦି ବିଲୁପ୍ତ ହୋଇ ନଯିବା ଲାଗି ପ୍ରକୃତରେ ଇଚ୍ଛା କରୁଥିବ, ଏହି ଉତ୍ତରୋତ୍ତର ଭାବରେ ପ୍ରଶ୍ନ ପଚାରିବାକକୁ ହିଁ ସର୍ବପ୍ରଥମ ଆବଶ୍ୟକତା ରୂପେ ଗ୍ରହଣ କରିନେବାକୁ ହେବ । ଶେଲ୍‌ଡନ୍‌ଙ୍କ ମତରେ କଲେଜ ଯାଏ ଆସି ପହଞ୍ଚିଥିବା ୨% ଛାତ୍ର ମଧ୍ୟ ସେହି ଅଭ୍ୟାସଟିକୁ କରନ୍ତି ନାହିଁ । ସେମାନେ ତ ବରଂ ସେମାନଙ୍କ ଆଗରେ ବାଢ଼ିଦିଆ ଯାଇଥିବା ଉକ୍ତିଗୁଡ଼ିକୁ ହିଁ ସ୍ୱୀକାର କରି ନେଇଥାନ୍ତି ଓ ସେହିଗୁଡ଼ିକ ସହିତ ଖାପ ଖାଇ ରହିଯିବାକୁ ହିଁ ସେମାନଙ୍କୁ ଦିଆ ଯାଇଥିବା ପରାମର୍ଶ ଗୁଡ଼ିକ ଅନୁସାରେ ପ୍ରାୟ ଏକମାତ୍ର ଧର୍ମ ପରି ଗ୍ରହଣ କରିଥାନ୍ତି । ଅବିକଳ ସେମାନଙ୍କର ଶିକ୍ଷକମାନେ ସେମାନଙ୍କ ବେଳେ ଯେପରି କରିଥିବେ, ସେହିପରି । ପୁନଶ୍ଚ, କଲେଜଗୁଡ଼ିକ ମଧ୍ୟ ନିଜର ନିରାପତ୍ତା ଦୃଷ୍ଟିରୁ ପିଲାଏ ସେତିକିଯାଏ ଯାଆନ୍ତୁ ବୋଲି ସର୍ବଦା କାମନା କରୁଥାନ୍ତି । ଏମାନେ ପିଲାଙ୍କୁ ସର୍ବବିଧ ବିଶେଷ କୌଶଳରେ ପାରଙ୍ଗମ କରନ୍ତି ସିନା, ସେମାନଙ୍କ ମଧ୍ୟରେ ସେହି ସତତ ପ୍ରଶ୍ନ ପଚାରିବାର ଚେତନାଟିକୁ କଦାପି ଜାଗୃତ କରି ଆଣନ୍ତିନାହିଁ । ସେମାନଙ୍କୁ ନିଜନିଜର ଖାସ୍ ଭାଡ଼ିଗୁଡ଼ିକ ମଧ୍ୟରେ ଅବରୁଦ୍ଧ କରି ହିଁ ରଖିଥାନ୍ତି-

 

ତେଣୁ, ଜୀବନର ନିଦା ତଥା ସୁସ୍ଥ ପ୍ରଶ୍ନଗୁଡ଼ିକ ହେଉଛି କେଉଁଠାରୁ-କେଉଁଆଡ଼କୁ ଏବଂ କାହିଁକି ଗୁଡ଼ିକର ପ୍ରଶ୍ନ । ମୁଁ କେଉଁ ଖାସ୍ ବିଷୟ-କୌଶଳଟିକୁ ହାସଲ କଲେ ସଫଳତା ଲାଭ କରିପାରିବି, ଅର୍ଥାତ୍ ଅଧିକ ଉପାର୍ଜନ କରିବି ଓ ଅଧିକ ସୁଖ ଅର୍ଥାତ୍ ଅଧିକାରୀ ହେବି, ସେଇଟି ଆଦୌ ସବାଆଗର ପ୍ରଶ୍ନ ନୁହେଁ । କାରଣ, ସେହି ସ୍ଥିତିରେ ମୁଁ ଅବସ୍ଥାଟି ସହିତ ଖାପ ଖାଇଯିବି ଓ ତଦ୍ଦ୍ୱାରା ଯାହାସବୁ ଯେପରି ରହିଛି, ତାହାରି ଭିତରେ ରହିଯିବି, ଅସୁସ୍ଥ ହେବି ଏବଂ ଅସ୍ୱାସ୍ଥ୍ୟଗୁଡ଼ିକୁ ବଢ଼ାଇବି । ଶ୍ରୀ ଶେଲ୍‌ଡନ୍ ତେଣୁ କହିଛନ୍ତି,-ନାଇଁ ନାଇଁ, ମୁଁ ଯେଉଁ ସମାଜରେ ବାସ କରୁଛି, ତାହାରି ବିଷୟରେ ମୋ’ ମନ ଭିତରକୁ ଆସୁଥିବା ପ୍ରଶ୍ନଗୁଡ଼ିକୁ ମୁଁ ପଚାରି ପାରିବାର ସମର୍ଥ ହେବି-। ଏହି ସମାଜର ଯେତେ ଯାହା ମୋତେ ଗୋଟିଏ ଗୋଟିଏ ସମସ୍ୟାଭଳି ମନେ ହେବ, ମୁଁ ସେଗୁଡ଼ିକର ମୂଳଟିମାନଙ୍କୁ ଉଖାରି ଦେଖିବାଲାଗି ଚେଷ୍ଟା କରିବି, କରୁଥିବି । ଚଳନ୍ତି ସମାଜର ଏହି କ୍ଷେତ୍ରଟା ତ ସତେଅବା ଅତ୍ୟନ୍ତ ନିଷ୍ଠାପର ଭାବରେ ପ୍ରଧାନତଃ ଯଥାସମ୍ଭବ ଅଧିକସଂଖ୍ୟକ ଅନ୍ୟ ମନୁଷ୍ୟମାନଙ୍କ ଉପରେ ଲଦି ହୋଇ ନିଜଲାଗି ସୁଖୀ ଜୀବନଟିଏ ସମ୍ଭବ କରି ଆଣିବାର ଗୁଡ଼ାଏ ଗୁଡ଼ାଏ ଉଦ୍ୟମ ଓ ଆଗ୍ରହକୁ ବୁଝାଉଛି । ଏକ ଆରେକକୁ ଶୋଷଣ କରିବାର ଏକ ଉତ୍ସାହ-ପରିପୂର୍ଣ୍ଣ ପ୍ରତିଯୋଗିତା । ପୁଣି ସେଥିରେ ସଫଳତା ଲାଭ କରି ଅଧିକରୁ ଅଧିକ ସୁଖର ପ୍ରାପ୍ତି । ଏହି ନିପଟ ନିଜ ଦୃଷ୍ଟିର ସୀମାଟି ମଧ୍ୟରେ ଦେଖା ଯାଉଥିବା ବର୍ତ୍ତମାନଟା ସହିତ ଲିପ୍ତ ହୋଇ ରହି ଭବିଷ୍ୟ ନାମକ ଆଉଗୋଟିଏ କ’ଣ ନିମନ୍ତେ ଏହି ବର୍ତ୍ତମାନର ମଧ୍ୟ ଯେ ଏକ ଦାୟିତ୍ୱ ରହିଛି, ସେହି ବିଷୟରେ ବିସ୍ତୃତ ହୋଇ ରହିବା । ତେବେ ମନୁଷ୍ୟନାମକ ନିୟତିଟିର ପରବର୍ତ୍ତୀ ସକଳ ସମ୍ଭାବନା ବିଷୟରେ କେଡ଼େ ଚିନ୍ତାମୁକ୍ତ ଭାବରେ ଆପଣାକୁ ଅସଂଲଗ୍ନ କରି ରଖିଥିବା,-ଏଇଟି ଆମକୁ ଆମରି ଜୀବନର କ୍ଷେତ୍ରମାନଙ୍କରେ ସ୍ପଷ୍ଟତଃ ଜଣେ ଜଣେ ଅପରାଧୀ ହୋଇ ରହିବାଲାଗି ବାଧ୍ୟ କରୁଛି କି ? ଏବଂ, ମନୁଷ୍ୟମାନେ ଯେ ସେହି ପୃଷ୍ଠଭୂମିଟି ଉପରେ ଅସଲ ପ୍ରଶ୍ନମାନଙ୍କୁ ପଚାରୁ ନାହାନ୍ତି, ତଦ୍ଦ୍ୱାରା ସେମାନେ ସତେଅବା ଏକ ଅପରାଧବୋଧ ଜନିତ ଏକାଧିକ ଗ୍ଳାନି ଦ୍ୱାରା ଘାଣ୍ଟି ହେବାରେ ଲାଗିଛନ୍ତି । ଏକ ଅପରାଧବୋଧରୁ ନିଜକୁ ନେଇ ଏକ ଅଯୋଗ୍ୟତାବୋଧ ଅଥବା ଏକ ଅଯୋଗ୍ୟତାବୋଧ ହେତୁ ଏକ ଅପରାଧବୋଧର ସଦା ଉତ୍ପୀଡ଼ନ ।

 

ତେଣୁ, ଏହିପରି ନାନା ଦୀର୍ଘ ବିଶ୍ଳେଷଣର ଶେଷ ଚରଣକୁ ଆସି ଶ୍ରୀଯୁକ୍ତ ଶେଲ୍‌ଡନ୍ ଉପସଂହାର କରି କହୁଛନ୍ତି ଯେ ମନୁଷ୍ୟର ଜୀବନରେ ନ୍ୟାୟତଃ ମୂଳସ୍ଥ ଅପରାଧୀ ଉପାଦାନଟା ହେଉଛି ଖୁବ୍‌ସମ୍ଭବ ତା’ ଜୀବନଧର୍ମଟିର କ୍ଷେତ୍ରରେ ସିଏ କରି ଆସୁଥିବା ଏହି ଅବହେଳା । ଧର୍ମ ହେଉଛି ବସ୍ତୁତଃ ଏକ ଦାୟିତ୍ୱବୋଧ, ଏବଂ ଦାୟିତ୍ୱଗୁଡ଼ିକର ଗ୍ରହଣ । ଆପଣାର ଧର୍ମ ବିଷୟରେ ସଚେତନ ରହିଥିବା ମନ ହେଉଛି ଏକ ଦାୟିତ୍ୱ-ସଚେତନ ମନ । ସମ୍ପୂର୍ଣ୍ଣ ସରଳ କରିଆଣି କହିଲେ, ଯାବତୀୟ ଅପରାଧିତ୍ୱ ହେଉଛି ଜୀବନରେ ଏକ ସମନ୍ୱୟନ ସମ୍ଭବ କରି ପାରିବାର ଅସଫଳତା,-ଯେଉଁସବୁ ପ୍ରଣାଳୀର ଅବଲମ୍ବନ କରି ଆମେ ସମ୍ମୁଖସ୍ଥ ସମସ୍ୟାଗୁଡ଼ିକର ସମାଧାନ କରୁଛୁ ଏବଂ ଆମକୁ ଯେଉଁଭଳି ଶିକ୍ଷା ଦିଆଯାଉଛି, ସେଇ ଦୁଇଟି ଭିତରେ ଏକ ସମନ୍ୱୟନ ସମ୍ଭବ କରି ଆଣିବାରେ ଆମର ଅସଫଳତା । ଆମର ପ୍ରକୃତ ଶିକ୍ଷା ତ ଆମ ଜୀବନଧର୍ମର ସୁସ୍ଥ ଆବେଗଗୁଡ଼ିକୁ ହିଁ ପରିଚାଳିତ କରି ନେଇଯାଇ ପାରୁଥାଆନ୍ତା ! ଧର୍ମ ମୋତେ ମୋ’ଠାରୁ କିଛି ଆହୁରି ଉର୍ଦ୍ଧ୍ୱ ଓ ଆହୁରି ବିପୁଳ ଆଡ଼କୁ ଉଦ୍‌ବୁଦ୍ଧ କରାଇ ରଖନ୍ତା,-ଏକ ଅଧିକ ବୃହତ୍ ଓ ଅଧିକ ଉତ୍ତମ ନିମନ୍ତେ । ଶ୍ରୀଯୁକ୍ତ ଶେଲ୍‌ଡନ୍ କେଡ଼େ ଚମତ୍କାର ଏକ ଦୃଷ୍ଟାନ୍ତ ଦେଇ କଥାଟିକୁ କହିଛନ୍ତି: ମୋ’ ନିଜ ଜୀବନରୂପୀ ଛଦାମେ କଉଡ଼ିକୁ ମୁଁ ଏକ ଅଧିକତର ମୂଲ୍ୟସମୃଦ୍ଧିର ବାହକ ହୋଇ ରହିଥିବା ସମ୍ଭାବ୍ୟ ‘ମୁଁ’ ଟି ପାଖରେ ନେଇ ଗଚ୍ଛିତ କରି ରଖି ପାରନ୍ତି । ସେଇଟି କରି ପାରିବାକୁ ନିଜର ଜନ୍ମଗତ ଅଧିକାର ବୋଲି ଜାଣୁଥାଆନ୍ତି । ମୋ’ର ଏହି ହାତପାପୁଲି ଉପରେ ରହିଥିବା ଜୀବନଟି ତେଣୁ ସ୍ୱତଃ ଏକ ଜୀବନଧର୍ମ-ସ୍ତରୀୟ ବିସ୍ମୟରେ ଭରି ରହନ୍ତା । ଅନେକେ ସେହି ଊର୍ଦ୍ଧ୍ୱଟିର ଏବଂ ଅଧିକଟିର ସାମନା କରନ୍ତି ନାହିଁ, ବରଂ ଅଧିକ ସହଜ ଭାବି ତାହାକୁ ଈଶ୍ୱର ବୋଲି କହି ଶିଖନ୍ତି । ବିଧି ମାନନ୍ତି, ଆନୁଷ୍ଠାନିକତା ଗୁଡ଼ିକର ପାଳନ କରନ୍ତି । ଅର୍ଥାତ୍, ମୋ’ ନିଜର କଉଡ଼ି ବୋଲି କହି ହେଉଥିବା ଧନଟିକୁ ମୁଁ କେତେଗୁଡ଼ିଏ ଶବ୍ଦ ଓ ଶାବ୍ଦିକତାର ଫାଶଟା ଭିତରେ ନେଇ ପକାଇ ରଖିଥାଏ ।

 

ତଥାପି, ଆହୁରି ପାଦେ ଅଧିକ ସ୍ପଷ୍ଟ କରିଦେଇ ଶେଲ୍‌ଡନ୍ ଆମର ମନେ ପକାଇ ଦେଇ କହିଛନ୍ତି ଯେ, ଏହି ନାନାବିଧ ଅପରାଧ-ପ୍ରବଣତା ଅଧିକତର ପରିମାଣରେ ବ୍ୟକ୍ତି-ସ୍ତରର ନୁହେଁ, ସମାଜ-ସ୍ତରର । ତେଣୁ, ନ୍ୟାୟତଃ ସେହି ସ୍ତରରେ ହିଁ ତାହାର ସମାଧାନ ନିମନ୍ତେ ମଧ୍ୟ ଉପାୟ ଖୋଜିବାକୁ ପଡ଼ିବ । ସମାଜ ପଟୁ ମଣ ହୋଇ ଆମେ ଯେଉଁସବୁ ଧାରଣାକୁ ଗୃହସମ୍ପଦ ଭଳି ଜୀବନରେ ଜୁଆଇ ନେଇ ବାଟ ଚାଲୁଛୁ, ସେହିଗୁଡ଼ିକ ତ ଆମକୁ ନିଜର ଜୀବନକ୍ଷେତ୍ରରେ ପାଥେୟର କାମ ଦେଉଛି । ସେହି ଧାରଣାମାନେ କେତେ ପରିପାଟୀଯୁକ୍ତ ହୋଇ ଆମକୁ ବୁଦ୍ଧିଗୁଡ଼ିକୁ ଆଣି ଯୋଗାଇ ଦେଉଛନ୍ତି, ନିଜ ଜୀବନର ସର୍ବବିଧ କାରବାରରେ ଆମର ବିବେକବତ୍ କାର୍ଯ୍ୟ କରୁଛନ୍ତି ଏବଂ କେଡ଼େ ଶ୍ରଦ୍ଧାରେ ଆମେ ତାହାକୁ ବିବେକ ବୋଲି ଗ୍ରହଣ କରିନେଇଛୁ । ଆପଣା ଆପଣାକୁ କର୍ତ୍ତା ବୋଲି ଖୁବ୍ କହୁଛୁ; କିନ୍ତୁ, ଆଉକିଛିର ହାତରେ ଏକ ପୂର୍ଣ୍ଣସମ୍ମତ ଯନ୍ତ୍ର ହୋଇ ରହିଛୁ । ଆମକୁ ମଣାଇ ରଖିଥିବା ଏହି ବ୍ୟାଧିଟା କ୍ରମେ ଆମଲାଗି ଏଡ଼େ ସ୍ୱାଭାବିକ ହୋଇ ଯାଉଛି ଯେ, ସେଇଟିକୁ ଆମେ ଗୋଟିଏ ବ୍ୟାଧି ବୋଲି ମୋଟେ ଅନୁଭବ କରି ପାରୁନାହିଁ-। କିଛି ଅଧିକକୁ ମନ କଲେ ସିନା ଆଗ୍ରହର କ୍ଷେତ୍ରରେ ଅନ୍ୟ ଝରକାଗୁଡ଼ିକ ମଧ୍ୟ ଖୋଲିଗଲା ପରି ଅନୁଭବ ହେବ ଏବଂ ନିଜର ସନ୍ଧାନ ତଥା ଜିଜ୍ଞାସାଗୁଡ଼ିକରେ ସେହି ପରବର୍ତ୍ତୀ ଉନ୍ମୋଚନଟି ସମ୍ଭବ ହୋଇ ବି ଆସିବ ? ଜଣେ ବ୍ୟକ୍ତି ଭିନ୍ନ ଗାରମାନଙ୍କର ଆକଟ ଭିତରେ ପଡ଼ିଯାଇ ନିଜକୁ ଯେତିକି ଆୟତନର ବୋଲି ସ୍ୱୀକାର କରି ନେଇଥିଲା, ଏହାଦ୍ୱାରା ତାକୁ ସେହି ସେତିକିମାନେ ମୋଟେ ସନ୍ତୋଷ ଦେଇ ପାରିବେନାହିଁ । ମୋଟେ ଥୟ କରି ରଖାଇ ଦେବେନାହିଁ, ଗାର ଡିଆଁଇ ନେଇଯିବେ । ଭିତର ବାହାର ଉଭୟ ଆୟାମରେ । ସମ୍ପୂର୍ଣ୍ଣ ଏକ ଅଧିକତରତାର ମହିମାରେ ତା’ଲାଗି ଭିତର ଏବଂ ବାହାର ଉଭୟେ ଉଦ୍‌ଭାସିତ ହୋଇ ଉଠିବେ । ଅପରାଧ-ବୋଧର କୌଣସି ଅବକାଶ ମଧ୍ୟ ନଥିବ ।

 

କଣ୍ଟାକଣ୍ଟି ପ୍ରାୟ ନଅଶହ ପୃଷ୍ଠାର ଏହି ଗ୍ରନ୍ଥଟାରେ (୧) ଗବେଷକ ଶେଲ୍‌ଡନ୍ ଏହି ସ୍ଥିତିସଙ୍କଟଟିରୁ ବାହାରି ଆସିବା ସକାଶେ କେତୋଟି ପରାମର୍ଶ ପ୍ରଦାନ କରିଛନ୍ତି । ଆପଣାର ଭାଷାରେ ଏଗୁଡ଼ିକୁ କେତେକ ‘ଗଠନାତ୍ମକ ପ୍ରସ୍ତାବ’ ବୋଲି କହିଛନ୍ତି । ସର୍ବପ୍ରଥମ ସ୍ତରଟିରେ ଯେଉଁ ପ୍ରସ୍ତାବଟି, ତାହା ହେଉଛି, ବଂଶ-ଅନୁକ୍ରମରେ ପୁରୁଷକୁ ପୁରୁଷ ସମ୍ପତ୍ତିର ଯେଉଁ ଅଧିକାରିତ୍ୱଟି, ସମାଜ ତାହାକୁ ନିଷିଦ୍ଧ କରି ରଖିବ । ଦ୍ୱିତୀୟତଃ, ସନ୍ତାନ-ଉତ୍ପାଦନକୁ ଆଉ ବର୍ତ୍ତମାନ ପରି ଜନ୍ମଦାତାର ଖୁସି ଉପରେ ଛାଡ଼ି ଦିଆ ଯିବନାହିଁ । ଯାହାର ଯେତେ ଅଧିକ ସନ୍ତାନ, ପ୍ରତିଯୋଗିତା ଲାଗିଥିବା ପରି ତାହାକୁ ସେତେ ଅଧିକ ଭାଗ୍ୟବାନ୍ ବୋଲି ବିଚାର କରା ଯିବନାହିଁ-। ସନ୍ତାନ-ଜନ୍ମକୁ ଗୋଟିଏ ଅନୁମତିପ୍ରାପ୍ତ ସୁଯୋଗ ରୂପେ ହିଁ ଗଣାଯିବ । ପରବର୍ତ୍ତୀ ତୃତୀୟ କଥାଟି ହେଲା: ପୃଥିବୀରେ ଦେଶ ଦେଶ ମଧ୍ୟରେ ଯେପରି ଯୁଦ୍ଧମାନେ ଲାଗି ରହିଛନ୍ତି ସେହି ସମସ୍ୟାଟିର ସିଧା ସମ୍ମୁଖୀନ ହେବାକୁ ପଡ଼ିବ । ସବୁ ଦେଶମାନଙ୍କୁ ଏକତ୍ର ଗୋଟିଏ ବ୍ୟବସ୍ଥାରେ ଗୁନ୍ଥି ଏକ ବିଶ୍ୱରାଷ୍ଟ୍ରୀୟ ଶାସନର ପ୍ରତିଷ୍ଠା ହେବ ଏବଂ, ଚତୁର୍ଥରେ, ଧର୍ମକୁ ଏହିସବୁ ନାନା ଈଶ୍ୱରବଖାଣର ତତ୍ତ୍ୱର ସାଂପ୍ରତିକ ଚଳଣିଟି ମଧ୍ୟରୁ ମୁକ୍ତ କରି ରଖିବାକୁ ପଡ଼ିବ । ସେହି ତତ୍ତ୍ୱଗୁଡ଼ିକୁ ସବାଆଗ ବୋଲି ଦର୍ଶାଇ ମନୁଷ୍ୟମାନଙ୍କର ଧର୍ମ-ଅନୁରାଗୀ ମନଟିକୁ ଆଦୌ କୌଣସି ଅଫିମ ଭୁଞ୍ଜାଇ ଦେଇ ସେଇଟିକୁ ମାରି ଦେବାର ଚେଷ୍ଟା କରାଯିବନାହିଁ । ମନୁଷ୍ୟମାନଙ୍କର ସହଜ ବିବେକଟିକୁ ଯେ ଆଚରିତ ଏହି ଧର୍ମୀୟ ଆନୁଷ୍ଠାନିକତା ଗୁଡ଼ିକ ସେମାନଙ୍କର ସ୍ୱାଭାବିକ ଧର୍ମ ତଥା ସତ୍ୟର ମାର୍ଗରୁ ଖିଅ ଛିଣ୍ଡାଇ ରଖିଛି, ଶେଲ୍‌ଡନ୍ ତାହାକୁ ଆମ ଯୁଗର ଶୋଚନୀୟତମ ଦୁର୍ଗତି ବୋଲି କହିଛନ୍ତି ।

 

ସ୍ମରଣ ରଖିବା ଉଚିତ ଯେ ଅଧ୍ୟୟନଟି ପ୍ରସ୍ତୁତ ହୋଇ ଗ୍ରନ୍ଥ ଆକାରରେ ପ୍ରକାଶ ହେଉଥିବା ସମୟରେ ସେପାଖର ଦେଶମାନେ ଗୋଟିଏ ମହାଯୁଦ୍ଧରୁ ତାଜା ମୁକୁଳି ଆସିଥିଲେ । ନା,-ଆମେ ଆଗକୁ ଏହି ସବୁକିଛିକୁ ଅଲଗା ଅନ୍ଦାଜଗୁଡ଼ିକ ଅନୁସାରେ ଏଥର ଗଢ଼ିବା,-ଏହିପରି ଏକ ଆଶା ସେହି କ୍ଳାନ୍ତ କ୍ଷତିଗ୍ରସ୍ତ ଜନମାନସଗୁଡ଼ିକୁ କ୍ରମେ ଅଧିକରୁ ଅଧିକ ଭରସା ଦେଇ ଆହୁରି ଆଗଲାଗି ବଳଟିଏ ମଧ୍ୟ ସଞ୍ଚାର କରି ଆଣୁଥିଲା । କିଛି ନୂଆ ଉଦ୍ୟମ ଅବଶ୍ୟ ହେଲା ଏବଂ ସେଗୁଡ଼ିକୁ ଏବେ ମଧ୍ୟ ଭୂମିରୂପେ କାମରେ ଲଗାଇ ପ୍ରୟାସ ଲାଗି ରହିଛି । ପୁରୁଣାମାନେ ତଥାପି ପରାକ୍ରମ ଦେଖାଉଛନ୍ତି, ତଥାପି ଆଗ ଅପେକ୍ଷା ସମ୍ଭବତଃ ଅଧିକ ମଙ୍ଗି ଯାଉଥିଲା ପରି ଏକାଠି ବସୁଛନ୍ତି, କିଛି ରାଜି ବି ହେଉଛନ୍ତି । ପୃଥିବୀରେ ଆଦାନପ୍ରଦାନମାନେ ବୃଦ୍ଧି ପାଇଛନ୍ତି,-ସେଥିରୁ ଶିଖି ମଧ୍ୟ ହେଉଛି । ନମନୀୟ ହୋଇ ଆସିବାକୁ ଅଧିକ ମନ କଲେଣି । ସମଗ୍ର ପୃଥିବୀ ଏକାବେଳକେ ସମସ୍ତଙ୍କର ଦାୟିତ୍ୱ ବୋଲି ଅଧିକରୁ ଅଧିକ ପରିମାଣରେ ହୃଦୟଙ୍ଗମ ହୋଇ ଆସୁଛି । ଧର୍ମଗୁଡ଼ିକ ଅନେକ ସମୟରେ ତଥାପି ହଠଧର୍ମୀ ହେବାରେ ଖୁବ୍ ସରାଗ ଦେଖାଉଛନ୍ତି, ତଥାପି ଅଧ୍ୟାତ୍ମର କଦର ବଢ଼ୁଛି ଏବଂ ଅଧ୍ୟାତ୍ମର ସହି ସଚଳ ଆବେଦନଟି ଭେକମାନେ ଭିନ୍ନ ଭିନ୍ନ ହୋଇ ରହିଥିଲେ ମଧ୍ୟ ସବୁ ଭେକର ମଣିଷମାନଙ୍କୁ ସତେଅବା ଗୋଟିଏ ଘରକୁ ଆମନ୍ତ୍ରିତ କରି ନେଇ ଆସୁଛନ୍ତି । ଶ୍ରୀ ଶେଲ୍‌ଡନ୍ ତଥାପି ପ୍ରାସଙ୍ଗିକ ହୋଇ ରହିଛନ୍ତି ।

 

ବ୍ୟକ୍ତିତ୍ୱ ବିଷୟରେ ଆମର ଚର୍ଚ୍ଚାଟିର ଏକାବେଳେକେ ଏହି ମୂଳରୁ ହିଁ ଆମେ କାହିଁକି ଦେହ-ସଂପର୍କିତ ଖାସ୍ ଗୋଟିଏ ଆଲୋଚନା ଲାଗି ଏତେ ସମୟ ଦେଲୁ, ତାହାର କୌଣସି କାରଣ ଅଛି କି ବୋଲି କିଞ୍ଚିତ୍ ସଂଶୟ ମଧ୍ୟ ନିଶ୍ଚୟ ଉପୁଜିପାରେ । ମନୁଷ୍ୟ-ବ୍ୟକ୍ତିତ୍ୱ ବିଷୟରେ ଆମର ଏହି ଉପସ୍ଥିତ କାଳରେ ଦେହକୁ ମନ, ସଂବେଗ କିମ୍ବା ସାମାଜିକ ଆହ୍ୱାନମୂଲ୍ୟ ଗୁଡ଼ିକ ଠାରୁ ଏକ ଅଲଗା ପ୍ରକରଣ ରୂପେ ମୋଟେ ବିଚାର କରା ହେଉନାହିଁ । ସେମାନେ ସମସ୍ତେ ଗୋଟିଏ ସମଗ୍ର ମଧ୍ୟରେ ସତେଅବା ଗୋଟିଏ ହୋଇ ରହିଛନ୍ତି । ଏହିସବୁ ଗୋଟିଏ ଗୋଟିଏ ଦ୍ୱୀପଖଣ୍ଡର କୌଣସି ଗାଣିତିକ ସମଷ୍ଟି ହିସାବରେ ନୁହେଁ ଯେ ଆମେ ଭିନ୍ନ ଭିନ୍ନ ବିଶେଷଜ୍ଞ ମାନଙ୍କଠାରୁ ପ୍ରତ୍ୟେକର ସ୍ୱତନ୍ତ୍ର ତଥ୍ୟଗୁଡ଼ିକୁ ଆଣି ବ୍ୟକ୍ତିତ୍ୱ ନାମକ ସେହି ବ୍ୟଞ୍ଜନଟିକୁ ତିଆରି କରି ଥୋଇଦେଇ ପାରିବା । ଅବିକଳ ଯାବତୀୟ ଅଧ୍ୟାତ୍ମ ପରି ଆଧୁନିକ ବିଜ୍ଞାନ ମଧ୍ୟ ସେହିପରି ଗୋଟିଏ ସମଗ୍ର ଏବଂ ତେଣୁ ମନୁଷ୍ୟର ବ୍ୟକ୍ତିତ୍ୱ ବିଷୟରେ ସଙ୍ଗତିଯୁକ୍ତ ସକଳ ଆଲୋଚନା ମଧ୍ୟ ସେହିପରି ଏକ ସମଗ୍ର ଶ୍ରଦ୍ଧା ଅର୍ଥାତ୍ ସମଗ୍ର ସଂପୃକ୍ତିର ପ୍ରତିପାଦ୍ୟରୂପେ ହିଁ ଅବଶ୍ୟ ପ୍ରେରିତ ହୋଇ ରହିଥିବ ।

 

୧.

Willim : H. Sheldon : Varieties of Delinquent Youth, Harper and Brothers, Newyork, 1949.

Image

 

Unknown

ବ୍ୟକ୍ତିତ୍ୱର ବିଜ୍ଞାନ

 

ମନୁଷ୍ୟମାନେ ମାନିଥାନ୍ତି, ତଥାପି ମାନୁନଥାନ୍ତି; ବିଶ୍ୱାସ କରୁଥାନ୍ତି, ତଥାପି ବିଶ୍ୱାସ କରୁନଥାନ୍ତି । ପ୍ରଶ୍ନ କରିବାକୁ ଇଚ୍ଛା କରନ୍ତି, ଆପେ ଖୋଜି ଆପେ ପାଇବାକୁ ମନ କରନ୍ତି । ସେଇଥିରୁ ବିଜ୍ଞାନର ସର୍ବବିଧ ଉନ୍ମେଷଣା । ବାହାରେ ଥିବା ଏହି ପ୍ରକୃତିକୁ, ଏକାଠି ବାସ କରୁଥିବା ପରସ୍ପରକୁ,-ପୁଣି, ଏକାବେଳେକେ ନିଜ ଭିତରେ କେତେ କ’ଣ ରହିଥିବା ପରି ଗନ୍ଧ ପାଇ ନିଜକୁ ମଧ୍ୟ,-ଏହିପରି ପ୍ରଶ୍ନଗୁଡ଼ିକୁ ପଚାରିବା । ଆମେ ଯେତେ ଆଗକୁ, ଗଭୀରକୁ ତଥା ଭିତର ଭିତରକୁ ପ୍ରଶ୍ନ ପଚାରି ପାରିବା, ଆମକୁ ଉତ୍ତର ନିଶ୍ଚୟ ମିଳିବ,-ଏହିପରି ଏକ ବିଶ୍ୱାସ ଉପରେ ହିଁ ବିଜ୍ଞାନ ପ୍ରତିଷ୍ଠିତ ହୋଇ ରହିଛି । ତେଣୁ ରହସ୍ୟ ପରେ ରହସ୍ୟର ଉଦ୍‌ଘାଟନ ଲାଗି ରହିଥାଏ । ରହସ୍ୟ ମରେନାହିଁ ଏବଂ ତେଣୁ ପ୍ରଶ୍ନ ପଚାରିବା ଏବଂ ଅବଶ୍ୟ ଉତ୍ତରଟିଏ ମିଳିବ ବୋଲି ବିଶ୍ୱାସମାନେ ରଖିଥିବା, ସେଇଟିର ମଧ୍ୟ ଅନ୍ତ ନଥାଏ ।

 

ସବାଆଗ ବିଗତ ଊନବିଂଶ ଶତାବ୍ଦୀର ଦଶକମାନଙ୍କରେ ହିଁ ଇଉରୋପରେ ମନୁଷ୍ୟର ବ୍ୟକ୍ତିତ୍ୱ ବିଷୟରେ ଅଧ୍ୟୟନକାରୀମାନେ ସେମାନଙ୍କୁ ସେତେବେଳେ ପ୍ରତୀତ ହେଉଥିବା ଏକ ବୈଜ୍ଞାନିକ ପ୍ରଣାଳୀରେ କିଛି ଅନୁସନ୍ଧାନତ୍ମକ କାର୍ଯ୍ୟ ଆରମ୍ଭ କରିଥିଲେ । ନାଇଁ, ତୁଚ୍ଛା କଳ୍ପନାଜଳ୍ପନା ଦ୍ୱାରା ନୁହେଁ,-ପ୍ରତ୍ୟକ୍ଷ ଅନୁମାନଗୁଡ଼ିକ ଦ୍ୱାରା ସେତେବେଳେ ‘ବ୍ୟକ୍ତିତ୍ୱ’ ନାମକ ଏବର ବିଚାରକ୍ଷେତ୍ରଟି ଚର୍ଚ୍ଚାକୁ ଆସିନଥିଲା ଏବଂ, ତାହାରି କାଟର ଯାବତୀୟ ବ୍ୟାପାରକୁ Character ବା ଚରିତ୍ର ବୋଲି କୁହା ଯାଉଥିଲା । ସେହି ଚରିତ୍ର ବିଷୟରେ ଅଧ୍ୟୟନ, ଏକ ଜ୍ୟାମିତିକ ପଦ୍ଧତି ଦ୍ୱାରା । ଜ୍ୟାମିତିର ଉପପାଦ୍ୟଟିଏ ପ୍ରମାଣ କରୁଥିଲା ପରି, ସାମାନ୍ୟ-କଥନ, ବିଶେଷ-କଥନ, ପ୍ରମାଣ, ସିଦ୍ଧାନ୍ତ ଓ ଅନୁସିଦ୍ଧାନ୍ତର ଧିସାରେ ସବୁକିଛି ମିଳିଯିବ । ସେହିପରି ଗୋଟିଏ ଗ୍ରନ୍ଥପ୍ରୟାସରୁ ଆମେ ଏଠାରେ କେତେକ ଚର୍ଚ୍ଚାର ଉପସ୍ଥାପନା କରିବା, ଯହିଁରୁ ସେହି ସନ୍ଦର୍ଭଟିର ଏକ ନଜିର ମିଳିଯାଇ ପାରିବ । (୧) ଗ୍ରନ୍ଥଟିର ପ୍ରଣେତା ସମ୍ପୂର୍ଣ୍ଣ ସେହି ମୂଳରୁ ହିଁ ଘୋଷଣା କରିଛନ୍ତି ଯେ ଆମର ସେହି ଚରିତ୍ର (Character) ହିଁ ଆମ ଜୀବନର ଯାବତୀୟ ଅବବୋଧ, ଭାବନା, ଭାବସଂବେଗ ତଥା ଇଚ୍ଛାବୃତ୍ତିର ପ୍ରକ୍ରିୟାଗୁଡ଼ିକର ପରିଚାଳନା କରିଥାଏ ଏବଂ ସେଗୁଡ଼ିକ ଏକ ସଂଗଠିତ ରୂପ ଆଣି ଦେଇଥାଏ । ତେଣୁ, ସେହି ଚରିତ୍ର ବିଷୟରେ ଏକ ବୈଜ୍ଞାନିକ ଆଲୋଚନାର ଆମଲାଗି ସର୍ବଦା ଏକ ଅତ୍ୟନ୍ତ ବୃହତ୍ ମହତ୍ତ୍ୱ ଅବଶ୍ୟ ରହିବ ।

 

ଆମର ଭାବ ଏବଂ ଭାବସଂବେଗ,-ଆମ ଭିତରେ ଏହି ଦୁଇଟିଯାକ ଶକ୍ତି ସର୍ବଦା କାର୍ଯ୍ୟ କରୁଥାନ୍ତି,-ଗୋଟିଏ ଆମଭିତରେ ସବୁକିଛିକୁ ସଂଗଠିତ କରି ଆଣୁଥାଏ ଏବଂ ଆଉ ଗୋଟିଏ ସେହି ସଂଗଠନ ଗୁଡ଼ିକୁ ଭାଙ୍ଗିଦେଉଥାଏ । ଗୋଟିଏ ଆମକୁ ମୁକ୍ତ କରେ, ସର୍ବବିଧ ହଠାତ୍-ସଂବେଗର ଦାସତା ମଧ୍ୟରୁ ମୁକୁଳାଇ ଆଣେ ଏବଂ ଦ୍ୱିତୀୟଟି ଆମକୁ ସଂଯମ ମଧ୍ୟରୁ ବାହାର କରିନିଏ,-ଯେଉଁସବୁ ସଂଯମ ଓ ଶୃଙ୍ଖଳା ଆମକୁ ଭଲ ନଲାଗେ, ଆମକୁ ସେଗୁଡ଼ିକ ମଧ୍ୟରୁ ମୁକ୍ତି ହିଁ ଦିଏ ଏବଂ, ସେହି ଅନୁସାରେ ସେହି ଉଭୟଙ୍କର ଭିନ୍ନ ଭିନ୍ନ ଲକ୍ଷ୍ୟ ଏବଂ ଭିନ୍ନ ଭିନ୍ନ ସାଧନମାନ । ଚରିତ୍ରଗତ ଜୀବନର କ୍ଷେତ୍ରରେ କିଛି ବୃହତ୍ତର ବ୍ୟବସ୍ଥା ଅବଶ୍ୟ ରହିଥାଏ, ଯାହାକି ଆମ ଭାବସଂବେଗ ଗୁଡ଼ିକୁ ତଥାପି ଏକ ଶୃଙ୍ଖଳା ଭିତରେ ରଖିବାର ପ୍ରୟାସ କରୁଥାଏ,-ସେଗୁଡ଼ିକର ମାର୍ଗରେ କିଛି ବାଧା ଆଣି ପହଞ୍ଚାଏ ଏବଂ ତାହାରି ବଳରେ ସେଗୁଡ଼ିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ତତ୍ପର ହୋଇ ରହିଥାଏ । ଯାହା ଭିତରେ ଚରିତ୍ରର ଯେତେ ଅଧିକ ପରିମାଣରେ ବିକାଶ ହୁଏ, ସେହି ବ୍ୟକ୍ତି ସେତିକି ସଫଳତାର ସହିତ ନିଜର ସଂବେଗ ଏବଂ ଚିତ୍ତଚାଞ୍ଚଲ୍ୟ ଗୁଡ଼ିକ ଉପରେ ଏକ ନିୟନ୍ତ୍ରଣ ଅର୍ଜନ କରିବାରେ ସମର୍ଥ ହୋଇଥାଏ । ମାତ୍ର, ସେହି ଚରିତ୍ରର କ୍ଷେତ୍ରରେ ଏକ ପତନ ଘଟିଲେ ଆମର ସେହି ସଂବେଗ ଏବଂ ଉଚ୍ଚାଟନା ଗୁଡ଼ିକ ଉପରେ ଆଉ ସେତେ ନିୟନ୍ତ୍ରଣ ରହି ପାରେନାହିଁ ।

 

ତେଣୁ, ଭାବ ଏବଂ ଭାବସଂବେଗ ମଧ୍ୟରେ ରହିଥିବା ପାର୍ଥକ୍ୟଟିକୁ ବୁଝିବାକୁ ହେଲେ ଆମକୁ ସେଗୁଡ଼ିକୁ ସେଗୁଡ଼ିକ ବିଚରଣ କରୁଥିବା ଆମ ମନର କ୍ଷେତ୍ରଟି ମଧ୍ୟରୁ ଅଲଗା କରିନେବାକୁ ହୁଏ; କାରଣ, ତା’ନହେଲେ ସେଗୁଡ଼ିକ ଉପରେ ଆମର କୌଣସି ବଳ ହିଁ ରହେ ନାହିଁ । ଯାବତୀୟ ଭାବସଂବେଗ ମଧ୍ୟରେ ଏକ ଭାବନା, ଏକ ତୀବ୍ର ଲକ୍ଷ୍ୟସାଧନର ଅଭିଳାଷ ତଥା ଏକ ଭାବଚଞ୍ଚଳତା ସତେଅବା ଏକାଠି ହୋଇ ରହିଥାଆନ୍ତି । ପ୍ରତ୍ୟେକ ମନୁଷ୍ୟର ଗୋଟିଏ ଭାବସଂବେଗ, ସେଇଟି ଆମର ମନନାମକ ଏହି ସମଗ୍ର ଭଣ୍ଡାରଟିର ହିଁ ଗୋଟିଏ ସଂପଦ, ଠିକ୍ ଆମ ଭାବଗୁଡ଼ିକ ପରି । ତଥାପି, ଲେଖକ ଆମକୁ ଖୁବ୍ ସତର୍କ କରିଦେଇ କହୁଛନ୍ତି ଯେ, ଗୋଟିଏ ଗୋଟିଏ ବ୍ୟକ୍ତିତ୍ୱ ଆମ ପ୍ରତ୍ୟେକଙ୍କ ଭିତରେ କେବଳ ଆମ ଭାବ ତଥା ଭାବସଂବେଗର ହିଁ ସମଷ୍ଟିମାତ୍ର କଦାପି ନୁହେଁ । ଏମାନେ ହେଉଛନ୍ତି ଆମ ଭିତରର ଆମର ନାନା ଖଣ୍ଡ-ପରିଚୟ ବୋଲି ହୁଏତ କୁହାଯାଇ ପାରିବ ସିନା, ତଥାପି ଆମର ଏକ ସମଗ୍ର ଆତ୍ମକ୍ଷେତ୍ର ଅର୍ଥାତ୍ ପରିଚୟ ବୋଲି ଏକକଟିଏ ଅବଶ୍ୟ ରହିଛି । ଏହି ପୂର୍ଣ୍ଣ ପ୍ରହେଳିକାମୟ ଏକକଟି ହିଁ ଆମର ସେହି ଖଣ୍ଡ-ସ୍ୱପରିଚୟଟି ମଧ୍ୟରେ ତଥାପି ପ୍ରତିଫଳିତ ହେବାରେ ଲାଗିଥାଏ, ସେଗୁଡ଼ିକର ସର୍ବବିଧ ଆକଳନ ମଧ୍ୟ କରେ ଏବଂ, ତାକୁ ଯେତେ ଅପ୍ରୀତିକର ବୋଧ ହେଉଥିଲେ ମଧ୍ୟ ସେଗୁଡ଼ିକର ଅଭୀଷ୍ଟ ଗୁଡ଼ିକ ଅନୁସାରେ କେତେଗୁଡ଼ିକୁ ଗ୍ରହଣ ବା ବର୍ଜନ ମଧ୍ୟ କରୁଥାଏ । ଲେଖକ ଆମ ପ୍ରତ୍ୟେକଙ୍କ ଭିତରର ସେହି ବିଶେଷ ସତ୍ତାଟିକୁ ହିଁ ଆମର ବ୍ୟକ୍ତିତ୍ୱ ବୋଲି କହିଛନ୍ତି ।

 

ତେଣୁ, ନ୍ୟାୟତଃ, ପୁସ୍ତକଟିରେ ପ୍ରଦତ୍ତ ହୋଇଥିବା ଚର୍ଚ୍ଚାଟି ଅନୁସାରେ ଆମର ସେହି ଭାବ ତଥା ଭାବସଂବେଗ ଗୁଡ଼ିକର ବିଜ୍ଞାନକୁ ହିଁ ଆମ ଚରିତ୍ର-ବିଷୟକ ବିଜ୍ଞାନ ବୋଲି କୁହାଯାଇ ପାରିବ,-ଆମ ଭିତରର ଏହି ଅନେକ ସଂଖ୍ୟାର ଖଣ୍ଡ-ପରିଚୟ ଗୁଡ଼ିକର ଅଧ୍ୟୟନକୁ । କେବଳ ସମନ୍ୱୟକାରୀ ସେହି ଗୋଟିଏ ସତ୍ତାର ଅଧ୍ୟୟନ ଆଦୌ ଯଥେଷ୍ଟ ହେବନାହିଁ । ସେହି ଯେଉଁ ଉପାଦାନଗୁଡ଼ିକୁ ନେଇ ଆମର ବ୍ୟକ୍ତିତ୍ୱ କର୍ମରତ ହୋଇ ରହିଛି,-ସେଗୁଡ଼ିକ କେଉଁପରି ଭାବରେ ଗଠିତ ହୋଇଛନ୍ତି, କେଉଁସବୁ ନିୟମର ଅଧୀନ ହୋଇ ସେଗୁଡ଼ିକର ବୃଦ୍ଧି ଏବଂ କ୍ଷୟ ଘଟିପାରୁଛି, ସେଗୁଡ଼ିକର ଯାବତୀୟ କ୍ରିୟା ଏବଂ ପ୍ରକ୍ରିୟାକୁ,-ସବୁକିଛିକୁ ଅଧ୍ୟୟନ କରିବା ଆବଶ୍ୟକ ହେବ ଏବଂ, ସଂପୂର୍ଣ୍ଣ ଭାବରେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର କ୍ରିୟାଶୀଳତା ହିସାବରେ । ସେମାନଙ୍କୁ ଗୋଟିଏ ବ୍ୟବସ୍ଥା ଭିତରେ ଏକାଠି ବାନ୍ଧି ରଖିଥିବା ସେଗୁଡ଼ିକ ପଛରେ ରହିଥିବା ରହସ୍ୟଟିକୁ ସଂପୂର୍ଣ୍ଣ ଭାବରେ ବାଦ୍ ଦେଇ । ଚରିତ୍ରର ଅଧ୍ୟୟନ କରୁଥିବା ସେହି ବିଜ୍ଞାନଟି ସେହି କାରଣରୁ ଆମ ବୁଦ୍ଧି ଏବଂ ଇଚ୍ଛାଶକ୍ତିର ସେହି ଦୁଇଟିଯାକ କ୍ଷେତ୍ରର ଅଧ୍ୟୟନ କରିବ । କୌଣସି ଗୋଟିଏକୁ ମଧ୍ୟ ଅନ୍ୟ କୌଣସିଟି ଠାରୁ ସ୍ୱାଧୀନ ବୋଲି ବିଚାର କରିବନାହିଁ,-ଆମ ଜୀବନର କୌଣସି ଏକ ଭାବ ତଥା ଭାବସଂବେଗର ବୋଲ ମାନୁଥିବା ଗୋଟିଏ ଗୋଟିଏ ଗଠନ ବୋଲି ହିଁ ଗ୍ରହଣ କରିବ-

 

ଚରିତ୍ର ଗୋଟିଏ କଥା ଏବଂ ଆଚରଣ ଆଉଗୋଟିଏ କଥା । ଲେଖକ କହିଛନ୍ତି, ଚରିତ୍ର ଭିତରର ସମ୍ପଦ ଓ ଆଚରଣ ବାହାରର । ଆଚରଣ ଆମର ଚରିତ୍ରକୁ ପ୍ରକାଶ କରି ଆଣେ ଓ ଚରିତ୍ର ଆଚରଣର ଉତ୍ସ ହୋଇ ରହିଥାଏ । ହଁ, ଆମେ ଅନ୍ୟମାନଙ୍କର ଆଚରଣକୁ ବାହାରୁ ଦେଖି ଜାଣିପାରୁ ସିନା, କିନ୍ତୁ ଚରିତ୍ର ବେଳକୁ ତାହା ହୋଇ ପାରେନାହିଁ । କିନ୍ତୁ ନିଜ ଭିତରକୁ ଅନ୍ତର୍ଚକ୍ଷୁ ପକାଇ ଆମେ ଆମ ନିଜର ଚରିତ୍ର ଉପରେ ଅବଶ୍ୟ ଦୃଷ୍ଟିପାତ କରିବାକୁ ସମର୍ଥ ହେଉ । ସେହି ଭିତରୁ ପରିଚାଳିତ ହୋଇ ଆମେ ନିଜର ପ୍ରଶଂସା କରିଥାଉ, ନିଜକୁ ଭର୍ତ୍ସନା ମଧ୍ୟ କରୁ । ଭିତରର ଭାବକ୍ଷେତ୍ରଟି ହିଁ ଆମର ଆଦର୍ଶ, ସଦ୍‌ଗୁଣ ଏବଂ ସତ୍‌କର୍ତ୍ତବ୍ୟଗୁଡ଼ିକର ନିର୍ଦ୍ଧାରଣ କରେ । ତାହା ହିଁ ଆମ ଆସ୍ପୃହାଗୁଡ଼ିକର ଉତ୍ସ, ଆଉ ସଂଶୟ ତଥା ଦ୍ୱନ୍ଦ୍ୱମାନେ ମଧ୍ୟ ସେହିଠାରୁ ଉତ୍ପନ୍ନ ହୋଇଥାଆନ୍ତି-। ଆମର କର୍ତ୍ତବ୍ୟବୋଧ ଏବଂ ଆମ ଉଚ୍ଚତମ ଇଚ୍ଛାଗୁଡ଼ିକୁ ଜାଗୃତ କରି ଆଣନ୍ତି । ବୟସର ବୃଦ୍ଧି ସହିତ ଚରିତ୍ର ମଧ୍ୟ ବୃଦ୍ଧିଲାଭ କରୁଥାଏ ଏବଂ ଏକ ନିର୍ଦ୍ଦିଷ୍ଟ ବୟସରେ ଉପନୀତ ହେଲେ ତାହା ପୂର୍ଣ୍ଣ ପରିପକ୍ୱତା ଲାଭ କରିଥାଏ । କିନ୍ତୁ ମିଜାଜମାନେ ଆରମ୍ଭରୁ ଶେଷଯାଏ ଯେଉଁପରି ସେହିପରି ହୋଇ ରହିଥାଆନ୍ତି ।

 

ପ୍ରାଚୀନ ଗ୍ରୀସ୍‌ର ଶ୍ରୀ ହିପୋକ୍ରାଟିସ୍‌ଙ୍କର ଏହି ସମ୍ପର୍କିତ ସିଦ୍ଧାନ୍ତଟିକୁ ଅନୁସରଣ କରି ସିଏ ତା’ପରେ ଏହି ମିଜାଜଗୁଡ଼ିକ ଚାରିପ୍ରକାର ବୋଲି ମତ ଦେଇଛନ୍ତି: (୧) ରକ୍ତପ୍ରଧାନ, ସବୁକିଛି ଉପରଠାଉରିଆ, ଅସ୍ଥାୟୀ, ଅଗଭୀର ଏବଂ କ୍ଷଣିକ (୨) ପିତ୍ତପ୍ରଧାନ, ଗଭୀର, ସ୍ଥାୟୀଭାବଯୁକ୍ତ, (୩) ସ୍ନାୟୁପ୍ରଧାନ, ମାନସ ସକଳ ସକ୍ରିୟତାରେ ଦ୍ରୁତ-ଧାବମାନ, ଅତ୍ୟନ୍ତ ସ୍ପର୍ଶକାତର ଏବଂ ଭାବସଂବଗର କ୍ଷେତ୍ରରେ ଅପେକ୍ଷାକୃତ ଅଧିକ ସଘନ ଏବଂ (୪) ଶ୍ଳେଷ ପ୍ରଧାନ,-ଅତ୍ୟନ୍ତ ମନ୍ଥର, ଏପରିକି ବେଳେବେଳେ ବଡ଼ ଉଦାସୀନ, ଏବଂ ନିରୁତ୍ସାହ । ତଥାପି, ମନୁଷ୍ୟମାନଙ୍କର ପ୍ରକୃତି ଏତେ ପରିବର୍ତ୍ତନ-ପ୍ରବଣ ଯେ କୌଣସି ଗୋଟିଏ ମନୁଷ୍ୟର ମିଜାଜ କେବଳ ଏହିପରି ଓ ଆଦୌ ଅନ୍ୟ କୌଣସିଟି ପରି ନୁହେଁ ବୋଲି ଆଦୌ କୁହା ଯିବନାହିଁ । ଏହିପରି ପାଞ୍ଚଶହ ଯାଏ ପୃଷ୍ଠାର ସମଗ୍ର ଗ୍ରନ୍ଥଟିଏ,-ଆମ ମନୁଷ୍ୟମାନଙ୍କର ଆଚରଣ ଏବଂ ଚରିତ୍ରକୁ ବୁଝିବା ସକାଶେ ଏବଂ, ନିଜର ବିଚାରାନୁମାନ ଗୁଡ଼ିକୁ ଏକ ଜ୍ୟାମିତିକ ଶୈଳୀଭିତରେ ପକାଇ । ସାହସକୁ ଏକ ଚରିତ୍ର ବୋଲି କୁହାଯାଇଛି ଏବଂ, ଭୀରୁତାକୁ ଏପରି ଏକ ଆତ୍ମକାମିତା ରୂପେ ସୂଚାଇ ଦିଆଯାଇଛି, ଯାହା ଆପଣାର ପ୍ରକୃତ ସମ୍ମାନ ଓ ପ୍ରକୃତ ଅଭୀଷ୍ଟଗୁଡ଼ିକୁ ସତେଅବା ଗୌଣ ବୋଲି ଗ୍ରହଣ କରି ଆପଣାର ଭୌତିକ ଅର୍ଥାତ୍ ଦୈହିକ ସୁରକ୍ଷା ବିଷୟରେ ହିଁ ସର୍ବଦା ଅଧିକ ମୂଲ୍ୟ ଦେଇ ଚିନ୍ତା କରିବାରେ ଲାଗିଥାଏ । ଏହି ସମ୍ପର୍କୀୟ ପ୍ରକୃତରେ ମନେ ରଖିବାର କଥାଟିଏ ଯେ, ଲେଖକ ଅନ୍ୟମାନଙ୍କର ହିତ ଏବଂ ନିରାପତ୍ତାକୁ ବରଂ ଅଧିକ ମୂଲ୍ୟ ଦେଇ ସେମାନଙ୍କ ନିମନ୍ତେ ଆବଶ୍ୟକ ହେଲେ ନିଜ ଜୀବନକୁ ବିପନ୍ନ କରିବାକୁ ହିଁ ଜଣେ ମନୁଷ୍ୟର ଚରିତ୍ରଗତ ସାହସ ବୋଲି ବର୍ଣ୍ଣନା କରିଛନ୍ତି ।

 

ପୁସ୍ତକଟିର ସର୍ବାଧିକ ପୃଷ୍ଠାରେ ମନୁଷ୍ୟମାତ୍ରେ ଆମେ ସମସ୍ତେ ପ୍ରାୟ ପଦେ ପଦେ ଅଙ୍ଗେ ନିଭାଉଥିବା ଭାବ ଓ ଅନୁଭବ ଗୁଡ଼ିକର ଠିକେ ଠିକେ ଚର୍ଚ୍ଚା କରାହୋଇଛି । ବହୁ ପ୍ରକାରଭେଦରେ ଆନନ୍ଦ, ନିରାନନ୍ଦ, ଭୟ, କ୍ରୋଧର ବିଶଦ ବର୍ଣ୍ଣନା କରାଯାଇଛି । ଉଦାହରଣ ସ୍ୱରୂପ,-ବିଶ୍ରାମଜନିତ ଆନନ୍ଦ, କର୍ମ କରିବାର ଆନନ୍ଦ, ଜ୍ଞାନ-ଉପାର୍ଜନର ଆନନ୍ଦ ଓ ସୌନ୍ଦର୍ଯ୍ୟାନୁଭୂତି ଜନିତ ଆନନ୍ଦ । ସେହିପରି ଆଉକିଛି ଅନୁଭବ, ଯଥା ଆଶା, ଉଦ୍‌ବେଗ, ବିଶ୍ୱାସସ୍ଥାପନ, ଘୃଣା ଏବଂ କାମନା । ଲେଖକଙ୍କର ମତ ଅନୁସାରେ, ଆନନ୍ଦ ଓ କାମନା, ଆତ୍ମପ୍ରତ୍ୟକ୍ଷ ଓ ଆତ୍ମସନ୍ତୋଷ,-ଏମାନେ ହେଉଛନ୍ତି ଗୋଟିଏ ଅନ୍ୟଟିର ବିରୋଧୀ । ସତେଅବା କୌଣସି ମାପଦ୍ୱାରା ମାପି ଓ ପରିମାଣଗୁଡ଼ିକର କମ୍‌ବେଶୀର ପରିଚୟ ପାଇ ସିଏ ଆନନ୍ଦ ଓ ପ୍ରୀତିଭାବର ମଧ୍ୟ କିଛି ବିଶ୍ଳେଷଣ କରିଛନ୍ତି । କାରଣ, ତାଙ୍କ ମତରେ, ଆମ ଆନନ୍ଦ ତଥା ପ୍ରୀତିର କ୍ଷେତ୍ରରେ ଆମରି ସେହି ଭାବଦୁଇଟି ବହୁସଂଖ୍ୟକ ବସ୍ତୁ ଉଦ୍ଦେଶ୍ୟରେ ବିଭାଜିତ ହୋଇଯାଏ, ଏବଂ ସେତେବେଳେ ଜଣକ ପ୍ରତି ଅଥବା ଗୋଟିଏ ବସ୍ତୁ ପ୍ରତି ରହିଥିବା ପ୍ରୀତି ସତେଅବା ଉପରଠାଉରିଆ ହେବାକୁ ଆରମ୍ଭ କରେ, ସତେଅବା ବେଶ୍ ଟଳମଟଳ ମଧ୍ୟ ହୋଇ ଯାଇଥାଏ, କେଡ଼େ ପ୍ରତ୍ୟୟର ସହିତ ଏକ ଅଧିକ ପ୍ରାଞ୍ଜଳ ବ୍ୟାଖ୍ୟା ଦେଇ ସେ ଆମକୁ ବୁଝାଇ ଦେବାକୁ ଇଚ୍ଛା କରିଛନ୍ତି ଯେ, ଆମେ ଯେତେ ଅଧିକ ସଂଖ୍ୟାର ବ୍ୟକ୍ତି ଅଥବା ବସ୍ତୁକୁ ଭଲ ପାଇବା, ତଦ୍ଦ୍ୱାରା ଆମର ପ୍ରୀତି-ପରିମାଣଟି ସେତିକି ଭାବରେ ବିଭାଜିତ ହିଁ ହୋଇଯିବ । ସେହି କଳନାଟି ଅନୁସାରେ ଲେଖକ ବିଶ୍ୱଜନପ୍ରୀତିକୁ ପ୍ରାୟ ଏକ ନିରର୍ଥକ ଅକଥା ବୋଲି ଘୋଷଣା ମଧ୍ୟ କରିଛନ୍ତି-

 

ଲେଖାଟି ମଧ୍ୟରେ ‘ବ୍ୟକ୍ତିତ୍ୱ’ ବିଷୟରେ ମଧ୍ୟ କିଞ୍ଚିତ୍ ଆଲୋଚନା ରହିଛି । ବ୍ୟକ୍ତିତ୍ୱ କହିଲେ ଆମର ଭାବସଂବେଗ ଏବଂ ଭାବଗୁଡ଼ିକର ଏକ ସମଷ୍ଟିକୁ ଆଦୌ ବୁଝାଇବ ନାହିଁ । ସେଗୁଡ଼ିକ ହେଉଛନ୍ତି ଆମ ଜୀବନର ଭିନ୍ନ ଭିନ୍ନ ଗୋଟିଏ ଗୋଟିଏ ବିଭାବ । କିନ୍ତୁ, ଲେଖକଙ୍କର ମତରେ ଆମ ପ୍ରତ୍ୟେକଙ୍କର ଗୋଟିଏ ଏକକ ବା ସଂପୂର୍ଣ୍ଣ ଆତ୍ମସତ୍ତା ମଧ୍ୟ ରହିଛି । ସଦା ରହସ୍ୟମୟ ସେହି ସଂପୂର୍ଣ୍ଣଟି ଆମ ଜୀବନର ସେହି ଭାବଗତ ବିଭାବଗୁଡ଼ିକ ବିଷୟରେ ମନନ କରୁଥାଏ, ସେଗୁଡ଼ିକର ମୂଲ୍ୟାୟନ କରେ ତଥା ସେଗୁଡ଼ିକର ଅଭୀଷ୍ଟ ମଧ୍ୟରୁ ଗୋଟିକୁ ବାଛି ନେଉଥାଏ ଏବଂ, ‘‘ସେଇଟି ହିଁ ଆମ ବ୍ୟକ୍ତିତ୍ୱର ଅସଲ ନିଦାନ ସତ୍ୟକଥାଟି ।’’ ମାତ୍ର, ଲେଖକ ସେହି ‘ସଂପୂର୍ଣ୍ଣ’ ଆତ୍ମସତ୍ତାଟିକୁ ଏହି ପୁସ୍ତକରେ ଏକ ଆଲୋଚ୍ୟ ବିଷୟରୂପେ ଗ୍ରହଣ କରିନାହାନ୍ତି । ସେଇଟି ନାନା ରହସ୍ୟଯୁକ୍ତ, ସେଇଥିଲାଗି । ତେଣୁ, ସେ ଏହି ବହୁସଂଖ୍ୟକ ଆତ୍ମସତ୍ତାର ଚର୍ଚ୍ଚା କରିଛନ୍ତି ଏବଂ ତାହାକୁ ଆମର ଚରିତ୍ର-ସମ୍ପର୍କିତ ବିଜ୍ଞାନ ବୋଲି ଅଭିହିତ କରିଛନ୍ତି । ସେ ‘ବିବେକ’ ବୋଲି ଯେଉଁ ଏକ ସ୍ୱତନ୍ତ୍ର କଥାଟିର ଉଲ୍ଲେଖ କରିଛନ୍ତି, ସେଇଟି, ତାଙ୍କରିଭାଷାରେ ଆମ ଭାବଚୟର କ୍ଷେତ୍ରରେ ଅଧୀକ୍ଷକ ରୂପେ କାର୍ଯ୍ୟ କରୁଥାଏ, ସେଗୁଡ଼ିକ ମଧ୍ୟରୁ କେତୋଟିକୁ ପ୍ରୋତ୍ସାହିତ କରେ ଓ କେତେଗୁଡ଼ିକୁ ନିଷିଦ୍ଧ କରି ରଖିଥାଏ । ଏହି ବିବେକନାମକ ବସ୍ତୁଟି ଆମେ ବାସ କରୁଥିବା ଆମ ସମାଜର ପ୍ରଭାବଟି ଦ୍ୱାରା ବାଧ୍ୟ ହୁଏ ବୋଲି ଲେଖକ ସୂଚନା ମଧ୍ୟ ଦେଇଛନ୍ତି ।

 

ବିଗତ ଶହେବର୍ଷ ମଧ୍ୟରେ ଏହି ପୃଥିବୀ କେତେ ନା କେତେ ବଦଳି ଯାଇଛି ଏବଂ ସେହି ଅନୁସାରେ ପୃଥିବୀକୁ ଅଧ୍ୟୟନ କରୁଥିବା ଆମର ଆଖିମାନେ । ବିଜ୍ଞାନର ଅନ୍ଦାଜ ଓ ଆୟତନମାନେ ବଦଳିଛନ୍ତି ଏବଂ, ଏହି ସବୁକିଛିର ପ୍ରଭାବରେ ବ୍ୟକ୍ତିତ୍ୱ ବିଷୟରେ ଆମର ଅବଧାରଣାଗୁଡ଼ିକ । ତେଣୁ ଚରିତ୍ର ତଥା ଆଚରଣ ବିଷୟରେ ଉପରେ ଉଲ୍ଲେଖ କରା ଯାଇଥିବା ପୁସ୍ତକଟିର ବକ୍ତବ୍ୟଗୁଡ଼ିକ ଆମକୁ ଏବେ ନିତାନ୍ତ ଅଳପ ଏବଂ ଅଚଳନ୍ତି ବୋଲି ବୋଧ ହେବା ପ୍ରକୃତରେ ସ୍ୱାଭାବିକ । କେବଳ ବିଜ୍ଞାନ ନୁହେଁ, ତଥାକଥିତ ପ୍ରୟୋଗଶାଳାର ଆଗର ଅର୍ଥମାନେ ମଧ୍ୟ ବଦଳି ଯାଇଛନ୍ତି ଏବଂ ଏହିପରି ବଦଳି ଯିବାରେ ହିଁ ଲାଗିଥିବେ । ତଥାପି, ସବୁଯୁଗ ପରି କାଳେକାଳେ ମଧ୍ୟ ଅଧ୍ୟୟନକାରୀମାନେ ରହିବେ, ଯେଉଁମାନେ କି ସେହି ପୁରୁଣା ପଦ୍ଧତିମାନଙ୍କୁ ଜାବୁଡ଼ି ରହିବେ, ଏହାହିଁ ବିଜ୍ଞାନ ଓ ଏହାହିଁ ବୈଜ୍ଞାନିକ ପଦ୍ଧତି ବୋଲି ଅଡ଼ି ବସିଥିବେ । ନିଜର ସେହି ପ୍ରୟୋଗଶାଳାକୁ ସତେଅବା ଗୋଟିଏ ପବିତ୍ର ଗୁମ୍ଫାଜ୍ଞାନରେ ଦେଖିବାରେ ଲାଗିଥିବେ । Scienceକୁ ନ୍ୟାୟତଃ ଏକ Scientismର ରକ୍ଷଣଶୀଳତା ମଧ୍ୟରେ ଛନ୍ଦି ରଖିଥିବେ । ମନୋବିଜ୍ଞାନ ଅର୍ଥାତ୍ ମନୁଷ୍ୟମାନଙ୍କର ମାନସିକ ମୂଲ୍ୟଜଗତ ଗୁଡ଼ିକର ଅଧ୍ୟୟନକୁ ଯେ ସେହି କାରଣରୁ କେତେ ନା କେତେ ପ୍ରକାରେ ବୈଚିତ୍ର୍ୟ ମଧ୍ୟ ଦେଇ ଗତି କରିବାକୁ ହୋଇଛି, ସେହି କାହାଣୀଟି ଆମକୁ ଆଦୌ ବିଚଳିତ କରି ପକାଇବା ଉଚିତ ହେବନାହିଁ । ତଥାପି, ଆଗକୁ ଆଗକୁ ମାର୍ଗମାନେ ଖୋଲି ଯାଇଛନ୍ତି, ଅନ୍ତଃଦୃଷ୍ଟିମାନେ ମିଳି ଯାଇଛନ୍ତି । ମନୋବିଜ୍ଞାନରେ ବହୁତ ବହୁତ ମତବାଦୀ ଆବିର୍ଭୂତ ହୋଇଛନ୍ତି । ତଥାପି ସତେଅବା ସଭିଙ୍କର ସହଯୋଗରେ କ’ଣ ସବୁ ଅନୁକ୍ଷଣ ଦାନା ବାନ୍ଧି ଯିବାରେ ଲାଗିଛନ୍ତି ଏବଂ ସତ୍ୟଗୁଡ଼ିକ ପ୍ରସାରିତ ହେବାରେ ଲାଗିଛନ୍ତି । ସତତ ପ୍ରସାରିତ ହୋଇ ପାରୁତିବାର ସେହି ଯେଉଁ ଗ୍ରହଣଶୀଳତା, ସମ୍ଭବତଃ ତାହାହିଁ ଆମର ଅସଲ ଉଦ୍‌ଘାଟନ ଗୁଡ଼ିକୁ ଘଟାଇ ଆଣିଛି । ବ୍ୟକ୍ତି ତଥା ବ୍ୟକ୍ତିତ୍ୱର ବିଶେଷ ଅଧ୍ୟୟନ ଓ ଅନୁସନ୍ଧାନର କ୍ଷେତ୍ରଟିରେ ମଧ୍ୟ ଆମେ ପ୍ରାୟ ସେହି କାହାଣୀଟିର ଉପାଦାନଗୁଡ଼ିକୁ ପାଇପାରିବା, ବହୁତ ପରିମାଣରେ ଏକ ପାରସ୍ପରିକ ପରିପୂରକତାର ।

 

ସବାଆଗ ଏହି ଭୌତିକ ଅସ୍ତିତ୍ୱଟିର ପୃଥିବୀଟି, ବାହ୍ୟ ଅର୍ଥାତ୍ ଆମ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ବୁଝିବା ଅର୍ଥରେ ସବୁଠାରୁ ଅଧିକ ସିଧା ପ୍ରତ୍ୟକ୍ଷ ହୋଇ ପାରୁଥିବାର ଏହି ପୃଥିବୀ । ବାହ୍ୟ ପୃଥିବୀଟି, ପଦାର୍ଥମାନଙ୍କର ପୃଥିବୀ । ତେଣୁ, ସବାଆଗ ପଦାର୍ଥବିଜ୍ଞାନ, Physics ଏବଂ ତାହାରି କାନ୍ଥପାଚେରୀ ଗୁଡ଼ିକୁ ଲାଗିଥିବା Chemistry ବା ରସାୟନ-ଶାସ୍ତ୍ର । ବିଜ୍ଞାନର ସର୍ବପ୍ରଥମ ଜୟଯାତ୍ରା ଏହି ଦୁଇଟିଯାକର ଉପଲବ୍ଧ ସତ୍ୟଗୁଡ଼ିକୁ ନେଇ । ଖୁବ୍ ଲୋଭନୀୟ ହୋଇଥିବ ସେହି ପର୍ଯ୍ୟାୟଟି । ପୂରା ମାପି ହେଉଛି, ପୂରା ଖଣ୍ଡ ଖଣ୍ଡ କରି ହେଉଛି, ଏବଂ ଆହୁରି ବଡ଼ କଥାଟିଏ ହେଉଛି ଯେ ସେଗୁଡ଼ିକୁ ନେଇ ଭବିଷ୍ୟବାଣୀମାନ କରିହେଉଛି । ବହୁତ ସାହସ ଆଣି ଦେଇଥିବ ସେହି ସଫଳତାଗୁଡ଼ିକ । ତେଣୁ, ସେହି ମାନଦଣ୍ଡଗୁଡ଼ିକର ସାହାଯ୍ୟ ନେଇ ଜୀବଜଗତର ମଧ୍ୟ ଅଧ୍ୟୟନ କରାଯାଇ ପାରିବ । ସେଇଥିରୁ ଉଦ୍‌ଭବ ହେଲା ଜୀବବିଜ୍ଞାନ ବା Biology ର: ପ୍ରଥମେ ଇତର ପ୍ରାଣୀମାନଙ୍କର ଏବଂ ଏକ ଖାସ୍ ଆତ୍ମପ୍ରତ୍ୟୟର ପ୍ରେରଣା ଲାଭ କରି । ପ୍ରୟୋଗଶାଳାର ଠିକ୍ ସେଇ ପୁରୁଣା ପରିମଳଜଗତ ବାଡ଼ଗୁଡ଼ିକର ଶୃଙ୍ଖଳା ମଧ୍ୟରେ । ପରମ ଉତ୍ସାହରେ ଏକ ସେହି କାଟର ମନୋବିଜ୍ଞାନକୁ ମଧ୍ୟ ହାତ ପାଇଗଲା । ବସ୍ତୁତଃ ବଡ଼ କୌତୁହଳପ୍ରଦ ସେହି ପର୍ଯ୍ୟାୟଟି । ମନୁଷ୍ୟ ଯେତେ ଯାହା ଯାହାସବୁ ହୋଇଥିଲେ ମଧ୍ୟ ତଥାପି ସବାମୂଳରେ ଗୋଟିଏ ପ୍ରାଣୀ,-ନାନା ଯାନ୍ତ୍ରିକ ପ୍ରକ୍ରିୟା ଓ ପ୍ରତିକ୍ରିୟା ଦ୍ୱାରା ଆପଣାର ଜୀବନଟିକୁ ଧାରଣ କରିଛି । ତେଣୁ, ଆମକୁ ଏତେ ଏତେ ଆଶୁ ଫଳଲାଭର ସଫଳତା ଆଣି ଦେଇଥିବା ଯାନ୍ତ୍ରିକ ଅବଲୋକନ ଏବଂ ଅବଧାରଣ ଦ୍ୱାରା ଆମେ ମନୁଷ୍ୟକୁ ମଧ୍ୟ ଅଲବତ ଜାଣିପାରିବା ଏବଂ ତା’ ଜୀବନର ସତ୍ୟଗୁଡ଼ିକ ସହିତ ପରିଚିତ ହୋଇପାରିବା । ଏହିପରି ଏକ ସାହସରେ ୧୮୭୯ ଖ୍ରୀଷ୍ଟାବ୍ଦରେ ଜର୍ମାନୀର ଶ୍ରୀଯୁକ୍ତ Wundt(୨) (ଉଚ୍ଚାରଣ-ଭୁଣ୍ଟ୍) ଯେତେବେଳେ ଲାଇପ୍‌ଜିକ୍ ସହରରେ ମନୋବିଜ୍ଞାନର ସର୍ବପ୍ରଥମ ପ୍ରୟୋଗଶାଳାର ପ୍ରତିଷ୍ଠା କରିଥିଲେ, ସେତେବେଳେ ମନୁଷ୍ୟମାନଙ୍କର ଇନ୍ଦ୍ରିୟ-କ୍ଷେତ୍ରୀୟ କେତେକ ପ୍ରକ୍ରିୟା ବିଷୟରେ କେତେକ ଟେକ୍‌ନିକ୍ ହିଁ ବାହାର କରିଥିଲେ । ମାତ୍ର ଜଣେ ବ୍ୟକ୍ତି ହିସାବରେ ମନୁଷ୍ୟ ବିଷୟରେ ଏକ ସମଗ୍ର-ବୋଧଯୁକ୍ତ ଅନୁସନ୍ଧାନ, ସେତେବେଳେ ତାହାର କୌଣସି ପ୍ରଶ୍ନ ହିଁ ନଥିଲା ।

 

ସେହି କାଳରୁ ଆଧୁନିକ କାଳଯାଏ ଯାହାକୁ Experimental Psychology ବୋଲି ଚିହ୍ନଟ କରାଯାଇ ଆସିଛି, ତେଣେ ଅନାଇବା ମାତ୍ରକେ ଖୁବ୍ ସ୍ପଷ୍ଟ ହୋଇଯିବ ଯେ, ସେଥିରେ ବ୍ୟକ୍ତିମାନଙ୍କର ଏଇଟା ଓ ସେଇଟା ବିଷୟରେ ବହୁ ଗବେଷଣା ହୋଇଛି ସତ, କିନ୍ତୁ ସେହି ଯାବତୀୟ ଏଇଟା ଏବଂ ସେଇଟାକୁ ଯେଉଁ ବ୍ୟକ୍ତି ବହନ କରୁଛି, ତେଣେ କୌଣସି ଧ୍ୟାନ ଦିଆ ଯାଇନାହିଁ । ଅକାରଣ ନାନା ଅଡ଼ୁଆ ଭିତରେ ଯାଇ ପଡ଼ିବାକୁ ହେବ, ସେହି ଆଶଙ୍କାରେ ପ୍ରୟୋଗାତ୍ମକ ମନୋବିଜ୍ଞାନ ତେଣେ ପ୍ରକୃତରେ ମନ କରିନାହିଁ କି ? ମନୁଷ୍ୟମାନେ ସତେ ଯେପରି କୁକୁର, ମୂଷା କିମ୍ବା ଏକ robot ଠାରୁ କୌଣସି ପ୍ରକାରେ ଭିନ୍ନ ନୁହେଁ, ସେହିପରି ଏକ ଅନ୍ଦାଜରେ ସେମାନଙ୍କର ଆଚରଣ ଇତ୍ୟାଦି ଉପରେ ଦୃଷ୍ଟିପାତ କରାଯାଇ ଆସିଛି । ମନୁଷ୍ୟ ବ୍ୟକ୍ତି ତଥା ବ୍ୟକ୍ତିତ୍ୱ ବିଷୟରେ ଏକ ନିର୍ଦ୍ଦିଷ୍ଟ ଅଧ୍ୟୟନ ମଧ୍ୟରେ ଆପଣାକୁ ତତ୍ପର ରଖିଥିବା ଶ୍ରୀ ଗର୍ଡନ୍ ଅଲ୍‌ବୋର୍ଟ (G.W. Allbert) ଏକଦା ଯେପରି କହିଥିଲେ, ମନୋବିଜ୍ଞାନର ପ୍ରୟୋଗଶାଳା ମାନଙ୍କରେ ଆମେରିକା ଦେଶରେ ମନୁଷ୍ୟମାନଙ୍କର ଯେତେ ଅଧ୍ୟୟନ କରାଯାଏ, ତା’ଠାରୁ ଅଧିକତର ସଂଖ୍ୟାରେ ମୂଷା, ମାଙ୍କଡ଼ ଓ ଅନ୍ୟ ଇତରପ୍ରାଣୀ ମାନଙ୍କର ଅଧ୍ୟୟନ କରା ଯାଇଥାଏ । ତାଙ୍କରି ଭାଷାରେ କହିଲେ, ‘‘ସତେଅବା ଏକ ଧର୍ମବତ୍ ଅନୁରାଗରେ କେତେ ମନୋବିଜ୍ଞାନୀ ପଦାର୍ଥବିଜ୍ଞାନ, ରସାୟନଶାସ୍ତ୍ର ଏବଂ ଶରୀରବିଜ୍ଞାନର କାଇଦା ଏବଂ ଯନ୍ତ୍ରସରଞ୍ଜାମ ମାନଙ୍କୁ ଆଣି କାମରେ ଲଗାଉଛନ୍ତି । ଏହିସବୁ ଉପକରଣର ସାହାଯ୍ୟରେ ମନୁଷ୍ୟମାନଙ୍କର ଅଧ୍ୟୟନ କରି ସେମାନେ ପ୍ରକୃତରେ ବିଶୁଦ୍ଧ ଭାବରେ ବିଜ୍ଞାନର ଶୃଙ୍ଖଳା ଭିତରେ ରହିଥିବା ପରି ଅନୁଭବ କରୁଛନ୍ତି ଏବଂ ଏହିପରି ଭାବରେ ନିଜକୁ ସମ୍ମାନିତ ବି ଅନୁଭବ କରୁଛନ୍ତି ।

 

ଏହି ସନ୍ଦର୍ଭରେ ଏଠାରେ ଆମେ ଶ୍ରୀ ଓ୍ୱାଟ୍‌ସନ୍ (John B. Watson) ଏବଂ ଶ୍ରୀଯୁକ୍ତ ପାଭ୍‌ଲଭ୍ (Ivan Pavlov)ଙ୍କର ଉଲ୍ଲେଖ କରିପାରିବା । ଜଣେ ଆମେରିକାର ଓ ଅନ୍ୟଜଣେ ରୁଷିଆର । ଉଭୟେ ବିଂଶ ଶତାବ୍ଦୀର ଏକାବେଳେକେ ପ୍ରଥମ ଚରଣର । ଶ୍ରୀଯୁକ୍ତ Watson ସଂକଳ୍ପବଦ୍ଧ ହୋଇ ତାଙ୍କ ଭାଷାରେ ସେହି ମନୁଷ୍ୟନାମକ ପ୍ରାଣୀର ଆଚରଣକୁ ଅଧ୍ୟୟନ କରିବାରେ (‘the human animal before me’) ବ୍ରତୀ ହୋଇଥିଲେ । ଜୀବବିଜ୍ଞାନୀମାନେ ଯେପରି ଇତରପ୍ରାଣୀ ମାନଙ୍କର ଅଧ୍ୟୟନ କରନ୍ତି, ସେହିପରି । ମନୁଷ୍ୟବିଚାରରେ ‘ମନ’ ବୋଲି ପୁଣି ଗୋଟିଏ ବସ୍ତୁ ଅଛି ତ ! ତେଣୁ ‘ମନ’ ବୋଲି ସେହି ଶବ୍ଦଟିକୁ ସେ ସର୍ବଦା ଘୃଣା କରୁଥିଲେ । ତାଙ୍କର ଆଚରଣବାଦ (Behaviorism) ନାମକ ସେହି ସିଦ୍ଧାନ୍ତଟି ମନୋବିଜ୍ଞାନକୁ ଏକ ଭୌତିକ ବିଜ୍ଞାନରେ ପରିଣତ କରିବାର ସଂକଳ୍ପ ଗ୍ରହଣ କରିଥିଲା-। ଓ୍ୱାଟ୍‌ସନ୍ ଲେଖିଛନ୍ତି: ଯଦି ପରିବେଶରେ ପୂର୍ଣ୍ଣ ନିୟନ୍ତ୍ରଣର ଦାୟିତ୍ୱ ମୋତେ ଦିଆଯାଏ, ତେବେ ଯେକୌଣସି ସାଧାରଣ ଏକ ମନୁଷ୍ୟଶିଶୁକୁ ମୁଁ ମୋ’ ଇଚ୍ଛା ଅନୁସାରେ ଜଣେ ଡାକ୍ତର, ଆଇନ୍‌ଜୀବୀ, କଳାକାର, ବ୍ୟବସାୟୀ ଏବଂ ଏପରିକି ଗୋଟିଏ ଭିକାରୀ ବା ଚୋର ରୂପେ ଗଢ଼ି ଆଣି ପାରିବି । ସେହି ଶିଶୁଟିର ପ୍ରତିଭା, ପ୍ରବୃତ୍ତି, ସମର୍ଥତା ଏବଂ ତା’ ପୂର୍ବବଂଶକ ମାନଙ୍କର ବୃତ୍ତି ଅଥବା ଜାତି ଯେପରି ହୋଇଥାଉ ପଛକେ, ତଥାପି କୌଣସି ବ୍ୟତିକ୍ରମ ହେବନାହିଁ । ରୁଷିଆର ପାଭ୍‌ଲଭ୍ କୁକୁରମାନଙ୍କର ଆହାର ଗ୍ରହଣ କରିବାର ଆଚରଣ ଗୁଡ଼ିକର ପର୍ଯ୍ୟବେକ୍ଷଣ କରୁ କରୁ ମନୁଷ୍ୟମାନେ କିପରି କୌଣସି ଗୋଟିଏ ଶିକ୍ଷା ଗ୍ରହଣ କରନ୍ତି, ସେହି ବିଷୟରେ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଆସି ଉପନୀତ ହୋଇଥିଲେ । ମନୁଷ୍ୟମାନଙ୍କର ଯେ ମନ ନାମକ ଏକ ଖାସ୍ ଗବାକ୍ଷ ରହିଛି, ପାଭ୍‌ଲଭ୍ ତାହା ସ୍ୱୀକାର କରୁନଥିଲେ । କଥିତ ଅଛି, ତାଙ୍କର ପ୍ରୟୋଗଶାଳାରେ ମନ ତଥା ସେହି ମନ ସହିତ ସମ୍ବନ୍ଧ ରହିଥିବା କୌଣସି ଶବ୍ଦର ଉଚ୍ଚାରଣ କଲେ ମଧ୍ୟ ସେ ନିଜର ଛାତ୍ରମାନଙ୍କୁ ଜୋରିମାନା ଦେବାକୁ ମଧ୍ୟ ବାଧ୍ୟ କରୁଥିଲେ । ଅବଶ୍ୟ ଶ୍ରୀ ପାଭ୍‌ଲଭ୍ ପରେ (୧୯୨୮) ତାଙ୍କର ସେହି କୁକୁରମାନଙ୍କ ମଧ୍ୟରେ ବି ବହୁ ପରିମାଣରେ ପାର୍ଥକ୍ୟମାନ ରହିଥିବାର ଲକ୍ଷ୍ୟ କରି ପାରିଥିଲେ । ସେହି କୁକୁରମାନେ ସତେଅବା ଗୋଟିଏ ଗୋଟିଏ ତୁଚ୍ଛା ଯନ୍ତ୍ର ପରି ଆଚରଣ କରୁନଥିଲେ ।

 

ସେହି ବିଶ୍ୱାସଟିକୁ ଦୀକ୍ଷାରୂପେ ଗ୍ରହଣ କରିଥିବା ଶ୍ରୀ ଫେକନର (Gustar Fechner) (୩) ୧୮୬୦ ମସିହାରେ ଏହି ସମଗ୍ର କ୍ଷେତ୍ରଟିକୁ କେଡ଼େ ଉତ୍ସାହର ସହିତ Psychophysics ବୋଲି ନାମିତ କରିଥିଲେ । ସ୍ପଷ୍ଟତଃ ଏହି ଦୃଷ୍ଟିକୋଣଟିକୁ ଅଧ୍ୟୟନର କ୍ଷେତ୍ରରେ ଏକ ପ୍ରମାଦ ବୋଲି ହୃଦୟଙ୍ଗମ କରୁଥିବା ସେହି ଜର୍ମାନୀର ଶ୍ରୀ ଡିଲ୍‌ଥାଇ (Wilhelm Dilthey) ଏକ ବିକଳ୍ପ ସମାଧାନର ଉପସ୍ଥାପନା କରି ବିଜ୍ଞାନର ସମଗ୍ର ଆଗ୍ରହଟିକୁ ଦୁଇ ପ୍ରକାରଭେଦରେ ଦର୍ଶାଇ ଦେବାର ପ୍ରୟାସଟିଏ ଆରମ୍ଭ କରି ଦେଇଥିଲେ: ସେଗୁଡ଼ିକୁ ସେ Naturwissenschaften ଏବଂ Geisteswissenschaften,-ଗୋଟିଏ ହେଉଛି ଭୌତିକ ପ୍ରକୃତି-ସତ୍ୟର ଅଧ୍ୟୟନ ଓ ଅନ୍ୟଟି ମାନସସତ୍ୟ ଗୁଡ଼ିକର ଅଧ୍ୟୟନ । ମନୁଷ୍ୟକୁ ନେଇ ଯାବତୀୟ ଅଧ୍ୟୟନ ଭୌତିକ ବିଜ୍ଞାନର ପ୍ରୟୋଗଶାଳାରେ ସମ୍ଭବ ହେବନାହିଁ । ମନୁଷ୍ୟ-ଜୀବନର ଏକ ଭୌତିକ ଜୀବନଭୂମି ଅବଶ୍ୟ ରହିଛି, କିନ୍ତୁ ଏକ ଅନ୍ତର୍ଗତ ଜୀବନର ଅନ୍ୟ ଆହ୍ୱାନ ଏବଂ ଅନ୍ୟ ଆବେଦନମାନେ ମଧ୍ୟ ରହିଛନ୍ତି ଏବଂ ତାହାର ଭୌତିକ ଜୀବନଦିଗଟିକୁ ମଧ୍ୟ ତାହାରି ସନ୍ଦର୍ଭ ଉପରେ ବୁଝିବାକୁ ହେବ । ବୁଝିବା,-ଜର୍ମାନ୍ ଭାଷାରେ Verstehen: ଶ୍ରୀଯୁକ୍ତ ଡିଲ୍‌ଥାଇଙ୍କର ବ୍ୟାଖାଅନୁସାରେ ବୁଝିବା ଜାଣିବାଠାରୁ ଅନେକ ଅଧିକ, ଅନେକ ବହୁପ୍ରସ୍ଥଯୁକ୍ତ । କେବଳ ମସ୍ତିଷ୍କବୁଦ୍ଧିର ଆଦୌ ଏକ କାରବାର ନୁହେଁ,-ସେଥିରେ ଏକ ଅନ୍ତରଙ୍ଗତା ରହିବ, ସହୃଦୟତା ରହିବ, ସହାନୁଭବ ମଧ୍ୟ ରହିବ । ଏକ ସଂପୂର୍ଣ୍ଣ ଭାବରେ ଅନ୍ୟ ଆବେଦନ, ତେଣୁ ଆହ୍ୱାନ ।

 

କେବଳ Knowing ନୁହେଁ, Understanding: ଡିଲ୍‌ଥାଇ ସ୍ୱୟଂ ପ୍ରଦାନ କରିଥିବା ସଂଜ୍ଞାଟି ଅନୁସାରେ, Understanding is the rediscovery of the I in the Thou,-ଯେତେବେଳେ ଆମର ଅସ୍ମିତା ମୋ’ ଖାସ୍‍ ସେଇ ସୀମାଟିର ବାହାରେ ରହିଥିବା ଜାଗତିକ ଜୀବନଟି ମଧ୍ୟରେ ଆପଣାର ପୁନରାବିଷ୍କାର କରେ ସେତେବେଳେ ଯାଇ ସିଏ ବୁଝେ । ଏହି ସବୁକିଛିକୁ ଆବିଷ୍କାର କଲେ ଯାଇ ଆପଣାକୁ ମଧ୍ୟ ଅଧିକତର ସଂଗତି ଓ ସଂପୃକ୍ତି ସହିତ ଚିହ୍ନିପାରେ । ଆପଣାକୁ ସତେଅବା ଗୋଟିଏ ଦ୍ୱୀପ ବୋଲି ଗ୍ରହଣ କରିନେଇ ସେହି ଖାସ୍ ଗଣିତଟାର ବୁଦ୍ଧିରେ ଜୀବନ ବଞ୍ଚୁଥିବା ମନୁଷ୍ୟମାନେ ଅନ୍ୟ ମନୁଷ୍ୟମାନଙ୍କୁ କାର୍ଯ୍ୟତଃ ଗୋଡ଼ିମାଟି ପରି ଦେଖନ୍ତି । ଖୁବ୍ ସମ୍ଭବ ଆପଣାକୁ ମଧ୍ୟ କେଉଁ ଦୁର୍ବୁଦ୍ଧିଗୁଡ଼ିକର ତାଡ଼ନାରେ ପଡ଼ି ଗୋଡ଼ିମାଟି ବୋଲି ଅନୁଭବ କରୁଥାନ୍ତି କି ? ପ୍ରୟୋଗଶାଳାର ଇତର ପ୍ରାଣୀମାନଙ୍କ ପରି ମନୁଷ୍ୟମାନଙ୍କର ଅଧ୍ୟୟନ କରୁଥିବା ଏବଂ ଭୌତିକ ବିଜ୍ଞାନର ଶୃଙ୍ଖଳାସୀମାଟି ମଧ୍ୟରେ ରହି ଅଧ୍ୟୟନରତ ହୋଇ ରହିଥିବା ନେତ୍ରମାନେ ମନୁଷ୍ୟମାନଙ୍କର କେବଳ ଗୋଟିଏ ଅଂଶକୁ ହିଁ ଦେଖନ୍ତି ଓ ସେହି ଅଂଶଗୁଡ଼ିକର ପରୀକ୍ଷା ଓ ନିରୀକ୍ଷାଦ୍ୱାରା ମାପି ଚୁପି ସେତିକିରୁ ହିଁ ମନୁଷ୍ୟଟିର ବିଚାର କରନ୍ତି । ସେମାନେ ସେହି ଖଣ୍ଡଜ୍ଞାନକୁ ବିଜ୍ଞାନ ବୋଲି ଗ୍ରହଣ କରିନିଅନ୍ତି । ଜଣେ ମନୁଷ୍ୟବ୍ୟକ୍ତି ଧର୍ମତଃ ଏହି ଖଣ୍ଡଗୁଡ଼ିକର ସମଷ୍ଟି ନୁହେଁ । ସିଏ ଏକ Person, ଏକ ବ୍ୟକ୍ତି, ଏକ ସମ୍ପୂର୍ଣ୍ଣ ଅସ୍ତିତ୍ୱ । ଶ୍ରୀଯୁକ୍ତ ଉଇଲିଅମ୍ ଷ୍ଟର୍ନ୍‌ଙ୍କ (Stern) ଭାଷାରେ ଏକ Unitas multiplex,-ବହୁ ଗବାକ୍ଷଯୁକ୍ତ ଏକ ପୂର୍ଣ୍ଣ ସତ୍ତା । ତେଣୁ, ଖୁବ୍ ବୁଝି ହେବ ଯେ ମନୋବିଜ୍ଞାନ ନାମକୁ କ୍ରମବିବର୍ତ୍ତିତ ହୋଇ ଆସିଥିବା ପୃଥିବୀଯାକର ଅଧ୍ୟୟନଗତ ଆଗ୍ରହ କ୍ରମଶଃ ସେହି ମନୁଷ୍ୟ-ବ୍ୟକ୍ତିଟି ଆଡ଼କୁ ସଂକେନ୍ଦ୍ରିତ ହୋଇ ଆସିବାରେ ଲାଗିଛି । ପୁରୁଣା ପ୍ରୟୋଗଶାଳା ଗୁଡ଼ିକ ମଧ୍ୟ ରହିଛନ୍ତି । ସେମାନେ ମନୁଷ୍ୟମାନଙ୍କୁ ଖଣ୍ଡିଆ କରି ଦେଖୁଛନ୍ତି । ମନୁଷ୍ୟକୁ ଏକ Unitas ଭାବରେ ଦେଖିବାକୁ ସମ୍ଭବତଃ ବିପଜ୍ଜନକ ବୋଲି ବିଚାରୁଛନ୍ତି । ପୃଥିବୀଟାକୁ ମୁଖ୍ୟତଃ ଆପଣାର ଖାସ୍ ମନାସଗୁଡ଼ିକର ସାଧନରେ ବ୍ୟବହାର କରି ଆସିଥିବା ନ୍ୟସ୍ତସ୍ୱାର୍ଥମାନେ ନିଶ୍ଚୟ ପ୍ରୟୋଜନରେ ପଡ଼ି ତାହା କରିଛନ୍ତି । ମଣିଷକୁ ବୁଝିବା, ତାହା ହେଉଛି ଯେକୌଣସି ପରିପୂର୍ଣ୍ଣ ବିଜ୍ଞାନର ଆହ୍ୱାନ । ତାକୁ ଖାସ୍ ପ୍ରୟୋଜନ ମାନଙ୍କରେ ଲଗାଇବା ଏବଂ ତେଣୁ ପ୍ରୟୋଜନତଃ ଖଣ୍ଡିଆ କରି ଦେଖିବା, ମାପି ଚୁପି ଆମେ କାମରେ ଲଗାଇବାକୁ ଇଚ୍ଛା କରୁଥିବା ଏହି ଖଣ୍ଡଟି ଉପଯୁକ୍ତ କି ନାହିଁ, ସେଇଟିର ନିର୍ଣ୍ଣୟ କରିବା ହେଉଛି ରାଷ୍ଟ୍ରର ଆବଶ୍ୟକତା, ଆମର ଏହି ପଣ୍ୟଧର୍ମୀ ଖାସ୍ ପୃଥିବୀଟିର ଆବଶ୍ୟକତା ।

 

ମନୁଷ୍ୟବ୍ୟକ୍ତି ସମ୍ପର୍କରେ କେତେମନ୍ତେ ଖଣ୍ଡ-ଅଧ୍ୟୟନକୁ ନେଇ ମନୋବିଜ୍ଞାନର ପ୍ରୟୋଗକ୍ଷେତ୍ରରେ କେତେ ନା କେତେ ପ୍ରୟାସମାନ କରାଯିବାରେ ଲାଗିଛି । ସେତଯେପରି ମନୁଷ୍ୟବ୍ୟକ୍ତି କହିଲେ କେତୋଟି ପ୍ରକାର ସାମର୍ଥ୍ୟର ସମଷ୍ଟିକୁ ବୁଝାଉଛି । ତୁମର ଯେଉଁଟି ଅଥବା ଯେତିକି ଦରକାର, ତୁମେ ସେତିକିର ପରୀକ୍ଷା କରିବ, ସେତିକିକୁ ଉଖାରି ଦେଖିବ । ବାକିଗୁଡ଼ିକରେ ମୋଟେ ମୁଣ୍ଡ ପୂରାଇବ ନାହିଁ । ଯେତିକି ଦରକାର, ସେତିକି ଜାଣିବାଲାଗି ଖାସ୍ କିସମର ପ୍ରଶ୍ନାବଳୀ ତିଆରି କରିବ, କେବଳ ସେତିକି ମତଲବରେ ସଂପୃକ୍ତ ବ୍ୟକ୍ତିମାନଙ୍କ ସହିତ କଥାବାର୍ତ୍ତାମାନ କରିବ । ଏହାଦ୍ୱାରା ତୁମେ ଇଚ୍ଛା କରୁଥିବା କ୍ଷେତ୍ରଟିରେ ବହୁ ତଥ୍ୟର ଉଦ୍‌ଘାଟନ କରିପାରିବ ଏବଂ ତଦ୍ଦ୍ୱାରା ବ୍ୟକ୍ତିମାନଙ୍କର ଯୋଗ୍ୟତା ବା ଅଯୋଗ୍ୟତାର ପରିଚୟ ପାଇଯାଇ ପାରିବ । ଏହି କ୍ଷେତ୍ରମାନଙ୍କରେ ବିଶେଷଜ୍ଞମାନେ ସଂପୂର୍ଣ୍ଣ ଭାବରେ ବିଶ୍ୱାସ କରନ୍ତି ଯେ, ତୁମେ ଅବଶ୍ୟ ସଫଳତା ଲାଭ କରିବ । ଅର୍ଥାତ୍ ପ୍ରକୃତରେ ନୈପୁଣ୍ୟଯୁକ୍ତ ବ୍ୟକ୍ତିମାନଙ୍କୁ ବାଛିନେଇ ପାରିବ । ସେମାନେ ସମ୍ଭବତଃ ମନୁଷ୍ୟମାନଙ୍କୁ ଗୋଟିଏ ଜଙ୍ଗଲ ପରି ଦେଖନ୍ତି ଓ ବିଚାର କରନ୍ତି, ଯାହାଭିତରେ ପଶି ତୁମେ ଖାସ୍ କିସମର ଗଛମାନଙ୍କୁ ନିଜର ଯୋଜନା ଅନୁସାରେ ଠାବ କରିପାରିବ; ସେହି ଗଛଗୁଡ଼ିକୁ ଚିହ୍ନଗ କରିବ ଅର୍ଥାତ୍ ଅନ୍ୟଗୁଡ଼ିକୁ ଦେଖି ମଧ୍ୟ ଦେଖିବନାହିଁ । ସତେଯେପରି ଗୋଟାଏ ଗୋରୁଗୋଠ ମଧ୍ୟରୁ ତୁମେ ତଲାଶ କରୁଥିବା ଗାଈଟିକୁ ଚିହ୍ନି ପଘାରେ ବାନ୍ଧି ଆଣି ପାରିବ । ସେହିସବୁ କ୍ଷେତ୍ରରେ ଖୁବ୍ ସମ୍ଭବ ଧରି ନିଆଯାଏ ଯେ, ତୁମେ ଯେଉଁ ନିର୍ଦ୍ଦିଷ୍ଟ ଗଛଟିକୁ ଖୋଜୁଛ, ସେଇଟିକୁ ପାଇବ ବୋଲି ତୁମେ ଜଙ୍ଗଲ ଭିତରକୁ ଯାଇଛ । କଥାଟି ଶୁଣିବା ସମୟରେ ନିଶ୍ଚୟ କେମିତି କେମିତି ଲାଗୁଥିବ ସିନା, କିନ୍ତୁ ପ୍ରାୟୋଗିକ ମନୋବିଜ୍ଞାନ କହିଲେ ଆମ ବହୁତଙ୍କ ସକାଶେ ହୁଏତ ମୋଟାମୋଟି ସେହିପରି କିଛି ଅବିଚାରକୁ ବୁଝାଇଥାଏ ।

 

କିନ୍ତୁ, ବିଚାର ବା ଅବିଚାର ଯାହା ହୋଇଥାଉ ପଛକେ, ବାସ୍ତବ କ୍ଷେତ୍ରରେ ତାହା ବହୁତ କାମ ଦେଉଛି । ଆମେ ଯେଉଁଗୁଡ଼ିକୁ ବା ଯାହାକୁ ବାସ୍ତବ ବୋଲି କୌଣସି କାରଣରୁ ସ୍ୱୀକାର କରି ନେଇଛୁ, ସେହିଗୁଡ଼ିକର ତଥା ତାହାରି କ୍ଷେତ୍ରରେ ଏବଂ, ଆମ ପ୍ରୟୋଜନଗୁଡ଼ିକର ପ୍ରୀତ୍ୟର୍ଥେ ଯାହାକିଛି ଆମେ ମାନୁଥିବା ବାସ୍ତବର କ୍ଷେତ୍ରରେ ମନଲାଖି କାମଗୁଡ଼ିକୁ ଅବଶ୍ୟ ଦେବ, ତାହାହିଁ ତେବେ ବିଜ୍ଞାନ ? ସମ୍ଭବତଃ ସେହିପରି କୌଣସି କାରଣରୁ ଆମର ଏହି ଯାବତୀୟ ଗୁଜରାଣ ଗୁଡ଼ିକର କ୍ଷେତ୍ରରେ ଟେକ୍‌ନୋଲଜିଟା ବସ୍ତୁତଃ ଯାବତୀୟ ବିଜ୍ଞାନକୁ ମାଡ଼ି ବସିଛି । ପାଶ୍ଚାତ୍ୟ ଆଧୁନିକ ବାସ୍ତବତାଟି ପଥପ୍ରଦର୍ଶନ କରିବାରେ ଲାଗିଛି ଏବଂ ଏଠାରେ ଆମ ଦେଶରେ ମଧ୍ୟ ଆମେ ସେହି ମାର୍ଗଟିକୁ ଆଦରି ନେଇଛୁ । ଆମର ଯେଉଁ ପ୍ରୟୋଗପୀଠମାନେ ବିଜ୍ଞାନ ଓ ବିଜ୍ଞାନ-କୌଶଳର ଅଧ୍ୟୟନ ନିମନ୍ତେ ଅଛନ୍ତି, ସେମାନେ ସେହି ମୂଳରୁ ହିଁ ଅନେକତଃ ସେହିପରି ଆଚରଣ ଇତ୍ୟାଦିକୁ ଆଦରି ନେଇଛନ୍ତି ଏବଂ କହିବା ବାହୁଲ୍ୟ, ମନୋବିଜ୍ଞାନର କ୍ଷେତ୍ରରେ ମଧ୍ୟ ସେହି ଧର୍ମଟା ହିଁ ରାଜତ୍ୱ କରିବାରେ ଲାଗିଛି । ମନୁଷ୍ୟବ୍ୟକ୍ତିର ବ୍ୟକ୍ତିତ୍ୱକୁ ଏକ ଅଧ୍ୟୟନକ୍ଷେତ୍ର ରୂପେ ସମ୍ଭବତଃ ଭାରତବର୍ଷର କୌଣସି ବିଶ୍ୱବିଦ୍ୟାଳୟ ଅନୁଶୀଳନର ଏକ ଆବଶ୍ୟକ ସାମଗ୍ରୀରୂପେ ଗ୍ରହଣ କରି ନେଇାନାହିଁ । ସେହି କ୍ଷେତ୍ରଟିରେ ଭାରତୀୟ ପୁରାତନ ଜ୍ଞାନଜିଜ୍ଞାସାର କେତେ ପ୍ରକାରର ଅବଦାନ ରହିଛି, ତେଣିକି ଧ୍ୟାନ ଦେବା ତ ସ୍ପଷ୍ଟତଃ ଆହୁରି ଅଧିକ ଦୂରର ବ୍ୟାପାର । ଏକ ବିକାଶଶୀଳ ଦେଶରେ ସକଳ ସନ୍ଦର୍ଭ ଏବଂ ସନ୍ତର୍ପଣରେ ଯେ ଯେକୌଣସି ବିଜ୍ଞାନର ପ୍ରୟୋଗାତ୍ମକ ଦିଗଟିର ତାତ୍କାଳିକ ଅଧିକ ଚାହିଦା ରହିଛି, ରାଷ୍ଟ୍ରର ବ୍ୟବସ୍ଥାପକମାନେ ସେଇ ସତ୍ୟଟିକୁ ସଂପୂର୍ଣ୍ଣ ଭାବରେ ନିଶ୍ଚୟ ଉପଲବ୍ଧି କରୁଥିବେ । ପୁନଶ୍ଚ, ଆମ ଆକଳନରେ ତ ବିଜ୍ଞାନଗୁଡ଼ିକର କ୍ଷେତ୍ରରେ ମନୋବିଜ୍ଞାନ ତ ନ୍ୟାୟତଃ ସବାଶେଷରେ ଯାଇ ରହିଥିବ ଏବଂ ଏପରିକି ପାକଳ ମନୋବିଜ୍ଞାନୀମାନେ ମଧ୍ୟ ମନୁଷ୍ୟ-ବ୍ୟକ୍ତିତ୍ୱର ଅଧ୍ୟୟନକୁ ପୂରା ସବାଶେଷରେ ଯାଇ ରଖିଥିବେ ।

 

ବେଶ୍ ମନେ ଅଛି, ୧୯୫୧-୫୨ ବେଳେ ଡେନ୍‌ମାର୍କର ଆମ ବିଶ୍ୱବିଦ୍ୟାଳୟରେ ଆମ ପ୍ରୟୋଗାତ୍ମକ ଅଧ୍ୟୟନର ଏକ ଅଂଶରୂପେ ସୈନ୍ୟବାହିନୀରେ ବ୍ୟୋମଯାନ-ଚାଳକ ରୂପେ ପ୍ରଶିକ୍ଷଣ ଲାଭ କରିବାର ପ୍ରତ୍ୟାଶୀ କେତେକ ଯୁବକଙ୍କୁ ଆମେ ପରୀକ୍ଷା କରୁଥିଲୁ । ଏମାନେ ଯୋଗ୍ୟ ବୋଲି ପ୍ରମାଣପତ୍ରଟିଏ ପାଇଲେ ସେହି ସୁଯୋଗଟିକୁ ପାଇପାରିବେ । ସେହି ଯୁବକମାନଙ୍କର ଏକ ନିଷ୍ପତ୍ତିମୂଳକ ଅବସର । ଭାରି ନୈର୍ବ୍ୟକ୍ତିକ ଏବଂ କୌତୁହଳମୟ ସେହି ଯାବତୀୟ ପ୍ରୟୋଗାତ୍ମକ ପରୀକ୍ଷା ଇତ୍ୟାଦି । ସକଳ ପରୀକ୍ଷଣର ସତେଅବା ଏକ ଶାସ୍ତ୍ରୀୟ ଗାମ୍ଭୀର୍ଯ୍ୟ ମଧ୍ୟ ରହିଥିଲା । ଯେଉଁମାନେ ପରୀକ୍ଷାରେ ବସିଛନ୍ତି ଏବଂ ଯେଉଁମାନେ ପରୀକ୍ଷା କରୁଛନ୍ତି, ପ୍ରତ୍ୟେକ ପକ୍ଷ ପୂର୍ଣ୍ଣ-ସଚେତନ । ମାତ୍ର ପରସ୍ପର ସମ୍ବନ୍ଧରେ ମୋଟେ ନୁହନ୍ତି । ବ୍ୟକ୍ତିରୂପେ ପରସ୍ପରକୁ ଦେଖିବାଟା ହିଁ ପ୍ରୟୋଗଗତ ବୈଜ୍ଞାନିକ ଶୃଙ୍ଖଳା ଇତ୍ୟାଦିର ଘୋର ବିରୋଧୀ । ତେଣୁ ଗୋଟାସୁଦ୍ଧା ଏକ ଯାନ୍ତ୍ରିକ ସମ୍ପର୍କ । ପରୀକ୍ଷକ ମାନଙ୍କ ଲାଗି ଅନ୍ୟ ପକ୍ଷଟି ଗୋଟିଏ କାଗଜ ଉପରେ ଲେଖା ହୋଇ ରହିଥିବା ଏକ ନାମତାଲିକା ମାତ୍ର ଏବଂ, ସେପାଖଟାର ତ ଆମଭିତରୁ କାହାରି ନାମ ଜାଣିବାର କୌଣସି ଆବଶ୍ୟକତା ହିଁ ନାହିଁ । ପ୍ରକୃତରେ ଏକ ଚମତ୍କାର ସଂପର୍କୀୟତା, ଯାହାର ଆବଶ୍ୟକ ମତିଗତି ବିଷୟରେ ବିଜ୍ଞାନସମ୍ମତ ଭାବରେ ନିର୍ଣ୍ଣିତ କରି ଦିଆଯାଇଛି । ଅତ୍ୟନ୍ତ ନିଖୁଣ, ଅଥଚ ତଥାପି କେଉଁଠାରେ କ’ଣ ସବୁ ଭାରି ଖଣ୍ଡିଆ ରହି ଯାଇଥିବା ପରି । ଯେତିକି ଆବଶ୍ୟକ, କେବଳ ସେତିକି । ଅବଶ୍ୟ ଫଳଦାୟକ, ତଥାପି ନିଜକୁ କିଞ୍ଚିତ୍ ପରିମାଣରେ ସଂପୃକ୍ତ କରି ଦେଖିଲେ ବଡ଼ ଉଦାସୀନ ଲାଗେ । କିନ୍ତୁ ସେହି ଅଭିଜ୍ଞତାରୁ ମୋର ଏବେ ମଧ୍ୟ ମନେ ଅଛି ଯେ, ପରୀକ୍ଷାର୍ଥୀଟିଏ ତା’ଲାଗି ଚିହ୍ନିତ ହୋଇ ରହିଥିବା ଆସନଟି ଉପରେ ଯାଇ ବସିବା ପରେ ଯଦି ଭାରପ୍ରାପ୍ତ ମନୁଷ୍ୟଜଣକ ତା’ଆଡ଼କୁ ଅନାଇ କେବଳ ଏକ ଅନ୍ୟ ମୁଦ୍ରାରେ ମୁରୁକି ହସି ଦେଉଥିଲେ, ତେବେ ସେତିକି ମଧ୍ୟ ପରୀକ୍ଷାର୍ଥୀକୁ କେଡ଼େ ହାଲୁକା କରି ଦେଉଥିଲା; ହୁଏତ ସିଏ ମଧ୍ୟ ସତେଅବା କିଞ୍ଚିତ୍ ମୁରୁକି ହସିଦେବାର ଅନୁସ୍ପନ୍ଦନଟିଏ ଜଣାଉଥିଲା ଏବଂ, ଖୁବ୍‌ସମ୍ଭବ ସେତିକିରେ ମଧ୍ୟ ଉପସ୍ଥିତ ପରୀକ୍ଷଣଟିରେ ତା’ର ଯୋଗ୍ୟତାସ୍ତରଟି ଗୁଣାତ୍ମକ ଭାବରେ ମଧ୍ୟ ବଦଳି ଯାଉଥିଲା ।

 

ସେହି ସମୟରେ ଆଉଗୋଟିଏ କଥା ମଧ୍ୟ ମନେ ପଡ଼ୁଛି । ଆମ ବିଭାଗ ସହିତ ସାଇକୋ-ଡାଇଗ୍ନୋଷ୍ଟିକ୍‌ର ସ୍ୱତନ୍ତ୍ର ସଂସ୍ଥାଟିଏ, ଯେଉଁଠାକୁ ଦେଶର ୧୪-୧୫ ବୟସର ପୁଅଝିଅମାନେ ନିଜର ସ୍ୱତନ୍ତ୍ର ପ୍ରବୃତ୍ତିଗୁଡ଼ିକ ବିଷୟରେ ପରୀକ୍ଷିତ ହେବାକୁ ଆସୁଥିଲେ । ପ୍ରବୃତ୍ତି ଅନୁସାରେ ବୃତ୍ତି । ତୁମେ ଜୀବନରେ ଯେଉଁ ବୃତ୍ତି ଅବଲମ୍ବନ କରିବାକୁ ଇଚ୍ଛା କରୁଛ, ତାହାରି ଅନୁସାରେ ଆନୁଷ୍ଠାନିକ ଶିକ୍ଷା ତଥା ତାଲିମ ଲାଭ କରିବାର ଅନୁକୂଳ ପ୍ରବୃତ୍ତିଟିଏ ତୁମଭିତରେ ରହିଥିବା ଆବଶ୍ୟକ ଏବଂ, ତାହାରି ପ୍ରମାଣପତ୍ରଟିଏ ତୁମକୁ ଆମର ଏହି ସଂସ୍ଥାରୁ ଲାଭ କରିବାକୁ ହେବ । ଦୀର୍ଘ ଛଅଘଣ୍ଟା କାଳ ନାନା ପ୍ରକାରର ପରୀକ୍ଷଣ । ପୂର୍ବାହ୍ନ ନଅଟାଠାରୁ ଅପରାହ୍ନ ତିନିଟା ଯାଏ । ନାନା କୌଶଳ ଏବଂ ସ୍ୱତନ୍ତ୍ର ସାମର୍ଥ୍ୟଗୁଡ଼ିକୁ ଜାଣିବା ନିମନ୍ତେ ସେହି ପିଲାମାନଙ୍କୁ ନେଇ ପରୀକ୍ଷଣ ଗୁଡ଼ିକ । ତୁମେ ଜଣେ ଯନ୍ତ୍ର-କାରିଗର ହେବ ଏବଂ ସେଥିଲାଗି ଇଞ୍ଜିନିଅରିଙ୍ଗ୍ ଅଧ୍ୟୟନ କରିବ ଏବଂ, ସେହି ଅଧ୍ୟୟନ ନିମନ୍ତେ ତୁମଠାରେ ଅନୁକୂଳ ପ୍ରବୃତ୍ତି ରହିଛି କି ନାହିଁ, ସେଥିଲାଗି ଆବଶ୍ୟକ କେତେକ ପରୀକ୍ଷଣର ମାଧ୍ୟମରେ ସଂସ୍ଥା ତୁମର ପରୀକ୍ଷା କରିବ ଏବଂ ଉକ୍ତ ପରୀକ୍ଷାଗୁଡ଼ିକରୁ ସେହି ବିଷୟରେ ହଁ ନାହିଁ ନିରୂପଣ କରିବ, ସେଇ ଅନୁସାରେ ପ୍ରତ୍ୟୟପତ୍ରଟିଏ ଦେବ ଓ ସେହି ପ୍ରମାଣଟିକୁ ନେଇ ଦର୍ଶାଇ ପାରିଲେ ଯାଇ ତୁମେ ଏକ ଇଞ୍ଜିନିଅରିଂ ଶିକ୍ଷଣସଂସ୍ଥାର ପ୍ରବେଶିକା ପରୀକ୍ଷାରେ ଯାଇ ପ୍ରକୃତରେ ବସିପାରିବ । ପ୍ରମାଣପତ୍ରଟି ନଥିଲେ ନିୟମତଃ ବସି ପାରିବନାହିଁ ।

 

ଠିକ୍ ସେହିପରି, ତୁମେ କୃଷକଟିଏ ହେବ ବୋଲି ଅଭିଳାଷ କରିଛ ଏବଂ ତେଣୁ କୃଷିବିଦ୍ୟା ଅଧ୍ୟୟନ କରିବ ? ତେବେ, ତଦନୁରୂପ ଅନୁକୂଳ ପ୍ରବୃତ୍ତିମାନେ ତୁମ ଭିତରେ ରହିଛନ୍ତି ବୋଲି ପ୍ରମାଣ ଦେଇ ଏହି ସଂସ୍ଥାଟି ପାଖରୁ ଅନୁକୂଳ କାଗଜଟିକୁ ହାସଲ କରିବାକୁ ହେବ; କାରଣ ତା’ ନହେଲେ ତୁମେ କୃଷିବିଜ୍ଞାନ-ସଂପର୍କୀୟ ସଂସ୍ଥାରେ କରାଯାଉଥିବା ପ୍ରବେଶିକା ପ୍ରତିଯୋଗିତାରେ ଯାଇ ବସି ପାରିବନାହିଁ । ସେହିପରି ଜଣେ ରଜକର ବିଦ୍ୟା ତଥା ନାପିତର ବିଦ୍ୟା ଏବଂ, ଏଥିପାଇଁ ପ୍ରଶିକ୍ଷଣ ଦେବା ସକାଶେ ଯେଉଁ ସ୍ୱତନ୍ତ୍ର ସଂସ୍ଥାମାନ ରହିଁଛନ୍ତି, ସେଗୁଡ଼ିକରେ ପ୍ରଶିକ୍ଷଣ ଲାଭ କରିବାକୁ ହେଲେ ପ୍ରବୃତ୍ତି-ବିଷୟକ ଅନୁକୂଳ କାଗଜଟିକୁ ଅବଶ୍ୟ ପାଇବାକୁ ପଡ଼ିବ । କେଉଁଟି ପାଇଁ କିପରି ପରୀକ୍ଷଣମାନଙ୍କୁ ସ୍ଥିର କରିବାକୁ ହେବ, ସେଇଟି ମୋଟେ ଖିଆଲ ଅନୁସାରେ ସ୍ଥିର କରାଯାଇନାହିଁ । ସବୁକିଛିକୁ ତଦ୍‌ବିଶାରଦ ନିପୁଣ ବୟସ୍କମାନେ ହିଁ ଖୁବ୍ ଚିନ୍ତା କରି ବାହାର କରିଛନ୍ତି । ତେଣୁ, ଆଦୌ କିଛିନୁହେଁ ବୋଲି କହି ଫୋପାଡ଼ି ଦେଇ ହେବନାହିଁ ଏବଂ, ନିର୍ଦ୍ଦିଷ୍ଟ ପ୍ରବୃତ୍ତିଗୁଡ଼ିକ ବିଷୟରେ ବେଶ୍ କିଛି ପ୍ରମାଣ ମିଳି ଯାଉଥିବା ପରି ନିଶ୍ଚୟ ଅନୁଭବ ହେବ ଏବଂ, ସେତିକିରେ କାମ ଚଳିଯିବ ବୋଲି କିଞ୍ଚିତ୍ ସାନ୍ତ୍ୱନା ବି ହେବ । ସର୍ବୋପରି, ସଂପୃକ୍ତ ସମସ୍ତଙ୍କ ପାଖରେ ଖିଆଲଦ୍ୱାରା କିଛି କରା ଯାଉନାହିଁ ବୋଲି ବୁଝାଇ ଦିଆଯାଇ ପାରିବ-। ଏହି ସବୁକିଛି ନିଶ୍ଚୟ ସତ, ମାତ୍ର ଜଣେ ବ୍ୟକ୍ତିର ଅମୁକ ବା ସମୁକ ପ୍ରବୃତ୍ତିଟି ବିଷୟରେ କେବଳ ଏତିକିଦ୍ୱାରା ହିଁ ତଥାପି ଯଥେଷ୍ଟ ଭାବରେ ମୋଟେ ଜାଣିବା ସମ୍ଭବ ହେବନାହିଁ । ଆମ ମନୁଷ୍ୟମାନଙ୍କର ଏହି ପ୍ରବୃତ୍ତିସବୁ କ’ଣ ପ୍ରକୃତରେ ଏହିପରି ଭିନ୍ନ ଭିନ୍ନ ଭାଡ଼ିରେ ରହିଥାଆନ୍ତି ଯେ, ଆମେ ଯେତେବେଳେ ଯେଉଁଟିକୁ ଚାହିବା, କିଛି ସ୍ଥିରୀକୃତ gimmick ଦ୍ୱାରା ସେଇଟିକୁ ବାଛି ବାହାର କରି ଆଣିପାରିବା ?

 

ଅନେକ ସମୟରେ ସେହି ପ୍ରବୃତ୍ତିମାନଙ୍କୁ ଚିହ୍ନି ବାହାର କରି ଆଣିବାର ସଂସ୍ଥାଟିକୁ ପିଲାମାନେ ଆପଣା ଆପଣାର ଭାଗ୍ୟପରୀକ୍ଷା ନିମନ୍ତେ ଆସୁଥିଲେ । ମୁଁ ମୋଟେ କୌଣସି କାରିଗରର ବହଳ ଆଖିରେ ନୁହେଁ, ଜଣେ ମନୁଷ୍ୟବ୍ୟକ୍ତି ଆଉଜଣେ ବ୍ୟକ୍ତିକୁ ଦେଖୁଥିବାର ଏକ ସହଜ ଦରଦ ସହିତ ଦେଖୁଥିଲି । ସେହି ପିଲାଗୁଡ଼ିଙ୍କର ଉଜ୍ଜ୍ୱଳ ମୁହଁଗୁଡ଼ିକ ଏହି ଦୀର୍ଘ ଘଣ୍ଟାପରେ ଘଣ୍ଟାର ପରୀକ୍ଷଣ ସବୁର ସମ୍ମୁଖୀନ ହେବା ଫଳରେ ଗୋଟିଏ ଗୋଟିଏ ଶୁଖି ଶୁଖି ରହିଥିବା କମଳାଲେମ୍ବୁ ପରି ବଡ଼ ପ୍ରଭାହୀନ ହିଁ ଦେଖା ଯାଉଥିଲା । ସେମାନଙ୍କ ଭିତରର କ’ଣଟିଏ ସତେଅବା ଆପଣାକୁ ବଡ଼ ଅପଚରା ସଦୃଶ ବୋଧ କରିବାରେ ଲାଗିଥିଲା । ସେମାନେ ହୁଏତ ଏକାଧିକ ଅର୍ଥରେ ନିଜ ଭିତରର ଅସଲ ପ୍ରବୃତ୍ତିମାନେ ତଥାପି ଅବହେଳିତ ଏବଂ ତେଣୁ ବର୍ଜିତ ହୋଇ ରହି ଯାଇଥିବା ପରି ଅନୁଭବ କରୁଥିଲେ । ଏହି କଞ୍ଚା ବୟସରୁ ହିଁ ଏପରି ଗୋଟିଏ ଅଭିଜ୍ଞତା ମଧ୍ୟରେ ବାଧ୍ୟ ହୋଇ ସେମାନେ ଆଗକୁ ଅନାଇ ସେମାନଙ୍କର ଜୀବନରେ ଏହିପରି ଆହୁରି ନାନା ତିକ୍ତତାର ସାମନା କରିବାକୁ ହେବ ବୋଲି ସମ୍ଭବତଃ ଧରି ନେଉଥିଲେ । ମନୁଷ୍ୟମାନଙ୍କର ଆଧୁନିକ ସମାଜବରାଦ ଗୁଡ଼ିକଦ୍ୱାରା ଏକ ବଶ୍ୟ ଜୀବନର ନାନା ଯାତନା ଭିତରେ ମଣ ହୋଇ ରହି ବହୁତ ବହୁତ ମନୁଷ୍ୟ ନିଜକୁ ଜଣେ ଜଣେ ବ୍ୟକ୍ତିର ମର୍ଯ୍ୟାଦାରେ ଅନୁଭବ କରିବାକୁ ପାସୋରି ଦେଉଛନ୍ତି ଓ ତାହାକୁ ହିଁ ନିରାପଦ ମନେ କରୁଛନ୍ତି । ବାଧ୍ୟ କରି, ନାନାବିଭାଜିତ କରି ରଖିବାର ଏହି ଟେକ୍‌ନିକ୍-ଧର୍ମଟା ଯହୁଁଯହୁଁ ସର୍ବମୀମାଂସକ ପ୍ରାୟ ହେବାରେ ଲାଗିଛି, ତାଦ୍ଦ୍ୱାରା ଏହି ପୃଥିବୀର ଅସଲ ପରିମଳମାନେ ଭାରି ମାଡ଼ ଖାଇ ଯାଉଛନ୍ତି କି ?

 

ଏବେ ମନୁଷ୍ୟର ବହୁ ଗୁଣ ଏବଂ ଅଗୁଣକୁ ପରିସଂଖ୍ୟାନର ପ୍ରାୟୋଗିକ ହିସାବଦ୍ୱାରା ମପାଯାଇ ପାରୁଛି । ଧୈର୍ଯ୍ୟ ମପାଯାଇ ପାରୁଛି, ସାହସ ମପାଯାଇ ପାରୁଛି, ଧର୍ମବିଶ୍ୱାସ ମପାଯାଇ ପାରୁଛି ଏବଂ ସଂଖ୍ୟା ଆକାରରେ କହି ଦିଆଯାଇ ପାରୁଛି । ଏକାବେଳେକେ ଆମ ଦେହର ଜ୍ୱରକୁ ମାପିପାରିବା ପରି, ଆମ ଦେହର ରକ୍ତଚାପ ଓ ଶର୍କରା-ପରିମାଣକୁ ମାପି ସଂଖ୍ୟାରେ କହିଦେଲା ପରି । ସବୁ ଖୁବ୍ ସହଜ ହୋଇଗଲାଣି ଏବଂ ତେଣୁ ସହଜ ବି ଲାଗିଲାଣି । ଏଠାରେ, ମନୁଷ୍ୟମାନଙ୍କର ଧର୍ମବିଶ୍ୱାସ ଅର୍ଥାତ୍ ଧର୍ମାନୁରାଗ ବୃଦ୍ଧି ପାଉଛି କି ନାହିଁ, ଏକଦା ସେହି ବିଷୟରେ କରା ଯାଇଥିବା ଏକ ଅଧ୍ୟୟନ ମୋର ବେଶ୍ ମନେ ପଡ଼ୁଛି । ଆଗେ ରବିବାର-ପ୍ରାର୍ଥନାରେ ଯୋଗ ଦେବାପାଇଁ ଯେତିକି ସଂଖ୍ୟାର ଲୋକ ଗୀର୍ଜାକୁ ଯାଉଥିଲେ ବର୍ତ୍ତମାନ ତା’ଠାରୁ ଅଧିକସଂଖ୍ୟକ ଲୋକ ଯେହେତୁ ଗୀର୍ଜା-ପ୍ରାର୍ଥନାକୁ ଯାଉଛନ୍ତି ଗଣନାଦ୍ୱାରା ଜଣାଗଲା, ତେଣୁ ସେଇଥିରୁ ସୂଚିତ ହୋଇଯାଉଛି ଯେ ଲୋକମାନଙ୍କର ଧର୍ମଭାବ ବୃଦ୍ଧି ପାଇଛି । ଆମ ସ୍ଥାନୀୟ କ୍ଷେତ୍ରରେ ତେବେ ଆମେ କାହିଁକି ନକହି ପାରିବା ଯେ, ଯେହେତୁ ଏକ ସହରରେ କ୍ରମେ ଅଧିକ ମନୁଷ୍ୟ ପ୍ରତ୍ୟେକ ସନ୍ଧ୍ୟାରେ ଅନୁଷ୍ଠିତ ହେଉଥିବା ନୃତ୍ୟସଂଗୀତାଦି କାର୍ଯ୍ୟକ୍ରମକୁ ଦେଖି ଯାଉଛନ୍ତି, ସେଥିରୁ ସୂଚନା ବି ମିଳିଯାଉଛି ଯେ, ଲୋକମାନଙ୍କର ସାଂସ୍କୃତିକ ଅନୁରାଗ ଇତ୍ୟାଦି ଅବଶ୍ୟ ବୃଦ୍ଧି ପାଉଛି !

 

ଆମ ପୋଲିସ୍ ବିଭାଗଟା ମଧ୍ୟ ବେଳେବେଳେ ଆମ ସହରରେ ହେଉଥିବା ଅପରାଧ ବିଷୟରେ ଧାରଣାଗୁଡ଼ିକୁ ସୃଷ୍ଟି କରିପାରୁଛି । ବର୍ଷଟାର ପ୍ରଥମ ଛଅମାସରେ ଆମ ସହରର ଥାନାମାନଙ୍କୁ ଚୋରିର ଯେତିକି ଏତଲା ଆସିଥିଲା, ଦ୍ୱିତୀୟ ଛଅମାସରେ ତା’ଠାରୁ କମ୍ ସଂଖ୍ୟାର ଯେହେତୁ ଆସିଛି, ସେଥିରୁ ପ୍ରମାଣ ମିଳୁଛି ଯେ ସହରରେ ଚୋରି କମିଛି । ସେହିପରି ଧର୍ଷଣ, ଅପହରଣ ଓ ଯାବତୀୟ ଅପରାଧର କ୍ଷେତ୍ରରେ ମଧ୍ୟ ଦର୍ଶାଇ ଦିଆଯାଇ ପାରୁଛି । ସତ୍ୟଟିକୁ ଜାଣିହେଲା ବୋଲି ସଂପୃକ୍ତ କର୍ତ୍ତାମାନେ ଅବଶ୍ୟ ଏକ ଆତ୍ମପ୍ରସାଦ ଲାଭ କରୁଥିବେ । କିନ୍ତୁ, ଅସଲ ଗୁମରଟି ଯାଇ ସ୍ପଷ୍ଟତଃ ଅନ୍ୟତ୍ର ରହିଛି । ଆମ ପୃଥିବୀରେ ସତକୁ ସତ ଯେତିକି ଅପରାଧ ହୁଏ, ସବୁଗୁଡ଼ିକର ଏତଲା କ’ଣ ଥାନାକୁ ଆସେ ? ଆମେରିକାରେ ଆସେ ନା ଆମ ଓଡ଼ିଶାରେ ଆସେ-? ଏବଂ, ଅପରାଧର ପ୍ରକୃତ ସଂଖ୍ୟାଟିକୁ କ’ଣ ଆଦୌ ସୁମାରି କରି କହି ହେବ କି ? ତଥାପି, ବହୁତଙ୍କ ବିଚାରରେ ଖୁବ୍ ଚମତ୍କାର ଭାବରେ କାମ ଚଳିଯାଉଛି । ହିସାବ ଦେଇ ହେଉଛି, ସମସ୍ୟାଗୁଡ଼ିକର ନିରୂପଣ କରି ହେଉଛି, ଆମ କାମକୁ ପାଇଯିବା ବାଗିର୍ ସମସ୍ୟାଗୁଡ଼ିକର ସମାଧାନ ମଧ୍ୟ ମିଳିଯାଉଛି । ବ୍ୟବସ୍ଥା ମାନଙ୍କର ଯେତିକି ଲୋଡ଼ା, ସେମାନଙ୍କୁ ସେହି ଆୟତନର ସିଦ୍ଧିମାନେ ପ୍ରାପ୍ତ ହୋଇ ପାରୁଛନ୍ତି ଏବଂ, ଯିଏ ଯାହା କହୁ ପଛକେ, ତାହାରି ଦ୍ୱାରା ତ ପୃଥିବୀ ଚାଲୁଛି । ଯାହା କାମ ଦେଇ ପାରିବ, ତାହାହିଁ ଉତ୍ତମ ବୋଲି ସେହି ବାସ୍ତବ ସତ୍ୟଟା ହିଁ କେଡ଼େ ବିଚକ୍ଷଣ ପ୍ରକାରେ ପ୍ରତିପାଦିତ ହୋଇ ଯାଉଛି । ତିନି ହଜାରରୁ ତିନିଶହଙ୍କୁ ବାଛି ନିଆଯାଇ ପାରୁଛି-। ଯୋଗ୍ୟତା ମାନଙ୍କର ଆକଳନ କରାଯାଇ ପାରୁଛି । ସମଗ୍ର ଜୀବନନାମକ କାରବାରଟା ସତେ ଯେପରି ଆମ ସମ୍ପର୍କ-ସଂସ୍କୃତିରେ ପରିଣତ ହୋଇ ରହିଛି । ଆମର ତଥାକଥିତ ପ୍ରୟୋଗଶାଳା ମାନଙ୍କର ଯେତିକିକୁ ବଳ ପାଏ, ଯେଉଁଦିନ ଠାରୁ ସେତିକିକୁ କାର୍ଯ୍ୟତଃ ବିଜ୍ଞାନ ବୋଲି ସ୍ୱୀକାର କରି ନିଆଯାଇ ପାରିଲାଣି, ସେଦିନଠାରୁ ତାହାରି କୃପାରୁ ବିଜ୍ଞାନ ହାରି ହାରି ଯିବାରେ ଲାଗିଛି କି-?

 

ସମାଜବିଜ୍ଞାନର ଆଲୋଚନା-କ୍ଷେତ୍ରରେ ଢେର ବର୍ଷ ହେବ Organization Man ବୋଲି କଥାଟିଏ ରହିଆସିଛି । ଆମେରିକାରେ ସେହି ଶିରୋନାମାରେ ଏକଦା ବହିଟିଏ ମଧ୍ୟ ଲେଖା ହୋଇଥିଲା । ଅନୁବାଦରେ ଏହି କଥାଟିକୁ ଶୁଦ୍ଧ ଭାବରେ ବ୍ୟବସ୍ଥା-ମଣିଷ ବୋଲି କହିଲେ ଅର୍ଥଟି ପୂରା ସ୍ପଷ୍ଟ ହେବନାହିଁ । ‘ବ୍ୟବସ୍ଥା’କୁ ହିଁ ଭଗବାନ ବୋଲି ମାନି ନେଇଥିବା ଜଣେ ମନୁଷ୍ୟ, ବ୍ୟବସ୍ଥା ଦ୍ୱାରା ଗିଳି ହୋଇ ରହିଥିବା ଜଣେ ମନୁଷ୍ୟ । ଗୋଟାଏ ଖଜୁରି ଗଛ ପରି ଥାକ ଥାକ ଅର୍ଥାତ୍ ପାହାଚ ପାହାଚ ହୋଇ ଉଠି ଯାଇଥିବା ଗୋଟାଏ ଗଢ଼ଣ ଏବଂ ଗୋଟାଏ ବରାଦ । ସେହି ଅନୁସାରେ ଆମ ଦାଣ୍ଡଟା ଖାଲି ପାହାଚ ପାହାଚ: ସରକାର ପାହାଚ ପାହାଚ, ହାକିମମାନେ ପାହାଚ ପାହଚ, ବ୍ୟବସାୟିକ ସିରସ୍ତାଗୁଡ଼ିକ ପାହାଚ ପାହାଚ, ବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟମାନେ ପାହାଚ ପାହାଚ । ସମସ୍ତେ ଉପରଆଡ଼ୁ ଗିଳା ହୋଇ ରହିଛନ୍ତି ଏବଂ ତଳଗୁଡ଼ାକୁ ଗିଳି କରି ରହିଛନ୍ତି । ପ୍ରତ୍ୟେକେ ଯୁଗପତ୍ ଭାବରେ ବାବୁ ଏବଂ ଚାକର, ପ୍ରତ୍ୟେକେ ଯନ୍ତ୍ରୀ ତଥା ପ୍ରତ୍ୟେକେ ଯନ୍ତ୍ର । କର୍ତ୍ତବ୍ୟ କରିବେ ଅର୍ଥାତ୍ ବୋଲମାନଙ୍କୁ ମାନୁଥିବେ ଓ ବତାଉଥିବେ ଏବଂ ଆପଣାର ବ୍ୟକ୍ତି-ପରିଚୟଟିକୁ ଲୁଚାଇ ରଖିଥିବେ । ଖାପ ଖାଇ ଯାଉଥିବା ପର୍ଯ୍ୟନ୍ତ ଖୁବ୍ ମନୋରଞ୍ଜନ ଏହି ବ୍ୟବସ୍ଥାଟି ଏବଂ ନିଜକୁ ଜଣେ ବ୍ୟକ୍ତି ବୋଲି ଭାବିଲେ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ସତକୁ ସତ ଗୋଟିଏ ବିଚିତ୍ର ସଂସାର । ଏଠି ସମସ୍ତେ ଏକାଠି ଯୋଡ଼ି ହୋଇ ରହିଛନ୍ତି, କେହି କାହାରି କତି ହୋଇ ରହିନାହାନ୍ତି । ଖୁବ୍ ସହଜ ଭାବରେ ବୁଝିହୋଇ ଯିବ ଯେ ଏହିପରି ଗୋଟିଏ ସଂସାର ଭିତରେ ସଂଖ୍ୟାର ହିସାବଗୁଡ଼ିକ ସର୍ବଦା ଖୁବ୍ ଭଲ ଲାଗିବେ ଏବଂ ନିରାପଦ ମନେ ହେବେ । ଅର୍ଦ୍ଧସତ୍ୟ ଓ ତେଣୁ ଅସତ୍ୟମାନଙ୍କର ଅବତାରଣା ହିଁ ଚକ୍ରବର୍ତ୍ତୀ ହୋଇ ବସିଥିବ । ଗଦା ଗଦା କାଗଜରେ ଭଳି ଭଳି ହିସାବ ହୋଇ ରହିଥିବ, ମାତ୍ର ଗାଡ଼ି ଚାଲୁନଥିବ । ଜୀବନଗୋଟାକ ଏକ ନାଟକ ବୋଲି ଲାଗୁଥିବ ଏବଂ ତୁମେ ସେଇଟିରୁ ଏକ ବ୍ୟାଧିତ ଆନନ୍ଦ ଅନୁଭବ କରୁଥିବ ।

 

ତେଣୁ ପ୍ରୟୋଗଶାଳାର ସେହି ସୁପରାମର୍ଶ ଗୁଡ଼ିକୁ ଆଶ୍ରେ କରି ଆମ ରାଷ୍ଟ୍ରମାନେ ନିଜ ସୈନ୍ୟବାହିନୀ ନିମନ୍ତେ ସୈନ୍ୟମାନଙ୍କୁ ବାଛି ଆଣୁଛନ୍ତି, ଦେଶର ବାର୍ଷିକ ଆୟରେ ବୃଦ୍ଧି ହୋଇ ଚାଲିଛି ବୋଲି ଘୋଷଣା କରାଯାଇ ପାରୁଛି, ଯେକୌଣସି ଦେଶର ଆୟବ୍ୟୟ-ସଂକ୍ରାନ୍ତୀୟ ବଜେଟମାନ ତିଆରି ହେଉଛି । ଆମ ଖବରକାଗଜର ଭଦ୍ରଲୋକମାନେ ଦେଶର ସମସ୍ୟାଗୁଡ଼ିକୁ ନେଇ ଚର୍ଚ୍ଚା କରୁଛନ୍ତି ଏବଂ ଏପରିକି, ପ୍ରଜାମାନଙ୍କର ଦାରିଦ୍ର୍ୟହାରରେ ଉଲ୍ଲେଖନୀୟ ଭାବରେ ହ୍ରାସ ଘଟୁଛି ବୋଲି ବିଶ୍ୱାସ ଦିଆଯାଇ ପାରୁଛି । କୋଟି କୋଟି ପରିମାଣର ପଇସା ଖର୍ଚ୍ଚ ହେଉଛି, ତଥାପି ଦାରିଦ୍ର୍ୟ ଦୂର ହେଉନାହିଁ । ନୂଆ ନୂଆ ଦୂରତାର ସର୍ଜନା ହେବାରେ ଲାଗିଛି । ଠକମାନଙ୍କର ସଂଖ୍ୟା ବଢ଼ୁଛି, ଏକାବେଳେକେ ଜାତିବର୍ଣ୍ଣ ନିର୍ବିଶେଷରେ ବଢ଼ିବାରେ ଲାଗିଛି । ପଠିତ ପାଠଗୁଡ଼ାକ ଚୂଲୀକୁ ଯାଉଛି, କାରଣ ପାଠୁଆମାନେ ହିଁ ଧୋକା ଦେଉଛନ୍ତି । ପାଠୁଆମାନେ ହିଁ ସିଆଣିଆ ହେଉଛନ୍ତି ଏବଂ ପୂରା ଇତିହାସଟା ସବୁକାଳେ ପ୍ରମାଣ ଦେଇଛି ଯେ ସେହି ପାଠୁଆମାନେ ହିଁ ସର୍ବଦା ଧୋକା ଦେଇ ଆସିଛନ୍ତି । ଅର୍ଥାତ୍, ଆମ ପ୍ରୟୋଗଶାଳାମାନେ କ’ଣ ସବୁ ଗରଜ ଅଥବା ପ୍ରୟୋଜନରେ ପଡ଼ି ସେହି ଧୋକା ଦେଇ ଆସିଥିବା ପକ୍ଷଟିକୁ ସୁହାଇଲା ପରି ନିଜର ଧର୍ମଗୁଡ଼ିକୁ ପାଳନ କରି ଆସିଛନ୍ତି କି ? ତଦ୍ଦ୍ୱାରା କିଞ୍ଚିତ୍ ଉପକୃତ ହୋଇଛନ୍ତି ବୋଲି ତ ସେହିପରି କରି ଆସିଛନ୍ତି ! ଆମ ମନୋବିଜ୍ଞାନର ଲାବୋରେଟରିକୁ ବୋଧହୁଏ ସର୍ବପ୍ରଥମେ ମୂଷିକମାନେ ଆସିଥିଲେ । ମୂଷାଙ୍କ ପଛକୁ କୁକୁରମାନେ, ତା’ପରେ ଠେକୁଆ ଏବଂ ବାନରମାନେ ଆସି ପହଞ୍ଚି ଯାଇଥିଲେ ଏବଂ, ଉତ୍ସାହୀମାନେ ତା’ପରେ ମନୁଷ୍ୟମାନଙ୍କୁ ଯେ ସେଠାକୁ ଟାଣିବେ, ସେଥିରେ କ’ଣ ପାଇଁ କୌଣସି ବାରଣ ରହିଥାଆନ୍ତା ? ସମଗ୍ର ମନୁଷ୍ୟଟି ଉପରେ ଦୟା ଦେଖାଇବାକୁ କୌଣସି ତର ବି ସହିନଥିବ । ଯେତିକି ତୁମର ଉପସ୍ଥିତ କାର୍ଯ୍ୟଟି ଲାଗି ଆବଶ୍ୟକ, ସେତିକି । ଖଣ୍ଡେ ଜୀବନ ଯେ କୌଣସି ମଣିଷର ପୂର୍ଣ୍ଣ ଜୀବନ-ପରିଚୟ ଆଦୌ ନୁହେଁ, ସେ ବିଷୟରେ ସମ୍ଭବତଃ କୌଣସି ହୋସ୍ ରହିଲାନାହିଁ । ଚାଲ, କିଛି ଚିନ୍ତା ମଧ୍ୟ କରି ରହିବା ଯେ, ପ୍ରୟୋଗଶାଳାର ପଣ୍ଡିତମାନେ ଯେଉଁ ମୂଷା, କୁକୁର, ଠେକୁଆ ଏବଂ ମାଙ୍କଡ଼ମାନଙ୍କୁଆଣି ଆପଣା ଆବଶ୍ୟକତା ମେଣ୍ଟାଇଥିବେ, ସେହି ଇତରପ୍ରାଣୀମାନେ ମଧ୍ୟ ଯେ ଗୋଟିଏ ଗୋଟିଏ ସଂପୂର୍ଣ୍ଣ ପ୍ରାଣୀ ହୋଇଥିବେ, ସେହି ବିଷୟରେ ମଧ୍ୟ କିଛି ଭାବିଥିବେ କି !

 

ଏହାପରେ, ମନୁଷ୍ୟର ବୁଦ୍ଧିକୁ ମାପିବାର ସେହି କେଡ଼େ କୌତୁକପୂର୍ଣ୍ଣ ପ୍ରସଙ୍ଗଟି । ସେହି ପ୍ରାଚୀନ ସମୟରୁ ହିଁ ପ୍ରତ୍ୟେକ ମନୁଷ୍ୟ ସମାଜରେ ବୁଦ୍ଧିମାନ୍‌ମାନେ ଥିଲେ, ବୁଦ୍ଧିହୀନ ବୋଲି ଆଉ କେତେକ ମଣିଷଙ୍କୁ ଅବଶ୍ୟ କୁହା ହୋଇ ଆସିଥିଲା । ଯେପରି ମନେ ହେଉଛି ବୁଦ୍ଧିମାନ୍‌ମାନେ ହିଁ ବାକିମାନଙ୍କୁ ବୁଦ୍ଧିହୀନ କହି ଉଲୁଗୁଣାମାନ ଦେଉଥିଲେ । ଯେତେ କମ୍‌ବୁଦ୍ଧି ହୋଇଥିଲେ ମଧ୍ୟ ଏପରିକି ନିଜକୁ ଅନ୍ୟମାନଙ୍କର ତୁଳନାରେ ସତେଅବା ପ୍ରାୟ କୌଣସି ବୁଦ୍ଧିନଥିବା ପରି ବେଳେବେଳେ ହୁଏତ ଭାବିବାକୁ ଇଚ୍ଛା କରୁଥିଲେ ମଧ୍ୟ କୌଣସି ମନୁଷ୍ୟ ଅନ୍ୟ ଆଉମାନଙ୍କ ପାଖରେ ଆପଣାକୁ ବୁଦ୍ଧିହୀନ ବୋଲି ମୋଟେ ସ୍ୱୀକାର କରୁନଥିବ ଏବଂ, ଜଣେ ଜଣେ ମନୁଷ୍ୟ ହିସାବରେ ଆମର ବୁଦ୍ଧିକୁ ଯେ ମପାଯାଇ ପାରିବ, ଏଇଟି ହେଉଛି ଖାସ୍ ଏହି ପ୍ରୟୋଗାତ୍ମକ ମନୋବିଜ୍ଞାନର ଏକ ବୁଦ୍ଧିରୁ ପ୍ରସୂତ । ମନୁଷ୍ୟମାନଙ୍କୁ ସତେଅବା ଭାଗ ଭାଗ କରି, ବଖରା ବଖରା ଦେଖିହେବ ବୋଲି ସେହି ବିଶ୍ୱାସଟିର ହିଁ କରାମତି ।ଏହି ଉଦ୍‌ଭାବନଟିର ପଛରେ ପ୍ରାୟ ଦେଢ଼ଶହ ବର୍ଷର ଇତିହାସ-କାହାଣୀଟିଏ । ଭୌତିକ ବିଜ୍ଞାନର କ୍ଷେତ୍ରରେ ଯଦି ସବୁକିଛିକୁ ମାପି ହେଉଛି, ତେବେ ମନୁଷ୍ୟମାନଙ୍କର ମସ୍ତିଷ୍କରେ ଥିବା ବୁଦ୍ଧିକୁ ମଧ୍ୟ କ’ଣ ପାଇଁ ମପାଯାଇ ନପାରିବ ? ଏହିପରି ଯୁକ୍ତିଟିଏ ହୁଏତ ଉପଯୁକ୍ତ ଉନ୍ମେଷଣାମାନ ଆଣି ଯୋଗାଇ ଦେଇଥିବ ଏବଂ ତା’ପରେ ସବୁକିଛି ଭାରି ଫର୍ଚ୍ଚା ହୋଇ ଯାଇଥିବ । ହଁ, ମନୁଷ୍ୟର ବୁଦ୍ଧିର କ୍ରିୟାଶୀଳତା ହେଉଛି ତା’ର ବୟସ ଅନୁସାରେ । ସେହି ଅନୁସାରେ କେଉଁ ମନୁଷ୍ୟ-ଶିଶୁର ବୁଦ୍ଧିଗତ ବିକାଶ ହୋଇଥିବ, ଆଗ ତାହାର ଏକ ନକ୍ସାଗତ ବାସ୍ତବକଳ୍ପନା କରାଯାଇଥିବ ଏବଂ ଏକ ନିର୍ଦ୍ଦିଷ୍ଟ ବୟସରେ ଏକ ଶିଶୁର ଯେତେଯାଏ ବୁଦ୍ଧିର ବିକାଶ ହୋଇଥିବ, ତାହାର ଏକ ଆନୁମାନିକ ଆକଳନ କରା ଯାଇଥିବ । ତାତ୍ପର୍ଯ୍ୟ ହେଉଛି, ଏକ ନିର୍ଦ୍ଦିଷ୍ଟ ବୟସରେ ଗୋଟିଏ ଉଚିତ ପରିମାଣର ବୁଦ୍ଧି ରହିଥିବା ଶିଶୁ ସାଧାରଣତଃ ଯେଉଁସବୁ କଥା ଜାଣିଥିବ ଓ ତେଣୁ ତାକୁ ପଚରାଗଲେ ସେଗୁଡ଼ିକର ଉତ୍ତର ଦେଇପାରିବ, ସେତେବେଳେ ସେହି ଅନୁସାରେ ପ୍ରଶ୍ନାବଳୀମାନ ତିଆରି ହୋଇଥିଲା । ଉଦାହରଣ ସ୍ୱରୂପ, ଚାରିବର୍ଷର ପିଲାଙ୍କ ନିମନ୍ତେ ଗୋଟିଏ ପ୍ରଶ୍ନାବଳୀ ଏବଂ ପାଞ୍ଚ ବର୍ଷ ବୟସର ପିଲାଙ୍କ ସକାଶେ ଅନୁରୂପ ଗୋଛାଏ ପ୍ରଶ୍ନ । ଧରି ନିଆ ଯାଇଥିଲା ଯେ, ବୟସ ଅନୁସାରେ ବୁଦ୍ଧିର ବିକାଶ ଅର୍ଥାତ୍ ବୃଦ୍ଧି ହୋଇଥିବା ଯେକୌଣସି ଛାତ୍ର ସେହି ପ୍ରଶ୍ନଗୁଡ଼ିକର ଉତ୍ତର ନିଶ୍ଚୟ ଦେଇପାରିବ ।

 

ଯେଉଁ ପିଲାମାନେ ସବୁଯାକ ପ୍ରଶ୍ନର ଠିକ୍ ଠିକ୍ ଉତ୍ତର ଦେବେ, ସେମାନେ ଶହେ ନମ୍ବର ପାଇବେ । ଯେଉଁମାନେ କିଛି ପ୍ରଶ୍ନର ଭୁଲ ଉତ୍ତର ଦେବେ, ସେମାନେ କମ୍ ନମ୍ବର ଏବଂ, ତାହାରି ଅନୁସାରେ କମ୍ ଓ ଆହୁରି କମ୍ ନମ୍ବର ମିଳୁଥିବା ପିଲାମାନଙ୍କୁ ବୁଦ୍ଧିର କ୍ଷେତ୍ରରେ ଅଳ୍ପବିକଶିତ ଅଥବା ଅବିକଶିତ ବୋଲି କହି ଏକ ସ୍ତରୀକରଣ ମଧ୍ୟ କରାଯାଇ ପାରିବ । କହିବା ବାହୁଲ୍ୟ ଯେ, ସେହି ପ୍ରୟୋଗାତ୍ମକ କ୍ଷେତ୍ରର ସୁବିଶେଷଜ୍ଞ ଓ ପ୍ରବୀଣ ବୟସ୍କମାନେ ଆପଣାର ବୁଦ୍ଧିଦ୍ୱାରା ପ୍ରେରିତ ଅନୁମାନ ଗୁଡ଼ିକୁ ଖଟାଇ ଉକ୍ତ ପ୍ରଶ୍ନାବଳୀ ମାନଙ୍କୁ ଏକ ଯଥାଯଥ ପ୍ରାସଙ୍ଗିକତା ଦେଇ ତିଆରି କରିଥିଲେ ଏବଂ, ଯାହା ହେଉ ପଛକେ, ସେହି କାର୍ଯ୍ୟଟିକୁ କେବେହେଲେ କେବଳ ତଥାକଥିତ ବୁଦ୍ଧିର କାର୍ଯ୍ୟ ବୋଲି ନ୍ୟାୟତଃ ଆଦୌ କୁହାଯାଇ ପାରିବନାହିଁ । ସେହି ଉଦ୍‌ଭାବନଟି ଦ୍ୱାରା ଉକ୍ତ ଦେଶମାନଙ୍କରେ ନିଶ୍ଚୟ ଗୋଟାଏ ଚମକର ହିଁ ସୃଷ୍ଟି ହୋଇ ଯାଇଥିବ । ସଂପୃକ୍ତ ଅତ୍ୟୁତ୍ସାହୀମାନେ ଏକ ଅଦ୍ଭୂତପୂର୍ବ କ’ଣଟିଏ ଆସି ମିଳିଗଲା ବୋଲି ଅନୁଭବ କରିଥିବେ । ଇସ୍କୁଲ ମାନଙ୍କରେ ସତେଅବା ଏକ ଉତ୍ସବ ଆରମ୍ଭ ହୋଇ ଯାଇଥିବ । ଯେଉଁ ପିଲାମାନେ ପ୍ରାପ୍ତ ଅଙ୍କଟି ଅନୁସାରେ ସମୁଚିତ ଭାବରେ ବିକଶିତ ଏବଂ ତେଣୁ ଖୁବ୍ ଉପଯୁକ୍ତ ବୋଲି ପ୍ରତିପାଦିତ ହେଉଥିବେ, ସେମାନଙ୍କର ବାପାମାନେ ପ୍ରକୃତରେ କେଡ଼େ ଖୁସି ହୋଇ ଯାଉନଥିବେ । ମୋ’ ପିଲାଟି ଏଡ଼େ ଗୁଣର ବୋଲି ସେହି ଗୋଟିଏ କାରଣରୁ ଖୁସି ହେଉଥିବେ, କେବଳ ତାହା ନୁହେଁ, ମୁଁ ସେହି ପିଲାଟିର ବାପା ବୋଲି ଆପଣାକୁ ମଧ୍ୟ ଖୁବ୍ ଭାଗ୍ୟବାନ୍ ମନେ କରୁଥିବେ । କିନ୍ତୁ, ଅପର ପକ୍ଷରେ ଯେଉଁ ପିଲାମାନେ ୧୦୦ ରୁ ୫୦ କିମ୍ବା ଚାଳିଶି ଯାଇ ଖସି ଆସୁଥିବେ, ସେମାନଙ୍କୁ ମଧ୍ୟ ନିଜ ଗୁରୁଜନମାନଙ୍କ ତୁଣ୍ଡରୁ କିଛି ଝିଙ୍ଗାସ ଶୁଣିବାକୁ କାହିଁକି ନମିଳୁଥିବ ! ପୁନଶ୍ଚ, ଉକ୍ତ ଗୁରୁଜନବର୍ଗ ହୁଏତ ଆପଣାକୁ ସତେଅବା ଗୋଟାଏ କିଛି ଭାଗ୍ୟରୁ ବଞ୍ଚିତ ହୋଇଗଲା ପରି ଅନୁଭବ କରୁଥିବ ।

 

ସେହି ଯଥେଷ୍ଟ ବୁଦ୍ଧି ଏବଂ ଅଳପ ବୁଦ୍ଧି ନିର୍ଣ୍ଣୟ କରିବାର ନୂଆ ହାଓ୍ୱାଟି ସମ୍ଭବତଃ ବେଶ୍ ବେଗରେ ଆହୁରି କେତେ ଆଡ଼େ ପ୍ରସାରିତ ହୋଇ ଯାଇଥିଲା । ଆମେରିକାରେ ବହୁ ବର୍ଷ ଧରି ଗୋରା-କଳା ଭେଦଟା ଜବର ହୋଇ ରହିଥିଲା ଏବଂ ବୁଦ୍ଧି-ନିରୂପଣର ଏହି ନୂତନ ପ୍ରଶ୍ନାବଳୀଟିକୁ ଯେତେବେଳେ ଗୋରା ଏବଂ କଳା ପିଲାମାନଙ୍କୁ ଦିଆ ଯାଇଥିଲା, ସେତେବେଳେ ଗୋରାମାନେ ଯେପରି ଅବଶ୍ୟ ହେଉ ବୋଲି ଇଚ୍ଛା କରିଥିଲେ ତଥା ଅନ୍ଦାଜ ମଧ୍ୟ କରୁଥିଲେ, ଏହି ନୂଆ ପରୀକ୍ଷଣଟିରୁ ମଧ୍ୟ ସେଇଟି ପ୍ରମାଣିତ ହୋଇଥିଲା । ଗୋରା ପିଲାଙ୍କର ଅଧିକ ବୁଦ୍ଧି ଏବଂ କଳା ପିଲାମାନଙ୍କର ପ୍ରକୃତରେ କମ୍ ବୁଦ୍ଧି ଏବଂ, ତାହାର ସର୍ବମୂଳ ଅର୍ଥଟି ହେଉଛି ଯେ, ଗୋରାମାନେ ବେଶୀ ବୁଦ୍ଧିମାନ୍ ଏବଂ କଳାମାନେ କମ୍ ବୁଦ୍ଧିମାନ । ଏଥିରେ ସଂଶୟର ଆଦୌ କୌଣସି ଅବକାଶ ନାହିଁ ଯେ, ସେହି ଭୂମିରେ ଯାହା ଏକ ପରମ୍ପରା ରୂପେ ଦୁଇ ସଂପ୍ରଦାୟ ମଧ୍ୟରେ ଯାବତୀୟ ଆଚରଣର ପୂରା ନିର୍ଣ୍ଣାୟକ ହୋଇ ରହିଥିଲା, ଇହାଦେ ଠିକ୍ ସେିହକଥାଟି ହିଁ ବୈଜ୍ଞାନିକ ମାନଙ୍କର ପ୍ରୟୋଗଟି ପ୍ରାଞ୍ଜଳ ଭାବରେ ସିଦ୍ଧ କରିଦେଲା । ଏହିପରି ଆହୁରି କେତେ ଅନ୍ୟ କ୍ଷେତ୍ରରେ ମଧ୍ୟ । ବିଜ୍ଞାନର ଗୁଣୀମାନେ ଯେତେବେଳେ କହିଲେଣି, ତେବେ ଏଇଟି ହେଉଛି ସତ୍ୟ । ସତେଅବା ଏହି ନୂଆ ବୁଦ୍ଧି ମାପିବାର ଭରସାଟିକୁ ପାଇ କାଷ୍ଠମାନେ କଅଁଳି ଉଠିଥିଲେ । ପ୍ରମାଣ ବି ମିଳି ଯାଇଥିଲା ଯେ ପୁରୁଷମାନଙ୍କର ତୁଳନାରେ ନାରୀମାନେ ହେଉଛନ୍ତି ପ୍ରକୃତରେ କମ୍ ବୁଦ୍ଧିସମ୍ପନ୍ନ । ପୁରୁଷମାନେ ସତକୁ ସତ ଖୁବ୍ ଉଲ୍ଲସିତ ହୋଇ ଉଠିଥିବେ । ବିଜ୍ଞାନଟା ଯେ ପୂରାପଣେ ସେହିମାନଙ୍କ ପକ୍ଷରେ ଅଛି, ତାହା ଏକ ପୁରାତନ ମତଲବୀ ବିଶ୍ୱାସକୁ ବଳ ଯୋଗାଇ ଦେଇଥିବ ଏବଂ ଗୋଟିଏ ପୁରୁଷପ୍ରଧାନ ସମାଜକୁ ନିଶ୍ଚୟ ଆହୁରି ଅଧିକ ନିର୍ମମ ମଧ୍ୟ କରିଥିବ ।

 

ତା’ପରେ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ରହି ଆସିଥିବା ଫରକଟି । ଗ୍ରାମ ତୁଳନାରେ ସହର ହେଉଛି ଅଧିକ ଉନ୍ନତ ଏବଂ ଅଧିକ ଆଗୁଆ । ସହରବାସୀଙ୍କର ଜୀବନ ହେଉଛି ଏକ ଆଧୁନିକ ଜୀବନ, ମଫସଲଟା ଏକାବେଳେକେ ମରହଟୀ । ସହର ସବୁବେଳେ ଆଗରେ ଏବଂ ଗାଆଁ ସବୁବେଳେ ସେଇ ପଛରେ । କାରଣ, ସହରର ବାସିନ୍ଦାମାନଙ୍କର ଅଧିକ ବୁଦ୍ଧି ଓ ଗ୍ରାମବାସୀ ମାନଙ୍କର କମ୍ ବୁଦ୍ଧି । ସେହି ଅନୁସାରେ ମୂଳରୁ ସବୁ ଚଳି ଆସିଥିଲା ଏବଂ ବିଜ୍ଞାନର ବାବୁମାନେ ଆଖର ସେହି ସତ୍ୟଟିକୁ ପ୍ରମାଣ କରିଦେଲେ । ଖୁବ୍‌ସମ୍ଭବ ଏହିପରି କିଛି ହୋଇଥିବ ଯେ, ବୁଦ୍ଧିପରୀକ୍ଷଣର ପ୍ରଶ୍ନାବଳୀମାନଙ୍କୁ ସହରର ପିଲା ଏବଂ ଗ୍ରାମାଞ୍ଚଳର ପିଲାମାନଙ୍କୁ ଦିଆ ଯାଇଥିବ ଏବଂ ଉଭୟ ପକ୍ଷ ହାସଲ କରିଥିବା ନମ୍ବରର କମ୍‌ବେଶୀରୁ ପ୍ରମାଣ ମିଳି ଯାଇଥିବ ଯେ, ଗାଆଁର ପିଲାମାନଙ୍କ ତୁଳନାରେ ସହରର ପିଲାମାନେ ହେଉଛନ୍ତି ଅଧିକ ବୁଦ୍ଧିଆ । ବସ୍ତୁତଃ ଖୁବ୍ କୋଳାହଳ ମଧ୍ୟ ସୃଷ୍ଟି କରିଥିବ । ପୃଥିବୀଯାକ ସର୍ବତ୍ର ସହରମାନେ ସଂଖ୍ୟାରେ ଅଳପ ଏବଂ ଗାଆଁମାନେ ସଂଖ୍ୟାରେ ଅଧିକ । ଗ୍ରାମବାସୀ ଅଧିକ ଏବଂ ସହରବାସୀ କମ୍ । କିନ୍ତୁ, ପ୍ରାୟ ସେହିପରି କୌଣସି ବିଜ୍ଞାନର ବୋଲ ମାନୁଥିବା ପରି ସହରଟା ଅଧିକ ଚକଚକ ସହରରେ । ବିତ୍ତ ଅଧିକ, ସଭ୍ୟ ମନୁଷ୍ୟମାନେ ସହର ପ୍ରତି ଅଧିକ ଆକୃଷ୍ଟ । ଆଧୁନିକ ସଭ୍ୟତାର ମର୍ମମାନଙ୍କୁ ବୁଝିବାର ସାମର୍ଥ୍ୟମାନେ ବୁଦ୍ଧି ପାଇବାକୁ ଆରମ୍ଭ କରିଥିବା ସମୟରୁ ହିଁ ପୃଥିବୀ ତମାମ ସବୁ ଦେଶରେ ସେହି ଅଧିକ ଭାଗ୍ୟଶାଳିତା ଗୁଡ଼ିକର ସନ୍ଧାନରେ ଗାଆଁମାନଙ୍କରୁ ବହୁ ବହୁ ସଂଖ୍ୟାରେ ଲୋକମାନେ ନିଜଗାଆଁକୁ ଛାଡ଼ି ସହରକୁ ବାହାରି ଆସୁଛନ୍ତି । ନିଶ୍ଚୟ ଅଧିକ ସୁଖ ଲାଭ କରୁଥିବେ-

 

ଆମ ଭାରତବର୍ଷରେ ଗ୍ରାମମାନଙ୍କରେ ଯାବତୀୟ ବିକାଶ ଏବଂ ସମୃଦ୍ଧିକୁ ଆଖି ରଖି ବସ୍ତୁତଃ ଯାହାକିଛି କରାଯାଉଛି, ସେହି ସବୁକିଛି ସହରର ଅନୁକରଣରେ ହିଁ କରାଯାଉଛି । ଗାଆଁରେ କଲେଜ ବସିଲେ ସେହି ସହରର ଅନୁକରଣରେ ହେଉଛି । ସରକାର ସହରରୁ ଚାଲୁଛି । ଶିକ୍ଷାର ସବୁ ଫଇସଲା ସହରରୁ ହେଉଛି । ଗ୍ରାମାଞ୍ଚଳରୁ ଲୋକପ୍ରତିନିଧି ରୂପେ ନିର୍ବାଚିତ ହୋଇ ଆସୁଥିବା ନେତାମାନେ ଆପଣାର ସର୍ବବିଧ କଦରରେ ଏହି ସହରଟାରେ ହିଁ ରଙ୍ଗିଆ ଦୁଆରୀ ହୋଇ ଦେଖାଯିବାକୁ ଚେଷ୍ଟା କରୁଛନ୍ତି । ସତେଅବା ତାହାକୁ ହିଁ ଧର୍ମବତ୍ ମାନି ନେଉଛନ୍ତି । ଗ୍ରାମରେ ଅଧିକ ଲୋକ । ଏହି ସ୍ଫୂର୍ତ୍ତିପୂର୍ଣ୍ଣ ସହରଟାର ଯେତେବେଳେ ଜନ୍ମ ହୋଇ ନଥିଲା, ଗାଆଁମାନେ ତଥାପି ଥିଲେ । ଏବେ ତ ସହରରେ ସାରା ଦେଶକୁ ଶାସନ କରିବାର ବୀରମାନେ ଗାଆଁମାନଙ୍କୁ ନେଇ ଯୋଜନା କରୁଛନ୍ତି, ଏବଂ, ଯୋଜନାମାନଙ୍କର ବଳରେ ଆଗାମୀ ମାତ୍ର ଏତେଟା ବର୍ଷରେ ଗାଆଁଗୁଡ଼ିକର ଚେହେରା ବଦଳିଯିବ ବୋଲି କହି ଚଗଲାମି କରିବାରେ ଲାଗିଛନ୍ତି । ସେଇ ଗାଆଁ ନାମରେ ଆଖି ଖୋସି ହୋଇ ଯାଉଥିବା ପରିମାଣର ତହବିଲ ଇତ୍ୟାଦିକୁ ନିଜ ହେପାଜତରେ ନେଇ ରଖୁଛନ୍ତି ଓ ସେଗୁଡ଼ିକ ସତେଅବା କ’ଣ ନଈସୁଅରେ ପୂରାପୂରି ଆଉ କୋଉସବୁ ଆଡ଼େ ପଡ଼ି ଭାସିଯିବାରେ ଲାଗିଛି । ଆମେ ଉଚ୍ଚଶିକ୍ଷିତ, ଉଚ୍ଚ ଉଚ୍ଚ ଥାନରେ ହାକିମ ହୋଇ ବସିଛୁ, ଆମର ଏହି ଖାସ୍ ଭାଗ୍ୟଟା ପ୍ରମାଣ କରିଦେଉଛି ଯେ ଆମର ଅଧିକ ବୁଦ୍ଧି । ବୁଦ୍ଧିର ବୈଜ୍ଞାନିକ ମାପକାଠି ପକାଇ ପରୀକ୍ଷା ନିଆଗଲେ ମଧ୍ୟ ଠିକ୍ ସେହି ସତ୍ୟଟିର ହିଁ ନିଶ୍ଚୟ ପ୍ରମାଣ ମିଳିଯିବ । ଆମର ଏହି ଦେଶରେ ଏପରି କୋଉ ବୋକା ଥିବ, ଯିଏକି ସହରବାସୀ ହୋଇ ମଧ୍ୟ ସହରୀମାନଙ୍କର ବୁଦ୍ଧି ଅଧିକ ବୋଲି ଧରିନେଇ ନଥିବ । ଏପରିକି, ଏକ ସଂସ୍କାରର ବଶବର୍ତ୍ତୀ ହୋଇ କୋଟି କୋଟି ଗ୍ରାମବାସୀ ମଧ୍ୟ ଠିକ୍ ସେହିପରି ବିଶ୍ୱାସ କରୁଥିବେ ।

 

ସଂପୂର୍ଣ୍ଣ ସତ କଥାଯିଏ ଯେ, ସେହି ସେକାଳେ ଯେଉଁମାନେ ବୁଦ୍ଧିମାପର ପ୍ରଶ୍ନକାଠିମାନଙ୍କ ସାହାଯ୍ୟରେ ନମ୍ବର ଦେଇ ଗାଆଁର ବନାମ ସହରର ପିଲାମାନଙ୍କର ଏକ ତୁଳନାତ୍ମକ ଆକଳନ କରିଥିବେ ଓ ସହରର ପିଲାମାନେ ଗାଆଁପିଲାଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ୍ ବୋଲି ଘୋଷଣା କରିଥିବେ, ସେମାନେ ଅବଶ୍ୟ ସହରବାସୀ ହୋଇଥିବେ ତଥା ସହରର ଲୋକେ ଅଧିକ ବୁଦ୍ଧିମାନ୍ ବୋଲି ବିଶ୍ୱାସ କରି ଆସିଥିବେ । ସେମାନଙ୍କର ଦୁର୍ଭାଗ୍ୟକୁ ଆଉ ଗୋଟିଏ ବୁଦ୍ଧିପରୀକ୍ଷା ଆଉଜଣକ ଦ୍ୱାରା ହେଲା, ଯେଉଁଟି କି ଆଗର ସେହି ସିଦ୍ଧାନ୍ତଟିକୁ ଭ୍ରମାତ୍ମକ ବୋଲି ପ୍ରତିପାଦିତ କରିଥିଲା । କହିବା ମଧ୍ୟ ବାହୁଲ୍ୟ ଯେ ସଂପୂର୍ଣ୍ଣ ଭାବରେ ବୈଜ୍ଞାନିକ ପଦ୍ଧତିରେ ତିଆରି ହୋଇଥିଲା ଏବଂ ସେଥିରେ କେହି ଆପତ୍ତି କଲାଭଳି ଆଦୌ କିଛି ନଥିଲା । ସଂପୃକ୍ତ ପରୀକ୍ଷଣକାରୀ ଦୁଇଟି ପ୍ରଶ୍ନାବଳୀ ପ୍ରସ୍ତୁତ କରିଥିଲେ । ଗୋଟିଏ ସହରର ଜୀବନରେ ଖୁବ୍ ପରିଚିତ ହୋଇ ରହିଥିବା ସହରବାସୀ ପିଲାମାନଙ୍କ ନିମନ୍ତେ ଏବଂ ଦ୍ୱିତୀୟଟି ଗ୍ରାମଜୀବନର ଅଭିଜ୍ଞତା ଗୁଡ଼ିକୁ ଆଧାର କରି ଏବଂ ଗ୍ରାମ ଓ ସହରର ପିଲାମାନଙ୍କୁ ଦୁଇଟିଯାକ ପ୍ରଶ୍ନାବଳୀର ଉତ୍ତର ଦେବାକୁ କୁହା ଯାଇଥିଲା । ସେଗୁଡ଼ିକର ଯେପରି ଉତ୍ତର ଆସିଲା, ତାହା ବୁଦ୍ଧି-ସମ୍ପର୍କିତ ପୂର୍ବରୁ ପ୍ରାପ୍ତ ସତ୍ୟପ୍ରମାଣ ଗୁଡ଼ିକୁ ସଂପୂର୍ଣ୍ଣ ଭାବରେ କାଟି ପକାଇଥିଲା । ପରୀକ୍ଷଣକାରୀ ବୈଜ୍ଞାନିକମାନଙ୍କୁ ମଧ୍ୟ ତାହା କମ୍ ଆଚମ୍ବିତ କରିନଥିବ ! ପିଲାମାନଙ୍କ ଦ୍ୱାରା ପ୍ରଦତ୍ତ ଉତ୍ତରାବଳୀରୁ ଜାଣିବାକୁ ମିଳିଥିଲା ଯେ, ସହରର ଜୀବନ ସହିତ ସମ୍ବନ୍ଧିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିବା କ୍ଷେତ୍ରରେ ସହରର ପିଲାମାନେ ଅଧିକ ନମ୍ବର ରଖିଲେ ଓ ଗ୍ରାମ୍ୟ ଜୀବନ ସହିତ ସମ୍ବନ୍ଧିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିବା କ୍ଷେତ୍ରରେ ଗାଆଁର ପିଲାମାନେ ଅଧିକ ନମ୍ବର ପାଇଥିଲେ ଏବଂ, ଅନ୍ୟ ପକ୍ଷରେ, ଗ୍ରାମସମ୍ବନ୍ଧୀ ପ୍ରଶ୍ନ ଗୁଡ଼ିକର କ୍ଷେତ୍ରରେ ସହରୀ ପିଲାଏ ଯେଉଁସବୁ ଉତ୍ତର ଦେଇଥିଲେ, ସେଥିରେ ସେମାନେ କମ୍ ନମ୍ବର ପାଇଲେ ଓ ସହର ସମ୍ପର୍କିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାର କ୍ଷେତ୍ରରେ ଗାଆଁର ପିଲାମାନେ ମଧ୍ୟ କମ୍ ନମ୍ବର ପାଇଥିଲେ । ତେଣୁ, କାହାର କେତେ କମ୍ ଅଥବା ଅଧିକ ବୁଦ୍ଧି, ତାହା ଆମେ ଏହିପରି ନିଜ ଅନୁମାନ ଦ୍ୱାରା ବୟସ୍କମାନେ ତିଆରି କରିଥିବା ପ୍ରଶ୍ନାବଳୀର ଉତ୍ତରମାନଙ୍କୁ ଆଦୌ ଜାଣି ପାରିବାନାହିଁ ଏବଂ ତେଣୁ, ଏକ ବୈଜ୍ଞାନିକ ଶୃଙ୍ଖଳାପ୍ରଣାଳୀରେ ସମଗ୍ର ପରୀକ୍ଷଣଟିକୁ କରାଯାଇଛି ଏବଂ ତଦ୍ଦ୍ୱାରା ଆମକୁ ସତ ତଥ୍ୟଟି ନିଶ୍ଚୟ ମିଳିଯିବ ବୋଲି ଭାବପ୍ରବଣ ହୋଇ ଭାବି ପକାଇଲେ ଆମେ ବହୁତ ବହୁତ ବିଭ୍ରମରେ ଯାଇ ପଡ଼ିଯିବା ।

 

ଗାଆଁର ପିଲାମାନେ ଗ୍ରାମଜୀବନ ସହିତ ସୁପରିଚିତ ଓ ସହରରେ ବାସ କରୁଥିବା ପିଲା ସହରର ଜୀବନ ସହିତ । ଗାଆଁରେ ଜମିଚାଷ, ହଳବଳଦ, ଶସ୍ୟ-ଆବାଦ ଏବଂ ଶସ୍ୟ-ଅମଳ, ବରଷଯାକର ପରବ, ପୋଖରୀ ପହଁରା,–ଏସବୁ ତ ଗାଆଁର ନିତ୍ୟ-ପ୍ରାତ୍ୟହିକ ଜୀବନର ଅନ୍ତର୍ଭୁକ୍ତ ଏବଂ, ତେଣେ ସହରରେ ଗାଡ଼ି ମଟର, ଦୋକାନ, ବଜାର, ହୋଟେଲ ଏବଂ ଆହୁରି ଭଳି ଭଳି ବ୍ୟାପାର । ବୁଦ୍ଧିବିଜ୍ଞାନୀମାନେ କ’ଣ ଏତିକି କଥା ଜାଣି ପାରିନଥିଲେ ଯେ ଦୁଇଭଳି ପିଲାଙ୍କୁ ସେଇ ଏକାପ୍ରକାରର ପ୍ରଶ୍ନାବଳୀକୁ ନେଇ ଧରାଇଦେଲେ । ଖୁବ୍ ଅନ୍ଦାଜ କରିହେଉଛି ଯେ ମୁଖ୍ୟତଃ ସହରୀ ଜୀବନର କଥାଗୁଡ଼ିକୁ ନେଇ ପ୍ରଶ୍ନମାନଙ୍କୁ ତିଆରି କଲେ, କାରଣ ସେମାନେ ଆପେ ହିଁ ସେହି ଜୀବନଟି ସହିତ ପରିଚିତ ଥିଲେ । ଅଥବା ଆମେ ଏପରି ମଧ୍ୟ କାହିଁକି ସନ୍ଦେହ ନକରିବା ଯେ ସେମାନେ ବି ସଂସ୍କାରଗୁଡ଼ାକ ହେତୁ ସହରିଆମାନଙ୍କୁ ଗ୍ରାମବାସୀଙ୍କର ତୁଳନାରେ ଅଧିକ ବୁଦ୍ଧିମନ୍ତ ବୋଲି ବିଶ୍ୱାସ କରୁଥିଲେ । ପୁନଶ୍ଚ, ତୁଚ୍ଛା କଳ୍ପନାଗୁଡ଼ିକର ବାଡ଼ି ଉପରେ ଭରା ଦେଇ ସେମାନେ ସାନ ସାନ ପାଞ୍ଚ ଛଅ ବର୍ଷ ବୟସର ପିଲା ଅବଶ୍ୟ ଉତ୍ତର ଦେଇ ପାରିବେ ବୋଲି ଭାବି ଆପେ ଜଣେ ଜଣେ ବୟସ୍କ ହୋଇଥିଲେ ମଧ୍ୟ ଏକାଠି ଗୋଟିଏ ମେଳରେ ବସି ଗୋଛାଏ ଗୋଛାଏ ପ୍ରଶ୍ନ ସେମାନେ କ୍ରମାନ୍ୱୟରେ ସ୍ଥିର କରିଦେଇ ପାରିଲେ । ଯାହାକିଛି କରାଯିବ, ସେହିପରି କୌଣସି ସ୍ଫୂର୍ତ୍ତି ସେମାନଙ୍କୁ ନିମିତ୍ତରୂପେ ବ୍ୟବହାର କରି ଏତେଏତେ କଥା କରାଇ ପାରିଥିଲା କି ? ତେଣୁ ଗୋଟାଏ ପାଖରେ ଆମ ମଣିଷମାନଙ୍କୁ ରଖି ଆଉଗୋଟିଏ ପାର୍ଶ୍ୱରେ ଏହି ବିଜ୍ଞାନୀ ମନଟାକୁ ଆଦୌ କୌଣସି ପ୍ରାସଙ୍ଗିକ ଓଳମ ଦେଇ ଦେଖିବାକୁ ବାହାରିଲେ ହିଁ ସତେଅବା ଏକ ଧର୍ମସଂକଟରେ ଯାଇ ପଡ଼ି ଯାଉଥିବା ପରି ଅନୁଭବ ହେଉଥାଏ ।

 

ପ୍ରାୟ ସେହିପରି ଆଉଗୋଟିଏ ପ୍ରସଙ୍ଗ ହେଉଛି ବଂଶାନୁକ୍ରମିକତା ଏବଂ ପରିବେଶ ମଧ୍ୟରେ ଚାଲି ଆସିଥିବା ଦ୍ୱନ୍ଦ୍ୱଟି । ଆମେ ଜୀବନରେ ଯାହାସବୁ ହେବା, କିମ୍ବା ଯେତେ କମ୍ ବା ଅଧିକ ଗୁଣର ପରିଚୟ ଦେବା, ତାହା ଆମର ବଂଶଟି ଉପରେ ନିର୍ଭର କରିବ ନା ପରିବେଶ ଉପରେ ? ଜଣେ ଜଣେ ମଣିଷଙ୍କର ସତେଅବା ନାହିଁନଥିବା ପ୍ରତିଭାମାନ ଓ ଅନ୍ୟମାନେ ନିତାନ୍ତ ସାଧାରଣ । ଯାବତୀୟ ଅନନ୍ୟସାଧାରଣତାର ବୀଜଟିକୁ ଆମେ ଆମର ପୂର୍ବକମାନଙ୍କ ଠାରୁ ବହନ କରି ଆଣିଥାଉ ଅର୍ଥାତ୍ ଏକ ଉତ୍ତରାଧିକାର ସୂତ୍ରରୁ ପାଇଥାଉ ନା ଆମର ପରିବେଶଟି ହିଁ ଆମକୁ ସେହିଭଳି ସ୍ୱାତନ୍ତ୍ର୍ୟମାନ ଦେଇ ପ୍ରକୃତରେ ତିଆରି କରି ଆଣିଥାଏ ? ଭାରତବର୍ଷ ପରି ଗୋଟିଏ ଦେଶରେ ଅତ୍ୟୁତ୍ତମ ମନୁଷ୍ୟମାନେ ତ ଅନେକ ସମୟରେ ପ୍ରତିଭାକୁ ଜନ୍ମଜାତ ବୋଲି ବିଶ୍ୱାସ କରିଥାନ୍ତି । ଯେଉଁମାନେ ନିତାନ୍ତ ସାଧାରଣ ଅର୍ଥାତ୍ ଅଳପ ଯୋଗ୍ୟତାର, ସେମାନେ ମଧ୍ୟ ସେହି ଘଟଣାଟିକୁ ଏକ ଅମୋଘ ସତ୍ୟରୂପେ ମାନି ନିଅନ୍ତି ଏବଂ ସେମାନଙ୍କ ନିଜ ଦେଇ ଖଡ଼ା ହିଁ ସିଝିବ ନାହିଁ ବୋଲି ସତେଅବା ଖୁସି ହୋଇ କହିବାରେ ଲାଗିଥାଆନ୍ତି । ହଁ, କବିତ୍ୱ, କଳା, ସଂଗୀତ,–ଏଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଈଶ୍ୱରଦତ୍ତ ଗୁଣ ଏବଂ ସମ୍ପଦ । ସେହିପରି କୌଣସି ଅନୁମାନ ଦ୍ୱାରା ପ୍ରେରିତ ଏବଂ ପରିଚାଳିତ ହୋଇ ଏକଦା ଆମ ଦେଶରେ ଏହି ଜାତି ତଥା ବର୍ଣ୍ଣବ୍ୟବସ୍ଥାର ନିର୍ଣ୍ଣୟ ଇତ୍ୟାଦି କରା ଯାଇଥିଲା କି ? ବ୍ରାହ୍ମଣର ପୁଅ ବ୍ରାହ୍ମଣ କଳାଟିକୁ ସାଙ୍ଗରେ ନେଇ ପୃଥିବୀରେ ଭୂମିଷ୍ଟ ହେଉଥିଲା । ଆଉଟିକିଏ ସିଧା କରି କହିଲେ, ବ୍ରାହ୍ମଣର ପୁଅ ବ୍ରାହ୍ମଣ ହେବାପାଇଁ ଓ ଶୂଦ୍ରର ସନ୍ତାନ ଶୂଦ୍ର ହେବାପାଇଁ ରହିଥିଲା । ସମାଜଟିଏ ସୁସ୍ଥ ହୋଇ ଚାଲିବ ବୋଲି ତ ହୁଏତ ସ୍ୱୟଂ ଈଶ୍ୱର ସେହିପରି ବରାଦ କରି ରଖିଥିଲେ !

 

ଏବେ ଆମ ଏବର ସମୟଟାରେ ମଧ୍ୟ ଏକାଧିକ ସ୍ଥଳରେ ସେହି କଥାଟିର ଦୃଷ୍ଟାନ୍ତମାନ ମିଳି ଯାଉଛି । ନେତାର ପୁଅ ନେତା ହେଉଛି ଏବଂ ରାଜନୀତିର ମାହାଲରେ ଭାଗ୍ୟବାନ୍ ସନ୍ତାନମାନେ ପ୍ରାୟ କୌଣସି ଉତ୍ତରାଧିକାର-ଲାଭର ପୂର୍ଣ୍ଣ ସଚେତନତାରେ ରାଜନୀତି ଭିତରେ ଯାଇ ସାମିଲ୍ ହୋଇ ଯାଉଛନ୍ତି ।ଉଚ୍ଚଚାକିରିଆର ପୁଅ ଉଚ୍ଚଚାକିରିଆ ହେଉଛି । ଧନବାନ୍‌ର ପୁଅ ଧନୀ, ଅଭିନେତାର ପୁଅ ଅଭିନେତା ଏବଂ ହିରୋମାନଙ୍କର ପୁଅ ହିରୋ ଏବଂ, କେତେ ନିରୀହ ଭାବରେ ସମସ୍ତେ ହୁଏତ ବିଶ୍ୱାସ କରୁଛନ୍ତି ଯେ, ଏହି ସମୁଦାୟ ସୃଷ୍ଟିଟିକୁ ଚଳାଉଥିବା ଜଣେ ସର୍ବଶୁଭଦାୟକ କର୍ତ୍ତାଙ୍କର ଅନୁମୋଦନ ଅନୁସାରେ ହିଁ ତାଙ୍କର ଏହି ପୃଥିବୀ ନାମକ ସୃଷ୍ଟିରେ ସେକଥାଟି ହେଉଛି । ଊନବିଂଶ ଶତାବ୍ଦୀର ପାଶ୍ଚାତ୍ୟ ଭୂମିଟିରେ ମଧ୍ୟ ଏକାଧିକ ଜୀବବିଜ୍ଞାନୀ ଅଗ୍ରଣୀ ସେହିପରି ବିଶ୍ୱାସ କରୁଥିଲେ ।

 

ପ୍ରାଚୀନ ଗ୍ରୀସ୍‌ର କେତେ କେତେ ମନୁଷ୍ୟଜ୍ଞାନର ବ୍ୟାଖ୍ୟାତା ମହାଭାଗ ଆରିଷ୍ଟଟ୍‌ଲ୍, ତାଙ୍କରି ଭାଷାରେ କହିଲେ, ସଂପୂର୍ଣ୍ଣ ଭାବରେ ସୁନିଶ୍ଚିତ ହୋଇ ରହିଥିଲେ ଯେ କେତେକ ମନୁଷ୍ୟ ସ୍ୱଭାବତଃ ହିଁ ଜଣେ ଜଣେ ସ୍ୱାଧୀନ ଏବଂ ମୁକ୍ତ ବ୍ୟକ୍ତି ଏବଂ ଅନ୍ୟମାନେ ଦାସ । ଏହି ବର୍ଗଟି ଦାସ ହେବା ନିମନ୍ତେ ହିଁ ଏହି ପୃଥିବୀରେ ଜନ୍ମଗ୍ରହଣ କରିଛି, ଠିକ୍ ଯେପରି ଆଉକେତେ ମନୁଷ୍ୟ ମାନଙ୍କର ମୁନିବ ଓ ପ୍ରଭୁ ହୋଇ ରହିବା ଲାଗି ଏବଂ ତା’ପରେ ସେ ଆଦୌ କୌଣସି ବଙ୍କାଢ଼ଙ୍କା ନରଖି କହି ଦେଇଥିଲେ ଯେ ଗ୍ରୀକ୍‌ମାନେ ହେଉଛନ୍ତି ସ୍ୱଭାବତଃ ସ୍ୱାଧୀନ ଓ ବର୍ବର ଅନ୍ୟ ଗୋଷ୍ଠୀମାନେ ସ୍ୱଭାବତଃ ଦାସ । ତଥା ସେହି ଦୃଢ଼ ସତ୍ୟଟି ମୁତାବକ ଅଧିକ ଉତ୍ତମ କୁଳ ମାନଙ୍କରୁ ଜାତ ହୋଇଥିବା ଲୋକମାନେ ଖୁବ୍‌ସମ୍ଭବ ଉତ୍ତମ ମନୁଷ୍ୟ ହେବେ ଏବଂ ଦାସବର୍ଗର କୁଳରେ ଜାତ ଅନ୍ୟମାନେ ତାହା ହୋଇ ପାରିବେ ନାହିଁ । ଗବେଷକମାନେ ଅନୁମାନମାନ କରି ମତ ଦେଉଛନ୍ତି ଯେ, ସେହି କାଳର ଗ୍ରୀକ୍ ନଗରବ୍ୟବସ୍ଥାରେ ଜଣେ ନାଗରିକର ଜୀବନକୁ ସମ୍ଭବ କରିବା ସକାଶେ ହାରାହାରି ଚାରିଜଣ ଦାସ ଆବଶ୍ୟକ ହେଉଥିଲେ । ଠିକ୍ ସେହିପରି, ପୁରାତନ ରୋମ୍‌ରେ ମଧ୍ୟ ସମ୍ଭ୍ରାନ୍ତମାନଙ୍କର ସେବା କରୁଥିବା ଜଣେ କ୍ରୀତଦାସକୁ ଜଣେ ବ୍ୟକ୍ତି ବୋଲି ବିଚାର କରା ଯାଉନଥିଲା । ବୈଜ୍ଞାନିକ Mendel (1822-1844)ଙ୍କ ପୂର୍ବରୁ ତାଙ୍କ କାଳର ଇଉରୋପରେ ବିଶ୍ୱାସ କରା ଯାଉଥିଲା ଯେ ବଂଶାନୁଗତତାର ଉପାଦାନ ଗୁଡ଼ିକ ରକ୍ତଦ୍ୱାରା ହିଁ ପୁରୁଷ ପୁରୁଷ ଅନୁକ୍ରମରେ ଗଡ଼ି ଆସି ଥାଆନ୍ତି । ଆମ ଶରୀରର gene ମାନଙ୍କର କାରଣରୁ ହିଁ ନିଜର ଜୀବନରେ ବଡ଼ ହୋଇ କିଏ କ’ଣ ହେବ, ତାହାର ଯାହାକିଛି ନିର୍ଣ୍ଣୟ ହେଉଥିଲା ବୋଲି ଶ୍ରୀଯୁକ୍ତFrancis Galton ପ୍ରମାଣ ତଥା ଅନୁମାନ ଦ୍ୱାରା ଦର୍ଶାଇ ଦେଇଥିଲେ । ଶ୍ରୀ ଗ୍ୟାଲ୍‌ଟନ୍ କେତେ ସଂଖ୍ୟାର ସୁବିଖ୍ୟାତ ଆଇନ୍‌ଜୀବୀ ବୈଜ୍ଞାନିକ ଏବଂ ଲେଖକ ଇତ୍ୟାଦିଙ୍କର ପାରିବାରିକ ତଥ୍ୟଗୁଡ଼ିକର ସନ୍ଧାନ କରି କହୁଥିଲେ ଯେ ସେହି ଜିନ୍‌ଗତ ପ୍ରଭାବରୁ ହିଁ କେତେ ମଣିଷ ଓକିଲ ହେବାର ଏକ ସ୍ୱତନ୍ତ୍ର ପ୍ରତିଭା ନିଜଭିତରେ ବହନ କରୁଥା’ନ୍ତି ଏବଂ ଆଉ କେଉଁମାନେ ଚିକିତ୍ସକ ହେବାର ପ୍ରତିଭାକୁ । କେତେ ମନୁଷ୍ୟଙ୍କ ଭିତରେ ପ୍ରକାଶ ପାଉଥିବା ଅପରାଧ-ପ୍ରବଣତାକୁ ମଧ୍ୟ ସେ ଏହିପରି ଗୋଟିଏ ତତ୍ତ୍ୱ ଦେଇ ବ୍ୟାଖ୍ୟା କରୁଥିଲେ ।

 

ଖୁବ୍ ମନେ ହେଉଛି ଯେ, ସେହି କାଳଟାରେ ବଂଶମାନଙ୍କର ଗୁଣ ଅଥବା ଦୋଷ ଅନୁଯାୟୀ ମନୁଷ୍ୟମାନେ ଯୋଗ୍ୟ ବା ଅଯୋଗ୍ୟ ହୁଅନ୍ତି ବୋଲି ପ୍ରାୟ ଏକ ଭାଗ୍ୟବାଦ ହିଁ ମନୁଷ୍ୟମାନଙ୍କର ଭାବନାଗୁଡ଼ିକୁ ଅଧିକାର କରି ରହିଥିଲା । ଆମର ଏହି ଏକାଧିକ ଅକାରଣରୁ ଭାଗ୍ୟବାଦକୁ ପୂରାପଣେ ଗୋଟିଏ ଧର୍ମ ବୋଲି ଗ୍ରହଣ କରି ରହିଥିବା ନିତ୍ୟ-ସମାଜଟାରେ ଆମେ ପରସ୍ପର ବିଷୟରେ ସତକୁ ସତ କେଡ଼େ ଉଦାସୀନ ହୋଇ ନରହିଛୁ ! ଦେଢ଼ଶହ ବର୍ଷ ତଳେ ଇଉରୋପରେ ମନୁଷ୍ୟ-ସମ୍ପର୍କମାନେ ପ୍ରାୟ ସେହିପରି ଉଦାସୀନ ହୋଇ ରହିଥିଲେ । ସତେଅବା କେଉଁ ମଣିଷ କେଉଁଯାଏ ଯିବ ଓ ନଯିବ, ତାହା ଉପର ଏବଂ ତଳ ଉଭୟ ଥାକକୁ ହିଁ ପୂର୍ବରୁ ନିର୍ଣ୍ଣିତ ହୋଇ ରହିଥିବା ପରି ପ୍ରତ୍ୟୟ ହେଉଥିଲା । କିଛି କେବେ ବଦଳି ପାରିବ ବୋଲି ଭରସା ନଥିଲା । ଯେଉଁମାନେ ଉତ୍ତମ ଦଶାରେ ଥିଲେ, ସେମାନେ କେଡ଼େ ଚମତ୍କାର ପ୍ରକାରେ ସେହି ଚଳନ୍ତିଟିକୁ ସର୍ବୋତ୍ତମ ବୋଲି ମାନି ନେଉଥିଲେ । ସେହି ସେହିଭଳି କାଳଟାର ବୈଜ୍ଞାନିକମାନେ ମଧ୍ୟ ଅଲବତ୍ ଉତ୍ତମ ଧାଡ଼ିମାନଙ୍କରେ ରହିଥିଲେ ଏବଂ ବଂଶାନୁକ୍ରମିତା ହିଁ ସବୁକିଛିର ନିର୍ଦ୍ଧାରଣ କରୁଛି ବୋଲି ସ୍ୱୟଂବିଶ୍ୱାସ କରୁଥିବେ । ତେଣୁ, ସେମାନଙ୍କର ଜୀନ୍ ଏବଂ ରକ୍ତବିଷୟକ ତତ୍ତ୍ୱଗୁଡ଼ିକ ମଧ୍ୟ ଅନୁରୂପ ଭାବରେ ସେହିପରି ବଙ୍କାଇ ବି ଯାଇଥିଲେ । ଆପଣାର ସେହି ସଂସ୍କାରଟା ହେତୁ କେତେ ଅବହେଳାକୁ ମଧ୍ୟ ଖୁବ୍ ପ୍ରଶ୍ରୟ ଦିଆ ଯାଉଥିଲା । ସେହିଭଳି ଗୋଟିଏ କ୍ଷେତ୍ର ହେଉଛି ଶିକ୍ଷା-ପ୍ରସାରଣର କ୍ଷେତ୍ରଟି । ଏକ ପରବର୍ତ୍ତୀ କାଳରେ ସେହି ବିଷୟରେ ସୂଚାଇ ଦେଇ ପ୍ରଖ୍ୟାତ ମନୋବିଶ୍ଳେଷକ ଶ୍ରୀ ଆଲ୍‌ଫ୍ରେଡ୍ ଆଡ୍‌ଲର ସେଥିପାଇଁ କହିଛନ୍ତି: ଜଣେ ମନୁଷ୍ୟ ପୃଥିବୀରେ ଯାହାକିଛି ହେବ, ଅର୍ଥାତ୍ ତାହାର ଯୋଗ୍ୟତା, ସାମର୍ଥ୍ୟ ଓ ପ୍ରତିଭା ତା’ର ବଂଶଗତ ଭାଗ୍ୟଟି ଉପରେ ନିର୍ଭର କରେ ବୋଲି ସେହି ଯୁଗର ଯେଉଁ ବଦ୍ଧମୂଳ ଅନୁମାନଟି, ତାହା ଆମର ଶିକ୍ଷାର କ୍ଷେତ୍ରରେ ଯେଉଁ ଅବହେଳାର ପ୍ରଦର୍ଶନ କରାଯାଇଛି, ସେଥିନିମନ୍ତେ ଆମେ ଏହି ଜଣକର ବଂଶ ଅନୁଯାୟୀ ହିଁ ଜଣକର ଭାଗ୍ୟଟିକୁ ସୁନିଶ୍ଚିତ ଭାବରେ ଦାୟୀ କରିପାରିବା । ଯେଉଁମାନେ କୁଳ ଅନୁସାରେ ଶିକ୍ଷାଲାଭ ପାଇଁ ସମର୍ଥ ନୁହନ୍ତି, ସେମାନଙ୍କୁ ଶିକ୍ଷା ଦେବା ନ୍ୟାୟତଃ ବୃଥା ବୋଲି ବେଶ୍ ଧରି ନିଆଯାଇଛି । ଭାରତବର୍ଷରେ ଏତେ ଏତେ ଆନୁଷ୍ଠାନିକ ଚମକ ଓ ଚହଟ ଲାଗି ରହିଥିଲେ ମଧ୍ୟ ସମାଜର ବଞ୍ଚିତ ବର୍ଗଟି ଲାଗି ଶିକ୍ଷାର ଏତେଏତେ ବରାଦ ଯେ ଆମେ ଉପରବାଲା କରିଥିବା ହିସାବ ଅନୁସାରେ ମଧ୍ୟ ଅଭିଳଷିତ ଫଳଗୁଡ଼ିକ ତଥାପି ଉପଲବ୍ଧ ହୋଇ ପାରୁନାହିଁ ସେଇଟି ପଛରେ ବି ଅନୁରୂପ କିଛି ନା କିଛି ଅଭିସନ୍ଧି କାର୍ଯ୍ୟ କରୁଛି କି ?

 

ମନୋବିଜ୍ଞାନର ଅଧ୍ୟୟନରେ ବଂଶାନୁକ୍ରମିକତା ଏବଂ ପରିବେଶ-Heredity ଏବଂ Environment, ଏହି ଦୁଇଟିଯାକ କଥା ପ୍ରାୟ ବେଶ୍ ଏକ ବିବାଦର କାରଣ ହୋଇ ଆସିଛି । ମନୋବିଜ୍ଞାନର ଅଧ୍ୟୟନ-କ୍ଷେତ୍ରରେ, ଏବଂ ତେଣୁ ମନୁଷ୍ୟ-ବ୍ୟକ୍ତିତ୍ୱର ଅଧ୍ୟୟନ କ୍ଷେତ୍ରରେ । ଅବଶ୍ୟ ଏକଥାଟି ସତ ଯେ, ପୁରାତନ ସେହି କୋଉ କାଳରୁ ହିଁ ସାଧାରଣତଃ ଲୋକେ ବଂଶାନୁକ୍ରମଟାକୁ ହିଁ ସ୍ଥୂଳତଃ ଏକମାତ୍ର ମୀମାଂସକ ବୋଲି ମନେ କରି ଆସିଥିଲେ ଏବଂ, ସମ୍ଭବତଃ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ପରିବେଶଟି ଅଧିକରୁ ଅଧିକ ଭାବରେ ଇଉରୋପରେ ଚର୍ଚ୍ଚାକୁ ଆସିଛି ଏବଂ, ପ୍ରକୃତ ଘଟଣାଗୁଡ଼ିକ ଯେପରି କହିବେ, ବଂଶପରମ୍ପରା ଓ ପରିବେଶ ଦୁଇଟିଯାକ କ୍ଷେତ୍ରରେ ଗବେଷଣାମାନ ଲାଗିରହିଛି । ବଂଶାନୁକ୍ରମର ତତ୍ତ୍ୱଟି ଶ୍ରୀ ଗାଲ୍‌ଟନ୍‌ଙ୍କୁ ପଛରେ ପକାଇ ଦେଇ Geneticsର ସଦ୍ୟତମ ଅନୁସନ୍ଧାନ ଗୁଡ଼ିକର ମାର୍ଗଧରି Dobzhanskyଙ୍କ ଯାଏ ଆସି ପହଞ୍ଚିଲାଣି । ଏହି କ୍ରମରେ ଆମେ Jean Piagetଙ୍କୁ ମଧ୍ୟ ଅବଶ୍ୟ ବିଚାରକୁ ନେବା । ପରିବେଶ ସଂପର୍କରେ ଗବେଷଣା ମଧ୍ୟ ପୂର୍ଣ୍ଣ ଉତ୍ସାହରେ ଅଗ୍ରସର ହେବାରେ ଲାଗିଛି ଏବଂ, ଏପରି ମଧ୍ୟ ଖୁବ୍ କୁହାଯାଇ ପାରିବ ଯେ, ବଂଶାନୁକ୍ରମିକତାର ଉତ୍ତରୋତ୍ତର ତଥ୍ୟଗବେଷଣା ପରିବେଶର ପୂର୍ଣ୍ଣରୁ ପୂର୍ଣ୍ଣତର ଗବେଷଣା ନିମନ୍ତେ ବହୁତ ଖୋରାକ ଯୋଗାଇ ଦେଉଛି ଓ ଅନ୍ୟ ପକ୍ଷରେ ପରିବେଶର ଗବେଷଣା ବଂଶାନୁକ୍ରମର ଗବେଷଣାକୁ ନୂଆ ନୂଆ ଆଖିମାନ ଆଣି ଯୋଗାଇ ଦେଉଛି । ତେଣୁ, ଦୁଇଟିଯାକ ତତ୍ତ୍ୱ ପରସ୍ପରର ଆଉ ପରିପନ୍ଥୀ ପରି କାର୍ଯ୍ୟ କରୁଛନ୍ତି ବୋଲି କହିଲେ ତଦ୍ଦ୍ୱାରା କୌଣସି ପକ୍ଷ କୌଣସି ପ୍ରକାରେ ଲାଭବାନ୍ ହେବ ବୋଲି ଆଦୌ କହି ହେବନାହିଁ ।

 

ପୁନଶ୍ଚ, ଯୁଗର ବିଚାରମାନେ ଲୋକତନ୍ତ୍ରର ମାର୍ଗରେ ଅଧିକରୁ ଅଧିକ ପରିମାଣରେ ଆସ୍ଥା ସ୍ଥାପନ କରୁଥିବା ସଙ୍ଗେ ସଙ୍ଗେ, ପରିବେଶ ଗୁଡ଼ିକ ଉପରେ ସ୍ପଷ୍ଟତଃ ଅଧିକ ଜୋର୍ ଦିଆଯାଉଛି ଏବଂ ତଦ୍ଦ୍ୱାରା ସମ୍ଭବ କରାଯାଇ ପାରୁଥିବା ଲୋକଜୀବନସ୍ଥ ପରିବର୍ତ୍ତନମାନ ଅଧିକରୁ ଅଧିକ ପରିମାଣରେ ଚାକ୍ଷୁଷ ହୋଇପାରୁଛି । ଏବେ ସମାଜର ସବୁ ପିଲାଙ୍କ ନିମନ୍ତେ ଶିକ୍ଷାର ବ୍ୟବସ୍ଥା କରାଯାଇ ପାରୁଛି, କାରାଗାରରେ ବନ୍ଦୀଜୀବନ ଭୋଗୁଥିବା ଅପରାଧୀମାନଙ୍କ ଲାଗି ନାନା ସଂସ୍କାର ଓ ସଂଶୋଧନର କାର୍ଯ୍ୟକ୍ରମ କରାହେଲାଣି । ବଂଶରେ ହିଁ ପାଠ ନାହିଁ ବୋଲି କହି କାହାରିକୁ ବାହାରକୁ ଆଦୌ ନିକାଲି ଦିଆଯାଉନାହିଁ । ଅପରାଧ କରିବାର ଏକ ପ୍ରବଣତା କାହା ରକ୍ତରେ ଅର୍ଥାତ୍ ବଂଶରେ ନିର୍ଦ୍ଧାରିତ ହୋଇ ରହିଛି ବୋଲି ଭର୍ତ୍ସନା ମଧ୍ୟ କରା ହେଉନାହିଁ ଏବଂ, ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି ଯେ, ଜେନେଟିକ୍‌ସ୍‌ର ପ୍ରୟୋଗଶାଳାମାନେ ତାହାର କୌଣସି ବିରୋଧ କରୁନାହାନ୍ତି । କାରଣ, ସବାମୂଳ ତାତ୍ପର୍ଯ୍ୟଟି ହେଉଛି ଯେ ବିହନମଞ୍ଜି ବୁଣାଯାଇ ଆମ ଜମିମାନଙ୍କରେ ଯେଉଁ ଫସଲ ଫଳୁଛି, ତାହା କ’ଣ କେବଳ ମଞ୍ଜିଗୁଣରୁ ସମ୍ଭବ ହେଉଛି ? ଜମିକୁ ଏକ ଉଚିତ ବିଧିରେ ଚାଷ କରାଯାଉଛି । ସମୁଚିତ ସମୟରେ ପାଣି ବରଷୁଛି ଅଥବା ତାହା ନହେଲେ, ଜଳସେଚନର ବିକଳ୍ପ ବ୍ୟବସ୍ଥାମାନ କରାଯାଉଛି । ଭଲ ଭାବରେ ସୂର୍ଯ୍ୟାଲୋକ ବି ପଡ଼ିବାର ବ୍ୟବସ୍ଥା ରହିଛି ଏବଂ, ତଥାପି, ଯଦି ଝଡ଼ତୋଫାନର ସାମନା କରିବାକୁ ପଡ଼ୁଛି ଅଥବା ସମୁଦ୍ରରୁ ଲୁଣିପାଣି ମାଡ଼ି ଆସୁଛି, ତେବେ ତ ସବୁ ବରବାଦ ହୋଇଯାଉଛି । ଭଲ ବିହନ ବୁଣା ହୋଇଥିଲେ ମଧ୍ୟ ଏବଂ ତେଣୁ ଛନଛନିଆ ଫସଲ ଫଳିଥିଲେ ମଧ୍ୟ ଆଦୌ କୌଣସି ଫରକ ପଡ଼ୁନାହିଁ ।

 

ସେହି ସତ ଘଟଣାଟିକୁ ଅଧିକ ସରଳ କରି ଏପରି କହିବାକୁ ହେବ ଯେ, ଯଦି ମଞ୍ଜିଟି ନୀରସ ହୋଇଥିବ ଏବଂ ପରିବେଶ ତଥାପି ଉତ୍ତମ ହୋଇଥିବ, ତେବେ ଆବାଦରେ ହ୍ରାସ ଘଟିବ ହିଁ ଘଟିବ ଏବଂ, ଅନ୍ୟ ପକ୍ଷରେ, ଯଦି ମଞ୍ଜି ସରସ ହୋଇଥିବ ଓ ଆବଶ୍ୟକ ପରିବେଶଟା ଅନୁକୂଳ ନହେବ, ତେବେ ଯଦି ମଞ୍ଜି ଏବଂ ପରିବେଶ ନୁହେଁ, ନୀରସ ଅର୍ଥାତ୍ ପ୍ରତିକୂଳ ହୋଇଥାଆନ୍ତେ, ତେବେ ଯେତିକି ଫସଲ ଫଳନ୍ତା, ତାହା ତୁଳନାରେ ତଥାପି କିଛି ଅଧିକ ଫସଲ ହୁଏତ ଫଳିପାରିବ । ପୁନଶ୍ଚ, ଯଦି ମଞ୍ଜି ନୀରସ ପ୍ରକାରର ଓ ପରିବେଶ ସରସ ପ୍ରକାରର ହେବ, ତେବେ ମଞ୍ଜି ଏବଂ ପରିବେଶ ଉଭୟେ ନୀରସ ହୋଇଥିଲେ ଯେତିକି ଫଳନ୍ତା, ତାହାର ତୁଳନାରେ କିଛି ଅଧିକ ଫସଲ ଅବଶ୍ୟ ଫଳିବ ଏବଂ, ପ୍ରାୟ ସେହିପରି ଭାବରେ, ଯଦି ବଂଶାନୁକ୍ରମର ଦିଗଟି ଦୁର୍ବଳ ଥିବ ଓ ଯଦି ତଥାପି ଏକ ଉତ୍ତମ ପରିବେଶ ଉପଲବ୍ଧ ହୋଇପାରେ, ତେବେ ସେହି ପ୍ରଥମ କାରଣଟି ହେତୁ ଜଣେ ବ୍ୟକ୍ତିର ଜୀବନ ବହୁ ପରିମାଣରେ ତଦ୍ଦ୍ୱାରା ବହୁ ସବଳତା ଲାଭ କରିବ ଓ ବଂଶାନୁକ୍ରମର ଦୁର୍ବଳତାକୁ ଅତିକ୍ରମ କରାଯାଇ ପାରିବ ଏବଂ, ସ୍ପଷ୍ଟତଃ ଆହୁରି ଅଧିକ ଅସଲ କଥା ହେଉଛି, ଜଣେ ମନୁଷ୍ୟ ପୃଥିବୀର ବଂଶାନୁଗତତାର ଯେଉଁ ଉତ୍ତରାଧିକାରଟିକୁ ନେଇ ଜନ୍ମଗ୍ରହଣ କରିଛି, ତାହାକୁ ସ୍ୱୟଂ ସିଏ କିମ୍ବା ଆଉକିଏ କଦାପି ବଦଳାଇ ପାରିବନାହିଁ । ମାତ୍ର, ପରିବେଶକୁ ବଦଳାଇ ଦିଆଯାଇ ପାରିବ । ଆମ ପୃଥିବୀରେ ସେହି କାରଣରୁ ହିଁ ତ ପରିବେଶମାନଙ୍କୁ ମନୁଷ୍ୟମାନଙ୍କର ବୃଦ୍ଧି ନିମନ୍ତେ ନାନାପ୍ରକାରେ ଉଦ୍ୟମମାନ କରାଯାଉଛି ଏବଂ, ତାହାରି ବଳରେ, ବଂଶାନୁକ୍ରମ ଜନିତ ବାଧାଗୁଡ଼ିକୁ ଯଥାଶକ୍ତି ଅତିକ୍ରମ କରିହେଉଛି । ବୈଜ୍ଞାନିକ ଯାବତୀୟ ପ୍ରଚେଷ୍ଟାର ପ୍ରକୃତରେ ଅଧିକ ସମୁଚିତ କାର୍ଯ୍ୟ ଆଉ କ’ଣ ହୋଇ ପାରିଥାଆନ୍ତା ?

 

ପୁନଶ୍ଚ, ଏକ ସାଧାରଣ-ବୋଧର ଅନ୍ଦାଜ ରହିଥିବା ବିଜ୍ଞାନାନୁରାଗୀ ଆମେ କେଡ଼େ ସହଜତମ ସହିତ ନିଶ୍ଚୟ କହିଦେଇ ପାରିବା ଯେ, ବଂଶାନୁଗତ ପ୍ରଭାବ ଓ ପରିବେଶର ଆମ ଜୀବନଗୁଡ଼ିକୁ ଗଢ଼ି ଆଣିବାର କ୍ଷେତ୍ରରେ ଆପେକ୍ଷିକ ଭାବରେ ଯେତେ ଯେଉଁଭଳି ଭୂମିକା ରହିଥିଲେ ମଧ୍ୟ ଆମ ପରିବେଶଟାକୁ ସିନା ଆବଶ୍ୟକ ଭାବରେ କିଞ୍ଚିତ ଅଧିକ ଅନୁକୂଳ ଅର୍ଥାତ୍ ସକାରାତ୍ମକ କେତେ ପ୍ରୟାସ ସବୁବେଳେ କରାଯାଇ ପାରିବ, କିନ୍ତୁ ବଂଶଗତ ଓ ଜୀନ୍‌ଗୁଡ଼ିକର କ୍ରିୟାଶୀଳତାର କ୍ଷେତ୍ରରେ ଆମେ ଆଉ କ’ଣ କରିପାରିବା ? ତେଣୁ, ଖୁବ୍ ବୁଝିହେଉଛି ଯେ କ୍ରମେ ଆମ ପୃଥିବୀରେ ମନୁଷ୍ୟମାନଙ୍କର ପରିବେଶକୁ ଅଧିକରୁ ଅଧିକ ମନୁଷ୍ୟଙ୍କ ଲାଗି ଅଧିକରୁ ଅଧିକ ଅନୁକୂଳ କରି ଗଢ଼ି ଆଣିବାର ଉଦ୍ୟମ କରାଯାଉଛି ଏବଂ ଏକାଧିକ ବିଜ୍ଞାନକୁ ତାହାର ସହାୟକ ରୂପେ ବ୍ୟବହାର କରାଯାଉଛି । ସେହି ପ୍ରୟାସରୁ ଉପଲବ୍ଧ ସୁଫଳଗୁଡ଼ିକୁ ହୁଏତ ବଂଶଗତ ଅଧିକ ଓ କମ୍ ଇତ୍ୟାଦି ସେହି ପୁରାତନ ସ୍ୱାର୍ଥଗତ ଅଭିସନ୍ଧି ହେତୁ ଏକାଧିକ ବାଧାର ଶାସନ ଭିତରେ ଚପାଇ ଦିଆଯାଉଛି ଏବଂ, ସାଂପ୍ରତିକ ଅଧିକ ସଂଘାତ ଓ ସଂଘର୍ଷ ଇତ୍ୟାଦିର ତ ତଥାପି ସମ୍ମୁଖୀନ ହେବାକୁ ପଡ଼ୁଛି । ତଥାପି, ସର୍ବୋତ୍ତମ ପ୍ରଚେଷ୍ଟାଗୁଡ଼ିକ ପରିବେଶର ପକ୍ଷରେ ରହିଛି । ତଥାପି, କ୍ଷମତାର ଅସଲ ରଜ୍ଜୁଗୁଡ଼ିକ ସ୍ପଷ୍ଟତଃ ସେହିମାନଙ୍କର ହାତରେ ରହିଛି, ଯେଉଁମାନେ କି, ସିଧା କିମ୍ବା ତେଢ଼ା ଯେଉଁ ପ୍ରକାରେ ହେଉ ପଛକେ, ନିଜକୁ ଅନ୍ୟମାନଙ୍କର ତୁଳନାରେ ଅଧିକ ସରସ ଓ ଅଧିକ ଅଉଲ ବୋଲି ଧରି ନେଇଛନ୍ତି । ଶାସକମାନେ ଶାସିତମାନଙ୍କର ତୁଳନାରେ, ବହୁବିତ୍ତମାନେ ଅଳ୍ପବିତ୍ତମାନଙ୍କ ତୁଳନାରେ, ଉପରର ଥାକଟା ତଳେ ରହି ଆସିଥିବା ସହ ମନୁଷ୍ୟ ମାନଙ୍କର ତୁଳନାରେ ।

ତୁମ ଆମ ଗାଆଁମାନଙ୍କ ପାଖରୁ ଆରମ୍ଭ କରି ରାଜ୍ୟ ଓ ଦେଶ ଲଗାଏତ ସଂପୂର୍ଣ୍ଣ ଆନ୍ତର୍ଜାତିକ ସ୍ତର ଯାଏ । ଏପରିକି ଆମ ଧର୍ମମାନଙ୍କରେ ଆମର ସମ୍ବନ୍ଧଗତ ଜୀବନରେ ଯୋଉଟାକୁ କି ବହୁତ ବହୁତ ଢମର ଝଲମଲ ଦେଇ ଆମେ ସଂସ୍କୃତି ବୋଲି କହୁଛୁ । ତେଣୁ, ଆମ ଅଡ଼ାଟାର ବାହାରେ ରହିଥିବା ଆହୁରି ବହୁତଙ୍କୁ ସଂସ୍କୃତିର ବହିଃସ୍ଥ ବୋଲି କହୁଛୁ । କାହାଣୀଟା ତ ଏକାବେଳେକେ ସେହି କାଳର, ଯେତେବେଳେ କି ଚାର୍ଲସ୍ ଡାର୍‌ଉଇନ୍‌ଙ୍କର ସେହି ‘ଯୋଗ୍ୟତମ ହିଁ ପୃଥିବୀଟା ଯାକର ମାଲିକ ହେବ’ର ସେହି ଏକାପାଖିଆ ଅର୍ଦ୍ଧସତ୍ୟର ହିଁ ପଶ୍ଚିମ ଉଇରୋପର ଉଚ୍ଚତର ସମର୍ଥ ବର୍ଗଟାକୁ ସତେଅବା ବାଇଆ କରି ପକାଇଥିଲା ଏବଂ ସେହିମାନେ ସତେଅବା କୌଣସି କାଳିସୀ-ନିଶାରେ ମତ୍ତପ୍ରାୟ ହୋଇ ଉଠିଲେ । ବିଜ୍ଞାନର ପାରିବାପଣଟାକୁ ସେମାନେ ପୋଇଲୀ କରି କାମରେ ଲଗାଇବା ଦ୍ୱାରା ପୁଞ୍ଜିବାଦର ଏକ ଏକଆଖିଆ ପ୍ରଲୁବ୍ଧତା ଜନ୍ମଗ୍ରହଣ କଲା । ସେମାନଙ୍କ ଧର୍ମର ପାଦ୍ରୀପୁରୋହିତଗଣ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ତତ୍କାଳୀନ ଜର୍ମାନୀର ଜଣେ ସମାଜବିଜ୍ଞାନୀ ପ୍ରବର ପଣ୍ଡିତ ମଧ୍ୟ ପ୍ରୋଟେଷ୍ଟାଣ୍ଡ୍ ନୀତି-ଧର୍ମଟିକୁ ପୁଂଜିବାଦୀ ଆବିର୍ଭାବର ଏହି ଘଟଣାଟାକୁ ଆଣି ମଂଜୁଳ ଭାବରେ ଯୋଡ଼ି ଦେଇଥିଲେ । ଯେକୌଣସି ଦେଶର ପୁଞ୍ଜିପତିଙ୍କର ଅଧିକ ସଫଳତା ଲାଭ କରିବାର ପ୍ରକ୍ରିୟାଟି ସମଗ୍ର ଜାତି ମଧ୍ୟରେ ଅଧିକ ସମ୍ପନ୍ନତା ଲାଭ କରି ପାରିବ ଗୋଟିଏ ଅର୍ଥନୀତି ମଧ୍ୟ ବିଚାରଟିଏ ଆଣି ବାଢ଼ି ଦେଇଥିଲା ଏବଂ, ଗୋଟାଏ ଉଗ୍ର ଜାତୀୟତାବାଦୀ ଅବିବେକ ସାମ୍ରାଜ୍ୟବାଦ ନାମକ ସେହି ଅନ୍ୟ ଧ୍ୱଜାଟିକୁ ଉଡ଼ାଇ ପୃଥିବୀଯାକ ଖେଦି ଯାଇଥିଲା । ଯୁଆଡ଼େ ଗଲା ନାନା ବର୍ବରତାପୂର୍ଣ୍ଣ ଅନ୍ଧତାରେ ସହସ୍ର ସହସ୍ର ସଂଖ୍ୟାରେ ମଣିଷ ମାରିଲା, ସେମାନଙ୍କର ପାଦ୍ରୀମାନେ ମଧ୍ୟ ଏକ ପୂର୍ଣ୍ଣ ପଲଟଣରେ ଆପଣାକୁ ସଂଗଠିତ କରି ଏଣିକି ପୃଥିବୀଯାକ ସେହିମାନଙ୍କର ଏକକ ଧର୍ମଟିର ପ୍ରତିଷ୍ଠା ହେବ ବୋଲି ବାଣମାନ ଫୁଟାଇ କେତେ କେତେ ଅବିବେକରେ ସାରା ଆକାଶଟାକୁ ମଧ୍ୟ ବିକରାଳ କରି ପକାଇଥିଲେ । ସେହି କଳଙ୍କଗୁଡ଼ିକ ସମ୍ଭବତଃ ଏବେ ମଧ୍ୟ, ସାମ୍ରାଜ୍ୟମାନେ ଭାଙ୍ଗିଗଲା ପରେ ମଧ୍ୟ ପୃଥ୍ୱୀଜୀବନକୁ ବିକ୍ଷୋଭପୂର୍ଣ୍ଣ କରି ରଖିଛି । ସାମ୍ରାଜ୍ୟବାଦୀ, ବିସ୍ତାରବାଦୀ ଅପବୁଦ୍ଧିମାନେ ନାନା ଆଞ୍ଚଳିକ ପରିଚ୍ଛଦ ପିନ୍ଧି ଆଞ୍ଚଳିକ ଦେଶସ୍ୱାର୍ଥ ଗୁଡ଼ିକୁ ନିଶା ଖୁଆଇ ରଖିଛନ୍ତି-। ଏପରିକି, ଉପନିବେଶମାନେ ସ୍ୱାଧୀନ ହୋଇଯିବା ପରେ ଏବଂ ସ୍ଥାନେ ସ୍ଥାନେ ଗଣତନ୍ତ୍ରର ଆନୁଷ୍ଠାନିକ ସ୍ଥାପନାମାନେ ହୋଇଯିବା ପରେ ସେଗୁଡ଼ିକରେ ଯେଉଁମାନେ କ୍ଷମତାଗୁଡ଼ିକର ଶିବିରରେ ରହିଛନ୍ତି, ସେମାନେ କେତେ କେତେ ଅନମନୀୟତାର ପ୍ରଦର୍ଶନ କରି ଗାଦୀମାନଙ୍କରେ ଆସୀନ ରହିଛନ୍ତି ଓ ପରବର୍ତ୍ତୀ ବହୁ ପରିବର୍ତ୍ତନର ପଥକୁ ଓଗାଳି ରହିଛନ୍ତି । ସବବିଧ ସିଦ୍ଧିବତୀ ଗୁଡ଼ିକୁ ଅକ୍ତିଆର କରି ନେଇଛନ୍ତି ଓ ଚକ୍ରବର୍ତ୍ତୀ ବୋଲାଉଛନ୍ତି ।

ତେଣୁ, ବଂଶାନୁଗତ ଭାବରେ ଆମକୁ ଲବ୍ଧ ହୋଇଥିବା ଯାବତୀୟ ଉପାଦାନ,–ତାହା ଗୋଟିଏ ସମାଜରେ ଏବଂ ଦେଶରେ ଗୋଟିଏ ଖାସ୍ ବର୍ଗକୁ ନାନା ଅସୁସ୍ଥ ମିଛଯୁକ୍ତି ମଧ୍ୟରେ ଅନ୍ଧ ଓ ଉଗ୍ର ଅସାମାଜିକ କରି ରଖିବାର ଏକ ସାଧନ କିମ୍ବା କୌଶଳ ନୁହେଁ,–ସକଳ ଅର୍ଥରେ ସେହି ଉପାଦାନଗୁଡ଼ିକ ହେଉଛନ୍ତି ମୂଳତଃ ଗୋଟିଏ ଗୋଟିଏ ସମ୍ଭାବନା । ସେହି ସମ୍ଭାବନା ଗୁଡ଼ିକର ଆମ ପ୍ରତ୍ୟେକଙ୍କର ଜୀବନରେ ଯଥାର୍ଥ ପରିପ୍ରକାଶ ଘଟିବ: ଉତ୍ତମ ଅର୍ଥାତ୍ ଅନୁକୂଳ ପରିବେଶଗୁଡ଼ିକ ମିଳିଲେ ସେମାନେ ବିକଶିତ ହେବେ,–ଗୋଟିଏ ମଞ୍ଜି ଅନୁକୂଳ ପରିବେଶଗୁଡ଼ିକୁ ଲାଭ କଲେ, ଗଛ ଶାଖାପ୍ରଶାଖା, ଫୁଲ ଏବଂ ଫଳର ରୂପରେ ବିକଶିତ ହୋଇ ପାରୁଥିବା ପରି । ଆବଶ୍ୟକ ପରିବେଶ ନମିଳିଲେ ମଞ୍ଜିମାନେ ଯେତେ ଉତ୍ତମ ପ୍ରକାରର ହୋଇଥିଲେ ମଧ୍ୟ ସେଗୁଡ଼ିକର ଶାଖାପ୍ରଶାଖା, ଫୁଲ ଏବଂ ଫଳର ଆଦୌ କୌଣସି ବିକାଶ ସମ୍ଭବ ହେବନାହିଁ । ବଂଶାନୁଗତ ତା’ର ଯାବତୀୟ ବିଜ୍ଞାନତଥ୍ୟ ଆମକୁ ସବୁବେଳେ କେବଳ ସେତିକି ହିଁ କହିବ । ତେଣୁ, ପରିବେଶ, ପରିବେଶ ଏବଂ ପରିବେଶ । ସମଗ୍ର ପୃଥିବୀର ଅବହେଳିତମାନେ କ୍ରମେ ଅଧିକରୁ ଅଧିକ ସଫା ହୋଇ ସେହି ଅସଲ ବିଜ୍ଞାନ-ସମ୍ଭାବନାର ପଥଟିକୁ ବୁଝିବାରେ ଅଗ୍ରସର ହୋଇ ଆସିଲେଣି । ତୁମ ଆମର ଗାଆଁସ୍ତରରୁ ଆରମ୍ଭ କରି ରାଜ୍ୟ ଏବଂ ଦେଶ ଲଗାଏତ ପୃଥିବୀଯାକର ଅବହେଳିତ ମାନେ । ନିଜ ଭାଗ୍ୟ ହେତୁ ସେମାନେ ନୀଚ ଜନ୍ମ ପାଇଛନ୍ତି ଏବଂ ତେଣୁ ସେମାନଙ୍କୁ ସତେଅବା କୌଣସି ବିଧିର ବିଧାନ ଅନୁସାରେ ସେତିକି ମଧ୍ୟରେ ବାଧ୍ୟ ହୋଇ ରହିବାକୁ ପଡ଼ିବ, ସେମାନେ ବର୍ତ୍ତମାନ ମୋଟେ ସେହି ମିଛକଥା ମାନି ନେବାପାଇଁ ବାଧ୍ୟ ନୁହନ୍ତି ଏବଂ, ଏଣେ ବିଶ୍ୱସ୍ତରରେ ସେହି ସତ୍ୟଟିକୁ ଉପଲବ୍ଧି କରି ଧରାପୃଷ୍ଠର ସବୁ ମଣିଷଙ୍କୁ ନଜରରେ ରଖି ତଦନୁରୂପ ନାନା ସଂସ୍ଥାର ସ୍ଥାପନା କରାଯାଇଛି ତଥା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅନ୍ନାଭବର ଦୂରୀକରଣ, ସ୍ୱାସ୍ଥ୍ୟ, ଜନଶିକ୍ଷାର ଅଭିନବ ପଦକ୍ଷେପମାନ ଗ୍ରହଣ କରାଯାଇଛି, ବିଜ୍ଞାନକୁ ସାର୍ବଜନୀନ ହିତଗୁଡ଼ିକର ପରିପୂରଣରେ ପ୍ରୟୋଗ କରା ଯାଉଛି । ଏହି କ୍ଷେତ୍ରରେ ସବାବଡ଼ ଲକ୍ଷଣୀୟ କଥାଟି ହେଉଛି ଯେ ପୃଥିବୀଯାକର ଦେଶମାନେ ଏଥିଲାଗି ସହଯୋଗମୂଳକ ଭାବରେ ପୁଞ୍ଜି ମଧ୍ୟ ଯୋଗାଇ ଦେଉଛନ୍ତି । ରାସ୍ତାରେ ବାଧାମାନେ ଖୁବ୍ ରହିଛନ୍ତି ସତ, କିନ୍ତୁ ପ୍ରାୟ ନିୟମତଃ ପୃଥିବୀର ଅଧିକ ଶକ୍ତିଶାଳୀ ଓ ବିତ୍ତଶାଳୀ ସରକାରମାନେ, ଯେଉଁମାନେ ସେହି ପୁରୁଣା ଅସଂସ୍କାରମାନଙ୍କ ଭିତରେ ବାନ୍ଧି ହୋଇ ରହି ଆପଣାକୁ ଅଧିକ ସମର୍ଥ ବୋଲି ଭାବିବାରେ ବାନ୍ଧି ହୋଇ ରହିଛନ୍ତି, ସେହିମାନେ ହିଁ ପ୍ରକ୍ରିୟାଟିକୁ ବିଳମ୍ବିତ କରି ରଖିଛନ୍ତି ।

Personality, ଅର୍ଥାତ୍ ଯେଉଁ ଇଂରାଜି ଶବ୍ଦଟିକୁ ଆମେ ନିଜ ଭାଷାରେ ‘ବ୍ୟକ୍ତିତ୍ୱ’ ବୋଲି ଅନୁବାଦ କରି ସାଧାରଣତଃ ବୁଝୁଛୁ, ତାହା ଲାଟିନ୍ Person ରୁ ଆସିଛି ବୋଲି ତଦ୍‌ବିତ୍‌ମାନେ କହନ୍ତି । ଉକ୍ତ ଶବ୍ଦଟି ମୂଳତଃ ଗ୍ରୀକ୍ ଭାଷାରୁ ଆସିଛି । ସେହି ପୁରାତନ ସମୟରେ ଗ୍ରୀସ୍ ଦେଶରେ ମଞ୍ଚର ଅଭିନେତାମାନେ ନିଜ ନିଜର ଭୂମିକା ଅନୁସାରେ ମୁହଁରେ ଗୋଟିଏ ଗୋଟିଏ ମୁଖା ଲଗାଉଥିଲେ । ଅଧିକ କ୍ଷେତ୍ରରେ ପଶୁମାନଙ୍କର ଅନୁକୃତିରେ । ତେବେ, ବ୍ୟକ୍ତିତ୍ୱ କହିଲେ ସେତେବେଳେ କ’ଣ ଜଣେ ବ୍ୟକ୍ତି ମୁହଁରେ ଲଗାଇଥିବା ଗୋଟିଏ ମୁଖାକୁ ବୁଝାଉଥିଲା ? ମୁଁ ଯାହା ପ୍ରକୃତରେ ନୁହଁ, ସେହିପରି ଗୋଟିଏ କିଛି ରୂପେ ନିଜକୁ ପରିଚିତ କରାଇବା; ଅର୍ଥାତ୍, ଅଧିକ ସାଧୁ ଭାବରେ କହିଲେ, ମୁଁ ନିଜକୁ ପ୍ରକୃତରେ ଯାହା ବୋଲି ଭାବୁଛି, ସେଇଟିକୁ ଲୁଚାଇ ରଖିବା ଓ ଆଉକିଛି ପରି ପରିଚୟ ଦେବା ? ଅର୍ଥାତ୍, ଅନ୍ୟମାନଙ୍କୁ ଠକିବା ? ନିଜକୁ ମଧ୍ୟ ଠକିବା ବୋଲି କାହିଁକି କୁହାଯାଇ ନପାରିବ ! ଆମକୁ ବିଶେଷ ଭାବରେ କାମରେ ଲଗାଇବେ ବୋଲି ଯେଉଁମାନେ ଆମର ତଥାକଥିତ ଖାସ୍ ବଂଶର ପରୀକ୍ଷା ନେଉଛନ୍ତି, ସେମାନେ ନ୍ୟାୟତଃ ପ୍ରାୟ ସେହିପରି କିଛି କରୁଛନ୍ତି ବୋଲି କହିଲେ ତାହା ହୁଏତ କୌଣସି ଅପରାଧ ହେବନାହିଁ । ଅର୍ଥାତ୍, ପ୍ରାୟୋଗିକ ମନୋବିଜ୍ଞାନର ସେହି ବହୁହର୍ମ୍ୟଶାଳୀ ମାହାଲଟା ମଧ୍ୟରେ ଯାହାକିଛି ଏତେ ଏତେ ବୈଜ୍ଞାନିକ ବହୁ ନଟଖଟରେ ହେଉଛି, ସେହି ସବୁକିଛି ହିଁ କେଡ଼େ ଗମ୍ଭୀର ଓ କର୍ତ୍ତବ୍ୟ-ସଚେତନ ଭାବରେ ହେବାରେ ହିଁ ଲାଗିଛି ! ଆମେ ଆମ ପକ୍ଷରୁ ସତେଅବା ସେହି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଦଉଡ଼ଗୁଡ଼ିକର ଯୋଗ୍ୟ ହେବୁ ଓ ଗୋଟିଏ କିଛିପାଇଁ ବଛା ହୋଇ ଜୀବନରେ ଥଳଟିଏ ପାଇଯିବାର ମଜ୍‌ବୁରୀ ମଧ୍ୟରେ ନିଜର କେବଳ ଗୋଟିଏ ପାଖକୁ ଅନ୍ୟ ପକ୍ଷଟିର ପସନ୍ଦ ମୁତାବକ ଦେଖାଇ ପାରିବାରେ କେଡ଼େ ନିଦକ ଭାବରେ ଆମଭିତରୁ ସିଏ ଖୋଜୁଥିବା ଖାସ୍ ଦ୍ରବ୍ୟଗୁଡ଼ିକୁ ଆବିଷ୍କାର କରିନେଇ ପାରିବବୋଲି କେଡ଼େ ନିଷ୍ଠାରେ ଆମକୁ ଜଣେ ଜଣେ ପୂର୍ଣ୍ଣ ବ୍ୟକ୍ତି ବୋଲି ଦେଖିବାର ସେହି ଅନ୍ୟ ଧର୍ମଟିକୁ ସତେଅବା ଏକ ବୈଜ୍ଞାନିକ ଶୃଙ୍ଖଳାମାନ ପୂରା ଭୁଲିଯାଉଛି ।

ତେଣୁ, ମନୁଷ୍ୟର ବ୍ୟକ୍ତିତ୍ୱ ବିଷୟରେ ଆମର ସର୍ବପ୍ରଥମ ସନ୍ଦର୍ଭଟି ହେଉଛି ଯେ, ଏହା ଏକ ସମଗ୍ର । ଆଚରଣରେ ମଧ୍ୟ ମନୁଷ୍ୟ ଗୋଟିଏ ସମଗ୍ର ଭାବରେ ସବୁକିଛି କରିଥାଏ ଏବଂ ଆମେ କେବେହେଲେ ତାହାର ଏ ଦିଗ ଏବଂ ସେଦିଗଟିରୁ ଜଣେ ବ୍ୟକ୍ତିର ବିଚାର କରି ପାରିବାନାହିଁ । ଜଣେ ମନୁଷ୍ୟକୁ ଆମେ ଏହିପରି କେତୋଟି ଖଣ୍ଡରେ ବିଚାର କରିପାରିବା ନାହିଁ । ଖଣ୍ଡ ଖଣ୍ଡ କରି ଆମେ ହୁଏତ ଆମର ମନ ବୁଝିବାକୁ ଏକ ତାତ୍କାଳିକ ପ୍ରୟୋଜନରେ ପଡ଼ି ଆମ ନିଜର କାମଟାଏ ହାସଲ କରିନେଇ ପାରିଲୁ ବୋଲି ବେଶ୍ ସାନ୍ତ୍ୱନା ଲାଭ କରୁଥିବା ସିନା, କିନ୍ତୁ ତା’ଠାରୁ ଆଉ ଅଧିକ କିଛିହେଲେ ହାସଲ କରି ପାରିବାନାହିଁ । ସେହି କାରଣରୁ ହିଁ ଜର୍ମାନୀର ଏକ ମନୋବୈଜ୍ଞାନିକ ମନୋଦୃଷ୍ଟି ଅନୁସାରେ ମନୁଷ୍ୟର ବ୍ୟକ୍ତିତ୍ୱକୁ ସର୍ବବିଧ ନ୍ୟାୟରେ ଏକ ପୂର୍ଣ୍ଣ, ସମଗ୍ର ଅର୍ଥାତ୍ Gestalt ବୋଲି ହିଁ କୁହାଯିବ । ଆଧୁନିକ ଭୌତିକ ବିଜ୍ଞାନର ଉଦ୍‌ଘାଟନ-କ୍ଷେତ୍ରରେ ମଧ୍ୟ କ୍ରମଶଃ ଏକ ଅନ୍ୟଭଳି ସୂଚନା ଯେପରି ମିଳିବାକୁ ଆରମ୍ଭ କଲାଣି, ଉକ୍ତ Gestalt ନାମକ ଦୃଷ୍ଟିକୋଣଟି ସେହି କାରଣରୁ ଅଧିକରୁ ଅଧିକ ଗ୍ରହଣୀୟ ବୋଲି ବିବେଚିତ ମଧ୍ୟ ହେଉଛି । ଅର୍ଥାତ୍, ସଂପୂର୍ଣ୍ଣ ଭାବରେ ବିଜ୍ଞାନକୁ ମଧ୍ୟ ଆମେ ସମ୍ଭବତଃ ଏକ ଗେଷ୍ଟାଲ୍‌ଟ୍ ରୂପେ ହିଁ ବୁଝିବା ଏବଂ, ତେବେଯାଇ ମନୁଷ୍ୟକୁ ଅଧିକ ଅଭ୍ରାନ୍ତ ଭାବରେ ବୁଝିପାରିବା ଏବଂ ତା’ର ବ୍ୟକ୍ତିତ୍ୱ ବିଷୟରେ ସତକୁ ସତ ଏକ ଯୁକ୍ତିଯୁକ୍ତ ଅନ୍ଦାଜ ମଧ୍ୟ କରିପାରିବା । ସେତେବେଳେ ମଧ୍ୟ ଲାବୋରେଟରି ଥିବ ଏବଂ ମନୁଷ୍ୟମାନଙ୍କର ପରୀକ୍ଷା ନିଆ ଯାଉଥିବ । ଯୋଗ୍ୟତାଗୁଡ଼ିକର ଆକଳନ କରା ଯାଉଥିବ; କିନ୍ତୁ ସେହି ଯାବତୀୟ ପରୀକ୍ଷଣ ସଂପୂର୍ଣ୍ଣ ଭାବରେ ଏକ ଅନ୍ୟ ଜିଜ୍ଞାସାରେ ଓ ଏକ ଅନ୍ୟ ଆଗ୍ରହରେ ।

ମନୁଷ୍ୟବ୍ୟକ୍ତିର ଜଣେ ପ୍ରଖ୍ୟାତ ଗବେଷକ କାର୍ଲ୍ ଗୁସ୍ତାଫ୍ ୟୁଙ୍ଗ୍ ଏହି ବ୍ୟକ୍ତିତ୍ୱକୁ ତାଓ (Tao) ବୋଲି ଅଭିହିତ କରିଛନ୍ତି । ଅବିକଳ ତାଙ୍କରି କଥାରେ କହିଲେ: Personality is Tao, - ଖ୍ରୀଷ୍ଟପୂର୍ଣ୍ଣ ଚତୁର୍ଥ ଶତାବ୍ଦୀ ଚୀନ୍‌ର ଏହି ଶବ୍ଦସଂଜ୍ଞାଟି ତାହାର ଉଦ୍‌ଭାବକଙ୍କ ଦ୍ୱାରା ମଧ୍ୟ ଯୁଗପତ୍ ଭାବରେ ଏକାଧିକ ଅର୍ଥରେ ବ୍ୟବହୃତ ହୋଇ ଆସିଛି । ଏକ ଇପ୍ସିତ ଇହଜୀବନର ସଂପୂର୍ଣ୍ଣ କଳ୍ପନାଟିଏ । ଏକ ଧର୍ମ ନୁହେଁ, ଏକ ପ୍ରତିମୁହୂର୍ତ୍ତର ଆହ୍ୱାନ । କିଛି ନକ୍ସା କାଟି ହେଉଥିବ, ଅନୁଭବରୁ କିଛି କହି ହେଉଥିବ, ତଥାପି କହି ହେଉନଥିବ । ଏକ ପଥ, ଏକ ଆଦର୍ଶ ତଥାପି ଏକ ପଥମାତ୍ର ନୁହେଁ, ଦୂରସ୍ଥ ଏକ ଆଦର୍ଶ ମଧ୍ୟ ନୁହେଁ । ଏକାବେଳେକେ ଏକ ଶିଖର ଏବଂ ପାଦଦେଶ; ଯାବତୀୟ ଅର୍ଥରେ ଏକ ଜୀବନଚାରଣ । ତଥାପି ତାଓ ସଂଶୟବାଦୀ ମାନଙ୍କର ଆଦୌ କୌଣସି ପାରିଭାଷିକ ଶବ୍ଦଟିଏ ନୁହେଁ । ନକାରାତ୍ମକ ତ ମୋଟେ ନୁହେଁ,–ସର୍ବତୋଭାବେ ଏକ ପରିପୂର୍ଣ୍ଣ ସକାରାତ୍ମକତା । ଠିକ୍ ଯେପରି ମନୁଷ୍ୟମାନଙ୍କର ବ୍ୟକ୍ତିତ୍ୱ ହେଉଛି ଏକ ସକାରାତ୍ମକତା । ସଦା-ଆକର୍ଷକ,–ଆମ ଆଖି ଆଗରେ ଥିବା ଏପରି ଗୋଟିଏ ଶିଖର ତଥା ଆକାଶ, ଯାହା ଜୀବନର ପଥଟିଏ ଚାଲିବାକୁ ବଳ ଓ ବିଶ୍ୱାସ ଯୋଗାଇ ଦେଉଥିବ । ଆମ ଭିତରୁ ଓ ଆମ ବାହାରୁ ।

ଗୋଟିଏ ଦିଗରେ ମନୁଷ୍ୟମାନେ ବାସ କରୁଥିବା ମାନବୀୟ ମୂଲ୍ୟଗୁଡ଼ିକର ପୃଥିବୀ ଏବଂ ଅନ୍ୟପାଖରେ ସେମାନଙ୍କୁ ବହୁପ୍ରକାରର ପରିତୃପ୍ତିମାନ ଆଣି ଦେଉଥିବା ଦ୍ରବ୍ୟମାନଙ୍କର ପୃଥିବୀ । ଆପଣାର ଗୋଟିଏ ପ୍ରଥମକାଳୀନ ରଚନାରେ(୪) କାର୍ଲ୍‌ମାର୍କ୍‌ସ ଏକଦା ଯେପରି ଉଲ୍ଲେଖ କରିଥିଲେ, ଦ୍ରବ୍ୟର ସଂସାରଟି ଉପରେ ମନୁଷ୍ୟ ଆରୋପ କରୁଥିବା ମୂଲ୍ୟଟି ଯେତେବେଳେ ଅତ୍ୟଧିକ ଏବଂ ଏପରିକି ଅତିରିକ୍ତ ହୋଇଯାଏ, ସେତେବେଳେ ତା’ର ଅର୍ଥାତ୍ ସେମାନଙ୍କର ମାନବୀୟ ପୃଥିବୀଟିରେ ଏକ ଅବମୂଲ୍ୟାୟନ ଆରମ୍ଭ ହୋଇଥାଏ । ସେମାନେ ସେତେବେଳେ ନିଜନିଜର ପ୍ରାଣୀଗତ ସ୍ତରମାନଙ୍କରେ କେଡ଼େ ଅବାଧ ଭାବରେ ସକ୍ରିୟ ହୋଇ ରହନ୍ତି : ଉଦର-ଭରଣାରେ, ସୁରାପାନରେ ଏବଂ ସନ୍ତାନ-ଉତ୍ପାଦନରେ ଏବଂ, ଖୁବ୍‌ ବେଶୀ ହେଲେ, ଭଲ ଘରମାନ ତିଆରି କରି ସେଗୁଡ଼ିକରେ ବାସ କରିବାରେ, ବ୍ୟକ୍ତିଗତ ସଂସାରଟିକୁ ବହୁ ପରିପାଟୀରେ ସୁସଜ୍ଜିତ କରି ରଖିବାରେ । କିନ୍ତୁ, ଅପର ପକ୍ଷରେ, ନିଜର ମାନବୀୟ କ୍ରିୟାଶୀଳତାର କ୍ଷେତ୍ରରେ ନିଜକୁ କେବଳ ଏକ ପ୍ରାଣୀର ସ୍ତରକୁ ଖସାଇ ଆଣିଥାନ୍ତି । ଅର୍ଥାତ୍, ପଶୁଟା ମଣିଷ ହୋଇଯାଏ ଏବଂ ତା’ର ମାନବୀୟ ପରିଚୟଟି ପଶୁସ୍ତରକୁ ଖସି ଆସିଥାଏ ।

ଟିପ୍ପଣୀ :

୧.

Alexander F.Shand : The Foundations of Character – Macmillan and Company, London, 1914.

୨.

Wilhelm M. Wundt (1862-1920) – ଅଧ୍ୟୟନ ଏବଂ ଧନ୍ଦାରେ ଡାକ୍ତର । ପ୍ରୟୋଗାତ୍ମକ ମନୋବିଜ୍ଞାନର ଜନକରୂପେ ସୁବିଦିତ । ଆପଣାର ପ୍ରୟୋଗଶାଳାରେ ସେ ମନୁଷ୍ୟମାନଙ୍କର ଧର୍ମବିଶ୍ୱାସଗତ ସ୍ୱଭାବଗୁଡ଼ିକୁ ଦର୍ଶାଇ ଦେଇ ପାରିଥିଲେ, ମାନସିକ ବିକ୍ଷେପ ଓ ଅସ୍ୱାଭାବିକ ଆଚରଣ ମାନଙ୍କର ଅନେକ ସନ୍ଧାନ ଆଣି ଦେଇଥିଲେ ।

୩.

Gustav T. Fechner (1801-1887) – ପ୍ରୟୋଗାତ୍ମକ ମନୋବିଜ୍ଞାନର ପ୍ରଥମ କାଳରେ ଜଣେ ଅଗ୍ରଗାମୀ ରୂପେ ପରିଚିତ । ପ୍ରଥମେ ପଦାର୍ଥବିଜ୍ଞାନର ପ୍ରଫେସର ଥିଲେ-। ମନୁଷ୍ୟମନର ଏକାଧିକ କ୍ରିୟାଶୀଳତା କିପରି ଆମ ଶରୀର ସହିତ ସମ୍ବନ୍ଧିତ ହୋଇ ରହିଛି, ଏକ ପରବର୍ତ୍ତୀ ପର୍ଯ୍ୟାୟରେ ତାହାର ପର୍ଯ୍ୟାଲୋଚନା କରିଥିଲେ ।

Karll Marx : Oekonomic and Filosofical Manuscripts.

Image

 

Unknown

ମନୋମୟ ମନୁଷ୍ୟର ବିଶ୍ଳେଷଣ

 

ମନୋବିଜ୍ଞାନ ଓ ମନୋବିଶ୍ଳେଷଣ,–ଏ କ’ଣ ଦୁଇଟି ଅଲଗା ଅଲଗା କଥା । ତଥାପି, ମନୁଷ୍ୟମନର ଅଧ୍ୟୟନ ତଥା ଅନୁସନ୍ଧାନର କ୍ଷେତ୍ରରେ ସମ୍ଭବତଃ ଏତେ ମଧ୍ୟ କେତେ ମନୋବିଜ୍ଞାନୀ ରହିଥିବେ, ଯେଉଁମାନେ କି ମନୋବିଶ୍ଳେଷଣକୁ ଏକ ବିଜ୍ଞାନ ବୋଲି ସ୍ୱୀକାର କରିବାପାଇଁ ରାଜି ହେବେନାହିଁ । ବିଜ୍ଞାନ ତ ସବାଆଗ ଏକ ଲାବୋରେଟରିର ସାମଗ୍ରୀ,–ତାହାର ସ୍ୱତନ୍ତ୍ର ପ୍ରଣାଳୀମାନ ରହିଛି ଏବଂ, ସେହି ପ୍ରଣାଳୀଗୁଡ଼ିକ ବୈଜ୍ଞାନିକ ହୋଇଥିବାରୁ ସେଇଟି ହେଉଛି ଏକ ବିଜ୍ଞାନ । ଅର୍ଥାତ୍ ମାପିଚୁପି ହେବ, ସକଳବିଧ ତୁଳନା ଦ୍ୱାରା ପ୍ରାୟ ଏକ ଗାଣିତିକ ନୈତିକତା ସହିତ ଜଣକୁ ଯୋଗ୍ୟ ଏବଂ ଆଉଜଣକୁ ଅଯୋଗ୍ୟ ବୋଲି ଦେଖାଇ ଦେଇ ହେବ । ତେଣୁ, ପ୍ରାୟ ଏକ ବ୍ୟବଚ୍ଛେଦର ଧର୍ମାଚରଣର ଦାବିଗୁଡ଼ିକୁ ପୂରଣ କରୁଥିବାରୁ ଆମଦ୍ୱାରା ସ୍ୱୀକୃତ ଏହି ମନୋବିଜ୍ଞାନ ହେଉଛି ଗୋଟିଏ ବିଜ୍ଞାନ । ମନୋବିଶ୍ଳେଷଣ ହେଉଛି ଏକ ବିଶ୍ଳେଷଣ ଏକ ବ୍ୟବଚ୍ଛେଦ, ଯଥାସମ୍ଭବ ଅଧିକରୁ ଅଧିକ ସମଗ୍ର ଭାବରେ ଜଣେ ମନୁଷ୍ୟର ଜୀବନର ବିଶ୍ଳେଷଣ-। ବିଶ୍ଳେଷଣର ମଧ୍ୟ ଏକ ଶୃଙ୍ଖଳା ରହିଛି;ମାତ୍ର ତାହା ମପାଚୁପା ଦ୍ୱାରା କେତେକ ହିସାବର ସଫଳତା ଏବଂ ବିଫଳତା ବିଷୟରେ କେତେକ ନିର୍ଦ୍ଧାରଣ ଆଣି ବାଢ଼ିଦେବାର ଆମର ସେହି ଅନ୍ୟ ବହିଟିର ଶୃଙ୍ଖଳା ନୁହେଁ । ପ୍ରତ୍ୟେକ ମନୁଷ୍ୟ ହେଉଛି ଏକ ଗେଷ୍ଟାଲ୍‌ଟ୍-ଏକ ସମଗ୍ର । ଅନେକ ସମୟରେ କେତେକ କାରଣରୁ ସେହି ସମଗ୍ରଟି ଖଣ୍ଡ ଖଣ୍ଡ ହୋଇ ଯାଇଥିବା ପରି ମନେ ହୋଇଥାଏ; ବହୁ ଖଣ୍ଡର ସେହି ସ୍ଥିତିରେ ମଧ୍ୟ ପ୍ରତ୍ୟେକ ମଣିଷର ଅଖଣ୍ଡଟି ହିଁ ଆପଣାକୁ ବଜାୟ ରଖିବାର ପ୍ରୟାସମାନ କରିବାରେ ଲାଗିଥାଏ । ନାନା ପ୍ରକାରେ ମାଡ଼ ଖାଉଥାଏ ସିନା, ତଥାପି ତା’ର ପ୍ରୟାସଟି ଅବ୍ୟାହତ ରହିଥାଏ ।

 

Siegmund Freud- (ତାଙ୍କ ଘରଭାଷାର ଉଚ୍ଚାରଣ ଅନୁସାରେ ସିଗ୍‌ମୁଣ୍ଟ୍ ଫ୍ରଏଡ୍) ଅଷ୍ଟ୍ରିଆର ରାଜଧାନୀ ଭିଏନା ସହରରେ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବହୁ ଶତାବ୍ଦୀ ପୂର୍ବରୁ ଜେରୁଜେଲମ୍‌ରୁ ବିତାଡ଼ିତ ହୋଇ ଇହୁଦୀମାନେ ଅଧିକାଂଶତଃ ଇଉରୋପ ମହାଦେଶକୁ ପଳାଇ ଆସିଥିଲେ; କିନ୍ତୁ ଇଉରୋପର ଖ୍ରୀଷ୍ଟିଆନ୍ ସଂପ୍ରଦାୟ ସେମାନଙ୍କୁ ଜଣେ ଜଣେ ସହନାଗରିକ ଭାବରେ ସ୍ୱୀକାର କରି ନନେଇ ଥିବାରୁ ସେମାନେ ଅଲଗା ଭାବରେ ଘେଟୋ (Ghetto) ମାନଙ୍କରେ ବାସ କରିବାକୁ ବାଧ୍ୟ ହୋଇଥିଲେ । ଶ୍ରୀ ଫ୍ରଏଡ୍‌ଙ୍କର ପିତା ପୁଅ ଧର୍ମତତ୍ତ୍ୱର ଅଧ୍ୟୟନ କରୁ ବୋଲି ଖୁବ୍ ଇଚ୍ଛା ପୋଷଣ କରୁଥିଲେ ମଧ୍ୟ ଫ୍ରଏଡ୍ ସେହି ଅନୁସାରେ କାର୍ଯ୍ୟ କରିନଥିଲେ । ତାଙ୍କର ଜୀବନୀ-ଲେଖକମାନେ ଅନୁମାନ କରିଛନ୍ତି ଯେ, ସେହି କଞ୍ଚା ବୟସରୁ ହିଁ ସେ ବାପାଙ୍କର ପରାମର୍ଶମାନ ନମାନି ଆଉକିଛି ଅନ୍ୟ ବାଟରେ ଯିବାରେ ସମ୍ଭବତଃ ଖୁସି ବି ହେଉଥିଲେ । ଫ୍ରଏଡ୍ ଭିଏନା ବିଶ୍ୱବିଦ୍ୟାଳୟର ଛାତ୍ର ହେଲେ ଓ ତାଙ୍କ ବୁଝିବାରେ ସେହି କାଳର ବୈଜ୍ଞାନିକ ଅଧ୍ୟୟନ-ପଦ୍ଧତିରେ ନିଜକୁ ମଣ କରି ନେଇଥିଲେ । ସେହି ଆଦ୍ୟରୁ ହିଁ ନିଜ ଜୀବନରେ ଅସାଧାରଣ କିଛି କରିବାଲାଗି ସ୍ୱପ୍ନ ଦେଖୁଥିଲେ ଏବଂ ସଂପୂର୍ଣ୍ଣ ଭାବରେ ବୈଜ୍ଞାନିକ ପଦ୍ଧତିରେ ଏବଂ, ଏହିପରି ଭାବରେ,ମନୋବିଶ୍ଳେଷଣର ଅଭିନବ ପଦ୍ଧତିଟିର ଆବିଷ୍କାର କଲେ । ଫ୍ରଏଡ୍ ବହୁବର୍ଷ ଜୀବିତ ରହିଥିଲେ ଏବଂ ତାଙ୍କ ସେଠା ସମସାମୟିକ ଜୀବନକ୍ଷେତ୍ରଟି ବିଷୟରେ ବହୁ ବିଭାବକୁ ବିଷୟରୂପେ ଗ୍ରହଣ କରି ଗ୍ରନ୍ଥର ରଚନା କରିଥିଲେ । ଏହି ପୁସ୍ତକରେ ଆମେ ଆଦୌ ସେଗୁଡ଼ିକର ଆଲୋଚନା କରିବାନାହିଁ । ବ୍ୟକ୍ତିତ୍ୱର ଅଧ୍ୟୟନ-କ୍ଷେତ୍ରରେ ଫ୍ରଏଡୀୟ ଯେଉଁ ସତ୍ୟାନୁମାନ ଗୁଡ଼ିକର ଆବେଦନ ରହିଛି, ପ୍ରକୃତରେ ଆମ ନିଜଦୃଷ୍ଟିରୁ ହିଁ ସେଗୁଡ଼ିକ ସହିତ ପରିଚିତ ହେବା ସକାଶେ ଯଥାସମ୍ଭବ ସଂକ୍ଷିପ୍ତ ଭାବରେ ଯାହାକିଛି କରିବା ।

 

ମନୁଷ୍ୟମାନଙ୍କ ଭିତରେ ସବାମୂଳ ପ୍ରବୃତ୍ତିଟି ହେଉଛି Libido, ଯାହାକୁ ସିଏ the pleasure principle ବୋଲି କହିଛନ୍ତି । ଆମ ଭିତରେ ସହଜାତପ୍ରାୟ ହୋଇ ରହିଥିବା ସେହି ପ୍ରବୃତ୍ତିଟିର ପରିତର୍ପଣ,–ଫ୍ରଏଡ୍‌ଙ୍କର ସିଦ୍ଧାନ୍ତଟି ଅନୁସାରେ ସେଇଟି ମୂଳକାମନା । ମାତ୍ର, ପରିତୃପ୍ତିର ପରିସରମାନେ ସବୁ ମଣିଷଙ୍କର ଜୀବନରେ ଆଦୌ ଅନୁକୂଳ ହୋଇ ରହିନଥାନ୍ତି ଏବଂ, ସେଇଥିରୁ ଏକ ନିରାଶାଭାବ ଏବଂ ଅବସାଦ । କିନ୍ତୁ, ଆମର ଯେଉଁ ପରିତର୍ପଣ ଗୁଡ଼ିକ ଜୀବନରେ ସମ୍ଭବ ହୋଇ ପାରନ୍ତିନାହିଁ, ସେମାନେ ସେହି କାରଣରୁ ମୋଟେ ଅବସ୍ଥାଟିକୁ ହୃଦୟଙ୍ଗମ କରି ରହି ଯାଆନ୍ତିନାହିଁ । ସେଗୁଡ଼ିକୁ ଦବାଇ ରଖିବାକୁ ହୋଇଥାଏ । Supression,–ଏଇଟି ହେଉଛି ଶ୍ରୀଯୁକ୍ତ ଫ୍ରଏଡ୍ ବ୍ୟବହାର କରିଥିବା ସେହି ପାରିଭାଷିକ ଶବ୍ଦଟି-। ଆମେ ଅନ୍ତତଃ ନିଜେ ବୁଝିବା ନିମନ୍ତେ ତାହାକୁ ‘ଅବଦମନ’ ବୋଲି କହିପାରିବା । ଅଥବା ଆମେ ତାହାକୁ ‘ନିରୁଦ୍ଧନ’ ବୋଲି କହିବା । ଇଚ୍ଛା କରୁନଥିବ, ଅଥଚ ଆପଣାକୁ ଚାପି ଚୁପି ରଖିଥିବ । ଅତ୍ୟନ୍ତ ବିରକ୍ତିକର ସେହି ପ୍ରକ୍ରିୟାଟି ଏବଂ, ତାହାରି ଫଳରେ ସର୍ବଦା ଏକ ଅନ୍ତର୍ଗତ ଅଶାନ୍ତି ଓ ଏକ ଅନୁକ୍ଷଣ ସମର କରୁଥିବାର ଉତ୍ତେଜନା । ଗୋଟାଏ ପାଖରେ ଇଚ୍ଛାମାନେ ପୂରଣ ହୋଇ ପାରୁନାହାନ୍ତି ବୋଲି ଏକ ଉଗ୍ର ପରାଜୟବୋଧ ଏବଂ ଅପର ପାର୍ଶ୍ୱରେ ମୋତେ ଏହିପରି ଭାବରେ ପରାଭୂତ କରି ରଖିବାରେ ଲାଗିଥିବା ଏହି ବାସ୍ତବଟା । ସେଇଥିରୁ ଯାବତୀୟ ପ୍ରକାରର ଅଶାନ୍ତି । ବାହାରେ ଆମେ କେଡ଼େ ନିର୍ମଳ ଭାବରେ ନିଖୁଣ ଭଦ୍ର ମଣିଷଟିଏ ପରି ନିଶ୍ଚୟ ଖୁବ୍ ଦେଖା ଯାଉଥିବା ଏବଂ ଏଣେ ଭିତରେ କେତେ ପ୍ରକାରେ ତୁଚ୍ଛା ଖଣ୍ଡିଆଖାବରାହୋଇ କଷ୍ଟ ପାଉଥିବା ।

 

ଆଗକୁ ଯାଇ, ଏବଂ ସୁନିଶ୍ଚିତ ଭାବରେ ନିଜ ମନନର କ୍ଷେତ୍ରରେ ଅଧିକ ଅନ୍ତର୍ଦୃଷ୍ଟି ଲାଭ କରି ଶ୍ରୀଯୁକ୍ତ ଫ୍ରଏଡ୍ Pleasure Principle ର ସମାନ୍ତର ଭାବରେ ଏକ Reality Principle ର ଆଲୋଚନାକୁ ମଧ୍ୟ ଆରମ୍ଭ କରିଥିଲେ ସତ, କିନ୍ତୁ ତାଙ୍କର ସକଳ ସିଦ୍ଧାନ୍ତର ମୂଳମାନେ ସେହି pleasure ବା ସୁଖର କାମନା ପାଖରେ ଧର୍ମତଃ ରହି ଯାଇଥିଲା । ପୁଣି, ସେହି ସୁଖର କାମନାକୁ ସେ Sex ଅର୍ଥାତ୍ ଯୌନବାସନାର ଖାସ୍ ଆୟତନଟି ମଧ୍ୟକୁ ସୀମିତ କରି ଆଣିଥିଲେ । ହୁଏତ, ତାହାହିଁ ଗୋଟିଏ କାରଣ ହୋଇପାରେ ଯେ, ଫ୍ରଏଡ୍‌ଙ୍କର କଥା ପଡ଼ିବା ମାତ୍ରକେ ଆମେ ସାଧାରଣତଃ ତାଙ୍କର ସବୁକିଛି ବ୍ୟାଖ୍ୟା ଓ ବିଶ୍ଳେଷଣର ପ୍ରକୃତ ନିଦାନଟିଏ ରୂପେ ସେହି Sexକୁ ସ୍ୱୀକାର କରି ନେଇଥାଉ । ଅବଶ୍ୟ, ଫ୍ରଏଡ୍‌ଙ୍କର ସତ୍ୟାନୁମାନ ଅନୁସାରେ ଆମ ଜୀବନର ଅଧିକାଂଶ ନିରୁଦ୍ଧନ Sex କ୍ଷେତ୍ରରେ ଘଟିଥାଏ ଏବଂ ସେହି କାରଣରୁ ଆମର ଭିତରେ ରହି ଆମକୁ ତାପିତ କରି ରଖିଥିବା ଅଶାନ୍ତି ଓ ଉତ୍ତେଜନାମାନେ ମଧ୍ୟ ସେହି Sex ସହିତ ସମ୍ବନ୍ଧିତ ହୋଇ ରହିଥାନ୍ତି । ଏକାବେଳେକେ ଆମ ଶୈଶବକାଳରୁ ହିଁ ଆମକୁ ଘର୍ମାକ୍ତ କରି ରଖିଥାନ୍ତି । ସତେଅବା ଏକ ଈଶ୍ୱରତତ୍ତ୍ୱ ପରି ଏହି ସୂତ୍ରଟି ହିଁ ଉଭୟ ଦରବାରର ଅଧ୍ୟୟନ ମାନଙ୍କରେ ଏବଂ ଫ୍ରଏଡ୍‌ଙ୍କ ବିଷୟରେ ଲୋକଧାରଣାର ଅଳିନ୍ଦ ଗୁଡ଼ିକରେ ଦୃଢ଼ାସୀନ ହୋଇ ରହିଛି । ସମ୍ଭବତଃ ସେଇଟି ହିଁ ଆମ ଦୃଷ୍ଟିରୁ ମଧ୍ୟ ଆମକୁ ଖୁବ୍ ଉପାଦେୟ ଏବଂ ଆନନ୍ଦଦାୟକ ନିଶ୍ଚୟ ଲାଗୁଥିବ ।

 

ମନୁଷ୍ୟ ନାମକ ବ୍ୟକ୍ତି-ବସ୍ତୁଟି ବିଷୟରେ ଫ୍ରଏଡ୍ ଆମ ଆଗରେ ଏକ ତିନି-ସମାହାରର ନକ୍ସା ଆଣି ଉପସ୍ଥାପିତ କରିଛନ୍ତି । ତିନୋଟିଯାକ ଆମ ପ୍ରତ୍ୟେକଙ୍କର ଜୀବନରେ, ଅଥଚ ତିନୋଟି ସ୍ୱତନ୍ତ୍ର ଭୂମିକାରେ । Id, Super-ego ଏବଂ Ego; ଏଗୁଡ଼ିକୁ ଆମେ ନିଜ ଭାଷାର ବାଡ଼ିମାନଙ୍କୁ ପକାଇ ଅବଶ୍ୟ ବୁଝିବା ମାତ୍ର । ଆମ କାମନାଚୟ ଇଦ୍, ସୁପର୍ ଇଗୋ । ସୁପର୍ ଇଗୋ ଆମ ଭିତରର ସେହି ପରାକ୍ରମୀ ଅଭିଭାବକ ମହାଶୟ, ଯିଏକି ମୋଟେ ବାଟ ନଛାଡ଼ି ଦେବାଲାଗି ଆମକୁ ଅତ୍ୟନ୍ତ କଠୋର ଭାବରେ ଆକଟ କରି ରଖିଛି ଏବଂ ତୃତୀୟ ଏକକଟି ହେଉଛି ବିଚରା ଇଗୋ, -‘ମୁଁ’ ବୋଲି ପରିଚିତ ସେହି ଆଜ୍ଞାପାଳନକାରୀଟି । ଦୁଇ ଭିନ୍ନ ଅବକାଶରେ ସେହି ପ୍ରକ୍ରିୟାଟିକୁ ଦୁଇଟି ଅଲଗା ଅଲଗା ଉଦାହରଣ ଦେଇ ବୁଝାଇ ଦିଆଯାଇଛି । ଏକ ଘୋଡ଼ାଘୋଡ଼ୀ, ଏବଂ ଘୋଡ଼ାମାନେ କଚୁଆନ୍‌ର ବୋଲକୁ ନମାନି କୁଆଡ଼େ କୁଆଡ଼େ ପଳାଇବାକୁ ଚେଷ୍ଟା କରୁଛନ୍ତି । ଗାଡ଼ିର ମାଲିକ ଗାଡ଼ି ଉପରେ ବସିଛନ୍ତି ଏବଂ କଚୁଆନକୁ କଠୋର ନିର୍ଦ୍ଦେଶମାନ ପ୍ରଦାନ କରୁଛନ୍ତି ଏବଂ କଚୁଆନ୍‌ ସେଗୁଡ଼ିକୁ ମାନି ହିଁ ଯାହାକିଛି କରିପାରୁଛି-। କହିବା ବାହୁଲ୍ୟ, ଏହି କ୍ଷେତ୍ରରେ କଚୁଆନ ହେଉଛି ଇଗୋ, ଘୋଡ଼ାମାନେ ଇଦ୍ ଓ ମାଲିକ ସୁପର ଇଗୋ । ଅନ୍ୟ ଦୃଷ୍ଟାନ୍ତଟି ହେଉଛି ଏକ ଫାଟକର କାହାଣୀ, ଆମର ଏହି ମନୁଷ୍ୟ-ଜୀବନର ନିତି ହରକତର କାହାଣୀଟି । ଫାଟକରେ ଅଡ଼ାଟାଏ ପଡ଼ିଛି ଏବଂ, ଏପାଖରୁ ଅତୃପ୍ତ ବାସନାମାନେ ଅଡ଼ାଟିକୁ ଡେଇଁ ସେପଟକୁ ବାହାରି ପଳାଇବା ନିମନ୍ତେ ସର୍ବଦା ଚିତ୍କାର କରୁଛନ୍ତି । ବାଟ ଛାଡ଼, ଆମେ ଯିବୁ ବୋଲି ଜିଦ୍‌ କରିବାରେ ଲାଗିଛନ୍ତି ଏବଂ, ସୁପର୍ ଇଗୋ ନାହିଁ, ମୋଟେ ନୁହେଁ ବୋଲି ରଡ଼ି କରି ଉଠୁଛି ଓ ଫାଟକଟିର ଜିମାରେ ଥିବା ଇଗୋ ଆଜ୍ଞାପାଳନ କରୁଛି ।

 

ଆମେ ମନୁଷ୍ୟମାନେ ଯେ କାଳାତିକ୍ରମେ ଆଜିକାର ଆଧୁନିକ ଓ ଅସଭ୍ୟରୁ ସଭ୍ୟ ହୋଇଛୁ, ତୁଚ୍ଛା ପ୍ରକୃତି ମଧ୍ୟରୁ ଘଷି ମାଜି ହୋଇ ଆମ ସଂସ୍କୃତି ମଧ୍ୟକୁ ଆସିଛୁ; ଫ୍ରଏଡ୍‌ଙ୍କର ସିଦ୍ଧାନ୍ତ ମୁତାବକ ନିରୁଦ୍ଧନର ଉକ୍ତ ପ୍ରକ୍ରିୟାଟି ଦ୍ୱାରା ତାହା ସମ୍ଭବ ହୋଇଛି । ଆମେ ଗୋଷ୍ଠୀ ଏବଂ ଗୁରୁଜନମାନଙ୍କର କଥା ମାନିଛୁ, ଶାସ୍ତ୍ରବାକ୍ୟ ମାନିଛୁ, ଯାବତୀୟ ନୀତି ଏବଂ ନୈତିକତା ମଧ୍ୟକୁ ଆପଣାକୁ ଶୃଙ୍ଖଳାବଦ୍ଧ କରି ଆଣିଛୁ, ଆମ ପୃଥିବୀଗୁଡ଼ିକ ଭିତରେ ଆମକୁ ଭଦ୍ର ସମୁଚିତ ଏବଂ ସଂସ୍କୃତିଯୁକ୍ତ କରି ରଖିଛୁ । କିନ୍ତୁ ଧର୍ମତଃ ସେହି ନିରୁଦ୍ଧନର ପ୍ରକ୍ରିୟାଟି ଦ୍ୱାରା ହିଁ ତାହା ହୋଇଛି । ଆମ ଭିତରର ଅସଲ କାମନାତୃପ୍ତିକାମୀ ନାଡ଼ିଟା ତାହା ଫଳରେ ପୂରା ଉପବାସୀ ହୋଇ ରହିଛି ।ଉପରେ ମାନି ଯାଇଥିଲେ ମଧ୍ୟ ଭିତରେ କିଳିହୋଇ ରହିବାର ଉତ୍ତେଜନାରେ ଆମେ ଭାରି ଅଶାନ୍ତ, ଉତ୍ତେଜିତ ତଥା ହିଂସ୍ର ହୋଇ ରହିଛୁ । ଅର୍ଥାତ୍ ସଭ୍ୟତା ମଧ୍ୟରେ ଏତେ ପ୍ରକାରେ ସୌଷ୍ଠବମଣ୍ଡିତ ହୋଇ ରହିଥିବା ଆମର ଜୀବନ ପ୍ରକୃତରେ ଗୋଟିଏ ନିରୁଦ୍ଧ ଜୀବନ । ଆପଣାର ସେହି ସତ୍ୟଯୁକ୍ତିଟିରେ ଆହୁରି ଆଗକୁ ଯାଇ ଶ୍ରୀ ଫ୍ରଏଡ୍ କହିଛନ୍ତି ଯେ, ରହି ଯାଉଥିବା ସେହି ମୂଳଭୂତ ଅତୃପ୍ତିଗୁଡ଼ିକ ତଥାପି ବାଡ଼ଗୁଡ଼ାକୁ ଭେଦି ବାହାରକୁ ନାନାଭଳି ପ୍ରକୋପରେ ଛିଟିକି ପଡ଼ିବେ ହିଁ ପଡ଼ିବେ ଏବଂ ଆପଣାର ଇଚ୍ଛାଗୁଡ଼ିକର ପୂରଣ କରିବେ । ସେମାନେ ବାହାରର ଆମ ସଂରଚନାଗୁଡ଼ିକୁ ଭାଙ୍ଗି ବାହାରିବେ ଓ ମଣିଷ ଆଦିମ ହେବ ।

 

ତେଣୁ, ଫ୍ରଏଡ୍‌ଙ୍କ ଅନୁମାନରେ ଯୁଦ୍ଧ ଅବଶ୍ୟମ୍ଭାବୀ । ମଝିରେ ଥରେ ଥରେ ଆଦିମ ହୋଇ ନିରୁଦ୍ଧ ହୋଇ ରହିଥିବା ମନୁଷ୍ୟମାନେ ପ୍ରତିବାଦ କରିବେ । ଏକଦା ଫ୍ରଏଡ୍ ଏବଂ ଆଲବର୍ଟ୍ ଆଇନ୍‌ଷ୍ଟାଇନ୍‌ଙ୍କ ମଧ୍ୟରେ ଏହି ବିଷୟରେ ଯେଉଁ ପତ୍ରାଳାପମାନ ହୋଇଥିଲା, ତାହା ଏକତ୍ର ହୋଇ Why War ? ଶୀର୍ଷକ ବହନ କରି ପୁସ୍ତକାଟିଏ ପ୍ରକାଶିତ ହୋଇଥିଲା । ଯୁଦ୍ଧ ଅବଶ୍ୟମ୍ଭାବୀ, କାରଣ ସଭ୍ୟତା ତଥା ସଂସ୍କୃତି ନାମକ ଏହି ସର୍ବବିଧ ହର୍ମ୍ୟରଚନା ସମ୍ଭବ ହୋଇଛି, କାରଣ ମନୁଷ୍ୟର ଆହୁରି ସ୍ୱଧର୍ମଗତ ପ୍ରବୃତ୍ତିଗୁଡ଼ିକ ନିରୁଦ୍ଧ ଓ ଅବଦମିତ ହୋଇ ରହିଛି । ମଝିରେ ମଝିରେ ଭିତରର ଆଦିମଟା ନିଶ୍ଚୟ ପଦାକୁ ବାହାରି ଆସିବ । ହିଂସ୍ର ହିଁ ହେବ ଏବଂ ଗୋଟିଏ ଦେଶ, ଜାତି ଅଥବା ଆଦର୍ଶବାଦର ଆଳରେ ସଭ୍ୟ ମଣିଷଟା ଯେପରି ନାନା ବିଜ୍ଞାନକୌଶଳକୁ କାମରେ ଲଗାଇ ଅସ୍ତ୍ର ସଜ୍ଜାର ଦାଣ୍ଡିଗୁଡ଼ାକୁ ଛିଡ଼ା କରାଇ ରଖିଛି, ତାହା କ’ଣ ସେହିପରି କୌଣସି ଫ୍ରଏଡୀୟ ବ୍ୟାଖ୍ୟାର ଗଣିତକୁ ମାନି ହେଉଛିକି ? ଶ୍ରୀଯୁକ୍ତ ଆଇନ୍‌ଷ୍ଟାଇନ୍ ଫ୍ରଏଡ୍‌ଙ୍କର ପ୍ରମାଣନୁମାନଟିକୁ ଯେ ସ୍ୱୀକାର କରି ନେଇଥିଲେ, ସେକଥା ମୋଟେ ନୁହେଁ । ତଥାପି ଫ୍ରଏଡ୍ ଆପଣାର ବିଶ୍ଳେଷଣରେ ଅତୁଟ ହିଁ ରହିଥିଲେ ।

 

ସିଗ୍‌ମୁଣ୍ଟ୍ ଫ୍ରଏଡ୍ ବହୁ ବୟସ ବଞ୍ଚିଥିଲେ ଏବଂ ପ୍ରାୟ ଅବିଚ୍ଛିନ୍ନ ଭାବରେ ନିଜ ଜିଜ୍ଞାସାମାନଙ୍କର କ୍ଷେତ୍ରରେ ସଚଳ ରହିଥିଲେ । ଯାବତୀୟ ବିଜ୍ଞାନ ମଧ୍ୟ ସେହିପରି ଗୁଡ଼ିଏ ଆଖିକୁ ସବୁବେଳେ ବୁଝାଏ, ଯେଉଁମାନେ କି ନୂଆ ନୂଆ ଅବଲୋକନରେ ଆପଣା ଅଧ୍ୟୟନର ଆଗ୍ରହକ୍ଷେତ୍ର ଗୁଡ଼ିକୁ ଦେଖୁଥା’ନ୍ତି ଏବଂ ସେହି ମୁତାବକ ନାନା ପରିପକ୍ୱତା ଲାଭ କରନ୍ତି ଏବଂ ତାହା ବିଜ୍ଞାନକୁ ସମୃଦ୍ଧ କରାଏ । ବିଂଶ ଶତାବ୍ଦୀର ଆରମ୍ଭରୁ ହିଁ ଇଉରୋପୀୟ ବିଜ୍ଞାନଦୃଷ୍ଟି କେତେ କୁଆଡ଼କୁ ପ୍ରସାରିତ ହୋଇ ଯାଉଥିଲା । ସମାଜ-ବିଜ୍ଞାନ ଏବଂ ନୃତତ୍ତ୍ୱ-ବିଜ୍ଞାନ, ଉଭୟେ ଏକ ସାହସଯୁକ୍ତ ତାରୁଣ୍ୟରେ ବହୁଆଡ଼େ ଖେଦିଗଲେ ଏବଂ ସେହି ସମୟଟିର ଭଣ୍ଡାରଟି ନିମନ୍ତେ କେତେ ଉନ୍ମେଷକାରୀ ପଣ୍ୟ ବୋହି ଆଣିଥିଲେ । ବ୍ରୋନିସ୍ ମାଲିନୋସ୍କି, ରୁଥ ବେନେଡ଼ିକଟ୍ ମାର୍ଗାରେଡ୍ ମିଡ୍ ତଥା ଆବ୍ରାହମ୍ କାର୍ଡିନର୍ ନୂଆ ସଂପ୍ରସାରଣମାନର କାରଣ ହେଲେ । ଖାସ୍ ମନୋବିଶ୍ଳେଷଣର ଆୟତନ ମଧ୍ୟରେ ଫ୍ରଏଡ୍‌ଙ୍କ ପାଖରୁ ପାଠ ପଢ଼ିଥିବା ଏକାଧିକ କନିଷ୍ଠ ମଧ୍ୟ ସ୍ୱକୀୟ ପରିପକ୍ୱତାମାନ ଲାଭ କରି କେତେ କ’ଣ ସବୁ ନୂତନ ଜ୍ଞାନରହସ୍ୟର ଉଦ୍‌ଘାଟନ କରିଦେବାରେ ଲାଗିଥିଲେ, ଯାହାର ବାରତା ପାଇ ଫ୍ରଏଡ୍ ନିଜେ ବହୁପ୍ରକାରେ ଚକିତ ହୋଇ ଯାଇଥିବେ; ସେଗୁଡ଼ିକୁ ଗ୍ରହଣ କରି ପାରୁନଥିବେ ସିନା, କିନ୍ତୁ ଏଗୁଡ଼ାକ ଅବିଜ୍ଞାନ ବୋଲି କହି କଦାପି ଭୁରାଡ଼ି ବି ପାରୁନଥିବେ ।

 

ହଁ, ଫ୍ରଏଡ୍ ମଧ୍ୟ ବୁଝି ଆସୁଥିଲେ । ସେ ହୃଦୟଙ୍ଗମ କରୁଥିଲେ ଯେ, Id ଏବଂ Super Ego ର ବସ୍ତୁତଃ ଅପର୍ଯ୍ୟାସ୍ତ ଚର୍ଚ୍ଚାମାନ ଯୁଗେଯୁଗେ ହୋଇ ଆସିଛି । ପୃଥିବୀଯାକ ଧର୍ମ ତଥା ନୈତିକତା କାର୍ଯ୍ୟତଃ ସେହିକଥା କରିଛନ୍ତି । ନିଷେଧ ଅଧିକ ଏବଂ ଈଶ୍ୱରଙ୍କ ନାମରେ ମଣିଷମାନଙ୍କୁ ବହୁ ପରାକ୍ରମ ଦେଖାଇ କାଣ୍ଟ୍‌ଛୁଣ୍ଟ୍ ହୋଇ ରହିବା ନିମନ୍ତେ ବାଧ୍ୟ କରାଯାଇଛି । ମନୁଷ୍ୟମାନଙ୍କର ଯେଉଁ ସ୍ୱକୀୟ ଆତ୍ମପରିଚୟଟି ଅର୍ଥାତ୍ Ego ଟି-ତାକୁ ବଡ଼ ତୁଚ୍ଛ କରି ରଖାଯାଇଛି । ସିଏ ନିଜେ ମଧ୍ୟ ଆପଣାର ସିଦ୍ଧାନ୍ତ-ବ୍ୟାଖ୍ୟାରେ ସେହି ଅନ୍ୟାୟଟିକୁ କରି ପକାଇ ନାହାନ୍ତି ତ,–ଆପଣାର ଆତ୍ମ-ସମୀକ୍ଷଣ ଗୁଡ଼ିକରେ ଫ୍ରଏଡ୍ ମଧ୍ୟ ସେହି ପ୍ରକାରେ କିଛି ଚିନ୍ତା କରିଥିବେ । ନାଇଁ, ନାଇଁ, ଏହି Egoର ହିଁ ଅଧିକ ଅଧ୍ୟୟନ ହେବା ଉଚିତ । ଅର୍ଥାତ୍, ମଣିଷକୁ କେନ୍ଦ୍ରରେ ରଖି ସେହି ଆଲୋକରେ ଇଦ୍ ଅଥବା ସୁପର୍ ଇଗୋର ଅଧ୍ୟୟନ,–ତାହାହିଁ ଅଧିକ ଯୁକ୍ତିଯୁକ୍ତ ଏବଂ ବିଜ୍ଞାନସମ୍ମତ । ସିଏ ତେଣୁ ଏକଦା କେଡ଼େ ସିଧା ହୋଇ କହିପାରିଲେ: Where Id was, there shall Ego be,–ଯେଉଁ ଆସନ ଉପରେ ଇଦ୍ ରହିଥିଲା, ଏବେ ସେଠାରେ ଇଗୋର ପ୍ରତିଷ୍ଠା ହେବ । ତେବେଯାଇ ଅଧ୍ୟୟନ ସୁସ୍ଥ ହେବ, ଅବଲୋକମାନେ ସଂଗତିଯୁକ୍ତ ହେବେ । ଯାବତୀୟ ମୂଲ୍ୟାୟନ କେନ୍ଦ୍ରଟିକୁ କେନ୍ଦ୍ରରେ ନେଇ ଥାପି ପାରିବ । ଅନେକ ସମୟରେ ନିତାନ୍ତ ଖଳ ହେବାପରି ପଚାରିବାକୁ ଇଚ୍ଛା ହୁଏ, ଯେଉଁ ତଥାକଥିତ ଉତ୍ତମମାନେ ମଣିଷ ଭିତରେ ଆଗ ଇଗୋକୁ ନଦେଖି ଇଦ୍‌ଟାକୁ ହିଁ ଦେଖିବାରେ ଏତେ ଏତେ ଉତ୍ସାହ ପ୍ରକଟ କରିଛନ୍ତି, ସେମାନେ ନିଜେ ମଧ୍ୟ ନିଜ ଭିତରର ଇଦ୍‌ଟାକୁ ପ୍ରାୟ କୌଣସି ଭୂତ ପରି ଦେଖୁଥିଲେ ଏବଂ ଗଞ୍ଜଣାରେ ପଡ଼ି ତାହାରି ସହିତ ହିଁ ଯୁଝିବାରେ ଲାଗିଥିଲେ ଏବଂ ସେହି କାରଣରୁ ଇଗୋଟିକୁ କ୍ଷତବିକ୍ଷତ କରି ରଖିଥିଲେ କି ?

 

‘ଜଣେ ସୁସ୍ଥ ଅର୍ଥାତ୍ ସାଧାରଣ ବ୍ୟକ୍ତିର ଆଚରଣ ବିଷୟରେ ସଂକ୍ଷେପରେ କେଉଁଭଳି ସଂଜ୍ଞାଟିଏ ଦିଆଯାଇ ପାରିବ ?’ –ଏହିପରି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀଯୁକ୍ତ ଫ୍ରଏଡ୍ Lieben und Arbeiten ବୋଲି ଉତ୍ତର ଦେଇଥିଲେ । ହଁ, ଭଲ ପାଇବା ଓ କର୍ମରତ ହୋଇ ରହିବା । ଚାଲ, ଭାବି ଚିନ୍ତି କହିବା ତ ସେତେବେଳେ ସେ ପ୍ରକୃତରେ କେଉଁ ଅର୍ଥରେ ‘ଭଲ ପାଇବା’ ଶବ୍ଦଟିର ବ୍ୟବହାର କରିଥିବେ ! ସେହି କେବଳ ସେକ୍ସ୍‌ର ଏକପାଖିଆ ଓ ଏକଆଖିଆ ଅର୍ଥରେ ମୋଟେ ନୁହେଁ । ଜଣେ ସୁସ୍ଥ ମନୁଷ୍ୟର ମଧ୍ୟ ଜୀବନରେ ସେକ୍ସ୍ ନିମନ୍ତେ ଏକ ସ୍ଥାନ ଅବଶ୍ୟ ରହିବ-। ମାତ୍ର, ସେଥିରେ କୌଣସି ବ୍ୟାଧିତତା ନଥିବ, କୌଣସି ଉପବାସୀ ଉଗ୍ର ମଣିଷର ଇଚ୍ଛାପୂରଣ ପରି ବିକାର ନଥିବ । ସିଏ ସହଜରେ ଦେଇ ପାରୁଥିବ ଓ ସହଜରେ ପାଇ ପାରୁଥିବ । ସତେଅବା ଝାମ୍ପି ନେଇ ପଳାଇବାର କୌଣସି ବ୍ୟଗ୍ରତା ହିଁ ନଥିବ । ତା’ର ସେକ୍ସ୍‌ ନାମକ ଜୀବନକ୍ଷେତ୍ରଟି ତା’ ଭଲ ପାଇବାର ଗୋଟିଏ ସୁସ୍ଥ ଅଂଶ ହୋଇ ରହିଥିବ । ଜୀବନକୁ ଭଲ ପାଇବା, ଏହି ଜଗତକୁ ଭଲ ପାଇବା, ଜଗତଯାକର ସବୁ ମନୁଷ୍ୟଙ୍କ ସହିତ ସହଯାତ୍ରୀ ହୋଇ ବାଟ ଚାଲିବାକୁ ଭଲ ପାଉଥିବା ସେମାନଙ୍କ ପାଖରୁ ଆପଣାକୁ ଲୁଚାଇ ରଖିବା ସକାଶେ ତା’ର ମୋଟେ ମନ ହେଉ ନଥିବ, ଏହିପରି ସବୁକିଛି କଥା । ଜଣେ ଭଲ ପାଉଥିବା ମଣିଷ କଦାପି କୃପଣ ହେବାକୁ ରାଜି ହେବନାହିଁ-। ଦେବାରେ କୃପଣ ନୁହେଁ ଅଥବା ନେବାରେ ମଧ୍ୟ କୃପଣ ନୁହେଁ; ତେଣୁ ସୁସ୍ଥ ଏବଂ ସମଗ୍ର ।

 

ପୁନଶ୍ଚ, ଫ୍ରଏଡ୍ ବ୍ୟବହାର କରିଥିବା ସେହି Arbeiten ଶବ୍ଦଟିକୁ ମଧ୍ୟ ଆମେ ପ୍ରକୃତରେ କେଉଁ ଅର୍ଥ ଦେଇ ବୁଝିବା ? କର୍ମ ତ ସମସ୍ତେ କରନ୍ତି; କିଏ ପେଟ ପୋଷିବାର ପ୍ରୟୋଜନରେ କାମ କରେ, ନାନା ଅଭାବର ମେଣ୍ଟାଣ ନିମନ୍ତେ ମଧ୍ୟ ଆଉମାନେ କାର୍ଯ୍ୟ କରନ୍ତି । କେଉଁମାନେ ବାବୁ ହୋଇ ଏବଂ କେଉଁମାନେ ମୂଲିଆ ହୋଇ କାର୍ଯ୍ୟ କରନ୍ତି, ବାଧ୍ୟ ହୋଇ କାମ କରନ୍ତି, ତେଣୁ ଆପଣା ଭିତରେ ବଡ଼ ନିର୍ଯାତିତ ହୋଇ ରହିଥାଆନ୍ତି । କାମର ବରାଦ ଗୁଡ଼ିକରେ Blue Collar ଏବଂ White Collar ନାମକ ଏକ ବିଭାଜନ ମଧ୍ୟ ରହିଥାଏ । ଦ୍ୱିତୀୟ ଶ୍ରେଣୀଟିକୁ ଆମ ଦେଶରେ ବାବୁ ବୋଲି କୁହାଯାଏ ଓ ଅନ୍ୟ ଶ୍ରେଣୀଟିକୁ ମୂଲିଆ ବୋଲି । ଗୋଟାଏ ପଟ ଅପର ପଟଟାକୁ ନାକ ଟେକେ ଏବଂ ଅପରଟି ଏପଟଟିକୁ ଈର୍ଷା କରିବାରେ ଲାଗିଥାଏ ଏବଂ, କହିବା ବାହୁଲ୍ୟ, ଉଭୟେ ଫାଙ୍କି ହିଁ ଦିଅନ୍ତି । ଶ୍ରୀଯୁକ୍ତ ଫ୍ରଏଡ୍ ଜଣେ ସୁସ୍ଥ ମଣିଷର ସ୍ୱାଭାବିକ ଧର୍ମରୂପେ ଏଠାରେ କର୍ମର ଉଲ୍ଲେଖ କରିଛନ୍ତି । ମୁଁ କର୍ମ ନକଲେ ପୃଥିବୀ ପୁଣି କିପରି ଚାଲିବ ବୋଲି କୌଣସି ସାଧୁ ଉକ୍ତିର ଦ୍ୱାହି ଦେଇ ମୋଟେ ନୁହେଁ, କର୍ମ କଲେ ହିଁ ଏହି ପୃଥିବୀରେ ମଣିଷମାତ୍ରେ ଆମ ସମସ୍ତଙ୍କର ଘର ବୋଲି ଲାଗିବ ବୋଲି ମୁଁ କର୍ମ କରୁଥିବି । ଆଦୌ କୌଣସି ପ୍ରତିଯୋଗିତା-ବୋଧର ଜ୍ୱର ଦ୍ୱାରା ଆକ୍ରାନ୍ତ ହୋଇ ନୁହେଁ, ଏକ ଅନ୍ତଃପ୍ରେରିତ ସହଜ ଆହ୍ୱାନର ପ୍ରେରଣାରେ । ସେହି କର୍ମ କରିବାରେ କେବେହେଲେ କ୍ଳାନ୍ତି ଆସେନାହିଁ, ଉଦାସୀନତାର ଅବକାଶ ନଥାଏ । ଜୀବନ କହିଲେ ସକଳ କ୍ଷଣ ଏକ ଏପରି ସକାରାତ୍ମକ ସହଜତାକୁ ବୁଝାଏ, ଯାହା ଆମ ବାହାରର ତଥା ଆମ ଭିତରର ସକଳ ସଚଳତାକୁ ସନ୍ତୁଳିତ କରି ରଖିଥାଏ । ଏକ ଅନିର୍ବଚନୀୟ ଅଥଚ ସହଜ ସଦାସଂପୃକ୍ତିର ଭାବ, ଯାହା ହେତୁ ଜଣେ ମନୁଷ୍ୟକୁ କଦାପି ଦରିଦ୍ରବତ୍ ଲାଗେନାହିଁ । ହଁ, ଅସଲ କର୍ମ ଆମ ଜୀବନରେ ସତକୁ ସତ ଏକ ମୁକ୍ତିର କାରଣ ହୋଇଥାଏ, ଠିକ୍ ଆମ ପ୍ରୀତିଟି ପରି ।

 

ଶ୍ରୀଯୁକ୍ତ ସିଗ୍‌ମୁଣ୍ଟ୍ ଫ୍ରଏଡ୍ ଆପଣା ଜ୍ଞାନ-ଆବିଷ୍କାର-ପ୍ରୟାସର ଏକାବେଳେକେ ମୂଳରୁ ହିଁ କେତେ ବଡ଼ ବଡ଼ ନକ୍ସା ଆଙ୍କି ରଖିବାରେ ସଦାସଚେତନ ହୋଇ ରହିଥିଲେ । ମନୋବିଶ୍ଳେଷଣର ଏହି ଅଭିନବ ଅଧ୍ୟୟନକୁ ଯେ ସିଏ ଏକ ପୂର୍ଣ୍ଣ ବିଜ୍ଞାନର ମର୍ଯ୍ୟାଦା ପ୍ରଦାନ କରିବାକୁ କେବଳ ଇଚ୍ଛା କରୁଥିଲେ ସେକଥା ନୁହେଁ, ସେ ସଂପୂର୍ଣ୍ଣ ତାତ୍ପର୍ଯ୍ୟର ସହିତ ବସ୍ତୁତଃ ଗୋଟିଏ ସାମ୍ରାଜ୍ୟର ହିଁ ସ୍ଥାପନା କରିବା ନିମନ୍ତେ ଇଚ୍ଛା ବି କରୁଥିଲେ । କହିବା ବାହୁଲ୍ୟ, ସେହି ସାମ୍ରାଜ୍ୟରେ ସିଏ ଆପେ ହେଉଛନ୍ତି ସର୍ବମାନ୍ୟ ସମ୍ରାଟ । ସେହି ପର୍ଯ୍ୟାୟର ତାଙ୍କର ଜଣେ ପୂର୍ଣ୍ଣ ଯୋଗ୍ୟତାର ପରିଚୟ ଦେବାକୁ ଆରମ୍ଭ କରିଥିବା ଦ୍ୱିତୀୟ ବ୍ୟକ୍ତିଙ୍କୁ ଫ୍ରଏଡ୍ ଉକ୍ତ ସାମ୍ରାଜ୍ୟର ଯୁବରାଜ ବୋଲି ଘୋଷଣା କରି ସାରିଥିଲେ । ଏପରି ବୃତ୍ତାନ୍ତଟିଏ ମଧ୍ୟ ରହିଛି ଯେ, ତାଙ୍କର ପତ୍ନୀ ଏକ ସନ୍ତାନର ମାଆ ହୋଇ ସାରିବା ଫ୍ରଏଡ୍ ତାଙ୍କୁ ମଧ୍ୟ କହି ଦେଇଥିଲେ ଯେ, ପତ୍ନୀଙ୍କ ଠାରୁ ବଂଶରକ୍ଷା ସକାଶେ ତାଙ୍କର ଗୋଟିଏ ସନ୍ତାନ ଲାଗି ଅପେକ୍ଷାଟିଏ ରହିଥିଲା; ଏବଂ, ଯେହେତୁ ବର୍ତ୍ତମାନ ସେହି ପ୍ରୟୋଜନଟିର ପୂରଣ ହୋଇଗଲା, ତେବେ ତାଙ୍କ (ପତ୍ନୀଙ୍କ) ଠାରେ ଆଉ ତାଙ୍କର କୌଣସି କାର୍ଯ୍ୟ ନାହିଁ । ଏଣିକି ସିଏ ପରିବାରର ଏହି ଯାବତୀୟ ଅଡ଼ୁଆରୁ ମୁକ୍ତ ହୋଇ ରହିବାକୁ ଇଚ୍ଛା କରୁଛନ୍ତି । ଏକ ସାମ୍ରାଜ୍ୟର, ମନୋବିଶ୍ଳେଷଣ ନାମକ ସାମ୍ରାଜ୍ୟର ସମ୍ରାଟରୂପେ ତାଙ୍କୁ ଯାବତୀୟ ଦାୟିତ୍ୱ ବହନ କରିବାକୁ ହିଁ ହେବ ଏବଂ ଧର୍ମତଃ ସିଏ ପୂର୍ଣ୍ଣ ଭାବରେ ସେଇଟିରେ ହିଁ ମନୋନିବେଶ କରିବେ ।

 

ବେଶ୍ ବୁଝିହେବ ଯେ, ସେହି ସମୟର ପାରମ୍ପରିକ ବିଶ୍ୱବିଦ୍ୟାଳୟର ଧାରା ଭିତରେ ରହିଥିବା ମନୋବିଜ୍ଞାନର ବିଭାଗଗୁଡ଼ିକ ମନୋବିଶ୍ଳେଷଣର ଏହି ନୂଆ ବ୍ୟାଖ୍ୟାଟି ପ୍ରକୃତରେ ଆଦୌ ବିଜ୍ଞାନର ସ୍ୱୀକୃତ ଶୃଙ୍ଖଳା ଇତ୍ୟାଦିକୁ ମାନୁଛି ବୋଲି ଗ୍ରହଣ କରିନଥିଲେ । ତଥାପି ଏହି ନୂତନଟି ବିଷୟରେ କେତେକ ମହଲରେ କୌତୁହଳମାନ ବୃଦ୍ଧି ପାଇବାରେ ଲାଗିଥିଲା ଓ ସେମାନେ ଅଧିକରୁ ଅଧିକ ଜାଣିବାକୁ ଆଗ୍ରହ ମଧ୍ୟ ପ୍ରକାଶ କରିଥିଲେ । ସେହି କ୍ରମରେ ଏକଦା ଆମେରିକାର କେତୋଟି ଗୋଷ୍ଠୀରୁ ନିମନ୍ତ୍ରଣ ଆସିଥିଲା,–ଉଭୟ ସମ୍ରାଟ ଫ୍ରଏଡ୍ ଏବଂ ତାଙ୍କର ଯୁବରାଜ କାର୍ଲ ଗୁସ୍ତାଫ୍ ୟୁଙ୍ଗ୍‌ଙ୍କ ଲାଗି । ସେମାନେ ଏକତ୍ର ଯାତ୍ରା କରିବେ ଏବଂ ଦୁଇ ପ୍ରକାରର ନିର୍ଘଣ୍ଟରେ ଆମେରିକାରେ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ବକ୍ତୃତା ପ୍ରଦାନ କରିବେ । ସେହି ଅନୁସାରେ ଫ୍ରଏଡ୍ ଓ ୟୁଙ୍ଗ୍ ଗୋଟିଏ ଜାହାଜରେ ବସି ଜଳଯାତ୍ରା କରିଥିଲେ ଏବଂ ଆମେରିକାରେ ପହଞ୍ଚି ଭିନ୍ନ ଭିନ୍ନ ନିର୍ଘଣ୍ଟ ଅନୁସାରେ ବିଭିନ୍ନ ସ୍ଥାନରେ ବକ୍ତୃତା ପ୍ରଦାନ କରିଥିଲେ ଏବଂ ଆଗ୍ରହୀମାନଙ୍କ ସହିତ ଏକତ୍ର ବସି ଚର୍ଚ୍ଚାମାନ କରାଇଥିଲେ । ସେଗୁଡ଼ିକର ବିବରଣୀ ସମ୍ବାଦପତ୍ର ମାନଙ୍କରେ ପ୍ରକାଶ ପାଉଥିଲା । ଦୂରରେ ଥିଲେ ମଧ୍ୟ ସେହି କାରଣରୁ ଫ୍ରଏଡ୍ ୟୁଙ୍ଗ୍‌ଙ୍କର ମତାମତ ଗୁଡ଼ିକୁ ଅବଶ୍ୟ ପାଠ କରି ପାରୁଥିଲେ ।

 

ସମ୍ରାଟ ନିଶ୍ଚୟ ଘ୍ରାଣ କରିଥିବେ ଯେ ଯୁବରାଜ ମହାଶୟ ସଂପୂର୍ଣ୍ଣ ବିଶ୍ୱସ୍ତତା ସହିତ ସାମ୍ରାଜ୍ୟଟିର ତତ୍ତ୍ୱବ୍ୟାଖ୍ୟା ଗୁଡ଼ିକୁ ଶ୍ରୋତାମାନଙ୍କ ଆଗରେ ପ୍ରକାଶ କରୁନାହାନ୍ତି, ସେ ଯେପରି ପୂରା ନିଜର କେତେକ ବିଚାରକୁ ଆଣି ସେଇଟି ସହିତ ମିଶାଇ ଦେଉଛନ୍ତି । ଫ୍ରଏଡ୍ ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଥିଲେ । ୟୁଙ୍ଗ୍ ଆପଣାର ଏକ ସ୍ୱତନ୍ତ୍ର ସାମ୍ରାଜ୍ୟର ଧିସାରେ ମୂଳସତ୍ୟ ଗୁଡ଼ିକୁ ଗୋଳେଇ ଘାଣ୍ଟି ପକାଉ ନାହାନ୍ତି ତ ! ଫ୍ରଏଡ୍‌ଙ୍କର ମନଭିତରଟା ହୁଏତ ଗୋଟାସୁଦ୍ଧା ଫିଡ଼ିକି ଯାଇଥିବ । ନାଇଁ, ୟୁଙ୍ଗ୍ ସହିତ ଆଉ ଆଦୌ ଏକତ୍ର ରହି ବାଟ ଚାଲି ହେବନାହିଁ । କାର୍ଯ୍ୟତଃ ଫେରନ୍ତି ବାଟରେ ସିଏ ଏକ ଅଲଗା ଜାହଜରେ ଇଉରୋପ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ, ସ୍ପଷ୍ଟତଃ, ୟୁଙ୍ଗ୍‌ଙ୍କ ପାଇଁ ଆଉ ଭିଏନାରେ ଫ୍ରଏଡ୍‌ଙ୍କ ପାଖରେ କୌଣସି ସ୍ଥାନ ହିଁ ନଥିଲା । କାର୍ଲ୍ ଗୁସ୍ତାଫ୍ ୟୁଙ୍ଗ୍ ସୁଇତ୍‌ଜରଲାଣ୍ଡ୍‌ର ତ୍‌ଜ୍ୟୁରିକ୍‌ଠାରେ ନିଜ ଆସ୍ଥାନଟିର ମୂଳଦୁଆ ପକାଇ ନେଇଥିଲେ-। ଏହାଦ୍ୱାରା ମନୋବିଶ୍ଳେଷଣର ଆଦୌ ଏକ ଦ୍ୱିବିଭାଜନ ଘଟି ନଥିଲା । ମନୋବିଶ୍ଳେଷଣର ଆୟତନରେ ପ୍ରସାରଣ ହିଁ ଘଟିଲା । ପୃଥିବୀରେ ଆମ ସମସ୍ତଙ୍କ ଲାଗି ତାହାକୁ ଗୋଟିଏ ସୌଭାଗ୍ୟ ବୋଲି କହିବାକୁ ପଡ଼ିବ । ସିଗ୍‌ମୁଣ୍ଟ୍ ଫ୍ରଏଡ୍ ମୂଳରେ ରହିଲେ, ଏବେ ମଧ୍ୟ ସେହିପରି ମୂଳରେ ହିଁ ରହିଛନ୍ତି । ଆପଣାର ବିଭିନ୍ନ ସତ୍ୟାନୁମାନ ମାନଙ୍କୁ ମୂଳରେ ରଖି ସେ ମନୁଷ୍ୟବ୍ୟକ୍ତିକୁ ବୁଝିବାରେ ଯେଉଁ ଅନ୍ତର୍ଦୃଷ୍ଟି ଗୁଡ଼ିକୁ ପ୍ରଦାନ କରି ଯାଇଛନ୍ତି, ସେଗୁଡ଼ିକୁ କେହିହେଲେ ଅପ୍ରଯୋଜ୍ୟ ବୋଲି କହି ମୋଟେ ବର୍ଜନ କରିନାହିଁ । ସବୁ ବିଜ୍ଞାନରେ ତ ନ୍ୟାୟତଃ ତାହାହିଁ ହୁଏ । ପିଣ୍ଡଟି ସର୍ବଦା ରହିଥାଏ ଏବଂ ଆହ୍ୱାନମାନେ ନୂଆ ନୂଆ ଦିଗ ଆଣି ଦେଖାଇ ଦେଉଥିବା ସଙ୍ଗେ ସଙ୍ଗେ ବିକାଶର ଆହୁରି ଆହୁରି କେତେ ପଥ ଉନ୍ମୋଚିତ ହୋଇଯାଆନ୍ତି ।

 

ୟୁଙ୍ଗ୍‌ଙ୍କର ପ୍ରସ୍ତୁତି-କ୍ଷେତ୍ରଟି ଫ୍ରଏଡ୍‌ଙ୍କର ତୁଳନାରେ ଅଧିକ ବ୍ୟାପକ ଥିଲା । ପ୍ରକୃତରେ ବହୁବ୍ୟାପକ ଥିଲା । ମନୁଷ୍ୟବ୍ୟକ୍ତିର ପୃଥିବୀଟିକୁ ବୁଝିବା ସକାଶେ ୟୁଙ୍ଗ୍ ସେହି ମନୋବିଶ୍ଳେଷଣର ଭୂମିଟିରୁ ହିଁ ଆପଣାର ଅବଲୋକନ ଗୁଡ଼ିକୁ ଅବଶ୍ୟ ଆରମ୍ଭ କରିଥିଲେ ସିନା, କିନ୍ତୁ ସେହି ପ୍ରକ୍ରିୟାରେ ତାଙ୍କର ଅନ୍ଦାଜଗୁଡ଼ିକ ତାଙ୍କୁ ଯେତେ ଯେତେ ଆଡ଼େ ଯିବାନିମନ୍ତେ ପ୍ରେରଣା ଦେଇଥିଲେ, ସିଏ ପୂର୍ଣ୍ଣ ସମ୍ମତିର ସହିତ ସେତେ ସେତେ ଆଡ଼କୁ ଯିବାପାଇଁ ବଡ଼ ସହଜରେ ପ୍ରସ୍ତୁତ ହୋଇ ଯାଉଥିଲେ । ମୋଟେ କୌଣସି ପ୍ରକାର ସାମ୍ରାଜ୍ୟର ଆକଟମାନଙ୍କୁ ମାନୁନଥିଲେ । କାର୍ଲ୍ ଗୁସ୍ତାଫ୍ ମଧ୍ୟ ଇହୁଦୀ ଥିଲେ; ମାତ୍ର ସୁଇତ୍‌ଜର୍‌ଲାଣ୍ଡର ତାଙ୍କର ଏହି ନୂଆ ଆସ୍ଥାନଟି ତତ୍କାଳୀନ ଭିଏନା ସହରଠାରୁ ସଂପୂର୍ଣ୍ଣଭାବେ ଭିନ୍ନ ଥିଲା । ୟୁଙ୍ଗ୍ ଅଧିକ ଗ୍ରହଣଶୀଳ ଥିଲେ; ଅର୍ଥାତ୍, କମ୍ ସ୍ପର୍ଶକାତର ଥିଲେ । ବିଜ୍ଞାନ ଅର୍ଥାତ୍ ଜ୍ଞାନ-ଉନ୍ମୋଚନ ଲାଗି ଆପଣାର ଆଗ୍ରହଗୁଡ଼ିକୁ କୌଣସି ପୂର୍ବଶୃଙ୍ଖଳାରେ ବାନ୍ଧି ରଖିବାକୁ ମନ କରୁନଥିଲେ । ତାଙ୍କର ବିଜ୍ଞାନଦୃଷ୍ଟିରେ କୌଣସି ଇତିହାସ କିମ୍ବା ଭୂଗୋଳର କାରଣ ନଥିଲା । ଖ୍ରୀଷ୍ଟପୂର୍ବ ଚୀନ୍‌ର ତାଓ ତେ କିଙ୍ଗ୍ ଏବଂ ଭାରତୀୟ ଶାସ୍ତ୍ରମାନଙ୍କର ଅଧ୍ୟାତ୍ମ-ସାଧନାର ଇତିବୃତ୍ତ ମାନଙ୍କରେ ପ୍ରତୀକବାଦର ଯେଉଁ ଉଚ୍ଚାଟନକାରୀ ପରମ୍ପରାଟି ନାନା ଭାଙ୍ଗରେ ଏବଂ ବ୍ୟଞ୍ଜନାରେ ନିହିତ ହୋଇ ରହିଥିଲା, ୟୁଙ୍ଗ୍ ଏକାଧିକ ସକାରାତ୍ମକ ଶିକ୍ଷାଗ୍ରହ ସହିତ ସେଇଟି ମଧ୍ୟକୁ ପ୍ରବେଶ କରିଥିଲେ । ପ୍ରାଚୀନ ଇଉରୋପୀୟ ଆଲ୍‌କେମି ତଥା ପ୍ରାୟ ସେହି କାଳର ଭାରତୀୟ ରସବିଦ୍ୟାର ନାନା ସାହସିକ ତୁଳନାତ୍ମକ ଚର୍ଚ୍ଚାର ପ୍ରୟାସ କରିଥିଲେ ଏବଂ ସେଗୁଡ଼ିକର କେତେ ଆଧୁନିକ ପ୍ରେରଣାତ୍ମକ ବ୍ୟାଖ୍ୟା ମଧ୍ୟ ଦେଇଥିଲେ-

 

ଭଲ ହେଲା, ମନୋବିଶ୍ଳେଷଣ ଭିଏନାରୁ ତ୍‌ସ୍ୟୁରିକ୍‌କୁ ସଂପ୍ରସାରିତ ହୋଇ ଯାଇଥିଲା-। ତେବେ ଯାଇ ତ କାର୍ଲ୍ ଗୁସ୍ତାଫ୍‌ ଆପଣାର ପରିପୂର୍ଣ୍ଣ ନେତ୍ରଟିକୁ ଦେଇ ନିଜ ପୃଥିବୀଟିକୁ ଦେଖିବାକୁ ଆରମ୍ଭ କଲେ ଓ ଆମ ସମସ୍ତଙ୍କ ପାଇଁ ଅନୁଶୀଳନର ନୂଆ ନୂଆ ବାଟର ଅବତାରଣା କରାଇ ପାରିଲେ ଏବଂ, ସମ୍ରାଟଙ୍କର ଶୈଳୀଟି ବିଷୟରେ ତାଙ୍କର ଏହି ମନ୍ତବ୍ୟଟି ତାହାରି ଏକ ସ୍ପଷ୍ଟ ସୂଚନା ଅବଶ୍ୟ ଦେଇଯିବ: ‘‘ଏକାଳର କୌଣସି ପଦାର୍ଥବିଜ୍ଞାନୀ କେବଳ ଉତ୍ତାପକୁ ଶକ୍ତିର ଏକମାତ୍ର ଉତ୍ସ ବୋଲି କଦାପି ଦାବି କରିବନାହିଁ । ଠିକ୍ ସେହିପରି, ମନୋବିଜ୍ଞାନୀମାନେ ମଧ୍ୟ ମନୁଷ୍ୟଜୀବନର ଯାବତୀୟ ଭାବ ତଥା ଆବେଗକୁ ସେହି ଯୌନକାମିତା ଅର୍ଥାତ୍ Sex ସହିତ ଆଣି ଯୋଡ଼ିଦେଇ ପାରିବେନାହିଁ । ସେହିପରି କରି ଶ୍ରୀଯୁକ୍ତ ଫ୍ରଏଡ୍ ମୂଳରୁ ହିଁ ଏକ ଭୁଲ କରିଛନ୍ତି-।’’ (୧) ମନୁଷ୍ୟ-ବ୍ୟକ୍ତିର ଅଧ୍ୟୟନକ୍ଷେତ୍ରରେ ଆମେ ଏହାପରେ ଯେଉଁ କଥାଟିକୁ ମନେପକାଇବା, ସେଇଟି ହେଉଛି Unconscious ଅର୍ଥାତ୍ ‘ଅଚେତନ’ ବିଷୟରେ ଦୁହିଁଙ୍କର ମତପାର୍ଥକ୍ୟ । ଫ୍ରଏଡ୍‌ଙ୍କର ଅଚେତନ ହେଉଛି ତାଙ୍କର Id,–ଆମ ଭିତରେ ରହିଥିବା ସେହି ଉପଦ୍ରବକାରିଣୀ ବାଘୁଣୀଟା, ଆମ ଇଗୋ ଯାହାକୁ ସହ୍ୟ କରିବାରେ ଲାଗିଥାଏ । କାର୍ଲ ଗୁସ୍ତାଫ୍‌ଙ୍କ ଅନୁମାନରେ ସେହି ଅଚେତନ ହେଉଛି ଆମ ଭିତରେ ନିହିତ ହୋଇ ରହିଥିବା ସମ୍ଭାବନାଗୁଡ଼ିକର ଗନ୍ତାଘର । ଇଗୋ ସେଗୁଡ଼ିକୁ ଘ୍ରାଣ କରି ପାରିବାର ଯୋଗ୍ୟ ହେବ ଏବଂ ବାସ୍ତବରୂପ ପ୍ରଦାନ କରିବ । ତେଣୁ, ସୁପରଇଗୋର ସେହି ଅନ୍ୟ କଥାଟିର ସଂଜ୍ଞା ମଧ୍ୟ ବଦଳି ଯାଇଥିଲା । ସୁପର୍ ଇଗୋ ଆମର ହାକିମ ନୁହେଁ, ଯାହାର ଆକଟ ମାନି ଆମେ ଯେତେ ଯାହା କାମ-ପରିତୃପ୍ତିର ଅଭିଳାଷ ରଖିଥିଲେ ମଧ୍ୟ ନିଜକୁ ସଂଯତ କରି ରଖିବା ଏବଂ ସଦାବାଧ୍ୟ ସୁନାପୁଅଟିଏ ପରି ଜୀବନଗୁଡ଼ିକୁ ବଞ୍ଚୁଥିବା ।

 

ତେଣୁ, ସୁପର୍ ଇଗୋ ହେଉଛି ଆମର, ଆମ ଇଗୋର ବିବେକ, ଏକ ସମାଜ ମଧ୍ୟରେ କ୍ରମଯୋଗ୍ୟ ହୋଇ ସେହି ସମାଜର କାମରେ ଲାଗି ଆପଣାର ସ୍ୱାଭାବିକତମ ତୃପ୍ତି ଲାଭ କରିବାକୁ ସଚଳ ଏବଂ କ୍ରିୟାଶୀଳ ହୋଇ ରହିଥିବା ଆମର ବିବେକ । ତେଣୁ, ଏହି କ୍ଷେତ୍ରରେ ସେହିଦିନୁଁ କ୍ରମେ ଫ୍ରଏଡୀୟ ସୁପର୍‌ଇଗୋ ଏବଂ ଏକ ସତ (real) ସୁପର୍ ଇଗୋର ବରଂ ଅଧିକତର ଚର୍ଚ୍ଚା ହେଲାଣି । ପୁଣି ଫ୍ରଏଡୀୟ ଅଚେତନ ଏବଂ real ବା ସତ ଅଚେତନ ବି ହେଲାଣି ଏବଂ, ସେହି ଅନୁସାରେ ମନୁଷ୍ୟ-ବ୍ୟକ୍ତିତ୍ୱର ଆଲୋଚନାଟି ମଧ୍ୟ ନୂତନର ନାନା ଅନ୍ଦାଜକୁ ସାହସ କରୁଛି । ଶ୍ରୀଯୁକ୍ତ କାର୍ଲ୍ ଗୁସ୍ତାଫ୍‍ ୟୁଙ୍ଗ୍ ପୁଣି The Integration of Personality ବୋଲି ଗୋଟିଏ ଗ୍ରନ୍ଥ ରଚନା କରି ଏକ ଆଲୋଡ଼ନକାରୀ ଆହ୍ୱାନର ଉପସ୍ଥାପନା କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସମଗ୍ର । ଆମେ ମନୁଷ୍ୟମାନେ ପ୍ରତ୍ୟେକେ ଅନ୍ୟ ମନୁଷ୍ୟମାନଙ୍କ ସହିତ ପୂରା ଏକାଭଳି; ଚେହେରାରେ, ଇନ୍ଦ୍ରିୟଗୁଡ଼ିକର କାର୍ଯ୍ୟକରିତାରେ, ଜୀବନର ଅନେକାନେକ ଆବଶ୍ୟକତାର କ୍ଷେତ୍ର-ମାନଙ୍କରେ । ଆମ ସହିତ ଏକତ୍ର ବାସ କରୁଥିବା କେତେକଙ୍କ ସହିତ ଭାଷାର ସାମଞ୍ଜସ୍ୟ, ସାମାଜିକ ବିଧାନଗୁଡ଼ିକ ସହିତ ମଧ୍ୟ ସାମଞ୍ଜସ୍ୟମାନ ସବୁବେଳେ ରହିଥାଏ । ତଥାପି, କେତେକ କ୍ଷେତ୍ର ଏପରି ରହିଥାଏ, ଯେଉଁଠାରେ ପ୍ରତ୍ୟେକେ ପ୍ରତ୍ୟେକଙ୍କ ଠାରୁ ଭିନ୍ନ, ସ୍ୱତନ୍ତ୍ର ଏବଂ ଏକକ । ସେହି ସ୍ୱାତନ୍ତ୍ର୍ୟ ଓ ଅନନ୍ୟତ୍ୱ, ତାହାହିଁ ଆମ ପ୍ରତ୍ୟେକଙ୍କର ବ୍ୟକ୍ତିତ୍ୱ କି ? ସତେଅବା ଗୋଟିଏ ଗୋଟିଏ ସଂପୂର୍ଣ୍ଣ ସତ୍ତା । ପରସ୍ପରର ଖୁବ୍ ନିକଟବର୍ତ୍ତୀ ହୋଇ ରହିଥିଲେ ମଧ୍ୟ ତଥାପି ସ୍ୱତନ୍ତ୍ର ।

 

ଏବଂ, ଆପଣା ଜୀବନର ସର୍ବବିଧ ଚର୍ଯ୍ୟାରେ ଗୋଟିଏ ଗୋଟିଏ ସମଗ୍ର । ଉଇଲ୍‌ହେଲ୍‌ମ୍ ଡିଲ୍‌ଥାଇଙ୍କର ସେହି କେଡ଼େ ସମର୍ଥ ଶବ୍ଦଟିକୁ ବ୍ୟବହାର କରି ଉକ୍ତ ସମଗ୍ରଟିକୁ ଏକ Zusammenhang ବୋଲି ନିଶ୍ଚୟ କୁହାଯାଇ ପାରନ୍ତା । ଆମ ପ୍ରତ୍ୟେକଙ୍କର ସେହି ସମଗ୍ରଗତ ସ୍ୱାତନ୍ତ୍ର୍ୟ ହେତୁ ମନୁଷ୍ୟମାନଙ୍କୁ କେବେହେଲେ ଏକାଭଳି ବୋଲି କୁହାଯାଇ ପାରିବନାହିଁ ଏବଂ ଛେଳି ମେଣ୍ଢାଙ୍କ ବାଗିର୍‍ ସୁମାରି କରାଯାଇ ପାରିବନାହିଁ । ମନୁଷ୍ୟ-ବ୍ୟକ୍ତିତ୍ୱ ବିଷୟରେ ଆମର ଯାବତୀୟ ଆକଳନର କ୍ଷେତ୍ରରେ ତେଣୁ ତାହାକୁ ନିତାନ୍ତ ଅବୈଜ୍ଞାନିକ ବୋଲି କୁହାଯିବ । ତଥାକଥିତ ପ୍ରୟୋଗଧର୍ମୀ ମନୋବିଜ୍ଞାନ ଯେତେ ଯାହା ଅଙ୍କର ହିସାବ ଦ୍ୱାରାମନୁଷ୍ୟମାନଙ୍କୁ ପିଟ୍ ଏବଂ ଅନ୍‌ଫିଟ୍ ବୋଲି କହି ମାର୍କାମାନଙ୍କୁ ବାଡ଼େଇ ହେଉଛି, ତଦ୍ଦ୍ୱାରା ମନୁଷ୍ୟର ବ୍ୟକ୍ତିତ୍ୱ ବିଷୟରେ ନିତାନ୍ତ ଅବହେଳାର ପ୍ରଦର୍ଶନ କରାଯାଉଛି ଓ କ’ଣ ସବୁ କାର୍ଯ୍ୟସମ୍ପାଦନର ଦ୍ୱାହି ଦେଇ ମନୁଷ୍ୟମାନଙ୍କୁ ଛେଳି ମେଣ୍ଢା ହେବାକୁ ବାଧ୍ୟ କରାଯାଉଛି ଏବଂ, ସେହି କାର୍ଯ୍ୟଟି ରାଷ୍ଟ୍ର ସବୁଠାରୁ ଅଧିକ ପରିମାଣରେ କରୁଛି ଓ ରାଷ୍ଟ୍ରର ଅଧୀନସ୍ଥତାକୁ ବରଣ କରି ନେଇଥିବା ବିଜ୍ଞାନ ଏବଂ ବିଶ୍ୱବିଦ୍ୟାଳୟମାନେ କରୁଛନ୍ତି । ମନୁଷ୍ୟମାନଙ୍କର ବ୍ୟକ୍ତିତ୍ୱ ଉପରେ ହୁଏତ କିଛି ନକରି ପାରୁଥିଲେ ମଧ୍ୟ ଭିତରୁ ଥାଇ ନିଶ୍ଚୟ ପ୍ରତିବାଦ କରୁଥିବ ।

 

ରୋଗୀର ମଧ୍ୟ ଗୋଟିଏ ବ୍ୟକ୍ତିତ୍ୱ ରହିଛି । ଉଭୟ ଶାରୀରିକ ରୋଗୀମାନଙ୍କର ଏବଂ ତଥାକଥିତ ମାନସିକ ରୋଗୀମାନଙ୍କର । ଏକ ସମଗ୍ର ବ୍ୟକ୍ତିତ୍ୱ ଏବଂ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ । ଏକ ପୂର୍ଣ୍ଣ ବ୍ୟକ୍ତିତ୍ୱର ଆବେଦନକୁ ସାଙ୍ଗରେ ନେଇ ଜଣେ ଚିକିତ୍ସକ ରୋଗୀର ନିକଟବର୍ତ୍ତୀ ହୋଇ ପାରୁଥିଲେ ଯାଇ ସେହି ସତ୍ୟଟିକୁ ହୃଦୟଙ୍ଗମ କରିପାରିବ । ସଂପୂର୍ଣ୍ଣ ଭାବରେ ଏକ ବୈଜ୍ଞାନିକ ଏକାତ୍ମବୋଧ ଓ ସମଦରଦକୁ ଭାଷା ଦେଇ କାର୍ଲ ଗୁସ୍ତାଫ୍ ୟୁଙ୍ଗ୍ ଆମକୁ ସେହି କଥାଟିକୁ କହିଛନ୍ତି: The doctor is affective only when he himself is affected. ‘Only the wounded physician heals’ ! But when the doctor wears his personality like a coat of armour, he has no effect. (୨) ଜଣେ ଚିକିତ୍ସକ ଯେତେବେଳେ ସ୍ୱୟଂସଂପୃକ୍ତ ଏବଂ ଗ୍ରଥିତ ହୋଇ ରହିଥାଏ, ସେତେବେଳେ ଯାଇ ସେ ସକାରାତ୍ମକଭାବରେ ଆଦୌ କିଛି ସମ୍ଭବ କରିପାରେ । ଆପଣାକୁ ମଧ୍ୟ କ୍ଷତ ଅନୁଭବ କରୁଥିବା ଡାକ୍ତର କ୍ଷତଗୁଡ଼ିକୁ ଦୂର କରିପାରେ । ମାତ୍ର, ଯେତେବେଳେ ଜଣେ ଚିକିତ୍ସକ ନିଜର ବ୍ୟକ୍ତିତ୍ୱକୁ ସତେଅବା ଗୋଟିଏ ସାଞ୍ଜୁ ଭଳି ପରିଧାନ କରି ରହିଥିବ, ସେତେବେଳେ ତା’ର ଆଦୌ କୌଣସି ପ୍ରଭାବ କେବେହେଲେ ପଡ଼ିବନାହିଁ । କେବଳ ଗୋଟିଏ ରୋଗୀର ରୋଗର ଆରୋଗ୍ୟ କରି ପାରିବାର କ୍ଷେତ୍ରରେ ନୁହେଁ, ଶିକ୍ଷା, ପାରିବାରିକ ଯାବତୀୟ ସମ୍ପର୍କର କ୍ଷେତ୍ରରେ ମଧ୍ୟ ସେହି କଥାଟି କୁହାଯାଇ ପାରିବ । ଆମର ଏହି ବହୁକିସମ ଧର୍ମଗୁରୁ ମାନଙ୍କର କ୍ଷେତ୍ରଟିରେ ମଧ୍ୟ ଉକ୍ତ କଥାଟିର ବହୁତ ବହୁତ ପ୍ରାସଙ୍ଗିକତା ସର୍ବଦା ହିଁ ରହିବ ।

 

ମନୋବିଶ୍ଳେଷଣର ଇତିବୃତ୍ତଟିରେ ସର୍ବମୂଳ ପ୍ରେରଣା ରୂପେ ଯେଉଁ ପ୍ରମୁଖତମ ତ୍ରୟୀ ସବୁକାଳକୁ ସମସ୍ତଙ୍କ ଦ୍ୱାରା ସ୍ୱୀକୃତ ହେଉଥିବେ, ସେମାନଙ୍କ ମଧ୍ୟରେ ଆଲ୍‌ଫ୍ରେଡ୍ ଆଡ୍‌ଲର୍ ହେଉଛନ୍ତି ଅନ୍ୟତମ । ଆଡ୍‌ଲର୍ ତାଙ୍କର ମୁଖ୍ୟ ଆଲୋଚନାଟିକୁ ସେଇମାନଙ୍କ ଠାରୁ ଆରମ୍ଭ କରିଛନ୍ତି, ଯେଉଁମାନଙ୍କର ଶାରୀରିକ ବିକାଶରେ କିଛି ଖୁଣ ରହି ଯାଇଥାଏ ଓ ତେଣୁ ଅନ୍ୟମାନଙ୍କ ତୁଳନାରେ ସେମାନଙ୍କୁ କମ୍ ସମର୍ଥ କରି ରଖିଥାଏ । ଫଳରେ ପ୍ରାୟ ନିୟମତଃ ସେମାନଙ୍କ ଭିତରେ ହୀନମନ୍ୟତାର ଏକ ଭାବନା ସେମାନଙ୍କୁ କାମୁଡ଼ି ଧରିଥାଏ । ସତେଅବା ଏହାର ଏକ କ୍ଷତିପୂରଣ ଲୋଡ଼ି ସେମାନେ ମାନସିକ କ୍ଷେତ୍ରରେ ଅନ୍ୟମାନଙ୍କର ସମକକ୍ଷ ହେବାରେ ଉଦ୍ୟମୀ ହୁଅନ୍ତି ଏବଂ କେବଳ ସେତିକି ନୁହେଁ, ଅନ୍ୟମାନଙ୍କୁ ଟପି ବି ଯାଆନ୍ତି । ଏହିପରି ଏକ ଆଗ୍ରହ ଦ୍ୱାରା ଆଖିରେ ଦେଖି ପାରୁନଥିବା ଜଣେ ଅନ୍ଧ ଗୀତ ଗାଇବାରେ ଖୁବ୍ ନିପୁଣତା ମଧ୍ୟ ଦେଖାଇଥାଏ । ଶ୍ରୀ ଆଡ୍‌ଲର୍ ସେହି ପ୍ରକ୍ରିୟାଟିକୁ ମାନସିକ ସ୍ତରର ଏକ କ୍ଷତିପୂରଣ ଦ୍ୱାରା ଶାରୀରିକ କ୍ଷେତ୍ରର ଅସମର୍ଥତାକୁ ଅତିକ୍ରମ କରିଯିବାର ଏକ ମାର୍ଗ ବୋଲି ବର୍ଣ୍ଣନା କରିଛନ୍ତି ।

 

ଆମକୁ ଆମ ଜୀବନଯାପନର ମୋଟାମୋଟି ଏକ ଦୈର୍ଘ୍ୟପ୍ରସ୍ଥ ଯୋଗାଇ ଦେଉଥିବା ପରିବେଶଟିଏ ଆମକୁ ଆବଶ୍ୟକ ପୁଞ୍ଜିମାନଙ୍କୁ ଯୋଗାଇ ଦେଉଥାଏ ସତ, ମାତ୍ର ଆଡ୍‌ଲର୍‌ଙ୍କର ବିଚାରରେ, ପରିବେଶ ବାହ୍ୟତଃ ଗୋଟିଏ ହୋଇଥିଲେ ମଧ୍ୟ ସେଥିମଧ୍ୟରେ ଆତଯାତ ହେଉଥିବା ବ୍ୟକ୍ତିମାନେ ସେଇଟିରେ ଆଦୌ ଗୋଟିଏ ପ୍ରକାରେ ପ୍ରଭାବିତ ହୁଅନ୍ତିନାହିଁ, ସେମାନେ ସେଇଟି ମଧ୍ୟରୁ ଏକା କଥାମାନଙ୍କୁ ଗ୍ରହଣ କରନ୍ତିନାହିଁ କିମ୍ବା ବର୍ଜନ ମଧ୍ୟ କରନ୍ତିନାହିଁ । ଆଡ୍‍ଲର୍‌ଙ୍କର ପରିଭାଷାରେ ବ୍ୟକ୍ତ କରିବାକୁ ଗଲେ, ଜଣେ ଜଣେ ବ୍ୟକ୍ତି ହିସାବରେ ଆମ ପ୍ରତ୍ୟେକଙ୍କର ଗୋଟିଏ Life Style ବା ଜୀବନ ବଞ୍ଚିବାର ଗୋଟିଏ ନିଜସ୍ୱ ଶୈଳୀ ରହିଥାଏ: ସେହି ଆଡ୍‌ଲର୍‌ଙ୍କ ଭାଷାରେ, ‘the interpretation we give to life’, -ଅର୍ଥାତ୍ ଏହି ସଂସାରଟି ଭିତରେ ରହି, ସଂପୂର୍ଣ୍ଣ ଭାବେ ଆମର ଏହି ସଂସାରଟି ମଧ୍ୟରେ ଜୀବନ ବଞ୍ଚି, ଅର୍ଥାତ୍ ସମାଜରେ ବାସ କରୁଥିବା ଅନ୍ୟମାନଙ୍କ ସହିତ ଆପଣାକୁ ସଂପୃକ୍ତ ଏବଂ ସମ୍ବନ୍ଧିତ କରି ରଖି,–ଅଧିକ ସ୍ପଷ୍ଟ ଭାବରେ କହିଲେ, ଆପଣାକୁ ସେମାନଙ୍କ ସହିତ ସଂପୃକ୍ତ ଓ ସମ୍ବନ୍ଧିତ କରି ରଖି ଏବଂ ସେମାନଙ୍କୁ ଆପଣା ସହିତ ସଂପୃକ୍ତ ଓ ସମ୍ବନ୍ଧିତ କରି ରଖି ନିଜ ଜୀବନଟିକୁ ସେହିସବୁ ପ୍ରକ୍ରିୟାଦ୍ୱାରା ହିଁ ଯେଉଁ ଅର୍ଥଟିକୁ ଦେଉଥିବା ଏବଂ ତାହାକୁ ଆମର ଜୀବନସତ୍ୟ ବୋଲି ଜାଣୁଥିବା, ସେଇଟି ହେଉଛି ଆମର ଜୀବନଶୈଳୀ । ସେହିପରି ପ୍ରତ୍ୟେକଙ୍କର ମଧ୍ୟ ଗୋଟିଏ ଗୋଟିଏ life style ବା ଜୀବନଶୈଳୀ । ଶ୍ରୀ ଆଡ୍‌ଲର୍ ତେଣୁ କହିବେ ଯେ ସର୍ବବିଧ ସତ୍ୟ ହେଉଛି ଗୋଟିଏ ଗୋଟିଏ ସାମାଜିକ ଉପଲବ୍ଧି ଏବଂ ସେହି କାରଣରୁ କେବଳ ନିଜର ସତ୍ୟ ବୋଲି କିଛି ନାହିଁ । ଅର୍ଥାତ୍ ସେହି ସାମାଜିକ ପରିବେଶଟି ସହିତ ସହଯୋଗିତା । ଗିଳି ହୋଇଯିବା ନୁହେଁ ଅଥବା ଗିଳି ପକାଇବା ମଧ୍ୟ ନୁହେଁ, ସହଯୋଗିତା । ନିଜର life-style ଏବଂ ଅନ୍ୟମାନଙ୍କର life-style ମଧ୍ୟରେ ଏକ ସ୍ୱାଭାବିକ ସହଯୋଗିତା ।

 

ଆଡ୍‌ଲର୍ କହିଛନ୍ତି, ସେହି ସମାଜସ୍ଥ ପରିବେଶଟିରୁ ମୁହଁ ମୋଡ଼ିନେବା ଏବଂ ନିଜକୁ ହିଁ ସତେଅବା ଏହି ପୃଥିବୀନାମକ ଜୀବନର କେନ୍ଦ୍ର ଏବଂ ଏପରିକି ସଂପୂର୍ଣ୍ଣ ବୃତ୍ତଟି ପରି ମାନିବା, ସେଇଟି ହେଉଛି ନିଉରୋସିସ୍, ମନୁଷ୍ୟମାନଙ୍କର ଜୀବନରେ ଭୋଗିବାକୁ ପଡ଼ୁଥିବା ମୂଳଭୂତ ମହାବ୍ୟାଧିଟା ଏବଂ, ସେହି ମୂଳରୁ ହିଁ ଶ୍ରୀ ଆଡ୍‌ଲର୍ ସତର୍କ କରିଦେଇ କହିଛନ୍ତି ଯେ, ସେହି Neurosis ମୋଟେ ଗୋଟାଏ ବ୍ୟାଧି ନୁହେଁ,–ଜୀବନର ଏକ ଭୁଲ ଅର୍ଥ କରି ସେହି ଅନୁସାରେ ଗୋଟିଏ ଭୁଲ ରୀତିରେ ନିଜର ଜୀବନକୁ ବଞ୍ଚିବା, ସେଇଟି ନିଉରୋସିସ୍ । ଆପଣାର ସମସାମୟିକ ଇଉରୋପ୍‌ରେ ବହୁସଂଖ୍ୟାର ମଣିଷ ଯେଉଁ ନିଉରୋସିସ୍ ଦ୍ୱାରା ପୀଡ଼ିତ ହୋଇ ରହିଥିଲେ, ତାହାର କେତେ କାରଣ ମଧ୍ୟରେ ଆଲ୍‌ଫ୍ରେଡ୍ ଆଡ୍‌ଲର୍ ଆର୍ଥିକ ଜୀବନରେ ରହିଥିବା ନାନା ବୈଷମ୍ୟକୁ ମଧ୍ୟ ଗୋଟିଏ ବୋଲି ଗ୍ରହଣ କରିଛନ୍ତି । ସ୍ୱୟଂ ଫ୍ରଏଡ୍ ମଧ୍ୟ ଏଦିଗରେ ଆଦୌ କୌଣସି ଚିନ୍ତା କରିନଥିବେ; ପରବର୍ତ୍ତୀ ୟୁଙ୍ଗ୍ ମଧ୍ୟ ସେଦିଗଟି ଆଡ଼କୁ ଦୃଷ୍ଟିପାତ କରିବେ କି ନାହିଁ କେଜାଣି ?

 

ଏବଂ, ସବାଶେଷରେ ଆମେ ଶ୍ରୀଯୁକ୍ତ ଆଡ୍‌ଲର୍‌ଙ୍କର ସେହି ସୁବିଦିତ Gemeinscafsgefuel ର କିଞ୍ଚିତ୍ ଆଲୋଚନା କରିବାକୁ ଚେଷ୍ଟା କରିବା । ସିଧା ଅନୁବାଦରେ ତାହାକୁ Social feeling ବୋଲି ବୁଝି ନ୍ୟାୟତଃ ବହୁତ କିଛି ବୁଝି ହୋଇଗଲା ବୋଲି ଅନୁଭବ କରିବାକୁ ଆରମ୍ଭ କରିବା କଦାପି ଯଥେଷ୍ଟ ହେବନାହିଁ । କଥାଟିକୁ ଏକ ଖାସ୍ ବ୍ୟଞ୍ଜନା ଦେଇ ବ୍ୟବହାର କରିଥିବା ଆଡ୍‌ଲର୍ ତାହାକୁ ସମଗ୍ର ମନୁଷ୍ୟଜାତି ସହିତ ଏକ ଏକାତ୍ମବୋଧ ବୋଲି କହିଛନ୍ତି । ସିଏ ଏପରି ଜଣେ ମନୁଷ୍ୟ-ବ୍ୟକ୍ତିକୁ ଜଣେ ଅସୁସ୍ଥ ମନୁଷ୍ୟ ବୋଲି କହିଛନ୍ତି, ଯିଏକି ତା’ର ଜୀବନଟା ଯାକ ପ୍ରଧାନତଃ ଅଧିକରୁ ଅଧିକ କ୍ଷମତା ହାସଲ କରିବାରେ ଅତିବାହିତ କରି ଦେଇଥାଏ । ଅର୍ଥାତ୍, ଏଭଳି କରିବାରେ ଆପଣାକୁ ବ୍ୟସ୍ତ କରି ନରଖିଲେ ନିଜ ଭିତରେ ସର୍ବଦା ଅନ୍ୟମାନଙ୍କ ଠାରୁ ହୀନ ଓ ଅଳପ ବୋଲି ବିଚାର କରିବାରେ ଲାଗିଥାଏ ଏବଂ, ସେହିପରି ଭାବରେ ବହୁ ହୀନମନ୍ୟତାର ନିୟତ ତାଡ଼ନାରେ ସେହି ବ୍ୟକ୍ତି ବାଧ୍ୟ ହିଁ ହେଲା ପରି ଅନ୍ୟମାନଙ୍କ ସହି ପ୍ରତିଦ୍ୱନ୍ଦ୍ୱିତା କରିବାରେ ଲାଗିଥାଏ । ଶ୍ରୀଯୁକ୍ତ ଆଡ୍‌ଲର୍ ସେହି ବ୍ୟକ୍ତିଟି ବିଷୟରେ ସତେଅବା ଶେଷ ଗାରଟିଏ ଟାଣି ଦେଇ କହିଛନ୍ତି ଯେ, ସିଏ ମୋଟେ କାହାକୁ ହେଲେ ଭଲ ପାଉନଥାଏ ।

 

ଅସଲ ସୁସ୍ଥ ବ୍ୟକ୍ତିକୁ ସଂସାର ଭଲ ଲାଗିବ,–ଏହି କଥାଟିର ସ୍ପଷ୍ଟତମ ଅର୍ଥ ହେଉଛି ଯେ, ତାକୁ ମଣିଷମାନେ ଭଲ ଲାଗିବେ । ଏକ ତଥାପି ନିକଟତର ଅର୍ଥରେ କହିଲେ, ସିଏ ଆପେ ମଧ୍ୟ ସକଳ ସକାରାତ୍ମକତା ସହିତ ନିଜକୁ ନିଜପାଖରେ ସ୍ୱୀକାର କରି ନେଇଥିବ । ତେବେ ଯାଇ ସିନା ସିଏ ଅନ୍ୟମାନଙ୍କୁ ଯେକୌଣସି ପ୍ରକାରେ ଟପିଯିବାର ସଦା-ଅଶ୍ୱସ୍ତିକର ପ୍ରକ୍ରିୟାଟି ହାତରୁ ଆପଣାକୁ ଦୂରରେ ରଖି ପାରିବ । ଶ୍ରୀଯୁକ୍ତ ଆଲ୍‌ଫ୍ରେଡ୍ ଆଡ୍‌ଲର୍ ଆଦୌ କୌଣସି ଭ୍ରମର ଅବକାଶମାନ ରଖି କହିଛନ୍ତି ଯେ ଏହି ସାମାଜିକ ସହଜ-ସଂପୃକ୍ତିର ଅନୁଭବଟି ଆଦୌ ମନୁଷ୍ୟମାନଙ୍କର ଗୋଟିଏ ସହଜାତ ପ୍ରବୃତ୍ତି ନୁହେଁ; କିନ୍ତୁ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ତାହା ଏକ ସମ୍ଭାବନାରୂପେ ଅନ୍ତର୍ନିହିତ ହୋଇ ରହିଛି, ଯାହାକୁ ବିକଶିତ କରି ଆଣିବାକୁ ପଡ଼ିବ ଏବଂ, ସଂପୂର୍ଣ୍ଣ ସଚେତନ ଭାବରେ । ମୁଁ ନିଜେ ନିଜପାଇଁ ଦାୟୀ, ମୁଁ ମୋର ସମାଜ ପାଇଁ ମଧ୍ୟ ଦାୟୀ । ଅର୍ଥାତ୍, ଏହି ସମାଜରେ ମୁଁ ଆପେ କିପରି ବ୍ୟକ୍ତିଟିଏ ହେବି ବା ନହେବି, ନିଜକୁ ତଥା ବୃହତ୍ତର ସମାଜଟିକୁ ଅଧିକରୁ ଅଧିକ ବୁଝୁଥିବା ସଙ୍ଗେ ସଙ୍ଗେ ମୁଁ ନିଜେ ହିଁ ଅତ୍ୟନ୍ତ ସାବଲୀଳ ଭାବରେ ସେହି ନିଷ୍ପତ୍ତିଗୁଡ଼ିକୁ କରୁଥିବି । ବାଧ୍ୟ ହୋଇ ନୁହେଁ, ଗୋଟାପଣେ ସହଜ ଏବଂ ସ୍ୱତଃପ୍ରବୃତ୍ତ ହୋଇ । ପାଖଟିକୁ ଆପଣାର ବୋଲି ଗ୍ରହଣ କରି ନେଉଥିାବ ସଙ୍ଗେ ସଙ୍ଗେ ଆପଣାର କରିନେଉ ଥିବାର ମୋ’ର ସେହି ପରିଧିମାନେ କେଡ଼େ ସହଜ ଏବଂ ନିବିଡ଼ ଭାବରେ ପ୍ରସାରିତ ହୋଇ ଯାଉଥିବେ । ବୃତ୍ତଟି ବଡ଼ ହେବାରେ ଲାଗିଥିଲେ ମଧ୍ୟ ସେଥିଲାଗି ପାଖଟିକୁ ଛାଡ଼ି ଦେବାକୁ ପଡ଼ୁଛି ବୋଲି ମୋଟେ ଅନୁଭବ ହେଉନଥିବ । ଏହିପରି ଭାବରେ ଏହି ପାଖଟି କେତେବେଳେ ଯେ ଦୂରଗୁଡ଼ିକ ସହିତ ଯୋଡ଼ି ହୋଇ ଯାଉଥିବ ଓ ଦୂରଗୁଡ଼ିକ ମଧ୍ୟ ଏହି ତଥାକଥିତ ପାଖଟି ମଧ୍ୟରେ ବଞ୍ଚି ହେଉଥିବ, ସେହି ବିଷୟରେ କୌଣସି ନିଘା ମଧ୍ୟ ରହିବନାହିଁ । ଆଡ୍‌ଲର୍ ସେହି ଅବଶ୍ୟମ୍ଭାବୀଟିକୁ ହିଁ ସମୁଦାୟ ମନୁଷ୍ୟଜାତି ସହିତ ଆମର ଏକତ୍ୱବୋଧ ବୋଲି କହିଛନ୍ତି କି ?

ମନୋବିଶ୍ଳେଷଣର ବୈଜ୍ଞାନିକ ଗବାକ୍ଷଟିକୁ ଆଧାର କରି ମନୁଷ୍ୟ ଏବଂ ତାହାର ଏହି ଜାଗତିକ ଜୀବନକୁ ବୁଝିବାର ଯେଉଁ ପରମ୍ପରାଟି ଅବ୍ୟାହତ ରହି ଆସିଛି ଏବଂ ଅବଶ୍ୟ ରହିଥିବ, ସେଥିରେ ଶ୍ରୀ ସିଗ୍‌ମୁଣ୍ଟ୍ ଫ୍ରଏଡ୍ କେବେହେଲେ ପୁରୁଣା ହୋଇ ପଛରେ ରହି ଯିବେନାହିଁ । ଶ୍ରୀଯୁକ୍ତ ଫ୍ରଏଡ୍‌ ତ ଏକାଧିକ ଅବକାଶରେ ନିଜେ ସ୍ୱୀକାର କରିଛନ୍ତି ଯେ କବି ଓ ଲେଖକମାନେ ତାଙ୍କର ବହୁପୂର୍ବରୁ ମନୁଷ୍ୟଜୀବନର ଏହି ରାତ୍ରିପାର୍ଶ୍ୱଟିର (‘the right side of life’)ର ଚର୍ଚ୍ଚା ସର୍ବଦା କରି ଆସିଛନ୍ତି । କ୍ରମେ ବିଶ୍ୱସାହିତ୍ୟରେ ପ୍ରାୟ ସେହି ସଂକ୍ରମଣଟିର ଫଳରେ ଚର୍ଚ୍ଚାଟି ବହୁ ବୈଚିତ୍ର୍ୟଯୁକ୍ତ ନିପୁଣତାର ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି ଏବଂ ମନୁଷ୍ୟ-ବ୍ୟକ୍ତିତ୍ୱ ଉପରେ ସେହି ଆଲୋକପାତ ଗୁଡ଼ିକର ପ୍ରୟାସ କେତେ ନା କେତେ କଳାତ୍ମକ ମନୋରମତା ସହିତ ସେହି ରାତ୍ରିପାର୍ଶ୍ୱଟିକୁ ଆମ ସମସ୍ତଙ୍କ ପାଖରେ ଆଣି ଉପସ୍ଥାପିତ କରିାବରେ ଖୁବ୍ ସହାୟକ ହୋଇ ପାରୁଛି । ମନୋବିଶ୍ଳେଷଣର ଆଗ୍ରହ କାଳକ୍ରମେ ବହୁଶାଖାଯୁକ୍ତ ହୋଇ ପାରିଛି । ରାତ୍ରିପାର୍ଶ୍ୱଗୁଡ଼ିକୁ ଉଖାରି ଦେଖୁ ଦେଖୁ ଫ୍ରଏଡ୍‌ଙ୍କର ଅନୁଗାମୀ ପରବର୍ତ୍ତୀମାନେ ବେଳେବେଳେ ଅନ୍ଧାରଗୁଡ଼ିକର ଆହୁରି ତଳେ କେତେ କେତେ ଅନ୍ୟ ଉପାଦାନର ଝଲକ ମଧ୍ୟ ପାଇ ଯାଇଛନ୍ତି, ଯାହା ସେମାନଙ୍କୁ କିଛି ନା କିଛି ଆଲୋକର ପ୍ରତ୍ୟୟ ବି ଆଣି ଦେଇଛି । ନାହିଁ ନାହିଁ ଭିତରେ ସମ୍ଭବତଃ ହଁ ହଁ ର କିଛି ପ୍ରତୀତି ଏବଂ, ସେହି କାରଣରୁ ନୂଆ ନୂଆ ଗବାକ୍ଷମାନେ ଖୋଲି ଯାଇଛନ୍ତି ଏବଂ ଫ୍ରଏଡ୍ ସେମାନଙ୍କର ପୁରୋଗାମୀ ରୂପେ ଯେତିକି ସତ୍ୟାନୁମାନ କରିଥିଲେ, ସେଥିରେ ଏକାଧିକ ପ୍ରକାରର ପରିବର୍ତ୍ତନମାନ । ନ୍ୟାୟତଃ ସେହିପରି ହିଁ ହୋଇଥାନ୍ତା ।

ମନୁଷ୍ୟର ଜୀବନରେ ଇଦ୍‌କୁ ସର୍ବପରାକ୍ରମୀ ନିୟାମକ ରୂପେ କଳ୍ପନା କରି ସିଗ୍‌ମୁଣ୍ଟ୍ ଫ୍ରଏଡ୍ ତାଙ୍କର ନିରୁଦ୍ଧନର ମୂଳତତ୍ତ୍ୱଟିର ଉଦ୍‌ଭାବନ କରିଥିଲେ । ସେହି ନିରୁଦ୍ଧନ ହେତୁ ଆମ ଜୀବନରେ ଭଳି ଭଳି ଟେନ୍‌ସନ୍,–ଅନ୍ତର୍ଦ୍ୱନ୍ଦ୍ୱ ଏବଂ ତାହା ଫଳରେଆମକୁ ଉତ୍ପୀଡ଼ିତ କରି ରଖିଥିବା ଆମ ଭିତରର ଭଳି ଭଳି ଉତ୍ତେଜନା । ବିଂଶ ଶତାବ୍ଦୀର ସେହି ଆରମ୍ଭ କାଳରେ ମନୁଷ୍ୟଶରୀରକୁ ଏକ ସମଗ୍ର ସତ୍ତାରୂପେ ଅଧ୍ୟୟନ କରିଥିବା କୁଅର୍ଟ୍ ଗୋଲ୍‌ଡ୍‌ଷ୍ଟାଇନ୍ ହୁଏତ ତାଙ୍କର ସେହି କାଳଟିକୁ ଚକିତ କରି ଦେଲାପରି ଘୋଷଣା କରିଥିଲେ ଯେ, ଶରୀରର କୌଣସି ଗୋଟିଏ ସ୍ଥାନରେ କୌଣସି ପରିବର୍ତ୍ତନ ଘଟିଲେ, ଯୁଗପତ୍ ଭାବରେ ଶରୀରସ୍ଥ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ପରିବର୍ତ୍ତନମାନ ଘଟେ । ତାଙ୍କର କହିବା ଅନୁସାରେ ଜଣେ ସୁସ୍ଥ ବ୍ୟକ୍ତି ତାହାର ଶରୀରର ସ୍ତରରେ ମଧ୍ୟ ଗୋଟିଏ ସମଗ୍ର ସତ୍ତାବତ୍ ନିଜକୁ କ୍ରିୟାଶୀଳ କରି ରଖିଥାଏ । ସମଗ୍ର ଶରୀରସତ୍ତାଟି ଯେପରି ସର୍ବୋତ୍ତମ ପ୍ରକାରେ କ୍ରିୟାଶୀଳ ରହିବ ଏବଂ ଆମର ଜୀବନକୁ ମଧ୍ୟ ଆମର ସମଗ୍ର ଆତ୍ମୋପଲବ୍ଧିର ମାର୍ଗରେ ଦାୟିତ୍ୱପୂର୍ଣ୍ଣ ଭାବରେ ସହାୟତା କରିପାରିବ, ଗୋଟିଏ ସୁସ୍ଥ ଶରୀରର ତାହାହିଁ ଧର୍ମ ହୋଇ ରହିଥାଏ । କିନ୍ତୁ, ଅସୁସ୍ଥ ବ୍ୟକ୍ତିମାନଙ୍କର କ୍ଷେତ୍ରରେ, ଦେହରେ ଉପୁଜିଥିବା ଟେନ୍‌ସନ୍‌ଟା ସବାଆଗରେ ଥାଏ ଏବଂ ଦେହଟି ସେଇଟିକୁ ନେଇ ପ୍ରାୟ ପ୍ରାୟ ପୂରା ସଂଶ୍ଳିଷ୍ଟ ରହିଥାଏ । ଶ୍ରୀ ଗୋଲ୍‌ଡ୍‌ଷ୍ଟାଇନ୍ କହିଛନ୍ତି, ଜଣେ ସୁସ୍ଥ ମନୁଷ୍ୟର ଜୀବନରେ ତ ପ୍ରାୟ ଜାଣିଶୁଣି କିଛି ପରିମାଣରେ ଏକ ଟେନ୍‌ସନ୍ ପାଇଁ ତଥାପି କିଛି ଥାନ ଛାଡ଼ି ଦିଆ ଯାଇଥାଏ, ଯାହା ଆହୁରି ଆଗକୁ କୌଣସି ଶୃଙ୍ଖଳାଯୁକ୍ତ କ୍ରିୟାଶୀଳତାର ସହାୟକ ହୁଏ । ତାଙ୍କରି ଭାଷାରେ କହିଲେ, The healthy individual can enjoy the ‘pleasure of tension’ – ନିଜ ଭିତରର ଟେନ୍‌ସନ୍‌ଟିକୁ ଉପଭୋଗ କରିବା, ଜଣେ ସୁସ୍ଥ ବ୍ୟକ୍ତି ତାହା ଅବଶ୍ୟ ଅଙ୍ଗେ ନିଭାଇଥିବ ।

ଏହି ଟେନ୍‌ସନ୍‌ର ଫ୍ରଏଡୀୟ ନକ୍ସାଟିକୁ ପୃଷ୍ଠଭୂମିରେ ରଖି ଆମେ ଏଠାରେ ସମାଜଶାସ୍ତ୍ରୀ ଶ୍ରୀଯୁକ୍ତ ପିତିରିମ୍ ସୋରୋକିନ୍‌ଙ୍କର ଗୋଟିଏ ମନ୍ତବ୍ୟ ସହିତ ପରିଚିତ ହେବା । ସେ କହିଛନ୍ତି ଯେ, ଜଣେ ସୁସ୍ଥ ମନୁଷ୍ୟବ୍ୟକ୍ତି ଆଦୌ କୌଣସି ସ୍ୱାର୍ଥଭାବନା ଦ୍ୱାରା ପରିଚାଳିତ ନହୋଇ ଅନ୍ୟ ମନୁଷ୍ୟମାନଙ୍କୁ ଅବଶ୍ୟ ଭଲ ପାଇବ ଏବଂ ଯେକୌଣସି ସୁସ୍ଥ ସମାଜରେ ସେହି ପ୍ରୀତିଭାବନାଟି ହିଁ ବ୍ୟକ୍ତି ତଥା ସମୂହଗୁଡ଼ିକୁ ଦୀର୍ଘତର ଜୀବନ ପ୍ରଦାନ ମଧ୍ୟ କରିବ । ମାତ୍ର, ଅପରପକ୍ଷରେ, ପ୍ରୀତି ନାମକ ସେହି ଖାଦ୍ୟସାରଟିର ଅଭାବ ରହିଥିଲେ, ମନୁଷ୍ୟମାନଙ୍କର ମନଃସ୍ତରରେ ନାନା ଘାତସଂଘାତ ନିଶ୍ଚୟ ଉପୁଜିବ, ସାମାଜିକ ଜୀବନରେ ମଧ୍ୟ ବହୁ ବିଘଟନର ସମ୍ମୁଖୀନ ହେବାକୁ ପଡ଼ିବ । ଆହୁରି ଆଗକୁ ଯାଇ ସେ କହୁଛନ୍ତି, ଟଲ୍‌ଷ୍ଟୟ୍‍ ଓ ଗାନ୍ଧୀଙ୍କ ଭଳି ବ୍ୟକ୍ତି ମାନଙ୍କର ଜୀବନରେ ଆମେ ଆଦୌ କୌଣସି ଟେନ୍‌ସନ୍ ଅର୍ଥାତ୍ ଘାତସଂଘାତରୁ ଆପଣାକୁ ମୁକ୍ତ କରି ରଖିବାକୁ ଚେଷ୍ଟା କରୁଥିବାର ଦୃଷ୍ଟାନ୍ତ ଆଦୌ ଦେଖିବାକୁ ପାଇବାନାହିଁ । ଟଲ୍‌ଷ୍ଟୟ୍ ବିପୁଳ ଧନସମ୍ପତ୍ତିର ମାଲିକ ଥିଲେ ଏବଂ ଲୋକଚକ୍ଷୁରେ ଜଣେ କେଡ଼େ ବଡ଼ ସମ୍ଭ୍ରାନ୍ତ ବ୍ୟକ୍ତିଭାବେ ପ୍ରତିଷ୍ଠିତ ହୋଇ ରହିଥିଲେ ଏବଂ, ଏପରି ସମୟଟିଏ ଆସିଲା, ଯେତେବେଳେ କି ସିଏ ଭିତରେ ଆହ୍ୱାନ ପାଇଁ ସେହି ସବୁକିଛି ଭିତରୁ ବାହାରି ଆସି ପାରିଲେ ଏବଂ ସେଥିଲାଗି ତାଙ୍କୁ କୌଣସି ଅନ୍ତର୍ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିନଥିଲା । ଗାନ୍ଧୀ ତ ନିଜଭିତରୁ ହିଁ ପ୍ରେରିତ ଏବଂ ପ୍ରବୃତ୍ତ ହୋଇ କେତେ କେତେ କଷଣ ଏବଂ କଷ୍ଟସହନକୁ ବରଣ କରି ନେଇଥିଲେ, କାରାବାସକୁ ଯାଇଥିଲେ । ମୋଟେ କୌଣସି ଟେନ୍‌ସନ୍‌ରୁ ରକ୍ଷା ପାଇବା ସକାଶେ ନୁହେଁ,–ତାଙ୍କର ସଂପୃକ୍ତିଗୁଡ଼ିକର ଆହ୍ୱାନ ତାଙ୍କୁ କେଡ଼େ ସ୍ୱାଭାବିକ ପ୍ରକାରେ ସର୍ବବିଧ ଟେନ୍‌ସନ୍ ସହିତ ବାସ କରିବା ନିମନ୍ତେ ବାଟମାନ ଯୋଗାଇ ଦେଇଥିଲା । ନୂଆ ନୂଆ ସମାଧାନର ଆଭାସ ମିଳି ଯାଉଥିବା ପରି କେତେ ମନୁଷ୍ୟବ୍ୟକ୍ତି ଏହିପରି ଭାବରେ ସତେଅବା ଜାଣିଶୁଣି ନାନାବିଧ ଟେନ୍‌ସନ୍‌ର ଅଛିଣ୍ଡା ଅଙ୍କଗୁଡ଼ିକୁ ଆବୋରି ନେଇଥାନ୍ତି କି ?

ଆମ ମନୁଷ୍ୟମାନଙ୍କୁ ନିମିତ୍ତ କରି ପୃଥ୍ୱୀଜୀବନର ବିବର୍ତ୍ତନଟି ଯେତିକି ପରିପୁଷ୍ଟ ହେବାରେ ଲାଗିଛି, ସେତିକି ଅଧିକ ସ୍ପଷ୍ଟ ଭାବରେ ଏଠି ଆମର ନିୟତିଟି ବିଷୟରେ ଆମର ଦୃଷ୍ଟିଗତ ଅନୁମାନଗୁଡ଼ିକ ଅଧିକ ଆଶାବାଦୀ ହେବାରେ ଲାଗିଛି । ମନୁଷ୍ୟ ଭିତରେ କେତେ କେତେ ଅଭାବ ଭର୍ତ୍ତି ହୋଇ ରହୁଛି ଓ ଆପଣାର ଆଚରଣରେ ମନୁଷ୍ୟମାନେ କେତେ କେତେ ଅଯୋଗ୍ୟତାର ପରିଚୟ ମଧ୍ୟ ଦେଉଛନ୍ତି ସତ, ମାତ୍ର ଆପଣାର ସୁସ୍ଥତମ ଆକାଙ୍‌କ୍ଷା ଓ ଆସ୍ପୃହା ଗୁଡ଼ିକର ଆହ୍ୱାନ-କ୍ଷେତ୍ରରେ ଆମେ ପ୍ରଧାନତଃ ରଚନାତ୍ମକ ଅର୍ଥାତ୍ ସକାରାତ୍ମକ ପ୍ରେରଣା ଗୁଡ଼ିକର ଆକର୍ଷଣମାନ ଅନୁଭବ କରିପାରୁଛୁ । ଯଦି ପୂର୍ଣ୍ଣାନୁକୂଳ ସୁଯୋଗମାନେ ଉପଲବ୍ଧ ହୁଅନ୍ତେ, ତେବେ ମନୁଷ୍ୟମାନେ ନିୟମତଃ ଏକ ସକାରାତ୍ମକ ଶୈଳୀକୁ ଅବଶ୍ୟ ଗ୍ରହଣ କରନ୍ତେ । ତଥାକଥିତ ଏକ ବୈଜ୍ଞାନିକ ଗୁଳା ଭିତରେ ପକାଇ ସିଗ୍‌ମୁଣ୍ଟ୍ ଫ୍ରଏଡ୍ ସତେ ଯେପରି ମନୁଷ୍ୟର ଅନ୍ତଃପ୍ରକୃତିଟାକୁ ଅତ୍ୟନ୍ତ ନୈରାଶ୍ୟକର ନାନା ସଂଜ୍ଞା ଦେଇ ଦେଖିଥିଲେ ସିନା, ମାତ୍ର କ୍ରମେ ମନୁଷ୍ୟ ବିଷୟରେ ଆମର ଗଭୀରତର ଆକଳନଗୁଡ଼ିକ ଅଧିକ ସ୍ପଷ୍ଟ କରି ଦେଉଛନ୍ତି ଯେ, ପ୍ରୀତି ଏବଂ ସର୍ଜନାତ୍ମକତାକୁ କେବେହେଲେ ସେହି ଲିବିଡ଼ୋ-ସ୍ତରୀୟ ଗୋଟିଏ ଗୋଟିଏ ଅନୁସିଦ୍ଧାନ୍ତ ବୋଲି ଆଦୌ କୁହା ଯିବନାହିଁ: ସେଗୁଡ଼ିକୁ ଆମ ଜୀବନର ଗୋଟିଏ ଗୋଟିଏ ପୂର୍ଣ୍ଣ ସକାରାତ୍ମକ ପ୍ରେରକଶକ୍ତି ବୋଲି ଗ୍ରହଣ ହିଁ କରାଯିବ, ଏପରି ଗୋଟିଏ ଗୋଟିଏ ଶକ୍ତି, ଯେଉଁମାନେ କି ମନୁଷ୍ୟମାନଙ୍କର ଜୀବନରେ ଏକାଧିକ ରୂପାନ୍ତର ସମ୍ଭବ କରି ଆଣିବାରେ ସର୍ବଦା ନିମିତ୍ତ ହୋଇ କାର୍ଯ୍ୟ କରୁଥିବେ ।

ବ୍ୟକ୍ତି-ବିଶ୍ଳେଷଣର ମୂଳ ପ୍ରେରଣାଟି ପରବର୍ତ୍ତୀ ମାନଙ୍କୁ ନିମିତ୍ତ କରି ଆହୁରି କେତେ କେତେ ଆଡ଼କୁ ବିସ୍ତାରିତ ହୋଇ ଯାଇଥିଲା, ଅନେକ କ୍ଷେତ୍ରର ଫ୍ରଏଡ୍‌ଙ୍କର ଜୀବଦ୍ଦଶାରେ । ସ୍ୱୟଂ ଫ୍ରଏଡ୍ ସମ୍ଭବତଃ ସେଥିରେ ଖୁବ୍‌ବେଶୀ ଖୁସି ହେଉନଥିଲେ, କିନ୍ତୁ ଅଟକାଇ ରଖିବାର ପ୍ରଶ୍ନ ହିଁ ନଥିଲା । ଜଣେ ବ୍ୟକ୍ତି ଯଦି ନିଜେ ସୁସ୍ଥ ହୋଇଥିବ, ତେବେ ସିଏ ଅନ୍ୟ ମନୁଷ୍ୟମାନଙ୍କ ବିଷୟରେ କାହିଁକି ଏତେ ଏତେ ନୈରାଶ୍ୟଯୁକ୍ତ ହୋଇ ବିଚାର କରିବାକୁ ଇଚ୍ଛା କରିବ, - ସମ୍ଭବତଃ ଏହି ସତ୍ୟଟି ହିଁ ସବୁଠାରୁ ବଡ଼ ଉତ୍‌ପ୍ରେରକ ହୋଇ କାର୍ଯ୍ୟ କରିଥିବ । ଏହି ଧାଡ଼ିରେ ଶ୍ରୀମତୀ କାରେନ୍ ହର୍ନି ଆତ୍ମଉପଲବ୍ଧିକୁ ଜଣେ ମନୁଷ୍ୟର ଜୀବନର ସର୍ବମୂଳ ଲକ୍ଷ୍ୟ ବୋଲି କହିଥିଲେ । ତାଙ୍କର ଅନୁମାନ ଅନୁସାରେ-ଏହି ବାହାରର ଆତ୍ମସତ୍ତାଟିର ପଛରେ ଏକ real self ଅର୍ଥାତ୍ ପ୍ରକୃତ ଆତ୍ମସତ୍ତା ଅବସ୍ଥିତ ରହିଛି ଏବଂ, ଏହି ଦ୍ୱିବିଧ ସତ୍ତା ମଧ୍ୟରେ ଏକ ଯଥାର୍ଥ ସମ୍ବନ୍ଧର ପ୍ରତିଷ୍ଠା କରିବା, ତାହା ହେଉଛି ଜଣେ ପ୍ରକୃତ ମନୁଷ୍ୟ-ବ୍ୟକ୍ତିର ଅସଲ ନିଦର୍ଶନ । ଶ୍ରୀଯୁକ୍ତ ଅଟୋ ରାଙ୍କ୍ ସର୍ଜନାତ୍ମକତାକୁ ବ୍ୟକ୍ତିସ୍ୱାସ୍ଥ୍ୟର ପରିଚାୟକ ବୋଲି ଘୋଷଣା କରିଥିଲେ । ରାଙ୍କ୍‌ଙ୍କ ମତରେ ଜଣେ ସୁସ୍ଥ ମନୁଷ୍ୟର ବ୍ୟକ୍ତିତ୍ୱକ୍ଷେତ୍ରରେ ତା’ର ଇଗୋ-ଭାଗଟି ହିଁ ସର୍ବଦା ଅତ୍ୟନ୍ତ ବଳିଷ୍ଠ ହୋଇ ରହିଥାଏ ଏବଂ ତାହାରି ବଳରେ ସିଏ ଆପଣା ଭିତରର ଇଦ୍, ସୁପର୍ ଇଗୋ ଏବଂ ବାହାରର ସାମାଜିକ ବାସ୍ତବର ଯାବତୀୟ ବିରୋଧ ଦ୍ୱାରା ପୀଡ଼ା ଦେବାରେ ଲାଗିଥିବା ଦାବିଗୁଡ଼ିକ ମଧ୍ୟରେ ତଥାପି ଏକ ଆବଶ୍ୟକ ସମଞ୍ଜସତା ସ୍ଥାପନ କରିବାରେ ସମର୍ଥ ହୋଇପାରେ । ସେହି ପଂକ୍ତିରେ ଶ୍ରୀମତୀ ଆନା ଫ୍ରଏଡ୍ ଓ ଶ୍ରୀ ଥିଓଡୋର ରାଇଖ୍‌ଙ୍କର ନାମୋଲ୍ଲେଖ ଅବଶ୍ୟ କରାଯିବ । ଆମେରିକାର ମନୋବିଶ୍ଳେଷକ ଏବଂ ମନଃଚିକିତ୍ସକ ଶ୍ରୀଯୁକ୍ତ କାର୍ଲ୍ ରୋଗର୍‌ସ୍ ଜଣେ ମନୁଷ୍ୟବ୍ୟକ୍ତିକୁ ଜଣେ fully functioning person ବୋଲି ବର୍ଣ୍ଣନା କରିଛନ୍ତି ।

ପ୍ରସଙ୍ଗଟିକୁ ହୁଏତ ଏହିଠାରେ ଅତି ସଂକ୍ଷେପରେ ଇତି କରି ଆମେ ପୁନର୍ବାର ଶ୍ରୀଯୁକ୍ତ ଆଲ୍‌ଫ୍ରେଡ୍ ଆଡ୍‌ଲର୍‌ଙ୍କ ପାଖକୁ ଫେରି ଆସିବା । ଆଡ୍‌ଲର୍‌ଙ୍କ ମତରେ, ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ରହିଥିବା କ୍ଷୁଦ୍ରତାର ଭାବନାକୁ ଅତିକ୍ରମ କରିବାର ଉଦ୍ୟମରେ ଜଣେ ବ୍ୟକ୍ତି ଏକ କ୍ଷତିପୂରଣ ସ୍ୱରୂପ ଯେଉଁପରି ଭାବରେ ଶକ୍ତି ଅର୍ଜନ କରିବାର ବାଟମାନ ଖୋଜୁଥାଏ, ସେଇଟି ହିଁ ତା’ ଜୀବନରେ ତା’ର ବ୍ୟକ୍ତିତ୍ୱକୁ ଏକ ନିର୍ଦ୍ଦିଷ୍ଟ ଦିଗ ତଥା ରୂପ ପ୍ରଦାନ କରେ । ସେହି ଅନୁମାନଟିକୁ ଭିତ୍ତି କରି ଆଡ୍‌ଲର୍ ଏକ ପରବର୍ତ୍ତୀ ସମୟରେ କହିଥିଲେ ଯେ, ମନୁଷ୍ୟର ସେହି ମୂଳ ପ୍ରବୃତ୍ତିଟି କ୍ରମଶଃ ପ୍ରସାର ଲାଭ କରି ତାକୁ ତା’ର ଏହି ସମୁଦାୟ ସମାଜଟିର କଲ୍ୟାଣସାଧନ ଦିଗରେ ପ୍ରବୃତ୍ତ କରାଏ ଏବଂ, ତାହାହିଁ ମନୁଷ୍ୟମାନଙ୍କ ଭିତରେ ରହିଥିବା ସକଳ ପ୍ରକାରର ଅଭାବ ତଥା ଦାରିଦ୍ର୍ୟର କ୍ଷତିପୂରଣ ଦିଗରେ ସେହି କଲ୍ୟାଣସାଧନକୁ ହିଁ ସିଏ ସର୍ବମୂଳ ସମାଧାନ ବୋଲି ଉପଲବ୍ଧି କରିଥାଏ ।

ଏହି ସବୁକିଛିର ଭିତ୍ତି ଉପରେ ବର୍ତ୍ତମାନ ଆମେ ଶ୍ରୀଯୁକ୍ତ ଏରିକ୍ ଫ୍ରମ୍‌ଙ୍କ ପାଖକୁ ଆସିବା ଓ ଯଥାସମ୍ଭବ ଅଧିକ ବିଶଦ ଭାବରେ ମନୁଷ୍ୟ-ବ୍ୟକ୍ତିତ୍ୱର ବିଶ୍ଳେଷଣ କ୍ଷେତ୍ରରେ ତାଙ୍କର ଅବଦାନ ଗୁଡ଼ିକର ଆଲୋଚନା କରିବା । ଶ୍ରୀଯୁକ୍ତ ଫ୍ରମ୍‌ଙ୍କର ଜନ୍ମ ଜର୍ମାନୀରେ, ଆନୁଷ୍ଠାନିକ ଶିକ୍ଷାଦୀକ୍ଷାମାନେ ମଧ୍ୟ ଜର୍ମାନୀରେ । ନାତ୍‌ସୀ ଉଗ୍ର ଶାସନଟା ଜର୍ମାନୀକୁ ପୂରା କାବୁ କରିନେଇ ସାରିବାପରେ ଆହୁରି ବହୁତଙ୍କ ପରି ଫ୍ରମ୍ ମଧ୍ୟ ଜର୍ମାନୀରୁ ଆମେରିକା ଚାଲି ଯାଇଥିଲେ । ଫ୍ରମ୍ ଉଭୟ କାର୍ଲ୍‌ମାର୍କ୍‌ସ୍ ଓ ସିଗ୍‌ମୁଣ୍ଟ୍ ଫ୍ରଏଡ୍‌ଙ୍କୁ ଅନ୍ତରଙ୍ଗ ଭାବରେ ଅଧ୍ୟୟନ କରିଥିଲେ ଏବଂ ଉଭୟଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । ହଁ, ସେହି ଦୁଇ ମନୀଷୀଙ୍କୁ ଯୁଗପତ୍ ଭାବରେ ଦର୍ପଣ ଭଳି ବ୍ୟବହାର କରି ନିଜର ସମୟଟିକୁ ପୂର୍ଣ୍ଣ ସଂପୃକ୍ତି ସହିତ ବୁଝିବା, ତାହା ସୁନିଶ୍ଚିତ ଭାବରେ ଗୋଟିଏ ସାହସିକ କାର୍ଯ୍ୟ ହୋଇଥିବ । ଏକ ନିଜସ୍ୱ ଦୃଷ୍ଟିରେ ଫ୍ରମ୍ମାର୍କ୍‌ସ୍ ଓ ଫ୍ରଏଡ୍ ଉଭୟଙ୍କର ଜୀବନୀପୁସ୍ତକ ଲେଖିଛନ୍ତି । ସ୍ୱ-ଅଧ୍ୟାପନାରେ ସେ ମନୋବିଜ୍ଞାନ ତଥା ମନୁଷ୍ୟବ୍ୟକ୍ତିର ବିଶ୍ଳେଷଣକୁ ନିଜର କ୍ଷେତ୍ରରୂପେ ବାଛି ନେଇଛନ୍ତି । ଆପଣାର କେତେଟା ସିଦ୍ଧାନ୍ତାନୁମାନକୁ ମୀସାଂସକ ଭାବରେ ବାଛି ନେଇ ମନୁଷ୍ୟ ବିଷୟରେ କେତେକ ନିଷ୍କର୍ଷକୁ ସତ୍ୟ ବୋଲି ସିଦ୍ଧ କରିବାକୁ ପ୍ରୟାସ କରିବା, ସେହି ପୁରୁଣା ମାର୍ଗଟି ପରିବର୍ତ୍ତେ ବରଂ ଏକ ବୃହତ୍ତର ପୃଥିବୀକୁ ଯାବତୀୟ ଅଧ୍ୟୟନର ପୃଷ୍ଠପଟ ରୂପେ ଗ୍ରହଣ କରି ତାହାରି ଭିତରେ ଆପଣାର ସଚଳ ଯୌଥଜୀବନ ଗୁଡ଼ିକୁ ବଞ୍ଚୁଥିବା ମନୁଷ୍ୟମାନଙ୍କୁ ହିଁ ଅଧ୍ୟୟନ ଓ ଅବଲୋକନ କଲେ ଯାହାକିଛି ସାର ବୋଲି ଉପଲବ୍ଧି କରାଯାଏ, ତାହାହିଁ ହେଉଛି ବିଜ୍ଞାନ ଓ ତାହାହିଁ ହେଉଛି ସତ୍ୟ, ଏବଂ ଏରିକ୍ ଫ୍ରମ୍‌ଙ୍କର ରଚନାଗୁଡ଼ିକରେ ସେହି କଥାଟିକୁ ଖୁବ୍ ସ୍ପଷ୍ଟ ଭାବରେ ଲକ୍ଷ୍ୟ କରା ଯାଇଥାଏ ।

ଯେଉଁସବୁ କାରଣରୁ ହୋଇଥାଉ ପଛକେ, ଫ୍ରମ୍‌ଙ୍କର ବିଶ୍ଳେଷଣ ଅନୁସାରେ(୩) ପ୍ରତ୍ୟେକ ମନୁଷ୍ୟର ଜୀବନରେ ଗୋଟିଏ ଗୋଟିଏ ଆଭିମୁଖ୍ୟ ରହିଥାଏ । ଗୋଟିଏ ଭୋଗାତ୍ମକ ଏବଂ ଅନ୍ୟଟି ସର୍ଜନାତ୍ମକ,- non-productive ଓ productive, ଏହିପରି ଦୁଇଟି କିସମର । ପ୍ରଥମ କିସମଟିର ବର୍ଣ୍ଣନା ଦେଇ ଶ୍ରୀଯୁକ୍ତ ଫ୍ରମ୍ ଯେପରି ବ୍ୟାଖ୍ୟା କରିଦେଇଛନ୍ତି: ସେଥିରୁ ଗୋଟିଏ ଜାତିର ବ୍ୟକ୍ତିମାନେ ହେଉଛନ୍ତି ଯେଉଁମାନେ କେବଳ ଆତ୍ମସାତ୍ କରିବାରେ ଲାଗିଥାଆନ୍ତି,- ତୁଚ୍ଛା ଠୁଳ କରନ୍ତି ଏବଂ ସେଇଥିରୁ ହିଁ ସତେଅବା ନିଜ ଜୀବନର ପରମ ଆନନ୍ଦ ଲାଭ କରିଥାଆନ୍ତି । ଫ୍ରମ୍ ବ୍ୟବହାର କରିଥିବା ଅବିକଳ ଭାଷାରେ କହିଲେ, ସେହି ପ୍ରକାରର ବ୍ୟକ୍ତିମାନେ ସତେଅବା ଜୀବନଟାଯାକ ପାଟିକୁ ଆଁ କରି ରଖିଥାନ୍ତି ଏବଂ ଉପରୁ ଯାହାକିଛି ଆସି ପଡ଼େ, ତାହାକୁ ଗିଳି ପକାନ୍ତି । ସେମାନେ କାହାକୁ ଭଲ ପାଇ ପାରନ୍ତି ନାହିଁ ଏବଂ ଆଉ ସମସ୍ତେ ସେମାନଙ୍କୁ ଭଲ ପାଆନ୍ତୁ ବୋଲି ଟକଳା ହୋଇ ବୁଲୁଥାଆନ୍ତି । ସର୍ବବିଧ ବିଚାର ଓ ଭାବନାରେ ମଧ୍ୟ ଠିକ୍ ସେହି ରୀତି । କେବଳ ଶୁଣନ୍ତି ଏବଂ ତାହାକୁ ହିଁ ଜଣେ ବୁଦ୍ଧିମାନ୍ ମନୁଷ୍ୟର କାର୍ଯ୍ୟ ବୋଲି ଧରି ନେଇଥାନ୍ତି । ଆପଣାର ଧର୍ମୀୟ ଜୀବନରେ କେଡ଼େ ଚମତ୍କାର ପ୍ରକାରେ ଧରିନେଇଥାନ୍ତି ଯେ ଭଗବାନ୍ ହିଁ ସେମାନଙ୍କର ସକଳ ଇଚ୍ଛା ଏବଂ ଅଭାବଗୁଡ଼ିକୁ ନିଶ୍ଚୟ ପୂରଣ କରିଦେବେ । ତେଣୁ, ନିଜଆଡ଼ୁ ମଧ୍ୟ ଆଦୌ କୌଣସି ପ୍ରସ୍ତୁତିର ପ୍ରୟୋଜନ ରହିଛି ବୋଲି ମୋଟେ ଅନୁଭବ କରନ୍ତି ନାହିଁ । ଧର୍ମ ଇତ୍ୟାଦିର ବାହାରେ ମଧ୍ୟ, ଅନ୍ୟ ମନୁଷ୍ୟ ଓ ଅନୁଷ୍ଠାନଗୁଡ଼ିକ ସହିତ ସେମାନଙ୍କର ସମ୍ପର୍କଗୁଡ଼ିକ ଠିକ୍ ସେହିପରି ହୋଇ ରହିଥାଏ: ବାହାରୁ ଅସାଧାରଣ ଆଉ କାହାର ଅଥବା କୌଣସି କିଛିର ଆବିର୍ଭାବ ନିଶ୍ଚୟ ଘଟିବ ଓ ତଦ୍ଦ୍ୱାରା ସେମାନଙ୍କର ସବୁ ଆବଶ୍ୟକତାର ପୂରଣ ହୋଇଯିବ ।

 

ଭୋଗପ୍ରଧାନ ମନୁଷ୍ୟମାନଙ୍କର ପରବର୍ତ୍ତୀ ପ୍ରକାରଟିକୁ ଏରିକ୍ ଫ୍ରମ୍ exploitative ଗୋଷ୍ଠୀ ବୋଲି ଦର୍ଶାଇଛନ୍ତି । ଏମାନେ ମଧ୍ୟ ପ୍ରାୟ ସେହି ଆଗ ଶ୍ରେଣୀର ବ୍ୟକ୍ତିମାନଙ୍କ ପରି ବିଚାରି ଥାଆନ୍ତି ଯେ, ଏହି ପୃଥିବୀରେ ଯାହାକିଛି ଭଲ, ତାହା ସର୍ବଦା ବାହାରେ ହିଁ ଥାଏ । ତେଣୁ, ଆମେ ଯାହାକିଛି ଯେତେବେଳେ ପାଇବାକୁ ଇଚ୍ଛା କରିବା, ସେଗୁଡ଼ିକୁ ସେହି ବାହାରେ ଯାଇ ଖୋଜିବା । ଏହି ବ୍ୟକ୍ତିମାନେ ସେଥିପାଇଁ ପ୍ରାୟ ନିୟମତଃ ନିଜେ ପାଇବାଲାଗି ଇଚ୍ଛା କରୁଥିବା ବସ୍ତୁଚୟକୁ କୌଶଳ ବା ବଳପ୍ରୟୋଗ କରି ଛଡ଼ାଇ ନିଅନ୍ତି । ଆମ ସମାଜର ସବୁ କାରବାରର କ୍ଷେତ୍ରରେ ଏପରି ବ୍ୟକ୍ତି ଖୁବ୍ ରହିଥାନ୍ତି ।

 

ତା’ପରେ ସେହି ଶ୍ରେଣୀର ବ୍ୟକ୍ତିମାନେ, ଶ୍ରୀ ଫ୍ରମ୍ ଯେଉଁମାନଙ୍କୁ hoarding type ବୋଲି କହିଛନ୍ତି । ଏହି ଲୋକମାନେ ଖାଲି ଜମା କରି ରଖନ୍ତି । କେବଳ ସଞ୍ଚି ରଖିବାରେ ଲାଗିଥାନ୍ତି । ଜମାଇ ରଖିବାରୁ ଅଶେଷ ତୃପ୍ତି ଲାଭ କରନ୍ତି । ସେମାନେ ପରମ ସରାଗରେ ଏତେ ବସ୍ତୁକୁ ସଞ୍ଚି ରଖିଛନ୍ତି, ସେଗୁଡ଼ିକୁ ନିଶ୍ଚୟ କିଏ ବା କେଉଁମାନେ ନେଇ ପଳାଇବେ ବୋଲି ଅତିମାତ୍ରାରେ ଭୟଭୀତ ରହିଥାଆନ୍ତି ଏବଂ ତେଣୁ ସେହିପରି ଭାବରେ ହିଁ କାଳାତିପାତ କରନ୍ତି । ତେଣୁ, ଯଥେଷ୍ଟ ନିରାପଦ ହୋଇ ରହିବାର ଅଭିଳାଷରେ ଆପଣାର ଚତୁର୍ଦ୍ଦିଗରେ କେତେ କେତେ ପ୍ରକାରର କାନ୍ଥବାଡ଼ ତିଆରି କରି ରଖିବାରେ ଖୁବ୍ ତତ୍ପର ଥାଆନ୍ତି ଏବଂ, ସେହି ସୁରକ୍ଷିତ ଆୟତନଟି ଭିତରକୁ ଯଥାସମ୍ଭବ ଅଧିକରୁ ଅଧିକ କେତେ କ’ଣ ଆଣି ଭର୍ତ୍ତି କରି ରଖିବାରେ ଲାଗିଥାନ୍ତି । ସେଇଟି ମଧ୍ୟରୁ କେବେହେଲେ ମଧ୍ୟ କିଛି ଖଣ୍ଡିଆ କରିଦେବା ସକାଶେ ଇଚ୍ଛା କରନ୍ତିନାହିଁ । ସେହି ରୀତିସୂତ୍ରଟି ଅନୁସାରେ ଏମାନେ ପ୍ରେମକୁ ମଧ୍ୟ ଏକ ସମ୍ପତ୍ତିରୂପେ ବିଚାର ହିଁ କରନ୍ତି । ମୋଟେ ପ୍ରେମ ଦେଇ ପାରନ୍ତିନାହିଁ ଅର୍ଥାତ୍ ଭଲ ପାଇ ପାରନ୍ତିନାହିଁ । ମାତ୍ର, ଯାହାକୁ ସେମାନେ ଭଲ ପାଉଛନ୍ତି ବୋଲି ଭାବନ୍ତି, ତାକୁ ପୂରା ଗୋଟାଏ ସମ୍ପତ୍ତିରୂପେ ଅଧିକାର କରି ରହିଥାଆନ୍ତି । ଆପଣାର ଏକ ଖାସ୍ ଅର୍ଥରେ ସେମାନେ ଖୁବ୍ ଶୃଙ୍ଖଳାପ୍ରିୟ: ଅର୍ଥାତ୍, ଯେପରି କିଛି ବି କେବେହେଲେ ଏପାଖ ସେପାଖ ହେବନାହିଁ ଏବଂ ଆପଦଶୂନ୍ୟ ଭାବରେ ଠିକ୍ ଯେଉଁଠାରେ ରହିବା କଥା, ସେହିଠାରେ ହିଁ ରହିଥିବ, ସେହି କଥାଟି ଉପରେ ସବୁଠାରୁ ଅଧିକ ମୂଲ୍ୟ ହିଁ ଦିଅନ୍ତି-

 

ଶ୍ରୀଯୁକ୍ତ ଫ୍ରମ୍‌ଙ୍କର ଏହି ଶ୍ରେଣୀବିଭାଜନର କ୍ରମରେ ସେହି ମନୁଷ୍ୟବ୍ୟକ୍ତିମାନେ, ଯେଉଁମାନଙ୍କୁ ସେ marketing type ବୋଲି କହିଛନ୍ତି । ଆଧୁନିକ କାଳରେ ଏହି କିସମର ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଦୃଷ୍ଟିଗୋଚର ହେବାରେ ଲାଗିଲେଣି । ଆଗେ ମଧ୍ୟ ମନୁଷ୍ୟମାନେ ହାଟକୁ ସଉଦା କରିବାଲାଗି ଯାଉଥିଲେ ଏବଂ ଅବସରର ଆପଣାର ପରିଚିତ ବହୁତଙ୍କ ସହିତ ସେମାନଙ୍କର ସାକ୍ଷାତ ହେଉଥିଲା ଏବଂ ସେଥିରୁ ଅପ୍ରମିତ ଆନନ୍ଦ ଉପଲବ୍ଧ ହେଉଥିଲା ଏବଂ ସେହି କାରଣରୁ ଲୋକମାନେ କେଡ଼େ ଖୁସି ହୋଇ ଆଗାମୀ ହାଟପାଳି ଲାଗି ଅପେକ୍ଷା ମଧ୍ୟ କରି ରହୁଥିଲେ । କିନ୍ତୁ ଏବେ ମାର୍କେଟ୍ କହିଲେ କାର୍ଯ୍ୟତଃ ସଂପୂର୍ଣ୍ଣ ଭାବରେ ଏକ ଅନ୍ୟ ଆଉକ’ଣକୁ ହିଁ ବୁଝାଉଛି । ବଜାରଟା ତ ଉଭୟ ନାନା ଦ୍ରବ୍ୟ ଏବଂ ଅଦ୍ରବ୍ୟରେ ଭର୍ତ୍ତି ହୋଇ ରହିଛି । ସେଠାରେ ଯେ କେବଳ ଆବଶ୍ୟକ ସରଞ୍ଜାମ ଗୁଡ଼ିକର ବିକାକିଣା ହେଉଛି, ସେକଥା ମୋଟେ ନୁହେଁ । ସତେ ଯେପରି କେତେ ନା କେତେ ଲୋଭନୀୟତାର ଫାଶଟାଏ ବସାଇ ରଖାଯାଇଛି । ବିକିବାବାଲାମାନେ କେତେ ଭଦ୍ର ଓ ମାର୍ଜିତ ଭାବରେ ସ୍ମିତହାସ୍ୟ ହସି ଗ୍ରାହକମାନଙ୍କୁ ଆକର୍ଷିତ କରୁଛନ୍ତି; କିନ୍ତୁ ସେମାନଙ୍କୁ ସେମାନଙ୍କର ଆବଶ୍ୟକ ଭଲ ଜିନିଷଟିଏ କ୍ରୟ କରିବାରେ ସାହାଯ୍ୟ କରିବା ନିମନ୍ତେ ନୁହେଁ, ସେମାନଙ୍କୁ ପ୍ରଲୁବ୍ଧ କରିନେଇ କୌଣସି ଗୋଟିଏ ଜାଲରେ ନେଇ ଫସାଇଦେବା ହିଁ ସେହି ବିକ୍ରେତାଗଣଙ୍କର ଏକ ପ୍ରଧାନ ଲକ୍ଷ୍ୟ ହୋଇ ରହିଛି । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଯେଉଁ ଅସଲ ଉଷ୍ମ ସମ୍ପର୍କଟି, ସେଇଟି ସେଠାରେ ସୁଦୂରପରାହତ ହୋଇ ରହିଛି । ତୁମର ଏହି ସ୍ଥାନୀୟ ବିପଣିସମ୍ଭାରଟି ଯେ କେତେବେଳେ ଜଟିଳ ସୂତ୍ରରେ ବିଶ୍ୱସ୍ତରୀୟ କେଉଁସବୁ ନ୍ୟସ୍ତସ୍ୱାର୍ଥ ସହିତ ବନ୍ଧା ହୋଇ ରହିଛି, ତୁମେ ମୋଟେ ସେହି ରହସ୍ୟମାନଙ୍କୁ କିପରି ବୁଝିପାରିବ କହିଲ !

 

ଦୋକାନୀ ତା’ ସରଞ୍ଜାମଗୁଡ଼ିକୁ ବିକିବ ହିଁ ବିକିବ । ତୁମେ ଠକିହୋଇ ଗଲେ ତା’ର ଆଦୌ କିଛି ମଧ୍ୟ ଯିବ କିମ୍ବା ଆସିବ ନାହିଁ । ମାତ୍ର, ଆପଣାର କାରବାରରେ ତାକୁ ଯେକୌଣସି ପ୍ରକାରେ ସଫଳ ହିଁ ହେବାକୁ ପଡ଼ିବ । ତେଣୁ, କିଏ କାହାକୁ କେତେ ସଫଳ ଭାବରେ ଠକିଲା, ସେହି ମାନଦଣ୍ଡ ଉପରେ ହିଁ ଯାବତୀୟ ସମ୍ପର୍କ ନିରୂପିତ ହୋଇ ରହିଥିବ ଏବଂ, ସେହି ରୀତିଟା ଭିତରେ ବାଧ୍ୟ ହୋଇ ରହି ମଣିଷମାନଙ୍କ ଠାରୁ ମଣିଷମାନେ କେତେବେଳେ ଦୂରଛଡ଼ା ହୋଇ ଯାଇଥିବେ, ସେକଥା ସେମାନେ ସମ୍ଭବତଃ ନିଜେ ମଧ୍ୟ ବୁଝି ପାରିବେନାହିଁ । ଭାବନାମାନେ ବଦଳି ବଦଳି ଯାଉଥିବେ ଏବଂ, ସେହି ଅରୀତିଟାକୁ ଗୋଟିଏ ବୈଜ୍ଞାନିକ ପ୍ରତୀତି ଦେଇ ଏବେ ମାର୍କେଟ୍ ବିଷୟରେ କେତେ ଗବେଷଣା ମଧ୍ୟ ନଚାଲିଛି । ବିଜ୍ଞାପନର ଜଗତଟା ସତେଅବା ପୂରା ଆମ ସଂସାରଟାକୁ ଆଚ୍ଛାଦି ରହିଛି ! ରାଜନୀତି-କ୍ଷେତ୍ରର ପ୍ରୋପାଗାଣ୍ଡା ମନୁଷ୍ୟମାନଙ୍କ ସତେ ଯେପରି ଗୋଟାଏ ଗୋଟାଏ ବଳଦ ପରି ଦେଖିଲାଣି ।

 

ଏହିସବୁ ଅଭିନବ ଧନ୍ଦାରେ ପଡ଼ି ମନୁଷ୍ୟମାନେ ସେମାନଙ୍କର ବ୍ୟକ୍ତିତ୍ୱନାମକ ପଦାର୍ଥଟିକୁ ବରଂ ଲୁଚାଇ ରଖିବାକୁ ହିଁ ଶ୍ରେୟସ୍କର ମନେ କଲେଣି । ଜଣେ ବ୍ୟକ୍ତି ହିସାବରେ ଯଦି ତୁମଠାରେ କିଛି ଖାସ୍ ବିବେକ ରହିଛି, ତେବେ ତାହାକୁ ଏହି ହାଟବେପାରବତ୍‍ ସଂସାରରେ ସଫଳ ହେବାରେ ଗୋଟିଏ ବାଧାଭଳି ବିବେଚନା କରାଯାଉଛି । ତେଣୁ, ସକଳ ବିବେଚନାରେ ତୁମେ ଜଣେ ବ୍ୟକ୍ତି ହୋଇଥିଲେ ମଧ୍ୟ, ବଜାରଟା ତୁମଠାରୁ ଯେଉଁପରି ଭୂମିକାର ପ୍ରତ୍ୟାଶା ରଖିଛି, ତୁମକୁ ସେହି ଭୂମିକା ଗୁଡ଼ିକରେ ଅବତୀର୍ଣ୍ଣ ହେବାକୁ ହିଁ ପଡ଼ିବ । କେତେ କେତେ ଅପଘାତ ଦ୍ୱାରା ଭର୍ତ୍ତି ହୋଇ ରହିଥିବା ସେହିଭଳି ଗୋଟିଏ ଜୀବନକୁ ବଞ୍ଚିବା: ଭିତରଟା ଝୁରିବାରେ ଲାଗିଥିବ ଏବଂ ତୁମେ ନିଜେ ମଧ୍ୟ ଅତ୍ୟନ୍ତ ଅସହାୟ ଭାବରେ ଭିତରଟାକୁ ଝୁରି ହେଉଥିବ; ଅଥଚ ବାହାରେ ଏହି ବଜାରଟା ଭିତରେ କେଡ଼େ ଚକଚକ ଓ ସଫଳ ଦିଶୁଥିବ, ପ୍ରତିଯୋଗିତା ମାନଙ୍କରେ ବିଜୟୀ ହେବାରେ ଲାଗିଥିବ, ବହୁ ବହୁ ସମ୍ପନ୍ନତା ହାସଲ କରି ଚାଲିଥିବ, - ବିତ୍ତରେ, ପଦରେ, ମର୍ଯ୍ୟାଦାଲାଭରେ ହୁଏତ ଅନ୍ୟମାନଙ୍କୁ ଟପି ଯାଇ କୌଣସି ଉଚ୍ଚ ମଥାନ ଉପରେ ଯାଇ ବସିଥିବ-। ତଥାପି ଭାରି ଆମ୍ବିଳା ଆମ୍ବିଳା ଲାଗୁଥିବ ଯେ ତୁମେ ପ୍ରକୃତରେ ଯାହା ନୁହଁ, ସେଇଟି ହିଁ ତୁମ ଉପରେ ସବାର ହୋଇ ବସି ରହିଛି । ତୁମକୁ ମଣ କରି ରଖିଛି ଏବଂ, ଏହାହିଁ ଯେ ସର୍ବୋତ୍କୃଷ୍ଟ ଜୀବନ, ତୁମକୁ ସେହିପରି ଏକ ମିଥ୍ୟା ମଧ୍ୟରେ ବାଧ୍ୟ କରି ରଖିଛି ।

 

ବଞ୍ଚିବାର ଏହି କେତେଗୋଟି ଶୈଳୀକୁ ଶ୍ରୀଯୁକ୍ତ ଫ୍ରମ୍ non-productive ବୋଲି କହିଛନ୍ତି । ଏଗୁଡ଼ିକ ଗୋଟିଏ ଗୋଟିଏ ଅମାର୍ଗ, କାରଣ ମନୁଷ୍ୟମାନଙ୍କୁ ସବାଆଗ ଜଣେ ଜଣେ ବ୍ୟକ୍ତି ବୋଲି ବିଚାର କଲେ ପ୍ରକୃତରେ ଅସୁସ୍ଥ । ଅପରପକ୍ଷରେ, ସେହି ଅନୁସାରେ, ବଞ୍ଚିବାର ଅର୍ଥାତ୍ ନିର୍ମିତ ହେଉଥିବାର ଅନ୍ୟ ବିକଳ୍ପଟି ହେଉଛି ଏକ productive ଶୈଳୀ । ଜୀବନଦାୟୀ ଏବଂ ସକାରାତ୍ମକ । ସେହି productive ଜୀବନଶୈଳୀ ଏକ attitude, ଗୋଟିଏ ଦୃଷ୍ଟିକୋଣ । ନିଜ ବିଷୟରେ ତଥା ଚାରିପାଖର ଏହି ପୃଥିବୀଟି ବିଷୟରେ । ଆମ ପ୍ରତ୍ୟେକଙ୍କର ଜୀବନ ବଞ୍ଚିବାକୁ ନିମିତ୍ତ କରି । ଏହି କ୍ଷେତ୍ରରେ ଜଣେ ମନୁଷ୍ୟ ହାସଲ କରି ପାରୁଥିବା ସଫଳତା ଗୁଡ଼ିକ ନୁହେଁ, ତାହାର ବ୍ୟକ୍ତି-ଧର୍ମଟି ହେଉଛି ସର୍ବବିଧ ଅବଲୋକନର ଅସଲ କଥା । ମନୁଷ୍ୟ ଭିତରେ ସମ୍ଭାବନାରୂପେ କେତେ କ’ଣ ଅପେକ୍ଷା କରି ରହିଛି । ହଁ, ପ୍ରତ୍ୟେକ ମନୁଷ୍ୟ ଭିତରେ । ସେହିଗୁଡ଼ିକର ବାସ୍ତବାୟନ ଅର୍ଥାତ୍ ଉପଲବ୍ଧି, ଶ୍ରୀଯୁକ୍ତ ଏରିକ୍ ଫ୍ରମ୍ ଅଳପ କଥାରେ ତାହାକୁ ହିଁ ଆମ ଜୀବନରେ productivity ଅର୍ଥାତ୍ ସର୍ଜନାତ୍ମକତା ଏବଂ ସକାରାତ୍ମକ ଧର୍ମ ବୋଲି ସଂଜ୍ଞା ପ୍ରଦାନ କରି କହିଛନ୍ତି । ମୁଁ ଜଣେ ମନୁଷ୍ୟ, ମୁଁ ଜଣେ ବ୍ୟକ୍ତି ଏବଂ ମୋ’ ଜୀବନରେ କେତେ କେତେ ସମ୍ଭାବନା ବିକାଶଲାଭ କରିବା ନିମନ୍ତେ ଅପେକ୍ଷା କରିଛନ୍ତି,- ସେହି କଥାଟିକୁ ସତକୁ ସତ ଅନୁଭବ କରିବା, ସେଗୁଡ଼ିକ ସହିତ ସହଯୋଗ କରିବା ଓ ଆପଣାର ଶକ୍ତିଚୟକୁ କ୍ରିୟାଶୀଳ କରି ସେହି ସମ୍ଭାବନାମାନଙ୍କୁ ବିକଶିତ କରି ଆଣିବା, ଏହାହିଁ ତ ସର୍ଜନାତ୍ମକ ଭାବରେ ନିଜ ପାଖରେ ନିଜକୁ ସ୍ୱୀକୃତ କରାଇନେବା,-ତା’ପରେ ଏହି ବୃହତ୍ତର ପୃଥିବୀଟି ମଧ୍ୟ ତୁମକୁ ବସ୍ତୁତଃ ସମ୍ଭାବନାପୂର୍ଣ୍ଣ ହୋଇ ନିଶ୍ଚୟ ଦେଖାଯିବ ।

 

ହଁ, ଆମର ସେହି ଶକ୍ତିଚୟ,- ତାହାର ମଧ୍ୟ ଦୁଇ ପ୍ରକାରର କଳ୍ପନା କରାଯାଇ ପାରିବ । ଗୋଟିଏ ହେଉଛି power of, ଏବଂ ଆରଟି power over,- କାହା ଉପରେ ଅଧିକାର ଏବଂ ଆଧିପତ୍ୟ ଜାରି କରି ରଖିବାର ଶକ୍ତି । ଆଉ କାହାକୁ ଅଥବା କେଉଁମାନଙ୍କୁ ଗିଳି ପକାଇବାର ସେହି ଅପଶକ୍ତିଟା । Power over ହେଉଛି power of ଅର୍ଥାତ୍ power-to ର ଏକ ବିକୃତୀକରଣ । ଜଣେ ମନୁଷ୍ୟବ୍ୟକ୍ତି ତା’ର ଶକ୍ତିଚୟର ଏକ ସକାରାତ୍ମକ ତଥା ସର୍ଜନାତ୍ମକ ବିନିଯୋଗ କରିବ, ସେଇଟି ହେଉଛି ତା’ର ବଳ ଏବଂ, ଅପର ପକ୍ଷରେ, ସେହିପରି କରିବାରେ ସିଏ ଅସମର୍ଥ ହେବ, ତାହା ତା’ର ବଳହୀନତା । ଯେତେଯାଏ ଅସଲ ସେହି ସକାରାତ୍ମକ ବଳଟି ସହିତ ପନରିଚୟ ହୋଇନଥାଏ, ସେପର୍ଯ୍ୟନ୍ତ ପୃଥିବୀ ସହିତ ମନୁଷ୍ୟର ସମ୍ବନ୍ଧଗୁଡ଼ିକ ନାନାଭାବେ ବିକୃତ ହୋଇ ରହିଥାନ୍ତି,- ଆଧିପତ୍ୟ ବିସ୍ତାର କରିବା ହିଁ ଲକ୍ଷ୍ୟ ହୋଇ ରହିଥାଏ,- ଅନ୍ୟମାନଙ୍କ ଉପରେ ଆପଣାର ବଳକୁ ଜାହିର କରିବା,- ସେମାନେ ସତେଅବା ଆଦୌ ମନୁଷ୍ୟ ନୁହନ୍ତି, ଅର୍ଥାତ୍ ଖଣ୍ଡେ ଖଣ୍ଡେ ଗୋଡ଼ି କିମ୍ବା ପଥରଠାରୁ ଆଦୌ ଭିନ୍ନ ଆଉକିଛି ନୁହନ୍ତି । ଅର୍ଥାତ୍, ଆମର ଏହି ଅସଲ ସକାରାତ୍ମକ ବଳଟି, ତାହା ହେଉଛି ଜୀବନର ପ୍ରତୀକ ଏବଂ, ଅନ୍ୟ ପକ୍ଷରେ, ଆଧିପତ୍ୟ ବିସ୍ତାର କରିବାର ଯାବତୀୟ ଲାଳସା, ତାହା ମୃତ୍ୟୁର ।

 

ଶ୍ରୀଯୁକ୍ତ ଫ୍ରମ୍ ଏହାପରେ କହିଛନ୍ତି ଯେ, ପ୍ରତ୍ୟେକ ମନୁଷ୍ୟ ତା’ ବାହାରେ ରହିଥିବା ଏହି ପୃଥିବୀକୁ ତେଣୁ ଦୁଇପ୍ରକାରେ ଗ୍ରହଣ କରିପାରେ: ପୃଥିବୀ ତାକୁ ଯେଉଁପରି ଦିଶୁଛି ବା ବୋଧ ହେଉଛି, ଅବିକଳ ତାହାରି ଗୋଟିଏ ଫଟୋଗ୍ରାଫ୍ ପରି; କିମ୍ବା ଆପଣାର ମନ ତଥା ପ୍ରାଣର ନାନା ଅବଦାନ ଦ୍ୱାରା ସେ ସେଥିରେ ଅଧିକ ଜୀବନ ବି ଭରି ଦେଇପାରେ ଏବଂ ତାହାକୁ ଏକ ନୂତନ ଗଠନ ମଧ୍ୟ ଆଣି ଦେଇପାରେ । ଆମ ଏବର ସାଂସ୍କୃତିକ ଜୀବନରେ ସେହି ପ୍ରଥମ ପ୍ରକାରଟି ହିଁ ମୁଖ୍ୟତଃ ଦେଖିବାକୁ ମିଳିଥାଏ । ଅର୍ଥାତ୍ ତାହାର ସଂସ୍କୃତି ତାକୁ ଯେପରି ଭାବରେ ପ୍ରସୀମିତ କରି ରଖିଛି, ସ୍ଥୂଳତଃ ସେହିଗୁଡ଼ିକର ବାଡ଼ ଭିତରେ ରହିବାକୁ ଯଥେଷ୍ଟ ବୋଲି ଗ୍ରହଣ କରି ନେଇପାରେ-। ଏହି ପ୍ରକାରର ବ୍ୟକ୍ତିଟିଏ ତା’ର ନିଜ ଭିତରୁ ଏହି ସବୁକିଛି ଆହୁରି ଅଧିକ ଜୀବନମୟ ହୋଇ ପାରିବ ବୋଲି ଆଦୌ କଳ୍ପନା କରି ପାରେନାହିଁ । ଏହିପରି ବ୍ୟକ୍ତିମାନେ ନିଜକୁ ସଚରାସଚର ବାସ୍ତବଦାବି ବୋଲି କହି ଥାଆନ୍ତି । ଏମାନେ ସ୍ଥିତିଟିର ଉପରଟିକୁ ହିଁ ଦେଖନ୍ତି ଓ ସେତିକିକୁ ଭେଦି ଭିତରକୁ ଯିବାରେ ଅସମର୍ଥ ହୋଇ ରହନ୍ତି । ସେମାନେ ଟିକିନିଖି ବହୁତ କିଛିକୁ ଦେଖନ୍ତି, କିନ୍ତୁ ସମଗ୍ରଟିକୁ ଦେଖି ପାରୁନଥାନ୍ତି । ଗଛମାନଙ୍କୁ ଦେଖନ୍ତି, ମାତ୍ର ପୂରା ଜଙ୍ଗଲକୁ ଦେଖନ୍ତି ନାହିଁ ।

 

ଅନ୍ୟ ପକ୍ଷରେ, ଆହୁରି ଅଧିକ ପରିମାଣରେ ଆପଣାର ତଥାକଥିତ ଆୟତନଟି ଭିତରେ ଆଉ କେତେକ ମନୁଷ୍ୟ ଥାଆନ୍ତି, ଯେଉଁମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ମତିହୀନ ଏବଂ ବ୍ୟାଧିଗ୍ରସ୍ତ ବୋଲି ମଧ୍ୟ କୁହାଯିବ । ସେହି ନିଉରୋଟିକ୍ ଏବଂ ସାଇକୋଟିକ୍‌ଗଣ ନିଜର ପୂରା ଭିତରଟାରେ ହିଁ ନିଜର ଗୋଟିଏ ଗୋଟିଏ ପୃଥିବୀକୁ ନିର୍ମାଣ କରି ତାହାରି ଭିତରେ ବାସ କରନ୍ତି । ସେତିକିକୁ ଏକମାତ୍ର ବୋଲି ଗ୍ରହଣ କରି ନେଇଥାଆନ୍ତି ଏବଂ ସେହି କାରଣରୁ ସେମାନେ ଅନ୍ୟ ମନୁଷ୍ୟମାନଙ୍କୁ unreal ବୋଲି କଳ୍ପା କରିବାରେ ଲାଗିଥାଆନ୍ତି । ସେମାନେ ହେଉଛନ୍ତି ଉଭୟେ ଅସୁସ୍ଥ, ପୀଡ଼ାଗ୍ରସ୍ତ । ପ୍ରଥମ କିସମମାନେ ଧରାପଡ଼ନ୍ତି ନାହିଁ ଓ ଆମ ସାଧାରଣ ଜୀବନକୁ ବହୁ ଉପଦ୍ରବରେ ଜଂଜାଳମୟ କରି ରଖିଥାନ୍ତି । ସାଇକୋଟିକ୍ ନାମକ ସେହି ଅନ୍ୟ ପ୍ରକାରଟି ନିଜକୁ ଏହି ସମାଜ ମଧ୍ୟରେ ଆଦୌ ଚଳାଇ ନେଇ ପାରେନାହିଁ । ସତେଅବା ଆପଣାର ଏକ ଅଲଗା ବାସ୍ତବତା ଭିତରେ ବନ୍ଦୀ ହୋଇ ରହିଥାଏ ।

 

ଉକ୍ତ ଦୁଇଟିଯାକ ପ୍ରକାରରୁ ସଂପୂର୍ଣ୍ଣ ଭିନ୍ନ ପ୍ରକୃତରେ ଏକ ସର୍ଜନାତ୍ମକ ଜୀବନଧର୍ମରେ ବାଟ ଚାଲୁଥିବା ବ୍ୟକ୍ତିମାନେ । ଜଣେ ସାଧାରଣ ସୁସ୍ଥ ମନୁଷ୍ୟ ଯୁଗପତ୍ ଭାବରେ ଏହି ସମାଜ ଯେଉଁପରି ରହିଛି ସେଥିରେ ନିଜକୁ ଚଳାଇ ନେଇ ପାରୁଥାଏ ଓ ଏବଂ ଆପଣାର ନିଜସ୍ୱ ଶକ୍ତିଗୁଡ଼ିକୁ କ୍ରିୟାଶୀଳ କରାଇ ତାହାକୁ ଅଧିକ ସମୃଦ୍ଧ ଏବଂ ପ୍ରାଣବନ୍ତ କରିବାରେ ବି ସମର୍ଥ ହୁଏ । ସିଏ ଶ୍ରଦ୍ଧା ଦେଇପାରେ, ପୂର୍ଣ୍ଣ ଦାୟିତ୍ୱସଚେତନ ଭାବରେ ନିଜର ଯାବତୀୟ ଭୂମିକାଗୁଡ଼ିକୁ ତୁଲାଇ ମଧ୍ୟ ପାରୁଥାଏ । ସମ୍ମାନ ଦେଇପାରେ, ଅଧିକରୁ ଅଧିକ ଜ୍ଞାନସମ୍ପନ୍ନ ହୋଇ ପୃଥିବୀଟିକୁ ଜାଣିବାରେ ଯତ୍ନଶୀଳ ହୋଇ ରହିଥାଏ । ସିଏ ପ୍ରାୟ ନ୍ୟାୟତଃ କାହାରି ଉପରେ ଲଦି ହୋଇ ରହେନାହିଁ । ପୂରାପଣେ ଜଣେ ସ୍ୱାଧୀନ ସତ୍ତା ହୋଇ ରହିଥାଏ ଏବଂ ମୋଟେ କାହାରି ଦ୍ୱାରା ଗିଳି ହୋଇ ପଡ଼େନାହିଁ ଏବଂ, ସିଏ ଆଉ କାହାକୁ ଗିଳି ପକାଇବାର ଆଦୌ କୌଣସି ପ୍ରଶ୍ନ ମଧ୍ୟ ନଥାଏ-। ତଥାପି, ଏକ ପାରସ୍ପରିକତାର ବେଢ଼ ମଧ୍ୟରେ ହିଁ ରହିଥାଏ । ଜଣେ ବ୍ୟକ୍ତି ଯେତେବେଳେ ଆପଣାର ଜୀବନଟିକୁ ସତକୁ ସତ ବଞ୍ଚି ନପାରେ, ନ୍ୟାୟତଃ ସେତିକିବେଳେ ନକାରାତ୍ମକ ହୁଏ,- ସତେଅବା ଖାଲି ଭାଙ୍ଗି ପକାଏ, ସବୁବେଳେ କାହାରି ସହିତ କ’ଣ ସବୁ ବାଦ ଲାଗିଥିବା ପରି ।

 

ସଦାକର୍ମଠତା, ସବୁରି ସହିତ ଶ୍ରଦ୍ଧାଯୁକ୍ତ ସମ୍ବନ୍ଧ ଏବଂ ଜ୍ଞାନନିଷ୍ଠତା, ଶ୍ରୀଯୁକ୍ତ ଫ୍ରମ୍ ଏଗୁଡ଼ିକୁ ଜଣେ ସକାରାତ୍ମକ ମନୁଷ୍ୟ ସ୍ୱଭାବଲକ୍ଷଣ ବୋଲି କହିଛନ୍ତି । କେତେ ସ୍ପଷ୍ଟ କରିଦେଇ ସିଏ କହିବାକୁ ଇଚ୍ଛା କରିଛନ୍ତି ଯେ, ଆମର ଏହି ଉପସ୍ଥିତ କାଳଟିରେ ଅଧିକରୁ ଅଧିକ ମନୁଷ୍ୟ ଅତିମାତ୍ରାରେ ନିଜସଚେତନ ହେବାରା ଲାଗିଛନ୍ତି ବୋଲି ଯେ ଇହାଦେ ପୃଥିବୀ ଏପରି ଭାବରେ ବିକ୍ଷୋଭମୟ ହୋଇ ଯାଉଛି, ସେକଥା ଆଦୌ ଠିକ୍ ନୁହେଁ । ପ୍ରକୃତ ବାସ୍ତବଟା ତ ହେଉଛି ଯେ, ନାନାବିଧ କାରଣ ସକାଶେ ମନୁଷ୍ୟମାନେ ନିଜନିଜର ଅସଲ ଆତ୍ମାଟି ବିଷୟରେ ଅନବଧାନ ହୋଇ ରହୁଛନ୍ତି;–ନିଜ ଜୀବନର ଅସଲ ଆହ୍ୱାନଗୁଡ଼ିକ ବିଷୟରେ ତଥା ପ୍ରତିଶ୍ରୁତି ଗୁଡ଼ିକ ବିଷୟରେ ସେମାନେ ସଚେତ ହୋଇ ପାରନାହାନ୍ତି । ନିଜକୁ ପରିପୂର୍ଣ୍ଣ ଭାବରେ ବଞ୍ଚି ପାରୁନାହାନ୍ତି ଓ ତେଣୁ ପରସ୍ପରକୁ ମଧ୍ୟ ଆପଣା ଆପଣାର ସଂପୂର୍ଣ୍ଣ ପରିଚୟରେ ଗ୍ରହଣ କରି ପାରୁନାହାନ୍ତି । ଏଣୁ, ସେମାନେ ପ୍ରକୃତରେ ଆମେ ଅନେକେ ଭାବୁଥିବା ପରି ମୋଟେ ସ୍ୱାର୍ଥପର ନୁହନ୍ତି, ଫ୍ରମ୍‌ଙ୍କ ଭାଷାରେ କହିଲେ, they do not love themselves, – ମନୁଷ୍ୟମାନେ ଆପଣାକୁ ଭଲ ପାଉନାହାନ୍ତି ।

 

କ’ଣସବୁ ଅନ୍ତରାୟ ରହିଛି, ଯେଉଁ କାରଣରୁ ଆମେ ଏହି ପୃଥିବୀର ମନୁଷ୍ୟମାନେ ଆମ ଭିତରେ ରହିଥିବା ଶକ୍ତିଗୁଡ଼ିକର ଯଥାର୍ଥ ବିକାଶସାଧନ କରି ପାରୁନାହିଁ । ସୁନିଶ୍ଚିତ ଭାବରେ ସେଇ ଆମରି ଭିତରେ ଆଉ ଅନ୍ୟ ରହିଛି, ଯାହାକି ସେଗୁଡ଼ିକର ବାଟ ଓଗାଳି ଠିଆ ହୋଇଛନ୍ତି । ଫଳରେ ଏକ ନିରନ୍ତର ଦ୍ୱନ୍ଦ୍ୱ ଲାଗିରହିଛି । ସେହି ଅବସ୍ଥାଟିକୁ ଏରିକ୍ ଫ୍ରମ୍ ନିଉରୋସିସ୍ ବୋଲି କହିଛନ୍ତି । ଆମ ଶାରୀରିକ ରୋଗମାନଙ୍କ କ୍ଷେତ୍ରରେ ଯେଉଁପରି ଘଟେ, ଏହି ମାନସିକ ଅସୁସ୍ଥତା ମଧ୍ୟ ଖୁବ୍ ସୂଚାଇ ଦେଉଥାଏ ଯେ, ଆମ ଭିତରେ ସତକୁ ସତ ଯୁଦ୍ଧଟିଏ ହିଁ ଲାଗିଛି: ଆମ ବ୍ୟକ୍ତିତ୍ୱର ସୁସ୍ଥ ଅଂଶଟି ଆମକୁ ଅସମର୍ଥ କରି ରଖିଥିବା ପ୍ରଭାବଗୁଡ଼ିକ ବିରୁଦ୍ଧରେ ପ୍ରକୃତରେ ଏକ ଯୁଦ୍ଧ ହିଁ କରୁଛି,- କାରଣ ସେହି ସୁସ୍ଥ ଅଂଶଟି ଆପଣାକୁ ବିକଶିତ କରି ଆଣିବା ନିମନ୍ତେ ଚେଷ୍ଟା କରୁଛି ଓ ସେହି ଅନ୍ୟ ପ୍ରଭାବମାନେ ସେଥିରେ ବାଧା ଦେଉଛନ୍ତି । ଶ୍ରୀଯୁକ୍ତ ଫ୍ରମ୍ କେଡ଼େ ସଂକ୍ଷେପରେ ଅଥଚ କେଡ଼େ ପ୍ରେରଣାପୂର୍ଣ୍ଣ ଭାବରେ ନିଜେ ନିଜର ଜନନୀ ହୋଇ ଆପଣାକୁ ଜନ୍ମ ଦେଉଥିବା ଅର୍ଥାତ୍, ଯେଉଁସବୁ ସମ୍ଭାବନାକୁ ବହନ କରି ପ୍ରତ୍ୟେକ ମନୁଷ୍ୟବ୍ୟକ୍ତି ପୃଥିବୀକୁ ଆସିଛି, ସେଗୁଡ଼ିକୁ ଏକ ବାସ୍ତବ ରୂପ ପ୍ରଦାନ କରିବାକୁ ତାହାର ସର୍ବପ୍ରଧାନ କାର୍ଯ୍ୟ ବୋଲି ଘୋଷଣା କରିଛନ୍ତି ।

 

କିନ୍ତୁ, ସେହି ପଥରେ ପ୍ରସୀମନ ଅନେକ ଅନେକ । ସତର୍କବାଣୀମାନେ କେତେ ନା କେତେ ପ୍ରକାରେ ମନୁଷ୍ୟବ୍ୟକ୍ତିକୁ ‘ତୋ ପଥ ଏବଂ ତୋ ଲକ୍ଷ୍ୟମାନଙ୍କୁ ପୂର୍ବରୁ ହିଁ ଠିକ୍ କରିଦିଆ ଯାଇଛି ଏବଂ ତେଣୁ ସେହି ବାଟଟିକୁ ଧରି ସେହି ଲକ୍ଷ୍ୟଟିକୁ ଅଥବା ଲକ୍ଷ୍ୟମାନଙ୍କୁ ଆଶ୍ରା କରି ଜୀବନ ବଞ୍ଚିବା ହେଉଛି ତୋ’ଲାଗି ସର୍ବୋତ୍ତମ’ ବୋଲି ସୂଚାଇ ଦିଆଯାଉଛି । ନାନା ପ୍ରତ୍ୟକ୍ଷ ତଥା ପରୋକ୍ଷ ପ୍ରକାରେ ମଣ କରି ନିଆଯାଉଛି । ବ୍ୟକ୍ତିମାନେ ପ୍ରକୃତରେ ନିଜ ଭିତରର ଶିଖରଗୁଡ଼ିକୁ ଦେଖି ବାଟଟିଏ ଚାଲିବେ ବୋଲି ଯେତେ ଇଚ୍ଛା କରୁଥିଲେ ମଧ୍ୟ ବହୁ କାରଣର ବହୁବିଧ ଗୁଳା ଭିତରେ ଅତ୍ୟନ୍ତ ଅଳପ ହୋଇ ରହି ଯାଉଛନ୍ତି ଏବଂ ସେହି କାରଣରୁ ଉପରେ ଏକାଧିକ ପରିପାଟୀରେ ଏହି ଆଧୁନିକ ଜୀବନଟା ଗୁର୍ଦ୍ଦୁ ଝଲମଲ ହୋଇ ଚାଲିଥିଲେ ମଧ୍ୟ ବ୍ୟକ୍ତି ଭିତରର ପ୍ରକୃତ ଭ୍ରୂଣଟି ଭାରି ଅବଦମିତ ହୋଇ ରହିଛି । ବିଚରା ଅସୁମାରି ମଣିଷଙ୍କୁ ବହୁ ବିଚିତ୍ର ପ୍ରକାରର କ୍ଷମତା ସମ୍ମୁଖରେ ନତମସ୍ତକ ହୋଇ ରହିବାକୁ ପଡ଼ୁଛି । ଏହି ହାଟବଜାର ମାନଙ୍କର କ୍ଷମତା ସବୁ ପଛକୁ ପକାଇ ଦେଇ ସଫଳ ହ’ ହୁଅ ବୋଲି ଦର୍ପିଷ୍ଠ ସାଧୁବଚନ ସକଳ,- ଏହିଗୁଡ଼ିକର ପବନ ଦ୍ୱାରା ବ୍ୟକ୍ତିକୁ ବାଧ୍ୟ କରି ରଖାଯାଇଛି । ତୁ ବାଟଟିଏ ବାଛି କ’ଣସବୁ ହେବୁ ବା ନହେବୁ, ସେହି କଥାଟିର ପ୍ରକୃତରେ କୌଣସି ତାତ୍ପର୍ଯ୍ୟ ନାହିଁ; କିନ୍ତୁ ସାଧାରଣ ଏହି ବଜାରଟା ତୋତେ ପ୍ରକୃତରେ ଗୋଟାଏ କ’ଣ ବୋଲି ସ୍ୱୀକାର କରିବ ଏବଂ ମର୍ଯ୍ୟାଦା ଦେବ, ସେଇଟି ହେଉଛି ସବାବଡ଼ କଥା ଏବଂ, ମଣିଷମାନଙ୍କର ଆମେ ଏହି ସମଷ୍ଟିମାନେ ଏହି ପ୍ରତିଷ୍ଠିତ ମେସିନ୍ ଗୁଡ଼ାକର ଭୃତ୍ୟଗିରି କରି ଯେଉଁ ପ୍ରଶଂସା ଅର୍ଜନ କରିବା, ତାହାହିଁ ହେବ ଆମ ଏ ଜୀବନର ସବାବଡ଼ କାମ୍ୟ ଓ ସବାବଡ଼ ଶ୍ରେୟ ।

 

ତେଣୁ, ଏହି ଚର୍ଚ୍ଚାଗୁଡ଼ିକର କିଞ୍ଚିତ୍ ଉପସଂହାର କରିଆଣି ଏରିକ୍ ଫ୍ରମ୍ କହିଛନ୍ତି, ଅସଲ ନୈତିକ ସମସ୍ୟାଟି ହେଉଛି ଜଣେ ମନୁଷ୍ୟର ତା’ ନିଜ ବିଷୟରେ ରହିଥିବା ଉଦାସୀନତାର ଏହି ଭାବଟି, ଏହାର କାରଣ ହେଉଛି ଯେ, ପ୍ରତ୍ୟେକ ମନୁଷ୍ୟ ଯେ ଅନନ୍ୟ ଏବଂ ତା’ର ଯେ ଗୋଟିଏ ମର୍ଯ୍ୟାଦା ମଧ୍ୟ ଅବଶ୍ୟ ରହିଛି, ସେହି ବୋଧଟିକୁ ଆମେ ହରାଇ ଦେଲୁଣି । ଆପଣାକୁ ବାହାରେ ରହିଥିବା ଯନ୍ତ୍ର ବା ମତଲବମାନଙ୍କ ପାଖରେ ଦାସ କରି ରଖିଛୁ । ସତେଅବା ଗୋଟିଏ ଗୋଟିଏ ପଣ୍ୟରେ ପରିଣତ ହୋଇ ଯାଇଛୁ ଏବଂ ଆମ ଭିତରେ ରହିଥିବା ଅସଲ ଶକ୍ତିଗୁଡ଼ିକୁ ଆମେ ଆଦୌ ଚିହ୍ନି ପାରୁନାହୁଁ । ଆପଣାକୁ ଗୋଡ଼ିମାଟି ପରି ଭାବୁଛୁ ଏବଂ ଆମ ଚାରିପାଖରେ ଥିବା ଅନ୍ୟସମସ୍ତେ ଆମକୁ ଗୋଡ଼ିମାଟି ଭଳି ମନେ ହେଉଛନ୍ତି । ତେଣୁ, ଆମ ଜୀବନଟା ମଧ୍ୟ ସଂପୂର୍ଣ୍ଣ ଭାବରେ ପ୍ରାଣଶକ୍ତିହୀନ ହୋଇଯାଇଛି ଏବଂ, ସେହି କାରଣରୁ, ଅପର ପକ୍ଷରେ, ଆମେ କାହିଁକି ଏତେ ଅଧିକ ପରିମାଣରେ ବଳହୀନ ହୋଇ ରହିଛୁ ବୋଲି ନିଜକୁ ଭର୍ତ୍ସନା କରିବାରେ ଲାଗିଛୁ । ନିଜର ଶକ୍ତି ଉପରେ ବିଶ୍ୱାସ ହିଁ ନାହିଁ, ମନୁଷ୍ୟମାନଙ୍କ ଉପରେ ମଧ୍ୟ ବିଶ୍ୱାସ ନାହିଁ । ମନ କଲେ ଆମେ ଆପଣା ଶକ୍ତିଦ୍ୱାରା ଯେ କ’ଣସବୁ ସମ୍ଭବ କରିପାରିବା, ସେହି ବିଷୟରେ କୌଣସି ଆସ୍ଥା ନାହିଁ । ଏହିଭଳି ଏକ ଅବସ୍ଥାରେ ବିବେକ ବୋଲି ମଧ୍ୟ ଆଉ କ’ଣ ବା କାହିଁକି ରହନ୍ତା ! ତେଣୁ ପ୍ରତ୍ୟେକେ ସତେଅବା ଗୋଟିଏ ଗୋଟିଏ ପଲ ଭିତରେ ସାମିଲ୍ ହୋଇ ରହିଛୁ, ପୂରା ବିଶ୍ୱାସ କରୁଛୁ ଯେ, ଆମେ ଚାଲୁଥିବା ଏହି ବାଟଟି ଆମକୁ ନେଇ କେଉଁଠି ନା କେଉଁଠି ନିଶ୍ଚୟ ପହଞ୍ଚାଇ ଦେବ,- କାରଣ, କେବଳ ଆମେ ନୋହୁ, ଆହୁରି ଏତେ ଏତେ ଲୋକ ସମସ୍ତେ ମଧ୍ୟ ସେହି ବାଟଟିକୁ ଧରି ଚାଲୁଛନ୍ତି ।

 

ମନୋବିଶ୍ଳେଷଣର ଫ୍ରଏଡୀୟ ଅଧ୍ୟୟନ-ମାର୍ଗଟି ପରବର୍ତ୍ତୀ ଦଶକମାନଙ୍କରେ ଲଟେଇ ଲଟେଇ ଫୁଲଫଳ ଧରି କେତେ କେତେ ପ୍ରକାରେ ବିକଶିତ ଏବଂ ପ୍ରସାରିତ ହୋଇ ଯାଇଥିଲା । ତାହା ଅନ୍ୟ ପ୍ରକାରର ଆଦୌ ହୋଇନଥାନ୍ତା । ନୂଆ ନୂଆ ଆଗ୍ରହମାନଙ୍କୁ ଆକର୍ଷିତ କରି ଆଣିଥିଲା ଓ ମନୁଷ୍ୟବ୍ୟକ୍ତିକୁ ଅବଲୋକନ କରିବାର ନାନା ନୂତନ ପ୍ରସ୍ଥକୁ ଉନ୍ମୋଚିତ କରି ଦେଇଥିଲା । ହଁ, ପ୍ରକୃତରେ ମନୁଷ୍ୟନାମକ ସେହି ବ୍ୟକ୍ତିଟିକୁ, ତୁମକୁ ଆମକୁ, ଆମ ସମସ୍ତଙ୍କୁ । ବାହାରୁ ଦେଖିବା ସମୟରେ ସେମାନଙ୍କ ଭିତରେ କେତେ ନା କେତେ ଫରକ,- ଏବଂ ଫରକଗୁଡ଼ିକ ଅନୁସାରେ ଭଳି ଭଳି ନାନା ଦୂରତା । ସମାଜ ଅନୁସାରେ, ସଂସ୍କୃତି ଅନୁସାରେ । ମାତ୍ର, ଏହି ଯାବତୀୟ ପରିଚୟ ସତ୍ତ୍ୱେ ପ୍ରତ୍ୟେକ ମନୁଷ୍ୟ ହେଉଛନ୍ତି ଜଣେ ଜଣେ ବ୍ୟକ୍ତି । ଗୋଟିଏ ଗୋଟିଏ ସାମୂହିକ ଜୀବନର ଆୟତନ ଭିତରେ ଉକ୍ତ ବ୍ୟକ୍ତିମାନଙ୍କର ଜୀବନ ସମ୍ଭବ ହେଉଛି ! ପ୍ରତ୍ୟେକ ସମୂହରେ ବ୍ୟକ୍ତିମନୁଷ୍ୟର ଭୂମିକାମାନ ରହିଛି । ସମୂହଟି ଚାଲିବ ବୋଲି ବ୍ୟକ୍ତିମାନେ ସହଯୋଗ କରୁଛନ୍ତି । ପ୍ରତ୍ୟେକେ ସହଯୋଗ କରୁଛନ୍ତି ଏବଂ ଉପକୃତ ହେଉଛନ୍ତି । କାର୍ଯ୍ୟରେ ଲାଗୁଛନ୍ତି ଓ ଉପକୃତ ହେଉଛନ୍ତି । ସେହି ଦୃଷ୍ଟିରୁ କଥାଟିର ବିଚାର କଲେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ନାନାଭଳି ପାରସ୍ପରିକତା ମଧ୍ୟ ବିକଶିତ ହୋଇ ଆସୁଛି । ପାରସ୍ପରିକତାର ଏକାଧିକ ବେଢ଼ ମଧ୍ୟରେ ଜଣେ ସହଯୋଗୀ ହୋଇ ରହିବା ନିମନ୍ତେ ନ୍ୟାୟତଃ କାହାକୁ ହେଲେ ନିଜର ବ୍ୟକ୍ତିତ୍ୱଟିକୁ କଦାପି ବିସର୍ଜନ କରିବାକୁ ମଧ୍ୟ ପଡ଼ୁନାହିଁ । ପରିବାର ଅଛି, ଶିକ୍ଷାନୁଷ୍ଠାନମାନେ ଅଛନ୍ତି, ରାଜନୀତି ଏବଂ ଅର୍ଥନୀତିର ବ୍ୟବସ୍ଥା ଓ ଗଢ଼ଣମାନେ, ମଧ୍ୟ ସର୍ବତ୍ର ରହିଛନ୍ତି । ଶ୍ରମକ୍ଷେତ୍ରରେ ଶ୍ରମିକମାନେ ରହିଛନ୍ତି । କୌଣସି ନା କୌଣସି ପ୍ରକାରର ଶାସନଟିଏ ମଧ୍ୟ ଚାଲିଛି ଏବଂ ବ୍ୟକ୍ତିମାନେ ହିଁ ସେଗୁଡ଼ିକୁ କାର୍ଯ୍ୟକାରୀ କରି ରଖିଛନ୍ତି । ତଥାପି, ଏହିସବୁ ସତ୍ତ୍ୱେ ସେଥିରେ ନିୟୋଜିତ ରହିଥିବା ବ୍ୟକ୍ତିମାନଙ୍କୁ କ’ଣ ପାଇଁ ଆପଣା ଆପଣାର ବ୍ୟକ୍ତିତ୍ୱଗୁଡ଼ିକୁ ଜଳାଞ୍ଜଳି ଦେବାକୁ ପଡ଼ିବ, ତାହାର କୌଣସି କାରଣ ନାହିଁ ।

 

ଖାସ୍ ଖାସ୍ କର୍ମରେ ନିୟୋଜିତ ହୋଇ ପାରିବାଲାଗି ତଦନୁରୂପେ ଯୋଗ୍ୟତା ଇତ୍ୟାଦି ଅର୍ଜନ କରିବାକୁ ପଡ଼ୁଛି ଏବଂ ତା’ପରେ ଉଚିତ ବ୍ୟକ୍ତିମାନଙ୍କୁ ବାଛି ନେଇ ପାରିବା ସକାଶେ ନିର୍ବାଚନର ବିଧିମାନ ମଧ୍ୟ ରହିଛି । କିଏ କାରଖାନା ମାନଙ୍କରେ କୁଶଳୀ କର୍ମୀଟିଏ ହେବ, କେଉଁମାନେ ସୈନ୍ୟବାହିନୀରେ ଯୋଗ ଦେବେ, କିଏ ଦେଶର ପରିବହନ ବ୍ୟବସ୍ଥାରେ ମୁତୟନ ହୋଇ ରହିବ, କିଏ ଡାକ ଅଥବା ରେଳ ବ୍ୟବସ୍ଥାରେ ରହିବ, ଏପରିକି କେଉଁମାନେ ଡାକ୍ତର, ଇଞ୍ଜିନିୟର ଅଥବା ଜଣେ ଜଣେ କୁଶଳୀ ପ୍ରଶାସକ ଭାବରେ ସାଧୁତା ତଥା ଦକ୍ଷତାର ସହିତ ସଂପୃକ୍ତ ହୋଇ ରହି ପାରିବେ, ଯଥାସମ୍ଭବ ଅଧିକ ନିର୍ଭୁଲ ଭାବରେ ଆବଶ୍ୟକ ତଥ୍ୟାଦି ପାଇ ପାରିବାକୁ ନିର୍ଦ୍ଦିଷ୍ଟ ନାନା ଉପାୟ ବାହାରି ପାରିଲାଣି । ପ୍ରଶ୍ନାବଳୀ, ସାକ୍ଷାତକାର-ଏହିପରି ବହୁତ କିଛିକୁ ସ୍ଥାନ ମଧ୍ୟ ଦିଆଯାଉଛି । ପ୍ରୟୋଗଶାଳାକୁ ନେଇ ପ୍ରୟୋଗମାନ କରାଗଲାଣି । ନିଶ୍ଚୟ ଏଗୁଡ଼ିକରୁ କର୍ତ୍ତା ଏବଂ ବିଶେଷଜ୍ଞ ମାନଙ୍କର କାମକୁ ପାଇ ଯାଉଥିବା ପରି ତାତ୍କାଳିକ କେତେ ସତ୍ୟାନୁମାନ ମିଳି ବି ଯାଉଥିବ । ଅନ୍ତତଃ କର୍ତ୍ତାମାନେ ନିଜନିଜ ଭିତରେ ମୋଟାମୋଟି ଭାବରେ ରାଜି ହୋଇଗଲେ ସେହିସବୁ କ୍ଷେତ୍ରରେ ତଥାପି କେତେକ ପ୍ରମାଦ ରହିଗଲା ବୋଲି କେହି ବିଚାର କରୁନାହାନ୍ତି ଏବଂ, କିଛିହେଲେ ମୋଟେ ମାରା ହୋଇ ଯାଉନାହିଁ ।

 

ମନୋବିଜ୍ଞାନର ସ୍ୱୀକୃତ ସାହିଟା ଭିତରେ ଅନେକ ଅନେକ ଧୁରୀଣଙ୍କର ଚିତ୍ତରେ ଏକାଧିକ ପ୍ରକାରର ଉଦ୍‌ବେଗ ଉତ୍ପନ୍ନ କରିଥିବା ମନୋବିଶ୍ଳେଷଣର ଏହି ବିଶେଷ ଧାରାଟିକୁ ପୂର୍ଣ୍ଣ ଶ୍ରେୟ ପ୍ରଦାନ କରିବାକୁ ହେବ ଯେ, ତାହା ଆମ ମନୋଜିଜ୍ଞାସାର ଦ୍ୱାରଗୁଡ଼ିକୁ ମନୁଷ୍ୟ ନାମକ ବ୍ୟକ୍ତିଟି ଆଡ଼କୁ ଉନ୍ମୋଚିତ କରିଦେଇ ପାରିଛି । ଏହି ପୃଥିବୀରେ ମନୁଷ୍ୟ ନାନାପ୍ରକାରେ ନିଶ୍ଚୟ ନିୟୋଜିତ ହେବ, ନାନା କର୍ମରେ ଲାଗୁଥିବ ଏବଂ ତଥାପି ସିଏ ମୂଳତଃ ଜଣେ ବ୍ୟକ୍ତି, ମୋଟେ ଗୋଟାଏ ତାତ୍କାଳିକ ଯାହା ତାହା ନୁହେଁ, ଗୋଡ଼ିପଥର ତ କଦାପି ନୁହେଁ । ବ୍ୟକ୍ତି, ଅର୍ଥାତ୍ ଯାହାର ଗୋଟିଏ ବ୍ୟକ୍ତିତ୍ୱ ରହିଛି, ଏକ ଅନନ୍ୟ ଜୀବନପ୍ରୟାସ ରହିଛି, ନିଜର ବୋଲି ଆବିଷ୍କାର କରିବାରେ ଲାଗିଥିବା ଗୋଟିଏ ଶିଖର ଆଡ଼କୁ ଗତି କରିବାର ନିତ୍ୟ ଆସ୍ପୃହା ରହିଛି । ସେହି ଅସଲଟି ପାଇଁ ତା’ର ଏହି ଯାବତୀୟ ନିତ୍ୟମିହନ୍ତମାନ,- ଏହି ସର୍ବବିଧ କୃଚ୍ଛ୍ର ଏବଂ ଖଟଣିଗୁଡ଼ିଏ । ସିଗ୍‌ମୁଣ୍ଟ୍ ଫ୍ରଏଡ୍‌ଙ୍କ ଠାରୁ ଆରମ୍ଭ କରି ଏରିକ୍ ଫ୍ରମ୍‌ଙ୍କ ପର୍ଯ୍ୟନ୍ତ ସେହି ନାନା ନିଜସ୍ୱ ଆବେଦନ ଏବଂ ଅବଦାନର ଉଦ୍‌ଘାଟନ-ମାର୍ଗଟି, ସେହି ଯାତ୍ରା କାଳକାଳକୁ ଲାଗି ରହିଥିବ । ନାନା ଅପମତଲବ ଓ ଅମର୍ଜିର ପରାକ୍ରମ ଦ୍ୱାରା ବାଧାପ୍ରାପ୍ତ ହେବ, ତଥାପି ଲାଗି ରହିଥିବ ।

 

ପ୍ରତ୍ୟେକ ମନୁଷ୍ୟକୁ ନ୍ୟାୟତଃ ଜଣେ ବ୍ୟକ୍ତି ବୋଲି ଦେଖିବା, ଆଧୁନିକ ଯାବତୀୟ ବିଜ୍ଞାନ ସେହି ଦିଗରେ ପୃଥିବୀକୁ ସତେଅବା ଏକାଧିକ ସକାରାତ୍ମକ ସହୃଦୟତାରେ ଆଗକୁ ଆଗକୁ ପ୍ରଶିକ୍ଷିତ କରିନେଉଛି ଏବଂ ପୃଥିବୀର ଆମ ସମସ୍ତଙ୍କୁ ଗୌରବାନ୍ୱିତ କରୁଛି । ସତେଅବା ଏକ ଅନ୍ୟ ସଂପର୍କର ନାନା ବାସ୍ତବ ସମ୍ଭାବନାର ଝଲକ ଆଣି ଦେଇ ପାରୁଛି । ପୃଥିବୀଯାକର ଶିକ୍ଷାନୀତି ବଦଳି ଯାଉଛି, ଆମ ବୟସମାନେ, ପରିବାର ଓ ଶିକ୍ଷାଳୟ ଉଭୟ ଅବସରରେ ପିଲାମାନଙ୍କୁ ଜଣେ ଜଣେ ବ୍ୟକ୍ତିର ମର୍ଯ୍ୟାଦା ଦେଇ ଦେଖିବାରେ ମଣ ହୋଇ ଆସୁଛନ୍ତି । ଧର୍ମଗାଦୀ ମାନଙ୍କରେ ସ୍ଥୂଳ ତଥା ଅଚେତନ ଅଧୀଶମାନେ ପାପୀ ଏବଂ ଅପଥଭ୍ରଷ୍ଟ ମନୁଷ୍ୟମାନଙ୍କୁ ନିସ୍ତାର ଲାଭ କରିବାର ଭେଷଜମାନ ଦେଇ ସେହି ଆଗର ପରମ୍ପରା ମାନଙ୍କର ଆଳ ଦେଖାଇ ଶାନ୍ତ କରି ରଖିବାର ଅଧର୍ମଟାକୁ ଆଉ ସେତେ ସାବଲୀଳ ଭାବରେ ମୋଟେ ଜାରି କରି ରଖି ପାରୁନାହାନ୍ତି । ଆମ ଜେଲ୍‌ମାନଙ୍କରେ ଆଉ ବନ୍ଦୀମାନଙ୍କୁ ପଶୁ ପରି ସାବାଡ଼ କରି ରଖାଯାଉ ନାହିଁ । ଯେତେ ବଡ଼ ଅପରାଧ କରିଥିଲେ ମଧ୍ୟ ଜଣେ ଅପରାଧୀ ମଧ୍ୟ ମଣିଷ;- ସିଏ ଜଣେ ବ୍ୟକ୍ତି ଏବଂ ତା’ର ଗୋଟିଏ ବ୍ୟକ୍ତିତ୍ୱ ରହିଛି । ସେହି ବ୍ୟକ୍ତିତ୍ୱକୁ ସମ୍ମାନ ହିଁ ଦେବାକୁ ପଡ଼ିବ ଏବଂ ଅପରାଧୀମାନଙ୍କୁ ଆବଶ୍ୟକ ଅଭୟ ଦେଇ ପୁନର୍ବାର ପୃଥିବୀର ସୁସ୍ଥ ମାନବୀୟ ମୁଖ୍ୟଧାରାଟି ମଧ୍ୟକୁ ଅନ୍ତର୍ଭୁକ୍ତ କରି ହିଁ ଅଣାଯିବ ଏବଂ, ସର୍ବୋପରି, ଏବେ ଏକ ଶକ୍ତିଶାଳୀ ସଂକ୍ରମଣ ପରି ପୃଥିବୀଯାକର କାରଖାନା ମାନଙ୍କରେ କାମ କରୁଥିବା ଆମ ଶ୍ରମିକମାନେ ସେମାନେ ମୋଟେ କୌଣସି ମନ୍ଦ ଭାଗ୍ୟ ହେତୁ ଶ୍ରମ ଖଟିବା ନିମନ୍ତେ ପୃଥିବୀରେ ଜନ୍ମ ଲଭିନାହାନ୍ତି । ଶ୍ରମିକମାନେ ମଧ୍ୟ ମଣିଷ, ଠିକ୍ ଆମରି ସଦୃଶ ଜଣେ ଜଣେ ମନୁଷ୍ୟ । ଜଣେ ଜଣେ ବ୍ୟକ୍ତି ଏବଂ ତେଣୁ ତଦନୁରୂପ ଏକ ବ୍ୟକ୍ତିତ୍ୱର ମଧ୍ୟ ଅଧିକାରୀ । ପେଟକୁ ଅନ୍ନର ଯୋଗାଡ଼ କରିବା ସକାଶେ ସେମାନେ ମାଲିକ ମାନଙ୍କର କାରଖାନାକୁ ଅବଶ୍ୟ ଆସନ୍ତି ସିନା, ମାତ୍ର ସ୍ୱବ୍ୟକ୍ତିତ୍ୱ ଗୁଡ଼ିକର ସନ୍ତକମାନଙ୍କୁ ବହନ କରି ହିଁ ସର୍ବତ୍ର ଆସିଥାନ୍ତି । ସେମାନଙ୍କର ନିଜନିଜର ଗୋଟିଏ ସଂସାର ରହିଛି ଏବଂ, ସେହି ସଂସାରଟିରୁ ପ୍ରାପ୍ତ ବିବେକଗୁଡ଼ିକୁ ଅସଲ ଦର୍ପଣରୂପେ ବ୍ୟବହାର କରି ସେମାନେ ଏହି ବୃହତ୍ତର ସଂସାରଟିକୁ ମଧ୍ୟ ଅବଶ୍ୟ ଦେଖନ୍ତି । ସେହିପରି କୌଣସି ବୋଧ ଦ୍ୱାରା ପରିଚାଳିତ ହୋଇ ଶ୍ରମିକମାନଙ୍କ ନିମନ୍ତେ ଏବେ ସ୍ୱାସ୍ଥ୍ୟ, ବାସଗୃହ ଏବଂ ଅନ୍ୟ କେତେ କେତେ ବ୍ୟବସ୍ଥା ମଧ୍ୟ କରାଗଲାଣି । କାରଖାନା ତରଫରୁ ସେମାନଙ୍କର ସନ୍ତାନମାନଙ୍କ ଲାଗି ଶିକ୍ଷାଳୟମାନ ଖୋଲା ଯାଉଛି । ମାଲିକମାନଙ୍କର ଲାଭାଂଶରୁ ସେମାନଙ୍କୁ ଭାଗ ମିଳିଲାଣି ଏବଂ ପୁନଶ୍ଚ କାରଖାନାର ପରିଚାଳନା-କ୍ଷେତ୍ରରେ ଯାବତୀୟ ନିଷ୍ପତ୍ତିଗ୍ରହଣରେ ସେମାନେ ମଧ୍ୟ ଏକାଠି ବସିବାର ଅଧିକାର ଲାଭ କଲେଣି ।

 

ଏହି ସବୁକିଛି ପ୍ରବର୍ତ୍ତନ ଏବଂ ପରିବର୍ତ୍ତନରେ ମନୋବିଶ୍ଳେଷଣର କ୍ଷେତ୍ରରେ ମନୁଷ୍ୟମାନଙ୍କର ବ୍ୟକ୍ତିତ୍ୱ ଉପରେ ଏକ ଖାସ୍ ଗୁରୁତ୍ୱ ଦେବା ଫଳରେ ଯେ ସମ୍ଭବ ହୋଇଛି, ସେପରି ଏକ ଦାବି କରିବାକୁ ମଧ୍ୟ ନିର୍ବୋଧତା ବୋଲି କୁହାଯିବ । ପୁନଶ୍ଚ, ଏପରି ମଧ୍ୟ ଖୁବ୍ ଅନୁମାନ କରାଯାଇ ପାରିବ ଯେ, ବିଂଶ ଶତାବ୍ଦୀରେ ପୃଥିବୀରେ ଏହିସବୁ ଯେଉଁ ଅଭିନବ ଦିଗ ପରିବର୍ତ୍ତନମାନ ଘଟିଲା, ତାହାର ପ୍ରଭାବ ବ୍ୟକ୍ତିତ୍ୱର ଅଧ୍ୟୟନ-କ୍ଷେତ୍ରରେ ମଧ୍ୟ ପଡ଼ିଛି ଏବଂ ମନୋବିଶ୍ଳେଷଣର ଦୃଷ୍ଟି-ଆୟତନମାନେ ମଧ୍ୟ ସେଥିରୁ ବହୁପ୍ରକାରେ ଉପକୃତ ହୋଇଛନ୍ତି । ତାତ୍କାଳିକ ଆବଶ୍ୟକତା-ପୂରଣରେ ଆପଣାକୁ ଧର୍ମତଃ ସୀମୀତ କରି ରଖିଥିବା ଲାବୋରେଟରୀ ପରୀକ୍ଷଣର ସେହି ଅନ୍ୟ ଶୃଙ୍ଖଳାଟି ପୃଥ୍ୱୀକ୍ଷେତ୍ରରେ ଘଟିଥିବା ପରିବର୍ତ୍ତନଗୁଡ଼ିକ ଦ୍ୱାରା ସେହିପରି ଉପକୃତ ହେବାର ସେହିଭଳି କୌଣସି ଅବକାଶ ହିଁ ଆସିନଥିବା ଫ୍ରଏଡୀୟ ସେହି ମୂଳ ଆଗ୍ରହଟି କ୍ରମ-ପ୍ରସାରିତ ହୋଇ ମନୁଷ୍ୟବ୍ୟକ୍ତିର ଅନ୍ତର୍ଗହନଟିର ସମ୍ବନ୍ଧରେ ଅଧିକରୁ ଅଧିକ ସଂପୃକ୍ତ ହୋଇ କେତେ କୁଆଡ଼େ ସାହସ କଲା, ଦ୍ରୂତ ଭାବରେ ନୂତନ ନୂତନ ଆହ୍ୱାନର ସମ୍ମୁଖୀନ ହୋଇ ସେହିଗୁଡ଼ିକର ପରିପ୍ରେକ୍ଷୀରେ ମନୁଷ୍ୟକୁ ବୁଝିଲା ତଥା ସେହି ବୁଝିବାଟିର ମାଧ୍ୟମରେ ସମଗ୍ର ପୃଥ୍ୱୀକ୍ଷେତ୍ରଟିକୁ ମଧ୍ୟ ବୁଝିବାକୁ ପ୍ରୟାସ କଲା, ତାହା ସତକୁ ସତ ଜୀବନ ପ୍ରତି ଶ୍ରଦ୍ଧାଶୀଳ ଯେକୌଣସି ଜିଜ୍ଞାସୁ ଚେତନାକୁ ନିଶ୍ଚୟ ବିସ୍ମିତ କରିଦେବ ।

 

ଏକାଧିକ ଦୃଷ୍ଟିରୁ ବିଚାରି ଦେଖିଲେ ଆମ ପୃଥିବୀର ବହୁ ଉଦ୍‌ବେଳନ ସମ୍ଭବତଃ ଏହି ବ୍ୟକ୍ତି ତଥା ବ୍ୟକ୍ତିତ୍ୱର ସମସ୍ୟାମାନଙ୍କୁ ଯଥୋଚିତ ଭାବରେ ସାମନା କରି ନପାରି ନେତାମାନଙ୍କର ସକଳ ନିଷ୍ଠା ସତ୍ତ୍ୱେ ନାନାପ୍ରକାରେ ବକ୍ର ହୋଇ ଯାଇଛି ଓ ଇପ୍ସିତ ଫଳଗୁଡ଼ିକୁ ଆଣି ଦେଇ ପାରିନାହିଁ । ପୃଥିବୀ-ଇତିହାସର କେଡ଼େ ବଡ଼ ଘଟଣା ସେହି ଫରାସୀ ବିପ୍ଳବର ଦୁଇ ଶତାବ୍ଦୀ ପରେ ମଧ୍ୟ ଏଠାରେ ସମାନତା ଏବଂ ସ୍ୱାଧୀନତା ନାମକ ସେହି ପ୍ରଥମ ଦୁଇ ସ୍ୱପ୍ନର କେତେକେତେ ପରିମାଣରେ ଏକାଧିକ ଫଳଶ୍ରୁତି ସମ୍ଭବ ହୋଇଛି ସତ, ମାତ୍ର ଭ୍ରାତୃତ୍ୱ ନାମକ ସେହି ସମନ୍ୱୟକାରୀ ତୃତୀୟଟି ଏବେ ମଧ୍ୟ ଅନୁପଲବ୍ଧ ହୋଇ ରହିଛି । ସେହି ଭ୍ରାତୃତ୍ୱର ସମସ୍ୟା, ତାହା ହେଉଛି ବସ୍ତୁତଃ ମନୁଷ୍ୟବ୍ୟକ୍ତି ଏବଂ ବ୍ୟକ୍ତିତ୍ୱର ସମସ୍ୟା । ରୁଷିଆ ଦେଶର ଅକ୍ଟୋବର ବିପ୍ଳବଟି ମଧ୍ୟ ସଂପୂର୍ଣ୍ଣ ପୃଥିବୀର ଗୁହାମୁକ୍ତିର କ୍ଷେତ୍ରରେ କେତେ କ’ଣ ଅଭୂତପୂର୍ବକୁ ଚାକ୍ଷୁଷ କରି ଆଣୁଥିଲା ଏବଂ ସେଠାରେ ମଧ୍ୟ ଅତିବ୍ୟକ୍ତିମାନେ ବାହାରି କ୍ରମେ ପ୍ରବଳ ହେଲେ ଏବଂ କେତେ କ’ଣକୁ ବଣା କରିଦେଲେ । ଏବେ ମଧ୍ୟ ପୃଥିବୀରେ କେତେ ସରକାର ଥିବେ, ଯେଉଁମାନେ କି ନିଜର ଶାସିତମାନଙ୍କୁ ଜଣେ ଜଣେ ମନୁଷ୍ୟବ୍ୟକ୍ତିର ପୂର୍ଣ୍ଣ ମର୍ଯ୍ୟାଦା ଦେଇ ଦେଖୁନଥିବେ । ଏହିସବୁ ନାନା ପ୍ରହେଳିକାକୁ ନଜରରେ ରଖି ଆମେ ପ୍ରସ୍ତୁତ ପୁସ୍ତକଟିରେ ମଧ୍ୟ ମନୁଷ୍ୟ-ବ୍ୟକ୍ତି ଏବଂ ବ୍ୟକ୍ତିତ୍ୱର ଆଲୋଚନା କରିବା ।

 

ଟିପ୍ପଣୀ :

 

୧.

Carl Gustav Jung: Memories, Dreams, Reflections – Fontana Paperbacks, London, 1983, ପୃଷ୍ଠା-୨୩୫ ।

୨.

ତତ୍ରୈବ, ପୃଷ୍ଠା-୧୫୬

୩.

Erich Fromm: Man for Himself, Rinehart and Co., New York, 1947.

Image

 

Unknown

ବ୍ୟକ୍ତିତ୍ୱର ବିକାଶ

 

ଆଗ ମଞ୍ଜିଟିଏ, ଏବଂ ମଞ୍ଜିରୁ ଗଛଟିଏ । ଆଗ ବିହନ ବୁଣା ହୁଏ, ଏବଂ ସେଇଥିରୁ ଫସଲମାନେ ସମ୍ଭବ ହୋଇ ଆସନ୍ତି । ମାଟି, ପାଣି, ଆଲୁଅ ଓ ପବନ ସେହି ପ୍ରକ୍ରିୟାଟିକୁ ସମ୍ଭବ କରି ଆଣନ୍ତି । ମାଟି, ପାଣି, ଆଲୁଅ ଓ ପବନ, ସେମାନେ ସେ ମଞ୍ଜିଟି ଫାଟି ଗଛ ହେବ ଓ ବିହନ ବୁଣାହେଲେ ଯେ ଫସଲମାନେ ଫଳିବେ ବୋଲି କାହାଦ୍ୱାରା କିମ୍ବା କାହାପାଇଁ ବରାଦ ହୋଇ ରହିଥାନ୍ତି, ସେକଥା ମୋଟେ ନୁହେଁ, ସେମାନେ ଥାଆନ୍ତି । ପ୍ରାୟ ସେହିପରି ଆମ ମନୁଷ୍ୟମାନଙ୍କର ଜୀବନ । ଜନ୍ମ ହେବା ପରେ ମଣିଷ ପାଇଁ କ୍ଷେତ୍ରଟିଏ ମହଜୁଦ ହୋଇ ରହିଥାଏ; ଅନ୍ୟ ମନୁଷ୍ୟମାନେ ଥାଆନ୍ତି-ଅର୍ଥାତ୍ ସମାଜଟିଏ ଥାଏ । ଚଳଣି ଗୁଡ଼ିଏ,- ଯାହାକୁ ଅନେକ ସମୟରେ ସଂସ୍କୃତି ବୋଲି କୁହାଯାଏ । ନୀତି ଓ ନୈତିକ ଆଚାରମାନେ ଥାଆନ୍ତି । ପରିବାରଟିଏ ଥାଏ, ଦୂର ତଥା ନିକଟର ନାନା ଆଧାରଶିଳା, ସେଇଥିରୁ ଭଲ ଓ ମନ୍ଦ, ଉଚିତ ଅନୁଚିତ ଇତ୍ୟାଦିକୁ ନେଇ କେତପ୍ରକାରର ନିଷେଧ ଏବଂ ଆକଟମାନ । ଗୋଟିଏ ଏକାବେଳେକେ କ୍ଷୁଦ୍ର ଏବଂ ବୃହତ୍ ଆୟତନ, - ଯାହାକୁ ଅନ୍ୟ ସମସ୍ତଙ୍କ ପରି ସ୍ୱୀକାର କରିନେବାକୁ ହୋଇଥାଏ । ଆପଣାକୁ ସେହିଗୁଡ଼ିକ ମଧ୍ୟରେ ମନାଇ ନେବାକୁ ହୁଏ ଏବଂ ଉକ୍ତ ପ୍ରକ୍ରିୟାଟି ଭିତରେ ସଂପୃକ୍ତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ନିଜ ଭିତରେ ମଧ୍ୟ ନିଦା ହୋଇ କ’ଣ ଗୋଟିଏ ଗଢ଼ି ହୋଇ ଆସୁଥାଏ । ଆମେ ଧର୍ମତଃ ସେହି କ’ଣଟିକୁ ‘ମୁଁ’ ବୋଲି କହୁ କି ? ଏବଂ, ପ୍ରକୃତରେ ଯାହା ହୋଇଥାଉ ବା ନହୋଇଥାଉ ପଛକେ ସେହି ‘ମୁଁ’ଟି ଆମ ଭିତରର ଅସଲ କାରିଗର ହୋଇ ରହେ, କେତେ କ’ଣ ଭାଙ୍ଗେ ଏବଂ ଗଢ଼େ, ସ୍ୱୀକାର ଓ ବର୍ଜନ କରେ, - ଏବଂ ଆମ ଭିତରେ ଆମ ଜୀବନର ଗୋଡ଼ତଳଟିକୁ ଭଳି ଭଳି ମାଟି ଯୋଗାଇ ଦେବାରେ ଲାଗିଥାଏ ।

 

ଏବଂ, ସେହି ‘ମୁଁ’ରୁ ‘ଆମେ’ ନା ‘ଆମେ’ରୁ ମୁଁ ? ଯୁକ୍ତି କରି ବସିଲେ ସମ୍ଭବତଃ ସେହି କଥାଟିର ଅନ୍ତ ହିଁ ମିଳିବ ନାହିଁ । ତଥାପି, ଏକ ସୁସ୍ଥ ସମାଧାନ ହେଉଛି ଯେ, ‘ଆମେ’ଟି ‘ମୁଁ’ର ଆକାଶ ଏବଂ ‘ଆମେ’ଗୁଡ଼ିକୁ ଗଢ଼ି ଆଣିଥିବା ଏହି ସାନ ବଡ଼ ସଂସାରଗୁଡ଼ିକ ଲାଗି ‘ମୁଁ’ ମାନେ ଗୋଟିଏ ଗୋଟିଏ ଖୁଣ୍ଟ । ଦୁଇଟିଯାକ ଅବବୋଧକୁ ନେଇ ଇତିହାସରେ ଯେତେବେଳେ ଯେଉଁସବୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ଏବଂ ଏବେ ମଧ୍ୟ ହେଉଛି, ସେସବୁ ପ୍ରଧାନତଃ କେତେ ପ୍ରକାରର ଅସମଞ୍ଜସତା ହେତୁ ହେଉଛି ଏବଂ, ଅତ୍ୟନ୍ତ ସୁଖର କଥା ଯେ, ଆମ ପୃଥିବୀ ଅଧିକରୁ ଅଧିକ ସଚେତନ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଉକ୍ତ ବିରୋଧଗୁଡ଼ିକୁ ହ୍ରାସ କରି ଆଣିବା ସକାଶେ ବିଶ୍ୱସ୍ତରୀୟ ନାନା ପ୍ରୟାସ ମଧ୍ୟ ହେଉଛି । ଗୋଟିଏ ଦେଶ ଓ ସମାଜରେ ପ୍ରଧାନତଃ ଭଳି ଭଳି ନ୍ୟସ୍ତସ୍ୱାର୍ଥ ବାଟ ଓଗାଳି ରହିଥିବାରୁ ଏବଂ ତେଣୁ ଅମଙ୍ଗ ହେଉଥିବାରୁ ଯାହା ବ୍ୟତିକ୍ରମଗୁଡ଼ିକୁ ଘଟୁଛି । ତେଣୁ, ଏହି ଅସମଞ୍ଜସତାମାନେ ଯେ ଅଧିକାଂଶତଃ ମନୁଷ୍ୟକୃତ, ସେଥିରେ କୌଣସି ସନ୍ଦେହ ନାହିଁ । ଯେଉଁ ମନୁଷ୍ୟବ୍ୟକ୍ତିମାନେ ନାନା ଅନ୍ୟ ଅଭିପ୍ରାୟର ବଶବର୍ତ୍ତୀ ହୋଇ ଆମ ସମସ୍ତଙ୍କର କାମ୍ୟ ସେହି ସଂହତିଟିକୁ ବ୍ୟାହତ କରି ରଖିଛନ୍ତି, ମନୁଷ୍ୟ-ସମାଜର ଶୁଭତମ ଇଚ୍ଛାଗୁଡ଼ିକ ଅଧିକରୁ ଅଧିକ ପରିମାଣରେ ପରିପକ୍ୱ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଏବଂ ଆମର ଏହି ଚଳନ୍ତି ଜୀବନଗୁଡ଼ିକର କ୍ଷେତ୍ରରେ ଯାହା ଯେଉଁଭଳି ରହିଛି, ସେଗୁଡ଼ିକ ଯେ ଇଚ୍ଛା କଲେ ଅବଶ୍ୟ ଅନ୍ୟ ପ୍ରକାରର ହୋଇ ପାରିବେ, ସେହିପରି ଏକ ସାହସ ତଥା ବିଶ୍ୱାସ ମଧ୍ୟ ଲୋକମନରେ ସାକାର ହୋଇ ଆସିବା ସଙ୍ଗେ ଏବର ଏହି ମିଛ ବାଧାମାନେ ନିଶ୍ଚୟ ଅପସରି ଯାଉଥିବେ ।

 

ମନୁଷ୍ୟ ମାତ୍ରକେ ଆମେ ସମସ୍ତେ ହେଉଛୁ ଜଣେ ଜଣେ ବ୍ୟକ୍ତି ଏବଂ ଆମ ନିଜ ବୁଝିବାକୁ ଆମ ସମସ୍ତଙ୍କର ଏକ ବ୍ୟକ୍ତିତ୍ୱ ନିଶ୍ଚୟ ରହିଛି । ତା’ର କୌଣସି ବ୍ୟକ୍ତିତ୍ୱ ନାହିଁ ବୋଲି କୌଣସି ବ୍ୟକ୍ତିକୁ କହିଦେଲେ ସିଏ ଯେ ଅପମାନିତ ବୋଧ କରିବ ଏବଂ କଥାଟିର ଦୃଢ଼ ପ୍ରତିବାଦ କରିବ, ସେଥିରେ ତେଣୁ ଆମେ ମୋଟେ ବିସ୍ମିତ ମଧ୍ୟ ହେବାନାହିଁ । ମୋ’ ବ୍ୟକ୍ତିତ୍ୱ ତୁମର ପସନ୍ଦ ହେଉନାହିଁ କିମ୍ବା ତୁମ ବ୍ୟକ୍ତିତ୍ୱ ମୋ’ର ପସନ୍ଦ ଯେ ହେଉନାହିଁ, ତାହା ସଂପୂର୍ଣ୍ଣ ଭାବରେ ଠିକ୍ ହୋଇଥିଲେ ମଧ୍ୟ ସେପରି ଏକ ମନ୍ତବ୍ୟ ବ୍ୟକ୍ତ କରିବା ପଛରେ ଆଦୌ କୌଣସି ନ୍ୟାୟ ହିଁ ନାହିଁ ଏବଂ, ବୋଧହୁଏ ଗୋଟିଏ ଏକାନ୍ତ ସତକଥା ଯେ, ଜଣେ ସୁସ୍ଥ ଏବଂ ସଦ୍‌ବିବେକସମ୍ପନ୍ନ ବ୍ୟକ୍ତି ପ୍ରକୃତ ସ୍ଥିତି ଯାହା ହୋଇଥିଲେ ମଧ୍ୟ ଆଉ ଜଣେ ବ୍ୟକ୍ତିର କୌଣସି ବ୍ୟକ୍ତିତ୍ୱ ନାହିଁ ବୋଲି କେବେହେଲେ କହିବା ଲାଗି ଇଚ୍ଛା କରିବନାହିଁ । ଗୋଟିଏ ଗୋଟିଏ ଖାସ୍ କିସମର ସମାଜ ରହିଛି, ଯେଉଁଠି ଜଣେ ବାବୁ ତାଙ୍କର ଜଣେ ନିମ୍ନସ୍ତରୀୟ ଭୃତ୍ୟର ଆଦୌ କୌଣସି ବ୍ୟକ୍ତିତ୍ୱ ରହିଥିବ ବୋଲି ହୁଏତ କଳ୍ପନା ହିଁ କରି ପାରିବେନାହିଁ । କୌଣସି ସାଆନ୍ତାଣୀ ତାଙ୍କ ଘରକୁ ବାସନ ମାଜି ଆସୁଥିବା ଚାକରାଣୀଟିର ମଧ୍ୟ କାଳେ ବ୍ୟକ୍ତିତ୍ୱଟିଏ ଥିବ ବୋଲି ଭାବିବା ମାତ୍ରକେ ତାଙ୍କଭିତରେ ଏକ ହୃତ୍‌କମ୍ପ ଜାତ ହେବ । ବ୍ୟକ୍ତି ଅନୁସାରେ ଏବଂ ଆମେ ସମସ୍ତେ ବାସ କରୁଥିବା ଯେକୌଣସି ସମାଜରେ ଯେ ବ୍ୟକ୍ତିତ୍ୱ ଭିନ୍ନ ଭିନ୍ନ ହେବାକୁ ମଧ୍ୟ ବାଧ୍ୟ ହେବ; ତାହା ବୁଝିହେଉଛି, ମାତ୍ର ଆଉମାନେ ମୋ’ ତୁଳନାରେ ବହୁତ ନିମ୍ନ ବୋଲି ସେମାନଙ୍କର କୌଣସି ବ୍ୟକ୍ତିତ୍ୱ ନାହିଁ ବୋଲି ଦାବି କରିବାକୁ ପ୍ରକୃତରେ ଏକ ଅପରାଧ ବୋଲି କୁହାଯିବ । ଏପରିକି ସେହି ଗୋଟିଏ କୁଟୁମ୍ବ ଭିତରେ ମଧ୍ୟ କେତେ କେତେ ଖିଅର ନୈକଟ୍ୟ ଦେଇ ବାସ କରୁଥିବା ବ୍ୟକ୍ତିମାନେ ମଧ୍ୟ ବ୍ୟକ୍ତିତ୍ୱର ଅଭିବ୍ୟକ୍ତି-କ୍ଷେତ୍ରରେ ଗୋଟିଏ ପ୍ରକାରର ଆଦୌ ହୋଇ ନଥାନ୍ତି । ଗୁରୁଜନମାନେ କନିଷ୍ଠମାନଙ୍କୁ ବାଗରେ ଆଣି ପକାଇବା ଲାଗି ଅନବରତ କେତେ ଉଦ୍ୟମ କରୁଥାଆନ୍ତି । ଅର୍ଥାତ୍, ଆମେ ଯେପରି ଇଚ୍ଛା କରୁଛୁ, ଆମ ପିଲାମାନେ ମଧ୍ୟ ସେହିପରି ହୁଅନ୍ତୁ ବୋଲି କେତେ ଅସ୍ତବ୍ୟସ୍ତ ଭାବେ ଲାଗିଥାନ୍ତି, ମାତ୍ର ବିଫଳ ହୁଅନ୍ତି ।

 

ଆମ ମନୁଷ୍ୟମାନଙ୍କର ଏହି ବ୍ୟକ୍ତିତ୍ୱ କ’ଣ ଆମକୁ ଗଠିତ କରି ଆଣୁଥିବା ଏପରି ଗୋଟିଏ ସାହସୀ ଆଖି, ଯାହାକି ଅନ୍ତଃପ୍ରେରଣାଗତ ଆଉକିଛିର ବୋଲ ମାନି ଆପଣାର ଏକ ସ୍ୱକୀୟ ଧାରାରେ ବିକଶିତ କରି ନେଉଥାଏ: ନାନା ଭାବରେ ଝୁଣ୍ଟିବାରେ ଲାଗିଥାଏ, ହାରେ ଏବଂ ହୁଡ଼ିଯାଏ ଓ ସେହି ହେତୁ ବହୁ ଗଞ୍ଜଣା ଭୋଗ କରୁଥାଏ ସିନା, ତଥାପି ଧର୍ମଟିକୁ ଛାଡ଼େନାହିଁ ? ଏହାଦ୍ୱାରା ଆମର କି ଲାଭ ହୁଏ ? ଏବଂ, ପୃଥିବୀର ମଧ୍ୟ କି ଲାଭ ହୁଏ । ତତ୍ତ୍ୱଘରର ଗୁରୁଜନମାନେ ତ କହିବେ ଯେ, ଅଳ୍ପବହୁତ ଖାସ୍ ସେହି କାରଣରୁ ହିଁ ଆମର ପୃଥିବୀ ନାନା ଅପୂର୍ଣ୍ଣତା ମଧ୍ୟରେ ପଡ଼ିରହିଛି । ଆଦର୍ଶମାନେ ମାଡ଼ ଖାଇ ଯାଉଛନ୍ତି ଏବଂ ବାଟମାନେ ମିଛଟାରେ ଦୀର୍ଘ ହୋଇ ବି ଯାଉଛନ୍ତି । ତଥାପି ଆମର ଶ୍ରେଷ୍ଠମାନେ ଯେତେ ପ୍ରକାରେ ସ୍ୱୀକାର ନକରନ୍ତୁ ପଛକେ, ଏହି ବ୍ୟକ୍ତିତ୍ୱ ନାମକ ପଦାର୍ଥଟି ହେଉଛି ଏକ ଅନନ୍ୟ ପଦାର୍ଥ ଏବଂ ବ୍ୟକ୍ତିତ୍ୱର ଆହ୍ୱାନ ଏକ ଅନନ୍ୟ ଆହ୍ୱାନ । ବ୍ୟକ୍ତିତ୍ୱର ସଚେତନତା ଏକ ଅନନ୍ୟ ସଚେତନତା । ମନୁଷ୍ୟମାନଙ୍କର ଏକ ଅନନ୍ୟ ଉତ୍ତରାଧିକାର । ସମ୍ଭବତଃ ଏକ ସୁସ୍ଥ ଏବଂ ପୂର୍ଣ୍ଣସମ୍ପନ୍ନ ପୃଥିବୀ ତ ତାହାକୁ ହିଁ କୁହାଯିବ, ଯେଉଁଟିରେ ମନୁଷ୍ୟମାନେ ସେହି ଅନନ୍ୟତାକୁ ଯାବତୀୟ ପାରସ୍ପରିକତାର କ୍ଷେତ୍ରରେ ସ୍ୱତଃ ସମ୍ମାନ ଦେବେ, ଜୀବନର ଯାବତୀୟ ପ୍ରୟୋଜନରେ ବହୁଭାବେ ଯୋଡ଼ି ହୋଇ ରହିଥିଲେ ମଧ୍ୟ ତଥାପି ପରସ୍ପର ମଧ୍ୟରେ ରହିଥିବା ସେହି ଅସଲ ଧର୍ମଟିକୁ ଚିହ୍ନିବେ । କେବଳ ରାଷ୍ଟ୍ରୀୟ କ୍ଷେତ୍ରଗୁଡ଼ିକରେ ନୁହେଁ, ଆପଣା ଆପଣାର ପରିବାରରେ ମଧ୍ୟ ସେଇଟି ହିଁ ଏକ ସର୍ବଆଦୃତ ନୈତିକତା ହୋଇ ରହିଥିବ ।

 

ସେହି ବ୍ୟକ୍ତିତ୍ୱକୁ ଆମେ ଆଦୌ କୌଣସି ସ୍ଥାଣୁ ଅର୍ଥାତ୍ ଅପରିବର୍ତ୍ତନୀୟ କ’ଣ ଗୋଟାଏ ବୋଲି କଳ୍ପନା କରିବାନାହିଁ । ବ୍ୟକ୍ତିତ୍ୱ ଆମ ଭିତରେ ସତତ ନିର୍ମୀୟମାଣ ହୋଇ ରହିଥିବା ଏକ ଉପାଦାନ, ଯାହାକି ଆମ ଜୀବନର ବିବିଧ ପ୍ରୟାସକୁ ଗଢ଼ି ନେଉଥିବାର ଏକ ନିମିତ୍ତରୂପେ ବ୍ୟବହାର କରେ, ଆମକୁ ଆମ ଜୀବନଗତ କ୍ଳାନ୍ତିରୁ ମୁକ୍ତ କରି ରଖେ, ଆମପାଇଁ ଉଭୟ ଭିତରୁ ଓ ବାହାରୁ ପୁଞ୍ଜିଗୁଡ଼ିକୁ ସଂଗ୍ରହ କରି ନେଇପାରେ । ଜଣେ ଅଧିକ ବ୍ୟକ୍ତିତ୍ୱସମ୍ପନ୍ନ ବ୍ୟକ୍ତି ହିଁ ଅଧିକ ଶିକ୍ଷା କରେ,- ମୁଖମାନଙ୍କୁ ବ୍ୟବହାର କରି ଆଦୌ ଆପଣା ପାଖରେ ପ୍ରତାରିତ ହୋଇ ରହିନଥାଏ । ନିଜ ପାଖରୁ ଆଦୌ ଲୁଚି ରହିବାକୁ ଚେଷ୍ଟା କରେନାହିଁ ଏବଂ ସେହି କାରଣରୁ ହିଁ ଆଉ କାହାପାଖରୁ ଲୁଚି ରହିବା ନିମନ୍ତେ ମଧ୍ୟ ଆଦୌ କୌଣସି ପ୍ରୟୋଜନ ନଥାଏ । ଏକ ବ୍ୟକ୍ତିତ୍ୱ ଅନ୍ୟ ବ୍ୟକ୍ତିମାନଙ୍କ ଭିତରେ ମଧ୍ୟ ସେମାନଙ୍କର ବ୍ୟକ୍ତିତ୍ୱକୁ ସବାଆଗ ଚିହ୍ନି ପାରିବାର ପ୍ରୟାସମାନ କରିାବରେ ଆଗ୍ରହୀ ହୋଇ ରହିଥାଏ । ବାହାରର ପରିଚ୍ଛଦ ଗୁଡ଼ିକୁ ଭେଦି ସର୍ବଦା ଅନ୍ୟ ମନୁଷ୍ୟମାନଙ୍କର ସତ ଭିତରଯାଏ ପହଞ୍ଚିବାର ଶ୍ରଦ୍ଧା ରଖେ । ନିଜକୁ ବୁଝେ ଏବଂ ତେଣୁ ଅନ୍ୟମାନଙ୍କୁ ମଧ୍ୟ ବୁଝେ । କେଉଁଠାରେ ଅଥବା କାହାଠାରେ ଆପଣାର ମନୋମତ କିଛି ନଦେଖିଲେ ମଧ୍ୟ ବିକ୍ଷୁବ୍ଧ ହୋଇ ପଡ଼େନାହିଁ । ତେଣୁ, ଅଧିକ ସହଜ ମଧ୍ୟ ହୋଇପାରେ ।

 

ଦେହ ବିକାଶର ହାରାହାରି ଇତ୍ୟାଦିକୁ ମାପି ସାଧାରଣ ସତ୍ୟଗୁଡ଼ିକ ବିଷୟରେ ଅନୁମାନମାନ କରୁଥିବା ଶରୀରବିଜ୍ଞାନୀମାନେ କହିଛନ୍ତି ଯେ ମାତୃଗର୍ଭରୁ ପୃଥିବୀକୁ ଆସିବା ସମୟରେ ଗୋଟିଏ ଶିଶୁର ମୁଣ୍ଡଅଧଟି ଯେତିକି ଲମ୍ବା ହୋଇଥାଏ, ତା’ ଶରୀର ନିମ୍ବଭାଗସ୍ଥ ସମୁଦାୟ ଭାଗଟିର ଲମ୍ବ ମଧ୍ୟ ସେତିକି ଲମ୍ବ ଥାଏ । ଯଦି ଆମ ମନୁଷ୍ୟମାନଙ୍କର ଜୀବନଯାକ ତାହାହିଁ ହୋଇଥାନ୍ତା, ତେବେ ଆମେ ସେଥିରେ ନିଃସନ୍ଦେହ ଭାବରେ ଆଦୌ ସୁଖୀ ହେଉନଥାନ୍ତେ-। ମନୁଷ୍ୟଶିଶୁର ସର୍ବପ୍ରଥମ ବିକାଶକ୍ଷେତ୍ର ହେଉଛି ତା’ର ଶରୀରର ବିକାଶ ଏବଂ ସେହି ସବାପ୍ରଥମ ଅବସ୍ଥାଟିରେ ତାହା ଶିଶୁଟିର ଦାୟିତ୍ୱରେ ରହିଥିବା ନିକଟତମ ବୟସ୍କମାନଙ୍କର ହିଁ କାର୍ଯ୍ୟ । ପିଲାଟିକୁ ସେତିକିବେଳୁ ହିଁ କେତେଗୁଡ଼ିଏ ଅଭ୍ୟାସରେ କ୍ରମଶଃ ଆରେଇ ଆଣିବାକୁ ହୁଏ, ଯାହା ତାହାର ଦୈହିକ ସ୍ୱାସ୍ଥ୍ୟ ନିମନ୍ତେ ସମ୍ଭବତଃ ସଂପୂର୍ଣ୍ଣ ଜୀବନଟାଯାକ ଅତ୍ୟନ୍ତ ସହାୟକ ହୁଏ । ଜନ୍ମ ହେବାର ଆଦ୍ୟ ବର୍ଷେ ଦେଢ଼ବର୍ଷ ଗୋଟିଏ ମନୁଷ୍ୟଶିଶୁ ବସ୍ତୁତଃ ଅସମର୍ଥ ହୋଇ ରହିଥାଏ । ତେଣୁ ତା’ର ଆତ୍ମୀୟମାନଙ୍କୁ ଅତ୍ୟନ୍ତ ଶ୍ରଦ୍ଧାଶୀଳ ହୋଇ ଆପଣାର କରଣୀୟ ସବୁକିଛି ସମ୍ପନ୍ନ କରିବାକୁ ହୁଏ । ମାତ୍ର, ମୂଳ ସନ୍ଦର୍ଭଟି ହୁଏତ ହେଉଛି ଯେ, ଦାୟିତ୍ୱ ତୁଲାଉଥିବା ସେହି ବୟସ୍କମାନଙ୍କର ନିଜ ନିଜ ଜୀବନରେ ଯଦି ସେମାନଙ୍କର ଦେହ ବିଷୟରେ ସେପରି କିଛି ସ୍ୱାଭାବିକ ଅଭ୍ୟାସଶୃଙ୍ଖଳା ନଥାଏ, ତେବେ ଯେତେ ନିପୁଣ ଭାବରେ ଚେଷ୍ଟା କରୁଥିଲେ ମଧ୍ୟ ସେମାନେ ନିଜର ସେହି ସାନମାନଙ୍କୁ ମୋଟେ ମଙ୍ଗାଇ ନେଇ ପାରନ୍ତିନାହିଁ । ବିଶେଷତଃ, ଯେତେବେଳେ ଶିଶୁମାନଙ୍କର କ୍ରମେ କିଞ୍ଚିତ୍ ବାସ୍ତବବୁଦ୍ଧି ହୋଇ ଆସେ, ସେତେବେଳେ ସେମାନେ ଆପଣାର ବୟସ୍କମାନଙ୍କୁ ଖୁବ୍ ପରଖି ଦେଖିବାକୁ ମଧ୍ୟ ଶିଖି ନିଅନ୍ତି ଏବଂ ସେହି ବଡ଼ମାନଙ୍କର ଜୀବନରେ ଯଦି ଦେହ ବିଷୟରେ ପ୍ରକୃତରେ ସେପରି ଶୃଙ୍ଖଳାର ଅଭାବ ରହିଥାଏ, ତେବେ ସେମାନେ ମଧ୍ୟ ଭାରି ସହଜରେ ଉପରୁ ଆସୁଥିବା ବୋଲଗୁଡ଼ିକୁ ଯଥାସମ୍ଭବ ଏକାନରେ ପୂରାଇ ସେକାନ ବାଟେ ବାହାର କରିଦିଅନ୍ତି ଏବଂ ସେପରି କରିବାରୁ ସତେଅବା କେତେ ନା କେତେ ସ୍ୱାଧୀନ ଅନୁଭବ କରୁଥାନ୍ତି ।

 

ଆମ ପିଲାଟି ଉଚିତ ସମୟରେ ଖାଦ୍ୟ ଗ୍ରହଣ କରିବ, ଉଚିତ ସମୟରେ ମଳମୂତ୍ର ତ୍ୟାଗ କରିବ, ଉଚିତ ସମୟରେ ଶୋଇବ ଓ ଉଚିତ ସମୟରେ ବିଛଣାରୁ ଉଠିବ, ହସି ହସି ଉଠିବ ଏବଂ ଆମକୁ ଦେଖିବା ମାତ୍ରକେ ମୋଟେ ଅନ୍ୟକିଛି ମିଛ କାରଣରୁ କାନ୍ଦିବାକୁ ଆଗ୍ରହୀ ହେବନାହିଁ,- ଏସବୁଥିରେ ତାକୁ ପୂର୍ଣ୍ଣ ସ୍ୱାଭାବିକ ମାର୍ଗରେ ମଣାଇ ଆଣିବା ହେଉଛି ତା’ର ନିକଟତମ ହୋଇ ରହିଥିବା ବୟସ୍କଜନମାନଙ୍କର ଦାୟିତ୍ୱ । ପିଲା ଦେହର ମାଂସପେଶୀମାନେ ଯେପରି ତା’ର ବୟୋବୃଦ୍ଧି ହେଉଥିବା ସହିତ କ୍ରମଗଠିତ ଏବଂ ବଳଯୁକ୍ତ ହୋଇ ଆସିବେ, ସେଥିଲାଗି ସେ ହଳଦୀ ଓ ତେଲର ନିୟମିତ ଶୁଶ୍ରୂଷା ମଧ୍ୟ ପାଉଥିବ । ସମ୍ଭବତଃ ଖୁବ୍ ବେଶୀ ମହତ୍ତ୍ୱପୂର୍ଣ୍ଣ କଥାଟିଏ ହେଉଛି ଯେ, ଆମ ପିଲାମାନେ ସମୁଚିତ ସମୟରେ ଆଉ ମାତୃସ୍ତନ୍ୟକୁ ମନ କରିବେନାହିଁ, ସେମାନଙ୍କୁ ଯେ ସେଥିପାଇଁ ସେହି ସ୍ତନ୍ୟପାନରୁ ଜୋର୍ କରି ଛଡ଼ାଇ ନିଆଯିବ, ସେକଥା ଆଦୌ ନୁହେଁ । ପ୍ରକୃତରେ ଏପରି ହେବ ଯେ, ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନେ ଆଉ ସେହି ଖାସ୍ ଅଭ୍ୟାସଟି ଆଡ଼କୁ ଆକୃଷ୍ଟ ହେବେନାହିଁ ଏବଂ ତେଣିକି ଗାଈକ୍ଷୀର ଖାଇବେ ଓ ଅନ୍ୟାନ୍ୟ ଖାଦ୍ୟ ଖାଇବେ । ପିଲାଟିଏ ଯେ ସମୟ ମୁତାବକ ମାତୃସ୍ତନ୍ୟର ଆକର୍ଷଣଟାକୁ ଛାଡ଼ି ପାରେନାହିଁ, ସେଥିଲାଗି ଆମେ ଏକପଟିଆ ହୋଇ ମୋଟେ ତାହାକୁ ହିଁ ଦୋଷ ଦେବାନାହିଁ । ସ୍ୱୟଂ ମାଆମାନେ ଯେ କେତେକ ଅହେତୁକ ଅକାରଣ ହେତୁ ମୋ’ ପିଲାଟି ମୋ’ ଛାତି ଉପରୁ ଓହ୍ଲାଇଯାଉ ବୋଲି ଆଦୌ ଇଚ୍ଛା କରନ୍ତିନାହିଁ, ଆମେ ସେକଥାଟିକୁ ମଧ୍ୟ ସର୍ବଦା ମନେ ରଖିଥିବା-

 

ସେହି ଅବସ୍ଥାରେ ଆମେ ସେହି ନିତାନ୍ତ ନିରୀହମାନଙ୍କର ବ୍ୟକ୍ତିତ୍ୱଟିର ବିକାଶଲାଭ କରିବା ବିଷୟରେ କିଛି କହି ବସିଲେ ବହୁତ ବହୁତ ମନୁଷ୍ୟ ଆମକୁ ହୁଏତ ପାଗଳ ବୋଲି କହିବାକୁ ଇଚ୍ଛା କରିବେ । ଯେଉଁସବୁ ସମାଜରେ ନାନା ଅନ୍ୟ ଅଗତ୍ୟାପଣ ଦ୍ୱାରା ଜର୍ଜର ହୋଇ ଅଧିକସଂଖ୍ୟକ ବୟସ୍କ ମଧ୍ୟ ବହୁ ଅବସରରେ ବାଳୁତବତ୍ ଆଚରଣ କରନ୍ତି, ସେଠାରେ ସେଭଳି ଅପବାଦମାନ ଅବଶ୍ୟ ଶୁଣିବାକୁ ମିଳିବ । ତଥାପି ମନୋବିଜ୍ଞାନୀମାନେ ପୂର୍ଣ୍ଣ ପ୍ରତ୍ୟୟର ସହିତ କହିବେ ଯେ, ଆମ ବୟସ୍କମାନଙ୍କର ହେପାଜତ ଭିତରେ ଗୋଟିଏ ପିଲା କିପରି ବଢ଼ିବ ଅର୍ଥାତ୍ ତା’ସହିତ ଆମେ କିପରି ସମ୍ବନ୍ଧ ଆଦି ସ୍ଥାପନ କରିଥିବା, ତାହାରି ଅନୁସାରେ ପିଲାଟିର ଆପଣାର ଦୃଷ୍ଟିଗୁଡ଼ିକ ମଧ୍ୟ ଅତ୍ୟନ୍ତ ସୁପରୋକ୍ଷ ଭାବରେ ନିର୍ଦ୍ଧାରିତ ହୋଇ ଯାଉଥିବ; ସିଏ ଆମ ବୟସ୍କମାନଙ୍କ ଉପରେ ଅଧିକରୁ ଅଧିକ ପରିମାଣରେ ନିର୍ଭରଶୀଳ ହୋଇ ରହିବାକୁ ନିରାପଦ ଓ ସୁଖକର ମନେ କରୁଛି ନା ନିଜର ରୀତିଟିଏ, ଶୈଳୀଟିଏ ତଥା ବାଟଟିଏ ଖୋଜିବା ନିମନ୍ତେ କ୍ରମେ ଅଧିକରୁ ଅଧିକ ଉତ୍ସାହିତ ଅନୁଭବ କରୁଛି । ବୟସ୍କମାନଙ୍କର ଆଶ୍ରା ନପାଇ ମଧ୍ୟ ଆପେ ଚାଲିବାକୁ ସାହସ କରି ପାରୁଛି, ପଡ଼ୁଛି ଓ ପୁଣି ଉଠି ଚାଲିବାକୁ ଚେଷ୍ଟା କରୁଛି ଏବଂ ବୟସ୍କମାନେ ଆହା ଆହା କରି ଦଉଡ଼ି ଆସିବାର ଦେଖି ସତେଅବା କୌଣସି ପ୍ରଦର୍ଶନ କଲାପରି ଆଦୌ ରାବ କରି ଉଠୁନାହିଁ । ଆମ ପିଲାଟି ଯଥାଶୀଘ୍ର ଏବଂ ଯଥାସମ୍ଭବ ଅଧିକ ଆତ୍ମନିର୍ଭର ହୋଇ ନିଜକୁ କ୍ରମବିକଶିତ କରିନେବାର ସାମର୍ଥ୍ୟଗୁଡ଼ିକୁ ପାଉ ବୋଲି ଇଚ୍ଛା କରୁଥିବା ତା’ ନିକଟରେ ଥିବା ବୟସ୍କଗଣ ପ୍ରକୃତରେ ଇଚ୍ଛା କରୁଥିଲେ ଏକଥାକୁ ନିଶ୍ଚୟ ବୁଝିବେ ।

 

ଶରୀର-ବିଜ୍ଞାନୀମାନେ ଏକଥା ମଧ୍ୟ କହନ୍ତି ଯେ, ଆମକୁ ପଚିଶି ବର୍ଷ ହୋଇଯିବା ବେଳକୁ ଆମର ଶାରୀରିକ ବିକାଶପ୍ରକ୍ରିୟାଟି ପ୍ରାୟ ସଂପୂର୍ଣ୍ଣ ଅର୍ଥରେ ପୋଖତ ହୋଇ ସାରିଥାଏ । ତା’ପରେ ଆମ ଦେହର ଉଚ୍ଚତାରେ କୌଣସି ବୃଦ୍ଧି ହୁଏନାହିଁ । ବାଲ୍ୟ ଅନ୍ତେ ଯୌବନ ଆସି ସାରିଥାଏ । ମାଂସପେଶୀମାନେ ଉପଯୁକ୍ତ ମତେ ଟାଣ ହୋଇ ଆସିଥାଆନ୍ତି । ଅସ୍ଥିଗୁଡ଼ିକ ମଧ୍ୟ ପାକଳ ହୋଇ ଯାଇଥାନ୍ତି । ଦେହର ଖାସ୍ ଗ୍ରନ୍ଥିଗୁଡ଼ିକର ସମୁଚିତ କ୍ଷରଣ ହେତୁ ଅନ୍ୟ ବିଧିବଦ୍ଧ ପରିପକ୍ୱତା ଗୁଡ଼ିକ ଆସି ସାରିଥାନ୍ତି । କଣ୍ଠର ସ୍ୱରଟା ମଧ୍ୟ ବଦଳି ଯାଏ । ହଁ, ପଚିଶି ପରେ ଶରୀରରେ କେବଳ ଆମର ନଖମାନେ, କେଶମାନେ ଅବଶ୍ୟ ବଢ଼ନ୍ତି ସିନା, କିନ୍ତୁ ତଦ୍‌ବ୍ୟତୀତ ଦେହର ଚର୍ବି ବ୍ୟତୀତ ଆଉ କିଛି ବଢ଼େନାହିଁ । ଚର୍ବିର ପରିମାଣ କାହିଁକି ବୃଦ୍ଧି ପାଏ, ତାହା ଆମ ଦେହର ସ୍ୱାଭାବିକ ବିକାଶଧାରାଟି ଉପରେ ମୋଟେ ନିର୍ଭର କରେନାହିଁ । ଆମର ଜୀବନଶୈଳୀ ଗୁଡ଼ିକ କେଉଁପରି ଅଛନ୍ତି ଅଥବା ନାହାନ୍ତି, ନିୟମତଃ ତାହାରି ଉପରେ ନିର୍ଭର କରୁଥାଏ । ସାଧାରଣ ଦୈନନ୍ଦିନତା ମାନଙ୍କରେ ଆମେ କେତେ ଅଧିକ କିମ୍ବା ଅଳ୍ପ ସମୟରେ କର୍ମଠ ହୋଇ ରହିଛୁ, କେଉଁଭଳି ଖାଦ୍ୟକୁ ଅଧିକ ପସନ୍ଦ କରୁଛୁ ଏବଂ ତେଣୁ ଖାଉଛୁ, ସେଇଟି ଉପରେ ନିର୍ଭର କରେ । ଆମର ସ୍ଥାନୀୟ ସଂସ୍କୃତିଟିରେ ପେଟଟି ଚର୍ବିଦ୍ୱାରା ସୁପୁଷ୍ଟ ହୋଇ ଆଗକୁ ବାହାରି ପଡ଼ିଲେ ଆମେ ନିଜେ ତଥା ଆମର ଅନ୍ୟ ପ୍ରିୟଜନବୃନ୍ଦ କେଡ଼େ ଖୁସି ନହୁଅନ୍ତି ! ଆମ ବାବାଜୀମାନେ ବସ୍ତୁତଃ ସେହିପରି ଗୋଟିଏ କାରଣରୁ ସାଧାରଣ ମାନଙ୍କର ଆଖିକୁ ଏଡ଼େ ମଞ୍ଜୁଳ ହୋଇ ଦେଖାଯାଆନ୍ତି କି ? ଆମ ଜେଜେମାନେ ମଧ୍ୟ ଆମ ଘରର ପିଲାମାନଙ୍କର ମନରେ ଏତେ ଏତେ ପୁଲକ ସଞ୍ଚାର ବି କରିପାରନ୍ତି ଏବଂ ସେହିପରି କିଛି ଖାସ୍ କାରଣଦ୍ୱାରା ଉଦ୍‌ବୁଦ୍ଧ ହୋଇ ଆମ ଅଳିଅଳୀ କେତେ ମାଆ ମଧ୍ୟ ନିଜ ଘରର ନିତାନ୍ତ ପିଲାମାନଙ୍କୁ ଚର୍ବିବହୁଳ ଚେହେରାରେ ଦେଖିଲେ ବହୁତ ଗର୍ବ ଅନୁଭବ କରନ୍ତି । ଆମ ସାଂସ୍କୃତିକ ଚାହାଣିଟା ହୁଏତ ସେହି ଅନୁସାରେ ନିଜକୁ ପାକଳ କରି ନେଇଥାଏ ।

 

ଯୌବନ ଆସେ ଓ ତଥାପି ଯୌବନ ଆସିଲା ବୋଲି ନାନା ଲକ୍ଷଣରୁ ମୋଟେ ମନେ ହେଉ ନଥାଏ । କଣ୍ଠସ୍ୱରରେ ସେପରି ପ୍ରତ୍ୟୟ ମିଳୁଥିବା ପରି ଆଭାସ ମିଳେ ନାହିଁ । ନିଶଦାଢ଼ି ଉଠେ ସିନା, ମାତ୍ର ତଥାପି ଅନ୍ୟ ସମବୟସୀ ମାନଙ୍କର ତୁଳନାରେ ଆଦୌ ଯଥେଷ୍ଟ ବୋଲି ଗ୍ରହଣ କରି ହୁଏନାହିଁ । ତେଣୁ ନିଜ ବିଷୟରେ ଗୋଟାଏ ପ୍ରକାରର ଆତ୍ମଝିଙ୍ଗାସ ମନୋଭାବ ଭାରି ଉତ୍ପୀଡ଼ିତ କରେ । ଅନ୍ୟମାନଙ୍କର ମେଳରେ ଏବଂ ଆପେ ଏକୁଟିଆଟି ଏହିପରି ଏକ ଦୁଃଖଦ ଅବସ୍ଥାର ରୋମନ୍ଥନ କରୁଥିବା ସମୟରେ । ନିଜ ପ୍ରତି ଦୟା ବି ଆସେ, କ୍ରୋଧ ହୁଏ, ନାନା ଭଳି ହୀନମନ୍ୟତା ସାଙ୍ଗମେଳରେ ଆପଣାକୁ ସତେଅବା ଅଲଗା ଅଲଗା କରି ରଖିଥାଏ ଏବଂ, ଆପଣାର ବ୍ୟକ୍ତିତ୍ୱ-ବିକାଶର କ୍ଷେତ୍ରରେ ତାହା ସର୍ବଦା ଏକ ବାଧକ ପରି କାର୍ଯ୍ୟ କରୁଥାଏ । ଅନ୍ୟାନ୍ୟ କୌଣସି ସମର୍ଥତାରେ ଅନ୍ୟ ସଙ୍ଗୀମାନଙ୍କ ଠାରୁ ଅଧିକ ବ୍ୟୁତ୍ପତ୍ତି ଅର୍ଜନ କରିଥିଲେ ମଧ୍ୟ ନିଜଭିତରେ ସେହି ଖାସ୍ ବାସ୍ତବତାଟା ଭାରି ସାନ କରି ରଖିଥାଏ । ଭିତରେ କେଉଁଠାରେ ଏକ ଗଣ୍ଠି ଏପରି ପରାକ୍ରମ ସହିତ ହୁଏତ ସଙ୍କୁଚିତ କରି ପକାଇ ରଖିବାରେ ଲାଗିଥାଏ, ଯାହାକି ଜୀବନରେ ସତେ ଯେପରି ଏକମାତ୍ର ମୀମାଂସକ ପରି ଅନୁଭବ ହୁଏ ଏବଂ, ଦହନଟା ଯେତିକି ଦହି ଦେବାରେ ଲାଗିଥାଏ, ଆପଣାକୁ ସତେଅବା ନିଜ ଜୀବନରେ ପୂରା ଅସଫଳ ହୋଇ ଯାଉଥିବା ପରି ମନେ ହୁଏ ।

 

ସତେ ତ, ଏହି ଦେହଟାର ପ୍ରକୃତରେ ଏତେ ବେଶୀ ପ୍ରଭାବ ଯେ, ତାହା ସେତେବେଳେ ମନଟାକୁ ମଧ୍ୟ ଏପରି ପ୍ରତାପ ସହିତ ଯାବୁଡ଼ି ରଖିଥାଏ । ଭାରି ମନ ହେଉଥାଏ, ସାଙ୍ଗ ଭଳି ସାଙ୍ଗଟିଏ ହୁଏତ ମିଳନ୍ତା, ଯିଏକି ପରିପୂର୍ଣ୍ଣ ସହାନୁଭୂତି ସହିତ ଜ୍ୱାଳାଟାକୁ ବୁଝନ୍ତା, ସାନ୍ତ୍ୱନା ପ୍ରଦାନ କରନ୍ତା ଏବଂ ଦମ୍ଭ ଦିଅନ୍ତା । ଏହି ପୃଥିବୀରେ ସବୁବେଳେ ହିଁ ସେହି କାଟର ବନ୍ଧୁମାନେ ରହିଥାନ୍ତି,- କିନ୍ତୁ ସେମାନଙ୍କ ସହିତ ଏକାଠି ନିକଟ ହୋଇ ବସିବାକୁ ସାହସ ହୁଏତ ହୁଏନାହିଁ, ସର୍ବଦା ହିଁ ସେହି ଗୋଟିଏ ଆତ୍ମସନ୍ତୋଷ ବହୁ କିସମର ଗୋଷ୍ଠୀମେଳ ଭିତରେ ବସ୍ତୁତଃ ଏକୁଟିଆ କରି ରଖିଥାଏ । ପୃଥିବୀରେ ମନୁଷ୍ୟମାତ୍ରେ ସମସ୍ତଙ୍କର କିଛି ନା କିଛି ଅଭାବ ସର୍ବତ୍ର ରହିଛି, ମନର ଯୁକ୍ତି ଦେଇ ସେହି ସତ୍ୟଟିକୁ ଖୁବ୍ ବୁଝି ହେଉଥିଲେ ମଧ୍ୟ ତଥାପି ଅବଚେତନର ସ୍ତରରେ ସେହି ଗୋଟାଏ କଥା ହିଁ ପୀଡ଼ା ଦେବାରେ ଲାଗିଥାଏ । ପୂର୍ବବର୍ତ୍ତୀ ଅଧ୍ୟାୟଟିରେ ଆମେ ଯେପରି ଜାଣିଛୁ, ଶ୍ରୀ ଆଲ୍‌ଫ୍ରେଡ୍ ଆଡ୍‌ଲର୍ ଆମ ଭିତରର ଏକ ହୀନମନ୍ୟତାର ଭାବନା ସହାୟକ ପରି କାର୍ଯ୍ୟ କରି ଆଉ ଗୋଟିଏ କ୍ଷେତ୍ରରେ ବିଶେଷ ଉତ୍କର୍ଷର ଭାଜନ ହେବାରେ ଆମକୁ ଖୁବ୍ ଶକ୍ତି ଆଣି ପ୍ରଦାନ କରିପାରେ । ସେପରି ଯେ ଆମ ଜୀବନରେ ପ୍ରକୃତରେ ହୁଏ, ସେଥିରେ ଆମେ କଦାପି ସନ୍ଦେହ ବ୍ୟକ୍ତ କରି ପାରିବାନାହିଁ । ମାତ୍ର ଅନେକତଃ ତାହା ଏକ କ୍ଷତିପୂରଣ ରୂପେ ହୁଏ, ଏବଂ ତେଣୁ ବାହାରେ ବାହାରେ ହୁଏତ ହୁଏ, ମାତ୍ର ଅସଲ ଦାଗଟି ଖୁବ୍‌ସମ୍ଭବ ଆମ ଅବଚେତନର ସ୍ତରରେ ଚାପି ହୋଇ ରହିଥାଏ ଏବଂଏକ ସୁସ୍ଥ ବ୍ୟକ୍ତିତ୍ୱର ପରିପ୍ରେକ୍ଷୀରେ ଏକାଧିକ ପ୍ରମାଦର କାରଣ ମଧ୍ୟ ହୋଇପାରେ । ତାହା ଆମକୁ ନିଜ ପାଖରେ ଦ୍ୱିବିଭାଜିତ କରି ରଖିଥାଏ । ଆମ ଅସଲ ଭିତରଟିକୁ ବିଡ଼ମ୍ବନାପୂର୍ଣ୍ଣ କରି ରଖିଥାଏ । ଏହି ଅନ୍ୟ ସମ୍ଭାବନାଟି ବିଷୟରେ ଶ୍ରୀଯୁକ୍ତ ଆଡ୍‌ଲର୍ ସେପରି କିଛି କହିନାହାନ୍ତି ।

 

ପ୍ରସ୍ତୁତ ଅଧ୍ୟାୟରେ ଆମେ ବ୍ୟକ୍ତିତ୍ୱବିକାଶର ଏହି ଆଲୋଚନାରେ ଦୁଇଟି ପ୍ରଧାନ ପୁସ୍ତକର ଉପସ୍ଥାପନା କରିବା । ଦୁଇଟିଯାକକୁ ବହୁ ପ୍ରାସଙ୍ଗିକତା ସହିତ ପରସ୍ପରର ପରିପୂରକ ରୂପେ ମଧ୍ୟ ଗ୍ରହଣ କରାଯାଇ ପାରିବ । ପ୍ରଥମ ପୁସ୍ତକଟି ହେଉଛି ଶ୍ରୀଯୁକ୍ତ ଏରିକ୍ ଏରିକ୍‌ସନ୍‌ଙ୍କର ଗୋଟିଏ ଏହି ବିଷୟକ ଆଲୋଚନା ଯାହାକୁ ସେ Childhood and Society ବୋଲି ନାମ ଦେଇଛନ୍ତି । (୧) ମାତ୍ର, ଉଲ୍ଲେଖଯୋଗ୍ୟ ବ୍ୟାପାରଟି ହେଉଛି ଯେ ଏରିକ୍‌ସନ୍ ସେଥିରେ କେବଳ ଶୈଶବର ଆଲୋଚନା କରିନାହାନ୍ତି; ଏକ ପରିପୂର୍ଣ୍ଣ ଅନୁକ୍ରମରେ ସେ ମନୁଷ୍ୟଜୀବନର ସଂପୂର୍ଣ୍ଣ ଆୟୁକାଳଟିକୁ ଗ୍ରହଣ କରିଛନ୍ତି । କାରଣ ବିକାଶ ହେଉଛି ଆମ ପ୍ରତ୍ୟେକଙ୍କର ଜୀବନର ଏକ ଅବିଚ୍ଛିନ୍ନ ପ୍ରକ୍ରିୟା । କେବଳ ବ୍ୟକ୍ତିତ୍ୱବିକାଶର କୌଣସି ତଥାକଥିତ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନୁହେଁ, ସର୍ବବିଧ କ୍ଷେତ୍ରରେ । ଆଉପ୍ରକାର ଭାଷାରେ କହିଲେ, ଆମ ଜୀବନରେ ଏହି ସତତ ବିକାଶର ଧର୍ମଟି । ଆମେ ଜୀଇଲାପରି ଜୀଇଛୁ, ଅର୍ଥାତ୍ ବିକାଶଲାଭ କରିବାରେ ଲାଗିଛୁ । ବୃଦ୍ଧିଲାଭ କରୁଛୁ-। ଆମ ଶରୀରର ଚେହେରା କିମ୍ବା ଚାହିଦାଗୁଡ଼ିକର ସ୍ତରରେ ସିନା ଗୋଟିଏ ଗୋଟିଏ ଜୀବରୂପେ ଆମର ସ୍ୱାଭାବିକ ପ୍ରକାରେ ବୃଦ୍ଧି ଏବଂ ହ୍ରାସ ହେବାରେ ଲାଗିଛି; କିନ୍ତୁ ଆମେ ବଞ୍ଚୁଥିବା ଜୀବନଟିର ଏକ ନିରନ୍ତର ବିକାଶପଦ୍ଧତି ଲାଗି ରହିଛି କି ନାହିଁ, ଏବଂ ସମ୍ଭବତଃ ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ କଥାଟି ହେବ ଯେ ସେଇଟି କିପରି ଲାଗି ରହିଛି ଏବଂ ତାହା ମୋତେ ଆହୁରି ବିକଶିତ କରିନେଉଛି ବା ନାହିଁ, ସେଇଟି ହେଉଛି ସର୍ବତୋଭାବେ ଆମ ନିଜର କାର୍ଯ୍ୟ ଓ ନିଜର ଧର୍ମ ।

 

ଆମର ଏହି ନିତ୍ୟସମ୍ପର୍କସଚଳ ଚତୁର୍ଦ୍ଦିଗର ପୃଥିବୀ ସହିତ ଆମର ସମ୍ବନ୍ଧମାନେ ବିକାଶଲାଭ କରୁଛନ୍ତି ତ ? ଯଦି ଆମର ସେହି ସୁସ୍ଥ ବିକାଶର ପ୍ରକ୍ରିୟାଟି କୌଣସି ନା କୌଣସି କାରଣରୁ ଚହଲିଯିବ, ତେବେ ପୃଥିବୀଯାକର ମଣିଷ ଆମକୁ କ୍ରମଶଃ ଅଧିକରୁ ଅଧିକ ଗନ୍ଧାଇବାକୁ ଆରମ୍ଭ କରିବେ,- ପୃଥିବୀଟା ଖରାପ ହୋଇ ଯାଉଛି ବୋଲି କହିବାକୁ ଆମକୁ ଖୁବ୍ ଭଲ ଲାଗିବ ଏବଂ ତାହାର ସମ୍ଭବତଃ ଏକ ମୂଳଭୂତ କାରଣ ହେଉଛି ଯେ, ଆମ ନିଜ ଭିତରେ କ’ଣସବୁ ଅହେତୁ ଅଥବା ହେତୁରୁ ଆମେ ନିଜେ ହିଁ ନିଜକୁ ଗନ୍ଧାଉଥିବା ଏବଂ ସେଇଟିକୁ ନିଜ ପାଖରୁ ବାଆଁରେଇ ରଖିବାପାଇଁ ଅନ୍ୟମାନଙ୍କୁ ଓ ସମଗ୍ର ଏହି ପୃଥବୀଟିକୁ ଅଶ୍ରଦ୍ଧା ପ୍ରକଟ କରି ଭର୍ତ୍ସନା କରିବାରେ ଲାଗିଥିବା ଏବଂ ତାହାରି ଢାଙ୍କୁଣିଟା ତଳେ ନିଜକୁ ସତେଅବା ଏହି ଧରାତଳେ ଏକମାତ୍ର ପୂର୍ଣ୍ଣଶୁଦ୍ଧ ବ୍ୟକ୍ତି ବୋଲି ବିଚାର କରୁଥିବା । ବିକାଶର ସ୍ୱାଭାବିକ ସୁସ୍ଥ ଧାରାଟି ବ୍ୟାହତ ହୋଇ ରହିଥିବା ମନୁଷ୍ୟମାନେ ସବୁବେଳେ ପୃଥିବୀର ସବୁକିଛି ବିଷୟରେ ଅଭିଯୋଗ କରୁଥାନ୍ତି । ନିଜର ବାଟଗୁଡ଼ିକୁ ଚାଲି ପାରୁନଥିବା ଅର୍ଥାତ୍ ନିଜର ଫୁଲଟିକୁ ପ୍ରସ୍ଫୁଟିତ କରି ପାରୁନଥିବାର ଏକ ଦୟନୀୟ ଜ୍ୱାଳାରେ ଛଟପଟ ହୋଇ ସେମାନେ ନିଜକୁ ଏପରିକି ନିଜପାଖରେ ବଡ଼ ହାସ୍ୟାସ୍ପଦ କରି ରଖିଥାନ୍ତି । ଶୈଶବ ଆସେ ଏବଂ ଚାଲିଯାଏ, ଯୌବନ ଆସେ ଏବଂ ସରିଯାଏ, ମାତ୍ର ଏମାନେ କ’ଣ ସବୁ ଅସମର୍ଥତା ହେତୁ କେବେହେଲେ ମଧ୍ୟ ଶିଶୁଟିଏ ପରି ଖେଳି ପାରନ୍ତି ନାହିଁ ଅଥବା ପ୍ରକୃତରେ ଏକ ଯୌବନର ଅଧିକାରୀ ହୋଇ ଆପଣା ଭିତରେ ଅପେକ୍ଷା କରି ରହିଥିବା ଅଜସ୍ର ପ୍ରାଣବନ୍ତତାର କୌଣସି ପରିଚୟ ଲାଭ କରି ପାରନ୍ତିନାହିଁ । ଗୋଟିଏ ନିପଟ ବୃଦ୍ଧ ପରି ଘୋଷାରି ହେବାରେ ଲାଗିଥାନ୍ତି ।

 

ଏବଂ, ଏହି ବୃଦ୍ଧମାନେ କ’ଣ ପାଇଁ ଭୋଗର ମାର୍ଗଟାକୁ ଅନେକ ସମୟରେ ଜୀବନର ପ୍ରଶସ୍ତତମ ମାର୍ଗରୂପେ ଗ୍ରହଣ କରି ନେଇଥାନ୍ତି । ଯେତେ ଯେତେ ସୁଯୋଗ, ସେଗୁଡ଼ିକର ଭୋଗ-। କ୍ଷମତାର ଭୋଗ, ବିତ୍ତ ଇତ୍ୟାଦିର ଅବାଧ ଭୋଗ । ସତେଅବା ମନୁଷ୍ୟର ଏହି ଜୀବନଟା ନିତାନ୍ତ ଅନିତ୍ୟ, - ତେଣୁ ମଉକାମାନ ପ୍ରାପ୍ତ ହେଉଥିବା ଯାଏ, କେବଳ ଭୋଗ ଏବଂ ଭୋଗ ଏବଂ, ମଉକାମାନେ ନଥିଲେ ଅନୁକୂଳ ଅମଉକା ଗୁଡ଼ାକ ସୃଷ୍ଟି କରି ଅବାଧ ଭୋଗ ହିଁ ଭୋଗ । ଆମର ଏହି ପୃଥିବୀଟିରେ ସବୁ ମଣିଷଙ୍କର ଭାଗଗୁଡ଼ିକୁ ଏହି ଭୋଗୀମାନେ ମାରିନେବାରେ ଲାଗିଥିବାରୁ ପୃଥିବୀଟା ଏଠି ନାନା ଦୁଃଖ ମଧ୍ୟରେ ପଡ଼ି ରହିଛି କି ? ସମସ୍ତଙ୍କ ନିମନ୍ତେ ପର୍ଯ୍ୟାପ୍ତ ସମ୍ପଦ ରହିଛି, ତଥାପି କୋଟି କୋଟି ମନୁଷ୍ୟଙ୍କୁ ବଞ୍ଚିତ କରି ରଖାଯାଇଛି । ବୁଦ୍ଧିଗୁଡ଼ିକ ଦୁର୍ବୁଦ୍ଧିରେ ପରିଣତ ହୋଇଯାଉଛି । ଏହି ଭୋଗୀମାନଙ୍କର ସର୍ବବିଧ ବିକାଶପ୍ରକ୍ରିୟା ବନ୍ଦ ହିଁ ହୋଇଯାଇଛି । ସେମାନେ ନିଜ ଜୀବନର କୁଢ଼ମାନଙ୍କୁ ଦଶକୁଢ଼ କରିବାରେ ପ୍ରମତ୍ତ ହୋଇ ରହିଛନ୍ତି ଓ ପୃଥ୍ୱୀ-ଭାଗ୍ୟଟିକୁ ନାରଖାର କରି ରଖିଛନ୍ତି । ଜୀବନ-ବିକାଶର ଆହ୍ୱାନକ୍ଷେତ୍ର ଗୁଡ଼ିକରେ କେଡ଼େ ଆହ୍ଲାଦରେ ସେମାନେ ବନ୍ଧ୍ୟା ହୋଇ ରହିଛନ୍ତି । ସେମାନଙ୍କର ବ୍ୟକ୍ତିତ୍ୱ ବିଷୟରେ ଆମେ ପ୍ରକୃତରେ ଆଉ କ’ଣ ବା କହିପାରିବା ? ସେମାନେ ଭୀରୁ, ଅତିମାତ୍ରାରେ ଭୟାଳୁ ଏବଂ ବାହାରେ ସଦା ପ୍ରମତ୍ତ । ଭିତରେ ଭୟାଳୁ ଏବଂ ତେଣୁ ବାହାରେ ପ୍ରମତ୍ତ; ବାହାରେ ପ୍ରମତ୍ତ, ତେଣୁ ଭିତରେ ଭୟାଳୁ ଓ ଭୀରୁ । ଭିତରେ ନିଜପ୍ରତି ହିଂସ୍ର ଓ ବାହାରେ ଆପଣାର ସାତସହସ୍ର ଯାକ ସମ୍ବନ୍ଧରେ ଧର୍ମତଃ ହିଂସ୍ର । ଆପଣାର ବିକାଶରେ ମନୋନିବେଶ କରିବା ଲାଗି ଇଚ୍ଛା କରୁଥିବା ଏବଂ ତେଣୁ ଏକ ଗଭୀର ଜୀବନବାଚୀ ଶ୍ରଦ୍ଧା ସହିତ ନିଜକୁ ଅନୁଭବ କରୁଥିବା ଆମ ସ୍ୱାଭାବିକ ସାଧାରଣମାନଙ୍କ ନିମନ୍ତେ ଏମାନେ ଘୋର ଅନ୍ତରାୟ ସଦୃଶ । ଏହି ପୃଥିବୀରେ ମନୁଷ୍ୟମାନେ ନିଜ ଭିତରୁ ତଥା ବାହାରର ଏହି ପୃଥିବୀଠାରୁ କ’ଣସବୁ ବାସନା ପାଇ ବାଟଟିଏ ଚାଲିଲେ ଏମାନେ ଆଦୌ ସହ୍ୟ କରି ପାରନ୍ତିନାହିଁ ।

 

ଏରିକ୍ ଏରିକ୍‌ସନ୍ ଉକ୍ତ ଗ୍ରନ୍ଥରେ ମନୁଷ୍ୟମାନଙ୍କର ଜୀବନକୁ ଆମ ତିନିଗୋଟି କ୍ରମରେ ବିଭାଜିତ କରି ଆପଣାର ଚର୍ଚ୍ଚାଟିକୁ ଆରମ୍ଭ କରିଛନ୍ତି । ବାଲ୍ୟ, କୈଶୋର ଓ ଯୌବନ ଓ ପୌଢ଼ାବସ୍ଥା ଏବଂ, ସେହି କ୍ରମରେ ସେ ତା’ପରେ ପ୍ରତ୍ୟେକଟିର ଏକ ବିଶଦତର ବିଶ୍ଳେଷଣ ପ୍ରଦାନ କରିଛନ୍ତି । ବାଲ୍ୟସମୟକୁ ସେ ମୂଳତଃ ତିନିଗୋଟି ଥାକରେ ଅବଲୋକନ କରି ଆମ ସମକ୍ଷରେ ଆପଣାର ତଥ୍ୟମାନଙ୍କର ଉପସ୍ଥାପନା କରିଛନ୍ତି । ପ୍ରସ୍ତୁତ ଆଲୋଚନାରେ ଆମେ ମଧ୍ୟ ସେ ବ୍ୟବହାର କରିଥିବା ଶବ୍ଦଗୁଡ଼ିକୁ ଦେଇ ଉକ୍ତ ଥାକମାନଙ୍କୁ ବୁଝିବାଲାଗି ଇଚ୍ଛା କରିବା । ପ୍ରଥମ ଅବଧିଟି ହେଉଛି ମୁଖପ୍ରଧାନ,- Oral,- ଜନ୍ମ ହୋଇ ପୃଥିବୀକୁ ଆସିବାର ସର୍ବପ୍ରଥମ ତିନୋଟି ବର୍ଷର ଅବଧି । ଶିଶୁର କି ବିକାଶ ବା ସେତେବେଳେ ହୋଇଥାଏ ଏବଂ ସିଏ ନିଜର ଅସ୍ତିତ୍ୱଟି ବିଷୟରେ କେତେ ବା ସଜ୍ଞାନ ହୋଇ ରହିଥାଏ । ଭୋକ କରେ, ଖାଇବାକୁ ଦିଆଯାଏ । ମାତୃସ୍ତନ୍ୟକୁ ହିଁ ସିଏ ଆଶ୍ରା କରି ରହିଥାଏ । ବସ୍ତୁତଃ ଅନ୍ୟମାନଙ୍କ ଉପରେ ନିର୍ଭର କରି ରହିବା ବ୍ୟତୀତ ଆଉ ଅନ୍ୟ ସମାଧାନ କ’ଣ ବା ଥାଏ ! ଭୋକ କଲେ କାନ୍ଦେ ଏବଂ ସେଇଥିରୁ ହିଁ ତାକୁ ଭୋକ କରୁଛି ବୋଲି ସମସ୍ତେ ବୁଝନ୍ତି ଏବଂ ସ୍ତନଟିଏ ତା’ ମୁହଁ ଭିତରକୁ ଆନତ ହୋଇଆସେ । ତା’ର ଭାଗ୍ୟଟିକୁ ହୁଏତ ଧନ୍ୟ ବୋଲି କହିବାକୁ ହେବ ଯେ, ସ୍ତନଟି ତା’ ମୁହଁରେ ଲାଗିବା ମାତ୍ରକେ ତା’ର ଓଠ ଦୁଇଟି ପ୍ରସାରିତ ହୋଇଆସେ ଓ ଏହିପରି ଭାବରେ ଭୋକଟି ଶାନ୍ତ ହୁଏ । ଜଣେ ଜନନୀ ଯେ ସଦାସଚେତ ରହି ସମୟ ଜାଣି ତା’ର ଭୋକଟି ମେଣ୍ଟିବାରେ ନିମିତ୍ତ ହୋଇ କାର୍ଯ୍ୟ କରୁଛି, ଶିଶୁଟି ସେହି ବିଷୟରେ କ’ଣ ବା ଜାଣିଥାଏ ! ସେହି ଏକମାତ୍ର ଉପଚାରଟି ଦ୍ୱାରା ଶିଶୁଟିର ଶରୀର ପୁଷ୍ଟ ହୁଏ ଏବଂ ସେହି ଅନୁସାରେ ସେ କ୍ରମେ ଅନ୍ୟ ଆବଶ୍ୟକ ସାମର୍ଥ୍ୟମାନଙ୍କୁ ଲାଭ କରୁଥାଏ ।

 

ସେହି ଅବସ୍ଥାରେ ଶିଶୁର ମୁଖଟି ହିଁ ତା’ର ଏକମାତ୍ର ଇନ୍ଦ୍ରିୟ ହୋଇ ରହିଥାଏ ଏବଂ ସେ ସେହି ଜୀବଦ୍ଦଶାଟିର ଯାବତୀୟ ଅବସରରେ ମୁଖଟାକୁ ହିଁ ନିଜର ଏକମାତ୍ର ସହାୟ ଭାବେ ଗ୍ରହଣ କରି ନେଉଥିବ । ଆପଣା ସ୍ନାୟୁମାନଙ୍କର ପ୍ରଥମ ସ୍ପନ୍ଦନଗୁଡ଼ିକୁ ସେ ସେହି ମୁଖର ପରିମିତିଟି ମଧ୍ୟରେ ଅନୁଭବ କରେ । ମୁଖ-ଆୟତନଟି ତ ତା’ ଜୀବନର ସେହି ଗୋଟିଏ ମାତ୍ର ଦ୍ୱାର ଏବଂ ନିଜର ସାମର୍ଥ୍ୟଟିକୁ ପ୍ରକଟ କରିବାର ସେହି ଗୋଟିଏ ମାତ୍ର ଗବାକ୍ଷ; ଏବଂ, ମୁଖ୍ୟତଃ ସେହି କାରଣରୁ ସେହି ସ୍ପନ୍ଦନମାନେ ସେତେବେଳେ ଅତିସଂବେଦନ ହୋଇ ଯାଇଥାନ୍ତି ଏବଂ ସକଳ ଅର୍ଥରେ ଗୋଟିଏ ଉତ୍ତେଜକ ହୋଇ କାର୍ଯ୍ୟ କରନ୍ତି । ତେଣେ ଶରୀରଗ୍ରାମଟି ମଧ୍ୟ କ୍ରମଶଃ ଅଧିକ ସମର୍ଥ ହୋଇ ଆସେ । କେବଳ ଭୋକ ଲାଗିଲେ କ’ଣ ଶିଶୁଟି ତା’ର ମାତୃସ୍ତନ୍ୟକୁ ଲୋଡ଼ିବ ? ଭୋକ ନକଲେ ମଧ୍ୟ ସେ ଅନ୍ୟ ଆଉକଛି ତୃପ୍ତିଲାଭ ଆଶାରେ ମାଆସ୍ତନକୁ ନିଜ ମୁହଁଭିତରେ ରଖିବାକୁ ଇଚ୍ଛା କରେ । ସେଥିପାଇଁ ସିଏ ତୁଚ୍ଛାଟାରେ ବି ବେଳେବେଳେ ବା କିମ୍ବା ଅନ୍ୟ କୌଣସି କାରଣରୁ କାନ୍ଦେ । ମାଆ ଭାବନ୍ତି ଛୁଆଟିକୁ ଭୋକ କରୁଛି ଏବଂ ତେଣୁ ଛୁଆର ମୁହଁକୁ ଆଣି ସ୍ତନପାଖରେ ଲଗାଇ ଦିଅନ୍ତି ଏବଂ ଛୁଆ ତୁନି ହୋଇଯାଏ । ପୁନଶ୍ଚ, ନିଜେ ମାଆ ମଧ୍ୟ ଛୁଆର ଏହି ଆଚରଣର ରହସ୍ୟଟିକୁ ଅଳ୍ପବହୁତ କ୍ରମେ ବୁଝିପାରନ୍ତି ଏବଂ ଯେକୌଣସି କାରଣରୁ ସେ ଅଝଟ ହେଲେ ତା’ର ମୁହଁ ଭିତରକୁ ନିଜର ସ୍ତନକୁ ବଢ଼ାଇ ଦିଅନ୍ତି । ଛୁଆ ତୁନି ପଡ଼ିଯାଏ । ଏପରିକି, ଏପରି ମଧ୍ୟ କେତେକ ସମୟରେ ହୁଏ ଯେ, ସ୍ୱୟଂ ମାଆଙ୍କର କ’ଣ ଅନ୍ୟସବୁ କାର୍ଯ୍ୟ ରହିଥାଏ ଓ ସିଏ ଛୁଆଟା ଶୋଇପଡ଼ିଲେ କାର୍ଯ୍ୟଟିକୁ କରିବେ ବୋଲି ଇଚ୍ଛା କରୁଥାନ୍ତି । ଛୁଆ ଶୁଏନାହିଁ । ମାଆ ତେଣୁ ଉପାୟଟିକୁ ଜାଣିଥିଲା ପରି ତାକୁ ଛାତି ଉପରକୁ ଟାଣି ଆଣନ୍ତି ବା ବିଛଣା ଉପରେ ଛୁଆଟିକୁ ଶୁଆଇ ଦିଅନ୍ତି ଏବଂ ସ୍ତନ୍ୟ ଦିଅନ୍ତି । ଛୁଆ ଶୋଇପଡ଼େ ।

 

ତେଣେ ପିଲାକୁ ଦେଢ଼ବର୍ଷ ସରିକି ହୋଇଆସିବା ବେଳକୁ ତା’ର ଦାନ୍ତମାନେ ଉଠିବାକୁ ବି ଆରମ୍ଭ କରନ୍ତି । ମାଢ଼ି ଉପରଟା ଖୁବ୍ ଶୂଳେଇ ହୁଏ ଏବଂ, ସମ୍ଭବତଃ ସେହି ଅନୁଭବଟିରୁ କିଞ୍ଚିତ୍ ଉପଶମ ପାଇବା ନିମନ୍ତେ ପାଟିଭିତରେ ମାଆସ୍ତନକୁ ରଖି ସନ୍ତ୍ୟପାନ କରୁଥିବା ସମୟରେ ସେ ସ୍ତନର ଅଗ୍ରଭାଗଟିକୁ ବେଳେବେଳେ କାମୁଡ଼ି ଦିଏ । ମାଢ଼ିଟାକୁ ଟିକିଏ ଉଶ୍ୱାସ ଲାଗେ । କିଛି ଆନନ୍ଦ ମଧ୍ୟ ନିଶ୍ଚୟ ମିଳୁଥିବ । ମାଆଙ୍କୁ କଷ୍ଟ ହୁଏ ଏବଂ ସିଏ ପ୍ରତିବାଦ କଲାପରି ତତ୍‌କ୍ଷଣାତ୍ ଛୁଆଟିର ପାଟିଭିତରୁ ନିଜର ସ୍ତନକୁ ବାହାର କରି ଆଣନ୍ତି । ତାହାରି ଆନୁଷଙ୍ଗିକ ରୂପେ ଛୁଆର ଗାଲରେ ଚାପୁଡ଼ାଟିଏ ମଧ୍ୟ ଦିଅନ୍ତି । ପିଲାଟା ବଞ୍ଚିତ ହୁଏ ଏବଂ କାନ୍ଦେ । ଏହି ଘଟଣାମାନଙ୍କୁ ଭିତ୍ତି କରି ଶ୍ରୀଯୁକ୍ତ ଏରିକ୍‌ସନ୍ ଶୈଶବର ସେହି କାଳଟି ବିଷୟରେ କିଛି ସାଧାରଣ ନିଷ୍କର୍ଷ ମଧ୍ୟ ବାହାର କରିଛନ୍ତି । ମାତ୍ର, ତା’ ପୂର୍ବରୁ ଆମକୁ ଅବଶ୍ୟ ଅବଶ୍ୟ ମନେ ରଖିବାକୁ ହେବ ଯେ, ଆମ ସମାଜଗୁଡ଼ିକର ଭିନ୍ନ ଭିନ୍ନ ଚଳଣି ଅନୁସାରେ ଘଟଣାଟି ମଧ୍ୟ ସର୍ବଦା ଭିନ୍ନ ପ୍ରକାରେ ଘଟିଥାଏ । ଗୋଟିଏ ସମାଜରେ ମଧ୍ୟ ପରିବାରଗୁଡ଼ିକର ସ୍ଥିତି ଅନୁସାରେ ଅଲଗା ଅଲଗା ହୁଏ । କେଉଁ ଘରେ ପ୍ରଶିକ୍ଷିତା ଆୟାମାନେ ରହିଥାଆନ୍ତି ଏବଂ ଅନ୍ୟତ୍ର ଜଣେ ମୂଲିଆଣୀ ମାଆ ନିଜର ଶିଶୁସନ୍ତାନଟିକୁ ରାସ୍ତାର ଗୋଟିଏ ପାଖରେ କେତେଖଣ୍ଡ କନା ଉପରେ ଶୁଆଇ ଦେଇ ମାଟି ବୋହୁଥାଏ । କାମ କରୁଥାଏ ଏବଂ ଏଣେ ଛୁଆ ଉପରେ ନିଘା ବି ରହିଥାଏ । ଛୁଆଟି ହୁଏତ ଚେଇଁଥାଏ ବା ନିଦରେ ଶୋଇ ଯାଇଥାଏ । ଭୋକ କଲେ କାନ୍ଦେ, ଏବଂ ମାଆ ତତ୍‌କ୍ଷଣାତ୍ ଯାଇ ତାକୁ ସ୍ତନ୍ୟ ଦେଇଆସେ ଏବଂ ପୁନର୍ବାର ଆସି କାମରେ ସାମିଲ ହୋଇଯାଏ । ତଥାପି ଏରିକ୍‌ସନ୍‌ଙ୍କର ଏହି ସଂକ୍ରାନ୍ତୀୟ ସାଧାରଣ ସତ୍ୟାନୁମାନ ଏବଂ ସେଥିରୁ ନିଷ୍ପନ୍ନ ସିଦ୍ଧାନ୍ତମାନଙ୍କୁ ଆମେ ଅପ୍ରସାଙ୍ଗିକ ବୋଲି କହି ମୋଟେ କାଟି ଦେବାନାହିଁ, ପୃଥିବୀରେ ସକଳ କ୍ଷେତ୍ରରେ ଅନୁମିତ ଏକତାଟି ସତ୍ତ୍ୱେ ଯେପରି ଭିନ୍ନତା ରହିଥାଏ, ସେହିପରି ବହୁ ଭିନ୍ନତା ସତ୍ତ୍ୱେ ଏକତାଟିଏ ମଧ୍ୟ ଅବଶ୍ୟ ଥାଏ ।

 

ସଂପୂର୍ଣ୍ଣ ଭାବରେ ଅନ୍ୟନିର୍ଭରଶୀଳ ଓ ନିତାନ୍ତ ଅଳ୍ପସମର୍ଥ ସେହି ମାତ୍ର କେତେ ବର୍ଷ ଅଥବା ମାସର ଆମର ପିଲାଟି,- ପାଖରେ ଥିବା ଅନ୍ୟ କେତୋଟି ମନୁଷ୍ୟଙ୍କ ଉପରେ ବିଶ୍ୱାସ ରଖି ହିଁ ତାକୁ ନିଜର ଜୀବନ ନାମକ ଅସ୍ତିତ୍ୱଟିକୁ ରକ୍ଷା କରିବାକୁ ପଡ଼ୁ ନଥିବ ! ଶ୍ରୀ ଏରିକ୍‌ସନ୍ ତାହାକୁ ଏକ Basic Trustପର୍ଯ୍ୟାୟ ବୋଲି କହିଛନ୍ତି । ଯାଉଥିବା ଓ ଆସୁଥିବା ମଣିଷମାନେ ତାକୁ ନେଇ କେତେପ୍ରକାରେ ଆପଣାର ତା’ ପ୍ରତି ଅନୁରାଗ ଇତ୍ୟାଦି ବ୍ୟକ୍ତ କରିବାରେ ଲାଗି ଥାଆନ୍ତି । ଭଗବାନ କେତେ ନା କେତେ କୃପା କରି ମାଆଟିର କୋଳକୁ ସନ୍ତାନଟିଏ ଆଣି ଦେଇଛନ୍ତି ! ସତେଅବା ବହୁ ଅପେକ୍ଷା ଏବଂ ଆଶାର ଏହି ଅତିମୂଲ୍ୟବାନ୍ ପଣ୍ୟଟିଏ । ତାକୁ ମାଆ ପାଖରୁ ନେଇ କାଖେଇ ପକାନ୍ତି, କେତେ ଗେଲମାନ କରନ୍ତି, ପ୍ରାୟ ଏକ ବାଚାଳତା ସହିତ ତାକୁ କେତେ କ’ଣ କଥା କହି ଖୁବ୍ ଉପଭୋଗ କରନ୍ତି ଏବଂ ଆନନ୍ଦ ଲାଭ କରନ୍ତି । ବିଚରା ପଣ୍ୟଟି ସେହି ସବୁକିଛିର ମୋଟେ କିଛି ବୁଝି ପାରେନାହିଁ । ସିଏ ତ ତା’ର ସମସ୍ତ ସଜ୍ଞାନଶକ୍ତି ଦେଇ ବିଶ୍ୱାସଟିଏ ରଖିଥାଏ ଯେ ତାକୁ ଭୋକ କଲା ମାତ୍ରକେ ସ୍ତନଟିଏ ଆସି ତା’ ପାଟିରେ ଲାଗିଯିବ, ତା’ ନିଦ ଭାଙ୍ଗିବା ମାତ୍ରକେ ସିଏ କାହା ହାତର ପରଶ ପାଇବ ଏବଂ ସେହିପରି ଏକ ପ୍ରକ୍ରିୟାରେ ତାକୁ ଆଉ ବିଛଣାରେ ପଡ଼ି ରହିବାକୁ ପଡ଼ିବନାହିଁ । ମଳମୂତ୍ର ତ୍ୟାଗ ପରେ ତାକୁ ଯେତେବେଳେ ଭାରି ଅଡ଼ୁଆ ଅଡ଼ୁଆ ଲାଗୁଥିବ, ସଙ୍ଗେ ସଙ୍ଗେ ତାକୁ ଶୁଶ୍ରୂଷାଟିଏ ମଧ୍ୟ ମିଳିଯିବ ଓ ପୁଣି ଆରାମ ମନେ ହେବ । ସେହି ମୂଳ ବିଶ୍ୱାସଟି ଯଦି କୌଣସି କାରଣରୁ ଚହଲି ଯିବ, ତେବେ ତା’ ଫଳରେ ସେହି ସେହି ମିନିଜୀବନଟିର ସେତଅବା ଜୀବନର ସାବଲୀଳ ଛନ୍ଦଟି ମଧ୍ୟ ଭାଙ୍ଗିଯିବ ଏବଂ ତାହା ତା’ର ଅଭିବୃଦ୍ଧିରେ ବହୁତ ବାଧା ମଧ୍ୟ ସୃଷ୍ଟି କରିବ ।

 

ସେହି ପ୍ରତିକୂଳ ସ୍ଥିତିଟିକୁ ଏରିକ୍‌ସନ୍ ସେଥିପାଇଁ Basic Mistrust ବୋଲି ଆଖ୍ୟାୟିତ କରିଛନ୍ତି । ତେଣେ ତା’ର ମୁଖନାମକ ଅଞ୍ଚଳଟି ସେହିପରି ଅତିସଂବେଦନ ଏବଂ ଉତ୍ତେଜନାପ୍ରବଣ ହୋଇ ରହିଥାଏ ଏବଂ ଏକ ସମ୍ଭାବିତ ତୃପ୍ତିର ଲାଳସାରେ ସେ ଅନ୍ୟାନ୍ୟ ପ୍ରଶମନମାର୍ଗର ମଧ୍ୟ ଠାବ କରିନେବାକୁ ଆରମ୍ଭ କରେ । ଡାହାଣ ହାତର ବୁଢ଼ା ଆଙ୍ଗୁଠିକୁ ପାଟି ଭିତରକୁ ନେଇ ଚୁଚୁମେ,- ଶୋଇଲାବେଳେ ହାତର ଆଙ୍ଗୁଠିଗୁଡ଼ିକୁ ପାଟି ଭିତରେ ନପୂରାଇଲେ ତାକୁ ସତେଅବା ନିଦ ବି ମାଡ଼େନାହିଁ । ବୟସ୍କମାନେ ପିଲାଟିର ସେହି ଅଭ୍ୟାସଟାକୁ ପ୍ରାୟ ସଚରାଚର ମୋଟେ ସହ୍ୟ କରି ପାରନ୍ତିନାହିଁ । ପିଲାର ଆଙ୍ଗୁଠିକୁ ବାରମ୍ବାର ପ୍ରାୟ ଏକ ଉଦ୍ଦଣ୍ଡତା ସହ ତା’ର ପାଟି ଭିତରୁ ବାହାର କରି ଆଣିବାରେ ଲାଗିଥାନ୍ତି । ଆମେ ବୟସ୍କମାନେ ମଧ୍ୟ ସେହିପରି ସାନଟିଏ ହୋଇଥିବା ସମୟରେ ହୁଏତ ଏହି କୁକାର୍ଯ୍ୟଟିକୁ କରୁଥିଲୁ ଓ ସେଥିପାଇଁ ବୟସ୍କମାନଙ୍କଠାରୁ ଗଞ୍ଜଣା ପାଉଥିଲୁ ବୋଲି ସତେଅବା ନିଜ ଭିତରୁ ଏକ ମନ୍ଦୋତ୍ସାହ ପାଇ ସେହିପରି କରିବାଲାଗି ଆଗଭର ହୋଇ ବାହାରିପଡ଼ୁ କି ? ଏବଂ, ଏରିକ୍‌ସନ୍ ଏପରି ମତଟିଏ ମଧ୍ୟ ବ୍ୟକ୍ତ କରିଛନ୍ତି ଯେ, ପିଲାଟି ଆଙ୍ଗୁଠିଟିକୁ ପାଟିକୁ ନେଲେ ଯଦି ଆମେ ପ୍ରତିରୋଧ ନକରନ୍ତେ ଓ ଏପରିକି ଦେଖି ମଧ୍ୟ ନଦେଖିଲା ପରି ହୁଅନ୍ତେ, ତେବେ ପିଲାଟିର ଆଙ୍ଗୁଠି ପୂରାଇବାଟି ମଧ୍ୟ କ୍ରମେ ବଦଳି ଯାଆନ୍ତା ଓ ତା’ର ସେପରି ଏକ ଅଭ୍ୟାସ ମଧ୍ୟ ସ୍ୱାଭାବିକ ଭାବରେ ଛାଡ଼ି ହୋଇ ଯାଆନ୍ତା । କିନ୍ତୁ ଅଧିକାଂଶ ସ୍ଥଳରେ ତାହା ହୋଇ ପାରେନାହିଁ ।

 

ଅର୍ଥାତ୍ ଲାଗି ହିଁ ରହିଥାଏ । ଏପରିକି ପିଲାଟି ପୂରା ଜଣେ ବୟସ୍କରେ ପରିଣତ ହୋଇସାରିବା ପର୍ଯ୍ୟନ୍ତ । ବଡ଼ ହୋଇ ମଣିଷଟି ପେନ୍‌ସିଲ୍ କାମୁଡ଼େ, ପିନ୍ଧିଥିବା ଲୁଗାଟିକୁ ମୁହଁ ଭିତରେ ପୂରାଇ ଦାନ୍ତରେ ରଗଡ଼ିବାରେ ଲାଗିଥାଏ । ସେଥିରୁ ସିଏ ବେଶ୍ ରସ ପାଏ । ବୟସ ଗଡ଼ିଯିବାର ବହୁବର୍ଷ ପରେ ମଧ୍ୟ କେତେ ମାଟି ଖୋଜି ବୁଲନ୍ତି ଏବଂ, ନଖ ଖାଇବାର ସେହି ଖାସ୍ ଅଭ୍ୟାସଟି ମଧ୍ୟ ବହୁତ ସମୟରେ ଥାନ ଅଥାନ ମାନିବାପାଇଁ ମଧ୍ୟ ରାଜି ହୋଇ ପାରେନାହିଁ । ବହୁତ ଉଚ୍ଚପଦସ୍ଥ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଭାଷଣ ଦେଇ ସାରିବାପରେ ଆସନ ଉପରକୁ ଫେରିଆସି ଆନନ୍ଦମନରେ ଶ୍ରୋତାମାନଙ୍କ ଆଡ଼କୁ ଜଳ ଜଳ ଅନାଇ ନଖ ଚାପିବାରେ ଲାଗି ଯାଇଥାଆନ୍ତି । ଆପେ ବଢ଼ିଆ ଭାଷଣଟିଏ ଦେଲେ ବୋଲି ସତେ ଯେପରି ଆପଣାକୁ ପ୍ରଶଂସା କରୁଛନ୍ତି ବୋଲି ପ୍ରଦର୍ଶିତ କରାଉ ଥାଆନ୍ତି । ଏହିପରି ବଡ଼ ମଣିଷମାନେ ସିଗାରେଟ୍ ଓ ବିଡ଼ି ଆଦି ପିଇବାରେ ଅଧିକ ଆକର୍ଷଣ ଅନୁଭବ କରନ୍ତି ବୋଲି ମଧ୍ୟ ଅନେକେ ଅନୁମାନମାନ କରିଛନ୍ତି । ଏହିସବୁ ବସ୍ତୁର ସାହାଯ୍ୟରେ ଧୂମପାନ କରାଯାଇ ପାରିବ ବୋଲି ଯେତେ ନୁହେଁ, ନିଜର ଦୁଇଓଠ ମାଧ୍ୟମରେ ପାଟି ଭିତରେ କିଛି ପ୍ରବେଶ କରାଇବାରୁ ସେମାନେ ଖୁବ୍ ତୃପ୍ତି ପାଇବେ ବୋଲି । ଆମର ଏହି ଚିହ୍ନା ଜଗତଟିରେ ବହୁତ ବ୍ୟକ୍ତି ଅଛନ୍ତି, ଯେଉଁମାନେ କଳ ଭିତରେ ଖିଲେ ଦରଚୋବା ପାନ ଜାକି କରି ନଶୋଇଲେ ସେମାନଙ୍କୁ ନିଦ ହିଁ ହୁଏନାହିଁ । ପାନ ତ ଦିନମାନ ଖାଆନ୍ତି, କିନ୍ତୁ ସବାଶେଷରେ କଳଜକା ଏହି ଦରଚୋବା ଖିଲଖଣ୍ଡଟି ପାଟିରେ ନଥିଲେ ସେମାନଙ୍କୁ ନିଦ ହୁଏନାହିଁ । ଅର୍ଥାତ୍, ନିଦ ଆସିବାରେ ସେହି ଅଭ୍ୟାସଟି ଏକ ଉତ୍‌ପ୍ରେରକ ସଦୃଶ କାମ ଦେଇଥାଏ-

 

ଆୟୁଟା ଅତିକ୍ରାନ୍ତ ହୋଇଯିବ, ଅଥଚ ନାନା ପ୍ରକାରର ଦାବଣ ଓ ଆକଟପଣ ହେତୁ ସେହି ଆୟୁର ପ୍ରକ୍ରିୟାଟି ତଥାପି ତୃପ୍ତ ଅନୁଭବ କରିନଥିବ ଓ ନାନାବିଧ ଅନ୍ୟ ବିକଳ୍ପଦ୍ୱାରା ଯେକୌଣସି ପ୍ରକାରେ ଗୋଟିଏ ପରିତୃପ୍ତି ଲୋଡ଼ୁଥିବ ଏବଂ ସେହି ଉପଦ୍ରବଟି ହୁଏତ ଜୀବନଯାକ ମଧ୍ୟ କତି ଛାଡ଼ିବନାହିଁ । ଅଧ୍ୟାପକ ଏରିକ୍‌ସନ୍ ସେହି ଖାସ୍ ଦଶାଟିକୁ ନିଜର ପରିଭାଷାରେ Fixation ବୋଲି ନାମିତ କରିଛନ୍ତି । ଆମେ ଅଟକି ରହିଯାଉ ଏବଂ ଯେଉଁଟି ସ୍ୱାଭାବିକ ଭାବରେ ଛାଡ଼ି ଚାଲି ଯାଇଥାନ୍ତୁ, ସେହିପରି ଏକ ଧନ୍ଦାକୁ ନେଇ ଅଟକି ରହୁ । ଶୈଶବ ଅତିକ୍ରାନ୍ତ ହୋଇଯାଏ ଏବଂ ଆମେ ପିଲାଟିଏ ହୋଇ ରହିଥାଉ । ଆପେ ଅସ୍ତବ୍ୟସ୍ତ ହେଉ ଏବଂ ଆମ ପୃଥିବୀଟିକୁ ମଧ୍ୟ ଭାରି ଅସ୍ତବ୍ୟସ୍ତ କରି ରଖିବାରେ ନିମିତ୍ତ ବନି କାର୍ଯ୍ୟ କରୁ । ହୁଏତ ସେହିପରି ଏକ ଅକାରଣ କାରଣରୁ ଆମ ପୃଥିବୀଟା ମଧ୍ୟ ନାନାଭାବେ ଉପଦ୍ରୂତ ହୋଇ ରହିନାହିଁ ତ ! କେତେ କେତେ ଉଚ୍ଚରୁ ଆହୁରି ଉଚ୍ଚ ପଦ ଏବଂ ପଦବୀମାନ, ସ୍ଥାନଗୁଡ଼ିକୁ ଖୁବ୍ ଦାୟିତ୍ୱପୂର୍ଣ୍ଣ,- ଏଣେ ପାଠମାନ ଯାହାକୁ ଯେତେ ଏବଂ ପ୍ରଦର୍ଶନଗୁଡ଼ାକ ମଧ୍ୟ ଯାହାକୁ ଯେତେ,- କିନ୍ତୁ ସତେଅବା ସେହି ପିଲାମାନଙ୍କର ଉପଦ୍ରବମାନ ଲାଗି ରହିଛି । ଆମ ନେତାମାନେ ବେତା ବେତା କ୍ଷମତାର ମାରଫତରେ ଅଧିଷ୍ଠିତ ହୋଇ ରହିଥିଲେ ମଧ୍ୟ ତଥାପି ପିଲାଙ୍କ ପରି ଆଚରଣ କରନ୍ତି । ଆମ ହାକିମମାନେ ପିଲା ହୋଇ ରହିଥାଆନ୍ତି ଏବଂ ଦାୟିତ୍ୱଗୁଡ଼ିକୁ ଟାଳି ଦେଉଥାଆନ୍ତି,- ଆମ ମହିମାମୟ କ୍ଷେତ୍ରପାଳ ଏବଂ ଭାଗ୍ୟପାଳବୃନ୍ଦ ସଭାମାନଙ୍କରେ ଅତିଥି ହେବାର ଉଚ୍ଚ ଆସନମାନଙ୍କରୁ ସତେଅବା ପୂରା ଇସ୍କୁଲପିଲାଙ୍କ ପରି ଏଣୁତେଣୁ କଥାମାନ କହି ଭାଷଣ ମାରନ୍ତି ଓ ଭାଷଣ ଅନ୍ତେ ଆସନମାନଙ୍କୁ ଫେରିଯାଇ ଚମତ୍କାର ବକ୍ତୃତାଟିଏ ଦେଇପାରିଲି ବୋଲି ପରିପୂର୍ଣ୍ଣ ପ୍ରତ୍ୟୟରେ ନଖ ଖାଇବାରେ ଲାଗି ଯାଆନ୍ତି । ବୟସ୍କ ହୋଇ ପାରନ୍ତିାନାହିଁ । ସକଳ ସମସ୍ୟାକୁ ସତେଅବା ଏକ ମନମୋଟା ପିଲାପଣ ଦ୍ୱାରା ଆଡ଼େଇ ଦେଉଥାନ୍ତି । ଏପରିକି ଆନ୍ତର୍ଜାତିକ ସ୍ତରରେ ଯେଉଁମାନେ ନିଜ ଘରେ ଶକ୍ତିଶାଳୀ ବୋମା ଇତ୍ୟାଦିକୁ ସଞ୍ଚିତ କରି ରଖି ତଥାପି ବିଶ୍ୱଶାନ୍ତିର ଘୋର ଆଲୋଚନାମାନ କରନ୍ତି, ସେମାନେ କ’ଣ ସତକୁ ସତ ଭିତର ଅଳିନ୍ଦଟା ଭିତରେ ସେହିପରି ପିଲା ହୋଇ ରହିଥାଆନ୍ତି କି ?

 

ଆମର ଏହି ଦେଶ ସମେତ ସମଗ୍ର ପୃଥିବୀରେ ଏତେଏତେ ବିତ୍ତ ଏବଂ ପ୍ରାକୃତିକ ସମ୍ପଦ, ଏତେ ପ୍ରକାରର ଜ୍ଞାନ ଓ ବିଜ୍ଞାନମାନ, ଅଭୂତପୂର୍ବ ବିଦ୍ୟା ଇତ୍ୟାଦିର ଆଡ଼ମ୍ବର ଯାହାକୁ ଯେତେ, ତଥାପି ଏଠାରେ କୋଟି କୋଟି ମଣିଷ କ’ଣ ପାଇଁ ଅନାହାର ଓ ଅର୍ଦ୍ଧାହାର ମଧ୍ୟରେ ରହିଛନ୍ତି, କେଉଁସବୁ ଅବିବେକ ହେତୁ ସେମାନଙ୍କ ପାଖରେ କାମଧନ୍ଦା ନାହିଁ,- ମସ୍ତ ମସ୍ତ ଯୋଜନା, ହିସାବ ଓ ପରିସଂଖ୍ୟାନ ଇତ୍ୟାଦି ଘରଭର୍ତ୍ତି,- ହେଇ ଏତୋଟି ବର୍ଷରେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଉଚ୍ଚ କୁହାଟ ଗୁଡ଼ାଏ,- ତଥାପି ପୃଥିବୀର ଅଧେ ମଣିଷ ପ୍ରତାରିତ ପ୍ରାୟ ପଡ଼ି ରହିଛନ୍ତି: ଅର୍ଥାତ୍ ଯେଉଁ ବିଶାରଦମାନେ ଏବଂ ସବୁଯାକର ମୀମାଂସା କରୁଥିବା ଶାସନସତ୍ତାର ପ୍ରବୀଣ ସିଂହମାନେ ଆମ ରାଷ୍ଟ୍ରମାନଙ୍କର ରଜ୍ଜୁଗୁଡ଼ିକୁ ହାତରେ ରଖିଛନ୍ତି ଓ ନାନା ସ୍ଥୂଳ ତଥା ସୂକ୍ଷ୍ମ ନ୍ୟସ୍ତସ୍ୱାର୍ଥକୁ ଯାବୁଡ଼ି ଧରିଛନ୍ତି, ସେମାନେ ତଥାପି ପିଲାଟି ସ୍ତରରେ ଅଟକି ରହି ଯାଇଛନ୍ତି କି ? ଆଇନ୍‌ମାନ ପାସ୍ ହେଉଛି, ତଥାପି ସେଗୁଡ଼ିକୁ ସେହି ଉତ୍ତମମାନଙ୍କର ସ୍ତରରେ ହିଁ ନାନା ଭୁରୁଡ଼ ଭିତରେ ବାଉଳା କରି ରଖି ଦିଆଯାଉଛି, ଏହି ସବୁକିଛି ସେହି ଲକ୍ଷ୍ମୀଛଡ଼ା ତଥାପି ପିଲାମାନଙ୍କର ଦୌରାତ୍ମ୍ୟ ଯୋଗୁଁ ଘଟିବାରେ ଲାଗିଛି କି ?

 

ଆମେ ଆଉଟିକିଏ ଅଧିକ ପ୍ରସାରି ହୋଇ ମଧ୍ୟ ତାହାର ବିଚାର କରିପାରିବା । ଏହି ପୃଥିବୀର ଏତେଏତେ ଧର୍ମ ଏବଂ ଏତେଏତେ ମହାନ୍ ମହାନ୍ ବାଣୀ । ବହୁ ବହୁ ସଂଖ୍ୟାର ଗୁରୁ ଓ ଧର୍ମାତ୍ମାମାନେ । ସମସ୍ତଙ୍କର ଶାସ୍ତ୍ରଗୁଡ଼ିକ ଅନୁଗାମୀମାନଙ୍କୁ ଗୋଟିଏ ଗୋଟିଏ ମାର୍ଗର ପ୍ରେରଣାମାନ ଦେଇଛି, ବାଟଟିକୁ ଚାଲ, ଏବଂ ଆପଣାର ଏହି ଦୈନନ୍ଦିନତାର ଜୀବନକୁ ଧନ୍ୟ କର: ଉତ୍ତୋଳିତ ହୁଅ, ପୃଥିବୀର ସବୁ ମନୁଷ୍ୟଙ୍କୁ ସହଯାତ୍ରୀ ବୋଲି ମାନ ଏବଂ ଏହି ପୃଥିବୀରେ ଗୋଟିଏ ସ୍ୱର୍ଗରାଜ୍ୟର ଅବତରଣ ଘଟାଅ । ତଥାପି କାହିଁକି ଧର୍ମ ନାମରେ ଦୂରତାମାନେ ଏବଂ ଘୃଣାମାନେ ବୃଦ୍ଧି ପାଉଛନ୍ତି ଏବଂ ତଥାକଥିତ ଧାର୍ମିକ ବିଶେଷମାନଙ୍କର ପ୍ରରୋଚନାରେ ପଡ଼ି ନିତାନ୍ତ ସାଦା ମଣିଷମାନେ ପରସ୍ପରକୁ ହତ୍ୟା କରି ବାହାରିଛନ୍ତି,- ସତେଅବା କେବଳ ସେହିମାନେ ହିଁ ଏହି ପୃଥିବୀରେ ରହିଲେ ଯାଇ ଶାନ୍ତି ପ୍ରତିଷ୍ଠିତ ହେବ ବୋଲି ନାନା ଅପବିଶ୍ୱାସର ଅଫିମଗୁଡ଼ାଏ ଗିଳିଛନ୍ତି । ଦେଉଳଗୁଡ଼ାକ ନାନା ରାଜକୀୟତାରେ ଶୋଭା ପାଇ ଏବଂ ନାନା ବାହ୍ୟ ଅତିରିକ୍ତତା ଅର୍ଥାତ୍ ମିଥ୍ୟା ଭିତରେ ମଜ୍ଜି ରହିଛନ୍ତି ? ଧର୍ମ କହିଲେ, ଅଧ୍ୟାତ୍ମ କହିଲେ ସବୁମନ୍ତେ ଓ ସର୍ବପ୍ରଥମେ ଏକ ଅନୁରୂପ ଜୀବନକୁ ଯେ ବୁଝାଏ ଓ ଏକ ଶ୍ରଦ୍ଧାପ୍ରେରିତ ପାରସ୍ପରିକତା ଅର୍ଥାତ୍ ସହଜୀବନକୁ ବୁଝାଏ, ସେହି ଅସଲ ସତ୍ୟକୁ ଉଢ଼ୁଆଳ କରି ରଖିଛନ୍ତି ।

 

ଆମ ଗୁରୁଗଣ ବି ସେମାନଙ୍କର କେଉଁ ଅଭାଗ୍ୟ ଅଥବା ସୌଭାଗ୍ୟ ହେତୁ ସେହି ପ୍ରକ୍ରିୟାରେ ନେତୃତ୍ୱ ଦେଉଛନ୍ତି । ଉପରକୁ କେଡ଼େ ପୋଖତ ଦେଖା ଯାଉଥିଲେ ମଧ୍ୟ ନିଜ ମୂଳକାମନା ଗୁଡ଼ିକର ନାଡ଼ି ଭିତରେ ପୂରା ପିଲା ହୋଇ ରହିଛନ୍ତି । ସରଳବିଶ୍ୱାସୀ ତୁମ ଆମକୁ ମଧ୍ୟ ଅଶେଷ ଅବାଗରେ ଗୁଡ଼ିଏ ପିଲା ହୋଇ ରହିବା ନିମନ୍ତେ ମନ୍ଦପ୍ରେରଣାମାନ ଦେବାରେ ହିଁ ଅଧିକତର ଉତ୍ସାହ ପ୍ରଦାନ କରୁଛନ୍ତି । ଶ୍ରୀଯୁକ୍ତ ଏରିକ୍‌ସନ୍‌ଙ୍କର ସିଦ୍ଧାନ୍ତଟି ଅନୁସାରେ ସେମାନେ ଯେ ସେହି ଅଢ଼େଇ ତିନିବର୍ଷର ସେହି ଗୋଟିଏ କାରଣରୁ ଏହିପରି ଦୁର୍ଦ୍ଦମନୀୟ ଭାବରେ ସେହି Oral ସ୍ତରରେ ଲାଖି ରହି ଯାଇଛନ୍ତି, ଆମେ ଆଦୌ ସେପରି କୌଣସି କଳ୍ପନା କରିବାନାହିଁ । ତଥାପି ଏକଥାଟି ମଧ୍ୟ ଅବଶ୍ୟ ଅତ୍ୟନ୍ତ ସତ୍ୟ ଯେ, ସେମାନଙ୍କର ସେହି ପ୍ରଥମ କୌଣସି ଜୀବଦ୍ଦଶାରେ କୌଣସି ନା କୌଣସି ଅବଦମନ ହେତୁ ଅର୍ଥାତ୍ ସେମାନଙ୍କ ସମୟର ବୟସ୍କମାନଙ୍କର ଅଶ୍ରଦ୍ଧା ହେତୁ ସଙ୍କୁଚିତ ହୋଇ ରହି ଯାଇଛନ୍ତି ଏବଂ ଉପଯୁକ୍ତ ଅନ୍ୟ ପ୍ରୋତ୍ସାହନର ଅଭାବରୁ ସେହି ବାଧାଟିକୁ ଲଂଘନ କରି ପାରିନାହାନ୍ତି । ଉପରକୁ ଜଣେ ଜଣେ ବୟସ୍କ ହିସାବରେ ଏକାଧିକ ସ୍ୱୀକୃତ ମାର୍ଗରେ ନିଜର ଖୁବ୍ ପରିଚୟ ନିଶ୍ଚୟ ଦେଇଛନ୍ତି, କିନ୍ତୁ ଭିତରେ ଅଟକି ରହି ଯାଇଛନ୍ତି । ଏହି ତେଲୁଣୀପୋକମାନଙ୍କ ପରି କୌଣସି କାରଣରୁ ନିଜ ଭିତରେ ଗୁରାଇ ହୋଇ ଯାଇଛନ୍ତି ଏବଂ ଆଉ ଫିଟି ପାରିନାହାନ୍ତି । ନିଜ ଭିତରେ ଏବଂ ବାହାରେ ସେପରି କୌଣସି ଉନ୍ମୋଚନକାରୀ ଉପାଦାନ ପାଇ ପାରିନାହାନ୍ତି, ଯାହାକି ସେମାନଙ୍କୁ ଏକ ଯଥୋଚିତ ଉତ୍ତୋଳନ ନିମନ୍ତେ ସାହାଯ୍ୟ କରି ପାରିଥାନ୍ତା ।

 

ପୁନର୍ବାର ସେହି Basic Trust ବିଷୟରେ ଆଉକିଛି ଅଧିକ ଆଲୋଚନା: କଥାଟିକୁ ଅନେକେ ଆମ ଜୀବନର ପ୍ରାୟ ସକଳ କ୍ଷେତ୍ରରେ ଆତ୍ମବିଶ୍ୱାସ ବୋଲି ବୁଝିଥାନ୍ତି ଓ ସେତିକିଦ୍ୱାରା ସବୁକିଛି କୁହା ହୋଇଗଲା ବୋଲି ଗ୍ରହଣ କରିନିଅନ୍ତି । ଆମ ଗୁରୁଜନସ୍ଥାନୀୟ ଶିକ୍ଷକମାନେ ସେମାନଙ୍କର ଛାତ୍ରମାନଙ୍କୁ ସେହି ଆତ୍ମବିଶ୍ୱାସର କର୍ଷଣ କରିବା ନିମନ୍ତେ ପରାମର୍ଶ ଦେଉଥାନ୍ତି । ଶବ୍ଦଟି ପଛରେ ଗୋଟାଏ ନୈତିକ ଆବେଦନ ସାଧାରଣତଃ ଅତ୍ୟନ୍ତ ପ୍ରବଳ ହୋଇ ରହିଥାଏ ଓ ପ୍ରାୟ ସକଳ ନୀତିବାକ୍ୟ ପରି ସେଇଟିକୁ ମଧ୍ୟ ବେଶ୍ ଗତାନୁଗତିକ ଏକ ହାଲୁକାପଣ ଦ୍ୱାରା କୁହାଯାଏ ଏବଂ ଶୁଣାଯାଏ । Basic Trust ହେଉଛି ସମଗ୍ରତଃ ଜୀବନ ଉପରେ ହିଁ ବିଶ୍ୱାସ,- ଅବଶ୍ୟ ଏକ ଆତ୍ମବିଶ୍ୱାସ; ମାତ୍ର ତାହାରିଦ୍ୱାରା ପ୍ରେରିତ ହୋଇ ଏହି ସଂସାରର ନିୟତିଟି ଉପରେ ବିଶ୍ୱାସ । ମୋ’ ନିଜସମେତ ସବୁ ମନୁଷ୍ୟଙ୍କ ଉପରେ ବିଶ୍ୱାସ । ପ୍ରାୟ ପାରି ହେଉନଥିବା ଏଠାରେ ରହିଥିବା ଯାବତୀୟ ଅନ୍ଧାର ସତ୍ତ୍ୱେ ଆଲୋକ ଉପରେ ବିଶ୍ୱାସ । ନାନାବିଧ ଅକାରଣ ଅଥବା ଅକାରଣରୁ ଅସତ୍ୟ ଅର୍ଥାତ୍ ଅଳପଗୁଡ଼ାଏ ଏଠି ଆମ ଅନ୍ଦାଜମାନଙ୍କୁ ଆଚ୍ଛନ୍ନ କରି ରଖିଥିଲେ ମଧ୍ୟ ପ୍ରାୟ ଆମ ଜୀବନର ଅସଲ ଧର୍ମଟି ଦ୍ୱାରା ଭିତରୁ ଏବଂ ବାହାରୁ ବଳ ଲାଭ କରି ସତ୍ୟ ଅର୍ଥାତ୍ ଅଧିକମାନଙ୍କ ଉପରେ ଏକ ମୂଳଭୂତ ବିଶ୍ୱାସ । ପାଦତଳର ମାଟି ଏବଂ ମଥା ଉପରର ଆକାଶ ଉପରେ ବିଶ୍ୱାସ । ବେଦର ଗୋଟିଏ ବାକ୍ୟରେ କ’ଣ ସେହି କାରଣରୁ ଆକାଶକୁ ଆମର ପିତା ଓ ପୃଥିବୀକୁ ମାତା ବୋଲି ବର୍ଣ୍ଣନା କରା ଯାଇଛି କି ?

 

ଏହି ସାଂପ୍ରତିକ କାଳରେ ଅଭାବ ବୋଲି କିଛି ନାହିଁ: ତଥାପି ସେହି ପୂର୍ଣ୍ଣସମ୍ପନ୍ନତାର ସକଳ ବରଦାନ ସତ୍ତ୍ୱେ ମନୁଷ୍ୟମାନେ ତେବେ କେଉଁସବୁ କାରଣରୁ ଜୀବନ ବଞ୍ଚିବାର ସବାମୂଳ ରଜ୍ଜୁଗୁଡ଼ିକୁ ଯେ ହରାଇ ବସିଥିବାର ଆଭାସମାନେ ପରାକ୍ରମୀ ହୋଇ ଉଠୁଥିବା ପରି ବୋଧ ହେଉଛି, ତାହା କ’ଣ ସେହି Basic Trustଟିକୁ ହରାଇ ପକାଉଥିବାର କାରଣରୁ ହିଁ ହେଉଛି କି-? ଗୋଟାଏ ଅକାରଣ ଏବଂ ଅର୍ଥହୀନ ଦୂରତା ମନୁଷ୍ୟର ଜୀବନଚେତନାରେ ନାନାବିଧ ଅର୍ଗଳ ଛିଡ଼ା କରାଇ ରଖିଦେଇଛି । ମନୁଷ୍ୟମାନଙ୍କର ସତେଅବା ଆଉ ବଳ ବି ପାଉ ନାହିଁ, ନିଜ ଭିତରର ବିଶ୍ୱାସମାନଙ୍କ ଯାଏ ହାତ ମଧ୍ୟ ପାଉନାହିଁ । ଭିଡ଼ମାନେ ବଢ଼ୁଛନ୍ତି, କୁଢ଼ କୁଢ଼ ବସ୍ତୁର ବଜାରଗୁଡ଼ିକ ସତେଅବା ଆସି ଅଜାଡ଼ି ହୋଇ ପଡ଼ୁଛନ୍ତି, - ଏବଂ, ତେଣେ ଏକ ଅନ୍ତର୍ଗତ ଉଦାସୀନତା ବାଧକ ହେଉଛି । ଆଧୁନିକ ସାହିତ୍ୟ ମଧ୍ୟ କ’ଣ ସବୁ କାରଣରୁ ସତେଅବା ନିଃସଙ୍ଗତାକୁ ହିଁ ଆଧୁନିକତାର ଏକ ମୂଳ ଲକ୍ଷଣ ଭଳି ମାନିନେଉଛି ଏବଂ ସେହି ମୁତାବକ କୌଣସି ଖାସ୍ ଅନୁରାଗରେ ନିଜ ଶୈଳୀଗତ ଶବ୍ଦବସାଣ ମାନଙ୍କୁ ପୂରା କାଇଦାରେ ପ୍ରକଟ କରିବାରେ ଆଗ୍ରହୀ ହେଲାଣି । ପୃଥିବୀଯାକ ଏତେ ଏତେ ସଙ୍ଗର ପ୍ରତିଶ୍ରୁତିମାନ ରହିଥିବା ସତ୍ତ୍ୱେ ସାହିତ୍ୟିକ ତଥାପି ଏଣେ ଯେ ମନ କରୁଛି, ନିଜ ଭିତରେ ଏବଂ ଏପରିକି ନିଜର ଜୀବନରେ ସେହି Basic Trustର ଅଭାବ ଥିବାରୁ ତାହା ହେଉଛି କି ? ପ୍ରକୃତ ସାହିତ୍ୟ ତ ‘ନାହିଁ’ ବୋଲି କହି ପାରନ୍ତା, ଉପସ୍ଥିତ ନକାରାତ୍ମକତା ମାନଙ୍କୁ ଆହ୍ୱାନ ଦେଇ ପାରନ୍ତା । ଜୀବନର ଶୁଭବାସନା ଗୁଡ଼ିକୁ ଉତ୍‌ପ୍ରେରିତ କରି ଆଣୁଥାଆନ୍ତା ।

ଅସଲ Basic Trust ତ ଏହି ପୃଥିବୀ ଯେ ବଦଳିବ, ତାହାରି ଉପରେ ଏକ ମୂଳଭୂତ ବିଶ୍ୱାସ । ପୃଥିବୀ ଚିରକାଳ ବଦଳିଛି ଏବଂ ଆହୁରି ଆଗକୁ ମଧ୍ୟ କେତେ ବଦଳିବ ଅର୍ଥାତ୍ କେତେ କେତେ ବିଗିଡ଼ି ଯିବାକୁ ସଜାଡ଼ି ନେଇ ପାରିବ ଏବଂ, ଆମେ ମନୁଷ୍ୟମାନେ ସେଥିରେ ନିମିତ୍ତ ହେବା ଏବଂ ସେହି ମନୁଷ୍ୟମାନଙ୍କ ଭିତରେ ମୁଁ ମଧ୍ୟ ସାମିଲ ହୋଇ ରହିଥିବି । ସେହି ବିଶ୍ୱାସଟି ଯେତେବେଳେ ମୋତେ ଛାଡ଼ି ଚାଲିଯାଉଛି ମୁଁ ସେତିକିବେଳେ ନିଃସଙ୍ଗ ଅନୁଭବ କରୁଛି କି ? ନିଜ ଉପରୁ ବିଶ୍ୱାସ ତୁଟି ଯାଉଛି ଏବଂ ଅନ୍ୟମାନଙ୍କ ବିଷୟରେ ମଧ୍ୟ ବିଶ୍ୱାସମାନେ ତୁଟି ଯାଉଛନ୍ତି । ମୋ’ ଭିତରର ‘ନାହିଁ ନାହିଁ’ ମାନେ ପ୍ରବଳ ହୋଇ ଉଠୁଛନ୍ତି ଏବଂ ସେଥିଲାଗି ‘ହଁ ହଁ’ ମାନେ ଦବି ରହି ଯାଉଛନ୍ତି । ଅଶୁଭ ବାସନା ଉପରେ ଶୁଭ ବାସନାର ବଳ ପାଉନାହିଁ । ଅର୍ଥାତ୍, ଜୀବନର ସକଳ ଅବସରରେ ଏହି ‘ହଁ ହଁ’ଟି ଉପରେ ଯେଉଁ ଅବିଚଳ ବିଶ୍ୱାସ, ଆମେ ନ୍ୟାୟତଃ ସେଇଟିକୁ ସେହି Basic Trsut ବୋଲି କହିବା । ତାହାହିଁ ଆମର ଏହି ପୃଥିବୀରେ ଅସତ୍ୟମାନଙ୍କୁ ଟାଳି ଦେଇ ପାରିବ । ଆହୁରି ଆଗକୁ ଦେଖିପାରିବ ଏବଂ ଆହୁରି ଭିତରକୁ ଦେଖି ପାରିବ । ଆପଣା ଭିତରର ସଙ୍ଗୀଟିକୁ ପାଇଲେ ଅନ୍ୟମାନଙ୍କ ଭିତରେ ରହିଥିବା ସଙ୍ଗୀମାନେ ହିଁ ଦୃଶ୍ୟ ହୋଇ ଆସିବେ ଓ ଆମର Mistrust ଗୁଡ଼ିକୁ ଦୂର କରିଦେବେ । ମନୁଷ୍ୟ ବ୍ୟକ୍ତିତ୍ୱର ଯେକୌଣସି ଯଥାର୍ଥ ଆଲୋଚନା ସେହି ଅସଲ କଥାଗୁଡ଼ିକୁ ଆଦୌ ଏଡ଼ି ଚାଲିଯାଇ ପାରିବନାହିଁ-

ତେଣୁ, କାର୍ଲ୍ ଗୁସ୍ତାଫ ୟୁଙ୍ଗ୍ ଯେ Personality is Tao ବୋଲି ଏତେ ବଡ଼ କଥାଟିଏ କହିଛନ୍ତ, ବ୍ୟକ୍ତି ଏବଂ ବ୍ୟକ୍ତିତ୍ୱର ଅଧ୍ୟୟନ କରୁଥିବା ମନୋବିଜ୍ଞାନୀମାନେ ତାହାକୁ ଏକ ଅତିରଞ୍ଜନ ବୋଲି କହି ମୋଟେ ଏଡ଼ାଇ ପଳାଇଯାଇ ପାରିବେନାହିଁ । ମନୁଷ୍ୟଜୀବନର ଅଧ୍ୟୟନ-ପରିସର ଗୁଡ଼ିକୁ ସର୍ବଦା ଅଧିକ ପ୍ରସାରିତ କରି ସେମାନେ ମନୋବିଜ୍ଞାନର ସଂପୃକ୍ତିଗୁଡ଼ିକୁ ମଧ୍ୟ ବୃଦ୍ଧି କରିବାରେ କୌଣସି କାର୍ପଣ୍ୟ କରିବେ-ନାହିଁ । ଆମ ଜୀବନଗୁଡ଼ିକ ଯେତିକି ବହୁପ୍ରସାରୀ ଓ ଅଧିକ ସମ୍ଭାବନାଯୁକ୍ତ, ମନୋବିଜ୍ଞାନ ମଧ୍ୟ ସେତିକି ବିଶ୍ୱାସର ସହିତ ଆପଣାକୁ ସେତିକି ସଂପୃକ୍ତ କରିନେବ । ସେହିପରି କୌଣସି ଅନ୍ତର୍ଦୃଷ୍ଟି ସହିତ ଭାରତବର୍ଷର ଶ୍ରୀଅରବିନ୍ଦ ତାଙ୍କର ଗୋଟିଏ ଗ୍ରନ୍ଥରେ What is Yoga but practical psychology ? ବୋଲି କହିଛନ୍ତି କି ?

ଶୈଶବର ପରବର୍ତ୍ତୀ ପର୍ବରେ ସଂବେଦନତାର କେନ୍ଦ୍ରଟି ମୁଖ୍ୟ-ଅଞ୍ଚଳରୁ anus ଅର୍ଥାତ୍ ମଳଦ୍ୱାରକୁ ସ୍ଥାନାନ୍ତରିତ ହୋଇ ଯାଇଥାଏ ବୋଲି ଏରିକ୍‌ସନ୍ ଅନୁମାନ କରିଛନ୍ତି । ବୟସ ସେତେବେଳେ ପାଞ୍ଚକି ଛଅ । ଶିଶୁ ପୂରା କଥା କହିଲାଣି । ତା’ର ହାତଗୋଡ଼ ଅଧିକ ସମର୍ଥ ହୋଇ ସାରିଲାଣି । ମାଆକ୍ଷୀର ତ କେତେ ଦିନୁଁ ଛାଡ଼ିଲାଣି । ଆପେ ଆପଣାର ବହୁତ କାର୍ଯ୍ୟ କରି ପାରୁଛି । ପୂର୍ବ ପର୍ଯ୍ୟାୟର ନିର୍ଭରଶୀଳତାଗୁଡ଼ିକ ସଂପୂର୍ଣ୍ଣ ଭାବରେ ଏକ ସ୍ୱାଭାବିକ ଭାବରେ ଦୂର ହୋଇଛି । ସିଏ ମନ କଲେ ବାହାରେ ବେଶ୍ କେତେ ଆଡ଼କୁ ଚାଲିଯାଇ ପାରୁଛି ଏବଂ ସେହି ପ୍ରକ୍ରିୟାରେ ଆପଣା ବୟସର ଆଉ କେତେଗୋଟି ସତ୍ତାକୁ ଆବିଷ୍କାର କରିଛି । ସତେଅବା ଏକ ଅଲଗା ସଂସାରର ଆସ୍ୱାଦନ ମଧ୍ୟ କରୁଛି । ପୁନଶ୍ଚ, ଏପରି ମଧ୍ୟ ହୋଇପାରେ ଯେ ତା’ପରେ ତା’ର ଆଉଗୋଟିଏ ଭଉଣୀ ବା ଭାଇ ଭୂମିଷ୍ଠ ହୋଇଛି ଏବଂ ମାଆଙ୍କୁ ସେହି ଅନ୍ୟଟି ପାଇଁ ବସ୍ତୁତଃ ଆଗ ସମୟ ଦେବାକୁ ପଡ଼ୁଛି । ଅର୍ଥାତ୍ ତା’ ପିଛା ଗୋଡ଼େ ଗୋଡ଼େ ସମୟ ଦେବାକୁ ଆଉ ବେଳ ନାହିଁ । ହଁ, ଆହୁରି ଅନ୍ୟ ମଣିଷମାନଙ୍କୁ ମଧ୍ୟ ସେ ଉତ୍ତମଭାବେ ଚିହ୍ନିଲାଣି ଏବଂ ତେଣୁ ନିର୍ଦ୍ଦିଷ୍ଟ ଭାବେ ତା’ର ମାଆ ବୋଲି ଚିହ୍ନି ସାରିଲାଣି । ଭିନ୍ନ ଭିନ୍ନ ମନୁଷ୍ୟଙ୍କୁ ସିଏ ଭିନ୍ନ ଭିନ୍ନ ନାମରେ ତଥା ପାରିବାରିକ ସମ୍ପର୍କରେ ଚିହ୍ନି ମଧ୍ୟ ପାରୁଛି । ଆହୁରି ମହତ୍ତ୍ୱପୂର୍ଣ୍ଣ ଘଟଣାଟି ହେଉଛି ଯେ, ତା’ ନିଜର ମଧ୍ୟ ଗୋଟିଏ ନାମ ରହିଛି ଓ ସେହି ନାମରେ ତାକୁ ଡାକିଲେ ସିଏ ଉଅ ବି କରୁଛି-। ମାଆଙ୍କ କ୍ଷୀର ଜାଗାରେ ଗୋରସ ପିଇଲାଣି ଏବଂ ବୟସ ମାନଙ୍କ ପରି ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଖାଉଛି ।

ତେବେ ସିଏ ଏବେ ଆଗପରି ଏତେଏତେ ନିର୍ଭରଶୀଳତା ମଧ୍ୟରେ ଆବଦ୍ଧ ହୋଇ ରହିବ ମଧ୍ୟ କାହିଁକି ? ଘରର ସଂପୃକ୍ତ ଅନ୍ୟମାନେ ମଧ୍ୟ ସିଏ ସେତେଗୁଡ଼ାଏ ଅନ୍ୟନିର୍ଭର ହୋଇ ରହିଥାଉ ବୋଲି ନ୍ୟାୟତଃ ଇଚ୍ଛା ମଧ୍ୟ କରୁନାହାନ୍ତି ଏବଂ ବରଂ ସେହିପରି ତଥାପି ଦେଖିଲେ ବେଶ୍ ବିରକ୍ତ ହେଉଛନ୍ତି । ତେଣୁ, ଏକ ସ୍ୱାଧୀନ ଜୀବନର ଆହ୍ୱାନ ଆସିଲାଣି ଏବଂ ସେହି କଥାଟିକୁ ପିଲାଟି ଆପେ ବି ହୃଦୟଙ୍ଗମ କରୁଛି । ଏରିକ୍‌ସନ୍‌ଙ୍କର ମତରେ ସେ ସେହି ପର୍ବଟି ପ୍ରକୃତରେ ଆସିଲାଣି କି ନାହିଁ, ତାହା ଆହୁରି ସଂଶୟହୀନ ପ୍ରକାରେ ବୁଝି ପାରିବାକୁ ଇଚ୍ଛା ମଧ୍ୟ କରିବ ଏବଂ, ନିଜର ମଳତ୍ୟାଗର ସମୟଟିରେ ସେ ସେକଥାଟି ଆପେ ପରଖି ନେଇ ଦେଖିବାରେ ଆଗ୍ରହୀ ହେବ ବୋଲି ଶ୍ରୀ ଏରିକ୍‌ସନ୍ ମନ୍ତବ୍ୟଟିଏ ଦେଇଛନ୍ତି । ନିଜ ମଳଦ୍ୱାରକୁ ସିଏ ଆପଣାର ପ୍ରୟୋଗଶାଳା ରୂପେ ବ୍ୟବହାର କରେ ବୋଲି ସେ କିଛି ଅନୁକୂଳ ପ୍ରମାଣ ଆଣି ଉପସ୍ଥାପିତ କରିଛନ୍ତି । ଆମ ନିଜର ସମାଜିକ ଦୈନନ୍ଦିନତାରେ ଯାହା ଅନେକ ସମୟରେ ଦେଖିବାକୁ ମିଳିଯାଏ, ଆମେ ସେହି ଘଟଣାଟିର ସାହାଯ୍ୟରେ ତାହାକୁ ସମ୍ଭବତଃ ଅଧିକ ସହଜରେ ବୁଝି ମଧ୍ୟ ପାରିବା ।

ପିଲାଟି ଏବେ ମାଆକ୍ଷୀର ଛାଡ଼ିଛି । ତେଣୁ ତାକୁ ଗାଈକ୍ଷୀର ପିଆଇବାକୁ ହେଉଛି । ଅଧିକ ସୁବିଧା ଦୃଷ୍ଟିରୁ ମାଆ ଗୋଡ଼ ଲମ୍ବାଇ ବସିଛନ୍ତି ଏବଂ ପିଲାଟିକୁ ଗୋଡ଼ ଉପରେ ଶୁଆଇ ଦିଆଯାଇଛି । ମାଆଙ୍କର ଗୋଟିଏ ପାଖରେ ରଖା ଯାଇଥିବା କ୍ଷୀରଗିନାଟିରେ କ୍ଷୀର ମହଜୁଦ ହୋଇ ଥୁଆ ହୋଇଛି, ଗିନାରେ ଗୋଟିଏ ଚାମଚ । ଆଗେ ତ ଏହି କ୍ଷେତ୍ରରେ ସାଧାରଣତଃ ସାମୁକାଟିଏ ହିଁ ବ୍ୟବହୃତ ହେଉଥିଲା । ସେତେବେଳେ ସନ୍ଧ୍ୟାବେଳ ହୋଇ ଆସୁଛି ଓ ମାଆଙ୍କର ତେଣେ ଦୁନିଆ କାମ ବାକି ରହିଛି ବୋଲି ମାଆ ତରତର ହେଉଛନ୍ତି । ତେଣୁ ଏକାବେଳେକେ ଦୁଇଟା କାମ ହୋଇଯାଉ ବୋଲି ମାଆ ଇଚ୍ଛା କରୁଛନ୍ତି । ସେଇଥି ସକାଶେ ତ ପିଲାଟିକୁ ଗୋଡ଼ ଉପରେ ଶୁଆଇ ଦିଆଯାଇଛି । ସିଏ ଏଣେ କ୍ଷୀର ପିଉଥିବ ଓ ତେଣେ ମଳତ୍ୟାଗ ମଧ୍ୟ କରିବ । ଚାମଚରେ ଗିନାର କ୍ଷୀର ଆଣି ପିଲାଟିର ମୁହଁ ପାଖରେ ପହଞ୍ଚାଇ ଦେବା ଅନୁସାରେ ସିଏ ସହଯୋଗ କରି ପାଟି ଆଁ କରି ଦେଉଥିବ ଓ ତେଣେ ମଳତ୍ୟାଗର କାର୍ଯ୍ୟଟି ମଧ୍ୟ ସଂପୂର୍ଣ୍ଣ ହୋଇଯିବ । ଯେଡ଼େ ସାନ ପିଲାଟିଏ ହୋଇଥିଲେ ମଧ୍ୟ କୋଉ ମନୁଷ୍ୟପ୍ରାଣୀଟିକୁ ତାହା କାହିଁକି ବା ଭଲ ଲାଗିବ ? ତେଣୁ ସିଏ ସତେ ଯେପରି ତାହାର ପ୍ରତିବାଦ କରେ ଏବଂ ତା’ ନିଜର ଇଚ୍ଛାଟିକୁ ଅନ୍ୟମାନେ କେତେଦୂର ପ୍ରକୃତରେ ବୁଝୁଛନ୍ତି, ତାହାର ପରୀକ୍ଷା ନିଏ । ପାଟିଭିତରର କ୍ଷୀରକୁ ପାଟି ଭିତରକୁ ନିଏନାହିଁ; ମାଆଙ୍କର ଧୈର୍ଯ୍ୟଚ୍ୟୁତି ଘଟାଏ; ମାଡ଼ ବି ଖାଏ, ଉଚ୍ଚ ଗଳାରେ ରାବ ଦିଏ । ସେହି ଇଚ୍ଛା ତଥା ପ୍ରତିଇଚ୍ଛାର କସରତଟା ଫଳରେ ବହୁତ କ୍ଷୀର ପିଲାର ପାଟି ଭିତରୁ ବାହାରି ବି ଯାଉଥାଏ ଏବଂ ସମସ୍ତ ଘଟଣାଟି ଉଭୟ ପକ୍ଷ ଲାଗି ଅନେକ ଉତ୍ତେଜନା ମଧ୍ୟ ସୃଷ୍ଟି କରେ ଏବଂ, ପିଲାଟି ନିଜ ମଳଦ୍ୱାର ନାମକ ସେହି ଅନ୍ୟ ପ୍ରଦେଶଟିରେ ମଧ୍ୟ ନିଜ ପ୍ରତିବାଦଟିର ପ୍ରମାଣ ଦିଏ । ମଳକୁ ଜାକି ରଖେ ଏବଂ ବାହାରକୁ ଆସିବାକୁ ଦିଏନାହିଁ । ବହୁ ଅପ୍ରୀତିକରତାର ସମ୍ମୁଖୀନ ହେବାକୁ ପଡ଼ୁ ପଛକେ, ମୁଁ ଏହିଭଳି ହିଁ କରିବି ଏବଂ ନିଜ ସ୍ୱାଧୀନତାର ପ୍ରମାଣ ପାଇପାରିବି । ସେତିକି ପାରିବା ମଧ୍ୟ ସେହି ନିତାନ୍ତ ଅଳପ ବୟସରେ ତା’ପାଇଁ ହୁଏତ ମୋଟେ ଏକ ମାମୁଲି କଥା ହୋଇ ରହେନାହିଁ ।

ଆମେ ବଡ଼ମାନେ ପ୍ରତ୍ୟେକେ ହିଁ ଏହିପରି ଆମ ପିଲା ସମୟରେ ବେଡ଼ିଗୁଡ଼ାକୁ ଛିଣ୍ଡାଇ ସ୍ୱାଧୀନ ହୋଇ ବାହାରି ଆସିବା ନିମନ୍ତେ ମନ କରିଥିବା । ମାଡ଼ ଖାଇଥିବା, - ଖୁବ୍ ମାଡ଼ ମୂଲେଇଥିବା, ଅସ୍ୱୀକୃତିଜନିତ ବହୁ ଅପମାନର ସମ୍ମୁଖୀନ ହୋଇଥିବା ଏବଂ ତାହାର ପରିଣାମମାନଙ୍କୁ ଭୋଗ ମଧ୍ୟ କରିଥିବା । ଯଦି ଉଭୟ ପକ୍ଷ ମଧ୍ୟରେ, ବିଶେଷ କରି ବୟସ୍କମାନଙ୍କ ପକ୍ଷରେ ଯଥେଷ୍ଟ ସହାନୁଭୂତିଶୀଳ ଭାବନାଟିଏ ପ୍ରକୃତରେ ସମ୍ଭବ ହୋଇଥିବ, ତେବେ କଷଣଭୋଗଟିର କ୍ଷେତ୍ରରେ ନିଶ୍ଚୟ ଅଳପ ଓ ବହୁତର କିଞ୍ଚିତ୍ ଫରକ ଘଟିଥିବ । ତଥାପି ଭୋଗିବାକୁ ହୋଇଥିବ,- ବିଶେଷ ଭାବରେ ଆମ ଭିତରର ସଂପୃକ୍ତ ସେହି ପିଲାଟିକୁ । ପିଲାଟି ତ ସର୍ବବିଧ ଆଗ୍ରହକୁ ଠୁଳ କରି ଆପଣାକୁ ପରଖି ଦେଖିବାଲାଗି ଇଚ୍ଛା କରୁଥିଲା,- ସିଏ ସତକୁ ସତ ନିଜର ସ୍ୱାଧୀନ ହୋଇ ଆସୁଥିବାର ପାରିବାପଣଟିର ପ୍ରମାଣ କିଛି ପାଇବ ବୋଲି । ତେଣୁ, ସେହି ପରଖଟିରେ ସମ୍ଭବତଃ କିଛି ଭୁଲ୍ ରହିଗଲା, ଯାହାଫଳରେ ଅନ୍ୟମାନେ ଅପ୍ରସନ୍ନ ହିଁ ହେଲେ । ମଳକୁ ମଳଦ୍ୱାର-ମୁହଁରେ ଜାକି ସିଏ କୌଣସି ଅକାର୍ଯ୍ୟ କରି ପକାଇଛି କି ? ଆଉ କାହାକୁ ଅପ୍ରସନ୍ନ କରି ପକାଇଲା ବୋଲି ସେ ଏକ ଲଜ୍ଜା ହିଁ ଅନୁଭବ କରେ ଏବଂ ସେହି ପ୍ରକ୍ରିୟାରେ ଆପଣାର କୃତ କାର୍ଯ୍ୟର ଔଚିତ୍ୟଟି ବିଷୟରେ ଖୁବ୍ ସନ୍ଦେହ ଜନ୍ମେ । ଅନ୍ୟ-ନିର୍ଭରଶୀଳତାରୁ ନିଜକୁ ମୁକ୍ତ କରି ଆଣିବାର ଅଭିଳାଷକୁ ଶ୍ରୀ ଏରିକ୍‌ସନ୍ Autonomy ବୋଲି କହିଛନ୍ତି ଓ ସେଥିରୁ ଆମ ପିଲାଟି ସମ୍ମୁଖୀନ ହେଉଥିବା ଅନୁଭବକୁ Shame and Doubt ବୋଲି କହିଛନ୍ତି । ସେହି ଅନୁଭବଟି ଯେ ସେହି ମଳତ୍ୟାଗ ସମୟର ମାତ୍ର କେତୋଟି କ୍ଷଣିକ ଭାବ ଏବଂ ଭାବନା ମଧ୍ୟରେ ସୀମିତ ହୋଇ ରହିଯାଏ, ସେକଥା ନୁହେଁ, ଅନେକ ସମୟରେ ଜୀବନଟିକୁ ବଞ୍ଚିବାର ସାଧାରଣ ଶୈଳୀରେ ମଧ୍ୟ ପରିଣତ ହୋଇଯାଏ ।

ଆମ ଶିକ୍ଷାଳୟ ମାନଙ୍କରେ ସେହି ଦୁଃଖଦ ଘଟଣାଟି ସମ୍ଭବତଃ ସବୁଠାରୁ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ । ବିଶେଷତଃ ଯେଉଁସବୁ ସମାଜର ଚଳଣିରେ ଜଣେ ଶିକ୍ଷକକୁ ବହୁ ସ୍ଥୂଳ ଅତିରଞ୍ଜନ ଦ୍ୱାରା ବିଷ୍ଣୁ, ମହେଶ୍ୱର ଆଦିଙ୍କ ସହିତ ତୁଳନା କରା କରାଯାଇଥାଏ, ଏବଂ ଏପରିକି ତାକୁ ସାକ୍ଷାତ୍ ପରମବ୍ରହ୍ମ ବୋଲି ଆଖ୍ୟାତ କରାଯାଏ, ସେଠି ଆମ ଅଧ୍ୟୟନକାରୀ ଛାତ୍ରମାନଙ୍କର ମଧ୍ୟ କିଛି ବିଚାରଶକ୍ତି ରହିଥିବା ବୋଲି କ୍ୱଚିତ୍ ସ୍ୱୀକାର କରାଯାଏ । ଏହି ଛାତ୍ରମାନେ ତେଣୁ ଆପେ ମଧ୍ୟ ନିଜର ସାମର୍ଥ୍ୟଗୁଡ଼ିକୁ ପ୍ରୟୋଗ କରି ଆଦୌ କୌଣସି ସତ୍ୟାନୁମାନରେ ଯାଇ ପହଞ୍ଚିବାକୁ କାର୍ଯ୍ୟତଃ ଏକ ମହାପ୍ରମାଦ ବୋଲି ମଣିବାରେ ଅଭ୍ୟସ୍ତ ହୋଇ ରହିଥାନ୍ତି । ଏଠାରେ କହିବା ସଂପୂର୍ଣ୍ଣ ନିଷ୍ପ୍ରୟୋଜନ ଯେ, ସ୍ୱୟଂଶିକ୍ଷକମାନେ ହିଁ କ’ଣ ସବୁ ୟାଡ଼ୁସାଡ଼ୁ ଭାବପ୍ରବଣତାର ଶିକାର ହୋଇ ପିଲାଙ୍କ ପାଇଁ ସେହିସବୁ ଅତ୍ୟୁଚ୍ଚ ଧୃଷ୍ଟତାପୂର୍ଣ୍ଣ ଅତିକଥନ ଗୁଡ଼ିକୁ ଫାନ୍ଦି ରଖିଥାନ୍ତି । ଗୁରୁମାନେ ଆପେ କୌଣସି ବାଟ ଚାଲୁନଥାନ୍ତି ବୋଲି ଏହି ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ଯାବତୀୟ ଜିଜ୍ଞାସାର କ୍ଷେତ୍ରରେ ଏପରି ଜଡ଼ବତ୍ କରି ରଖିବା ସକାଶେ ମଧ୍ୟ ଏତେ ଅଧିକ ପରିମାଣରେ ଉତ୍ସାହ ଦେଖାଇ ଥାଆନ୍ତି କି ? ଆମର ବିଦ୍ୟାସ୍ଥାନ ଗୁଡ଼ିକ ସତକୁ ସତ କେତେ ଅନ୍ୟଭଳି ହୋଇଥାନ୍ତା, ଯଦି ଆମ ଶିକ୍ଷକମାନଙ୍କର ଶିକ୍ଷା ତଥାପି ଲାଗି ରହିଥାନ୍ତା, ସେମାନେ ମଧ୍ୟ ପ୍ରଶ୍ନ ପଚାରୁ ଥାଆନ୍ତେ ଓ ବାଟଟିଏ ଚାଲୁଥାନ୍ତେ । ଏହିସବୁ କେତେକ ଦୁର୍ଭାଗ୍ୟ ହେତୁ ଆମ ପିଲାମାନେ ମଧ୍ୟ ଆପଣାର ନିଜସ୍ୱ ସେପରି କୌଣସି ଚିନ୍ତା କ୍ୱଚିତ୍ କରନ୍ତି,- ହୁଏତ ତଥାପି ତେଣେ ମନ କଲେ ନାଆଁ ପକାନ୍ତି, ଲଜ୍ଜିତ ହୁଅନ୍ତି ଓ ଆପଣା ବିଷୟରେ ନାନା ସଂଶୟ ଦ୍ୱାରା ଆଚ୍ଛନ୍ନ ହୋଇ ରହି ଥାଆନ୍ତି ।

ଆମର ପରିବାର ମାନଙ୍କରେ ମଧ୍ୟ ବସ୍ତୁତଃ ସେହିପରି ସ୍ଥିତିମାନ । ଆମର ବାପା ମାଆ ଓ ଅନ୍ୟ ବଡ଼ମାନେ,- ସେମାନଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିବାର ପ୍ରାୟ ସଂପୂର୍ଣ୍ଣ ଅର୍ଥ ହେଉଛି ଯେ, ସେମାନଙ୍କର ଇଚ୍ଛାଗୁଡ଼ିକୁ ମାନି ବଞ୍ଚିବା,- ଆପଣାକୁ ପ୍ରାୟ କୌଣସି ପ୍ରଶ୍ନ ନପଚାରିବା ଏବଂ ସ୍ୱାଧୀନ ଭାବରେ ନିଜ ଜୀବନରେ କୌଣସି ସତ୍ୟରେ ଉପନୀତ ନହେବା । ସେପରି କିଛି ବି କରିବାର ସାହସ କଲେ ଅମାନିଆ ବୋଲି ସାବ୍ୟସ୍ତ ହେବା । ଘରେ ଅନ୍ୟ ପିଲାମାନେ ସୁନାପିଲା ବୋଲି ପ୍ରଶଂସିତ ହେଉଥିବା ବେଳେ ଗୋଟାଏ ପୂରା ଅନ୍ୟ ପ୍ରକାରର ଆଉ କ’ଣ ବୋଲି ଘୋଷିତ ହେବା । ଏହି ଅଭିନୟଟି ଆମ ପୃଥିବୀରେ ପ୍ରାୟ ସେହି ପ୍ରଥମ କାଳରୁ ହୁଏତ ଲାଗି ରହିଥିବ । ସେହି ତଥାକଥିତ ନାଆଁ ପକା ପିଲାଟି ତ କାହାରି ବିରାଗଭାଜନ ହେବାକୁ କେବେହେଲେ ଇଚ୍ଛା କରିନାହିଁ । କେବଳ ନିଜ ଭିତରୁ କିଛି ସୁରାଖ ପାଇ ଆପେ କିଛି ଚିନ୍ତା କରିଛି ଓ ନିଜପାଇଁ କିଛି ପାଇଛି, ଏହି ସ୍ୱାଭାବିକ ଆବିଷ୍କାର-ପ୍ରକ୍ରିୟାଟିରେ କାହାରି ପ୍ରତି ଅସାଧୁତା ଦେଖାଇବାର କୌଣସି ଅବକାଶ ମଧ୍ୟ ରହିଥିବ ବୋଲି ସିଏ କଳ୍ପନା ମଧ୍ୟ କରିନଥିବ । ପୁଣି, ନିଜ ଘରର ବାପା, ମାଆ ଓ ଅନ୍ୟମାନେ, ଯେଉଁମାନଙ୍କୁ ସିଏ ସବୁଠାରୁ ଅଧିକ ନିଜର ବୋଲି ଅବଶ୍ୟ ଜାଣିଛି, ସେମାନଙ୍କର ବିରୋଧ କରିବା ବିଷୟରେ କାହିଁକି ବି କ’ଣ ଭାବିଥାଆନ୍ତା ! ଏହିପରି ଗୋଟିଏ ଆବର୍ତ୍ତ ଭିତରେ ପଡ଼ିଯାଇ ସେ ନିଜକୁ ହିଁ ଏହି ଅବ୍ୟାପାରଟି ସକାଶେ ଦାୟୀ କରିଥାଏ ଏବଂ ସେଥିପାଇଁ ଲଜ୍ଜିତ ଅନୁଭବ ମଧ୍ୟ କରିଥାଏ । ଏକ ପରିବାରର ଗୋଟିଏ ଅନ୍ତରଙ୍ଗ ଆୟତନ ଭିତରେ ଆତଯାତ ହେଉଥିଲେ ମଧ୍ୟ ତଥାପି ବୟସ୍କ ଏବଂ କନିଷ୍ଠମାନଙ୍କ ମଧ୍ୟରେ ରହିଥିବା ଏହି ଅନାବଶ୍ୟକ ଅଥଚ ଅତ୍ୟନ୍ତ ଉତ୍ପୀଡ଼ନକାରୀ ଦୂରତା, ତାହା ଦୁଇଟିଯାକ ପକ୍ଷ ନିମନ୍ତେ ପ୍ରକୃତରେ କେତେ କ୍ଷତିକାରକ ନହେଉଥିବ !

ଆମ ଶାସନସଂସ୍ଥା ମାନଙ୍କରେ ମଧ୍ୟ ବ୍ୟକ୍ତି ସକଳ ଥାକ ଥାକ ହୋଇ ନିଯୁକ୍ତ ରହିଥାନ୍ତି-। ଆମର ସେହି ମାହାଲଟିରେ ଯେଉଁ ପରମ୍ପରାଟି ପ୍ରାୟ ଏକ ଧର୍ମୀୟ ରୀତି ପରି ଚଳି ଆସିଛି, ସେଥିରେ ଉପରୁ ଅନୁଜ୍ଞାମାନେ ଆସିବେ ଓ ନିମ୍ନତରମାନେ ସେହି ଅନୁସାରେ ସବୁ କାର୍ଯ୍ୟ କରିବେ । ଅନେକ ସମୟରେ ହୁଏତ ବାସ୍ତବତଃ କୌଣସି କାର୍ଯ୍ୟ ନହେବ ପଛେ, କିନ୍ତୁ ନିୟମପାଳନ ଅବଶ୍ୟ ହେବ । ସେଥିରେ କୌଣସି ବ୍ୟତିକ୍ରମ କଦାପି ହେବନାହିଁ । ଯଦି ଗୋଟିଏ ବିଭାଗର ସଂପୃକ୍ତ ସମସ୍ତେ ଏକାଠି ହୋଇ ବସନ୍ତେ ଏବଂ ଏକ ଆଲୋଚନା ଦ୍ୱାରା ପ୍ରତ୍ୟେକେ ପରସ୍ପରର ମତ ବ୍ୟକ୍ତ କରନ୍ତେ ଏବଂ ସେହି ବିଧିରେ ଏକ ସହମତିରେ ଯାଇ ପହଞ୍ଚି କରଣୀୟଟିକୁ କାର୍ଯ୍ୟକାରୀ କରା ଯାଆନ୍ତା, ତେବେ ସବୁଠାରୁ ଅଧିକ ସୁଫଳ ନିଶ୍ଚୟ ମିଳନ୍ତା ଏବଂ ଇପ୍ସିତ ଅଗ୍ରଗତି ଗୁଡ଼ିକ ମଧ୍ୟ ସମ୍ଭବ ହୋଇ ପାରନ୍ତା; କିନ୍ତୁ ଯଦି ସବା ଉପରର ଜଣେ ହିଁ ସର୍ବବିଧ ବୋଲ ବତାଇବ ଏବଂ ସେହି ଜଣେ ବ୍ୟକ୍ତିର ନିର୍ଦ୍ଦେଶରେ ସବୁକିଛି ହେବ ବୋଲି ଗୋଟାଏ ସର୍ବଥା ଅଖଣ୍ଡନୀୟ ଓ ପବିତ୍ର ଆଦେଶ ହିଁ କାର୍ଯ୍ୟକାରୀ ହେଉଥିବ, ତେବେ ପ୍ରକୃତ ସଂପୃକ୍ତିର କ୍ଷେତ୍ରରେ ବସ୍ତୁତଃ ହାନି ହିଁ ହେବ । କାହାର କିଛି ଅନ୍ୟ ମତ ଥିବ ଓ ତେଣୁ ବିକଳ୍ପ ପ୍ରସ୍ତାବଟିଏ ମଧ୍ୟ ଥିବ । ମାତ୍ର ସିଏ ଦବି ରହିଯିବ ଏବଂ, ଯଦି ପରମ୍ପରାକୁ ଭାଙ୍ଗି ତଥାପି ପାଟି ଖୋଲି କିଛି କହିବ ଓ ଆପଣାର ଭିନ୍ନ ମତଟିଏ ବ୍ୟକ୍ତ କରିବ, ତଦ୍ଦ୍ୱାରା ସମ୍ଭବତଃ ଅଧିକତର ଫଳ ମଧ୍ୟ ପ୍ରାପ୍ତ ହେବ । ମାତ୍ର ସିଏ ମୁହଁ ଖୋଲି ନିୟମତଃ କିଛି କହିବନାହିଁ । କହିଲେ ବରିଷ୍ଠତମ ବ୍ୟକ୍ତି ତାହାକୁ ଅନ୍ୟ ପ୍ରକାରେ ଗ୍ରହଣ କରିବେ । ଏତେ ଏତେ ଅନ୍ୟମାନେ ଯେତେବେଳେ ନୀରବରେ ତାଙ୍କର ନିର୍ଦ୍ଦେଶଟିକୁ ମାନି ନେଉଛନ୍ତି ସେତେବେଳେ ଏହି ଜଣେମାତ୍ର କ’ଣ ପାଇଁ ଶୃଙ୍ଖଳା ଭାଙ୍ଗୁଛନ୍ତି ବୋଲି ସିଏ ତା’ପରେ ନିଜର ଅପ୍ରସନ୍ନତା ପ୍ରକଟ କରିବେ । ତାଙ୍କୁ ଗୋଠଖଣ୍ଡିଆ ବୋଲି ଭାବିବେ-। ଯିଏ ହୁଡ଼ି ଯାଇ ଅନ୍ୟପ୍ରକାରେ କିଛି କହିଥିବେ, ତାଙ୍କର ପ୍ରସ୍ତାବଟି ଉପରେ ଉପସ୍ଥିତ ସମସ୍ତେ କିଛି କରି ଥାଆନ୍ତେ ଓ ତାଙ୍କର କଥାକୁ ଅଧିକ ବୁଝିଥାନ୍ତେ ବୋଲି ଖୁବ୍ ଉପଲବ୍ଧି କରୁଥିଲେ ମଧ୍ୟ କାହିଁକି ପାଟି ଖୋଲିଲି ଓ ଭର୍ତ୍ସିତ ହେଲି ବୋଲି ନିଶ୍ଚୟ ମନେ ମନେ ଲଜ୍ଜିତ ହୁଅନ୍ତେ ଏବଂ ନିଜର କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିଷୟରେ ମଧ୍ୟ ସଂଶୟ ବ୍ୟକ୍ତ କରନ୍ତେ । ଯେକୌଣସି ପ୍ରାଣହୀନ ଅମଲାତନ୍ତ୍ରରେ ଏଭଳି ଘଟଣା ସର୍ବଦା ହିଁ ଘଟୁଛି ।

ଶିଶୁକାଳର ତୃତୀୟ ସୋପାନଟି ହେଉଛି ଏରିକ୍‌ସନ୍‌ଙ୍କର ବର୍ଣ୍ଣନାରେ Genital ଅର୍ଥାତ୍ ଯୌନେନ୍ଦ୍ରିୟର ସ୍ତରର । ସମାଜ ସମାଜ ମଧ୍ୟରେ ରହିଥିବା ଭିନ୍ନତା ଅନୁସାରେ ବୟସ ମୋଟାମୋଟି ୬+ ରୁ ଦଶ ବା ୧୧+ । ପ୍ରାୟ ସେହି ପର୍ଯ୍ୟାୟଟି ହେଉଛି ବଡ଼ମାନଙ୍କର ଭାଷାରେ ସବୁଠାରେ ଆମ ପିଲାମାନଙ୍କର ପିଲାଦିନ । କିନ୍ତୁ ପ୍ରାୟ ସଚରାଚର ପିଲାମାନେ ସେହି ଅବସ୍ଥାରେ ନିଜକୁ ପିଲାଟିଏ ରୂପେ ପରିଚିତ ହେବାକୁ ହୁଏତ ସେତେବେଶୀ ସୁଖର ବୋଲି ଭାବିନଥାନ୍ତି । ସେମାନେ ତ ଇତିମଧ୍ୟରେ କେତେ କ’ଣ ଜାଣିବାରେ ସମର୍ଥ ହୋଇ ସାରିଥାନ୍ତି । ବିଶେଷ କରି ସେମାନଙ୍କ ପରିଚୟର ପରିସରରେ ରହିଥିବା ସେମାନଙ୍କର ବଡ଼ମାନଙ୍କ ବିଷୟରେ, ଯେଉଁମାନେ କି ସେମାନଙ୍କୁ ଏଯାଏ ନାନାପ୍ରକାରେ ଆକଟ କରି ରଖି ଆସିଥିଲେ । ସମ୍ଭବତଃ ସେମାନେ ସବାଆଗ ଜାଣିଯାଆନ୍ତି ଯେ, ସେହି ପିଲାଙ୍କର ବର୍ଗଟି ମଧ୍ୟରେ ବି ଦୁଇ କିସମର ଜାତି ରହିଛନ୍ତି,- ପୁଅମାନେ ଅଛନ୍ତି ଏବଂ ଝିଅମାନେ ଅଛନ୍ତି । ସେହି ଉଭୟଙ୍କର ଶରୀରଗଠନଟି ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର । ପ୍ରଥମେ ତ ଭାରି କଉତୁକିଆ ବି ଅବଶ୍ୟ ମନେ ହୋଇଥିବ । ଏହି ମୂଳ ଜ୍ଞାନଟିକୁ ମୂଳ ପୁଞ୍ଜି ରୂପେ ବ୍ୟବହାର କରି ନିଜ ବାପା ଓ ମାଆଙ୍କ ସମେତ ସେମାନେ ମୂଳତଃ ଏଇପରି ଦୁଇ ପ୍ରକାରର ବୋଲି ପକ୍କା ଜାଣିନେଇ ପାରନ୍ତି । ଆପଣଆର ଚିହ୍ନା ପଡ଼ିଶାରେ ଯିଏ ଯେତେ କିସମର ସମବୟସର ରହିଥାନ୍ତି, ସେମାନଙ୍କୁ ସେହି ଅନୁରୂପେ ଅଲଗା ଅଲଗା ଅନୁଭବରେ ଗ୍ରହଣ କରିବାର ପ୍ରକ୍ରିୟାଟିଏ ମଧ୍ୟ ଭାରି ସହଜରେ ଆରମ୍ଭ ହୋଇ ଯାଇଥାଏ । ସେମାନେ ଏକାଧିକ ଆବଶ୍ୟକତା ଦ୍ୱାରା ପରିଚାଳିତ ହୋଇ ଅଧିକତଃ ନିଜର ସହଜାତୀୟ ମାନଙ୍କୁ ଲୋଡ଼ନ୍ତି । ବିଶେଷତଃ ପୁଅମାନେ, ଆମର ଏହି ପୁରୁଷପ୍ରଧାନ ସମାଜରେ ।

ସମ୍ଭବତଃ ନିଜ ବୃହତ୍ତର ସମାଜର ଦୃଷ୍ଟିଗତ ସ୍ୱତନ୍ତ୍ରତାଟିଏ ମାନି ଆମ ପୁଅମାନେ ଆପଣାକୁ ଗୋଟିଏ ଅଲଗା ସଂସାରର ଖାସ୍ କିଛି ବୋଲି ମାନନ୍ତି । ସବାଆଗ ଆପଣାର ଯୌନଇନ୍ଦ୍ରିୟଟି ତ ସେହି ସତ୍ୟଟିକୁ ପ୍ରମାଣ କରି ଦେଉଛି । ଅର୍ଥାତ୍ ଆମ ପୁଅମାନଙ୍କର ଯାହା ଅଛି, ଝିଅମାନଙ୍କର ସେଇଟି ନାହିଁ । ଝିଅମାନେ କ’ଣ କୌଣସି ବାସ୍ତବଟି ହେତୁ ସେହି ବିଷୟଟିକୁ ମାନିନିଅନ୍ତି କି ? ସେମାନଙ୍କର ଯାହା ଅଛି, ପୁଅମାନଙ୍କର ମଧ୍ୟ ସେଇଟି ନାହିଁ ବୋଲି ବୁଝିବା ନିମନ୍ତେ ସେମାନଙ୍କର ବୁଦ୍ଧିମାନେ ସାହସ କରି ପାରିନ୍ତିନାହିଁ କାହିଁକି କେଜାଣି ? ଏହିପରି ଭାବରେ ପୁଅ ଝିଅଙ୍କର ସତେଅବା ଦୁଇଟି ଅଲଗା ପୃଥିବୀ ହୋଇଯାଏ । ଏପରିକି ସେହି ଗୋଟିଏ ପରିବାରରେ ମଧ୍ୟ ଭାଇ ନିଜ ଭଉଣୀମାନଙ୍କୁ ନଲୋଡ଼ି ନିଜ ସାହିର ଏବଂ ଗାଆଁର ସମାନବୟସ ପୁଅମାନଙ୍କର ମେଳରେ ଯାଇ ବେଶ୍ ସ୍ୱାଭାବିକ ଭାବରେ ସାମିଲ୍ ହୋଇଯାଏ । ଝିଅର ଥାନ ପ୍ରଧାନତଃ ଘରେ କିମ୍ବା ପାଖଘର ମାନଙ୍କର ଝିଅମାନଙ୍କ ଘରେ ହୋଇଯାଏ । ଖୁବ୍ ବେଶୀ ହେଲେ ନିଜ ସାହିଟା ଭିତରେ । ପୁଅମାନଙ୍କର ସାରା ଗାଆଁଟାଯାକରେ । ଏପରିକି ଏବେ ଆମ ଗାଆଁମାନଙ୍କରେ ରହିଥିବା ପିଲାଙ୍କର ଇସ୍କୁଲରେ ଝିଅ ଏବଂ ପୁଅ ଉଭୟେ ପାଠ ପଢ଼ୁଥିଲେ ମଧ୍ୟ ଖେଳଛୁଟିରେ ପୁଅମାନେ ପୁଅମାନଙ୍କୁ ଲୋଡ଼ନ୍ତି ଓ ଝିଅମାନେ ଝିଅମାନଙ୍କୁ । ସର୍ବଦା ସୁନିଶ୍ଚିତ ଭାବରେ ଅଲଗା ଅଲଗା ପ୍ରସଙ୍ଗରେ ଯାବତ କଥାବାର୍ତ୍ତା ଏବଂ, ତାହାକୁ ସେମାନଙ୍କର ଶିକ୍ଷକବୃନ୍ଦ ମଧ୍ୟ ନିତାନ୍ତ ସ୍ୱାଭାବିକପ୍ରାୟ ଗ୍ରହଣ କରି ନେଉଥାନ୍ତି । ହୁଏତ ଉଭୟ ପୁରୁଷ ସାର୍ ଓ ମହିଳା ମିସ୍‌ମାନେ ।

ପ୍ରତ୍ୟକ୍ଷତଃ ନିଜ ଯୌନେନ୍ଦ୍ରିୟଟି ହିଁ ପୁଅମାନଙ୍କର ଖାସ୍ ଦୃଷ୍ଟିଟିକୁ ଆକର୍ଷଣ କରିଥାଏ ଏବଂ ସେଇଟିକୁ ନେଇ ସେମାନଙ୍କର ନିଭୃତ ମେଳଗୁଡ଼ିକରେ ପରୀକ୍ଷା ଏବଂ ନିରୀକ୍ଷା ଆରମ୍ଭ ହୁଏ ପୃଥିବୀର ପ୍ରାୟ ସବୁ ସମାଜରେ । ନିଜର ଯୌନଗତ ସ୍ୱତନ୍ତ୍ରତାଟିକୁ ଭିତ୍ତିକରି ସେମାନେ କେଡ଼େ ନିରୀହ ଭାବରେ ବହୁ ତୃପ୍ତିଦାୟକ ସହଜତାରେ ଖେଳମାନ ଆରମ୍ଭ କରିଦିଅନ୍ତି । କୌଣସି ଏକୁଟିଆ ଥାନରେ ଧାଡ଼ି ହୋଇ ଠିଆ ହୋଇ ସେମାନେ ଦର୍ପଭରେ ମୂତ୍ରତ୍ୟାଗ କରନ୍ତି ଓ ଏକ ଆରେକକୁ ଅବଲୋକନ କରି କେତେ ନା କେତେ ଉତ୍ସାହିତ ଅନୁଭବ କରନ୍ତି । ବେଳେବେଳେ ପାଣିରେ ପଶି ନଈରେ ଆରପାଖକୁ ଯାଉଥିବା ସମୟରେ ଆଣ୍ଠୁଏ ହେବ ପାଣିରେ ପରିସ୍ରା କରି କରି ଯାଆନ୍ତି ଏବଂ ପାଣି ଚବଚବ କରି କେତେ ଆନନ୍ଦ ଲାଭ କରନ୍ତି, ସତେଅବା କୌଣସି ଅଲୌକିକ ସାମର୍ଥ୍ୟ ସେମାନଙ୍କର ମଧ୍ୟ ଆସି ଯାଇଥିବା ପରି ଅନୁଭବ କରୁଥାଆନ୍ତି । ଏପରି ମଧ୍ୟ ବେଳେବେଳେ ଖୁବ୍ ହୁଏ ଯେ ସେମାନଙ୍କର କୁନି ଯୌନେନ୍ଦ୍ରିୟଟିର ମାପ ନିଅନ୍ତି ଓ ସେହି ଆପଣା ମେଳଟିରେ ମଧ୍ୟ ଅଧିକ ଅଳ୍ପ ନିର୍ଣ୍ଣୟ କରୁଥାନ୍ତି । ଖାସ୍ ଅଧିକମାନଙ୍କୁ ହିରୋ ବୋଲି ମଧ୍ୟ କାହିଁକି ଭାବୁନଥିବେ ? ସେମାନେ ଧରା ବି ପଡ଼ିଯାଆନ୍ତି । ବଡ଼ମାନଙ୍କ ଆଖିରେ ପଡ଼ନ୍ତି କିମ୍ବା ସାଙ୍ଗ ଭିତରୁ ବାହାରି ଯାଇଥିବା ଜଣେ ଚୁଗୁଲିଆ ସମବୟସୀ ସେମାନଙ୍କୁ ଦରା ପକାଇଦିଏ । ଦୁର୍ଯୋଗକୁ ଏପରି କେତେ ବୟସ୍କ ମଧ୍ୟ ସର୍ବତ୍ର ଥାଆନ୍ତି, ଯେଉଁମାନେ ପିଲାଙ୍କର ସେହି ମନ୍ଦ ମତଲବ ଇତ୍ୟାଦିର ଗନ୍ଧ ପାଆନ୍ତି ଏବଂ ଧରାଇଦେବେ ବୋଲି ଓର ଉଣ୍ଡୁ ଥାଆନ୍ତି । କଥାଟିକୁ ନେଇ ସଙ୍ଗେ ସଙ୍ଗେ ବେଶ୍ ଗୋଳ ଲାଗି ବି ଯାଏ । ପିଲାମାନେ ଘରେ ନିଜ ଗୁରୁଜନବର୍ଗଙ୍କ ଠାରୁ ଗାଳି ଶୁଣନ୍ତି ଏବଂ ଇସ୍କୁଲରେ ଆଚାର୍ଯ୍ୟମାନଙ୍କ ଠାରୁ । ଆମର ଏହି ଏଡ଼େ ବିଚିତ୍ର ପୃଥିବୀଟାରେ କୌଣସି କିଛି ଅପରାଧ କରିବାକୁ ମନୁଷ୍ୟସତ୍ତାମାନେ ଯେତେ ନଡରନ୍ତି, ଦୋଷ କରି ଧରା ପଡ଼ିଯିବାଟାକୁ ସମ୍ଭବତଃ ଅଧିକ ଭୟ କରିଥାଆନ୍ତି । ଆମ ପିଲାମାନଙ୍କ ସମେତ ।

ଆଉ ସେହି ବୟସର ଆମ ଝିଅମାନେ ? ସେହି ନିତାନ୍ତ ପ୍ରଥମ ସମୟରୁ ତ ସେମାନେ କେଡ଼େ ସ୍ୱଭାବ ସମ୍ମତିରେ ଘରକାମରେ ଯୋଡ଼ି ହୋଇ ଯାଆନ୍ତି । ମାଆମାନଙ୍କୁ ସାହାଯ୍ୟ କରନ୍ତି । ଆହୁରି ସାନମାନଙ୍କର ତତ୍ତ୍ୱ ବୁଝନ୍ତି । ତେଣୁ, ନିଜ ଭାଇମାନଙ୍କ ଭଳି ଝିଅମାନଙ୍କର ଗୋଟାଏ Gang ତିଆରି କରି ହିରୋତ୍ୱ ଦେଖାଇବାର ଆଦୌ ପ୍ରୟୋଜନ ନଥାଏ-। ତେଣୁ, ଭାଇମାନଙ୍କ ସଦୃଶ ମୋଟେ ଅଡ଼ୁଆ ବୋଧ କରନ୍ତିନାହିଁ । ଆଗକୁ ସମାଜରେ ଅର୍ଥାତ୍ ନିଜ ଜୀବନରେ ସେମାନଙ୍କର ଭୂମିକା ଯେ ନିଜ ଭାଇମାନଙ୍କଠାରୁ ଭିନ୍ନ ହିଁ ହେବ, ସେକଥାଟିକୁ କ୍ରମେ ଉପଲବ୍ଧି ବି କରନ୍ତି । ଏହି ସବୁକିଛି ସେମାନେ, ପୁଅ ଓ ଝିଅ ଦୁହେଁ, ଜନ୍ମଲାଭ କରିଥିବା ସାମାଜିକ ନାନା ସ୍ଥାନୀୟତାର ପ୍ରସୀମନ ଗୁଡ଼ିକ ଅନୁସାରେ ହିଁ ନିର୍ଦ୍ଧାରିତ ହୋଇଥାଏ । ଆମ ଗେହ୍ଲା ଘରମାନଙ୍କରେ ପୁଅ ଓ ଝିଅ ପରିବାରର ପ୍ରାୟ କୌଣସି କାର୍ଯ୍ୟରେ ଅଂଶଗ୍ରହଣ କରିନଥାନ୍ତି-ସୁକୁମାର ପିତୁଳା ହୋଇ ବଡ଼ ହୁଅନ୍ତି । ତୁଚ୍ଛା ପାଠ ପଢ଼ନ୍ତି ଏବଂ ସେହି ଗୋଟିଏ ଧନ୍ଦାରେ ଲାଖି ରହି ତା’ପରେ ଯାଇ ଅନ୍ୟ ଆଉସବୁ କରିବା ନିମନ୍ତେ ଅନୁମତି ଲାଭ କରନ୍ତି । ପ୍ରାୟ ବଡ଼ମାନେ ସେମାନଙ୍କ ବିଷୟରେ ନିଷ୍ପତ୍ତିମାନେ କରନ୍ତି ଏବଂ ଆମର ବାବୁ ତଥା ବୁଈମାନେ ଅତ୍ୟନ୍ତ ଆହ୍ଲାଦର ସହିତ ସେଗୁଡ଼ିକୁ ମାନି ନିଅନ୍ତି ।

ଆମ ନଥିଲା ଘରମାନଙ୍କରେ ଓ ଆମ ଆଦିବାସୀ ମାନଙ୍କର ଜୀବନରେ ବ୍ୟାପାରଟି ଅନ୍ୟପରି ହୁଏ । ପରିବାରର ସକଳ କ୍ଷେତ୍ରରେ ସେମାନଙ୍କୁ ସାମିଲ୍ କରି ନିଆଯାଏ । ଝିଅ ଏବଂ ପୁଅ ଉଭୟଙ୍କୁ । ସତେଅବା ଗୋଟିଏ ଅତୁଟ ବିଶ୍ୱାସ ଯେ, ଜୀବନଟା ଯେଉଁପରି ଚାଲିଆସିଛି, ଆଗକୁ ମଧ୍ୟ ସେହିପରି ଚାଲିବ ଏବଂ ତେଣୁ ଆମ ସାନମାନେ ଏହି ସାନ ବୟସରୁ ହିଁ ସେଥିଲାଗି ସମର୍ଥ ହୋଇ ଆସିବା ଉଚିତ । ଗାଆଁରେ ଇସ୍କୁଲ ଥାଏ ଓ ଏହି ପିଲାମାନେ ମଧ୍ୟ ସେଠାରେ ବସିବାକୁ ଅବଶ୍ୟ ଯାଆନ୍ତି । କିନ୍ତୁ ସେମାନଙ୍କର ଅସଲ ପାଠ ପଢ଼ା ହେଉଛି ନିଜର ଘରେ, ନିଜ ବାପାମାଆ ମାନଙ୍କର ତତ୍ତ୍ୱାବଧାନରେ । ଏଇଟି ଦ୍ୱାରା ଏମାନେ ଅଧିକ ଦାୟିତ୍ୱ-ସଚେତନ ହୁଅନ୍ତି, ବୟସସୁଲଭ କୋମଳତା ଗୁଡ଼ିକ, ଦେହ ଏବଂ ମନ ଉଭୟ କ୍ଷେତ୍ରରେ ବେଶ୍ ଟାଣ ହୋଇ ଆସନ୍ତି-। ପିଲାଏ ମଧ୍ୟ କ୍ଷେତକୁ ଯାଆନ୍ତି, ପଶୁମାନଙ୍କୁ ଚରାଇ ନିଅନ୍ତି, ଗଛ ଚଢ଼ି ପାରନ୍ତି, ପାଣିକୁ ଡରନ୍ତି ନାହିଁ । ଶିକାର କରିବାକୁ ଡଙ୍ଗର ଯାଆନ୍ତି ଏବଂ, ସେହି ନ୍ୟାୟରେ ପର୍ବମାନଙ୍କରେ ବଡ଼ମାନଙ୍କ ସହିତ ସାମିଲ ହୋଇପାରନ୍ତି । ଖୁସି ହୋଇ ରାତିରେ ମେଳରେ ନାଚି ପାରନ୍ତି ଓ ଗାଇ ପାରନ୍ତି । ପୁଅଝିଅଙ୍କ ଭିତରେ ଅସ୍ୱାଭାବିକ କୌଣସି ଦୂରତା ନଥାଏ ଏବଂ ତଥାପି ଲକ୍ଷ୍ମଣରେଖାମାନ ରହିଥାଏ । କେହି ନିୟମ ଭାଙ୍ଗନ୍ତିନାହିଁ । ତେଣୁ ସେପରି କୌଣସି ଅପରାଧସଚେତନତା ବି ନଥାଏ । କିନ୍ତୁ ଏତିକି ଯଥେଷ୍ଟ ନୁହେଁ । ତେଣୁ, ସଂପୃକ୍ତ ସମାଜଗୁଡ଼ିକରେ ବ୍ୟକ୍ତିମାନେ ଥାଆନ୍ତି ସତ, ବ୍ୟକ୍ତତ୍ୱ କ୍ୱଚିତ୍ ଥାଏ ।

ଏହି ଉଭୟବିଧ ସମାଜରେ ହୁଏତ ସେହି କାରଣରୁ ବ୍ୟକ୍ତିତ୍ୱସଚେତନ ମନୁଷ୍ୟମାନଙ୍କୁ ବେଶ୍ ନାନା ପ୍ରତିକୂଳ ସ୍ରୋତକୁ କାଟି ବଞ୍ଚିବାକୁ ହୁଏ । ତଥାପି ଆହୁରି କିଛି, ଅଧିକ ଅବଶ୍ୟ କିଛି,- ଏବଂ ସେଇଟିର ଉଦ୍‌ଘାଟନ ନିମନ୍ତେ ଭିତରେ ବାହାରେ ଧରା ଦେବାକୁ ପଡ଼ିବ, ସମ୍ପୂର୍ଣ୍ଣ ଭାବରେ ଏକ ଆହ୍ୱାନସଚଳ ଆତ୍ମୀୟତାରେ ଜାଗରୂକ ହୋଇ ରହିବାକୁ ହେଉଥିବ । କେବଳ ଖାପ ଖାଇ ରହିଯିବା ଠାରୁ ନ୍ୟାୟତଃ ଅନେକ ଅଧିକ । ସୁଖ ଭାବ, ନାନାବିଧ ସଫଳତା ମଧ୍ୟ ରହିଥିବ, ତଥାପି ଏକ ଈଶ୍ୱରୀୟ ସଦାଅସନ୍ତୋଷ । ମୁଁ ଅଧିକ ହେବି, ଅଧିକ ଦେଇପାରିବି; ଅଧିକ ହୋଇପାରିଲେ ଅଧିକ ଦେଇପାରିବି । ମୋ’ର ଏହି ସମଗ୍ର ପୃଥିବୀଟିକୁ । ଶ୍ରୀ ଏରିକ୍‌ସନ୍ ଏହି ପ୍ରବୃତ୍ତିଟିକୁ Initiative ବୋଲି କହିଛନ୍ତି । Genital ସେହି ଖାସ୍ ବୟସଟିର ଏକ ବିଶେଷ ଆବିଷ୍କାର ବୋଲି କହିଛନ୍ତି । Gential ନାମକ ତାଙ୍କଦ୍ୱାରା ବର୍ଣ୍ଣିତ ସେହି ପର୍ଯ୍ୟାୟଟି ଆସେ ଏବଂ ଚାଲିଯାଏ । କିନ୍ତୁ ସେହି ସମୟଟିରେ ଉପଲବ୍ଧ ହେଉଥିବା ପ୍ରବୃତ୍ତି ଅର୍ଥାତ୍ ପ୍ରାଣବନ୍ତତାଟି ସତେଅବା ପ୍ରତ୍ୟେକ ମନୁଷ୍ୟ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥାଏ । ପ୍ରତ୍ୟେକ ମନୁଷ୍ୟଙ୍କ ଭିତରେ ଅପେକ୍ଷା କରି ରହିଥାଏ । ବାହାରେ ଧରା ପଡ଼ିଗଲେ କମ୍ ବିରୋଧ ହୁଏନାହିଁ । ମାତ୍ର ସେଇଟି ପାଖରେ ରାଜି ହୋଇଥିବା ମନୁଷ୍ୟଆତ୍ମାଟି ଆଦୌ ବିଚଳିତ ହୁଏନାହିଁ । କୌଣସି ଅପରାଧ କରି ପକାଇଛି ବୋଲି ଆଦୌ ଶଙ୍କିତ ହୁଏନାହିଁ । ଯିଏ ନିଜ ପାଖରେ ସତକୁ ସତ ଧରା ଦେଇଛି, ସିଏ ବାହାରେ ମଧ୍ୟ ଅଲଗା ବୋଲି ଅପବାଦ ପାଇବାକୁ ଆଉ କାହିଁକି ଭୟ କରିବ ?

ଶୈଶବ ପରେ କୈଶୋର ଏବଂ କୈଶୋରରୁ ଗୋଡ଼ ବଢ଼ାଇଦେଲେ ଯୌବନ । ଶ୍ରୀଯୁକ୍ତ ଏରିକ୍‌ସନ୍ କୈଶୋର ଓ ଯୌବନକୁ ସମଗ୍ର ଭାବରେ ଗୋଟିଏ ଜୀବନାଂଶ ରୂପେ ବିଚାରକୁ ନେଇଛନ୍ତି । ସେତ ଯେପରି କୈଶୋର ନାମକ ଅବସ୍ଥାଟିର କୌଣସି ଅସ୍ତିତ୍ୱ ହିଁ ନାହିଁ ଏବଂ କୌଣସି ଅବଦାନ ମଧ୍ୟ ନାହିଁ । ପାଶ୍ଚାତ୍ୟ ଶିକ୍ଷାଜଗତରେ ଏବେତ କୈଶୋର ବୋଲି ସ୍ୱତନ୍ତ୍ର ଭାବରେ କୌଣସି ଅଲଗା ଅନୁଭବ ହିଁ କିଶୋରମାନଙ୍କୁ ଉପଲବ୍ଧ ହେଉନାହିଁ ବୋଲି ମନ୍ତବ୍ୟଟିଏ ପ୍ରକାଶ କରାଗଲାଣି । କିନ୍ତୁ, ଆମର ଏଠା ଅଲଗା ସମ୍ପର୍କର ସାମାଜିକ ତଥା ପାରିବାରିକ ସଂସ୍କୃତିରେ ଯେ କୈଶୋରର ଏକ ସ୍ୱତନ୍ତ୍ର ଭୂମିକା ଏବଂ ଆକର୍ଷଣ ରହିଛି, ସେହି କଥାଟିକୁ କଦାପି ଅସ୍ୱୀକାର କରାଯାଇ ପାରିବନାହିଁ । ଅନେକ ବୟସ୍କ ପୃଥିବୀ ତମାମ ପ୍ରାୟ ସର୍ବତ୍ର ଯେପରି ଆମ ପିଲାସମୟଟିକୁ ବଡ଼ ହେବାର ବସ୍ତୁତଃ ଏକ ପ୍ରସ୍ତୁତି ବୋଲି ସିଦ୍ଧାନ୍ତ କରି ନେଇଥାଆନ୍ତି, ଏହି କଥାଟି ମଧ୍ୟ ଅଳ୍ପବହୁତ ସେହିପରି ଗୋଟିଏ ମିଥ୍ (myth) କି ? ଏରିକ୍‌ସନ୍‌ଙ୍କର ଚର୍ଚ୍ଚାରେ ଏହି ପର୍ଯ୍ୟାୟଟିରେ କଠିନ ଶ୍ରମ ହେଉଛି ସର୍ବମୁଖ୍ୟ ଆହ୍ୱାନ । ଜୀବନର ସଂଗ୍ରାମ, ମନୋମତ କିଛି ହୋଇପାରିବା ଲାଗି ସଂଗ୍ରାମ ଏବଂ ସେହି ସଂଗ୍ରାମରେ ହାରିଗଲେ ଏକ ଅନ୍ତର୍ଗତ ହୀନମନ୍ୟତା । ମୁଁ ରହିଗଲି ଏବଂ ଅନ୍ୟମାନେ ଆଗକୁ ଚାଲିଗଲେ ବୋଲି ନିଜପ୍ରତି ଗୋଟିଏ ଧିକ୍କାରଭାବନା । ଯୌବନ ଆସି ଦ୍ୱାରଦେଶରେ ଏବଂ ମୋତେ ମଧ୍ୟ ପୂର୍ଣ୍ଣ ସମର୍ଥତା ସହିତ ସେଥିଲାଗି ଟାଣ ହେବାକୁ ପଡ଼ିବ । ନହେଲେ ମୁଁ ନାକାମ ହୋଇ ରହିଯିବି । ତେଣୁ ଯୌବନ ଆସିଗଲେ ଯଦି ମୋତେ ନାନାଭାବେ ବାରଦ୍ୱାର ହୋଇ ଚାଖି ବୁଲିବାକୁ ହେଉଥିବ ଓ ଏହିପରି ଫୁଙ୍ଗୁଳା ଜୀବନଟିଏ ଲାଗି ରହିଥିବ, ତେବେ ମୁଁ ତାହାରି ଦୋଷରୁ ସମ୍ଭବତଃ କେଉଁ କୁଳର ମୋଟେ ହୋଇ ପାରିବି ! ସଂସାରର ଏତେ ଏତେ ବାଟ ମଧ୍ୟରେ କେଉଁଟି ମୋ’ର ବାଟ ବୋଲି ଜାଣି ପାରୁନଥିବି ଏବଂ ଏତେ ଏତେ ପୋତାଶ୍ରୟ ମଧ୍ୟରୁ ମୁଁ କେଉଁଠାରେ ଯାଇ ପହଞ୍ଚିବି ବୋଲି ଥୟ ହୋଇ କହି ବି ପାରିବିନାହିଁ । ସତେ ଯେପରି ଟୁକୁଡ଼ା ଟୁକୁଡ଼ା ହୋଇ ରହିଥିବି ଏବଂ ଭିତରେ ମୋ’ର ଏହି ସଂସାର ସହିତ ଏକ ବିଚିତ୍ର ବିଚ୍ଛିନ୍ନତାବୋଧ ମଧ୍ୟ ମୋତେ ଖୁବ୍ କାମୁଡ଼ି ରହିଥିବ ।

ତା’ପରେ ଜଣେ ବୟସ୍କ ବ୍ୟକ୍ତିର ଜୀବନ । ଏରିକ୍‌ସନ୍ ତାହାକୁ ତିନିଗୋଟି କ୍ରମସୋପାନରେ ତଥାପି ଦେଖିବାକୁ ଅଧିକ ଉଚିତ ବୋଲି ମନେ କରିଛନ୍ତି । ପ୍ରଥମେ ଏକ ଅନ୍ତରଙ୍ଗତା,- ଏପରି ଗୋଟିଏ ଠାବ ଯେଉଁଟିକୁ ମୁଁ ସକଳ ଅର୍ଥରେ ନିଜର ବୋଲି ଅନୁଭବ କରି ପାରିବି । ଏକ ଆଦର୍ଶ, ଏକ ସ୍ୱନିର୍ବାଚିତ ନିର୍ଦ୍ଦିଷ୍ଟ କ୍ଷେତ୍ର । ମାତ୍ର ସେଇଟି ମୋତେ ଜାଲ ପରି ବାନ୍ଧି ପକାଇବାର କୌଣସି ଚକ୍ରାନ୍ତ କରୁନଥିବ ଏବଂ କ୍ରୀଡ଼ନକ ସଦୃଶ ନଚାଇ ପାରୁନଥିବ । ଜୀବନନାମକ ଅଗାଧ ଜଳରେ ମୁଁ ତଥାପି ସନ୍ତରଣକ୍ଷମ ହୋଇ ରହିଥିବି । ଅନ୍ୟ ସନ୍ତରଣକାରୀମାନେ ମଧ୍ୟ ସହସଚଳ ହୋଇ ରହିଥିବେ ସିନା, ମାତ୍ର ସେମାନେ ମୋତେ ଗିଳି ପକାଉ ନଥିବେ କିମ୍ବା ମୁଁ ମଧ୍ୟ କୌଣସି ମିଛ କାତରତା ହେତୁ ସେମାନଙ୍କୁ ଗିଳି ପକାଇବାର କୌଣସି ଆଗ୍ରହ ଦେଖାଉ ନଥିବି । ନହେଲେ ନିଜ ପାଖରେ ପରାସ୍ତ ହୋଇଯାଇ ଥିବାର ଏକ ଅନ୍ୟ କୋପନରେ ମୁଁ କ୍ରମେ ଉଦାସୀନତା ଅବଲମ୍ବନ କରି ଓ ଏକାଧାରରେ ସଂସାରକୁ ଏବଂ ନିଜକୁ ଅବଜ୍ଞା ପ୍ରଦର୍ଶନ କରି ସତେଅବା ନିଜ ଅହଙ୍କାରର କୌଣସି ଗୁମ୍ଫା ଭିତରେ ପଶି ରହିଥିବି, ସତେଅବା ବାବାଜୀଟିଏ ହୋଇଯିବି । ଭିତରେ ଟକଟକ ହୋଇ ଖୁବ୍ ଫୁଟୁଥିବି ଓ ଉପରେ ମୁଁ ବେଶ୍ ଶାନ୍ତିରେ ଅଛି ବୋଲି କହିବାରେ ବି ଲାଗିଥିବି । ବୟସ୍କତ୍ୱର ଆହୁରି ଆଗକୁ ମୁଁ ଏହି ଜୀବନନାମକ ସଂସାରଟି ସହିତ ସଂପୃକ୍ତ ହୋଇ ରହିଛି ବୋଲି ଭିତରେ ଅନୁଭବ କରୁଥିବି । ମୋ’ଠାରୁ ପୂରା ଫରକମାନଙ୍କ ଠାରୁ ସର୍ବଦା ଉପକୃତ ହେଉଛି ବୋଲି ସତକୁ ସତ ପୂର୍ଣ୍ଣ ଆତ୍ମସ୍ଥ ହୋଇ ରହିଥିବି, ନହେଲେ ଯେତେ ଯେତେ ଦରବାର ମେଲି ରଖିଥିଲେ ମଧ୍ୟ ନିଜ ଭିତରେ ସଢ଼ି ପିଚି ଯିବି । ଗୋଟିଏ ନିତାନ୍ତ ଆବଦ୍ଧ ଜଳାଶୟ ଭିତରେ ହିଁ ପଡ଼ି ରହିଥିବି ଏବଂ, ମନୁଷ୍ୟଜୀବନର ସର୍ବଶେଷ ଶିଖର-ଅନୁଭବଟି ହେଉଛି ଏକ Integral ଜୀବନ, ଯେଉଁଟିରେ କେନ୍ଦ୍ର ଓ ପରିଧି ମଧ୍ୟରେ କୌଣସି ବିରୋଧ ନଥିବ । ନିଜ ଜୀବନକୁ ଏହିପରି ମହିମାନ୍ୱିତ ଭାବରେ ଚିହ୍ନି ପାରିଥିବାରୁ ଏବଂ ସେହି ଅନୁସାରେ ଏକ ସଦାସଙ୍କୋଚହୀନ ଜୀବନ ବଞ୍ଚିବାର ପ୍ରୟାସଟିଏ ମହଜୁଦ ରହିଥିବାରୁ ଏକ ପରିପୂର୍ଣ୍ଣ ସକାରାତ୍ମକତା ଏବଂ ସହଜତା ଆମକୁ ପରିପୂର୍ଣ୍ଣ ଅର୍ଥରେ ଶ୍ରଦ୍ଧାନୁସିକ୍ତ କରି ରଖି ପାରୁଥିବ । ତା’ ନହେଲେ ଏକ ଉତ୍ତେଜନାପୂର୍ଣ୍ଣ ନୈରାଶ୍ୟ ହିଁ ନୈରାଶ୍ୟ,- ଏକ ଅବର୍ଣ୍ଣନୀୟ ବିରକ୍ତିଭାବରେ ଗୁଡ଼ାଏ ଗୁଡ଼ାଏ ତାଡ଼ନା । ଜୀବନରେ ମୁଁ କିଛି ପାଇଲିନାହିଁ, ଏବଂ ତେଣୁ କିଛି ହୋଇ ପାରିଲା ନାହିଁ ବୋଲି ଅଭିଯୋଗମାନେ । କାହା ପାଖରେ କେଜାଣି ଓ କାହା ବିରୋଧରେ ମଧ୍ୟ କେଜାଣି ?

ଏହାପରେ ଆମେ ଯେଉଁ ଦ୍ୱିତୀୟ ପୁସ୍ତକଟିର ଚର୍ଚ୍ଚା କରିବା, ସେଇଟି ହେଉଛି ଶ୍ରୀ ଗର୍ଡନ ଅଲପୋର୍ଟ୍‌ଙ୍କର Becoming (୨), - ପ୍ରଚଳିତ ଅଭିଧାନ ମାନଙ୍କରେ ତାହାକୁ ‘ସଂଭବନ’ ବୋଲି କୁହା ଯାଇଛି । ଶବ୍ଦଟିର ଉତ୍ପତ୍ତି ଦିଗରୁ ବିଚାର କରି ତର୍ଜମାଟିକୁ ଆମେ ପୂରା ନିର୍ଭୁଲ ବୋଲି ନିଶ୍ଚୟ କହିବା ସିନା, ଆମ ବୁଝିବାର କ୍ଷେତ୍ରରେ ତାହାକୁ ଖୁବ୍ ସମ୍ଭବତଃ ବେଶ୍ ଗୋଳାଇ ମିଶାଇ ପକାଇବା । ତେଣୁ, ଆମ ନିଜର ବୋଧଗମ୍ୟ ହୋଇ ପାରୁଥିଲା ପରି ଆମେ ଆମ ଜୀବନରେ ହେଉଥିବା ବିକାଶ-କ୍ରମଟିକୁ ହିଁ ବୁଝିବା-ଯୁଗପତ୍ ଭାବରେ ଆମକୁ ଆବେଷ୍ଟିତ କରି ରହିଥିବା ତଥା ଆମ ପ୍ରତ୍ୟେକଙ୍କ ସକାଶେ ଆହ୍ୱାନମାନ ଆଣି ଛିଡ଼ା କରୁଥିବା ଏହି ପୃଥିବୀ ସହିତ ଜଡ଼ିତ ହୋଇ ରହିଥିବା ତାହାର ଦୃଷ୍ଟିଗତ ନାନା ସମ୍ବନ୍ଧବଦ୍ଧତାର ପରିପ୍ରେକ୍ଷୀରେ । ସେହି ପରିପ୍ରେକ୍ଷୀଟିକୁ ଆମ ଯେଉଁପରି ଭାବରେ ଅର୍ଥ କରୁ ଏବଂ ଆମ ଜୀବନ ଭିତରକୁ ଆଘ୍ରାଣ କରି ପାରୁ, ମୋଟାମୋଟି ତାହାରି ଏକ ଭୂମି ଉପରେ ଆମ ଆତ୍ମବିକାଶ ଅର୍ଥାତ୍ ଆତ୍ମନିର୍ମାଣର ସକଳ ପ୍ରକାରର ବୃତ୍ତି ଓ ପ୍ରବୃତ୍ତିମାନ ଏବଂ ତାହାରି ଏକ ସ୍ୱତଃସିଦ୍ଧ ପରିପୂକ ରୂପେ ଆମେ ଯେଉଁପରି ଅଳ୍ପ ଅଥବା ଅଧିକ ଆୟାମରେ ନିଜକୁ ଗଢ଼ି ନେଉଥାଉ, ପ୍ରଧାନତଃ ସେତିକି ପ୍ରସାର ଦେଇ ଆମ ପରିପ୍ରେକ୍ଷୀଟିର ଆକଳନ ମଧ୍ୟ କରୁ । ସକଳ ସନ୍ଦର୍ଭରେ ବସ୍ତୁତଃ ସେହିପରି ହୁଅନ୍ତା, ଅନ୍ୟ କୌଣସି ପ୍ରକାରେ ଆଦୌ ହୋଇ ପାରନ୍ତାନାହିଁ ।

ନିଜ ଆଲୋଚନାଟିକୁ ଆରମ୍ଭ କରି ଅଲ୍‌ପୋର୍ଟ୍ କହିଛନ୍ତି ଯେ, ବିଭିନ୍ ବିଜ୍ଞାନର କ୍ଷେତ୍ରଗୁଡ଼ିକ ପରସ୍ପରଠାରୁ ଅଲଗା ହୋଇଥିବାରୁ ସେମାନେ ଆମ ଜୀବନର ଅଲଗା ଅଲଗା ବିଭାବ ଅର୍ଥାତ୍ ଖଣ୍ଡଗୁଡ଼ିକୁ ନେଇ ନିଜକୁ କାର୍ଯ୍ୟତଃ ସୀମିତ କରି ରଖି ଥାଆନ୍ତି । ଉଦାହରଣ ସ୍ୱରୂପ, ସମାଜବିଜ୍ଞାନ ଜଣେ ବ୍ୟକ୍ତିକୁ ଏକ ପରିବାର, କୌଣସି ଗୋଷ୍ଠୀ ତଥା ଜାତିଗତ ପରିଚୟର ଏକ ଅଂଶଗ୍ରହଣକାରୀ ସତ୍ତାରୂପେ ବିଚାର କରେ; ନୃତତ୍ତ୍ୱବିତ୍ ତାକୁ ଗୋଟିଏ ନିର୍ଦ୍ଦିଷ୍ଟ ସଂସ୍କୃତିରେ ବଢ଼ି ଆସୁଥିବା ନମୁନାରୂପେ ଅଧ୍ୟୟନ କରିଥାଏ । ଜଣେ ଧର୍ମାୟତନସ୍ଥ ଆନୁଷ୍ଠାନିକ ତତ୍ତ୍ୱକାରୀ ଜଣେ ମନୁଷ୍ୟର ଧର୍ମୀୟ ଜୀବନକୁ ନେଇ ଆପଣାକୁ କେନ୍ଦ୍ରିତ କରି ରଖିଥାଏ ଏବଂ ତା’ ଈଶ୍ୱରଙ୍କ ସହିତ ସେ ନିଜକୁ କେତେ କ’ଣ ସଂପର୍କିତ କରି ରଖିଛି, ତାହାର ଗଭୀର ଆଲୋଚନାଗୁଡ଼ିକୁ ନେଇ ବ୍ୟସ୍ତ ରହିଥାଏ । ସେହିଭଳି, ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତି ମଧ୍ୟ ନିଜନିଜର ଇଲାକାକୁ ନେଇ ସଂପୃକ୍ତ ଥାଆନ୍ତି । ଆପଣାର ଏକ ବୈଜ୍ଞାନିକ ପଦ୍ଧତିରେ ମନୁଷ୍ୟର ଆଚରଣ ଓ ବ୍ୟବହାର ଗୁଡ଼ିକୁ ମୁଖ୍ୟରୂପେ ଗ୍ରହଣ କରି ଆଉ ବି କେଉଁମାନେ ମନୁଷ୍ୟ-ବ୍ୟକ୍ତିର ସେହ ବାହ୍ୟ ଆଚାରଗତ ଅଭ୍ୟାସମାନଙ୍କୁ ସର୍ବପ୍ରାଧାନ୍ୟ ଦେଇ ବୈଜ୍ଞାନିକ ଆଲୋଚନାମାନ କରନ୍ତି । ମାତ୍ର, ଜଣେ ମନୁଷ୍ୟବ୍ୟକ୍ତିର ତା’ ନିଜ ଜୀବନଗତ ଖାସ୍ ଶୈଳୀ ଅର୍ଥାତ୍ ସିଷ୍ଟେମ୍‌ଟି ସହିତ ପରିଚିତ ହୋଇ ସେମାନେ ହୁଏତ କେହିହେଲେ ସମଗ୍ର ମନୁଷ୍ୟଟିର କୌଣସି ପରିଚୟ ଆମକୁ ଦେଇ ପାରନ୍ତିନାହିଁ ।

ପୁନଶ୍ଚ, ଜୀବବିଜ୍ଞାନୀ, ଶରୀର-ବିଜ୍ଞାନୀ ଓ ଜୈବରସାୟନବିତ୍‌ମାନେ ତ ଆପଣାକୁ ଆହୁରି ଅଧିକ ପରିମାଣରେ ହିଁ ନିର୍ଦ୍ଦିଷ୍ଟ ଅର୍ଥାତ୍ ସୀମିତ କରି ରଖିଥାନ୍ତି ଓ ଅଧ୍ୟୟନ ଭୂମି ଉପରୁ ମନୁଷ୍ୟନାମକ ଏହି ସମଗ୍ର ସଂଗଠନଟିକୁ ଜାଣି ଜାଣି ଏଡ଼ି ହିଁ ରହିଥାନ୍ତି । ମନୁଷ୍ୟ ଯେ ଏକ ଚେତନାଯୁକ୍ତ ଜୀବନର ପରିପୂର୍ଣ୍ଣ ପ୍ରକ୍ରିୟା, ସେମାନେ ସେହିଆଡ଼େ ଚାହିଁ ଦେଖନ୍ତି ନାହିଁ । ଶ୍ରୀଯୁକ୍ତ ଅଲ୍‌ପୋର୍ଟ୍‌ଙ୍କର ବିଚାରରେ କେବଳ ମନୋବିଜ୍ଞାନର ଆଖିଟି ହିଁ ସେହି ଦିଗରେ ଆଗ୍ରହୀ ହୁଏ । ମନୁଷ୍ୟକୁ ନେଇ ଆମେ ଯାହାକିଛିର ଅଧ୍ୟୟନ ବା ଆଲୋଚନା ମଧ୍ୟ କରିବା, ସକଳ କ୍ଷେତ୍ରରେ ତାହାକୁ ସଂପୂର୍ଣ୍ଣ ଅବିଚ୍ଛେଦ୍ୟ ଭାବରେ ଏକାଧାରରେ ଏକ ଶରୀର ଏବଂ ମାନସ କ୍ଷେତ୍ରର ଗୋଟିଏ ସତ୍ତା ବୋଲି ଗ୍ରହଣ କରିବା । କୌଣସି ଦ୍ୱିଖଣ୍ଡବିଶିଷ୍ଟ ସତ୍ତା ଆଦୌ ନୁହେଁ; ଗୋଟିଏ ସମୟରେ ଆପଣାର କେବଳ ଶରୀରକୁ ଏବଂ ଆଉ ବେଳମାନଙ୍କରେ କେବଳ ମନଟିକୁ ବଞ୍ଚୁଥିବା ସତ୍ତା କାର୍ଯ୍ୟତଃ କୌଣସି ପ୍ରକାରେ ନୁହେଁ । ମନ ପଛରେ ଶରୀରଟିଏ ରହିଛି ଏବଂ ଶରୀର ପଛରେ ମନଟିଏ ରହିଛି । ଏହିପରି ଅଙ୍ଗାଅଙ୍ଗୀ ଭାବରେ ସଂଯୁକ୍ତ ଅର୍ଥାତ୍ ଗୋଟିଏ ସମଗ୍ର ହୋଇ ରହିଥିବା ଓ ପୁଣି ବ୍ୟକ୍ତି ବ୍ୟକ୍ତି ଫରକରେ ସେହି ସମଗ୍ରତାଟି ମଧ୍ୟ ଫରକ ଫରକ ଭାବରେ କାର୍ଯ୍ୟ କରୁଥିବା, ସେହି ଅସଲ ସତ୍ୟଟିକୁ ଚେତନାରେ ରଖି ଆମେ ଆମ ମନୁଷ୍ୟମାନଙ୍କର ଅଧ୍ୟୟନ କରିପାରିବା । ନହେଲେ ବାଉଳା ହୋଇଯିବା, ନିଜ ନିଜର ବୁଝିବାକୁ ଜଣେ ଜଣେ ବିଶେଷଜ୍ଞ ହୋଇ ସିନା ରହିଥିବା, ମାତ୍ର ଆମ ଯାବତୀୟ ଅବଲୋକନ ଓ ଅଧ୍ୟୟନର ପ୍ରକୃତ ଆଖିଟିକୁ ହରାଇ ବସିଥିବା । ତେଣୁ, ମନୋବିଜ୍ଞାନରେ ଶ୍ରୀ ଅଲ୍‌ପୋର୍ଟ୍‌ଙ୍କର ବିଚାରରେ ଆମକୁ ଏକ ସ୍ୱତନ୍ତ୍ର ଜିଜ୍ଞାସା ଓ ଶ୍ରଦ୍ଧାରୁ ହିଁ ଆରମ୍ଭ କରିବାକୁ ପଡ଼ିବ, ଏକାବେଳେକେ ଏକ ସହଜ ଅନୁରାଗରେ । ଅନ୍ୟ ବିଜ୍ଞାନଗୁଡ଼ିକର ପ୍ରଣାଳୀଟିକୁ ଅନୁକରଣ କରି ଚଟାଚଟ୍ ଉତ୍ତରମାନଙ୍କୁ ପାଇଯିବାର ଲୋଭରେ ଯାଇ ପଡ଼ିଗଲେ ବହୁବିଧ ପ୍ରମାଦରେ ବାଉଳା ହୋଇ ରହି ଯାଉଥିବା । ଆପେ ମଧ୍ୟ ଜଣେ ଜଣେ ମନୁଷ୍ୟ ହୋଇଥିବାରୁ ନିଜେ ବି ବହୁ ବିଭ୍ରାନ୍ତି ମଧ୍ୟରେ ହୁଡ଼ିଯିବାରେ ଲାଗିଥିବା । ସେହି ବିଭ୍ରାନ୍ତିଗୁଡ଼ିକ ତ କେତେ କେତେ ପ୍ରକାରେ ଆମର ଏହି ଆଧୁନିକ କାଳରେ ମଧ୍ୟ ଲାଗିରହିଛି । ମନୁଷ୍ୟମାନଙ୍କୁ କେତେ କେତେ ଅଭିନବ ଫିକରରେ ଗୋଡ଼ିମାଟି ପରି ବ୍ୟବହାର କରାଯାଉଛି ଏବଂ ବିଜ୍ଞାନୀମାନେ ସେଥିରେ ସହଯୋଗ କରୁଛନ୍ତି ।

ଗୋଟିଏ ମନୁଷ୍ୟଶିଶୁ କିଛି ପ୍ରାଥମିକ ପୁଞ୍ଜି ସହିତ ପୃଥିବୀରେ ଜନ୍ମଗ୍ରହଣ କରେ ଏବଂ ସେଇଥିରୁ ତା’ ଜୀବନବିକାଶ ଆରମ୍ଭ ହୁଏ । ଶ୍ରୀ ଅଲ୍‌ପୋର୍ଟ୍ ସେହି ପୁଞ୍ଜିକୁ ତିନୋଟି ଶ୍ରେଣୀରେ ଦର୍ଶାଇଛନ୍ତି । ପ୍ରଥମ ଶ୍ରେଣୀଟି ମଧ୍ୟରେ ସିଏ କେତୋଟି ଏପରି ପ୍ରାୟ ଜନ୍ମଜାତ ସ୍ପନ୍ଦନ ଓ ଅନୁସ୍ପନ୍ଦନକୁ ଅନ୍ତର୍ଗତ କରିଛନ୍ତି, ଯେଉଁଗୁଡ଼ିକର ସହାୟତାରେ ସମସ୍ତ ଶିଶୁ ଆପଣାର ପ୍ରାଣଟିକୁ ଅନ୍ତତଃ ବଞ୍ଚାଇ ରଖିବା ଲାଗି ସମର୍ଥ ହୁଅନ୍ତି । ସିଏ ଭୋକ ହେଲେ କାନ୍ଦେ ଓ ସମ୍ଭବତଃ ତାହାରିଦ୍ୱାରା ଭୋକ ହେଲା ଅର୍ଥାତ୍ ତେଣୁ ସ୍ତନ୍ୟପାନର ପ୍ରୟୋଜନ ହେଉଛି ବୋଲି ସୂଚିତ କରାଇ ଦେଇଥାଏ । କୌଣସି କାରଣରୁ କିଛି ଅଶ୍ୱସ୍ତି ଅନୁଭବ କଲେ ସିଏ କିଛି ନା କିଛି ପ୍ରକ୍ରିୟାଦ୍ୱାରା ସେଇଟିକୁ ମଧ୍ୟ ଜଣାଇ ଦିଏ ଏବଂ ପାଖରେ ଥିବା ବଡ଼ମାନେ ସେହି ମୁତାବକ ଆବଶ୍ୟକ ଶ୍ରୁଶ୍ରୂଷାଟି ନିମନ୍ତେ ଆସି ପହଞ୍ଚି ଯାଆନ୍ତି ଓ ପ୍ରୟୋଜନଟିକୁ ପୂରଣ କରନ୍ତି । କ’ଣ କିଛି ଅସମ ଅବସ୍ଥା ଆସି ପହଞ୍ଚିଲେ ତେଣୁ ଅନୁମାନ କରିହୁଏ ଏବଂ ପୂରଣ ହୋଇଗଲେ ପିଲାଟି ଶ୍ୱସ୍ତ ଅନୁଭବ କରେ । କାନ୍ଦୁଥିଲେ ତୁନି ହୁଏ, ଓଦା କପଡ଼ା ବଦଳାଇ ଦିଆଗଲେ ଶାନ୍ତ ହୋଇଯାଏ । ସେହି ନାନା ପ୍ରତିସ୍ପନ୍ଦନକୁ ଗୋଟିଏ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ସମସ୍ତେ instinct ଅର୍ଥାତ୍ ସହଜାତ ପ୍ରବୃତ୍ତି ବୋଲି କହି ଆସିଛନ୍ତି । ଶିଶୁ ଭିତରେ ପ୍ରକଟ ହୋଇ ପାରୁଥିବା କେତେଗୁଡ଼ିଏ ଲକ୍ଷଣ, ଯାହାକୁ ଆମେ ବଂଶାନୁଗତ ବୋଲି କହୁ । ଶିଶୁଟିର Gene-ସମ୍ବନ୍ଧିତ କେତେଗୁଡ଼ିଏ ପ୍ରସଙ୍ଗ, ଯେଉଁଗୁଡ଼ିକୁ ସେ ନିଜ ପରିବାର, ସମାନ ଗୋଷ୍ଠୀ ଏବଂ ପ୍ରଜାତିଠାରୁ ଉତ୍ତରାଧିକାର ସୂତ୍ରରେ ବହନ କରୁଥାଏ । ଏହା ବ୍ୟତୀତ ଶିଶୁଟି ଭିତରେ କେତେକ ଅନ୍ତର୍ନିହିତ ସାମର୍ଥ୍ୟ ବି ରହିଥାଏ, ଯାହାକି ତା’ର ବିକାଶପ୍ରକ୍ରିୟାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉଦାହରଣ ସ୍ୱରୂପ, ଶିଖିବାର ସାମର୍ଥ୍ୟ ଏବଂ ସେହିପରି ଆହୁରି କେତେ ସମର୍ଥତା । ଯେଉଁଗୁଡ଼ିକକୁ ଏଠାରେ instinct ବୋଲି କୁହାଯାଇଛି, ସେସବୁ ସଂପୃକ୍ତ ଶିଶୁଟିକୁ ବଞ୍ଚି ରହି ପାରିବାର ସାମର୍ଥ୍ୟଗତ ଉପାଦାନମାନ ଆଣିଦିଏ ଏବଂ, ଯେଉଁଗୁଡ଼ିକୁ ଏକ ଦ୍ୱିତୀୟ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ଉଲ୍ଲେଖ କରାଯାଇଛି, ସେଗୁଡ଼ିକ ଗୋଟିଏ ଶିଶୁର ଅଭିବୃଦ୍ଧିରେ ଅନୁକୂଳତାମାନ ଯୋଗାଇଦିଏ, - ତା’ ଜୀବନଗଢ଼ଣଟିକୁ ଏକ ସନ୍ତୁଳିତ ସମ-ଶୃଙ୍ଖଳା ପ୍ରଦାନ କରିଥାଏ ।

ସମାଜବିଜ୍ଞାନର ଜଣେ ସର୍ବମୂଳ ପ୍ରବକ୍ତା ଆପଣାର ଗୋଟିଏ ସିଦ୍ଧାନ୍ତର ପ୍ରୟୋଗ କରି ଅନୁମାନ କରିଥିଲେ ଯେ ପ୍ରତ୍ୟେକ ଶିଶୁର ବିକାଶଧାରାରେ ଏପରି ଏକ ପର୍ବ ମଧ୍ୟ ଆସି ପହଞ୍ଚିଯାଏ, ଯେତେବେଳେ ସିଏ ଆଉ ଏତେବେଶୀ ପରିମାଣରେ ନିଜକୁ ନେଇ କେନ୍ଦ୍ରିତ ହୋଇ ନରହି ସତେଅବା ଏକ ଅନ୍ୟ ପ୍ରସାରଣର ପ୍ରେରଣାରେ ଅନ୍ୟ ମନୁଷ୍ୟମାନଙ୍କ ବିଷୟରେ ସଜ୍ଞାନ ହେବାଲାଗି ଆଗ୍ରହୀ ହୋଇଆସେ । ଶିଶୁ ପ୍ରାୟ ଏକ ସହଜ ସ୍ୱାଭାବିକତାରେ ଅନ୍ୟମାନଙ୍କ ଉପରେ ଦୃଷ୍ଟିପାତ କରେ । ଅନ୍ୟମାନେ ଗୃହ ମଧ୍ୟରେ ପ୍ରବେଶ କରୁଥିବା ସମୟରେ ଡୋଳା ବୁଲାଏ । ସତେଅବା ସେମାନଙ୍କର ସ୍ୱାଗତ କରୁଥାଏ ଓ ବିଚଳିତ ବି ହୁଏନାହିଁ । ଏହିପରି ଏକ ପ୍ରାରମ୍ଭିକ ସ୍ମରଣୀୟ କିଛି କଥାକୁ ସୂଚିତ କରିଦେଇ ଶ୍ରୀଯୁକ୍ତ ଅଲ୍‌ପୋର୍ଟ୍ ଆମ ଜୀବନବିକାଶର ଉକ୍ତ ଦୁଇଟିଯାକ ପର୍ଯ୍ୟାୟ ବିଷୟରେ ଗୋଟିଏ ସମନ୍ୱୟର ସ୍ଥାପନା କରିବାକୁ ପ୍ରୟାସ କରିଛନ୍ତି–ଗୋଟିଏ ହେଉଛି ପ୍ରତ୍ୟେକ ମନୁଷ୍ୟର ଗୋଷ୍ଠୀଗତ ଜୀବନ ଏବଂ ଅନ୍ୟଟି ତା’ର ବ୍ୟକ୍ତିଗତ ଜୀବନ-। ଗୋଟିଏ ଜୀବନ ତାକୁ ସତେଅବା ଏକ ଦର୍ପଣ ପରି ଗଢ଼ିଆଣେ ଓ ଆରଟି ତାକୁ ଏକ ସ୍ୱତନ୍ତ୍ର ନିଜସ୍ୱତାର ଖୋରାକମାନ ପ୍ରଦାନ କରେ । ତାହାରି ଦ୍ୱାରା, ଶ୍ରୀ ଅଲ୍‌ପୋର୍ଟ୍‌ଙ୍କର କେତେ କବିତ୍ୱପୂର୍ଣ୍ଣ ଭାଷାରେ ମନୁଷ୍ୟ ଭିତରେ ତାହା ଗୋଟିଏ ଖାସ୍ ଆଲୋକର ପ୍ରଜ୍ଜ୍ୱଳନ ଘଟାଏ ଏବଂ ତା’ ଭିତରେ ଗୋଟିଏ ଆଲୋକଦାୟୀ ସ୍ୱତନ୍ତ୍ର ପ୍ରଦୀପକୁ ଜଳାଇ ଦେଇଥାଏ । ସେଇଟି ତା’ ମଧ୍ୟରେ ଏକ ବ୍ୟକ୍ତିର ଅନୁଭବ ଆଣି ଦେଇଥାଏ, - ସେହିଠାରୁ ସକଳ ଅର୍ଥରେ ଏକ ଅଭିନବ ସ୍ୱପରିଚିତିର ଉନ୍ମେଷଣା ଆରମ୍ଭ ହୋଇଥାଏ, ଅଲ୍‌ପୋର୍ଟ୍ ଯାହାକୁ ତା’ର ବ୍ୟକ୍ତିତ୍ୱ ବୋଲି କହିଛନ୍ତି-

ସେହି ପରିଚୟ-ଲାଭର ପ୍ରକୃତରେ ଏକାଧାରାରେ ଏକାଧିକ ନାନା ଅନୁଭବ: ଏକ ବ୍ୟକ୍ତିଗତ ଶରୀର, ଅନ୍ୟ ସଭିଙ୍କର ଶରୀର ପରି ହୋଇଥିଲେ ମଧ୍ୟ ସେଇଟି ତା’ ନିଜ ଶରୀର । ସେହି ଶରୀରକୁ ସେ ସର୍ବତୋଭାବେ ନିଜର ଶରୀର ବୋଲି ଜାଣେ, ତାହାର ଶୁଶ୍ରୂଷା ଇତ୍ୟାଦି କରେ ଏବଂ ସେଇଟି ନିମନ୍ତେ ନିଜକୁ ଦାୟୀ ବୋଲି ବୁଝିଥାଏ । ଭିତରେ ଅହଂ ନାମକ ଏକ ସ୍ୱାଭାବିକ ଅନୁଭବ ମଧ୍ୟ କ୍ରମେ ଉକୁଟି ଉକୁଟି ଆସୁଥାଏ ଏବଂ, ସେହି ଅହଂଭାବନାଟି କ୍ରମେ ବୃଦ୍ଧିଲାଭ କରୁଥାଏ ଏବଂ, ବୃଦ୍ଧିଲାଭ କରୁଥିବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ପ୍ରସାରିତ ବି ହୋଇଥାଏ । ତା’ ମସ୍ତିଷ୍କ ଭିତରେ ବୁଦ୍ଧି ବୋଲି ଏକ ବସ୍ତୁ ହୁଏତ ସୁପ୍ତପ୍ରାୟ ଅପେକ୍ଷା ମଧ୍ୟ କରୁଥାଏ ଯାହାକି ଅଧିକ ସକ୍ରିୟ ହୁଏ । ଏଣିକି ସିଏ ନିଜର ବୁଦ୍ଧିକୁ ଖଟାଇ ଆପଣାର କରଣୀୟ ଓ ଅକରଣୀୟ ଗୁଡ଼ିକ ବିଷୟରେ ଆପେ ନିଷ୍ପତ୍ତିମାନଙ୍କରେ ପହଞ୍ଚିପାରେ ଏବଂ ସେହି ପ୍ରକ୍ରିୟାଟିରେ ଅଧିକ ସମର୍ଥତା ତଥା ସହଜତାର ଅଧିକାରୀ ହୁଏ । କ୍ରମେ ନିଜକୁ ଏକ ସ୍ୱତନ୍ତ୍ର ଏକକ ରୂପେ ଅନୁଭବ କରେ । ଜୀବନରେ ବିଭିନ୍ନ ଅବସରରେ ସିଏ କ’ଣ ସବୁ ହାସଲ କରିବା ସକାଶେ ଉଦ୍ୟମ କରିବ ଓ କ’ଣସବୁ ଅବଶ୍ୟ ଜାଣିବ, ସେଥିରେ ପୋଖତ ହୋଇ ଆସୁଥାଏ । ଦିଏ ଓ ନିଏ, ନିଏ ଏବଂ ଦିଏ । ଧ୍ୟାନ ଦିଏ ଏବଂ ଧ୍ୟାନ ଆକର୍ଷଣ କରେ । ହାନିଲାଭ ବିଚାରେ, ପ୍ରାୟ ଗୋଟିଏ ଗାଣିତିକ ମାପକାଠିରେ ଯାବତୀୟ ଉଚିତ ତଥା ଅନୁଚିତକୁ । ଅନ୍ୟମାନେ ନିକଟବର୍ତ୍ତୀ ହୋଇ ଆସୁଥିବା ପରି ହୃଦୟଙ୍ଗମ କରେ ଏବଂ ପ୍ରାୟ ସେହି କାରଣରୁ ଆପେ ମଧ୍ୟ ସେହି ଅନ୍ୟମାନଙ୍କରେ ନିକଟବର୍ତ୍ତୀ ହେବା ଲାଗି ମନ କରିଥାଏ । ଆପଣାର ଧର୍ମୀୟ କାରବାର ମାନଙ୍କରେ ମଧ୍ୟ ସିଏ ନାନା ଦ୍ରବ୍ୟ-ନିବେଦନର ବିନିମୟରେ ତା’ ଦେବତାମାନଙ୍କ ଠାରୁ ଅବଶ୍ୟ କୃପା ପ୍ରାପ୍ତ ହେବ ବୋଲି ବିଶ୍ୱାସମାନ କରୁଥାଏ ।

‘ସଂଭବନ’ର ଏହି ପ୍ରକ୍ରିୟାଟିରେ ଅନେକ ସମୟରେ କିଛି ଆକସ୍ମିକତା ମଧ୍ୟ ରହିଥାଏ । ଆମ ଭିତରର gene ଗୁଡ଼ିକର ଖାସ୍ ଅନୁକୂଳତା ଆମକୁ ଅଧିକ ତ୍ୱରା ଅର୍ଥାତ୍ ସ୍ୱାଭାବିକତା ସହିତ ଆଗଭର କରି ନେଇ ଯାଆନ୍ତି । ନିଜର ଭିତରୁ ପ୍ରାୟ କୌଣସି ପ୍ରତିକୂଳତାର ସମ୍ମୁଖୀନ ହେବାକୁ ପଡ଼େନାହିଁ ଏବଂ ବାଧା ପରି ଭିତରେ ଅଥବା ବାହାରେ ବେଶ୍ କିଛି ପ୍ରତୀତ ହେଉଥିଲେ ମଧ୍ୟ ତଥାପି ଆଗେଇ ଯିବାର ଏକ ସ୍ଫୂର୍ତ୍ତି ଆସି ମିଳିଯାଏ । ଶରୀର ମୋଟେ ନାହିଁ ବୋଲି କହେନାହିଁ, ଭିତରର ମିଜାଜମାନେ ମୋଟେ ରୁଷି ବସନ୍ତିନାହିଁ । ସତେଅବା କୌଣସି ପ୍ରକାରର ଜଡ଼ତା ଆମ ଉତ୍ସାହ ନାମକ ଆକାଶଟିକୁ ଆଚ୍ଛନ୍ନ କରି ମୋଟେ ରଖିନଥାନ୍ତି । ଆମ ବୁଦ୍ଧିନାମକ ଘରଟିରେ କୌଣସି ପ୍ରକାରର ମାନ୍ଦ୍ୟ ଆମକୁ ଅମଙ୍ଗ କରି ପକାଇ ରଖିନଥାନ୍ତି । ଅର୍ଥାତ୍, ଗୋଟିଏ କଥାରେ କହିଲେ, ଆମ ବ୍ୟକ୍ତିତ୍ୱନାମକ ସମଗ୍ର ସମ୍ପଦଟିର ସେହି ଭୂମିସ୍ତରୀୟ ଯାବତୀୟ ସ୍ଥିତି ବସ୍ତୁତଃ ଆମରି ପଟେ ହିଁ ରହିଛନ୍ତି ବୋଲି ପ୍ରଚୋଦନାମାନ ଦେଉଥାଆନ୍ତି । ସେଇଟି ସହିତ ଆମ ଜୀବନର ବାହ୍ୟ ସ୍ଥିତିଗୁଡ଼ିକ ମଧ୍ୟ ସହଯୋଗୀ ହୋଇ ରହିଥାଆନ୍ତି । ଅନ୍ତତଃ, ଭୂମିଷ୍ଠ ହେବା ସମୟରେ ଗୋଟିଏ ଶିଶୁ ନିର୍ଦ୍ଦିଷ୍ଟ ଭାବରେ ଯେଉଁ ପରିବେଶଟିରେ ପୃଥିବୀକୁ ଅବତୀର୍ଣ୍ଣ ହୋଇଆସେ, ସେଇଟି ସହଯୋଗୀ ପରି ହିଁ କାର୍ଯ୍ୟ କରେ ।

ହଁ, ସଂସ୍କୃତିନାମକ ସେହି ସମଗ୍ର ଜଳବାୟୁଟି,- ସିଏ ଜୀବନଧାରଣ କରି ରହିଥିବା ଏହି ପରିପାର୍ଶ୍ୱଗତ ସର୍ବବିଧ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟହାନିର ଘଟଣାଗୁଡ଼ିକ । ସଂପୃକ୍ତ ମନୁଷ୍ୟପ୍ରାଣୀଟିର ସଂବର୍ଦ୍ଧନରେ ସେହି ସବୁଗୁଡ଼ିକର ଅବଦାନମାନ ରହିଥାଏ ଏବଂ ଏଇଟି ସକାଶେ ଏଇଟି ହେଲା ବୋଲି ତଥାପି କହି ହୁଏନାହିଁ । ବାହାରମାନେ ଭିତରମାନଙ୍କୁ ଆକାର ଅର୍ଥାତ୍ ମୋଡ଼ ଓ ବାଙ୍କମାନ ଆଣି ପ୍ରଦାନ କରନ୍ତି ଓ ଭିତରମାନେ ବାହାରକୁ ଅର୍ଥାତ୍ ମୋଡ଼ ଓ ବାଙ୍କଗୁଡ଼ିକୁ ଆଣି ଦେବାରେ ଲାଗିଥାଆନ୍ତି । ଏହି ପ୍ରସଙ୍ଗରେ ଶ୍ରୀଯୁକ୍ତ ଅଲ୍‌ପୋର୍ଟ୍ Opportunistic Becoming ନାମକ ଗୋଟିଏ ବ୍ୟାପାରର ଉତ୍‌ଥାପନ କରିଛନ୍ତି ଓ ତଦ୍ଦ୍ୱାରା ଆମକୁ ବହୁତ ସତର୍କ ମଧ୍ୟ କରି ଦେଇଛନ୍ତି । ଏକ ସୁବିଧାବାଦୀ ହାସଲ କରିବାର ଅନ୍ୟଜାତି ପ୍ରକ୍ରିୟା, ଯାହାକି ଆମ ଅନେକଙ୍କୁ ସତେଅବା ଗଳିବାଟ ମାନଙ୍କର ପ୍ରଲୋଭନ ଦେଇ ସତେଅବା ଖୁବ୍ ଉତ୍ସାହିତ କରନ୍ତି ଏବଂ ଆମ ଜୀବନର ଖାପ୍ ଖାଇଯାଇ ପାରିବାର ପ୍ରକ୍ରିୟାରେ ଗୁର୍ଦ୍ଦୁ ସହାୟତା କରି ଥାଆନ୍ତି । ସେହି ଉପରେ ଉପରେ କେଡ଼େ ସହଜରେ ଆମେ ଖାପ୍ ଖାଇ ରହିଯାଇ ପାରିଲୁ ବୋଲି ବେଶ୍ ଦୃଢ଼ ପ୍ରତୀତିଟିଏ ଆଣି ଦିଅନ୍ତି । ଆମେ ଏପରି କରି ପ୍ରକୃତରେ ସଫଳ ହିଁ ହୋଇ ପାରିଲୁ ବୋଲି ବହୁତ ପରିମାଣରେ ଆମକୁ ବୁଝାଇ ଦିଅନ୍ତି । କିନ୍ତୁ ଆମ ଜୀବନର ଯେଉଁ ପ୍ରକୃତ ଅଳିନ୍ଦରେ ଆମ ସତ ପରିବର୍ତ୍ତନର ସ୍ଥାୟୀ ମୂଳଦୁଆ ଗୁଡ଼ିକ ପଡ଼େ, ଏମାନେ ମୋଟେ ସେଯାଏ ଯାଇ ପାରନ୍ତିନାହିଁ ।

ବାହାରେ ଅଭ୍ୟାସମାନେ ବଦଳି ଯାଆନ୍ତି । ସ୍ୱଭାବ ତଥା ଆଚାରମାନେ ନୂଆଟାକୁ ପରମନିଷ୍ଠାର ସହିତ ଗ୍ରହଣ କରି ନେଇଥିବା ପରି ବହୁ ବହୁ ପ୍ରତ୍ୟୟ ମଧ୍ୟ ଦେଉଥାନ୍ତି ଏବଂ, ତା’ସହିତ ଆମ ସାମୂହିକ ଜୀବନର ରୁଢ଼ିମାନଙ୍କୁ ଆମେ କେଡ଼େ ବିଶ୍ୱସ୍ତ ଭାବରେ ସର୍ବଦା ପାଳନ କରୁଛୁ ଅର୍ଥାତ୍ ଆଦୌ ଶୃଙ୍ଖଳାଭଙ୍ଗ କରୁନାହୁଁ ବୋଲି କେତେମନ୍ତେ ବି ପ୍ରତିପାଦିତ ହୋଇ ଯାଉଥାଏ । ଖାସ୍ ପୋଷାକ ମାନଙ୍କର ପରିଧାନ, ନିୟମଗୁଡ଼ିକର ପରିପାଳନ ଇତ୍ୟାଦି ଇତ୍ୟାଦି କୌଣସିଥିରେ ହିଁ କେତେବେଳେ ହେଲେ କୌଣସି ଖୁଣ ହିଁ ନଥାଏ । ନିଜ ଗୋଷ୍ଠୀଟିର ଖାସ୍ ଭାଷାପ୍ରୟୋଗ ଗୁଡ଼ିକରେ ଆମର କୌଣସି ଖିଲାପ ମଧ୍ୟ ହୁଏନାହିଁ । ଖାସ୍ କାଇଦାମାନେ ମଧ୍ୟ ପୂରା ଦୋରସ୍ତ ହୋଇ ରହିଥାଆନ୍ତି । ଅଭ୍ୟାସମାନେ ଗୋଷ୍ଠୀଟିର ଅନ୍ୟମାନଙ୍କର ସଂପୂର୍ଣ୍ଣ ଅନୁରୂପ ହୋଇ ରହିଥାଆନ୍ତି । ଟିକିଏ ବାଙ୍କେଇ ଯାଇ ଆମେ କହି ପକାଇବା ଯେ, ପୃଥିବୀର ଯାବତୀୟ ଗୋଷ୍ଠୀଜୀବନରେ ଏହିପରି କେତୋଟି ବିଷୟ ପ୍ରାୟ ସର୍ବଦା ହିଁ ରହିଥାଏ, ଗୋଷ୍ଠୀର ସଦସ୍ୟମାନେ ସତେଅବା ସବାଆଗ ଆନୁଗତ୍ୟ ସହିତ ଯାହାର ପାଳନ କରନ୍ତି । ଏହି କରଣିଗୁଡ଼ିକୁ ଆଶ୍ରା କରି ସଂପୃକ୍ତ ସଦସ୍ୟମାନେ ପୂର୍ଣ୍ଣ ଅନୁରକ୍ତି ସହିତ ଗୋଷ୍ଠୀରେ ରହିଛନ୍ତି ବୋଲି ଏକ ପ୍ରମାଣ ଦେବେ ବୋଲି ଇଚ୍ଛା କରୁଛନ୍ତି ନା ସେହିପରି ଗୋଟିଏ ଆଳରେ ଆପଣାକୁ ଲୁଚାଇ ରଖିବା ନିମନ୍ତେ ପ୍ରୟାସ କରୁଛନ୍ତି ? ଧର୍ମୀୟ ଗୁରୁମାନେ ସତେଅବା ଆଉ କ’ଣ ସବୁ ଭାବନା ଏବଂ ଆଶଙ୍କାର ଚକ୍ରାନ୍ତରେ ପଡ଼ି ଆପଣା ସଂପ୍ରଦାୟ ଗୁଡ଼ିକର ନିୟମସଂହିତାମାନ ତିଆରି କରିବାର ପ୍ରକ୍ରିୟାରେ ସେଥିପାଇଁ ଏହି ବହୁବିଧ ଚିତା ଓ ପଇତା ଗୁଡ଼ିକର ଉଦ୍‌ଭାବନ କରିଛନ୍ତି କି-? ଏଗୁଡ଼ିକ ସେହି କାଳକାଳରୁ ଆମ ଏକାଳ ପର୍ଯ୍ୟନ୍ତ ସତେଅବା ଏକ ଚରମତମ ଅବଶ୍ୟ ପ୍ରବର୍ତ୍ତନ ରୂପେ ବଳବତ୍ତର ରହିଛି । ଧର୍ମ ଭିତରୁ ପ୍ରେଣା ଲାଭ କରି ସତେଅବା କେଉଁ ଅପରିହାର୍ଯ୍ୟତାର ବୋଲ ମାନି କ୍ରମେ ତାହା ରାଜନୀତି, ରାଜନୀତିକ ଆନୁଗତ୍ୟ ଓ ଆଦର୍ଶ ଆଡ଼େ ସଂକ୍ରାମିତ ହୋଇଯାଇଛି । ଖୁବ୍ ଗୋଟିଏ ସହଜ ଭେଷଜ ପରି କାର୍ଯ୍ୟ ମଧ୍ୟ ଦେଉଛି ଏବଂ, ଏକ ନିତାନ୍ତ ବିସ୍ମୟକର ବ୍ୟାପାର ଯେ, ଆମ ପୃଥିବୀର ଧର୍ମଗତ ଓ ଅନ୍ୟାନ୍ୟ ବହୁ ବୈମନସ୍ୟ ଧର୍ମଟାର ମଞ୍ଜକୁ ନେଇ ଯେତେ ନୁହେଁ, ସେହି ସନ୍ତକ-ମାନଙ୍କୁ ହିଁ ସୃଷ୍ଟ ହେବାରେ ଲାଗିଛି ଏବଂ ନାନା ଅଜବ ଅଜବ ସମସ୍ୟା ଓ ସଙ୍କଟକୁ ଡାକିନେଇ ଆସୁଛି । ଠେଙ୍ଗା ଚାଲିଛି ଓ ବୋମା ଫୁଟୁଛି-। ହୁଏତ, ଗୁରୁମାନେ ମଧ୍ୟ ଉପଲବ୍ଧି କରି ପାରୁଛନ୍ତି ଯେ, ଭିତରଟାକୁ ଧର୍ମୀୟ ସମେତ ଯେକୌଣସି ସତ ଦୀକ୍ଷାଗ୍ରହଣର ଯୋଗ୍ୟ କରି ଆଣିବା ଆଦୌ ସାନ କଥାଟିଏ ନୁହେଁ, ଏବଂ ତେଣୁ ଏହି ଭେକ ଏବଂ ବାହ୍ୟଗୁଡ଼ାକର କ୍ଷେତ୍ରରେ ଅନ୍ତତଃ ଅନୁଗତମାନେ ଅଲଗା ପ୍ରକାର ଦିଶିପାରନ୍ତୁ, ତେବେ ନିଦାନସ୍ତରରେ କିଛି ସମ୍ଭବ ହୋଇ ନଥିଲେ ମଧ୍ୟ ଅନ୍ତତଃ ଏହି ପ୍ରସାଧାନ ଗୁଡ଼ିକର ମାଧ୍ୟମରେ ଏହି ଖାତାଭୁକ୍ତମାନେ ଘରଟି ଭିତରେ ରହିଛନ୍ତି ବୋଲି ଅନୁଭବ କରନ୍ତୁ । କିଛି ନହେଲେ ଆମର ଧର୍ମାୟତନଟା ସତକୁ ସତ ଏତେବଡ଼ ଓ ଏଡ଼େ ମହିମାମୟ ବୋଲି ତାହା ଗୋଟିଏ ଆଶ୍ୱାସନା ଆଣି ଯୋଗାଇଦେବ ତ !

ଏହିପରି ଭାବରେ ଆମ ଜୀବନର ସଂଭବନ-କ୍ରମରେ ଶ୍ରୀଯୁକ୍ତ ଅଲ୍‍ପୋର୍ଟ୍‍ଙ୍କର ପ୍ରକାର-ନିରୂପଣଟି ମଧ୍ୟରେ ତିନୋଟି ଦିଗ: Bio-logical, Tribal ଏବଂ Spiritual; ଆମେ ଏଠାରେ ବୁଝିପାରିବା ଭଳି କ୍ରମାନ୍ୱୟରେ ଶାରୀରିକ ପ୍ରଥମ ପର୍ଯ୍ୟାୟ, ଗୋଷ୍ଠୀ ସହିତ ଆପଣାକୁ ସାମିଲ କରିନେବାର ପର୍ଯ୍ୟାୟ ତଥା ଅଧ୍ୟାତ୍ମ-ବିକାଶର ପର୍ଯ୍ୟାୟ । ସେହି ପର୍ଯ୍ୟାୟ ତିନୋଟି ଯେ ଗୋଟିକପରେ ଗୋଟିଏ ଆସନ୍ତି ନାହିଁ, ସେକଥାଟିକୁ ଆମେ ପୂର୍ବରୁ ହିଁ ହୃଦୟଙ୍ଗମ କରି ପାରିଥିବା । ଆମ ଶାରୀରିକ ଜୀବନର ସମର୍ଥତା ଗୁଡ଼ିକ ଆମର ନିଜ ଜୀବନରେ ଅଣ୍ଟା ସିଧା କରି ଅର୍ଥାତ୍ ଯଥେଷ୍ଟ ବିଶ୍ୱାସର ସହିତ ପୋଖତ ହୋଇ ଆସୁଥିବା ସହିତ, ଆମେ ଜଣେ ଜଣେ ଯେ ଆଦୌ ଗୋଟିଏ ଗୋଟିଏ ଶରୀର ମୋଟେ ନୋହୁ, ସେହି କଥାଟି ଆମ ଆଖି ଓ ଅନ୍ଦାଜଗୁଡ଼ିକ ମଧ୍ୟରେ ଅଧିକରୁ ଅଧିକ ସ୍ପଷ୍ଟ ହୋଇ ଆସୁଥାଏ । ସେହି ଗୋଷ୍ଠୀର ହିଁ କେତେ କଣ କେଡ଼େ ଆତ୍ମୀୟତା ସହିତ ଆମର ଶ୍ରୁଶ୍ରୂଷା କରି ଆମକୁ ପାକଳ କରି ଆଦୌ ଆଣିନାହାନ୍ତି । ନିଜର ଅତ୍ୟନ୍ତ ସୀମିତ ଆଗ୍ରହ ଓ ଆବଶ୍ୟକତା ମାନଙ୍କର କ୍ଷୁଦ୍ର ଖୋସାଗୁଡ଼ିକୁ ଫଟାଇ ଆମେ ଘର ବାହାରକୁ ଯାଉ, ସାଙ୍ଗସାଥୀ ମାନଙ୍କର ଏକ ବହୁକୌତୁହଳପୂର୍ଣ୍ଣ ସଂସାରକୁ ଆବିଷ୍କାର କରିଥାଉ । ଆମ ପରିବାରବୋଧ ଗୁଡ଼ିକର ଖୁବ୍ ସାନସୀମାମାନ ପ୍ରସାରିତ ଏବଂ ପ୍ରଲମ୍ବିତ ହୋଇ ଯାଆନ୍ତି । ଆମ ନଜରମାନେ ଓ ସେହି ଅନୁସାରେ ଆମ ଆନୁଗତ୍ୟମାନେ ମଧ୍ୟ କେତେ କେତେ ଆମ ଜୀବନନିର୍ଭର ଏବଂ ଜୀବନସମ୍ପୃକ୍ତି ମାନଙ୍କୁ ନୂଆ ନୂଆ ଅନୁରାଗ ଆଣି ଯୋଗାଇ ଦିଅନ୍ତି । ଭାରି ହାଲୁକା ଲାଗୁଥାଏ । ନାନା ଅଧିକତର ପରିଚିତରେ ଆମକୁ ଧନାଢ଼୍ୟ କରିନିଏ । ବୟସରେ ଆଗକୁ ଆଗକୁ ଯାଇ ଆମେ ଗୋଟିଏ ଭାଷାକୁ ନିଜର ଭାଷା ବୋଲି କହୁ, ଗୋଟିଏ ଦେଶକୁ ଆପଣାର ଧର୍ମ ବୋଲି ଚିହ୍ନୁ ଏବଂ ପ୍ରାୟ ସେହିପରି ପ୍ରକ୍ରିୟାରେ ଗୋଟିଏ ଧର୍ମକୁ ମଧ୍ୟ ନିଜର ଧର୍ମ ବୋଲି ଅନୁଭବ କରିପାରୁ । ଆମ ଗୋଷ୍ଠୀଜୀବନ ଆମକୁ ବରାବର ସତେଅବା ଜନନୀ ସଦୃଶ ଆମକୁ ବେଷ୍ଟନ କରି ରଖି ଏବଂ ଅଭୟ ଦେଇ ଆମକୁ ଟାଣ କରି ନେଉଥାଏ ।

ଏହି ଦୁଇଟି ଆଗ, ସବାଆଗ । ଅତ୍ୟାବଶ୍ୟକ ଓ ଅପରିହାର୍ଯ୍ୟ । ମାତ୍ର, ତଥାପି ଏକ ପୂର୍ଣ୍ଣଚ୍ଛେଦ ଆଦୌ ନୁହେଁ । ଶ୍ରୀ ଅଲ୍‌ପୋର୍ଟ୍ ପରବର୍ତ୍ତୀ ଆହ୍ୱାନଟିକୁ Spitirutal ବୋଲି କହିଛନ୍ତି-। ଆମ ଜୀବନରେ ବ୍ୟକ୍ତିତ୍ୱ-ବିକାଶର ଏକ ପୂର୍ଣ୍ଣ ସକାରାତ୍ମକ ଆହ୍ୱାନ । ଆମ ପଥଯାତ୍ରାରୁ ଉପଲବ୍ଧ ସମ୍ପଦଗୁଡ଼ିକୁ ଆମେ ଗୋଟିଏ ଅନନ୍ୟ ନିଜସ୍ୱତାରେ ରୂପାୟିତ କରି ନେବା,- ପୃଥିବୀ ଲାଗି କୌଣସି ପ୍ରକାରର ଅବଜ୍ଞା ଭାବ ପ୍ରଦର୍ଶନ କରି ଅଲଗା ଏବଂ ସେହି ଭ୍ରମରେ ଅଧିକ ହୋଇ ରହିବାର କୌଣସି ଅନ୍ୟଭଳି ଭାବନା ଆଦୌ ନୁହେଁ । ନାହିଁ ନାହିଁ, ମୁଁ ନିଜକୁ ଅଧିକ ନିପୁଣ ଅର୍ଥାତ୍ ଅକୃପଣ ଭାବରେ ଏପରି ଗଠିତ କରି ନେଉଥିବି, ଯାହାଫଳରେ କି ମୁଁ ଅଧିକ ସମ୍ମତି ସହିତ ଆପଣାକୁ ସମର୍ପିତ ଭାବେ ସତତ ତିଆରି କରି ନେବି,- ମୋ’ ପୃଥିବୀଟି ଲାଗି,- ଏହି ସର୍ବବିଧ ସମଷ୍ଟିଗୁଡ଼ିକ ନିମନ୍ତେ । ଅର୍ଥାତ୍, ତିଆରି କରି ନେଉଥିବାର ଆଦୌ କୌଣସି ଅନ୍ତ ନଥିବ ଓ ସେହି ସମର୍ପିତ ତଥା ସମ୍ମତ ହୋଇ ରହିବାର ମଧ୍ୟ କୌଣସି ଅନ୍ତ ନଥିବ-। ହେବାର ଅନ୍ତ ନଥିବ ଏବଂ ଦେବାର ଅନ୍ତ ନଥିବ । ପ୍ରାୟ ଓଲଟାଇ କହିଲେ, ଦେବାର ଅନ୍ତ ନଥିବ ଓ ତେଣୁ ହେବାର ଅନ୍ତ ନଥିବ ।

ଏହି ବିକାଶ-ସମ୍ମୁଜ୍ଜ୍ୱଳ ପର୍ଯ୍ୟାୟଟିକୁ ଆଧ୍ୟାତ୍ମିକ ବ୍ୟତୀତ ବସ୍ତୁତଃ ଆଉ କ’ଣ ବୋଲି ବି କୁହାଯିବ ? ଆମ ଜୀବନର ସଂଭବନ-ଧାରାଟିକୁ ପୂର୍ଣ୍ଣ ସହଯୋଗିତାରେ ଯୋଗ୍ୟ ଓ ଅଧିକ ଯୋଗ୍ୟ କରାଇ ଆଣି ଆପଣାର ଯାବତୀୟ ଅର୍ଜନକୁ ଏଠି ସବୁଟି ଲାଗି, ସବୁରି ଲାଗି ସମର୍ପଣ କରି ରଖିବାରେ ସେହି ମୂଳଭୂତ ବିବର୍ତ୍ତନ-ପ୍ରକ୍ରିୟାରେ ନିଜକୁ ସମର୍ପିତ କରି ରଖିବା ଅର୍ଥାତ୍ ସମର୍ପିତ ହୋଇ ରହିବା, ତାହାକୁ ସର୍ବବିଧ ଲକ୍ଷଣରେ ଅଧ୍ୟାତ୍ମ ବ୍ୟତୀତ ଆଉ କାହିଁକି କ’ଣ ବା କୁହାଯିବ !

ଏହି ଅଧ୍ୟାୟର ଦୁଇଟିଯାକ ଟିପ୍ପଣୀ:

୧.

Erik Eriksen : Childhood and Society, Norten, Newyork, 1950.

୨.

Gordon W.Allport : Becoming, Yale University Press, 1960.

Image

 

Unknown

ସୁସ୍ଥ ଏବଂ ଅସୁସ୍ଥ

 

ଆମ ଦିହରୋଗ ଗୁଡ଼ିକର ଚିକିତ୍ସାକାରୀମାନେ କେତେ ନା କେତେ ମାପଯନ୍ତ୍ରକୁ ମାଧ୍ୟମ କରି ଆମକୁ ପରୀକ୍ଷା କରନ୍ତି ଏବଂ ଆମ ଦେହକୁ ଭଲ କରନ୍ତି । କିନ୍ତୁ, ଏହିପରି ଭାବରେ ରୋଗମାନଙ୍କରୁ ମୁକ୍ତ ହୋଇ ରହିଥିବା ଦେହଟା କ’ଣ ପ୍ରକୃତରେ ସୁସ୍ଥ ? ସର୍ବଦା କର୍ମକୁଣ୍ଠ ହୋଇ ରହିଥିବା, କୁମ୍ଭୀର ପରି ପଡ଼ି ରହିଥିବା ଏବଂ ନିତାନ୍ତ ଅସହାୟ ଭାବରେ ଧର୍ମତଃ ନାନା ଭୋଗ ଭିତରେ ଲଟରପଟର ହେବାରେ ଲାଗିଥିବା ଏବଂ ତଥାପି ଆହୁରି ଆହୁରି ଭୋଗ କରିବା ଲାଗି ଆକୁଳ ହେବାରେ ଲାଗିଥିବା, ସେହି କେଡ଼େ କମନୀୟ ଦେହମାନେ କ’ଣ ସତୁକ ସତ ସୁସ୍ଥ ? ସେହିପରି କିଛି ବିଡ଼ମ୍ବନା ହେତୁ ଆମ ପୃଥିବୀରେ ଏବେ ରୋଗ, ଔଷଧ ଓ ଚିକିତ୍ସକମାନଙ୍କର ତାଲିକାମାନେ ବଢ଼ୁଥିବା ସହିତ ପୃଥିବୀ କ୍ରମେ ଅଧିକ ଅସୁସ୍ଥ ହେବାରେ ଲାଗିଛି ଓ ନୂଆ ନୂଆ ରୋଗମାନେ ମଧ୍ୟ ଆସି ହାବୁଡ଼ି ଯାଉଛନ୍ତି କି ? କ୍ରମେ ଆମ ଦେହର ସ୍ୱଭାବଟା ବିଷୟରେ ଅଧିକ ବାର୍ତ୍ତାମାନ ଲାଭ କରି ପାରୁଥିବା ଆଉମାନେ ବି କୋଉଦିନୁଁ ମଧ୍ୟ କହିଲେଣି ଯେ, ଆମ ଦେହର ସ୍ତରରେ ଏପରି କୌଣସି ବେରାମ ମୋଟେ ନାହିଁ, ଯାହାକି ଆମ ମନ ସହିତ ମଧ୍ୟ ଯୋଖି ହୋଇ ନରହିଛି ।

 

ମନର ମଧ୍ୟ ବହୁ ପ୍ରକାରର ବେରାମ ରହିଛି । ଦେହର ଡାକ୍ତରମାନେ ସତେଅବା କେଡ଼େ ସୁନିଶ୍ଚିତ ସ୍ୱପ୍ରତ୍ୟୟରେ ଶରୀରର ବେରାମ ମାନଙ୍କୁ ଔଷଧ ଦେଇ ସାଧ୍ୟ କରି ଆସୁଛନ୍ତି, ମନର ଚିକିତ୍ସା ବେଳକୁ ମଧ୍ୟ ସେହି ପ୍ରାୟ ଗୋଟିଏ ପଦ୍ଧତି । ପ୍ରଧାନତଃ ଭଳି ଭଳି ନିଦ ଔଷଧ ଦେଇ ଜୀବନଟାକୁ କାଉଁଦା କରି ରଖିବାର କେତେ କେତେ ପାଠ ଏବଂ ଶାଠ । କିଛି ନହେଲେ ବିଦ୍ୟୁତ୍‌ଶକ୍ ଦେଇ ପୂରା ସାବାଡ଼ କରି ରଖିବାର ଏକ ଭୟାନକ ବଳାତ୍କାର । ଆମ ପ୍ରତ୍ୟେକଙ୍କର ଏହି ଦେହଟା ହେଉଛି ଗୋଟିଏ ସମଗ୍ର ସିଷ୍ଟେମ୍ ଏବଂ ସେହି କାରଣରୁ କୌଣସି ଗୋଟିଏ ଅଂଶବିଶେଷକୁ ହିଁ ରୋଗାକ୍ରାନ୍ତ ହୋଇଥିବାର ଗୁଡ଼ିଏ ଅନୁମାନ କରି ସେହି ଅନୁସାରେ ଔଷଧର ପ୍ରୟୋଗଦ୍ୱାରା ପ୍ରକୃତରେ କୌଣସି ସତ ଆରୋଗ୍ୟ ସମ୍ଭବ ହେବନାହିଁ ବୋଲି ଏବେ ତଦ୍‌ବିତ୍‌ମାନେ କହିଲେଣି ଏବଂ, ମାନସିକ ଜୀବନର ସର୍ବବିଧ ଅଧ୍ୟୟନ ତଥା ଆରୋଗ୍ୟ-ବ୍ୟବସ୍ଥାରେ ଆମେ ଆମର ସେହି ପୁରୁଣା ବାଡ଼ିଗୁଡ଼ିକୁ ବୁଲାଇ ଦେଇ ହୁଏତ ଆମେ କିଛି ବି କରି ପାରିବାନାହିଁ । ଆମ ପୁରୁଣା ବହିମାନଙ୍କର ବିଦ୍ୟାଟା ଆମକୁ ବିଶେଷ ସହାୟତା ଆଦୌ ଦେଇ ପାରିବେନାହିଁ ।

 

ତେଣୁ, ନିଜର ଚଳନ୍ତି ସମାଜଟାରେ ଯେଉଁମାନେ ମଣ ହୋଇ ରହି ପାରୁନାହାନ୍ତି, ସେହିମାନେ ହେଉଛନ୍ତି ମାନସିକ ଅସୁସ୍ଥତାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ । ଆମେ ପ୍ରାୟ ସମସ୍ତେ ସମସ୍ତେ ଯେଉଁପରି ମଣ ହୋଇ ରହିଛୁ, ସେମାନେ ମଧ୍ୟ ସେହିଭଳି ମଣ ହୋଇ ରହିବେ । ନହେଲେ ଆମର ସମାଜ ପୁଣି ଚଳିବ ମଧ୍ୟ କିପରି ? ମାନସିକ ପ୍ରକାରେ ସମସ୍ତେ ସମାଜ ସହିତ ଖାପ ଖାଇ ରହିଥିବେ । ତେଣୁ, ଖାପ କାଇ ନଥିବା ବା ନପାରିଥିବା ମନୁଷ୍ୟମାନେ ମାନସିକ ରୋଗୀ ରୂପେ ଗଣ୍ୟ ହେବେ ଓ ନ୍ୟାୟତଃ ସେହି ଅନୁସାରେ ହିଁ ସେମାନଙ୍କର ଚିକିତ୍ସା ହେବ । ମାନସିକ ଅସୁସ୍ଥତାର କ୍ଷେତ୍ରରେ ଆମେ ପ୍ରାୟ ପୃଥିବୀଯାକ ସର୍ବତ୍ର ସେହିଯାଏ ହିଁ ଆସିଛୁ ଓ ସତେଅବା ସେତିକିରେ ଅଟକି ଯାଇଛୁ ଏବଂ, ଚିକିତ୍ସାମାନେ ମଧ୍ୟ ଆପଣାକୁ ଅଳ୍ପବହୁତ ସେତିକି ଉପଚାର ମଧ୍ୟରେ ସୀମିତ କରି ରଖିଛନ୍ତି । ଶାରୀରିକ ରୋଗ ପରି ମାନସିକ ରୋଗର ଚିକିତ୍ସା ନିମନ୍ତେ ଚିକିତ୍ସାଳୟ ମହଜୁଦ ରହିଛି ଏବଂ ସେଗୁଡ଼ିକରେ ବିଶେଷଜ୍ଞ ଏବଂ ପ୍ରବୀଣମାନେ ନିଯୁକ୍ତ ରହିଛନ୍ତି । ତଥାପି, ସବୁକିଛି ସେହି ଖାପ ଖାଇବା ମଧ୍ୟରେ ସୀମିତ ହୋଇ ରହିଛି । ଆହୁରି ଆଗକୁ ଚିନ୍ତା କଲେ ସବୁକିଛି ବଡ଼ ଜଟିଳ ହୋଇ ପଡ଼ିବ ଏବଂ ତା’ ପରେ ଏତିକି ମଧ୍ୟ କରି ହେବନାହିଁ ବୋଲି ଆଶଙ୍କା କରି ସେହିପରି ହେଉଛି କି ?

 

ପୃଥିବୀ ତ ବର୍ତ୍ତମାନ କେତେ ବିଚିତ୍ର ପ୍ରକାରେ କେବଳ ଅସୁସ୍ଥ ହିଁ ଅସୁସ୍ଥ ହୋଇ ରହିଛି-। ବୈଜ୍ଞାନିକମାନେ ସେମାନଙ୍କର ଗବେଷଣାର କ୍ଷେତ୍ରରେ ମଜ୍ଜି ରହି ବୋମା ପାଖରେ ଆସି ପହଞ୍ଚି ଗଲେଣି । ବିଜ୍ଞାନର ପ୍ରୟୋଗଗୁଡ଼ିକ ସୁସ୍ଥ ଭାବରେ ମନୁଷ୍ୟମାନଙ୍କର କଲ୍ୟାଣରେ ଲାଗୁଥିଲେ ପୃଥିବୀରେ ଭୋକ କାହିଁକି ରହନ୍ତା, ଅଭାବ କାହିଁକି ରହନ୍ତା, ପୃଥିବୀଯାକର ପିଲାମାନେ ପୁଣି କ’ଣ ପାଇଁ ଇସ୍କୁଲ-ଦୁଆର ମାଡ଼ି ପାରନ୍ତେନାହିଁ । ଏକ ମୂଳଭୂତ ଅସୁସ୍ଥତା ସକାଶେ ତ ପୃଥିବୀଯାକ ଅଳପ ମଣିଷ ଅଧିକ ମାଡ଼ି ବସିଛନ୍ତି ଏବଂ ନ୍ୟସ୍ତସ୍ୱାର୍ଥମାନେ ଆମ ମଣିଷମାନଙ୍କର ଅସଲ ସ୍ୱାର୍ଥ ଅର୍ଥାତ୍ ଅସଲ କଲ୍ୟାଣମାନଙ୍କୁ ଅବହେଳିତ କରି ରଖିଛନ୍ତି । ସେହି ଦଶରଥ ମାନଙ୍କ କାଳରୁ ଏଠାରେ କିସମ କିସମର ଧର୍ମ ଓ ସେହି ଅନୁସାରେ ପବିତ୍ର ଧର୍ମଶାସ୍ତ୍ରମାନେ ଯାହାକୁ ଯେତେ; ମାତ୍ର ନିଜ ନିଜ ଧର୍ମରେ କେହିହେଲେ ନାହାନ୍ତି ଏବଂ ତୁଚ୍ଛା ଘୃଣାମାନଙ୍କୁ ବଳବତ୍ତର କରି ରଖିଛନ୍ତି । ଦେଉଳଗୁଡ଼ିକ ଭର୍ତ୍ତି ହୋଇ ରହିଛନ୍ତି; ମନ୍ତ୍ର ଯେତିକି ସୂତ୍ର ବି ସେତିକି । ଉପାସନା ଏବଂ ପ୍ରାର୍ଥନା ଓ ବିଧି ଏବଂ ବିଧାନମାନେ ପ୍ରତ୍ୟେକ ଧର୍ମରେ ଗଦା ଗଦା ଏବଂ, ଯଦି ଜଣେ ବ୍ୟକ୍ତି ନିଜ ଧର୍ମଟିର ପାଳନ କରନ୍ତା ଅର୍ଥାତ୍ ଧର୍ମଟିକୁ ଯଦି ବଞ୍ଚିବାକୁ ମନ କରନ୍ତା ତେବେ ସିଏ ଏଠି ପୃଥିବୀରେ ଆଦୌ କୌଣସି ପ୍ରକାରର ଉପଦ୍ରବର କଦାପି କାରଣ ହୁଅନ୍ତା ନାହିଁ ।

 

କେବଳ ଧର୍ମରେ ନୁହେଁ, ଆର୍ଥିକ ଜୀବନରେ ଓ ସମାଜମାନଙ୍କର ବ୍ୟବସ୍ଥାରେ କେତେ କେତେ ଶୋଷଣ ଲାଗି ରହିଛି । ଯେଉଁମାନେ ଶୋଷଣ କରନ୍ତି, ସେମାନେ କ’ଣ ସୁସ୍ଥ ? ଏବଂ, ଯେଉଁମାନେ ଶୋଷଣଗୁଡ଼ିକୁ ସହ୍ୟ କରନ୍ତି, ସେମାନେ ସୁସ୍ଥ ? ଏହି ପୃଥିବୀରେ ରାଜତନ୍ତ୍ର, ସାମରିକ ତନ୍ତ୍ର ଏବଂ ଏପରିକି ଯେଉଁ ତଥାକଥିତ ଗଣତନ୍ତ୍ରମାନେ ପୃଥିବୀଭାଗ୍ୟର ନିୟନ୍ତ୍ରଣ କରୁଛନ୍ତି ଏବଂ ଯେଉଁମାନେ ଜାତୀୟତାବାଦର ଭେଳିକିମାନେ ଲଗାଇ ସେିହ ପୁରୁଣାଗୁଡ଼ିକୁ ହିଁ ବହୁ ଫିକରରେ ବଜାୟ ରଖିଛନ୍ତି, ସେମାନେ ସୁସ୍ଥ ? ଆମ ଆଦର୍ଶଗୁଡ଼ିକ ସୁସ୍ଥ ? ତେବେ, ଆଦର୍ଶ ନାମରେ ପୃଥିବୀଯାକ ତୁଚ୍ଛା ଅସହିଷ୍ଣୁତାମାନେ ଏପରି ବୃଦ୍ଧି ପାଇବାରା କାହିଁକି ଲାଗିଛନ୍ତି ? ବିଶ୍ୱାସମାନଙ୍କୁ ନେଇ ଅସହିଷ୍ଣୁତା, ବାଦଗୁଡ଼ିକୁ ନେଇ ଅସହିଷ୍ଣୁତା ଏବଂ ଠିକ୍ ଓ ଅଠିକ୍‌ଗୁଡ଼ିକୁ ନେଇ ଅସହିଷ୍ଣୁତା ? ପୃଥିବୀର ସର୍ବତ୍ର ସଂପୃକ୍ତ ସବୁ ମନୁଷ୍ୟଙ୍କୁ ନଜରରେ ରଖି ଯଦି ସବୁକିଛି ହେଉଥାଆନ୍ତା, ତେବେ ତ କେଡ଼େ ସହଜରେ ସବୁକିଛିର ସମାଧାନ ହୋଇ ଯାଆନ୍ତା । ମାତ୍ର, ସବୁଠାରେ ତ କିଛି ବଡ଼ ମାଛ ରହିଛନ୍ତି, ଯେଉଁମାନେ କ୍ଷୁଦ୍ର ମତ୍ସ୍ୟଗୁଡ଼ିକୁ ଖତମ କରିଦେବେ ବୋଲି ଦଉଡ଼ିଛନ୍ତି । ଅଧିକ ପାଠୁଆ ଅଧିକ ବୁଦ୍ଧିଆ ତଥା ଅଧିକ ବିତ୍ତବାଲାମାନେ ଯେ ସର୍ବବିଧ ଅବସରରେ ବଡ଼ ମାଛ ବନି ପାରୁଛନ୍ତି, ଆମେ ତାହାକୁ କେବେହେଲେ ଗୋଟିଏ ସୁସ୍ଥ ବ୍ୟବସ୍ଥା ବୋଲି କହିବା କି ? ଅଧିକ ବୁଝୁଥିବା ମନୁଷ୍ୟମାନେ ଆମ ସମସ୍ତଙ୍କର କେଉଁ ଦୁର୍ଭାଗ୍ୟ ହେତୁ ପ୍ରାୟ ସଚରାଚର ଏପରି ଅସାଧୁତାମାନ କରୁଛନ୍ତି କାହିଁକି କେଜାଣି ? ସତକୁ ସତ ସୁସ୍ଥ ହୋଇଥିଲେ ସେମାନେ ତାହା ମୋଟେ କରନ୍ତେ ନାହିଁ ।

 

ଆମ ଦେଶରେ ଜାତିବାଦ ଅର୍ଥାତ୍ ଜାତିଭେଦ ନାମକ ଅନ୍ୟାୟଟା ଯୁଗ ଯୁଗ ଧରି ମନୁଷ୍ୟମାନଙ୍କୁ ଫରକ ଫରକ କରି ରଖିଛି । ଗୋଟାଏ ପାଖକୁ ପ୍ରାୟ ସବୁକିଛି ଭୋଗ କରିବାର ଲାଇସେନ୍‌ସ୍ ଦେଇ ଅନ୍ୟ ପାଖଟିକୁ ବଞ୍ଚିତ କରୁଛି । ଦେଶ ସ୍ୱାଧୀନ ହେଲାଣି, ଯୁଗ ବଦଳି ଯାଉଛି, ତଥାପି ଜାତିବାଦ ଯାଉନାହିଁ, ବରଂ ନୂଆ ଦୁର୍ବୁଦ୍ଧିରେ ସେଇଟାର ନୂତନ ନାନା ପରିପ୍ରକାଶ ହିଁ ହେବାରେ ଲାଗିରହିଛି । ଗୋଟାଏ ନିର୍ମମ ଭାଗ୍ୟବାଦକୁ କାମୁଡ଼ି ରହିଛି । ଏପରି ଗୋଟିଏ ବ୍ୟାବହାରିକ ମାୟାବାଦ, ଯାହା ସମ୍ଭବତଃ ନିଜକୁ ବ୍ରହ୍ମ ବୋଲି ଦେଖି ବାକିମାନଙ୍କୁ ମାୟା ବୋଲି ଦେଖିବାରେ ଲାଗିଛି ଓ ସକଳ ଅର୍ଥରେ ବହୁ ଅସୁସ୍ଥତାର କାରଣ ହୋଇଛି । ଅର୍ଥାତ୍, ବହୁ ଅତ୍ୟାବଶ୍ୟକ ପରିବର୍ତ୍ତନର ବାଟ ଓଗାଳି ରହିଛି । ଅନେକେ ମତଲବୀ ମନୁଷ୍ୟ ତ ପବିତ୍ର ଶାସ୍ତ୍ରମାନଙ୍କରୁ ପ୍ରମାଣ କାଢ଼ି ସେଇଟି ପକ୍ଷରେ ଯୁକ୍ତି ମଧ୍ୟ କରୁଛନ୍ତି । ସୁସ୍ଥ ହୋଇଥିଲେ ସେମାନେ ତାହା କେବେହେଲେ କରିବା ନିମନ୍ତେ ମନ କରନ୍ତେନାହିଁ । ସେମାନେ ବରଂ ଆଗୁଆ ହୋଇ ବାହାରନ୍ତେ ଓ ପରିବର୍ତ୍ତନଟିରେ ନେତୃତ୍ୱ ନିଅନ୍ତେ ।

 

ଜାତିଭେଦକୁ ନେଇ ଆମ ସମାଜରେ ଲାଗି ରହିଥିବା ସେହି ବେରାମଟା ହେତୁ ଆମ ଠାକୁରମାନେ ମଧ୍ୟ ବଡ଼ କଲବଲ ହେଉଛନ୍ତି ଏବଂ ଆମମାନଙ୍କ ଦ୍ୱାରା ଅନ୍ୟ ଅସୁସ୍ଥ ନାନା ପ୍ରକାରେ ବ୍ୟବହୃତ ହେଉଛନ୍ତି । ଆମ ଗାଆଁରେ ଆମେ ଯାହାଙ୍କୁ ଆମ ଗାଆଁ ଗୋଟାକର ଠାକୁର ବୋଲି କେଡ଼େ ଫୁଲେଇ ହୋଇ କହି ଆସିଛୁ, ସିଏ ହେଉଛନ୍ତି କେବଳ ଆମ ଉଚ୍ଚବର୍ଣ୍ଣ ମାନଙ୍କର । ଉଚ୍ଚବର୍ଣ୍ଣ ଆମେ ହିଁ ତାଙ୍କ ଦେଉଳ ଭିତରକୁ ପ୍ରବେଶ କରି ପାରୁଛୁ, ବାର୍ଷିକ ଅଷ୍ଟପ୍ରହରୀ ମାନଙ୍କରେ କେବଳ ଉଚ୍ଚ ଆମ ପାଟକର ପିଲାଏ ହିଁ ଭାଗ ନେଇ ପାରୁଛନ୍ତି । ଠାକୁରଙ୍କ ପାଖରେ କେବଳ ଆମ ଘରମାନଙ୍କରୁ ସଜଡ଼ା ହୋଇ ଯାଉଥିବା ଭୋଗର ନିବେଦନ କରାଯାଇ ପାରୁଛି ଏବଂ, ସେହି ମନ୍ଦିରର ସିଂହାସନ ଉପରେ ବିରାଜମାନ ରହିଥିବା ପ୍ରତିମାଗୁଡ଼ିକର ଆଖି ଯେ ଆମର ଏହି ଆଚରଣଗତ ଅସୁସ୍ଥ ନ୍ୟାୟର ବଶବର୍ତ୍ତୀ ହୋଇ କେବଳ ଆମ ଉଚ୍ଚମାନଙ୍କ ଉପରେ କୃପାଦୃଷ୍ଟି ପକାଉଥିବ, ସେକଥା ମୋଟେ ନୁହେଁ । ସେହି ଆଖି ଆମର ଏହି ଖାସ୍ ଗେହ୍ଲା ଆଖିମାନଙ୍କ ଦ୍ୱାରା କଦାପି ବାଧ୍ୟ ହେଉନଥିବ ଏବଂ ଆପଣାର ଧର୍ମଟିକୁ ଅବଶ୍ୟ ପାଳନ କରୁଥିବ-। ଏହିସବୁ ବହୁ ଅସୁସ୍ଥତାକୁ ସତେଅବା ଧର୍ମରୂପେ ଆଦରି ନେଉଥିବାରୁ ଆମ ଗ୍ରାମଜୀବନଟା ମଧ୍ୟ ଏତେ ଅଧିକ ପରିମାଣରେ ନିର୍ବଳ ହୋଇ ରହିଛି ଏବଂ, ଦେଶକୁ ନେଇ ଏବେ କେତେ କେତେ ବୃହତ୍ ପରିବର୍ତ୍ତନର ଯୋଜନା ହେଉଥିଲେ ମଧ୍ୟ ଆମ ଗାଆଁ ପର୍ଯ୍ୟନ୍ତ ଆସି ପ୍ରାୟ ତୁଚ୍ଛା ମାଟି ବି ହୋଇଯାଉଛି । ପୂରା ଗାଆଁଟିକୁ ନେତୃତ୍ୱ ଦେବାଭଳି ହୃଦୟଟିଏ ଗାଆଁରେ ସମ୍ଭବ ହୋଇ ପାରୁନାହିଁ । ଗ୍ରାମ-ପ୍ରତିନିଧି ମାନଙ୍କର ନାଡ଼ିମାନେ ଏଠି ଗାଆଁରେ ହିଁ ନାହାନ୍ତି ଏବଂ ଅସୁସ୍ଥତାମାନେ ମାଡ଼ି ବସିଛନ୍ତି ।

 

ଏଠାରେ ଭାରତବର୍ଷରେ ନେତୃତ୍ୱ-ପକ୍ଷଟା କାର୍ଯ୍ୟତଃ ଅଧିକ ଅସୁସ୍ଥ । ଅର୍ଥାତ୍ ସେହି ଅସାଧାରଣମାନଙ୍କର ପକ୍ଷଟା । ଅସାଧାରଣମାନେ ସଂଖ୍ୟାରେ ଅତି ଅଳ୍ପ ଓ ଉପଲବ୍ଧ ସର୍ବବିଧ ସୁଯୋଗ ସତେଅବା ଏକ ସୁଚିନ୍ତିତ ଅସୁସ୍ଥ ବିଧାନ ହେତୁ ସେଇମାନଙ୍କ ନିମନ୍ତେ । ଯେତେଯାଏ ଅନୁମାନ କରି ହେଉଛି, ଆଉ କୌଣସି ପ୍ରକାରେ ସମ୍ଭବ ହିଁ ହେବନାହିଁ ବୋଲି ଏକ ମତଲବୀ ଜିଦ୍‌ରେ ଏଇଟିକୁ ସେହିପରି କରି ରଖାଯାଇଛି । ଦେଶ ସ୍ୱାଧୀନ ହେବା ପରେ ସବୁ ମନୁଷ୍ୟଙ୍କ ସମ୍ମୁଖରେ ରଖି ସଂବିଧାନ ନାମକ ଖସଡ଼ାଟିଏ ତିଆରି ହୋଇ ରହିଛି ଏବଂ ବେଳେବେଳେ ବୈଧାନିକ ଦରବାର ଇତ୍ୟାଦିରେ ସେହି ମୁତାବକ ଆଇନ୍‌ଗୁଡ଼ିଏ ଗୃହୀତ ବି ହୋଇଯାଉଛି । ମାତ୍ର ପୁରୁଣାମାନେ ସତେଅବା ଉହୁଙ୍କିବା ସକାଶେ ରାଜି ହିଁ ହେଉନାହାନ୍ତି । ଅସାଧାରଣମାନେ ଏହିଭଳି ପ୍ରାୟ ସବୁକିଛି ଯେଉଁଭଳି ସେହିଭଳି ହୋଇ ରହିଥିଲେ ହିଁ ଅବଶ୍ୟ ଅଧିକ ଉପକୃତ ହୋଇ ପାରିବେ ବୋଲି ଉତ୍ତମରୂପେ ବୁଝିଥିବାରୁ ହିଁ ସେହି ଉପରଗୁଡ଼ାକରେ ଥାଇ ମଙ୍ଗଗୁଡ଼ାକୁ ମୋଡ଼ି ଦେବାରେ ଲାଗିଛନ୍ତି କି ? ଅର୍ଥାତ୍, ସେଇଠାରୁ ହିଁ ଅସୁସ୍ଥତାଟା ଜନ୍ମଲାଭ କରୁଛି ଏବଂ ଆକାଶ ମାନଙ୍କୁ ଆଚ୍ଛନ୍ନ କରି ଦେଇଛି । ଶିକ୍ଷାର ସମୁଦାୟ କ୍ଷେତ୍ରରେ ଅସୁସ୍ଥତା, ଯୋଜନାମାନଙ୍କୁ କାର୍ଯ୍ୟରେ ପରିଣତ କରିବାରେ ଅସାଧୁତା ଅର୍ଥାତ୍ ଅସୁସ୍ଥତା; କୋଟି କୋଟି ଟଙ୍କାର ପାଠୁଆ ପରିକଳ୍ପନାମାନ, ଅଥଚ କ୍ଷତମାନଙ୍କର ପୂରଣ ହୋଇ ପାରୁନାହିଁ । ଟଙ୍କାଟାକୁ ତସ୍କରମାନେ ନେଇ ଯାଉଛନ୍ତି । ତସ୍କରମାନେ ଅଧିକତମ ପ୍ରକୃତ ଅର୍ଥରେ ନ୍ୟାୟତଃ ସେହି ଅସାଧାରଣମାନଙ୍କର ପକ୍ଷରୁ ।

 

ଲୋକସାଧାରଣଙ୍କ ମଧ୍ୟରେ ମୁଖ୍ୟତଃ ସଦିଚ୍ଛା ହିଁ ରହିଛି । ସ୍ୱାଧୀନତା ପାଇବାର ସେହି ପରବର୍ତ୍ତୀ ବର୍ଷଗୁଡ଼ାକରେ ଉକ୍ତ ସଦିଚ୍ଛା ପୂର୍ଣ୍ଣ ହିଁ ହୋଇ ରହିଥିଲା । ସେମାନେ ପୂରା ରାଜି ହୋଇ ଅପେକ୍ଷା କରୁଥିଲେ । ନେତାମାନେ ଆଗେ ଆଗେ ଥାଇ ବାଟ ଦେଖାଇବେ ଏବଂ ସେମାନେ ସେହି ଅନୁସାରେ ନୂଆ ବାଟମାନଙ୍କରେ ଅଗ୍ରସର ହେବେ । ପୂର୍ଣ୍ଣ ପ୍ରତ୍ୟୟରେ ସେମାନଙ୍କର ସହଯୋଗ କରିବେ । ଧୋକାଟା କ୍ରମଶଃ ସେହି ଉପରୁ ହେଲା ଏବଂ ସେଇଥିରୁ ସକଳ ଅର୍ଥରେ ଏକ ତୀବ୍ର ମୋହଭଙ୍ଗ ଏବଂ ସେଥିରୁ ନିଷ୍ପନ୍ନ ହେବାରେ ଲାଗିଥିବା ଏକ ଘୋର ସଂଶୟର ନୈରାଶ୍ୟଦାୟକ ପର୍ବ । ସେହି ପର୍ବଟି ଏପର୍ଯ୍ୟନ୍ତ ଲାଗିଛି ଓ ଦୂରତାଗୁଡ଼ିକୁ ବୃଦ୍ଧି କରିବାରେ ସହାୟକ ହେଉଛି । ତଥାପି ସାଧାରଣଙ୍କର ଚିତ୍ତରେ ସଦିଚ୍ଛା ରହିଛି । ଅର୍ଥାତ୍, ସଦିଚ୍ଛାଟି ହେତୁ ସୁସ୍ଥତା ରହିଛି । ସହଯୋଗର ହସ୍ତଗୁଡ଼ିକ ସଦାପ୍ରସ୍ତୁତ ହୋଇ ରହିଛନ୍ତି । ହୁଏତ କିଛି ଅନ୍ୟପ୍ରକାରେ ଘଟିବ ଓ ଏହି ନାନା ଅପାଳକରେ ପାଳକଟିଏ ସମ୍ଭବ ହୋଇ ଆସିବ । କେବଳ ଆମେ ବର୍ତ୍ତମାନ ବୁଝୁଥିବା ରାଜନୀତିଟାର କ୍ଷେତ୍ରରେ ନୁହେଁ ସମ୍ପର୍କମାନଙ୍କର ସର୍ବବିଧ କ୍ଷେତ୍ରରେ । ରାଜନୀତିରେ ନେତୃତ୍ୱ ବଦଳିବ, ଯାହାଠାରେ ବିଶ୍ୱାସ ସ୍ଥାପନ କରିହେବ । ବିଶ୍ୱାସ ସ୍ଥାପନ କରିହେବ ଅର୍ଥାତ୍ ଭରସା ଆସିବ । ତେଣିକି ସବୁକିଛି ତୁଚ୍ଛା ଫାଙ୍କି ଫାଙ୍କିରେ ଉଡ଼ି ଯିବନାହିଁ, ଅବଶ୍ୟ ଆଉକିଛି ଘଟିବ ଅର୍ଥାତ୍ ହେବ । ତା’ପରେ ସତକୁ ସତ ପରିବର୍ତ୍ତନର, ସାଧୁତାର ଓ ସୁସ୍ଥତା ଏକ ଅନ୍ୟ ପର୍ବ ଆସି ପହଞ୍ଚିଲା ବୋଲି ଅନୁଭବ ହେବା ଆରମ୍ଭ ହୋଇଯିବ । ସତେଅବା କ’ଣ ଏକ ନୂଆ ହିଁ ଘଟିଲା ଅର୍ଥାତ୍ ଦେଶରେ ଏକ ଦ୍ୱିତୀୟ ବିପ୍ଳବର ବେଳ ଆସିଲା ବୋଲି ଭିତରୁ ଥାଇ କେଉଁ ଭଗବାନ୍ ମଧ୍ୟ କହିବାପାଇଁ ସାହସୀ ହେବେ । ସବୁ ସକାରାତ୍ମକ ଲାଗିବ ଓ ତା’ପରେ ଲୋକସହଯୋଗ ମିଳିବା ନିମନ୍ତେ କୌଣସି ଅଲଗା କରି ଏକ ପ୍ରଚାରବିଭାଗ ଲାଗି ପ୍ରୟୋଜନ ରହିବନାହିଁ ।

 

ଗାଆଁ ସ୍କୁଲକୁ ଜଣେ ନୂଆ ଶିକ୍ଷକ ଆସି ପୂର୍ବର ଆଜ୍ଞାମାନଙ୍କ ଅପେକ୍ଷା ବହୁତ ଅନ୍ୟ ବାଗିର୍ ବୋଲି ଯେତେବେଳେ ପିଲାଙ୍କ ପାଟିରେ ସେମାନଙ୍କ ଘରଯାଏ ଯାଇ ପହଞ୍ଚି ଯାଏ, ସେତେବେଳେ ସଂବାଦଟି ଗାଆଁଦାଣ୍ଡ ଠାରୁ ଆରମ୍ଭ କରି ମାଆମାନଙ୍କର ଗାଧୁଆତୁଠ ପର୍ଯ୍ୟନ୍ତ କେଡ଼େ ସହଜରେ ଯାଇ ପହଞ୍ଚି ଯାଇଥାଏ । ଅଭିଭାବକମାନେ କ୍ରମଶଃ ତାଙ୍କର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସନ୍ତି, ଗାଆଁର ଭଲମନ୍ଦର କୌଣସି ଆଲୋଚନା ହେଲେ ତାଙ୍କୁ ସାଙ୍ଗରେ ବସିବାପାଇଁ ଡାକି ନିଅନ୍ତି, ସେମାନେ ତାଙ୍କୁ ସତେ ଯେପରି ନିଜ ଗ୍ରାମର ଜଣେ ଅଧିବାସୀ ବୋଲି ବିଚାର କରନ୍ତି । ଏପରିକି ଆପଣା ଆଡ଼ୁ ଆଗ୍ରହୀ ହୋଇ ତାଙ୍କ ଭଲମନ୍ଦ ଗୁଡ଼ିକର ତତ୍ତ୍ୱ ନିଅନ୍ତି । ଥାନାକୁ ଯଦି ଜଣେ ଏପରି ନିଆରା ପ୍ରକୃତିର ଥାନାବାବୁ ଆସନ୍ତି ଯିଏକି ସିଏ ମୂଳତଃ ଲୋକମାନଙ୍କ ନିମନ୍ତେ ସେଠାକୁ ଆସିଛନ୍ତି ଏବଂ ଆପଣାକୁ ଜଣେ କେତେ ନା କେତେ ବଡ଼ ଅଫିସର ବୋଲି ଆଦୌ ଦେଖାଉ ନାହାନ୍ତି, ତେବେ ସେହି ଅଞ୍ଚଳ ଗୋଟାକର ମନୁଷ୍ୟମାନେ ତାଙ୍କର ସେହି ପରିଚୟଟିକୁ ଅନାୟାସରେ ବାରି ନିଅନ୍ତି ଓ ତାଙ୍କୁ ଆଗର ଅନ୍ୟାନ୍ୟ ଥାନାବାବୁ ମାନଙ୍କ ଅପେକ୍ଷା ଅନ୍ୟପ୍ରକାରେ ବି ଗ୍ରହଣ କରି ନିଅନ୍ତି । ଆଉ କ’ଣ ସବୁ ଘ୍ରାଣ କରି ପାରୁଥିବା ପରି ତାଙ୍କ ସହିତ ଅଧିକ ସହଯୋଗ ମଧ୍ୟ କରିବାକୁ ଆରମ୍ଭ କରନ୍ତି । ଏଗୁଡ଼ିକ ମୋଟେ ଗୁଡ଼ାଏ କଳ୍ପନା ନୁହନ୍ତି, ବାସ୍ତବରେ ସବୁ ସେହିପରି ହିଁ ଘଟିଥାଏ । ଘଟୁଛି ।

 

ଜଣେ ସୁସ୍ଥ ମନୁଷ୍ୟ ଆଉଜଣେ ସୁସ୍ଥ ମନୁଷ୍ୟକୁ ଅକ୍ଳେଶରେ ଚିହ୍ନି ନେଇଥାଏ । ଅନୁକୂଳ ପ୍ରମାଣମାନଙ୍କ ନିମନ୍ତେ ଆଦୌ ଅପେକ୍ଷା କରିବାକୁ ପଡ଼େନାହିଁ । ଆଗ ସମ୍ଭବତଃ ଉଚିତ ସ୍ପର୍ଶଟିଏ ମିଳିଗଲେ ସମ୍ଭବତଃ ଅନୁକୂଳ ବହୁ ପ୍ରମାଣ ବି ମିଳିଯାଏ । ଅସାଧାରଣମାନେ ତାହା କରି ପାରନ୍ତିନାହିଁ । ବହୁ ଅନ୍ୟ ତାଡ଼ନାଦ୍ୱାରା ଖୁବ୍ ସନ୍ତାପିତ ତଥା ଅତିସଚେତନ ହୋଇ ରହିଥାଆନ୍ତି । ସତେଅବା ଉପରେ ଥାଇ ମୋ’ ପୋଷାକୀମାନଙ୍କର ପରିଚୟ ପାଇଲେ ମୁଁ ଯେ କେତେ ପ୍ରକାରେ କେତେ ବଡ଼, ସେହି କଥାଟିକୁ ସିଏ ହୃଦୟଙ୍ଗମ କରିବ ଏବଂ କୌଣସି କୌଣସି ଅନୁଗ୍ରହ ଭିକ୍ଷା କରି ସେହି ତଳୁ ହିଁ ହାତଗୁଡ଼ିକୁ ବଢ଼ାଇବ । ଆମ ଦେଶର ଶାସନରେ ସେହିପରି ଗୁଡ଼ିଏ ମିଛ କେଁ ଆସି ପଶିଯାଇଛି ବୋଲି ବିଗତ ବର୍ଷମାନଙ୍କରେ ମୁଖ୍ୟତଃ ତାହା ହୋଇଛି । ସର୍ବବିଧ ନ୍ୟାୟ ଅନୁସାରେ ଅସାଧାରଣ ଅଳପମାନେ ହିଁ ସାଧାରଣ ବହୁତପଟଟିର ପରିଚର୍ଯ୍ୟା କରିବାଲାଗି ନିଯୁକ୍ତ ହୋଇ ରହିଛନ୍ତି । ଦେଶବାସୀ ଜଣେ ସାଧାରଣ ମଣିଷର ତୁଳନାରେ ସେମାନେ ଅନେକ ଅଧିକ ପରିମାଣରେ ପାରିଶ୍ରମିକ ପାଉଛନ୍ତି ଏବଂ ଏଠି ସର୍ବବିଧ ସକଳ ଜୀବନଯାପନର କ୍ଷେତ୍ରରେ ଜଣେ ଜଣେ ସମ୍ଭ୍ରାନ୍ତଙ୍କ ସଦୃଶ ଦିଶୁଛନ୍ତି । ଅଧିକ କ୍ଷମତା ଅର୍ଥାତ୍ ଅଧିକ ସାମର୍ଥ୍ୟ । ଦେଶବାସୀ ସବୁରି ନିମନ୍ତେ ଜଣେ ଜଣେ ପରିପୂର୍ଣ୍ଣ ନାଗରିକ ହୋଇ ପାରିବାର ଏକ ବିଶାଳ ଉନ୍ନୟନ-ପ୍ରକ୍ରିୟାକୁ ଯଥାଶୀଘ୍ର ସମ୍ଭବ କରି ଆଣିବା ସକାଶେ । ସବୁରି ନିମନ୍ତେ ଏକ ନାଗରିକଯୋଗ୍ୟ ଜୀବନକୁ ସାକାର କରି ଆଣିବା ନିମନ୍ତେ ଏବଂ, ତାହା ପ୍ରକୃତରେ ସମ୍ଭବ ହୋଇ ପାରୁନାହିଁ । ବେଳଟାକୁ ଗଡ଼ାଇ ଦିଆଯାଉଛି । ଏକାଧିକ ଲକ୍ଷଣରୁ ଯାହା ଦିଶୁଛି, ସତେଅବା ଜାଣି ଜାଣି ବେଳ ଗଡ଼ାଇ ଦିଆଯାଉଛି ।

 

ଏବଂ, ତଥାପି ସଦିଚ୍ଛାସମ୍ପନ୍ନ ସାଧାରଣ ପକ୍ଷଟି କ୍ରମଶଃ ଅଧିକ ବୁଝିବାରେ ଲାଗିଛି ଯେ, ଏଥିଲାଗି ଦେଶଟା ଦାୟୀ ନୁହେଁ, ଦେଶର ଆଇନ୍‌ମାନେ ମଧ୍ୟ ଦାୟୀ ନୁହନ୍ତି । ଉପରର ଉକ୍ତ ଅସାଧାରଣଟି ମଧ୍ୟରେ କ’ଣ ସବୁ ଅମାର୍ଗ ଅର୍ଥାତ୍ ଅସୁସ୍ଥତାମାନେ ଆସି ପଶି ଯାଇଛନ୍ତି ଏବଂ ମୂଳରେ ରହି କଳଟାକୁ ବିଗାଡ଼ି ଦେଉଛନ୍ତି । ବିଗାଡ଼ି ଦେଉଥିବାରୁ ଲାଭବାନ୍ ହେଉଛନ୍ତି । ଯେଉଁ ପୁରୁଣାଗୁଡ଼ିକ ଅବଶ୍ୟ ବଦଳିବା ଆରମ୍ଭ ହେଲେ ଆମ ନେତା ଏବଂ ଶାସନଯନ୍ତ୍ରର ଏହି ଭଳି ଭଳି ସାଆନ୍ତମାନେ ଅନ୍ୟ ସବୁରି ପରି ଜଣେ ଜଣେ ନାଗରିକ ହେବେ ଓ ତାହାହେଲେ ଆପଣାର ଏହି ଯାବତୀୟ ଭୋଗସ୍ୱାର୍ଥ ମାନଙ୍କରୁ ବିଚ୍ୟୁତ ହେବେ, ସେହି ସତ୍ୟଟି ସେମାନଙ୍କୁ ଭୂତ ପରି ମାଡ଼ି ବସିଛି ଏବଂ ସେହି ଉପନିବେଶ-କାଳର ଅସୁସ୍ଥତାମାନେ ଯାଉନାହାନ୍ତି । ଅସୁସ୍ଥମାନେ ହିଁ ବସ୍ତୁତଃ ସବୁଠାରୁ ଅଧିକ ତୋଡ଼ରେ କଥା କହୁଛନ୍ତି । ଏପରିକି ଆମର ଶିକ୍ଷାବ୍ୟବସ୍ଥାରେ, ସାହିତ୍ୟରେ ଓ ସାଂସ୍କୃତିକ ସରବରାକାରୀ ଇତ୍ୟାଦିର । ସେମାନେ ଆଗଟାକୁ ଡରୁଛନ୍ତି ଏବଂ ପୁରୁଣାମାନଙ୍କୁ ଆବୋରି ରହିଛନ୍ତି । ଅସୁସ୍ଥତାମାନେ ବଢ଼ିବାର ନୂଆ ନୂଆ ଅବସର ସୃଷ୍ଟି କରିବାରେ ସହାୟତା କରୁଛନ୍ତି । ସଚରାଚର ଅସୁସ୍ଥମାନେ ହିଁ ଆପଣାର ଗୁମ୍ଫାବତ୍ ଜଗତଟି ମଧ୍ୟରେ କେଡ଼େ ପୂର୍ଣ୍ଣସମର୍ପିତ ଭାବରେ ମଜ୍ଜି ରହିଥାଆନ୍ତି । ଗୋଟିଏ ବୃହତ୍ ପୃଥିବୀ ସବୁବେଳେ ରହିଥିଲେ ମଧ୍ୟ ଯିଏ ନିଜଟିର ସେହି ଖାସ୍ ସ୍ୱକଳ୍ପିତ ପୃଥିବୀଟି ମଧ୍ୟରେ ଆବଦ୍ଧ ହୋଇ ରହିଥାଏ, ମନଃଚିକିତ୍ସାର ଅଭିଧାନମାନେ ସବୁବେଳେ ତାହାକୁ ତଥା ସେହିମାନଙ୍କୁ ତ ନିଉରୋଟିକ୍ ବୋଲି ଏକ ସଂଜ୍ଞା ପ୍ରଦାନ କରିଛନ୍ତି ।

 

ଆମ ମନୁଷ୍ୟମାନଙ୍କର ସାତଚାଖଣ୍ଡର ଶରୀରରେ କ୍ରିୟାର ଏକାଧିକ ଇନ୍ଦ୍ରିୟ: କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ । ତଥାପି, ସେହି ଶରୀର ହେଉଛି କାର୍ଯ୍ୟତଃ ଗୋଟିଏ ଏକତା, ଏକ ସମଷ୍ଟି ଆଦୌ ନୁହେଁ । ଏକ ପରସ୍ପର-ସମ୍ବନ୍ଧ ତଥା ସମନ୍ୱୟନ । ସେହିପରି କିଛି ତୁଚ୍ଛା ଆମ ଶରୀରାଂଶ ଗୁଡ଼ିକୁ ଶରୀରଠାରୁ ଆହୁରି ବୃହତ୍ କୌଣସି ବାସ୍ତବ ତତ୍ତ୍ୱ ଏକକ ଏପରି ନିବିଡ଼ ଅର୍ଥାତ୍ ବ୍ୟତିକ୍ରମହୀନ ଭାବରେ ଏକାଠି ଗୁନ୍ଥି ରଖିଛି କି ? ଏବଂ, ମନର ସେହି ଅଧିକ ବହୁମୁଖୀ ସ୍ତରରେ ଯାବତୀୟ କ୍ରିୟାତ୍ମକତାର ପ୍ରାଣ ଭଳି ହୋଇ ଆହୁରି କେତେ କ’ଣ ଅନେକବିଧତା ଆମର ପ୍ରତ୍ୟେକ ମୁହୂର୍ତ୍ତରେ ରହି ନଥିବ ! ଉଭୟ ଚେତନ ଓ ଅଚେତନ, ନିକଟ ଓ ଦୂର ସମ୍ବନ୍ଧିତତାମାନ ସେଥିରେ ସର୍ବଦା କାର୍ଯ୍ୟ କରୁଥିବ । ଏହି ଜଗତ୍‌ନାମକ ଜୀବନଲୀଳା-ମୁଁ ଯେ ଆଦୌ ଏକା ନୁହେଁ ଏବଂ ମୋତେ ଘେରି ରହି ଗୋଟିଏ ମୋ’ଠାରୁ ଅନେକ ବିସ୍ତୃତ ପୃଥିବୀଟିଏ ଯେ ମୋ’ ଯାବତୀୟ ସଚଳତାରେ ମୋତେ ତଥାପି ଏକ ଖାସ୍ ପରିଚୟଯୁକ୍ତ କରି ରଖିଛି ଏବଂ କେତେ ନା କେତେ ଭାବ ଓ ଅଭାବ, ଲୋଡ଼ା ଓ ଅଲୋଡ଼ା ଏବଂ ସଙ୍ଗତି ତଥା ଅସଙ୍ଗତି ସହିତ ନିରନ୍ତର ସଂପୃକ୍ତ କରି ରଖିଛି, ସେଇଟିରୁ ଦୂରଛଡ଼ା ହୋଇ ରହିବା ନିମନ୍ତେ ଆଗ୍ରହ କଲେ ମୁଁ ଏହି ଅତିବାସ୍ତବ ମାୟାଟିକୁ ନିଜସ୍ୱ କରିନେଇ ନପାରିଲେ ମୁଁ ତ ସକଳ ଅର୍ଥରେ ନିଜ ବଞ୍ଚିବାର ନିର୍ଭରଶିଳା ଗୁଡ଼ିକୁ ଆପେ ହିଁ ଅସ୍ୱୀକାର କରୁଥିବି ଓ ଆହତ ହୋଇ ରହିଥିବି । ଉଗ୍ର ହେବି, ରୁଷି ବସିବି ଏବଂ ଏକ ଚରମ ନିର୍ବୋଧତା ସହିତ ଏତେ ଏତେ ମେଳରେ ରହିଥିଲେ ମଧ୍ୟ ପୂରା ନିଜର ବୋଲି କହୁଥିବା କୌଣସି ଅନ୍ୟ ନକ୍ସା ଅନୁସାରେ ଜୀବନଧାରଣ କରୁଥିବି ।

 

ମୂଳରେ ଏକ ଭୟ ଏବଂ ସେହି ଭୟରୁ ବିସ୍ମୃତ ହୋଇ ରହିବାର କୌଣସି ପ୍ରକ୍ରିୟାରେ ଏକ ଏକାନ୍ତବାସ । ଅଥବା, ସବାମୂଳରେହ ଏକାନ୍ତବାସ ନିମନ୍ତେ କ’ଣ ପାଇଁ ଗୋଟିଏ ଅତ୍ୟନ୍ତ ଆକର୍ଷଣକାରୀ ଷଡ଼ଯନ୍ତ୍ର ଏବଂ ସମ୍ମୋହନ ଓ ତାହାରି ଉତ୍ସସ୍ଥଳରେ ଭୟ । ବ୍ୟକ୍ତି ବ୍ୟକ୍ତିରେ ଏଇଟି ଅଥବା ସେଇଟି ଅବଶ୍ୟ ରହିବ, କିନ୍ତୁ ରଙ୍ଗମଞ୍ଚର ଜୀବନଟା ସେହି ଏକାଭଳି ହିଁ ହେବ । ବହୁ ମିଛବ୍ୟସ୍ତତାର ଅତିକୃତି ମଧ୍ୟରେ ଜୀବନଟା ହାସ୍ୟାସ୍ପଦ ହୋଇ ରହିଥିବ ଏବଂ ସତେଯେପରି ଗୋଟିଏ ଭୂତ ହିଁ ମୋତେ ଏହିପରି ଭାବରେ ମାଡ଼ି ବସିଛି ଏବଂ ମୁଁ ତାହାରି ଫୁସୁଲାଟା ଭିତରେ ରହି ଏଇଟି ଭିତରୁ ବାହାରି ଯାଇ ପାରୁନାହିଁ ବୋଲି ବେଳେ ବେଳେ ଅନ୍ଦାଜ ବି କରି ପାରୁଥିବି । ଆମ ମନୋବିତ୍‌ମାନେ ସାଧାରଣତଃ ଏସବୁ ଅପଚାରକୁ ନିଉରୋସିସ୍ ବୋଲି କହିବାକୁ ଇଚ୍ଛା କରିନାହାନ୍ତି । ଆମେ ମଧ୍ୟ ସେମାନଙ୍କ ସହିତ ନିଶ୍ଚୟ ଏକମତ ହେବା ସିନା, ମାତ୍ର ଗୋଟିଏ ଗୋଟିଏ ଅସୁସ୍ଥତା ବୋଲି ନିଶ୍ଚୟ ଜାଣିବା । ଇଉରୋପର ଗ୍ରୀକ୍ ଭାଷାର ସେହି ପ୍ରାଚୀନ କାଳର Phobia ବୋଲି ଯେଉଁ ଶବ୍ଦଟି, ସେଇଟି ଦ୍ୱାରା ଆମ ଜୀବନର ଅନେକ ଅନ୍ତର୍ନାଡ଼ୀଗତ ଭୟକୁ ସାଧାରଣତଃ ସୂଚିତ କରି ଦିଆ ଯାଉଥାଏ । ସେହି ମୂଳ ଶବ୍ଦଟିକୁ ବ୍ୟବହାର କରି ଆମକୁ ବହୁପ୍ରକାରେ ନିଜବଶ କରି ରଖିଥିବା କେତେଗୁଡ଼ିଏ ଅସୁସ୍ଥତାର ନାମକରଣ କରାଯାଇ ଆସିଛି । ସେହି phobia ର ତାଲିକାଟି ଆଦୌ କ୍ଷୁଦ୍ର ନୁହେଁ । ଶୁଣିବା ସମୟରେ ହୁଏତ ଖୁବ୍ କଉତୁକିଆ ଲାଗୁଥିବ ଏବଂ କିଛି ଖାସ୍ କଥା କହୁଥିବା ପରି କୌଣସି ଶାସ୍ତ୍ରୀୟ ପାରିଭାଷାର ପ୍ରୟୋଗ କରି ଗୋଟାଏ କିଛି ଅସାଧାରଣ ବାଗ୍ନିତାର ପରିଚୟ ଦେଉଥିବାର କିଞ୍ଚିତ୍ ତୃପ୍ତିର ମଧ୍ୟ କାରଣ ହେଉଥିବ । ତଥାପି, ଯେଉଁ ପ୍ରକାରର ଯେଉଁ phobia ହୋଇଥାଉ ପଛକେ, ତାହା ଗୋଟାଏ ଭୟରୁ ହିଁ ନିଷ୍ପନ୍ନ ହୋଇ ଆସିଥାଏ, ଆମ ପୀଡ଼ିତମାନଙ୍କୁ ବହୁ ଉପଦ୍ରବରେ ଅସମର୍ଥ କରି ମଧ୍ୟ ରଖେ । ପ୍ରାୟ ସବୁ ମଣିଷ ନିଜର ପିଲାଦିନେ କୌଣସି ଭୟଦ୍ୱାରା ଜଣା ପଡ଼ି ଯାଉଥିବା ପରି ସଂକ୍ରମିତ ହୋଇଥାଆନ୍ତି ଗଞ୍ଜଣା ଦିଅନ୍ତି ଓ ଗଞ୍ଜଣା ପାଆନ୍ତି । ସାଙ୍ଗସାଥୀ ମାନଙ୍କ ଦ୍ୱାରା ଉପହସିତ ମଧ୍ୟ ହୋଇଥାନ୍ତି । କିନ୍ତୁ, ସେସବୁ ବୟସ ଅନୁସାରେ ଆମକୁ ଛାଡ଼ି ଚାଲି ଯାଆନ୍ତି । ପଛକୁ ଅନାଇ ସେହିପରି କିଛି ମନେ ପଡ଼ିଗଲେ ଆମେ ଅନେକ ଖୁବ୍ ଆମୋଦିତ ବି ଅନୁଭବ କରୁ ।

 

ନାମକରଣର ଧନ୍ଦାଟାକୁ ବାଦ୍ ଦେଇ ଏଠାରେ ଆମେ ସେହିପରି କେତେଗୁଡ଼ିଏ ଅସୁସ୍ଥତାର ବର୍ଣ୍ଣନା କରି ପାରିବା । ନିଜ ଜୀବନରେ ଏସବୁର ଏକାଧିକ ଦୃଷ୍ଟାନ୍ତ ଅବଶ୍ୟ ଆମମାନଙ୍କ ଦୃଷ୍ଟିରେ ପଡ଼ିଥିବ, ଆମ ସଂପୃକ୍ତ ବ୍ୟକ୍ତିଟିକୁ ଦେଖି ଟୀକା ମଧ୍ୟ କରିଥିବା । ସେଥିମଧ୍ୟରୁ ଗୋଟିଏ ହେଉଛି ପରିଷ୍କାର-ପରିଚ୍ଛନ୍ନ ରହିବା ଉପରେ ଅତ୍ୟଧିକ ଗୁରୁତ୍ୱ ପ୍ରଦାନ କରିବା । ସର୍ବଦା ପରିଚ୍ଛନ୍ନ-ପରିଚ୍ଛନ୍ନତାକୁ ସବୁଠାରୁ ଆଗ ଦେଖିବା । ପୃଥିବୀରେ ଆମେ ସମସ୍ତେ ମଧ୍ୟ ପରିଚ୍ଛନ୍ନ ରହିବାକୁ ଚେଷ୍ଟା କରୁ, ପରିଚ୍ଛନ୍ନ ଦେଖିବାକୁ ମଧ୍ୟ ଇଚ୍ଛା କରୁଥାଉ । କିନ୍ତୁ ସର୍ବଦା ଏକ ଉଚିତ ଅନୁପାତ ସହିତ ତାହା କରୁ । ଜୀବନରେ ସଚରାସଚର ଆହୁରି ଅନେକ ଉଚିତ ଓ ଅତ୍ୟନ୍ତ ଅନୁଚିତ ମଧ୍ୟ ରହିଥାନ୍ତି । ସେଗୁଡ଼ିକୁ ମଧ୍ୟ ଉଚିତ ଦୃଷ୍ଟି ଅବଶ୍ୟ ଦେଇଥାଉ । ମାତ୍ର, ଜଣେ ଜଣେ ମନୁଷ୍ୟଙ୍କର ଜୀବନରେ କେଉଁଠାରେ କେଉଁ ଅସୁସ୍ଥତା ଆସି ପଶିଯାଏ, ଯାହା ଫଳରେ ସେମାନେ କେବଳ ସେହି ଗୋଟିଏ କଥାକୁ ହିଁ ଦେଖନ୍ତି । ନହେଲେ ଭାରି ବିଚଳିତ ହୋଇ ପଡ଼ିଥାନ୍ତି । ବଙ୍ଗଳାରେ ସେହି ଖୋଇଟିକୁ ଶୁଚିବାଈ ବୋଲି କୁହାଯାଏ ଏବଂ କେତେକ କାରଣରୁ ତାହା ଆମ ସମାଜମାନଙ୍କର ନାରୀମାନଙ୍କ ଠାରେ ପରିଦୃଷ୍ଟ ହୁଏ । ଅତିଗ୍ରସ୍ତ ସ୍ପର୍ଶକାତରତାର ଏକ ଭାବନା, ଯାହାକି ଚାରିଆଡ଼େ କେବଳ ମଇଲା ହିଁ ଦେଖିଥାଏ । ପୃଥିବୀରେ କୋଟି କୋଟି ସୁସ୍ଥ ମନୁଷ୍ୟ ଯେ ନାନା ଦୈନନ୍ଦିନ ଜୀବନସ୍ଥିତି ଭିତରେ ପଡ଼ି ବହୁତ ଅପରିଚ୍ଛନ୍ନତା ମଧ୍ୟରେ ବାଧ୍ୟ ହୋଇ କାଳଯାପନ କରୁଛନ୍ତି, - ଯେଉଁଗୁଡ଼ିକୁ ଏମାନେ ଦେଖିବାକୁ ହିଁ ମନ କରନ୍ତିନାହିଁ । ନାକ ଟେକନ୍ତି; ଆବର୍ଜନାକୁ ଘୃଣା କରନ୍ତି ଏବଂ ତାହାରି ସକାଶେ ଆବର୍ଜନା ଭିତରେ ତଥାପି ନିଜ ସଂସାରଗୁଡ଼ିକୁ ଗଠିତ କରି ନେବାର ଅନବରତ ପ୍ରୟାସ ଆଦି କରୁଛନ୍ତି, ତେଣେ ଆଖି ପକାଇ ପାରନ୍ତିନାହିଁ ।

 

ସେହି ମନୁଷ୍ୟମାନେ କେବଳ ସେତିକି ଭିତରେ ବାଧ୍ୟ ହୋଇ ରହିଥିବା ପରି ସକାଳେ ଶଯ୍ୟାତ୍ୟାଗ କରିବାପରେ ସେହି ଗୋଟିଏ କାମରେ ଲାଗିଥାନ୍ତି । ହୁଏତ ଏହିପରି ଭାବରେ ସକାଳ ପରେ ଅପରାହ୍ନ ହୋଇଯାଏ, ମାତ୍ର ତଥାପି ନିତ୍ୟକର୍ମ ଗୁଡ଼ିକ ସରି ପାରେନାହିଁ । ମଳତ୍ୟାଗ କରିବା ପରେ ହାତଟିକୁ ହୁଏତ ସାତ ସାତଥର ମାଟି ଦେଇ ରଗଡ଼ି ଧୋଇବାରେ ଲାଗି ଥାଆନ୍ତି ଓ ତେବେ ସୁଦ୍ଧା ହାତରେ ମଳର ଗନ୍ଧ ରହି ଯାଇଥିବ ବୋଲି ଅନୁମାନ କରି ଆଉ କେତେଥର ଧୁଅନ୍ତି । ଦାନ୍ତ ଘଷି ଛତିଆ କାଢ଼ିବା ସମୟରେ ଅ’ ଅ’ କରନ୍ତି, ସମ୍ପୂର୍ଣ୍ଣ ସରବ ଭାବରେ । ତଥାପି କେଉଁଠାରେ କ’ଣ ମଇଳା ରହିଗଲା ପରି ସନ୍ଦେହ କରନ୍ତି । ଆପଣା ଘର ବାରଣ୍ଡା ଏବଂ ଦୁଆରମାନଙ୍କୁ କେତେ ନିଷ୍ଠା ସହିତ ପରିଷ୍କାର କରିଥାନ୍ତି । ତା’ପରେ ସ୍ନାନ କରି ବାହାରିବା ବେଳକୁ ଘରର ଲୁଗାପଟାକୁ ବୁଜୁଳାଟିଏ କରି ମୁଣ୍ଡାଇ ଦୂରର ଏକ ପୋଖରୀକୁ ବାହାରନ୍ତି । ସେଠାରେ ମଧ୍ୟ କେଡ଼େ ଧୈର୍ଯ୍ୟ ସହିତ ଦେହର ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକୁ ଏପରି ରଗଡ଼ି ସଫା କରନ୍ତି ଯେ, ସୂର୍ଯ୍ୟ ମୁଣ୍ଡ ଉପରୁ ଗଡ଼ି ଆସିଲାଣି ବୋଲି ହୋସ୍ ମଧ୍ୟ ନଥାଏ । ଅନ୍ୟ ମନୁଷ୍ୟମାନେ କରୁନାହାନ୍ତି, ତେବେ ମୁଁ ଏହିଗୁଡ଼ିକରେ କ’ଣ ପାଇଁ ଏତେ ସମୟ ସାରିଦେଉଛି ବୋଲି ସେମାନେ ଆପଣାକୁ ପଚାରି ବି ପାରୁନଥିବେ । ପାଠ ପଢ଼ିବା ବୟସର ପୁଅଝିଅ ହୋଇଥିଲେ ଅଧିକାଂଶତଃ ସ୍କୁଲକଲେଜ ଯାଇ ପାରନ୍ତିନାହିଁ, ଘରେ ପାଠ ଆଡ଼େ ନିଘା ଦେବାକୁ ବେଳ ହିଁ ମିଳେନାହିଁ । କେଡ଼େ ଅନ୍ୟ ଗୋଟିଏ ମନୋଭଙ୍ଗୀରେ ଖାଦ୍ୟ ଖାଉଥାଆନ୍ତି ଏବଂ ସେଥିରେ ମଧ୍ୟ ପହରେ ପହରେ ଅତିବାହିତ ହୋଇ ଯାଉଥାଏ । ଏହି ସବୁକିଛିରୁ ଅଶେଷ ପରିତୃପ୍ତି ଲାଭ କରନ୍ତି ଏବଂ ଏଇଟି ଦ୍ୱାରା ବହୁଭାବେ ବଞ୍ଚିତ ହେବାରେ ଲାଗିଛନ୍ତି ବୋଲି ଆଦୌ ଅନୁଭବ କରି ନଥାନ୍ତି ।

 

ଏହି ଦୁଃଖୀମାନଙ୍କୁ ତୁମେ କୋଉ ଓଷଦ ଦେଇ ଭଲ କରିବ ? ଗୁଡ଼ାଏ ଗୁଡ଼ାଏ ଅହେତୁକ ଛାନିଆ ଓ ତାହାରି ସକାଶେ କିସମ କିସମର ନାକଟେକା । ନିଜପ୍ରତି ସର୍ବଦା ଏକ ଘୃଣାଭାବ ତଥା ଏଠି ଅନ୍ୟ ସମସ୍ତଙ୍କର ବିଷୟରେ ମଧ୍ୟ ଗୋଟିଏ ନିତ୍ୟଘୃଣାର ଭାବନା । ଏହି ବ୍ୟକ୍ତିମାନେ ପୃଥିବୀରେ କାହାରି ହୋଇ ପାରନ୍ତି ନାହିଁ । ଏପରିକି ନିଜର ମଧ୍ୟ ହୋଇ ପାରନ୍ତିନାହିଁ-। ସତେଅବା ନିଜଦ୍ୱାରା ସୃଷ୍ଟ କୌଣସି ସ୍ୱୟଂସମ୍ପୂର୍ଣ୍ଣ ବ୍ୟୂହର ରଚନା କରି ରଖିଥାଆନ୍ତି-। ମଇଳାମାନଙ୍କୁ ସଫା କରିବାର ଏକ ଅତ୍ୟାଗ୍ରହରେ ନିଜ ଚତୁର୍ଦ୍ଦିଗରେ ମଇଳା ମାନଙ୍କର ଆବିଷ୍କାର କରିବେ ବୋଲି ନିଜର ଗୋଟିଏ ଖାସ୍ ଆଖି ନେଇ ବୁଲୁଥାଆନ୍ତି ଏବଂ ମଇଳା ଦେଖିଲେ ସତେଅବା ଆହ୍ଲାଦିତ ହୋଇ ଉଠନ୍ତି । ଚାହିଲା ମାତ୍ରକେ, ନିଶ୍ଚୟ ମଇଲାମାନେ ଦେଖିବାକୁ ମିଳିଯିବେ ବୋଲି କୌଣସି ଖାସ୍ ସରାଗରେ ଅତ୍ର ତତ୍ର ସର୍ବତ୍ର ମଇଳାମାନଙ୍କୁ କୁଢ଼ କୁଢ଼ କରି ଘରସାରା ସାଇତି ରଖିବାରେ ମଧ୍ୟ ଖୁବ୍ ମନୋଯୋଗୀ ହୋଇ ରହିଥାନ୍ତି । ଆପଣାକୁ ଗୋଟାଶୁଦ୍ଧ ବୋଲି ଅନ୍ତତଃ ଆପଣା ପାଖରେ ପ୍ରମାଣିତ କରିଦେଇ ପାରିବେ ବୋଲି କେଡ଼େ ଅଚିନ୍ତା ଭାବରେ ଅନ୍ୟ ସମସ୍ତଙ୍କୁ ହିଁ ଅଶୁଦ୍ଧରୂପେ ଦେଖନ୍ତି ଓ ହୁଏତ ତାହାରିଦ୍ୱାରା ହିଁ ଆପଣାର ସ୍ଥିତିଟିକୁ ଖୁବ୍ ଟାଣ ପରି ଅନୁଭବ କରନ୍ତି । ଆମେ ବ୍ୟୂହଟା ବାହାରେ ଥିବା ଅନ୍ୟମାନେ ସେମାନଙ୍କ ପ୍ରତି କେତେ ଧୈର୍ଯ୍ୟଶୀଳ ହୋଇ ପାରିଲେ ଯେ ସେମାନଙ୍କର ଚୌକାଠ ପର୍ଯ୍ୟନ୍ତ ଯାଇପାରିବା ଏବଂ ଆମର ଭାଗ୍ୟ ଥିଲେ ଅଚାନକ ଫାଙ୍କଟିଏ ଦେଖି ସେମାନଙ୍କ ଭିତରକୁ ପଶିଯାଇ ପାରିବା ଓ ସେମାନଙ୍କ ଭିତରେ ତଥାପି ସାଙ୍ଗ ଲୋଡ଼ୁଥିବା ଆତ୍ମାଟିକୁ ସ୍ପର୍ଶ କରିପାରିବା, ତାହାର ଖୁବ୍ ଅନୁମାନ କରାଯାଇ ପାରିବ । ଯେକୌଣସି ଆରୋଗ୍ୟ-ପ୍ରଦାନର କ୍ଷେତ୍ରରେ ତାହାହିଁ ସର୍ବାଧିକ ପରିମାଣରେ ବିଶ୍ୱାସଯୋଗ୍ୟ ହୋଇ ରହିଆସିଛି । ଆମେ ଅଶୁଦ୍ଧମାନେ ଯେତେବେଳେ ତଥାପି ଆକୃଷ୍ଟ ହୋଇ ଶୁଦ୍ଧମାନଙ୍କୁ ମନ କରିପାରୁଛୁ, ତେବେ ସବୁ ମଣିଷଙ୍କ ଭିତରେ ସର୍ବନିୟାମକ ହୋଇ ରହିଥିବା ଅସଲ ଶୁଦ୍ଧଟା କଦାପି କେଉଁଠି ହେଲେ କୁଣ୍ଠିତ ହୋଇ ରହି ଯିବନାହିଁ, ଶୂଦ୍ର ଭିତରେ ସେହି ଅସଲ କ’ଣଟିର ପରିଚୟ ପାଇ ବାହାରର ଏହି ଆତ୍ମମନ୍ୟମାନଙ୍କ ଭିତରୁ ସୌହାର୍ଦ୍ଦ୍ୟ ପ୍ରସାରି ଦେବାପାଇଁ ସେହି ବ୍ରାହ୍ମଣ ବାହାରି ଆସିବ । ତା’ପରେ ସବୁ ଭାରି କୋମଳ ଲାଗିବ । ଖୁବ୍ ସମ୍ମତ ହୋଇ ଯାଇଥିବ ପରି ମନେ ହେବ ।

 

ତେଣୁ, କିଞ୍ଚିତ୍ ଭେଜାଲ୍ ହୋଇ ପାରୁଥିବା ଆବଶ୍ୟକ । ପୂର୍ଣ୍ଣ ସ୍ୱେଚ୍ଛାକୃତ ଭାବରେ ଭେଜାଲ । ଅସଲ ବିଶୁଦ୍ଧମାନେ ପ୍ରକୃତରେ ଭେଜାଲ ହେବାର ଆବଶ୍ୟକତାଟିଏ ଆସି ପହଞ୍ଚିଲେ ଆଦୌ ଶଙ୍କିତ ହୁଅନ୍ତିନାହିଁ । ଆଧୁନିକ ପୃଥିବୀଟିର ବହୁତ ବହୁତ ଗଣ୍ଠି ଯେ ଖୋଲିଯାଇ କ୍ରମଶଃ ଏକ ସମଧିକ ଗ୍ରହଣଶୀଳତା ଆଡ଼କୁ ଆମପାଇଁ ବାଟ କାଢ଼ି ନେଉଛି, ବହୁତ ଆଗକୁ ଆଖି ପାଉଥିବା ଆତ୍ମାମାନେ ଆଉ ଭେଜାଲ ହେବାକୁ ଭୟ କରୁନାହାନ୍ତି ବୋଲି ତାହା ସମ୍ଭବ ହେଉଛି । ସେମାନେ ଓହ୍ଲାଇ ଆସି ପାରୁଛନ୍ତି । ଗୋଟିଏ ଧର୍ମ ଆଉଗୋଟିଏ ଧର୍ମଠାରୁ ଆପଣାକୁ ଅଲଗା ଓ ଏକସିଙ୍ଗିଆ କରି ରଖିବାକୁ କ୍ରମେ ବୋକାମି ବୋଲି ଉପଲବ୍ଧି କଲେଣି । ଗୋଟିଏ ସଂସ୍କୃତି ଅନ୍ୟ ସଂସ୍କୃତିର ନିକଟ ହୋଇ ଆସିବାଲାଗି ଅମଙ୍ଗ ହେଉନାହିଁ । ଠାକୁରମାନେ ମଧ୍ୟ ନିଜକୁ ଗୋଟାସୁଦ୍ଧା ଶୁଦ୍ଧ ବୋଲି ଭାବିବାର କୌଣସି ମସ୍ତିରେ ମୋଟେ ନିଜ ବେଢ଼ାଟି ମଧ୍ୟରେ ବନ୍ଦୀ ହୋଇ ରହିବାଲାଗି ସୁଖ ପାଉନାହାନ୍ତି । ଆଦର୍ଶ ଆଦର୍ଶ ଆଡ଼େ ଚାହିଁ ଫଣା ଟେକୁନାହିଁ କିମ୍ବା ସିଙ୍ଗ ବାହାର କରୁନାହିଁ । ରାଷ୍ଟ୍ରମାନେ ତଥାପି ରାଜି ହୋଇ ଘମଣ୍ଡ ଛାଡ଼ି ପାଖରେ ବସି କଥା ବି ହେଲେଣି । ତେବେ, ଏକତରଫା ଭାବେ ପୁଣି କିଏ ରୋଗୀ ଓ କିଏ ପୁଣି ଡାକ୍ତର ? କିଏ ଖାଲି ବତାଇବ ଏବଂ ତେଣୁ କିଏ ଖାଲି ମାନିବ ? ପୃଥିବୀରେ ସେହି ଶକ୍-ଥେରାପିର ଯୁଗଟି କ୍ରମେ ଅପସରି ଯାଉଛି । ହାଲୁକାମାନେ ଅଧିକ ଯେ ବୁଝନ୍ତି, ସେହି ବାସ୍ତବ ସତ୍ୟଟି ଖୁବ୍ ନଜର ହୋଇ ଆସୁଛି । ଶୁଦ୍ଧ, ଅର୍ଥାତ୍, କେବଳଶୁଦ୍ଧ ଅଶୁଦ୍ଧମାନଙ୍କର ମିଥ୍‌ଥାନ ତୁଚ୍ଛା ଗୋଟାଏ ଗୋଟାଏ ମିଥ୍ ବୋଲି ଧରା ପଡ଼ିଯାଉଛି ।

 

ଆହୁରି କେତେ ମନୁଷ୍ୟ ଉଚ୍ଚ ଜାଗାକୁ ଯିବାକୁ ଭାରି ଡରନ୍ତି । ଉଚ୍ଚକୁ ଗଲେ ମୁଣ୍ଡ ବୁଲାଇବ ବୋଲି କହନ୍ତି । ଉଚ୍ଚକୁ ଗଲେ ସମ୍ଭବତଃ ମୁଣ୍ଡ ମୋଟେ ବୁଲାନ୍ତା ନାହିଁ, କିନ୍ତୁ ସେହି ଭୟଟା ମୁଣ୍ଡଭିତରେ ଘର କରି ରହିଥିବାରୁ ହିଁ, ସେମାନେ ଉଚ୍ଚକୁ ଯିବା ମାତ୍ରକେ ସତକୁ ସତ ମୁଣ୍ଡ ବୁଲାଏ । ଆହୁରି କେତେ ଖୋଲା ଜାଗାକୁ ଭୟ କରନ୍ତି । ଝରକା କବାଟ ବନ୍ଦ କରି ନରଖିଲେ ସେମାନଙ୍କୁ ଘର ଭିତରେ ମୋଟେ ନିଦ ହେବନାହିଁ ବୋଲି କହନ୍ତି ଏବଂ, ନିଦ ହୁଏ ବି ନାହିଁ । ଅପର ପକ୍ଷରେ, କୌଣସି ବନ୍ଦ ଜାଗା ଭିତରେ ସେମାନଙ୍କୁ ଅଣନିଃଶ୍ୱାସୀ ହୋଇ ଯାଉଥିବା ପରି ଅନୁଭବ ହୁଏ । ଏପରିକି ମଶାରି ଭିତରେ ପ୍ରବେଶ କରିବାକୁ । ମଶାମାନେ ଉପଦ୍ରବ କରୁଥିଲେ ମଧ୍ୟ ତଥାପି ମଶାରି ବ୍ୟବହାର କରିବା ସକାଶେ ରାଜି ହୁଅନ୍ତିନାହିଁ । ବୟସ୍କ ତଥା ବିବେଚନାପୂର୍ଣ୍ଣ ବ୍ୟକ୍ତିମାନେ ତଥାପି ମଶାରି ପାଖରୁ ଦୂର ହୋଇ ରହିଥାଆନ୍ତି । ଏଗୁଡ଼ିକ ଗୋଟାପଣେ ଗୋଟିଏ ଗୋଟିଏ ଭୟ,- ଏବଂ କେତେ ମନୁଷ୍ୟଙ୍କୁ କାମୁଡ଼ି କରି ରହିଥାଏ । ସେହି ଖାସ୍ ବ୍ୟକ୍ତିମାନଙ୍କ ସହିତ ସଚରାଚର ଭେଟ ହୁଏ, ଯେଉଁମାନେ ଭାରି ସାନ ଇତର ପ୍ରାଣୀମାନଙ୍କୁ ପ୍ରାଣେଭୟ କରୁଥାନ୍ତି । ସେହିମାନଙ୍କର ଚାରିପାଖରେ ବହୁତ ଲୋକ ପ୍ରାୟ ଅଗତ୍ୟା ଅବସ୍ଥାରେ ପଡ଼ି ସେମାନଙ୍କର ଘରେ ଏହି ପ୍ରାଣୀମାନେ ପ୍ରାୟ ସ୍ଥାୟୀ ଭାବରେ ବସବାସ କରି ରହିଥିଲେ ମଧ୍ୟ ତଥାପି ଏକ ବୁଝାମଣା ପୂର୍ଣ୍ଣ ସହାବସ୍ଥାନ ସହିତ ସେହିସବୁ ଘରେ ବାସ କରୁଥାନ୍ତି । କିଛି ଅସୁବିଧାର ଅବଶ୍ୟ ସମ୍ମୁଖୀନ ହୁଅନ୍ତି ଏବଂ ଚଳାଇ ନିଅନ୍ତି । କିନ୍ତୁ କେତେ ମଣିଷ ଘରେ କେଉଁଠାରେ ସେମାନଙ୍କୁ ଦେଖିବା ମାତ୍ରକେ ଅଶାନ୍ତ ହୋଇ ପଡ଼ନ୍ତି ଓ ଅନ୍ୟ ଯାବତୀୟ କର୍ମ ଛାଡ଼ି ସେଇଟି ପଛରେ ଲାଗିଥାଆନ୍ତି । ଅସରପାଟିଏ, କାନ୍ଥ ଉପରୁ ଅଚାନକ ତଳକୁ ଖସି ପଡ଼ି କେଉଁଠି ଆପେ ହିଁ ଭୟରେ ଆତ୍ମଗୋପନ କରିବାଲାଗି ଚେଷ୍ଟା କରୁଥିବା ବିଚରା ଝିଟିପିଟିଟିଏ ହେଲେ ମଧ୍ୟ ।

 

ଘରେ ଜଳୁଥିବା ବିଜୁଳି ଆଲୁଅ ଦ୍ୱାରା ଆକର୍ଷିତ ହୋଇ ଖୋଲା ଝରକା ପାଇ ବାହାରୁ ପଶି ଆସିଥିବା ଭଅଁରଟାଏ ଅଥବା ଅନ୍ୟ ପୋକଟିଏ ହୋଇଥାଉ ପଛକେ । ତା’ପରେ ସେଇଟିହିଁ ଏକମାତ୍ର ବସ୍ତୁରେ ପରିଣତ ହୋଇଯାଏ ଏବଂ ସେଇଟିକୁ ନିକାଲିଦେବା ନିମନ୍ତେ ପ୍ରଯତ୍ନମାନ କରାଯାଏ । ମଶାରିତଳେ ହୁଏତ ଗୋଟିଏ ମଶକର ଗୁଞ୍ଜନ କାନରେ ବାଜିଯିବା ମାତ୍ରକେ ତତ୍‌କ୍ଷଣାତ୍ ଶାନ୍ତିଭଙ୍ଗ ହୋଇଥାଏ ଏବଂ ସେଇଟିର ଆବିଷ୍କାର ନିପାତ ନକରିଥିବା ଯାଏ ଆଉ ତର ସହେନାହିଁ । ଛାରପୋକମାନେ ହୁଏତ ଶୋଇବା ଖଟର ଫାଙ୍କ ମାନଙ୍କରେ ରହିଥିଲେ ମଧ୍ୟ ନିଦ ହେବାରେ ମୋଟେ କୌଣସି ବ୍ୟାଘାତ ଘଟି ନଥାଏ; କିନ୍ତୁ ସେମାନଙ୍କ ମଧ୍ୟରୁ କେବେ ଗୋଟିଏ ଦୁଇଟି ଆଖି ଆଗରେ ପଡ଼ିଗଲେ ସବାଆଗ ସେମାନଙ୍କର ନିକାଶ ଲାଗି ବହୁ ଉପଚାର କରିବାକୁ ହୁଏ । ସେହି ଭୟାତୁର ମାନଙ୍କୁ ସାମାନ୍ୟ ପିମ୍ପୁଡ଼ିମାନଙ୍କୁ ନେଇ କ’ଣ କମ୍ ନାକେଦମ୍‍ ହେବାକୁ ହୁଏ ? ଖାସ୍ ପାଗପରିବର୍ତ୍ତନ ଅନୁସାରେ ପିମ୍ପୁଡ଼ିମାନେ ବାସ ବଦଳାନ୍ତି ଏବଂ ହଠାତ୍ ଦିନେ ଦିନେ ପୂରା ଟୋଲିଟାକୁ ନେଇ ଧାଡ଼ି ବାନ୍ଧି ଆଉ କୁଆଡ଼େ ଯାଉଥାନ୍ତି । ରୋଷେଇଘରେ ଏକାବେଳେକେ ପୂରା ଆଖିରେ ପଡ଼ିଯାଆନ୍ତି । ଏବଂ, ସଙ୍ଗେ ସଙ୍ଗେ ଭୟଙ୍କର ଆଶଙ୍କାମାନ ହଠାତ୍ ଧ୍ୟାନମାନଙ୍କୁ ସେହିମାନ ଆଡ଼କୁ, ହିଁ ବିଚଳିତ କରି ଦେଇଥାଏ । ଆମ ଗୃହବିଜ୍ଞାନର ସକଳ ପ୍ରୟୋଗର ଆଶ୍ରହ ନେବାକୁ ହିଁ ପଡ଼େ । କିରାସିନି-କନା ସମେତ ସବୁକିଛି ସମାଧାନର । ପିମ୍ପୁଡ଼ିଗଣ ତ ହାସୁ ହାସୁ କଲେ କିମ୍ବା କିରାସିନିର ଗନ୍ଧରେ ପଳାଇ ଯାଆନ୍ତିନାହିଁ, ତେଣୁ ପୂର୍ଣ୍ଣ ନିପାତର ଦୁର୍ଦ୍ଦଶାଟିଏ ହିଁ ଭୋଗ କରିଥାଆନ୍ତି । ତା’ପରେ ଯାଇ ଶାନ୍ତି ପ୍ରାପ୍ତ ହୁଏ, ଚିନ୍ତା ଯାଏ । ଆମର ସେହି ଗୋଟିଏ ମାତ୍ର ତ ପିମ୍ପୁଡ଼ି ବଂଶର ବିଲୋପ ହୁଏନାହିଁ, ତେଣୁ ପୁନର୍ବାର ପରବର୍ତ୍ତୀ ଦିନମାନଙ୍କରେ ସେମାନେ ପୁନର୍ବାର ଦୃଷ୍ଟିଗୋଚର ହୁଅନ୍ତି ଏବଂ ଏହିଭଳି ପ୍ରାୟ ଗୋଟିଏ ସଦାଅଭ୍ୟସ୍ତ କ୍ରମରେ ସମରଟା ଲାଗି ରହିଥାଏ । ପୁଳାଏ ପିମ୍ପୁଡ଼ିଙ୍କୁ ପ୍ରାଣରୁ ମାରିଦେଲେ ଯେ ଅସଲ ଭୟଟା ଓହ୍ଲାଇଯାଏ, ସେକଥା ଆଦୌ ନୁହେଁ । ଏହିପରି ଏକ ବର୍ତ୍ତୁଳ ରୋମାଞ୍ଚକରତାରେ ସବୁଟି ଲାଗି ରହିଥାଏ । ଏହି ମିନି ମିନି ପ୍ରାଣୀମାନଙ୍କ ବ୍ୟତୀତ ଆଉ ପ୍ରାଣୀମାନେ ମଧ୍ୟ ଥାଆନ୍ତି,- ମୂଷା, ବେଙ୍ଗ, ଆମର ଅତିପରିଚିତ ଚୁଚୁନ୍ଦ୍ରାଗଣ,- ଆହୁରି ଆଗକୁ ଗଲେ ସାପମାନେ, ମୂଷା ପଛେ ପଛେ ରହିଥିବା ବିରାଡ଼ିମାନେ, ବୁଲା କୁକୁର, ଅଦିନେ ହଠାତ୍ ଆଖିରେ ପଡ଼ୁଥିବା ପାତିମାଙ୍କଡ଼ ଏବଂ ଦୁନିଆଯାକର ଆହୁରି କ’ଣ କେତେ !

 

ନିଜ ଘର ଭଲ ଲାଗେ, ନିଜର ଗାଆଁ ଭଲ ଲାଗେ, ନିଜ ଗାଆଁ ଆମ୍ବତୋଟା ବଉଳର ସତେଅବା ଗୋଟାଏ ଅଲଗା ବାସନା ରହିଥାଏ । ଏପରିକି ଅନେକ ମଣିଷଙ୍କୁ ଆଉଏକ ଅନ୍ୟ ଖଟରେ ରାତିରେ ନିଦ ହୁଏନାହିଁ । ନିଜ ଘର ଖାଇବାର ତୁଳନା ହିଁ ନଥାଏ । ବହୁତ ଓଡ଼ିଶାବାସୀ ବାହାରକୁ ଗଲେ ଓଡ଼ିଶାର ପଖାଳକଂସାକୁ ଝୁରନ୍ତି । ଜନ୍ମଭୂମି ନିଆରା ଲାଗେ । ପାଟିମାନଙ୍କ ଅନୁସାରେ କେତେ କିସମର ରୁଚି ଏବ ରାନ୍ଧଣା,- ତଥାପି ଏହି ଚିହ୍ନା ରାନ୍ଧଣାର ଅଲଗା ସୁଆଦ,- ତେଣୁ ସେଥିରୁ ଅଲଗା ତୃପ୍ତି । ବ୍ୟାପାରଟି ଆମ ଚିହ୍ନା ଅଚିହ୍ନାର ହିଁ ସମସ୍ୟାଟିଏ; ଚିହ୍ନା, ତେଣୁ ଠିକ୍, ଏବଂ ତେଣୁ ଭଲ ଲାଗିବ ହିଁ ଲାଗିବ । ନିଜ ଭାଷାଟି ଘରର ଭାଷା, ତେଣୁ ଶ୍ରେଷ୍ଠ ଭାଷା ବୋଲି ଅବଶ୍ୟ ବୋଧ ହେଉଥିବ । ଆମ ସଂସ୍କୃତ ଭାଷା ପୃଥିବୀଯାକର ଭାଷାର ଜନନୀ ବୋଲି କହି ଆଦୌ ସଂସ୍କୃତ ଜାଣିନଥିବା କେତେ ମନୁଷ୍ୟ ଉଲ୍ଲସିତ ହୋଇ ନଉଠନ୍ତି । ଏକାଧିକ ସାହିତ୍ୟରେ ଥିବା ଲୋକଗୀତମାନେ ଅନେକ ସମୟରେ ସେହିଭଳି ଏକ ଏକପ୍ରୀତିରେ ଭାରି ଭରପୂର ହୋଇ ରହିଥାନ୍ତି । ସେହି ଏକପ୍ରୀତିମାନଙ୍କୁ ଆମେ ଏପରି ଗୋଟିଏ ପ୍ରକାରର ଅତିସଚେତନତା ବୋଲି କହିବା, ଯାହାକି ସତେଅବା ନିଜ ଅପେକ୍ଷା ଅନ୍ୟଗୋଟାକୁ ଖୁବ୍ ନିଠ କରି ଦେଖୁଥାଏ, - ସେଇଟିକୁ ନୀରସ ବୋଲି କହି ନିଜକୁ ଅଧିକ ସରସ ବୋଲି ଦୃଢ଼ ପ୍ରତ୍ୟୟ ଲାଭ କରେ ଏବଂ ନିଜ ଡିହଟି ଉପରେ ଛାତି ଫୁଲାଇ କେତେ କ’ଣ ଆତ୍ମପ୍ରଦର୍ଶନ କରେ । ଗୁଡ଼ାଏ ମିଛ ତୁଳନାରେ ଅତ୍ୟନ୍ତ ଭାରସାମ୍ୟହୀନ ଭାବରେ ଠାକୁରମାନଙ୍କ ଭିତରେ, ଧର୍ମ ଧର୍ମ, ଦେଶ ଦେଶ, ଜାତି ଜାତି, ଏପରିକି ସଂସ୍କୃତି ସଂସ୍କୃତି ଭିତରେ ସେମାନେ କାରଣହୀନ ଦୂରତାଗୁଡ଼ିକୁ ଭିଆଇ ରଖିଥାନ୍ତି ।

 

ଖୁବ୍ ସମ୍ଭବ ସେମାନେ ଆପେ ଧର୍ମରେ ନଥାନ୍ତି, ସଂସ୍କୃତିରେ ନଥାନ୍ତି, କୌଣସି ଠାକୁରଙ୍କ ଠାରେ ଆତ୍ମନିବେଦନ କରିନଥାନ୍ତି । ସତକୁ ସତ କାହାର ହୋଇଗଲେ ଜଣେ ସୁସ୍ଥ ମନୁଷ୍ୟ ତା’ପରେ ଆଉ କ’ଣ ପାଇଁ ଆଉ କେଉଁଟାର ଶ୍ରାଦ୍ଧ କରିବା ନିମନ୍ତେ ମନ କରିବ ? ନିଜ ଭିତରେ ସୁସ୍ଥ ଭାବଗୁଡ଼ିକ ଦ୍ୱାରା ପ୍ରେରିତ ହୋଇ ନିଜ ଜୀବନର ଦିନରାତି ମାନଙ୍କୁ ବଞ୍ଚି ପାରୁଥିଲେ ସିଏ କେଉଁ ଭାବପ୍ରବଣତାର ଅଲୀକତା ଭିତରେ ଅନ୍ୟମନସ୍କ ହୋଇ ରହିବ ? ଏଠି ଏତେ ଏତେ ପାଖ ଅର୍ଥାତ୍ ମୁହୂର୍ତ୍ତ ହୋଇ ରହିଥିବା ଜଗନ୍ନାଥଙ୍କୁ ଜାଣିଲେ ତ ସିଏ ସେଇଟି ସହିତ ଅତ୍ୟନ୍ତ ସ୍ୱାଭାବିକ ଭାବରେ ତାଙ୍କ ସହିତ ଯୋଡ଼ା ହୋଇ ରହିଥିବା ଜଗତଟିକୁ ଜାଣିବ ଏବଂ ଏ ଜଗତ ନାମକ ପ୍ରଶସ୍ତତମ ଦାଣ୍ଡକୁ ସିଏ ବଡ଼ଦାଣ୍ଡ ରୂପେ ପୂର୍ଣ୍ଣ ଅନ୍ତରଙ୍ଗତାରେ ଚାଲିବାରେ ସମୁତ୍ସାହିତ ହେବ ଏବଂ, ତାଙ୍କୁ ତା’ପରେ ଆଉ କେଉଁ ଅବୁଝାପଣରେ ମୋ’ର ଅଥବା ଆମର ବୋଲି କହିବାର ଅବକାଶ ପାଇବ ? ମନୁଷ୍ୟ ମାତ୍ରକେ ସମସ୍ତେ ପଇତାଟିଏ ପିନ୍ଧିଥିବା ପରି ଦେଖିବାକୁ ସମର୍ଥ ହେଲେ ସିଏ ଆଉ କେଉଁ ଅଶ୍ରଦ୍ଧାବଶତଃ କାହାର ପଇତା କେତେ ସରି ବୋଲି ତୁଳନା କରି ବାହାରିବ ? ଅଥଚ, ସେହି ଯାବତୀୟ ପ୍ରହସନ-ପର୍ବ ତ ଆମର ଏହି ଏତେଏତେ କୁଶଳତା ଦ୍ୱାରା ସମୃଦ୍ଧ ଲୋକଦାଣ୍ଡଟିକୁ ଭୟଙ୍କର ନାନା ଗୋଳରେ ବିକ୍ଷୁବ୍ଧ କରି ରଖିଛି ଏବଂ ପରିଣାମରେ ଏହି ନାନାବିଧ ଆସୁରିକତା ଆମ ଏତେଏତେଙ୍କୁ ମାଡ଼ି ବସିଛି ! ଦେଉଳମାନଙ୍କରେ ମୁଖା ପିନ୍ଧିଥିବା ଆମେ ତୁମେମାନେ ଗଦ୍‌ଗଦ ହୋଇ ଆମ ଠାକୁର ସବୁ ଠାକୁରଙ୍କ ଅପେକ୍ଷା ତଥାପି ଅଧିକ ବଡ଼ ବୋଲି ଆପଣାକୁ ବହୁସ୍ଫୀତ କରି ରଖିଛୁ ଏବଂ ବାହାରେ ପରସ୍ପର ସହିତ ମିଶି ନିଜ ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବାର ସବାଆଗର କରଣୀୟ ଗୁଡ଼ିକୁ ପାସୋରି ବହୁ ଅକଳ୍ପନୀୟ ମହାମସ୍ତିରେ ସତତ ଗ୍ରସ୍ତ ହୋଇ ରହିଛୁ । ଏହି ସବୁକିଛି କ’ଣ ତେବେ ସତକୁ ସତ ନିଜଟିକୁ ନିଜର ବୋଲି ଭଲ ପାଇ ଅର୍ଥାତ୍ ସ୍ୱୀକାର କରିନେଇ ସୁସ୍ଥ ଓ ସଂପୂର୍ଣ୍ଣ ଜୀବନଟିଏ ବଞ୍ଚିବାର ଅଭିଳାଷରୁ ଜାତହୋଇଛି ନା କ’ଣ ସବୁ ଅନ୍ୟ ମଜବୁରୀରେ ପଡ଼ି ଜାଣି ଜାଣି ଅନ୍ୟମନସ୍କ ହୋଇ ଅସୁସ୍ଥ ଦେଖିବାର ତଥା ଅଯଥା ଗୁଡ଼ିକୁ ଯାବୁଡ଼ି ରହିଥିବାର ଏକ ବହୁକ୍ଷୟକାରୀ ଆତ୍ମପ୍ରରୋଚନାରେ ପରିଣତ ହୋଇଛି ?

 

ଜୀବନର ‘ହଁ ହଁ’ ଗୁଡ଼ିକୁ ବର୍ଜନ କରି ନାନା ‘ନାହିଁ ନାହିଁ’ ଦ୍ୱାରା ମଜ୍ଜି ରହିଯିବାର ସେହି ବହୁଆକର୍ଷଣଯୁକ୍ତ ଆତ୍ମପ୍ରରୋଚନା ଏବଂ, ସର୍ବବିଧ ଆତ୍ମପ୍ରରୋଚନାରେ ପଶ୍ଚାତରେ ଏକ ଅସହାୟତା ହିଁ ରହିଥାଏ । ଅତ୍ୟନ୍ତ ଅସହାୟ ଭାବରେ ତାହାରି ପାଖରେ ଏକ ପୂର୍ଣ୍ଣ ଅଚେତନ ଆତ୍ମସମର୍ପଣ । ମନୁଷ୍ୟ ମାତ୍ରକେ ସେହି ସବାମୂଳ ଅବଲମ୍ବନ ସ୍ୱରୂପ ‘ହଁ’ ‘ହଁ’ ମାନେ କାହିଁକି ହାତଛଡ଼ା ହୋଇ ଯାଇଥାଆନ୍ତି କେଜାଣି ? ‘ନାହିଁ’ ‘ନାହିଁ’ ବୋଲି ସ୍ୱତନ୍ତ୍ର ହୋଇ ସମ୍ଭବତଃ କାହାରି ଜୀବନରେ କିଛିହେଲେ ନଥାଏ । ତେଣୁ, ସକଳ ପ୍ରାସଙ୍ଗିକତା ସହିତ କାହିଁକି ଆମେ କହିବାନାହିଁ ଯେ, ଆମ ‘ହଁ’ ‘ହଁ’ ମାନେ ଯେତେବେଳେ ଆମ ଜୀବନରେ ନରହନ୍ତି, ଅର୍ଥାତ୍ ଆମ ଭିତରକୁ ବାଟ ନପାଇ ଲେଉଟି ଯାଇଥାନ୍ତି ଓ, ଅଧିକ ନିର୍ଭୁଲ ଭାବରେ କହିଲେ, ଏମାନେ ଆମ ଭିତରେ ଥାଆନ୍ତି ଅଥଚ ସେମାନଙ୍କୁ ଆମେ କୌଣସି କାରଣରୁ ଠାବ କରି ପାରୁନଥାଉ କିମ୍ବା କରୁନଥାଉ, ସେହି ସ୍ଥିତିଟିକୁ ହିଁ ନ୍ୟାୟର ସହିତ ‘ନାହିଁ’ ‘ନାହିଁ’ ବୋଲି ଏକ ନାମକରଣ କରା ଯାଇଥାଏ । ‘ନାହିଁ’ ‘ନାହିଁ’ ମାନଙ୍କୁ ବାହାର କରି ଦେବାଦ୍ୱାରା ଯେ ‘ହଁ’ ‘ହଁ’ ନାମକ ଦୂରବସ୍ଥାଟିଏ ଆସି ପହଞ୍ଚିଯାଏ, ଆମେ ସେଥିପାଇଁ ଆଦୌ ଅନୁମାନମାନ କରି ସମସ୍ତ ବ୍ୟାପାରଟିକୁ ଆହୁରି ବଙ୍କା କରିଦେବା ନାହିଁ । ଆମ ଚିକିତ୍ସକମାନେ ମଧ୍ୟ ପ୍ରାୟ ସେହିପରି ଏକ ଶର୍ଟ୍-କଟ୍‌ରେ ଯାଇ ସମାଧାନଟାଏ ପାଇଗଲେ ବୋଲି ଅନୁମାନ କରନ୍ତି ବୋଲି ସେମାନେ ହୁଏତ ଇଲେକ୍‌ଟ୍ରିକ ଚିଆଁ ପାଖରେ ଯାଇ ପହଞ୍ଚି ଯାଆନ୍ତି । ସ୍ୱୟଂନିଜର ଚିକିତ୍ସା-ବିଜ୍ଞାନଟିକୁ ହିଁ ବାଉଳା କରି ରଖନ୍ତି । ବିଚରା ରୋଗୀମାନଙ୍କର ଅସହାୟତାଟିକୁ ଭଳି ଭଳି ପାର୍ଶ୍ୱପରିଣାମ ଦ୍ୱାରା ଜଟିଳ କରନ୍ତି । ଅସହାୟତାକୁ ଦୂର କରିବାକୁ ହେଲେ ଅସହାୟତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଉତ୍ପୀଡ଼ିତ ହେଉଥିବା ସ୍ୱୟଂ ବ୍ୟକ୍ତିଟି ସମ୍ମୁଖୀନ ହେବାଲାଗି ଅସମର୍ଥ ହୋଇ ରହିଥିଲେ, ତା’ର ଶୁଶ୍ରୂଷା ସହିତ ସଂପୃକ୍ତ ସର୍ବଜନଙ୍କୁ ମଧ୍ୟ ସେଇଥିରୁ ଆରମ୍ଭ କରିବାକୁ ହୁଏ ଏବଂ, ସେମାନଙ୍କୁ ମଧ୍ୟ ପରିମଳଟିକୁ ମାନି ନିଜ ଭିତରେ ତଥା ଅପରପକ୍ଷଟି ଭିତରେ ସର୍ବପ୍ରଥମେ ‘ହଁ’ ‘ହଁ’ ଟାକୁ ମାନି ନେବାକୁ ହୋଇଥାଏ ।

 

ରୋଗକୁ ସିନା ଔଷଧମାନେ ଅଛନ୍ତି, ମାତ୍ର ଅସୁସ୍ଥତାକୁ ପୁଣି କେଉଁ ଔଷଧ ରହିଛି ? ମନୁଷ୍ୟମାନଙ୍କର ଜୀବନ ଯୁଗର କ୍ରମାନୁସାରେ ଅଗ୍ରଗତି କରୁଥିବା ସହିତ ଏବଂ ସେହି କାରଣରୁ ଅଧିକରୁ ଅଧିକ ପ୍ରକାରେ ପ୍ରସାରିତ ହୋଇ ଚାଲିଥିବା ଅନୁସାରେ ସେହି ରୋଗମାନେ ବଳୁଆ ହୋଇ ଦେଖା ଦେଉଥିବା ସଙ୍ଗେ ସଙ୍ଗେ ତଦନୁରୂପ ଟକ୍କର ଦେଇ ଔଷଧମାନେ ମଧ୍ୟ ଅଧିକରୁ ଅଧିକ ବଳୁଆ ହେବାରେ ଲାଗିଛନ୍ତି । କିନ୍ତୁ ଅସୁସ୍ଥଗୁଡ଼ାକୁ ସୁସ୍ଥରେ ପରିଣତ କରିବାର ଭେଷଜମାନେ କାହାନ୍ତି ? ବହୁ ମନୁଷ୍ୟଙ୍କର ସେହି ଅସୁସ୍ଥତା ଓ ତଜ୍ଜନିତ ଆତ୍ମସଙ୍କୋଚନ ଏବଂ ଆତ୍ମଅପସାରଣ ନିମନ୍ତେ ପ୍ରତିକାରମାନେ କାହାନ୍ତି ? ଭେଷଜମାନେ ସିନା ସାମୟିକ ଭାବରେ କିଛି ଆରାମ ଦେବେ ଏବଂ ସନ୍ତାପଗୁଡ଼ିକ ଊଣା ହୋଇ ଆସିବା ପରି ବୋଧ ହେଉଥିବ । ତଥାପି ପୁନର୍ବାର ଫରଚା ପାଇ ଜ୍ୱାଳାମାନେ ଖୁବ୍ କୁହୁଳି ହିଁ ଉଠିବେ ଏବଂ ଆମ ଭିତରେ ଆମକୁ ଆମର ନିର୍ଭରସ୍ତମ୍ଭ ଗୁଡ଼ିକରୁ ହୁଡ଼ାଇ ନେବାରେ ଲାଗିଥିବେ ଏବଂ, ଆପଣା ଉପଚାରର ଶେଷ ବାଣଟିକୁ ପ୍ରୟୋଗ କରି ପରମକୁଶଳୀମାନେ ଆମକୁ ଔଷଧଗୁଡ଼ାକୁ ଦେଇ ଶୁଆଇ ପକାଇବେ । ଭିତରର ମଣିଷଟି ଧୀରେ ଧୀରେ ନିଜ ବ୍ୟକ୍ତିତ୍ୱର ମୂଳ ବଳଟିକୁ ହରାଇ ବସୁଥିବ ଏବଂ, ତା’ପରେ ମାମୁଲି ବ୍ୟକ୍ତିଚେତନାଟିର ମାମୁଲି କେତେଗୁଡ଼ିଏ ସନ୍ତକ ତଥାପି ରହିଥିବେ ଓ ସେଇଗୁଡ଼ିକୁ ନେଇ ଆମେ କେବଳ ଜୀଅନ୍ତା ଅସ୍ତିତ୍ୱଟିଏ ପରି ତିଷ୍ଠି ହିଁ ରହିଥିବା ।

 

ମନୋଗବେଷଣାର ପ୍ରୟୋଗତ୍ମକ କ୍ଷେତ୍ରଗୁଡ଼ିକରେ ବହୁ ଅଭିନବ ସତ୍ୟାନୁମାନର ଅନ୍ତର୍ଦୃଷ୍ଟି ଲାଭ କରି ଆମ ଏସମୟର ଜଣେ ବହୁଚକ୍ଷୁବିଶିଷ୍ଟ ଅଧ୍ୟୟନକାରୀ ଶ୍ରୀଯୁକ୍ତ ଲରେନ୍‌ସ୍ କେ. ଫ୍ରାଙ୍କ୍ ଏହି ସାଂପ୍ରତିକ ସମାଜକୁ ଗୋଟିଏ ଅସୁସ୍ଥ ହୋଇ ରହିଥିବା ବାସ୍ତବ ବୋଲି କହିଛନ୍ତି । (୧) ସମାଜ ଅସୁସ୍ଥ, ତେଣୁ, ସମାଜରେ ବାସ କରୁଥିବା ବ୍ୟକ୍ତିମାନେ ମଧ୍ୟ ଅସୁସ୍ଥ.- ଶ୍ରୀ ଫ୍ରାଙ୍କ୍ ଏପରି ଶସ୍ତା କଥାଟିଏ କହିବା ଲାଗି ଆଦୌ ଇଚ୍ଛା କରିନାହାନ୍ତି । ସୁନିଶ୍ଚିତ ଭାବରେ ତାଙ୍କର ସେହି ବକ୍ତବ୍ୟଟିର ମୂଳ କଥାଟି ହେଉଛି ଯେ, ବର୍ତ୍ତମାନ ସମାଜର ବ୍ୟବସ୍ଥାମାନ ଏପରି ପ୍ରାୟ ଉତ୍କଟ ଭାବରେ ଯାବତୀୟ ସୁସ୍ଥତାର ପ୍ରତିକୂଳ ହୋଇ ରହିଛି ଯେ, ଜଣେ ବ୍ୟକ୍ତି ଆପଣାର ସୁସ୍ଥ ଜୀବନଟିଏ ବଞ୍ଚିବା ନିମନ୍ତେ ଯେତେ ଇଚ୍ଛା କରୁଥିଲେ ଏବଂ ଏପରିକି ସେହି ଦିଗରେ ସକଳ ସାଧୁତା ସହିତ ଯେତେ ପ୍ରୟାସ କରୁଥିଲେ ମଧ୍ୟ ତା’ର ସେହି ପ୍ରୟାସମାନେ ନାନା ବାଧାର ସମ୍ମୁଖୀନ ହେବେ ଏବଂ ଯିଏ ହୁଏତ ସେଇଟି ହେତୁ ପ୍ରୟାସମାନଙ୍କୁ କରିବାରୁ ନିରସ୍ତ ହୋଇ ରହିଯିବ । ବର୍ତ୍ତମାନର ପୃଥିବୀକୁ ଆପଣା କବଳ ଭିତରେ ପ୍ରାୟ ବାଧ୍ୟ କରି ରଖିଥିବା ରାଷ୍ଟ୍ରଶକ୍ତି, ଅର୍ଥଗତ ନ୍ୟସ୍ତସ୍ୱାର୍ଥ ମାନଙ୍କର ନାନା ନିୟନ୍ତ୍ରଣ,- ଏବଂ, ଗୋଟିଏ ଶବ୍ଦରେ କହିଲେ, ଏହି ପୃଥିବୀରେ ଯେ ମୂଳତଃ କୋଟି କୋଟି ମନୁଷ୍ୟ ବାସ କରୁଛନ୍ତି, ଯେଉଁମାନଙ୍କର କି ଧର୍ମତଃ ଶୁଭବାସନାମାନେ ରହିଛନ୍ତି ଏବଂ ଯେଉଁମାନେ ସେହି ଅନୁସାରେ ନାନାଭଳି ପାରସ୍ପରିକତା ଅର୍ଥାତ୍ ସହଯୋଗର ସୁସ୍ଥ ସଂକଳ୍ପଦ୍ୱାରା ପରିଚାଳିତ ହୋଇ ଏଠି ଏକ ସୁନ୍ଦର ପୃଥିବୀକୁ ସମ୍ଭବ କରି ଆଣିବେ ବୋଲି ସତକୁ ସତ ଇଚ୍ଚା କରୁଛନ୍ତି, ଆମର ଏହି ମହାପ୍ରବଳ Establishment ର ଆସୁରିକତା ତାହାକୁ ସ୍ୱୀକାର ହିଁ କରୁନାହିଁ ଓ ମୋଟେ ବାଟ ଛାଡ଼ୁନାହିଁ ।

 

ଭାବନାଟିକୁ ଏକାବେଳେକେ ଆମ ଏକାଳର ସ୍ଥିତିଗୁଡ଼ିକର ସନ୍ଦର୍ଭ ଦେଇ ଆମେ ଖୁବ୍ ସହଜରେ ବୁଝିବାଲାଗି ସମର୍ଥ ବି ହେବା ଯେ, ପୃଥିବୀଯାକ ସମ୍ପଦ ବୃଦ୍ଧି ପାଉଛି, ସାଧନାମାନେ ମଧ୍ୟ ବୃଦ୍ଧିଲାଭ କରୁଛନ୍ତି; ବିଜ୍ଞାନ ତଥା ବୈଜ୍ଞାନିକ ବହୁ କୌଶଳରେ ବିପଣିମାନେ ସହସ୍ରଗୁଣ ବୈପୁଲ୍ୟକୁ ଆଣି ଆମ ସମସ୍ତଙ୍କର ଦ୍ୱାରଦେଶରେ ଆଣି ପହଞ୍ଚାଇ ଦେଉଛନ୍ତି । ମାତ୍ର, ସବାଉପରେ ସବୁଠାରୁ ଅଧିକ ଦୁର୍ଦ୍ଧର୍ଷ ଭାବରେ ଥାନଗୁଡ଼ିକୁ ମାଡ଼ି ବସିଥିବା ନାନା ଅନମନୀୟ କ୍ଷମତାର ସ୍ୱାର୍ଥମାନେ ସେହି ଉପରୁ ଥାଇ ବରାଦଗୁଡ଼ିକୁ ଏପରି ବିଗାଡ଼ି ଦେଉଛନ୍ତି ଯେ, ସତେଅବା ସବୁକିଛି ପଣ୍ଡ ହିଁ ହୋଇଯାଉଛି । ତେଣୁ Society କହିଲେ ଏଠାରେ ମୋଟେ ତୁମ ଆମ ପରି ସାଧାରଣ ସ୍ୱାସ୍ଥ୍ୟକାମୀ ମନୁଷ୍ୟମାନଙ୍କୁ ବୁଝାଉନାହିଁ; ହଁ, ନ୍ୟାୟତଃ ବିଶେଷ କେତେଟା ବର୍ଗକୁ ବୁଝାଉଛି, ଯେଉଁମାନେ କି ଏକୁଟିଆ ଆମର ଏହି ବସୁନ୍ଧରାଟାକୁ ଆପଣାର ଏକାଚାଟିଆ କରି ରଖିବେ ଏବଂ ସବୁଟାକୁ ଭୋଗ କରିବେ । ଗୋଟାଏ ନିପଟ ଅସ୍ୱାସ୍ଥ୍ୟ ଭିତରେ ସେମାନେ ଆପଣାକୁ କିଳି ରଖିଛନ୍ତି । କେବଳ ଅନେକେ ବହୁ ସମୟରେ ଅନୁମାନ କରୁଥିବା ଆମ ଆଖିମାନଙ୍କରେ ପଡ଼ି ଯାଉଥିବା ଧନୀ ଦେଶମାନେ ନୁହନ୍ତି: ସେହି ତଥାକଥିତ ବହୁପ୍ରାଚୀନ ପୃଥ୍ୱୀକଣ୍ଡ ମାନଙ୍କରେ ମଧ୍ୟ Establishment ମାନେ ରହି ଆସିଛନ୍ତି । ଆମ ପ୍ରାଚୀନ ଭୂମି ଏହି ଶାସ୍ତ୍ରୋକ୍ତ ଭାରତବର୍ଷ ଲଗାଏତ୍ । ସେକାଳର ରାଜତନ୍ତ୍ର ମାନଙ୍କରେ, ମଧ୍ୟବର୍ତ୍ତୀ ଶତାବ୍ଦୀ ମାନଙ୍କର ସାମନ୍ତବାଦରେ ଏବଂ ଏକାଳର ଗଣତନ୍ତ୍ରରେ । ଆମ ସମସ୍ତଙ୍କୁ ନେଇ ସଚଳ ହୋଇ ରହିଥିବା ଏବଂ ନିୟତ ଆମ ମନୁଷ୍ୟମାନଙ୍କୁ ଉଜ୍ଜୀବିତ କରି ରଖିଥିବା ଏହି ବିଶ୍ୱରେ କେତୋଟି ଅତ୍ୟନ୍ତ ଅତିକାୟ କେତେଗୁଡ଼ିଏ ଗଣତନ୍ତ୍ର ଅଛନ୍ତି, ଯେଉଁଠାରେ କି ତନ୍ତ୍ରଟା ଏକପାଖିଆ ହୋଇ ଗଣଟିକୁ ନିଜର କାଇଦା ମଧ୍ୟରେ ରଖିଛି । ଗଣ ନିମନ୍ତେ ହିଁ ତନ୍ତ୍ରଟିଏ ଚାଲୁଛି ବୋଲି କୌଣସି ଲକ୍ଷଣ ହିଁ ନାହିଁ । ତନ୍ତ୍ର ହାତରେ ଏକ ପୋଲିସ ବାହିନୀ, ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଦେବା ସକାଶେ ପ୍ରାୟ ଯାବତୀୟ ହିସାବରେ ଆଦୌ ନୁହେଁ, ବରଂ ଗଣକୁ ହିଁ କାନ ଧରି ଆପଣାର ତଥାକଥିତ ଆଇନର ଦ୍ୱାହି ଦେଇ ମଣ ଏବଂ ବାଧ୍ୟ କରି ରଖିବାର ଗୋଟିଏ ଗୋଟାସୁଦ୍ଧା ଅନ୍ୟ ମତଲବରେ । ଗଣପକ୍ଷଟି ସେଥିଲାଗି ଭାରି ଅସହାୟ ହୋଇ ରହିଛି । ଗୋଟିଏ ଅତ୍ୟନ୍ତ ଆଦିମ ସଂସ୍କରଣର ଜାତୀୟତାବାଦ ସେଥିରେ କେତେ ଭଳି ପେଖନା ମଧ୍ୟ ଯୋଗାଇ ଦେବାରେ ଲାଗିଛି ଏବଂ, ଏହି କ୍ଷେତ୍ରରେ ଧର୍ମର ସେହି ଅନ୍ୟ Establishment ଟା ମଧ୍ୟ ଭକ୍ତ ସାଜି ‘ନାରାୟଣ’ ‘ନାରାୟଣ’ ବୋଲି କହି ବେଶ୍ ପାଳି ଦେବାରେ ଲାଗିଛି ।

 

ମନୁଷ୍ୟର ପରିପେକ୍ଷୀରେ ସମାଜକୁ ତଥା ସମାଜକୁ ଆବଶ୍ୟକ ପରିପ୍ରେକ୍ଷୀ ରୂପେ ବ୍ୟବହାର କରି ମନୁଷ୍ୟର ବହୁ ସହାନୁଭୂତିପୂର୍ଣ୍ଣ ଅଧ୍ୟୟନ କରିଥିବା ଦ୍ୱିତୀୟ ମହାଯୁଦ୍ଧର ପରବର୍ତ୍ତୀ କାଳରେ ସୁପ୍ରଖ୍ୟାତ ମନୋବିଶ୍ଳେଷକ ତାଙ୍କର ଗୋଟିଏ ଲେଖାରେ ଯାହା ସୂଚନା ଦେଇଛନ୍ତି, ସେଇଥିରୁ ବର୍ତ୍ତମାନ ଆମେ ଆମ ସୁସ୍ଥ-ଅସୁସ୍ଥ ବିଚାରର ପରବର୍ତ୍ତୀ ପର୍ଯ୍ୟାୟଟି ମଧ୍ୟରେ ପ୍ରବେଶ କରିବା । ଅଧ୍ୟାପକ ଏରିକ୍ ଫ୍ରମ୍ ସେହି ବିଷୟରେ କହିଛନ୍ତି: ଆଧୁନିକ ଯନ୍ତ୍ର ଏବଂ ଯନ୍ତ୍ରକୌଶଳର କେତେ ନା କେତେ ଏହି ନାନା ଶକ୍ତିମତ୍ତାରେ ଅଧିକରୁ ଅଧିକ ବିସ୍ମୟ ପ୍ରକାଶ କରୁଥିବା ସଙ୍ଗେ ସଙ୍ଗେ ଆମେ ମନୁଷ୍ୟମାନେ ଆପଣାର ବହୁଗୁଣ ବିସ୍ମୟକାରୀ ଶକ୍ତିମତ୍ତା ଗୁଡ଼ିକୁ କ୍ରମଶଃ ଅଧିକରୁ ଅଧିକ କରିପାରୁଛନ୍ତି ଓ ମନୁଷ୍ୟକୁ ହତବାକ୍ କରି ଦେଉଛନ୍ତି । ମନୁଷ୍ୟ ଓ ସିଏ ଭିଆଣ କରିବାରେ ଲାଗିଥିବା ମେସିନ୍‌ଗୁଡ଼ିକ ମଧ୍ୟରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ଲାଗିଛି ଓ ସକଳ ପରିଣାମରେ ମେସିନ୍ ଟପି ଟପି ଯାଉଛି ଏବଂ ମନୁଷ୍ୟମାନେ ପଛରେ ରହି ଯାଉଛନ୍ତି । ନିଶ୍ଚୟ ଏକ ସାଂଘାତିକ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବ । ଏହିପରି କୌଣସି ମୋହଭଙ୍ଗରେ ପଡ଼ି ଅଧିକରୁ ଅଧିକ ମନୁଷ୍ୟ ଆପଣା ଉପରୁ ପରସ୍ପର ଉପରୁ ଏବଂ ତାହାରି ଦ୍ୱାରା ଯେ ଆମ ପୃଥିବୀରେ ହୋଇପାରିବେ ବୋଲି ନାନା ସମ୍ଭାବନା ଅପେକ୍ଷା କରି ରହିଛି, ସେହି ମୂଳଭୂତ ପ୍ରତ୍ୟୟଟି ଉପରୁ ଆସ୍ଥାମାନ ହରାଇ ବସୁଛି । କ୍ରମେ ଆପଣାର ସତ୍ୟତମ ସାମର୍ଥ୍ୟଗୁଡ଼ିକରୁ ବିଶ୍ୱାସ ହରାଉଛି । ଆପଣା ଉପରୁ, ତେଣୁ ପରସ୍ପର ଉପରୁ,- ପରସ୍ପର ଉପରୁ ଅତଏବ ଆପଣା ଉପରୁ । ଏଇଟି ମଧ୍ୟ ନିଶ୍ଚୟ ଗୋଟିଏ ପ୍ରକାରର ମାୟାବାଦ, ଯାହାକି ମନୁଷ୍ୟକୁ ଓ ମନୁଷ୍ୟମାନଙ୍କୁ କାଳ ହାତରେ କ୍ରୀଡ଼ନକ କରି ରଖିବାରେ ଲାଗିଛି ଏବଂ, ଏହି ସ୍ଥିତିଟିକୁ ଆମେ ଗୋଟିଏ ସୁସ୍ଥ ଅଥବା ଅସୁସ୍ଥ କେଉଁ ପ୍ରକାରର ଗୋଟିଏ ପ୍ରବୃତ୍ତି ବୋଲି କହିବା ?

 

ବର୍ତ୍ତମାନ ଆମେ ଶ୍ରୀଯୁକ୍ତ ଫ୍ରମ୍‌ଙ୍କର ଗୋଟିଏ ବିଶେଷ ପୁସ୍ତକକୁ ଭୂମି କରି ଚର୍ଚ୍ଚାଟିଏ କରିବା, ଯେଉଁଟିରେ ଆଧୁନିକ ମନୁଷ୍ୟକୁ ବୁଝିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ନାନା ପରିବେଶଗତ ଅନୁକୂଳତା ହେତୁ ସେହି ମନୁଷ୍ୟ, ସୁନିଶ୍ଚିତ ଭାବରେ ପାଶ୍ଚାତ୍ୟ ସମୂହ ମାନଙ୍କର ସମ୍ପନ୍ନତର ପୃଥିବୀଟିର ମନୁଷ୍ୟମାନେ ଆଉ ପୂର୍ବତନ ଶତାବ୍ଦୀ ଗୁଡ଼ିକରେ ଏକାଧିକ ବେଡ଼ି ଦ୍ୱାରା ଅସମର୍ଥ ହୋଇ ନରହି ଏକ ଅଭୂତପୂର୍ବ ମୁକ୍ତିର ଅଧିକାରୀ ହୋଇଛନ୍ତି । ମାତ୍ର ତଥାପି, ସେହି ମୁକ୍ତ ମନୁଷ୍ୟମାନେ କାହିଁକି ବହୁ ଦାସତା ଦ୍ୱାରା ଅନ୍ତର୍ଗତ ଭାବରେ ବାନ୍ଧି ହୋଇ ରହିଛନ୍ତି ଓ ମୁକ୍ତ ମନୁଷ୍ୟମାନଙ୍କ ସଦୃଶ ଆଚରଣ କରୁନାହାନ୍ତି ? ସେମାନେ ସେହି ମୁକ୍ତିଗୁଡ଼ିକର ଯୋଗ୍ୟ ହୋଇ ପାରିନାହାନ୍ତି ଓ ଚାହାଳୀଚୋର ହୋଇ ପଳାୟନ କରିଛନ୍ତି କି ? ଗ୍ରନ୍ଥଟିର ଆମେରିକାନ୍ ସଂସ୍କରଣଟିକୁ ଫ୍ରମ୍ Escape from Freedom ବୋଲି ନାମକରଣ କରିଛନ୍ତି । (୨) ଏହି ପୁସ୍ତକଟିର ବ୍ରିଟିଶ୍ ସଂସ୍କରଣଟିକୁ ସେ The Fear of Freedom ବୋଲି ନାମିତ କରିଛନ୍ତି । ସମ୍ଭବତଃ ସେହି ଗୋଟାଏ ହିଁ କଥା । ସକଳ ହିସାବରୁ ମୁକ୍ତିଲାଭ କରିଥିବା ମନୁଷ୍ୟମାନେ ମୁକ୍ତ ହେବାକୁ ଭୟ କରୁଛନ୍ତି ଏବଂ ତେଣୁ ସେହି ଅବସ୍ଥାଟିରୁ ପଳାୟନ କରୁଛନ୍ତି । ମୁକ୍ତିଲାଭ କରିଥିବା ହେତୁ ଭୟ ଓ ସେଥିପାଇଁ ସେଥିରୁ ପଳାୟନ; ବେଡ଼ିମାନଙ୍କରୁ ମୁକ୍ତ ହୋଇଥିବା ମନୁଷ୍ୟ ଓ ମନୁଷ୍ୟମାନଙ୍କର ନୂଆ ନୂଆ ନାନା ଦାୟିତ୍ୱ । ସମ୍ଭବତଃ ସର୍ବପ୍ରଥମ ଦାୟିତ୍ୱଟି ହେଉଛି ଯେ ସିଏ ଓ ସେମାନେ ସମଗ୍ର ପୃଥବୀର ଗୋଡ଼ରେ ପଡ଼ି ରହିଥିବା ବେଡ଼ିଗୁଡ଼ିକ ଅପସରି ଯିବାରେ ନିମିତ୍ତ ହେବେ ଏବଂ ତେଣୁ ଅଗ୍ରଣୀ ହେବାର ଭୂମିକାମାନଙ୍କୁ ଗ୍ରହଣ କରିବେ ଏବଂ କୌଣସି କାରଣରୁ ସେଥିପାଇଁ ଅସମର୍ଥ ବୋଲି ଅନୁଭବ କଲେ ସେହି ମୁକ୍ତିରୁ ପଳାୟନ କରିବେ ।

 

ଆପଣା ଭୂମି ଇଉରୋପକୁ ସଂଦର୍ଭ ରୂପେ ବ୍ୟବହାର କରି ଏରିକ୍ ଫ୍ରମ୍ ସେହି ନାନା ପଳାୟନର ଆଲୋଚନା କରିଛନ୍ତି ଏବଂ ସେଗୁଡ଼ିକର ପଶ୍ଚାତରେ ରହିଥିବା ଭୟଗୁଡ଼ିକୁ ମଧ୍ୟ କିଛି କିଛି ଉଖାରି ଦେଖାଇ ହେବାର ଉଦ୍ୟମ କରିଛନ୍ତି । ଇଉରୋପର ବାହାରେ ରହିଥିବା ତଥାପି ଇଉରୋପର ଅଳ୍ପବହୁତ ସଚେତନ ପରିଚୟରେ ତଥାକଥିତ ନିଜର ଭୂଇଁରେ ରହିଥିବା ବହୁ ଅନ୍ୟମାନଙ୍କ ସକାଶେ ମଧ୍ୟ ସେଇଟି କେବେହେଲେ ସଂପୂର୍ଣ୍ଣ ଭାବରେ ଅବୋଧ୍ୟ ଲାଗିବା ଉଚିତ ନୁହେଁ । ମନୋବିଶ୍ଳେଷଣର ଅଧ୍ୟୟନରେ ଶ୍ରୀଯୁକ୍ତ ଫ୍ରମ୍ ସବାମୂଳର ଚାହାଣି ଗୁଡ଼ିକ ଦ୍ୱାରା ନାନାଭାବେ ପୂର୍ବଗାମୀ ଫ୍ରଏଡ୍‌ଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ଗ୍ରନ୍ଥଟିର ଆରମ୍ଭରୁ ହିଁ ସ୍ପଷ୍ଟ କରି ଦେଇଛନ୍ତି ଯେ, ଆପଣାର ସକଳ ଆଲୋଚନାକୁ ଜଣେ ବ୍ୟକ୍ତି କେବଳ ତଥାକଥିତ ତା’ର ସେହି ବ୍ୟକ୍ତିସୀମାଟି ମଧ୍ୟରେ ଆଦୌ ଆବଦ୍ଧ କରି ରଖିନଥାଏ ଏବଂ ବସ୍ତୁତଃ ଚାରିପାଖର ପୃଥିବୀଟି ସହିତ ସମ୍ବନ୍ଧିତ ହୋଇ ରହିଥାଏ । ବ୍ୟକ୍ତି ଭିତରର କେବଳ ତଥାକଥିତ ତା’ର ସହଜାତ ପ୍ରବୃତ୍ତିମାନେ ନୁହନ୍ତି, କିନ୍ତୁ ତାକୁ ବ୍ୟଷ୍ଟିତ କରି ରହିଥିବା ସମାଜ ଅର୍ଥାତ୍ ପୃଥିବୀନାମକ ସମଗ୍ରଟି ମଧ୍ୟ ଏକ ଶକ୍ତିଶାଳୀ ଉପାଦାନ ରୂପେ ସବୁବେଳେ ମହଜୁଦ ରହିଥାଏ ଓ ତା’ର ତୃପ୍ତି ଏବଂ ଅତୃପ୍ତିଗୁଡ଼ିକୁ ଆକାର ପ୍ରଦାନ କରେ ଏବଂ, ଫ୍ରମ୍‌ଙ୍କ କହିବା ଅନୁସାରେ ବ୍ୟକ୍ତି ଏବଂ ସମାଜର ଉକ୍ତ ସମ୍ବନ୍ଧମାନେ ଆଦୌ ସର୍ବଦା ସେହି ଏକାଭଳି ହୋଇ ରହିନଥାନ୍ତି, ସର୍ବଦା ହିଁ ବଦଳି ଯାଆନ୍ତି । ଏହାର ଏକ ବାସ୍ତବ କାରଣ ଅବଶ୍ୟ ହୋଇଥିବ ଯେ, ବ୍ୟକ୍ତିମାନଙ୍କ ବିଷୟରେ ତା’ ସମାଜର ଚାହାଣିମାନେ ବଦଳି ଯାଉଥାନ୍ତି ଏବଂ ଜଣେ ବ୍ୟକ୍ତି ମଧ୍ୟ ନିଜ ସମାଜଟି ସହିତ ଆପଣାକୁ କିପରି ସମ୍ବନ୍ଧିତ କରିବ, ସେଇଟି ନାନାଭଳି ହେବାରେ ଲାଗିଥାଏ ।

 

ପ୍ରତ୍ୟେକ ମନୁଷ୍ୟର ଆଉଗୋଟିଏ ଦିଗ, ଯାହାକି ତା’ର ଶାରୀରିକ ଆବଶ୍ୟକତା ପରି ଏକାନ୍ତ ଅପରିହାର୍ଯ୍ୟ, ସେଇଟି ହେଉଛି ଯେ ସିଏ ଆପଣାର ଏକ ସ୍ୱକୀୟ ଶୈଳୀରେ ହିଁ ଆପଣା ଜୀବନକୁ ବଞ୍ଚିବ, ବାହାରେ ରହିଥିବା ଜଗତଟିକୁ ଆପଣାର ଗୋଟିଏ ସ୍ୱକୀୟ ଧାରାରେ ବଞ୍ଚିବ ଏବଂ ଯାହାକିଛି ହେଉଥିଲେ ବା ନହେଉଥିଲେ ମଧ୍ୟ ତାକୁ କୌଣସି ପରିସ୍ଥିତିରେ ମଧ୍ୟ ଏକାକୀ ଲାଗୁନଥିବ । ସେହି କାରଣରୁ ପ୍ରତ୍ୟେକ ମନୁଷ୍ୟ ଯଥାସମ୍ଭବ ସେହି ଏକାକୀ ଲାଗିବାଟିକୁ ଏଡ଼ାଇ ରହିବା ସକାଶେ ଚେଷ୍ଟା ମଧ୍ୟ କରୁଥାଏ । ତେଣୁ, ପ୍ରଥମରୁ ହିଁ ସ୍ମରଣରେ ରଖିବାକୁ ହେବ ଯେ ଆମେ ମନୁଷ୍ୟମାନେ କେବଳ ଆମ ଜୈବ ପ୍ରୟୋଜନ ଗୁଡ଼ିକର ସନ୍ତୋଷବିଧାନ ପାଇଁ ବଞ୍ଚୁନାହିଁ; ଆମ ଜୀବନଧାରଣର ସହଜାତ ବୃତ୍ତିମାନଙ୍କର ଇଚ୍ଛାପୂରଣ ନିମନ୍ତେ ମଧ୍ୟ ଗୋଟାସୁଦ୍ଧା ବଞ୍ଚୁନାହିଁ, ଏବଂ ନିଜ ତଥାକଥିତ ସଂସ୍କୃତିଗତ ଛାଞ୍ଚମାନଙ୍କ ମଧ୍ୟରେ ନିଜକୁ ଯାନ୍ତ୍ରିକ ଭାବରେ କେବେହେଲେ ବାନ୍ଧି ରଖିନଥାଉ । ପ୍ରତ୍ୟେକ ମନୁଷ୍ୟ ଭିତରେ ସର୍ବଦା ଏପରି ଉପାଦାନଟିଏ ଥାଏ, ଯାହାକୁ ଅନନ୍ୟ ବୋଲି ମଧ୍ୟ କୁହାଯିବା ଉଚିତ । ସିଏ ଯେପରି ଭାବରେ ହେଉ ପଛକେ, ନିଜ ଶରୀରଗତ ଆବଶ୍ୟକତା ମାନଙ୍କୁ ନିଶ୍ଚୟ ପୂରଣ କରିବ, କୌଣସି ପ୍ରକାରେ ମୁଁ ଏକାକୀ ବୋଲି ଅନୁଭବ କରିବ ନାହିଁ, ସଙ୍ଗ ଲୋଡ଼ିବ,- ମୁଁ ଅନ୍ୟମାନଙ୍କର ସହିତ ରହିଛି ବୋଲି ଅତ୍ୟନ୍ତ ସ୍ୱାଭାବିକ ଭାବରେ ଜାଣୁଥିବ ।

 

ଏକ ଉପକ୍ରମଣିକା ପରି ଏତିକି କହିସାରିବା ପରେ ଏରିକ୍ ଫ୍ରମ୍ ତାଙ୍କର ଏହି ପ୍ରସ୍ତୁତ ପୁସ୍ତକଟିର ଏକ ମୁଖ୍ୟ ଆଭିମୁଖ୍ୟ ବୋଲି ଉଲ୍ଲେଖ କରିଛନ୍ତି: ପୂର୍ବବର୍ତ୍ତୀ ପ୍ରଥମ କାଳଟିର ପ୍ରକୃତି ତଥା ଅନ୍ୟ ମନୁଷ୍ୟମାନଙ୍କ ସହିତ ସିଏ ବହୁକାଳ ଏକ ସମଞ୍ଜସତାରେ ବାନ୍ଧି ହୋଇ ରହିବା ପରେ ଜଣେ ମନୁଷ୍ୟ କ୍ରମେ ଜଣେ ବ୍ୟକ୍ତି ବୋଲି ସଜ୍ଞାନ ହୋଇଛି, ନାନା ଶ୍ରଦ୍ଧାଯୁକ୍ତ ସମ୍ପର୍କ ତଥା ସାମୂହିକ ଉତ୍ପାଦନର ଶ୍ରମବ୍ୟବସ୍ଥାରେ ଅପରିହାର୍ଯ୍ୟ ଭାବରେ ପୃଥିବୀ ସହିତ ନିଜକୁ ସଂପୃକ୍ତ କରିବାକୁ ଆରମ୍ଭ କରିଛି । ଏହିପରି କେତେଗୋଟି ସମ୍ପର୍କସୂତ୍ରରେ ନିଜକୁ ବାନ୍ଧି ରଖି ସିଏ ବୃହତ୍ତର ପୃଥିବୀ ଅର୍ଥାତ୍ ସମାଜରେ ଏକ ନିରାପତ୍ତା ହାସଲ କରି ପାରୁଛି । ଜଣେ ବ୍ୟକ୍ତି ହୋଇ ରହିଥିଲେ ମଧ୍ୟ ପୃଥିବୀ ସହିତ ସମ୍ପର୍କିତ ହୋଇ ରହିଛି । ହଁ, ସେ ଏକ ଧର୍ମଗୋଷ୍ଠୀର ଅନ୍ତର୍ଗତ ହୋଇ ରହିଛି-। ଏହିପରି ଅନ୍ତର୍ଗତ ହୋଇ ରହିବାର ସର୍ବଦା ଦୁଇପ୍ରକାରର ଅର୍ଥ ଅବଶ୍ୟ ରହିବ । ଏଇଟି ଦ୍ୱାରା ଗୋଟିଏ ବ୍ୟକ୍ତି ସଂପୂର୍ଣ୍ଣ ଅନ୍ତର୍ଗତ ଭାବରେ ପୂର୍ଣ୍ଣ ଏକତ୍ୱବଦ୍ଧ ଭାବରେ ନିଜକୁ ସମଗ୍ର ମାନବଜାତି ସହିତ ଯୋଡ଼ି ହୋଇ ରଖିଥିବ ଏବଂ ଜୀବନଟିକୁ ସକାରାତ୍ମକ ଭାବରେ ସତତ ଅନୁଭବ ମଧ୍ୟ କରି ପାରିବ; ଅଥବା, ତାହାଫଳରେ ସତେଅବା ଗୋଟିଏ ମୂଳଭୂତ ସଂଶୟବୋଧରେ ବେଶ୍ ଏକାଧିକ ପ୍ରତିକ୍ରିୟା ଦ୍ୱାରା ସନ୍ତାପିତ ବି ହେଉଥିବ । ଜୀବନପ୍ରତି କେତେ ନକାରାତ୍ମକ କେତେ କ’ଣ ମଧ୍ୟ ତାକୁ ବେଶ୍ ଆନ୍ଦୋଳିତ କରି ରଖିଥିବ । ବହୁ ଧର୍ମମାର୍ଗ ଓ ସେହିସବୁ ମାର୍ଗର ନେତାମାନଙ୍କର ଜୀବନରେ ଯେ ଏହିପରି ଭାବରେ ଗୁଡ଼ାଏ ଘୃଣା ଭର୍ତ୍ତି ହୋଇ ରହିଥାଏ, କେବଳ ଇଉରୋପର ଧର୍ମମାନଙ୍କରେ ନୁହେଁ, ବସ୍ତୁତଃ ତାହା ସକଳ ଧର୍ମରେ ମଧ୍ୟ ଖୁବ୍ ଦୃଷ୍ଟିଗୋଚର ହୋଇଥାଏ ।

 

ପାରମ୍ପରିକ କାଳମାନଙ୍କରେ ମନୁଷ୍ୟମାନେ ଆପଣାର ବାହାରେ ରହିଥିବା ଯେଉଁ ଶକ୍ତିଗୁଡ଼ିକର ଅଧୀନ ହୋଇ ରହିଥିଲେ ଏବେ ଆମେ ସେଗୁଡ଼ିକରୁ କେତେ ନା କେତେ ବିପୁଳ ପରିମାଣରେ ଯେ ମୁକ୍ତି ଲାଭ କରି ବାହାରି ଆସିଛୁ, ସେଗୁଡ଼ିକୁ ଦେଖି ଆମେ ପ୍ରକୃତରେ ବିସ୍ତିତ ହେଉନଥିବା ! ଏବଂ, ସେହି ଉଲ୍ଲାସରେ ଆମେ ନିଜର ଅନ୍ତର୍ଗତ ସଂଯମଗୁଡ଼ିକ ବିଷୟରେ ସମ୍ଭବତଃ ଆଖି ବୁଜି ରହିଥିବା, - ଆମେ ନିଜ ଆଡ଼ୁ ନିଜକୁ ବାଧ୍ୟ କରି ରଖିବାକୁ ହୁଏତ ବେଶ୍ ଭୁଲି ପକାଉଥିବା, ସତେଅବା କୌଣସି ଭୟର କୁହା ବି ମାନୁନଥିବା ଏବଂ ସେହିପରି କରି ସର୍ବବିଧ ପୁରାତନ ଶତ୍ରୁଗୁଡ଼ିକ ଉପରେ ବିଜୟ ଘୋଷଣା କରିଥିବା ଏହି ପୃଥିବୀର ଏତେ ଏତେ ମୁକ୍ତିଲାଭର ମର୍ଯ୍ୟାଦାକୁ ଖୁବ୍ କ୍ଷୁନ୍ନ କରି ପକାଉଥିବା । ଏହି ଆଧୁନିକ କାଳରେ ସେହିପରି କିଛି ଘଟୁଛି, ଯାହାର ପରିଣାମ ସ୍ୱରୂପ ଏତେ ଏତେ ସ୍ୱାଧୀନତା ହାତକୁ ଆସିଥିଲେ ମଧ୍ୟ ତଥାପି ଏଠି ମନୁଷ୍ୟମାନେ ସ୍ୱାଧୀନ ମନୁଷ୍ୟମାନଙ୍କ ପରି ଆଚରଣ କରୁନାହାନ୍ତି ଏବଂ ଏହି ଆଧୁନିକ ବାସ୍ତବଟିକୁ ଏକାଧିକ ଅସୁସ୍ଥତା ଗ୍ରାସ କରି ରହିଛି । ତଥାପି, ଶ୍ରୀଯୁକ୍ତ ଫ୍ରମ୍‌ଙ୍କର ବିଶ୍ଳେଷଣ ଗୁଡ଼ିକ ଅନୁସାରେ, ଏବର ମନୁଷ୍ୟମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅସୁସ୍ଥତାମାନ ଗ୍ରାସ କରିଛନ୍ତି, ତତ୍ତ୍ୱତଃ ସେମାନେ normal ଅର୍ଥାତ୍ ସାଧାରଣ ମନୁଷ୍ୟମାନଙ୍କ ଠାରୁ ସତେଅବା କୌଣସି ମନୁଷ୍ୟମାନଙ୍କ ଠାରୁ ଭିନ୍ନ ହିଁ ନୁହନ୍ତି । ଆମେ ସମସ୍ତେ ସକଳ ବିଧାନରେ ସଂପୂର୍ଣ୍ଣ normal ଆଚରଣ କରୁଛୁ, ମାତ୍ର ଅସୁସ୍ଥ ହୋଇ ରହିଛୁ । ବାହାରେ ଆମର ଆଚରଣରେ ଏପରି କୌଣସି ଖାସ୍ ଲକ୍ଷଣ ମୋଟେ ନାହିଁ, ଯାହାପାଇଁ ଆମକୁ ଅସୁସ୍ଥ ବୋଲି କହିହେବ । ଆମେ ତଥାପି ଅସୁସ୍ଥ ରହିଛୁ ଅର୍ଥାତ୍ ଏକ ସୁସ୍ଥ ଜୀବନରୁ ଦୂର ହୋଇ ରହିଛୁ ।

 

ଆମେ ବସ୍ତୁତଃ ଅଧିକ ଧ୍ୟାନ ଦେଇ କଥାଟିକୁ ବୁଝିବା ନିମନ୍ତେ ଚେଷ୍ଟା କରିବା । ଏହି ସର୍ବବିଧ ପ୍ରକାରେ normal ଅର୍ଥାତ୍ ସୁସ୍ଥ ମନୁଷ୍ୟଗଣ ପ୍ରକୃତରେ ଅନ୍ୟ ବହୁତଙ୍କ ତୁଳନାରେ ସର୍ବଦା ବରଂ ଅଧିକ ସ୍ପଷ୍ଟ ଓ ସିଧା । ଆଦୌ କିଛିହେଲେ ଲୁଚାଇ ରଖିବା ଲାଗି ମନ କରନ୍ତି ନାହିଁ-। ସେମାନେ ଅଧିକାଂଶତଃ ଅତ୍ୟନ୍ତ ସୋଚ୍ଚାର । ସତକୁ ସତ ସୁସ୍ଥ ଜଣେ ବ୍ୟକ୍ତିର ତୁଳନାରେ ସେମାନେ ଜଣେ ସେହିମାନଙ୍କ ଭଳି ଜଣେ ଅସୁସ୍ଥ ବ୍ୟକ୍ତିକୁ ଅଧିକ ଚଟ୍ କରି ଚିହ୍ନ ନେଇ ପାରନ୍ତି । ସୁସ୍ଥ ଅର୍ଥାତ୍ normal ମନୁଷ୍ୟଟିଏ ଆଦୌ ଏତେ ସୁନିଶ୍ଚିତ ଭାବରେ ଜଣେ ଅସୁସ୍ଥ ବ୍ୟକ୍ତିକୁ ଅସୁସ୍ଥ ବୋଲି ଗ୍ରହଣ କରିନେବାରେ ତତ୍ପରତା ଦେଖାଇ ପାରେନାହିଁ । ପ୍ରକୃତରେ ସ୍ୱଭାବତଃ ସେହିପରି କରିଥାଏ । ବସ୍ତୁତଃ ସେହି କାରଣରୁ ଏରିକ୍ ଫ୍ରମ୍ ଆମ ବହୁତଙ୍କର ଭ୍ରମ ତୁଟାଇ ଦେଇ କହିଛନ୍ତି ଯେ, ଅତ୍ୟନ୍ତ ସୁଚାରୁ ଭାବରେ ଆପଣା ଜୀବନରେ ସବୁକିଛି ସହିତ ଖାପ ଖୁଆଇ ନେଉଥିବା ଯେଉଁ ଅନେକସଂଖ୍ୟକ ବ୍ୟକ୍ତି ନିଜକୁ normal ବୋଲି ଜାଣନ୍ତି (ଏବଂ ସେଇ ଅର୍ଥରେ ବଡ଼ ସହଜ ଏକ ବିବେକ ଦ୍ୱାରା ପରିଚାଳିତ ହୋଇ ଖୁବ୍ ସୁସ୍ଥ ଅଛନ୍ତି ବୋଲି ବିଶ୍ୱାସ କରୁଥାନ୍ତି), ସେମାନେ ଆମ ଜୀବନର ମନୁଷ୍ୟମୂଲ୍ୟ ଗୁଡ଼ିକର ମାନଦଣ୍ଡରେ କମ୍ ସୁସ୍ଥ ହିଁ ଥାଆନ୍ତି-। ଏହିପରି ପୂର୍ଣ୍ଣରୂପେ ଖାପ ଖାଇ ରହିଥିବା ବ୍ୟକ୍ତିଟିଏ ଜୀବନର ଅଧିକରୁ ଅଧିକ ଅବକାଶରେ ନିଜର ନାଡ଼ଗୁଡ଼ିକୁ ତା’ ବଞ୍ଚିବାର ଆତ୍ମାଠାରୁ ଛିନ୍ନ କରି ନେଇଥାଏ । ଆଉ ପାଞ୍ଚ ବା ପଚାଶ ଲୋକ ସିଏ ଏକ ଯେଉଁଭଳି ଜୀବନ ବଞ୍ଚୁ ବୋଲି ପ୍ରତ୍ୟାଶା ରଖିଥାନ୍ତି, ସିଏ ପ୍ରାୟ ସକଳ ନିଷ୍ଠାରେ ସେହିପରି ନିରାପଦ ଦ୍ରବ୍ୟଟିଏ ପରି ନିଜକୁ ଗଢ଼ିନେବାର ସାଧନା ହିଁ କରୁଥାଏ ।

 

ତା’ ଜୀବନ ପ୍ରକୃତରେ ନିଜସ୍ୱ ତଥା ସ୍ୱଧର୍ମ ବୋଲି ବଞ୍ଚିବାଭଳି ଆଉ ଥାଏ ବା କ’ଣ ! ଏକ ବ୍ୟକ୍ତିତ୍ୱ, ସ୍ୱାଭାବିକତ୍ୱ ଓ ସ୍ୱାଧୀନ ଜୀବନପ୍ରୟାସ ବୋଲି ଆଉ କେଉଁଠାରେ କ’ଣ ରହିଥାଏ ? ଏବଂ, ଅପରପକ୍ଷରେ, ପୂରା ଖାପ ଖାଇ ରହିବାକୁ ସୁଖ ବୋଲି ମାନୁଥିବା ଅସୁସ୍ଥ ମନୁଷ୍ୟଟିଏ ମନୁଷ୍ୟର ଏକ ଜୀବନ ଲାଭ କରି ପୃଥିବୀକୁ ଅବଶ୍ୟ ଆସିଥିଲେ ମଧ୍ୟ ଜୀବନର ଅସଲ ପ୍ରୟାସ ତଥା ସଂଗ୍ରାମଟିରୁ ନିଜକୁ ଦୂରଛଡ଼ା କରି ରଖିଛି । ସେହି ସଂଗ୍ରାମରେ ଆପଣା ତରଫରୁ ହାର ମାନିଛି । ଆପଣାକୁ ଏକ ସୁସ୍ଥ ବିଶ୍ୱାସ ସହିତ କ୍ରମଶଃ ଗଠନ କରି ନେବାରେ ସତେଅବା ମିଛଟାରେ ମୋଟେ ପଶିବନାହିଁ ବୋଲି, ନିଜ ଜୀବନର ସୃଜନଧର୍ମୀ ଆହ୍ୱାନଗୁଡ଼ିକୁ ବଧିରପ୍ରାୟ ହୋଇ ରହିବାର ଅଭିପ୍ରାୟସରେ ନାନା ବ୍ୟାଧିଗତ ଅନ୍ୟ ମାର୍ଗଟିଏ ଆଦରି ନେଇଛି । ଆପଣାକୁ ସତକୁ ସତ ପ୍ରତ୍ୟାହାର କରି ନେଇଛି । ପଳାୟନ କରିଛି । ଖଞ୍ଜ ହୋଇ ରହିଛି । ବାସ୍ତବରେ ନାନା ପୋଲା କଳ୍ପନା ଭିତରେ ନିଜକୁ ଖୁବ୍ ମଜ୍ଜାଇ ରଖିଛି । ଏହିପରି ଏକ ମୂଲ୍ୟଦଣ୍ଡ ଉପରେ ତଉଲି ବସିଲେ ଜଣେ ବ୍ୟକ୍ତି ପରି ଗୋଟିଏ ସମାଜକୁ ମଧ୍ୟ ଅସୁସ୍ଥ ତଥା ବ୍ୟାଧିଗ୍ରସ୍ତ ବୋଲି କୁହାଯାଇ ପାରିବ । ତାହା ଏପରି ଗୋଟିଏ ସାମୂହିକ ଜୀବନକୁ ବୁଝାଇବ, ଯାହାର ଆୟତନଟି ମଧ୍ୟରେ ବାସ କରୁଥିବା ବ୍ୟକ୍ତିମାନେ ଖଞ୍ଜ ହୋଇ ହିଁ ରହିଛନ୍ତି । ଆପଣା ବ୍ୟକ୍ତିତ୍ୱବିକାଶର ମୂଳ ଧର୍ମମାନଙ୍କୁ ବର୍ଜନ କରି ସେମାନେ ପଳାୟନ ହିଁ କରିଛନ୍ତି ଏବଂ ଏହିପରି ଭାବରେ ପଳାୟନ କରିଛନ୍ତି ବୋଲି ଗର୍ବ ଅନୁଭବ କରୁଛନ୍ତି ।

 

ପଳାୟନ କରୁଥିବାର ଅନେକ ଅନେକ ପଥ ଓ ଅପଥ, ଏବଂ ସେଗୁଡ଼ିକର ପଛରେ ବହୁ ବହୁ ବୁଦ୍ଧିମତ୍ତା । ସେହି ପଥମାନଙ୍କୁ ଫ୍ରମ୍ escape from freedom ବୋଲି କହିଛନ୍ତି-। ମୁକ୍ତିର ମାର୍ଗରୁ ପଳାଇ ଯାଉଥିବାର ଯେତେ ଯେତେ ବାଟ, ସେଥିମଧ୍ୟରୁ ପ୍ରଥମଟି ହେଉଛି ନିଜର ମୁକ୍ତ ଅନ୍ତରାତ୍ମାଟିର ଧର୍ମତଃ ଯେଉଁ ସ୍ୱାଧୀନତା ରହିଛି, ସେହି ସ୍ୱାଧୀନତାକୁ ବିସର୍ଜନ କରିବା ଓ ସେହି ଅନ୍ତରାତ୍ମାକୁ ଆପଣା ବାହାରର କୌଣସି ଅନ୍ୟ ବ୍ୟକ୍ତି ଅଥବା ଅନ୍ୟ ବସ୍ତୁଟି ସହିତ ଗୋଳାଇ ମିଶାଇବାର ଚେଷ୍ଟା କରିବା । ଆପଣାର ବ୍ୟକ୍ତିତ୍ୱ ମଧ୍ୟରେ କ’ଣ ସବୁ ବଳର ଅଭାବ ରହିଛି ବୋଲି ଅନୁଭବ କରୁଥିବାରୁ ହିଁ ତାହାକୁ ଲାଘବ କରିବା ପାଇଁ ଅନେକତଃ ସେହିପରି କରିବା । ଅଥବା, ଆପଣା ଜୀବନର ସର୍ବମୂଳ ନିର୍ଭରଶିଳାଟିର କ’ଣ ପାଇଁ ନିଶ୍ଚୟ ଅଭାବ ରହିଛି ବୋଲି କିଞ୍ଚିତ୍ ସଂଶୟର ବଶବର୍ତ୍ତୀ ହୋଇ ଏକ କ୍ଷତିପୂରଣ ନିମନ୍ତେ ‘secondary bonds’ ବା ସେହି ‘ଅପ୍ରଧାନ ଦମ୍ଭ’ ଗୁଡ଼ିକର ଆଶ୍ରୟ ଲୋଡ଼ିବା । ନିଜ ଭିତରର ଏକ ଅସଲ ଅଭାବର ଜ୍ୱାଳାରେ ଜଳି ପୋଡ଼ିହୋଇ ବହୁତ ମନୁଷ୍ୟ ଅନ୍ୟ ମନୁଷ୍ୟମାନଙ୍କୁ ନାନାପ୍ରକାରେ ପୀଡ଼ା ହେବାରେ ଲାଗିଥାନ୍ତି ଓ ଅନେକ ମନୁଷ୍ୟ ନିଜକୁ ମଧ୍ୟ ପୀଡ଼ା ଦେଇ ଏକ ପ୍ରକାରର ଆନନ୍ଦ ଅନୁଭବ କରନ୍ତି । ଭାରି ଦୁଃଖୀ ହୋଇଥିବେ ଏହି ଦୁଇଟିଯାକ କିସମର ମଣିଷମାନେ ଏବଂ, ଦୁଇଟିଯାକ ଉତ୍‌ପୀଡ଼କମାନେ । ସେମାନେ ସମସ୍ତେ ଜୀବନର ଅସଲ ପଥରୁ ବିଚ୍ୟୁତ ହୋଇଥାନ୍ତି ଏବଂ ହାରି ଯାଇ ଥାଆନ୍ତି ଓ ତେଣୁ ଦାଉ ସାଧନ୍ତି: ଅପରକୁ କଷ୍ଟ ଦେଇ ଏବଂ ନିଜକୁ କଷ୍ଟ ଦେଇ । ଏକ ନିତାନ୍ତ ଅସୁସ୍ଥ ପ୍ରକାରର ପରିତୃପ୍ତି ପାଆନ୍ତି । ପୃଥିବୀରେ ମଧ୍ୟ କମ୍ ଦୁଃଖର କାରଣ ହେଉନଥିବେ ।

 

ଶ୍ରୀଯୁକ୍ତ ଫ୍ରମ୍‌ଙ୍କର ବକ୍ତବ୍ୟଗୁଡ଼ିକ ଅନୁସାରେ, ଏଗୁଡ଼ିକ ଘଟିବାରେ ଲାଗିଥାଏ, କାରଣ ସଂପୃକ୍ତ ବ୍ୟକ୍ତିମାନଙ୍କ ଠାରେ ଶ୍ରଦ୍ଧାର ଅଭାବ ଥାଏ । ନିଜ ପ୍ରତି ତଥା ପୃଥିବୀ ପ୍ରତି । ନିଜ ପ୍ରତି ଶ୍ରଦ୍ଧା ନଥାଏ ଓ ତେଣୁ ପୃଥିବୀ ପ୍ରତି ଶ୍ରଦ୍ଧା ନଥାଏ; ପୃଥିବୀ ପ୍ରତି ଶ୍ରଦ୍ଧା ଥାଏ ଏବଂ ସେହି କାରଣରୁ ଆପଣା ପାଇଁ ଶ୍ରଦ୍ଧା ନଥାଏ । ଏକ ଗଭୀର ଶ୍ରଦ୍ଧାଭାବ, ଯାହା ହାଲୁକା ଖରେ, ନାନା ଅକାରଣ ପୀଡ଼ାରୁ ମୁକ୍ତ କରି ରଖିପାରେ । ଏହି ଏଡ଼େ ବଡ଼ ପୃଥିବୀରେ ଠାବଟିଏ ମିଳି ଯାଇଥାଏ, ଗୋଡ଼ ତଳକୁ ଦମ୍ଭ ହୋଇ ଯେଉଁ ମାଟି ମାଳିଯାଏ, ତାହା ସକଳ ଅର୍ଥରେ ଘରଟିଏ ଆଣି ଯୋଗାଇଦିଏ ଏବଂ ଘରଟିଏ ପାଇଯିବା ପରେ ଆପଣାକୁ ଅଥବା ଅପର ଅନେକଙ୍କୁ ପୀଡ଼ା ଦେବାର ଆଉ କୌଣସି କାରଣ ନଥାଏ । ଏରିକ୍ ଫ୍ରମ୍‌ଙ୍କର ସଂଜ୍ଞାଟି ଅନୁସାରେ ଶ୍ରଦ୍ଧାର ଭାବନା ହେଉଛି ଏକ ପାରସ୍ପରିକ ସମାନତାର ଭାବନା, ମୁକ୍ତ ଚେତନାର ଭାବନା । ମାତ୍ର, ଆପଣା ଜୀବନରେ ଆଚରିତ ହେଉଥିବା ଆମର ତଥାକଥିତ ଶ୍ରଦ୍ଧାମାନେ ଯଦି ଯଥାର୍ଥତଃ ଅନ୍ୟପ୍ରକାରେ ହୋଇଥାନ୍ତି, ଏକାଧିକ ବ୍ୟାଧିତ ପ୍ରକାରେ ଯଦି ଆପଣାକୁ ଅନ୍ୟମାନଙ୍କୁ ପୀଡ଼ା ଦେବାରେ ନିର୍ଭରଶୀଳ ହୋଇ ରହିଥାନ୍ତି, ତେବେ ସେଠାରେ ଅଶ୍ରଦ୍ଧା ହିଁ ରାଜତ୍ୱ କରେ ଓ ବହୁବିଧ ବକ୍ରତାର ସୃଷ୍ଟି ବି କରେ । ଉକ୍ତ ବକ୍ରତାଗୁଡ଼ିକ ହେତୁ ଆମର ଏହି ପୃଥ୍ୱୀଜୀବନଟି ଏଡ଼େ ସନ୍ତାପିତ ହୋଇ ରହିଛି । ବହୁବିଧ ଅଶ୍ରଦ୍ଧା ଏଠି ଭଳି ଭଳି ପ୍ରତାପ ଦେଖାଇ ପତାକା ଉଡ଼ାଇବାରେ ଲାଗିଛନ୍ତି । ଶ୍ରଦ୍ଧା ନାମରେ ସେହି ଅଶ୍ରଦ୍ଧାଗୁଡ଼ିକର ସତେଅବା ମିଛସ୍ତୁତି ଗୁଡ଼ାଏ ହେବାରେ ଲାଗିଛି । ତୁଚ୍ଛା ବଙ୍କାମାନେ କେଡ଼େ ରସାଳ ଭାବରେ ସିଧା ବିଷୟରେ ଉପଦେଶ ଦେଉଛନ୍ତି । ଏହି ଯାବତୀୟ ସବୁ କିଛିକୁ ଆମେ ଅଧ୍ୟାପକ ଫ୍ରମ୍‌ଙ୍କ ପରିଭାଷାରେ ଗୋଟିଏ ଗୋଟିଏ escape ବା ପଳାୟନ ବୋଲି କହିବା କି-? ବହୁପ୍ରକାରେ ଉଜ୍ଜ୍ୱଳ ସେହି ଖଣ୍ଡମାର୍ଗ ଏବଂ ଖଣ୍ଡ ଆଦର୍ଶମାନ ଏବଂ, ଭିତରେ ଏହିସବୁ ମୂଳଭୂତ ଅପଚୟର ପରାକ୍ରମୀ ଅଭିନୟ ଗୁଡ଼ିକର ଦୌରାତ୍ମ୍ୟରେ ଭିତରର ଏକ ଅସଲ ବ୍ୟକ୍ତିତ୍ୱାତ୍ମା ଯେ ମୋ’ ଭିତରେ, ତୁମ ଭିତରେ ଏବଂ ମନୁଷ୍ୟମାତ୍ରେ ସବୁରି ଭିତରେ ରହିଛି, ସେହି ବିଶ୍ୱାସଟି ନିଶ୍ଚୟ ଖୁବ୍ ଦୋହଲି ଯାଉଥିବ । ସେଇଟି ତଥାପି ରହିଛି; ପୃଥିବୀଯାକର ସର୍ବବିଧ ଅଶ୍ରଦ୍ଧା ସତ୍ତ୍ୱେ ଶ୍ରଦ୍ଧାର ଆହ୍ୱାନଟିଏ ସର୍ବଦା ରହିଛି ।

 

ପୃଥିବୀରେ ଗୋଟିଏ ଖାସ୍ ପ୍ରକାରର ବିଚାର ଥାଏ, ଯାହା ସର୍ବଦା କର୍ତ୍ତୃତ୍ୱ ଆଡ଼କୁ ଢଳି କରି ରହିଥାଏ; ସେଇଟା ଦୃଢ଼ ଭାବରେ ବିଶ୍ୱାସ କରୁଥାଏ ଯେ, ଜଣେ ମନୁଷ୍ୟର ଜୀବନ ସତକୁ ସତ ଯେଉଁସବୁ ଶକ୍ତିଦ୍ୱାରା ନିର୍ଦ୍ଧାରିତ ହେଉଛି, ସେସବୁ ତା’ ଭିତରେ ନୁହେଁ, ବାହାରେ ହିଁ ରହିଛି । ତା’ ନିଜର ଆଗ୍ରହ, ଇଚ୍ଛା କିମ୍ବା ଅଗ୍ରାଧିକାର ଗୁଡ଼ିକ ଦ୍ୱାରା ଆଦୌ ନିର୍ଦ୍ଧାରିତ ହେଉନାହିଁ । ତେଣୁ, ଏପରି ଏକ ପରିସ୍ଥିତିରେ ସିଏ ସୁଖଲାଭର କେବଳ ଗୋଟିଏ ଉପାୟର ସଦ୍‌ବ୍ୟବହାର କରିପାରିବ: ସିଏ ବାହାରର ଉକ୍ତ ଶକ୍ତିମାନଙ୍କ ପାଖରେ ମୁଣ୍ଡ ନୁଆଁଇବ ଏବଂ ସେଗୁଡ଼ିକୁ ମାନିନେବ । ଅର୍ଥାତ୍, ତା’ର ନିଜର ଶକ୍ତି କିଛି ହିଁ ନାହିଁ । ଏହି କଥାଟିକୁ ଯଦି ଏକମାତ୍ର ସମାଧାନ ଏବଂ ସୁଖର କାରଣ ବୋଲି ସ୍ୱୀକାର କରି ନିଆଯାଏ, ତେବେ ଆମ ଜୀବନର ସେହି ଦର୍ଶନଟାକୁ କେବଳ ନକାରାତ୍ମକ ବୋଲି କହିବାକୁ ହେବ । ସେହି ଦୃଷ୍ଟିଟିର ପଶ୍ଚାତରେ କେବଳ ଏକ ସାମଗ୍ରିକ ନୈରାଶ୍ୟ ହିଁ ଆମକୁ ଆଚ୍ଛନ୍ନ କରି ରହିଥାଏ । ସେଥିମଧ୍ୟରେ ଆଦୌ କୌଣସି ବିଶ୍ୱାସର ଲେଶମାତ୍ର ନଥାଏ । ଆମର ସଂପୂର୍ଣ୍ଣ ଜୀବନଟିକୁ ତାହା ଆଚ୍ଛନ୍ନ କରି ରହିଥାଏ । ଏହିଭଳି ଗୋଟିଏ ବାସ୍ତବତାକୁ ସମ୍ମୁଖରେ ରଖି ଏରିକ୍ ଫ୍ରମ୍ ପୂର୍ଣ୍ଣ ମହତ୍ତ୍ୱଟିଏ ଦେଇ କହୁଛନ୍ତି ଯେ, ଆମ ଜୀବନର ଏକ ଅନ୍ତର୍ଗତ ଗତିତତ୍ତ୍ୱ ରହିଛି, ସର୍ବଦା ହିଁ ରହିଛି । ଜୀବନ ସେହି ତତ୍ତ୍ୱଟିକୁ ମାନି ସର୍ବଦା ଅଭିବୃଦ୍ଧି ଲାଭ କରୁଥାଏ, ଆପଣାକୁ ଅଭିବ୍ୟକ୍ତ କରି ଚାଲିଥାଏ । ଜୀବନ ସେହି ସବୁକିଛିକୁ ମାଧ୍ୟମ କରି ନିଜକୁ ବଞ୍ଚୁଥାଏ ଏବଂ, ଯେଉଁପରି ସକଳ କ୍ଷେତ୍ରରେ ଅନୁମାନ ହେଉଥାଏ ଯେ, ଯଦି ସେହି ସ୍ୱାଭାବିକ ଧାରାଟିକୁ ରୋକି ରଖିବା ନିମନ୍ତେ କେତେବେଳେ ସେପରି କୌଣସି ସ୍ଥିତି ଆସି ପହଞ୍ଚେ, ଜୀବନ-ଅଭିମୁଖୀ ଉକ୍ତ ଶକ୍ତିଟିର କ୍ଷେତ୍ରରେ ସତେ ଯେପରି କ’ଣ ସବୁ ପଚିବାକୁ ଆରମ୍ଭ କରେ ଏବଂ ପରିଣାମତଃ ଏପରି ନାନାବିଧ ଅନ୍ୟ ଶକ୍ତିରେ ପରିଣତ ହୁଏ, ଯାହାକି ଜଣେ ବ୍ୟକ୍ତିକୁ ଧ୍ୱଂସ ଆଡ଼କୁ ପେଲି ନେବାରେ ଲାଗିଥାଏ । ଜୀବନ ଅଭିମୁଖରେ ସେହି ବେଗଶୀଳତା ଯେତିକି ଅଧିକ ପରିମାଣରେ ବାଧାପ୍ରାପ୍ତ ହୁଏ, ଧ୍ୱଂସ ଆଡ଼କୁ ସେହି ଅନ୍ୟ ଧ୍ୱଂସମୁଖିନତା ମଧ୍ୟ ସେତିକି ପରାକ୍ରମଯୁକ୍ତ ହେବାରେ ଲାଗିଥାଏ, ଏବଂ, ଆମ ଜୀବନର ସତ ଉପଲବ୍ଧିଗୁଡ଼ିକ ଯେତିକି ସମ୍ଭବ ହୁଏ, ଧ୍ୱଂସକାରିତାର ପକ୍ଷଟି ସେତିକି ଅଳ୍ପବଳ ମଧ୍ୟ ହେଉଥାଏ । ତେଣୁ, ନିଜର ଜୀବନଟିକୁ ଆମେ ମନୁଷ୍ୟମାନେ ବଞ୍ଚିବାରେ ଯେତିକି ଅସମର୍ଥତା ଦେଖାଉ, ଧ୍ୱଂସାତ୍ମକତାର ଅନୁପାତଟି ସେତିକି ହିଁ ବୃଦ୍ଧିପାଏ ।

 

ଏହି ଆଧୁନିକ ସମାଜରେ ତଥାକଥିତ normal ଅର୍ଥାତ୍ ସୁସ୍ଥ ବୋଲି ଗଣା ହେଉଥିବା ଅଧିକସଂଖ୍ୟକ ବ୍ୟକ୍ତି ଆପଣାର ଏକ ଉତ୍ତମ ସମାଧାନ ପାଇ ଯାଇଥିବା ପରି ସତେଅବା ଗୋଟିଏ ଗୋଟିଏ ସଂପୂର୍ଣ୍ଣ ଯନ୍ତ୍ର ଭଳି ସବୁକିଛିକୁ ମାନି ନେଇଥାନ୍ତି । ଅଳ୍ପ ଅଧିକ ସଂକ୍ଷିପ୍ତ ଭାବରେ କହିଲେ, ବ୍ୟକ୍ତି ଆଉ ମୋଟେ ଗୋଟିଏ ବ୍ୟକ୍ତି ହୋଇ ରହେନାହିଁ, ତା’ର ନିଜସ୍ୱ ଏବଂ ନିଜତ୍ୱ ବୋଲି ପ୍ରାୟ କିଛିହେଲେ ନଥାଏ ଓ ସିଏ ଯେଉଁ ସଂସ୍କୃତିଗତ ଢାଞ୍ଚାଟି ମଧ୍ୟରେ ଅଛି, ତାହାରିଠାରୁ ସୁରାଖଗୁଡ଼ିକ ପାଇ ସେ ଆପଣାର ବ୍ୟକ୍ତିତ୍ୱଟାକୁ ମଧ୍ୟ ଅନୁରୂପ ଭାବରେ ଗଢ଼ିନିଏ । ସଂପୂର୍ଣ୍ଣ ଅନୁକୂଳିତ ହୋଇ ହିଁ ରହେ । ତେଣୁ, ଠିକ୍ ଅନ୍ୟ ସମସ୍ତଙ୍କ ପରି ହୋଇଯାଏ; ସେ ଯେପରି ହେଉ ବୋଲି ଅନ୍ୟମାନେ ପ୍ରତ୍ୟାଶା କରନ୍ତି, ସେହିପରି ଏକ ଜୀବନରେ ବେଶ୍ ପରିଣତ ହୋଇଯାଏ । ଏହିପରି ଭାବରେ ଯେଉଁ ମନୁଷ୍ୟଟି ଆପଣାର ବ୍ୟକ୍ତିରୂପ ଓ ବ୍ୟକ୍ତିଧର୍ମଟିକୁ ଛାଡ଼ି ଗୋଟିଏ ଯନ୍ତ୍ର ହୋଇ ଜୀବନଧାରଣ କରୁଥାଏ, ସିଏ ଅବିକଳ ଅନ୍ୟ ନିୟୂତ ନିୟୂତଙ୍କ ପରି ଦିଶେ, ଆଚରଣ କରେ ଏବଂ ଜୀବନକୁ ବଞ୍ଚେ । ଯନ୍ତ୍ରଟି ଆହୁରି ଅସୁମାରି ଅନେକ ଯନ୍ତ୍ରଙ୍କ ମଧ୍ୟରେ ସାମିଲ୍ ହୋଇ ରହେ । ଆଉ ଏକାକୀ ଲାଗିବାର କାରଣ ହିଁ ନଥାଏ, ଆଉ ମୋଟେ ବ୍ୟସ୍ତ ହେବାକୁ ପଡ଼େ ନାହିଁ । କିନ୍ତୁ, ସେଥିପାଇଁ ତାକୁ ବସ୍ତୁତଃ କେତେଗୁଡ଼ାଏ ମୂଲ୍ୟ ଦେବାକୁ ମଧ୍ୟ ନପଡ଼ିଥାଏ ! ସେ ଆପଣାର ଆତ୍ମାଟିକୁ ହରାଇ ବସେ ।

 

ଏବଂ, ଗୋଟାଏ ଅନ୍ୟ ଆତ୍ମାକୁ ବଞ୍ଚେ । ସେହି ଅନୁସାରେ ପ୍ରାୟ ସବୁକିଛି ବିଚାର ଏବଂ ଭାବନା, ଅନ୍ୟଭଳି ଆନୁଗତ୍ୟମାନ, ଅନ୍ୟ ନାନା ଛଦ୍ମ ଭାବପ୍ରବଣତାରୁ ଗୁଡ଼ାଏ ଏବଂ ସେହି ଅନୁସାରେ କର୍ମାଚାରମାନ । ସାଂପ୍ରତିକ ସମାଜରେ ମନୁଷ୍ୟମାନେ ବହୁ ଆକର୍ଷଣପୂର୍ଣ୍ଣ କାରଣରୁ ଯେପରି ନାନାବିଧ ଯାନ୍ତ୍ରିକତାରେ ନିଜକୁ ମଣ୍ଡିତ କରି ରଖିବାରେ ଲାଗିଛନ୍ତି, ଏଠାରେ ଜଣେ ହାରାହାରି ମନୁଷ୍ୟବ୍ୟକ୍ତି ନ୍ୟାୟତଃ ଅତ୍ୟନ୍ତ ଅସହାୟ ହୋଇ ରହିଛି ଓ ତା’ ଗୋଡ଼ତଳର ଭୂଇଁଟି ତାକୁ ଆଦୌ ବିପଦମୁକ୍ତ ବୋଲି ଲାଗୁନାହିଁ । ସତେଅବା ତୁଚ୍ଛା ବାଧ୍ୟ ହୋଇ ତାକୁ ନାନାବିଧ କର୍ତ୍ତୃତ୍ୱର ଦୌରାତ୍ମ୍ୟ ଭିତରେ ବାସ କରିବାକୁ ହେଉଛି । କର୍ତ୍ତୃତ୍ୱମାନେ ଯାଉଛନ୍ତି ଏବଂ ଆସୁଛନ୍ତି, ନୂଆମାନେ ଆସୁଛନ୍ତି ଓ ପୁରୁଣାମାନେ ବିଦା ହେଉଛନ୍ତି ସିନା, ଦୁର୍ଗତି ଯାଉନାହିଁ । ସଂଶୟମାନେ ସର୍ବଦା ହିଁ ଘାରି ରହିଛନ୍ତି । ଆପଣାର ସକଳ ଭାବନାଗୁଡ଼ିକୁ ବ୍ୟକ୍ତ କରିବାର ଯେଉଁ ଅଧିକାର ମନୁଷ୍ୟମାନଙ୍କର ଅନୁକ୍ଷଣ ଅବଶ୍ୟ ରହିଛି, ତାହା ତ ସେତେବେଳେ ଯାଇ ସମ୍ଭବ ହୁଅନ୍ତା, ଯେତେବେଳେ ଆମର ନିଜର ଭାବନା ବୋଲି ସତକୁ ସତ କିଛି ରହିଥାନ୍ତା । ବାହାରେ ରହିଥିବା ଏହି କର୍ତ୍ତୃତ୍ୱମାନଙ୍କ ହାତରୁ ସେତେବେଳେ ଯାଇ ମୁକ୍ତି ମିଳନ୍ତା ଓ ଗୋଟିଏ ସ୍ଥାୟୀ ଲାଭ ପରି ଅନୁଭୂତ ହୁଅନ୍ତା, ଯେତେବେଳେ ଆମ ଭିତରର ମାନସିକ ସ୍ଥିତିଚୟ ଏପରି ହୋଇଥାନ୍ତା, ଯାହାର ପ୍ରେରଣା ପାଇ ଆମେ ଆପଣାର ବ୍ୟକ୍ତିତ୍ୱ ବୋଲି ପ୍ରକୃତରେ ଗୋଟିଏ ଅନ୍ୟ ବାସ୍ତବର ପ୍ରତିଷ୍ଠା କରିପାରନ୍ତୁ ।

 

ପୁସ୍ତକଟିର ଶେଷ ପର୍ଯ୍ୟାୟଟିକୁ ଆସି ପହଞ୍ଚିବା ସମୟରେ ମଧ୍ୟ ଫ୍ରମ୍ ତାଙ୍କର ସେହି ମୂଳକଥାଟିକୁ ହିଁ ଦୋହରାଇବାକୁ ଇଚ୍ଛା କରିଛନ୍ତି । ନିଜ ଭିତରର ସ୍ୱତନ୍ତ୍ରତା ଏବଂ ବ୍ୟକ୍ତି ବାଧାପ୍ରାପ୍ତ ହେବାରେ ଲାଗିଛି । ଆମର ମନୋଗତ ଏବଂ ଜୈବ ସତ୍ତାଟି ଅବଶ୍ୟ ଜୀବିତ ରହିଛି । କିନ୍ତୁ ଆତ୍ମା ନାମକ ସେହି ଯନ୍ତ୍ରଟା ହୃଦୟ ଦେଇ କିଛି ଅନୁଭବ କରୁନାହିଁ ଓ ଆମର ବୁଦ୍ଧିକ୍ଷେତ୍ରରେ କୌଣସି କ୍ରିୟାଶୀଳତା ନାହିଁ । ଆଧୁନିକ ମନୁଷ୍ୟର ସାମନା ପଟରେ ସିଏ କେତେ କେତେ ଆଶାବାଦିତାର ଧାରଣାମାନ ଦେଇପାରୁଛି, କେତେପ୍ରକାରେ ତୃପ୍ତିଲାଭର ନମୁନାମାନ ଦେଖାଉଛି, କିନ୍ତୁ ନିଜ ଜୀବନର ଗଭୀର ତଳମାନଙ୍କରେ ଅତ୍ୟନ୍ତ ଅସୁଖୀ ହୋଇ ରହିଛି ଓ ବହୁ ନୈରାଶ୍ୟ ଭିତରେ ବୁଡ଼ି ରହିଛି । ସ୍ୱଜୀବନର କ୍ଷେତ୍ରରେ ଭାରି ଉପବାସୀ ହୋଇ ରହିଛି । ମାତ୍ର ଏକ ଯନ୍ତ୍ରମାତ୍ର ବ୍ୟତୀତ ଆଉ କିଛି ହିଁ ହୋଇ ପାରି ନଥିବାରୁ, ସତେଅବା ଗୋଟିଏ କ୍ଷତିପୂରଣ ରୂପେ ଯେକୌଣସି ଆନନ୍ଦ-ଉପଭୋଗର ପଛରେ ନିତ୍ୟ-ଧାବମାନ ହୋଇ ରହିଛି । ଖାସ୍ ଆଧୁନିକ ମାନଙ୍କର ଏହି ଯେତେସବୁ ସଦାତତତ୍ପରତାଗୁଡ଼ିକ, ସେମାନଙ୍କ ଭିତରେ ଏକ ଜ୍ୱରବତ୍ ଉତ୍ତେଜନା ସେମାନଙ୍କୁ ଆୟତ୍ତ କରି ରଖିଥିବାରୁ ସବୁ ଏପରି ଆବର୍ଜିଆ ଭାବରେ ଲାଗି ରହିଛି କି ଏବଂ ସେମାନଙ୍କୁ ଅବଶ କରି ପକାଉଛି କି ? କିଏ ପିଇବାରେ ମାତିଛି, କିଏ କ୍ରୀଡ଼ା ମଧ୍ୟରେ ମାତି ରହିବାର ଗୋଟାଏ ନିଶାକୁ ଧର୍ମ ପରି ଗ୍ରହଣ କରି ନେଇଛି । ଆଉକିଏ ସିନେମା ଇତ୍ୟାଦି ଖାସ୍ ଆକର୍ଷଣ ଇତ୍ୟାଦିରେ । ଆଉକିଏ ଖେଳୁଛି, ଅଭିନୟ ଦ୍ୱାରା ବହୁ ଚିତ୍ତକୁ ପୂରା ମୁଗ୍ଧ ଓ ଆଚମ୍ବିତ କରୁଛି ଏବଂ ଉପଭୋଗକୁ ହିଁ ଜୀବନର ସର୍ବକାମ୍ୟ ବୋଲି ସତେଅବା ଗୋଟାସୁଦ୍ଧା ବୁଝି ପାରିଥିବା ପରି ସହସ୍ର ସହସ୍ର ମନୁଷ୍ୟ ସେହିଗୁଡ଼ିକରେ ହିଁ ନିଜର ଭିତରେ ଏକ ହିରୋବତ୍ ତୃପ୍ତି ଲାଭ କରି ଆପ୍ୟାୟିତ ବୋଧ କରୁଛନ୍ତି ।

 

ମାତ୍ର, ସର୍ବବିଧ ଜୀବନବାଚୀ ଅର୍ଥରେ ଆମେ ମନୁଷ୍ୟମାନେ ନିଜ ଭିତରେ ହିଁ ଗୋଟିଏ ଗୋଟିଏ ସକାରାତ୍ମକ ଆସ୍ପୃହାର ପ୍ରତିନିଧି ହୋଇ ରହି ଥାଆନ୍ତେ ଓ ଏକ ପୂର୍ଣ୍ଣାଙ୍ଗ ଜୀବନର ପରିଚୟ ପ୍ରଦାନ କରୁଥିବା ବ୍ୟକ୍ତିତ୍ୱ ହୋଇ ବଞ୍ଚୁଥାନ୍ତେ । ଅଦୃଶ୍ୟ କିମ୍ବା ଦୃଶ୍ୟ ଆଉ କିଛିଦ୍ୱାରା ବାଧ୍ୟ ହୋଇ କିଛି କରୁନଥାନ୍ତେ । ଆପଣାକୁ ଆଦୌ ଏକୁଟିଆ ଭାବୁନଥାନ୍ତେ, ନିତାନ୍ତ ବଳହୀନ ବୋଲି ଧରି ନେଉନଥାନ୍ତେ । ବାହାରୁ କିଏ ଅଥବା କେଉଁମାନେ ଢାଞ୍ଚାଗୁଡ଼ିକୁ କହି ଦେଉଛନ୍ତି ଏବଂ ମୁଁ ସେହି ମୁତାବକ ଗୋଟିଏ ଜୀବନ ବଞ୍ଚୁଛି,- କୌଣସି ସୁସ୍ଥ ବ୍ୟକ୍ତି ସେହି ଅବିଧିଟାକୁ ମାନି ନିଅନ୍ତାନାହିଁ । ନିଜ ଭିତରେ କେବେହେଲେ ଗୋଟିଏ ଦ୍ୱିବିଭାଜିତ ଜୀବନ ଯାପନ କରୁନଥାନ୍ତା । ତେଣୁ, ସାର କଥାଟି ହେଉଛି ଯେ, ଗୋଟିଏ ସୁସ୍ଥ ବ୍ୟକ୍ତିତ୍ୱ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜର ଭିତରଟିକୁ ସର୍ବଦା ସ୍ୱଚ୍ଛ ହୋଇ ଦେଖିପାରନ୍ତା ଓ କୌଣସି ପ୍ରକାରେ ଅବଦମିତ ହୋଇ ରହିବାର ଯାବତୀୟ ଗଞ୍ଜଣାରୁ ମୁକ୍ତ ରହି ଥାଆନ୍ତା । ତା’ ଜୀବନର ବିଭିନ୍ନ ଦିଗଗୁଡ଼ିକ ମଧ୍ୟ ପରସ୍ପରକୁ ଆଦୌ ଲୁଚନ୍ତେ ନାହିଁ । ଜୀବନଟା ହାଲୁକା ହିଁ ଲାଗନ୍ତା । କିଛି କହୁଥିବା ବେଳେ ଓ କିଛି କରୁଥିବା ସମୟରେ,- କିଛି ନକହୁଥିବା ସମୟରେ ଓ କିଛି ନକରୁଥିବା ସମୟରେ । ଖୁସି ହିଁ ଖୁସି । ଏହିସବୁ ନାନା ନଃସଙ୍ଗତାବୋଧ ଆଧୁନିକ ମନୁଷ୍ୟମାନଙ୍କୁ ଗୋଟାଏ ଆତଙ୍କ ହୋଇ ମାଡ଼ି ବସିଛି, ଏବଂ ଏକ ସୁସ୍ଥ ବ୍ୟକ୍ତିତ୍ୱ ସେଥିରୁ ମୁକ୍ତ ହୋଇ ରହିଥାନ୍ତା ଏବଂ, ଏହିପରି ମୁକ୍ତ ହୋଇ ରହିବା ସକାଶେ ତାକୁ ନିଜ ସହିତ, ଆପଣା ପୂର୍ଣ୍ଣାଙ୍ଗ ଜୀବନଟି ସହିତ କୌଣସି ସାଲିଶ୍ କରିବାକୁ ପଡ଼ନ୍ତାନାହିଁ ।

 

ଫଳରେ ସେ ବିବିଧ ପ୍ରକାରେ ଏବଂ ନିଜର ନାନା ଅଭିନବ ରୀତିରେ ପୃଥିବୀ ସହିତ ଯୋଡ଼ିହୋଇ ରହିଥାନ୍ତା । ମନୁଷ୍ୟ ସହିତ, ପ୍ରକୃତି ସହିତ ଓ ଆପଣା ସହିତ । ଆମର ଏହି ପୃଥିବୀରେ ଅନ୍ନର ଅଭାବମାନ ରହିଛି ଓ ବହୁସଂଖ୍ୟକ ମନୁଷ୍ୟ ନିଜ ଜୀବନର ଅତ୍ୟାବଶ୍ୟକତା ମାନଙ୍କରୁ ବଞ୍ଚିତ ହୋଇ ରହିଥିବାରୁ ଦୁଃଖରେ ଅଛନ୍ତି । ମାତ୍ର, ଏପରି ଆଉ ଅନେକେ ଅଛନ୍ତି, ଯେଉଁମାନେ ସେଥିରୁ ବାହାରେ ରହିଛନ୍ତି ଓ କିନ୍ତୁ, ବହୁ ଅସୁସ୍ଥତା ମଧ୍ୟରେ ରହି ନାନାବିଧ ଯନ୍ତ୍ରରେ ପେଚଟାଏ ଓ କବ୍‌ଜାଟାଏ ହୋଇ ରହିଛନ୍ତି ଓ ଦୁଃଖ ଭୋଗ କରୁଛନ୍ତି । ଯୁଗପତ୍ ଭାବରେ ଅନ୍ୟ ମନୁଷ୍ୟମାନଙ୍କର ଦୁଃଖରେ କାରଣ ହୋଇ ରହିଛନ୍ତି । ଭିତରଟା ଶୂନ୍ୟ ହୋଇ ରହିଛି ଏବଂ ନିରର୍ଥକ ହୋଇ ପଡ଼ିରହିଛି । ସେମାନଙ୍କର ତଥାକଥିତ ସଂସ୍କୃତିଟା ମଧ୍ୟ ସେହି କାରଣରୁ ନାନାପ୍ରକାରେ ଶୂନ୍ୟଗର୍ଭ ହୋଇ କାହିଁକି ବା ନରହିବ ! ତତ୍ତ୍ୱ ଓ ଦର୍ଶନ, ସମସ୍ୟାଗୁଡ଼ିକର ଅଧ୍ୟୟନ ଓ ସେଗୁଡ଼ିକର ସମାଧାନମାନଙ୍କର ନିରୂପଣ, ଏହିସବୁ କ୍ଷେତ୍ରରେ ଆମର ଏହି ଆଧୁନିକ ସମୟରେ କୌଣସି ଅଭାବନାହିଁ । ତଥାପି ମନୁଷ୍ୟମାନଙ୍କର ପ୍ରକୃତ ସମସ୍ୟାଗୁଡ଼ିକର ସମାଧାନ କେଉଁଠି କେତେଦୂର ହୋଇପାରୁଛି ? ତେଣୁ, ଶ୍ରୀଯୁକ୍ତ ଫ୍ରମ୍ ପୁସ୍ତକଟିର ଶେଷ ପୃଷ୍ଠାଗୁଡ଼ିକରେ ଆମକୁ ଚେତାଇ ଦେବାଲାଗି ଚେଷ୍ଟା କରିଛନ୍ତି ଯେ, ମନୁଷ୍ୟମାନଙ୍କର ବ୍ୟକ୍ତିଜୀବନକୁ ନେଇ ଯେତେ ଯାହା ବିଶ୍ଳେଷଣ ତଥା ବିଜ୍ଞାନ, ତାହାକୁ ସମାନ ସଙ୍ଗତି ସହିତ ସମାଜ-ମନୋବିଜ୍ଞାନର ମଧ୍ୟ ଏକ କ୍ଷେତ୍ର ବୋଲି ସବୁମନ୍ତେ ସର୍ବଦା ହିଁ କୁହାଯିବ । ବ୍ୟକ୍ତିମାନଙ୍କର ପାରସ୍ପରିକ ନାନା ସମ୍ବନ୍ଧକୁ ନେଇ ତ ଆମର ଏହି ସମାଜ ! ତେଣୁ, ଏହି ସନ୍ଦର୍ଭରେ, ଯେକୌଣସି ସମାଜରେ ବ୍ୟକ୍ତିମାନେ ନିଜ ଚତୁର୍ଦ୍ଦିଗର ପୃଥିବୀ ସହିତ କେଉଁଭଳି ସମ୍ବନ୍ଧରେ ଆପଣାକୁ ସଂପୃକ୍ତ କରି ରଖିଛନ୍ତି, ସେହି ପୃଥିବୀଟିକୁ ମାଧ୍ୟମ କରି ମନୁଷ୍ୟମାନଙ୍କ ସହିତ । ଜଣେ ମନୁଷ୍ୟବ୍ୟକ୍ତି ଏଠାରେ ନିଜର ବ୍ୟକ୍ତିଗତ ଅଭିଳାଷ ମାନଙ୍କୁ କେତେଦୂର ପରିତୃପ୍ତ କରିପାରୁଛି ବା ନପାରୁଛି, ସେଇଟି ଆଦୌ ସବାବଡ଼ ସମସ୍ୟା ନୁହେଁ । ମନୁଷ୍ୟମାନେ ବାସ କରୁଥିବା ଆମ ସମସ୍ତଙ୍କର ଏହି ପୃଥିବୀରେ ସାମାଜିକ ସ୍ଥିତିମାନେ ଯେଉଁପରି ଭାବେ ରହିଛନ୍ତି, ତାହା ଏଠାରେ ମନୁଷ୍ୟମାନଙ୍କର ଆଦର୍ଶ ଇତ୍ୟାଦିକୁ ଅନୁକ୍ଷଣ ପ୍ରଭାବିତ କରିବାରେ ଲାଗିଛି ତଥା ଅନ୍ୟ ପକ୍ଷରେ ଉକ୍ତ ଆଦର୍ଶଗୁଡ଼ିକର ଘୋଷଣା କରୁଥିବା ମନୁଷ୍ୟ-ଚରିତ୍ରଟି ଯଦି ନିଷ୍କ୍ରିୟ ଭାବରେ ସେହିଗୁଡ଼ିକୁ ମାନି ନେଉଥିବ ଅର୍ଥାତ୍ ସେଗୁଡ଼ିକ ସହିତ ଖାପ ଖାଇ ଯାଉଥିବ, ତାହା ବସ୍ତୁତଃ ମୋଟେ କାମ ଦେଇ ପାରିବନାହିଁ; ତେଣୁ, ମନୁଷ୍ୟମାନେ ସ୍ୱୟଂ ଗତିଶୀଳ ହେବେ, ବିଶ୍ୱବିବର୍ତ୍ତନର ପ୍ରକ୍ରିୟାଟି ଫଳରେ ଯାହାକିଛି ସମର୍ଥତା ଓ ସମ୍ଭାବନା ସେମାନଙ୍କ ଭିତରେ ଅପେକ୍ଷା କରି ରହିଛି, ସେଗୁଡ଼ିକ ବିଷୟରେ ସଚେତନ ହେବେ; ସେହି ସଚେତନତା ସେମାନଙ୍କୁ ସକ୍ରିୟ କରି ନେଉଥିବ । ତେବେଯାଇ, ବାଟ ଫିଟିବ, ଏବଂ ଯାବତୀୟ ନ୍ୟାୟରେ, ଜଣେ ସୁସ୍ଥ ବ୍ୟକ୍ତିତ୍ୱ ହିଁ ଆଗ ସେହି ଆହ୍ୱାନଟିକୁ ଶୁଣି ପାରିବ ।

 

ସତୁରି ବର୍ଷ ତଳର ଶ୍ରୀଯୁକ୍ତ ଫ୍ରମ୍‌ଙ୍କର ମନୁଷ୍ୟ, ଆଧୁନିକ ମନୁଷ୍ୟ ବିଷୟରେ ଏହି ମୂଲ୍ୟବାନ୍ ଉପସ୍ଥାପନାଟି । ଇଉରୋପରେ ଦ୍ୱିତୀୟ ମହାଯୁଦ୍ଧର ସମୟ । ଯୁଦ୍ଧ ହେଉଛି ପ୍ରାୟ ଯାବତୀୟ ଅର୍ଥରେ କର୍ତ୍ତୃତ୍ୱକୁ ହିଁ ସତେଅବା ଏକମାତ୍ର ବୀରଧର୍ମ ବୋଲି ମାନି ନେଇଥିବା କେତେ ମନୁଷ୍ୟଙ୍କର ଦୌରାତ୍ମ୍ୟ । କର୍ତ୍ତୃତ୍ୱ ଅର୍ଥାତ୍ କ୍ଷମତା ଏବଂ ସେହି କ୍ଷମତାରେ ତିଷ୍ଠି ରହି ନିଜର ନ୍ୟସ୍ତସ୍ୱାର୍ଥ ଗୁଡ଼ିକୁ ଚରିତାର୍ଥ କରିବାର ଗୋଟିଏ ନଗ୍ନ ଅବାଟ । ଏହି ଏକବିଂଶ ଶତବ୍ଦୀରେ ସେହି କ୍ଷମତା ହିଁ ସତେଅବା ଶହେଗୁଣ ଅଧିକ ବଳବାନ୍ ହୋଇ ଆମ ସମସ୍ତଙ୍କର ସୁସ୍ଥ ବିବର୍ତ୍ତନସକଳକୁ ଢିଙ୍କିଆ ପକାଇ ଅଟକାଇ ରଖିଛି । କ୍ଷମତା, ଅର୍ଥାତ୍ କର୍ତ୍ତୃତ୍ୱପ୍ରଧାନ ବ୍ୟକ୍ତିତ୍ୱଟାର ନାନାମନ୍ତେ ନାନାକ୍ଷେତ୍ରୀୟ ପ୍ରଦର୍ଶନମାନ । ସେହି ଅନ୍ୟ ବ୍ୟକ୍ତିତ୍ୱଟିର ସେଥିଲାଗି କ୍ରମେ ଅଧିକରୁ ଅଧିକ ଅଧ୍ୟୟନ ହେଲାଣି । ମନୁଷ୍ୟପକ୍ଷରେ ରହି, ଏକ ଅନ୍ୟ ପୃଥିବୀରେ ସମ୍ଭାବନାକୁ ସମକ୍ଷରେ ରଖି, ଯଥାସମ୍ଭବ ମୋହମୁକ୍ତ ଅର୍ଥାତ୍ ବିଜ୍ଞାନସମ୍ମତ ଭାବରେ ପର୍ଯ୍ୟାଲୋଚନା କରାଯାଉଛି । ସେଥିମଧ୍ୟରୁ ଆମେ ଏଠାରେ ସେହିପରି ଗୋଟିଏ ଗ୍ରନ୍ଥର ଆଲୋଚନା କରିବା । ବହୁତଙ୍କର ସହଯୋଗରେ ସମ୍ପାଦିତ ହୋଇଥିବା ପ୍ରାୟ ଏକହଜାର ପୃଷ୍ଠାର ଗ୍ରନ୍ଥଟିଏ ।(୩) ଗ୍ରନ୍ଥର ସର୍ବପ୍ରଥମ ପୃଷ୍ଠାରେ ଉଦ୍ୟମଟିର ଆଭିମୁଖ୍ୟକୁ ସ୍ପଷ୍ଟ କରି ଦିଆଯାଇଛି: ସର୍ବପ୍ରଧାନ ଅନୁମାନଟି ହେଉଛି ଯେ, ଯେକୌଣସି ବ୍ୟକ୍ତିର ରାଜନୀତିକ, ଅର୍ଥନୀତିକ୍ଷେତ୍ରୀୟ ତଥା ସମାଜବିଷୟକ ବିଶ୍ୱାସଗୁଡ଼ିକ ଅନେକ ସମୟରେ ଆପଣା ଆପଣା ଭିତରେ ମୋଟାମୋଟି ଗୋଟିଏ ଢାଞ୍ଚାଗତ ସଂଗତି ରଖିଥାନ୍ତି;- ସେହି ସବୁଗୁଡ଼ିକ ସତେଯେପରି ଗୋଟିଏ ପ୍ରକାରର ମାନସିକତା ଦ୍ୱାରା ଏକତ୍ର ବନ୍ଧା ହୋଇ ରହି ଥାଆନ୍ତି ଏବଂ ସେଇଟି ମଧ୍ୟରେ ସଂପୃକ୍ତ ସେହି ବ୍ୟକ୍ତିଟିର ଗଭୀର ବ୍ୟକ୍ତିତ୍ୱଗତ ମୂଳଲକ୍ଷଣମାନେ ଖୁବ୍ ପ୍ରତିଫଳିତ ହୋଇ ରହିଥାନ୍ତି ।

 

ଏହି ବ୍ୟକ୍ତିଦୃଷ୍ଟିର ଗୋଟିଏ ନିଦର୍ଶନ ହେଉଛି ମନୁଷ୍ୟମାନଙ୍କୁ ସବାଆଗ ଜଣେ ଜଣେ ମନୁଷ୍ୟ ବୋଲି ନଦେଖି ଜାତିଗତ କରି ଦେଖିବା: ମୁଁ ହେଉଛି ଏ ଜାତିର ଏବଂ ଅନ୍ୟମାନେ ହେଉଛନ୍ତି ଆଉ ଆଉ ଜାତିର । ମୁଁ ସେମାନଙ୍କ ଠାରୁ ଅଲଗା ଏବଂ ଏଯାଏ ଆସିଗଲେ ମୁଁ ଏବଂ ମୋ’ ଜାତିର ଆମେ ସମସ୍ତେ ଅଧିକ ସରସ ଓ ତେଣୁ ସେହି ଅନ୍ୟମାନେ ଆମ ତୁଳନାରେ ନୀରସ ବୋଲି ଗୋଟିଏ ଖାସ ତତ୍ତ୍ୱରେ ଆସି ପହଞ୍ଚି ଯିବାକୁ ସମ୍ଭବତଃ ଆଉ ଅଧିକ ବିଳମ୍ବ ମୋଟେ ଲାଗୁନଥିବ । ତା’ପରେ ସେହି ନୀରସମାନଙ୍କ ଠାରୁ ନିଜ ଗୋଷ୍ଠୀଟିକୁ ଅଧିକ ଗୁଣସମ୍ପନ୍ନ ବୋଲି ଦେଖାଇବାର ଉତ୍ସାହମାନେ ଅବଶ୍ୟ ମାଡ଼ି ଆସିବେ । ଅର୍ଥାତ୍, ସବୁ ମଣିଷ କେବେହେଲେ ଆଉ ଏକା ଉପାଦାନରେ ଗଢ଼ା ବୋଲି ମୋଟେ କହି ହେବନାହିଁ । ଅର୍ଥାତ୍ ବ୍ୟକ୍ତିମାତ୍ରକେ ସମସ୍ତଙ୍କୁ ଏପରିକି ସବୁ ମଣିଷ ସେହି ଗୋଟିଏ ଧାତୁର ବୋଲି ସ୍ୱୀକାର କରି ହେବନାହିଁ । କାରଣ, ସେପରି କଲେ ମୁଁ ଏବଂ ଆମ ଜାତିଟା ସତେଅବା ମୋତେ ଭାରି ଖଣ୍ଡିଆ ହୋଇ ଦେଖାଯିବ । ସବୁ ବ୍ୟକ୍ତିଙ୍କୁ ଜଣେ ଜଣେ ବ୍ୟକ୍ତି ରୂପେ ଗ୍ରହଣ କଲେ ଆମ ଜାତିର ଆମେ ଆଉ ଜଣେ ଜଣେ ବ୍ୟକ୍ତି ବୋଲି ଦିଶିବେ ନାହିଁ ବୋଲି ଗୋଟିଏ ଭୟ ମଧ୍ୟ ଆମ ଭିତରେ ରହି ଯାଉଥିବ କି ? ଏବେ ସତକୁ ସତ ଚିନ୍ତା କରି ଚାଲ କହିବା ତ, ଆପଣାକୁ ବଡ଼, ଅଧିକ ଅଥବା ଖାସ୍ ବୋଲି ଦେଖିବାର ଏହି ଯେଉଁ ବୃତ୍ତିଟି, ଏଇଟି ଗୋଟିଏ ହୀନମନ୍ୟତା ନା ଉଗ୍ରମନ୍ୟତା ! ଜଣେ ବ୍ୟକ୍ତି କ’ଣ ତେବେ ତା’ର ଜାତିର ଗୋଟାସୁଦ୍ଧା ଏକ ନମୁନାମାତ୍ର ବ୍ୟତୀତ ଧର୍ମତଃ ଆଉ କିଛି ନୁହେଁ ?

 

ମୂଳତଃ ଜଣେ ଜଣେ ମନୁଷ୍ୟ ହୋଇଥିଲେ ମଧ୍ୟ ଯେତେବେଳେ ଆମେ ସମଗ୍ର ମଣିଷଜାତି ସହିତ ନିଜକୁ ସାମିଲ କରି ଦେଖିବାକୁ ସମର୍ଥ ହେଉନାହିଁ, ସେତେବେଳେ ରାଜନୀତିର କ୍ଷେତ୍ରରେ ଆମେ ବହୁ ଅସୁସ୍ଥତା ଦ୍ୱାରା ଆକ୍ରାନ୍ତ ହୋଇ ଜାତୀୟତାବାଦ ନାମକ ସେହି ଅନ୍ୟ ଉତ୍ତେଜନା ମଧ୍ୟରେ ଯାଇ ପଶି ଯାଉଥାଉ । ଆମ ମନଲାଖି ନେତୃତ୍ୱମାନେ ଆମକୁ ଖୁବ୍ ମିଳି ଯାଇଥାଆନ୍ତି । ହଁ, ଆମ ନିଜ ଜାତିଟା ଆଗ ଓ ତା’ପରେ ଯାଇ ଅନ୍ୟ ଜାତିମାନେ । ସେହି ଅନୁସାରେ ରଞ୍ଜକମାନ ଦେଇ ଆମ ଜୀବନର ଚାହାଣିଗୁଡ଼ାକ ତିଆରି ହୋଇ ଯାଆନ୍ତି । ପ୍ରାୟ ସେହି ଅନୁସାରେ ଇତିହାସମାନେ ଲେଖାଯାଆନ୍ତି । ଆମ ଠାକୁରମାନେ ମଧ୍ୟ ସେହି ଅନୁସାରେ ଗଢ଼ା ହୁଅନ୍ତି । ସେହି ବାର୍ନିସ୍‌ଟି ଲଗାଇ ଏକ ଜାତୀୟତାବାଦୀ ସାହିତ୍ୟ । ଏହିଗୁଡ଼ାକୁ ନେଇ କାଳ କାଳେ କ’ଣ କମ୍ ମନୁଷ୍ୟଙ୍କୁ ବାଇ କରାଯାଇଛି ଓ କରାଯାଉଛି ? ପୃଥିବୀର ଏହି ବେତା ବେତା ବୁଦ୍ଧି, ଜ୍ଞାନ, ତଥା ବିଜ୍ଞାନ ସେହି ଜାତୀୟତାବାଦ ନାମକ ନିଶାଟା ପାଖରେ ବେହେରାଣିଆ ପ୍ରାୟ ଖଟିବାରେ ଲାଗିଛି । ପୃଥିବୀରେ ଯୁଦ୍ଧ ପରେ ଯୁଦ୍ଧ ଲାଗିରହିଛି ଏବଂ ସେଇଟି ନିମନ୍ତେ ସେହି ଅନ୍ୟମାନେ ହିଁ ପୃଥିବୀର ସର୍ବବିଧ ଅଶାନ୍ତ ଅବସ୍ଥା ନିମନ୍ତେ ଏକପାଖିଆ ଭାବରେ ଦାୟୀ ବୋଲି ଗୋଳ ଆରମ୍ଭ କରିଦେଇ ସରକାରମାନେ ଥାଟମାନଙ୍କୁ ଛିଡ଼ା କରି ରଖିବାର ସର୍ବଘାତୀ ଧନ୍ଦାଗୁଡ଼ାକରେ ଲାଗି ରହିଛନ୍ତି । ସିଂହମାନେ ହିଁ ବିଚରା ମୂଷାମାନଙ୍କୁ ଅଧିକ ଭୟ କରୁଛନ୍ତି ।

 

ଏକ ଅସୁସ୍ଥ ଆଦର୍ଶବାଦୀ ଉଡ଼ା ବିଶ୍ୱାସରେ ପୃଥିବୀର ନିୟୂତ ମଣିଷକୁ ଯେପରି ଭାବରେ ଜୁଆ କରି ରଖାଯାଇଛି, ସେହି ଅନୁସାରେ ସେମାନଙ୍କର ଅର୍ଥନୀତିକ ଏବଂ ରାଜନୀତିକ ଉଗ୍ର ଅପବୃତ୍ତିମାନେ ମଧ୍ୟ ପରିଚାଳିତ ହେଉଛନ୍ତି । ପୃଥିବୀର ଅର୍ଥନୈତିକ ବ୍ୟବସ୍ଥାମାନେ ସିଂହମାନଙ୍କର ସ୍ୱାର୍ଥରେ ବଙ୍କା ହୋଇ ରହିଛନ୍ତି । ସିଂହମାନଙ୍କ ଦ୍ୱାରା ସିଂହମାନଙ୍କର ସ୍ୱାର୍ଥସାଧନ ନିମନ୍ତେ ତିଆରି ହୋଇଛନ୍ତି ଏବଂ ସେହି ଅନୁସାରେ ତଥାକଥିତ ରାଜନୀତିଟା । ଫାଶ ଉପରେ ଫାଶ ପକାହୋଇ କେତେ ନା କେତେ କୂଟନୈତିକ ଫିସାଦରେ ଏପରି ଜମି କରି ରହିଛି ଯେ, ଗୋଟିଏ ନୂଆ ପରିବର୍ତ୍ତନ ନିମନ୍ତେ ଅବକାଶ ସୃଷ୍ଟି କରି ଅର୍ଥାତ୍ ମନୁଷ୍ୟମାତ୍ରେ ସବୁ ମନୁଷ୍ୟଙ୍କ ଲାଗି କିଛି ବାଟ ଫିଟାଇବା ଖୁବ୍ ଅସାଧ୍ୟ ହୋଇ ରହିଛି । ପୁରୁଣା ଅସୁସ୍ଥକରତା ମାନଙ୍କୁ ମୁହାଁସ ଦେଇ ଯେପରି ସେପରି ହୋଇ ରହିବା ସକାଶେ ସୁଯୋଗ ପରେ ସୁଯୋଗମାନ ବଢ଼ାଇ ଦିଆଯାଇଛି । ଯେଉଁ ସାନ ସମୂହମାନେ ହୁଏତ ନୂଆ ନୂଆ ସଂକଳ୍ପରେ ଅନ୍ତତଃ ନିଜର ନୂଆ ଘରଟିକୁ ଅନ୍ୟ ଉତ୍ସାହରେ ଗଢ଼ିବେ ବୋଲି ଆସି ସେହି ଅନନୁକୂଳ ଆହବଟି ମଧ୍ୟରେ ପ୍ରବେଶ କରୁଛନ୍ତି, ଅନେକତଃ ସେମାନେ ମଧ୍ୟ ପୂର୍ବର ସ୍ଥିତାବସ୍ଥାଟି ସହିତ ନିଜକୁ ତଥାପି ଯଥେଷ୍ଟ ମଜବୁତ ଭାବରେ ଚଳାଇ ନେଉ ନେଉ ସତେଅବା କ୍ରମେ ଖଲିଆ ହୋଇ ଯାଉଛନ୍ତି ଏବଂ କେଡ଼େ ଅସଚେତ ଭାବରେ ସ୍ୱୟଂ ରକ୍ଷଣଶୀଳ ହୋଇ ଯାଉଛନ୍ତି । ବହୁ ସଦିଚ୍ଛା ରହିଥିଲେ ମଧ୍ୟ ସତେଅବା ସ୍ଥିତାବସ୍ଥାଟି ମଧ୍ୟରେ ବାଧ୍ୟ ହୋଇ ରହୁଛନ୍ତି । ମହାଯୁଦ୍ଧ ସରୁ ସରୁ ଆଫ୍ରିକା ଓ ଏସିଆର ଯେଉଁ ଦେଶମାନେ ସ୍ୱାଧୀନ ହେଲେ, ସେମାନେ ସମ୍ଭବତଃ ସେହିପରି କ୍ରମେ ପୁରୁଣାଟି ଅନୁସାରେ ମଣ ହୋଇ ରହିଗଲେ । ପୃଥିବୀର ଦୁଇ ମହାଶକ୍ତି ଏହି ହୁଡ଼ି ରହିଯିବାର କ୍ରମରେ ମୋଟେ କମ୍ ମାମଲତକାରୀ କରିନାହାନ୍ତି ।

 

ପୃଥିବୀରେ ଏହି ଧର୍ମମାନେ ଯାହାକୁ ଯେତେ । ସେହି ଅନୁସାରେ ଦେଉଳ ଓ ଦେଉଳନୀତି । ଅନୁଗାମୀବୃନ୍ଦ ଗୋଟିଏ ଧର୍ମରେ ମୂଳରୁ ହିଁ ରହିଛନ୍ତି ବୋଲି ନିଜକୁ ନ୍ୟାୟତଃ ଅତ୍ୟନ୍ତ ଭାଗ୍ୟବାନ୍ ବୋଲି ଅନୁଭବ କରୁଥିବେ । ନିଃସନ୍ଦେହ ଭାବରେ ଏହି ସନ୍ଦର୍ଭରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି ଯେ, ପ୍ରତ୍ୟେକ ଧର୍ମରେ ସତକୁ ସତ ନିର୍ମଳ ହୃଦୟ ଏବଂ ନିର୍ମଳ ବିବେକ ସର୍ବଦା ହିଁ ରହିଛନ୍ତି ଯେଉଁମାନେ ନିଜ ଧର୍ମଟିକୁ ବଞ୍ଚିଛନ୍ତି; ସେମାନେ ନିଜ ଧର୍ମର ଅସଲ ପ୍ରାଣଟିକୁ ସ୍ପର୍ଶ କରିଛନ୍ତି । ସେହି ଦୃଷ୍ଟାନ୍ତପୁରୁଷମାନେ ସତେଅବା ସର୍ବଦା ଦର୍ଶାଇ ଦେଇଛନ୍ତି ଯେ, ଧର୍ମରେ ରହିଲେ ଜଣେ ମନୁଷ୍ୟ ଉଦାର ହୁଏ, ଏକ ଭ୍ରାତୃତ୍ୱଭାବନା ଦ୍ୱାରା ପ୍ରେରିତ ହୋଇ ରହିଥାଏ ଏବଂ ତେଣୁ ସର୍ବବିଧ ଅନ୍ୟକାତରତାରୁ ଆପଣାକୁ ମୁକ୍ତ କରି ନେଇ ଧର୍ମନିର୍ବିଶେଷରେ ଅନ୍ୟ ମନୁଷ୍ୟମାନଙ୍କ ଲାଗି ଶ୍ରଦ୍ଧା ଦ୍ୱାରା ପୂର୍ଣ୍ଣ ହୋଇ ରହିଥାଏ । ନିଜ ଧର୍ମର ଆହ୍ୱାନଟିକୁ ମାନି ସିଏ ନିଜକୁ ଯାବତୀୟ ଘୃଣା ମଧ୍ୟରୁ ବାହାରେ ହିଁ ରଖିଥାଏ । ଘୃଣାର ଉତ୍ତେଜନାମାନେ ଲାଗି ରହିଥିବା ସମୟରେ ସିଏ ଶ୍ରଦ୍ଧାର କଥା କହେ ଏବଂ ଶ୍ରଦ୍ଧାର ଦୃଷ୍ଟାନ୍ତ ହୋଇ ରହିଥାଏ । ଅସଲ ଧର୍ମମାନେ ମନୁଷ୍ୟ ମାନଙ୍କର ଭୀରୁତାଗୁଡ଼ାକୁ ହିଁ ଦୂର କରନ୍ତି । ଧର୍ମସ୍ଥ ବ୍ୟକ୍ତିମାନେ ନ୍ୟାୟର ପକ୍ଷରେ ଥାଆନ୍ତି ଓ ଯାବତୀୟ ଅସମତାକୁ ଅପରାଧ ବୋଲି କହନ୍ତି । ସେମାନେ ପୃଥିବୀରୁ ପଳାଇ ଯାଆନ୍ତି ନାହିଁ, ପୃଥିବୀକୁ ବଦଳାନ୍ତି ।

 

ତେବେ, ମୋ’ ଧର୍ମ ତୋ’ ଧର୍ମ ବୋଲି ଦେଖିବାର ଏବଂ ସେହି ଅନୁସାରେ ନିଜର ଧର୍ମଲାଗି ଅନୁଗତ ରହିବାର ବାହାନାରେ ଏହି ଧର୍ମସନ୍ଦେଶ ଗୁଡ଼ିକୁ ଆମେ ମନୁଷ୍ୟମାନେ ହିଁ ଦୂଷିତ କରି ରଖିଛୁ । ଅସୁସ୍ଥ ମନୁଷ୍ୟମାନେ ଯେପରି ଏଠାରେ ଆର୍ଥିକ ସମ୍ପର୍କଗୁଡ଼ିକ, ରାଜନୀତିକ ଏବଂ ସାମାଜିକ ବ୍ୟବସ୍ଥାମାନଙ୍କୁ ଅସୁସ୍ଥ କରି ପକାଇଛନ୍ତି, ଧର୍ମର ଖାସ୍ କ୍ଷେତ୍ରଟିରେ ମଧ୍ୟ ସେହିଭଳି ଘଟିଛି । ସୁସ୍ଥମାନେ ତ ସଚରାଚର ଅନ୍ୟଠାରୁ ଶିଖନ୍ତି ଓ ପୃଥିବୀକୁ ସୁସ୍ଥ ରହିବାରେ ସହଯୋଗ କରନ୍ତି । ଅସୁସ୍ଥ ବ୍ୟକ୍ତି ନିଜକୁ ନେଇ ସର୍ବଦା ଅନ୍ୟମାନଙ୍କ ଉପରେ ମଢ଼ାଇଦିଏ । ଏଥିପାଇଁ ବହୁ ଅପକ୍ଷମତାର ପ୍ରୟୋଗ ମଧ୍ୟ କରେ । ଯୁଗେ ଯୁଗେ ଅସୁସ୍ଥ ଗୁରୁମାନେ ସେହିପରି କରିଛନ୍ତି ଏବଂ ଅସୁସ୍ଥ ସମ୍ପ୍ରଦାୟମାନେ ମଧ୍ୟ ସେମାନଙ୍କଠାରୁ ପ୍ରରୋଚନାମାନ ପାଇ ସେହିପରି କରିଛନ୍ତି । ଏପରି କରି ସେମାନେ ନିଜ ଧର୍ମର ମଧ୍ୟ ଅନେକ କ୍ଷତି ଘଟାଇଛନ୍ତି । ଅର୍ଥାତ୍ କର୍ତ୍ତୃତ୍ୱମାନେ ପ୍ରବଳ ହେଲେ ଆମ ଧର୍ମମାନଙ୍କରେ ଗ୍ଳାନିମାନେ ଆସି ପହଞ୍ଚି ଯାଆନ୍ତି । ନୂଆ ନୂଆ ବିଧି, ନୂଆ ନୂଆ ଆଡ଼ମ୍ବରର ପ୍ରଦର୍ଶନମାନ,- ବହୁ ମନୁଷ୍ୟମାନଙ୍କୁ ଅଫିମ ଭୁଞ୍ଜାଇ ରଖିଥାଏ । ବାହ୍ୟମାନେ ପୂରା ଆମର ଧର୍ମସଂସ୍କୃତିକୁ ଅକ୍ତିଆର କରି ନେଇଥାନ୍ତି । ଧର୍ମ କହିଲେ ସବାଆଗ ଯେ କିଛି ହେବାକୁ ବୁଝାଏ, ସେହି ଅଧ୍ୟାତ୍ମସତ୍ୟଟିକୁ ସତେଅବା ଅନ୍ତରାଳ କରି ରଖିବାର ସତର ପ୍ରକାର ଚେଷ୍ଟା କରା ଯାଉଥାଏ । ମନୁଷ୍ୟକର୍ତ୍ତୃତ୍ୱର ସେହି ପ୍ରତାପମାନ ଦେଖି ଭଗବାନ୍‍ମାନେ ସମ୍ଭବତଃ ପ୍ରମାଦ ଗଣି ପଳାୟନ କରନ୍ତି ।

 

ଏହାପରେ ଆମମାନଙ୍କର ପରିବାର ନାମକ ସେହି ସୁପରିଚିତ ସଂସ୍ଥାଟି, ଆମେ ପ୍ରତ୍ୟେକେ ଯେଉଁଟିରେ ଜନ୍ମଲାଭ କରୁ, ସାନରୁ ବଡ଼ ହେଉ, ବଡ଼ମାନଙ୍କର ଭାଷାରେ ଜଣେ ଜଣେ ମଣିଷ ହେଉ । ଆପେ ବାପାମାଆ ହୋଇ ଆମ ପିଲାଙ୍କୁ ମଧ୍ୟ ମଣିଷ କରୁ । ସମାଜ ସମାଜ ଅନୁସାରେ ବାହ୍ୟଟା ନାନାଭାବେ ଫରକ, କିନ୍ତୁ ସବୁଠାରେ ଧର୍ମଟି ସକଳ ଅର୍ଥରେ ଗୋଟିଏ । ଆଲୋଚ୍ୟ ଗ୍ରନ୍ଥଟିର ସେହି ପ୍ରସଙ୍ଗୀୟ ଅଧ୍ୟୟନଗୁଡ଼ିକ ଅନୁସାରେ ଯେଉଁଠି ପିଲାମାନେ ଭୌତିକ ଜୀବନଧାରଣର କ୍ଷେତ୍ରରେ ବାପାମାଆଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇ ରହିଥାନ୍ତି, ସେହିସବୁ ପରିବାରରେ ପିଲାଏ ବେଶ୍ ବଶ୍ୟ ଭାବରେ ନିଜ ପିତାମାତାଙ୍କ କଥାସବୁ ମାନି ନିଅନ୍ତି ଏବଂ ସେମାନଙ୍କର ବିରୋଧରେ କୌଣସି ବିଦ୍ରୋହ କରନ୍ତି ନାହିଁ । ମୋଟେ ଅମାନିଆ ହୁଅନ୍ତିନାହିଁ-। ପରିବାରରେ ଶୃଙ୍ଖଳା ଥାଏ ଏବଂ, ଆବଶ୍ୟକ ନୈତିକତାଟି ମଧ୍ୟ ଅନ୍ତତଃ ପରିବାରସ୍ଥ ବଡ଼ମାନଙ୍କର ନିଘାରେ ଅକ୍ଷୁଣ୍ଣ ହୋଇ ରହିଥାଏ । ମାତ୍ର, ଅନ୍ୟ ପକ୍ଷରେ, ସତ ପ୍ରୀତି ଏବଂ ସତ ଭକ୍ତି କ’ଣ କେକେ ପର୍ଯ୍ୟନ୍ତ ଥାଏ ବା ନଥାଏ, ତାହା ଆଦୌ ଜାଣି ହୁଏନାହିଁ । ପ୍ରୀତି ଏବଂ ଭକ୍ତିରେ ଗୋଟିଏ ସମ୍ମାନବୋଧ ସର୍ବଦା ଥାଏ, ଯେଉଁଠାରେ ବଡ଼ମାନେ ଏହି ପିଲାମାନଙ୍କର ମଧ୍ୟ ଏକ ବ୍ୟକ୍ତିତ୍ୱ ରହିଛି ବୋଲି ସ୍ୱୀକାର କରାଯାଏ ଏବଂ ତେବେ ସାନମାନେ ବଡ଼ମାନଙ୍କୁ ଭୟ କରନ୍ତିନାହିଁ-। ସେଠାରେ ଶୃଙ୍ଖଳା କହିଲେ ସଂପୂର୍ଣ୍ଣତଃ ଏକ ଅନ୍ୟ ପରିମଳକୁ ବୁଝାଏ । ଅନ୍ତର୍ଗତ ଦୂରତାମାନେ ନଥାନ୍ତି ଏବଂ ତେଣୁ ଏକ ଖାସ୍ ଖୁସି ବର୍ତ୍ତମାନ ଥାଏ, ଯେଉଁଠାରେ ପିତାମାତା ସେମାନଙ୍କର ସାନମାନଙ୍କୁ ବୁଝନ୍ତି ଏବଂ ସେମାନଙ୍କର ସର୍ବବିଧ ସୁସ୍ଥ ଅଭିବୃଦ୍ଧିକୁ ବାଟ ଛାଡ଼ି ଦେଇ ଥାଆନ୍ତି । ବୁଝାମଣା କହିଲେ ଏକ ପାରସ୍ପରିକତାର ସହଜ ସମ୍ପର୍କକୁ ହିଁ ବୁଝାଉଥାଏ । ପିଲାମାନେ ସକଳ ଅର୍ଥରେ ସବାଆଗ ନିଜର ପିତାମାତାଙ୍କର ବୋଲି ହିଁ ଅନୁଭବ କରିବାରେ ପ୍ରକୃତ କୌଣସି ବାଧା ନଥାଏ । ପିତାମାତା ପିଲାଙ୍କ ପଟରେ ହିଁ ଥାଆନ୍ତି ଏବଂ ତେଣୁ ତଥାକଥିତ ଆକଟମାନଙ୍କୁ ପ୍ରୟୋଗ କରିବାର ଅବକାଶ ମଧ୍ୟ ଆଉ କ’ଣ ପାଇଁ ଆସିବ ? ନୀତି ଅବଶ୍ୟ ଥାଏ, ନୀତିଶାସ୍ତ୍ରର ଉପଦେଶମାନେ ନଥାନ୍ତି ।

 

କର୍ତ୍ତୃତ୍ୱପ୍ରଧାନ ପରିବାର ମାନଙ୍କରେ ନିୟମତଃ ବଡ଼ମାନେ ହିଁ ଉଚିତ ଅନୁଚିତ ଗୁଡ଼ିକୁ ନିର୍ଦ୍ଧାରଣ କରି ଦେଇଥାନ୍ତି । ଜୀବନମୂଲ୍ୟ କହିଲେ ନିୟମତଃ ଏକ ବୟସ୍କସଂସାରର ମୂଲ୍ୟଚୟନକୁ ବୁଝାଏ । ଭଳି ଭଳି କଳ୍ପିତ ମୂଲ୍ୟଗୁଡ଼ିକ, ଆଚରିତ ମୂଲ୍ୟ ବୋଲି ସମ୍ଭବତଃ କିଛି ନଥାଏ । ବୟସ୍କମାନେ ମଧ୍ୟ ତେଣୁ ବାଧ୍ୟ ହୋଇ କ’ଣଗୁଡ଼ିଏ ମାନନ୍ତି ଏବଂ ସେହିଗୁଡ଼ିକୁ କାମ୍ୟ ବୋଲି ଗ୍ରହଣ କରି ନେଇଥାନ୍ତି ଓ ଅତ୍ୟନ୍ତ ସୁନିଶ୍ଚିତ ଭାବରେ ସେହି କାରଣରୁ ହିଁ ନିଜ ପିଲାଙ୍କ ଆଗରେ ଆଉ କିଛି ଆଣି ପହଞ୍ଚାଇ ପାରନ୍ତିନାହିଁ । ସର୍ବକ୍ଷଣରେ ସେହି ଗୋଟିଏ ମାତ୍ର ଧମକ; ପରମ୍ପରା । ଯାହା ପ୍ରଧାନତଃ ଚଳିଆସିଛି ବୋଲି ବର୍ତ୍ତମାନ ବି ଚଳୁଛି, ସେଇଟି ପରମ୍ପରା । ସଂସ୍କୃତି ପରମ୍ପରା, ଧର୍ମର ପାଳନ ପରମ୍ପରା, ପରମ୍ପରା ଅନୁସାରେ ହିଁ ଆମ ପୂର୍ବପୁରୁଷ ଆମକୁ ଦେଇ ଯାଇଥିବା ଏହି ଦେବତାମାନଙ୍କର ହେପାଜତ କରିବା । ମାତ୍ର, ସେମାନଙ୍କ ଠାରୁ କୌଣସି ପ୍ରେରଣା ପାଇ ତାହାରି ଉଦ୍‌ବୋଧନରେ ସେମାନଙ୍କର ଆଉକିଛି କତି ହୋଇ ପାରିବା, ତାହା ନୈବ ନୈବ ଚ । ଭାରତବର୍ଷରେ ଏହି ଜାତିଭେଦଟା ମଧ୍ୟ ପରମ୍ପରା: ସତେଅବା ଆମ ଭଗବାନଙ୍କର ଖାସ୍ ଆଶୀର୍ବାଦଟିଏ ଲାଭ କରି ଆମ ଲାଗି ବରାଦ ହୋଇ ରହିଛି । ପରିବାର ସେହି ପରମ୍ପରା ଅନୁସାରେ ଚାଲିବ,- ସେଇ ଗୋଟିଏ ଗାଆଁରେ ଏକାବେଳେକେ ସତର ସତରଟା ପରମ୍ପରା ଜାରି ହୋଇ ରହିଥାଉ ପଛକେ, ତଥାପି ଆମେ ତାହାକୁ ଗୋଟିଏ ପରମ୍ପରା ବୋଲି କହିବା ଏବଂ ଗୌରବ ଅନୁଭବ କରିବା । ଏହି ସବୁକିଛି ତୁଚ୍ଛା ଗୋଟାଏ କର୍ତ୍ତୃତ୍ୱପ୍ରଧାନ ଜୀବନଶୈଳୀର କରାମତି ଛଡ଼ା ଆଉ କ’ଣ ହୋଇପାରେ ! କର୍ତ୍ତୃତ୍ୱ ଆଗ, ମନୁଷ୍ୟମାନେ ପଛ-ଏହାହିଁ ଯାବତୀୟ କର୍ତ୍ତୃତ୍ୱପ୍ରଧାନ ସମାଜଦର୍ଶନର ମୂଳ ଅବିବେକ ହୋଇ ରହିଆସିଛି ।

 

ପିଲାମାନେ ଭଲ ପାଇବା ବୁଝନ୍ତି, ନିଜ ବାପାମାଆମାନଙ୍କୁ ବୁଝନ୍ତି, ଆମେ ସମସ୍ତେ ଗୋଟାଏ ଘରେ କେଡ଼େ କତି ହୋଇ ରହିଛୁ ବୋଲି ପୃଥିବୀ ସାରା ଛାତି ଫୁଲାଇ ବୁଲନ୍ତି, ନିଜ ଜୀବନର ବାଟଟିକୁ ଏତେ ବୃହତ୍ ଏହି ସଂସାରଟିରେ ପ୍ରକୃତ ପ୍ରତ୍ୟୟ ସହିତ ପକାଇବା ନିମନ୍ତେ ସର୍ବାଧିକ ବଳ ସେମାନେ ସେହି ପରିବାରରୂପୀ ନିବିଡ଼ତାରୁ ଲାଭ କରିଥାନ୍ତି । କିନ୍ତୁ, କର୍ତ୍ତୃତ୍ୱନାମକ ସେହି ଆଉ କ’ଣଟିକୁ ମୋଟେ ବୁଝି ପାରନ୍ତିନାହିଁ । ବାପା ଓ ମାଆଙ୍କୁ ବୁଝନ୍ତି, କିନ୍ତୁ ସେମାନଙ୍କର କର୍ତ୍ତୃତ୍ୱକୁ ବୁଝି ପାରନ୍ତିନାହିଁ । କର୍ତ୍ତୃତ୍ୱପ୍ରଧାନ ପିତାମାତା ସତେଅବା ନିଜ ଭିତରର କୌଣସି ଅଚେତନ ଅଗତ୍ୟାପଣଦ୍ୱାରା ବାଧ୍ୟ ହୋଇ ସମାଜର ଏକ ପିରାମିଡ୍-ଆରୋହଣକୁ ଜୀବନର ସର୍ବପ୍ରଧାନ କର୍ତ୍ତବ୍ୟଧର୍ମ ସ୍ୱରୂପ ମାନନ୍ତି: ନିଜର ପଦ, ଚଉକି,- ସେହିଗୁଡ଼ିକ ହିଁ ଆଗ; ତେଣୁ ମୋ’ର ଏହି ପିଲାମାନେ ମଧ୍ୟ ସେହିପରି ମଣ ହେବେ । ସେମାନେ ନିଜ ସନ୍ତାନମାନଙ୍କୁ ସବାଆଗରେ ରଖି ସନ୍ତାନ ମାନଙ୍କର ଜୀବନକୁ କ୍ୱଚିତ୍ ଦେଖନ୍ତି; ନିଜ ମର୍ଯ୍ୟାଦାବୋଧ ଗୁଡ଼ିକୁ ଆଗରେ ରଖି ହିଁ ପିଲାଙ୍କର ଗଣିତ କଷିବାରେ ଲାଗିଥାନ୍ତି । ପ୍ରେମ, ଦାମ୍ପତ୍ୟ, ପତ୍ନୀପତି ସମ୍ପର୍କ-ସେଗୁଡ଼ିକ ମଧ୍ୟ ସେହିଭଳି ହାସ୍ୟାସ୍ପଦ ଭାବରେ ଦରବାରୀ ହୋଇ ରହିଥାଏ ଏବଂ ପରିବାରରେ ଉଭୟ ପକ୍ଷ ସେହି ଅନୁସାରେ ଖାସ୍ ଭୂମିକା ଇତ୍ୟାଦିର ଜଣେ ଜଣେ ହିରୋ ହିଁ ବନି ଯାଆନ୍ତି । ପୁରୁଷ ପ୍ରାୟ କୌଣସି ପାଞ୍ଜି ଅନୁସାରେ ପୌରୁଷର ଖାସ୍ ପ୍ରତିନିଧିତ୍ୱ କରେ ଏବଂ ପତ୍ନୀ ମଧ୍ୟ ସତେଅବା ଗୋଟିଏ ଶୁଦ୍ଧ କୁଳୀନତା ରକ୍ଷା କରି ସଂପୃକ୍ତ ସର୍ବଜନଙ୍କର ପ୍ରଶଂସା ଲାଭ କରେ । ଦେହର ସ୍ତରଟା ସମେତ ସର୍ବବିଧ ପ୍ରୀତିର ପ୍ରକୃତ ସଂସାରଟି ଆସିବା ନିମନ୍ତେ ସମ୍ଭବତଃ ବାଟ ହିଁ ପାଉନଥିବ ।

 

କର୍ତ୍ତୃତ୍ୱପ୍ରଧାନ ସେହି ଚଳନ୍ତି ଶୃଙ୍ଖଳାଟି ଅନୁସାରେ ଆମର ନୈତିକ ଶାସନଟା ମଧ୍ୟ ଆଦୌ କମ୍ କୃତ୍ରିମ ହୁଏନାହିଁ । ସବୁ କୃତ୍ରିମ ହୋଇଯାଉଛି ବୋଲି ସମସ୍ତେ ଜାଣନ୍ତି, ମାତ୍ର କୃତ୍ରିମ ନହେବା ଲାଗି କୌଣସି ଉପାୟ ନଥାଏ । ଉଚିତ-ଅନୁଚିତ ଇତ୍ୟାଦିର ସୁମାରି ନଥାଏ, କିନ୍ତୁ ଉପରେ ଉପରେ ସେହି ନୀତିବାଦୀ ବେତାଳଧର୍ମଟା କାନ୍ଧ ଉପରେ ଲଦି ହୋଇ ରହିଥିଲେ ମଧ୍ୟ ନୀତି ହିଁ ନଥାଏ । ନୀତିବାଦ ନାମରେ ବିଷ୍ଣୁଶର୍ମାମାନେ ଅକ୍ଳାନ୍ତ ଭାବରେ ହିତୋପଦେଶ ଦେଉଥାଆନ୍ତି, ମାତ୍ର ରାଜପୁତ୍ରମାନେ ରାଜପୁତ୍ର ହୋଇ ରହିଥାନ୍ତି । କେତେ କେତେ ମିହନ୍ତରେ ମନୁଷ୍ୟମାନେ ସଦର ଓ ମଫସଲର ଏକ ଦ୍ୱିଖଣ୍ଡିତ ଓ ଦ୍ୱିପତ୍ନିକ ଜୀବନକୁ ବରଣ କରି ନେଇଥାନ୍ତି ଏବଂ କେଡ଼େ ଉଲ୍ଲାସରେ ମୁଣ୍ଡରେ ଠେକୀଗୁଡ଼ିକୁ ବାନ୍ଧିଥାନ୍ତି । ନିଜକୁ ପୋଲିସ୍ ବୋଲି ଧରିନେଇ ତୁଚ୍ଛା ଜଣେ ଜଣେ ନୀତିବାଗୀଶ ବନି ଚୋରମାନଙ୍କର ପିଛା କରୁଥାନ୍ତି । ଆମ ସାନ୍ଧ୍ୟମଞ୍ଚର ଭବ୍ୟ ଅବସର ମାନଙ୍କରେ ଯେଉଁମାନେ ଗଦ୍‌ଗଦ ଉଚ୍ଛ୍ୱାସରେ ନିଜ ଆସନଗୁଡ଼ିକରୁ ନିଜର ନୀତିବାକ୍ୟ ଗୁଡ଼ିକର ବର୍ଷଣ କରି କେଡ଼େ ଖୁସି ଅନୁଭବ କରନ୍ତି, ସେମାନେ କେଡ଼େ ବିଚକ୍ଷଣ ଭାବରେ ଏକାଧାରରେ ଚୋର ଏବଂ ପୋଲିସର ଏକକ ଅଭିନୟଟାକୁ କରନ୍ତି, ସେମାନେ ଆମ ତୁଚ୍ଛା ଚୋରମାନଙ୍କୁ ଆମ ସମାଜରେ ପୋଲିସ୍‌ର ମଧ୍ୟ ଏକ ମହାନ୍ ପ୍ରୟୋଜନ ରହିଛି ବୋଲି କହି ଡିବି ଡିବି ଡିଣ୍ଡିମ ନପିଟନ୍ତି !

 

କର୍ତ୍ତୃତ୍ୱପ୍ରଧାନ ମନୁଷ୍ୟାତ୍ମାମାନେ ହିଁ ଆମର ଏହି ସଂସାରକୁ ଏକ ରଙ୍ଗମଞ୍ଚ ବୋଲି କହନ୍ତି । ହୁଏତ ଖୁବ୍ ଖୁସି ହୋଇ ସେପରି କହନ୍ତି ଏବଂ ସେହି ପ୍ରକ୍ରିୟାଟିରେ ସଂସାରସ୍ଥ ସର୍ବବିଧ ସମ୍ପର୍କକୁ ଏକ ରଙ୍ଗମଞ୍ଚରେ ପରିଣତ କରି ରଖିବାର ଏକ ଅସୁସ୍ଥ କାର୍ଯ୍ୟରେ ଭାରି ସହଯୋଗ କରନ୍ତି । ସତେ ଯେପରି ଯୁଗପତ୍ ଭାବରେ ମାୟାମୃଗ ଏବଂ ରାମଚନ୍ଦ୍ର ଉଭୟ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ଆମ ରାଜନୀତିରେ, ଶାସନ ଭିତରେ, ଆମ ଆଧୁନିକ କାଳର ଏକାଧିକ ବ୍ୟକ୍ତିସମ୍ପର୍କ ଗୁଡ଼ିକରେ ଏହିପରି ଗୁଡ଼ାଏ ତାମସା ଲାଗି ରହିଥାଏ । ଆମେ ଯେଉଁମାନେ ସତକୁ ସତ କିଛି ହୋଇ ଏଠି ସତକୁ ସତ କିଛି କାମରେ ଲାଗିବାକୁ ନିଜ ପାଖରେ ତଥା ଆମ କାଳଟି ପାଖରେ ଆପଣାଆଡ଼ୁ ହିଁ ପ୍ରତିଶ୍ରୁତିବଦ୍ଧ ହୋଇ ରହିଥାଉ, ଗଦା ଗଦା କର୍ତ୍ତୃତ୍ୱରେ ଏହି ନାନାବିଧ ହୋ’ ହୋ’ ଗୁଡ଼ିକୁ ଦେଖି ଆମେ ପ୍ରକୃତରେ ନାନା ବିଡ଼ମ୍ବନାରେ ପଡ଼ି ଯାଉଥିବା । ଜଣେ ସୁସ୍ଥ ମନୁଷ୍ୟର ପ୍ରକୃତ ପରୀକ୍ଷା ହୁଏତ ସେତିକିବେଳେ ହୁଏ । ସେହି ପରୀକ୍ଷାରୁ ତାକୁ ଗୁର୍ଦ୍ଦୁ ବଳ ବି ନିଶ୍ଚୟ ମିଳୁଥିବ । ସେହି ବଳଟି ମିଳୁଥିବା ଯାଏ ସିଏ କେବେହେଲେ କହେନାହିଁ ଯେ ଏହି ପୃଥିବୀଟା ପୂରା ମାତ୍ରାରେ କର୍ତ୍ତୃତ୍ୱବୋଧୀ ମନୁଷ୍ୟମାନଙ୍କ ଦ୍ୱାରା କ୍ରମେ ଭର୍ତ୍ତି ହିଁ ହୋଇଗଲା । ସୁସ୍ଥମାନେ ଯଦି ସତକୁ ସତ ହାରି ଯାଉଥାନ୍ତେ ଓ ହାତରୁ ଦଉଡ଼ି ଛାଡ଼ି ଦେଉଥାନ୍ତେ, ହଁ’, ହଁ’, ମାନେ ନାହିଁ ନାହିଁ ଗୁଡ଼ାକର ପ୍ରକୋପଗୁଡ଼ାକ ଦେଖି ଟଳି ଯାଉଥାନ୍ତେ, ତେବେ ପୃଥିବୀଟା ମୋଟେ ସେହି ଆଦିମ ଉଷାଗୁଡ଼ିକର କାଳରୁ ଏଯାଏ ଆସିନଥାନ୍ତା ।

 

ସେହି କାରଣରୁ ବ୍ୟକ୍ତିତ୍ୱ-ବିଜ୍ଞାନୀମାନେ ମଧ୍ୟ କହିଛନ୍ତି, କର୍ତ୍ତୃତ୍ୱପ୍ରଧାନ ଅର୍ଥାତ୍ କର୍ତ୍ତୃତ୍ୱଟାରେ ବିଶ୍ୱାସ କରୁଥିବା ମଣିଷମାନେ ମୁଖ୍ୟତଃ ନାନା ଭୟରେ ହିଁ କାତର ହୋଇ ରହିଥାନ୍ତି; ନାନାବିଧ ଦୁର୍ବଳତାରେ, ନିଷ୍କ୍ରିୟତାରେ, ଯୌନସଂପର୍କୀୟ ଅସୁସ୍ଥ କୋପନ ତଥା କାମନାରେ, ଏବଂ ଉଗ୍ରତାରେ । ସେମାନେ ଯେଉଁ କର୍ତ୍ତାମାନଙ୍କୁ ମାନନ୍ତି, ସେହିମାନଙ୍କ ପ୍ରତି ଘୃଣାରେ ପୂର୍ଣ୍ଣ ହୋଇ ରହିଥାନ୍ତି । ଭୀରୁମାନଙ୍କ ପରି ଏମାନେ ସବୁକିଛି ଅକାମ୍ୟ ନିମନ୍ତେ ଅନ୍ୟମାନଙ୍କୁ ଦାୟୀ କରନ୍ତି,- ନିଜଟିକୁ ଛାଡ଼ି ଅନ୍ୟମାନଙ୍କ ଆଡ଼କୁ ତର୍ଜନୀଗୁଡ଼ିକର ପ୍ରଦର୍ଶନ କରନ୍ତି । ସେଥିରୁ ଖୁବ୍ ଆନନ୍ଦ ନିଶ୍ଚୟ ଲାଭ କରୁଥିବେ । ଜଣେ କର୍ତ୍ତୃତ୍ୱରେ ବିଶ୍ୱାସୀ ମନୁଷ୍ୟ ହିଁ ଭୀରୁ ହୁଏ । ନିଜ ଭିତରର ସତ ବ୍ୟକ୍ତିତ୍ୱଟିର ସାମନା କରି ପାରୁନଥାଏ ବୋଲି ଅନ୍ୟ ମାନଙ୍କର ସମ୍ମୁଖୀନ ହୋଇ ପାରେନାହିଁ । କର୍ତ୍ତୃତ୍ୱପ୍ରଧାନ ମନୁଷ୍ୟମାନେ ସେଥିପାଇଁ ପରଚର୍ଚ୍ଚା କରିବାରୁ ସଚରାଚର ବହୁତ ଆନନ୍ଦ ଅନୁଭବ କରନ୍ତି କି ? ଆମ ପୃଥିବୀର ଜୀବନଟା ଯେ ପରଚର୍ଚ୍ଚାକାରୀ, ପରଚର୍ଚ୍ଚା କରୁଥିବା ଓ ପରଚର୍ଚ୍ଚା ଶୁଣିବା ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ବହୁ ବହୁ କିସମର ମଣିଷମାନଙ୍କ ଦ୍ୱାରା ଭର୍ତ୍ତି ହୋଇ ରହିଆସିଛି, ସେଥିରୁ ଏଠାରେ ବହୁସଂଖ୍ୟକ ମନୁଷ୍ୟ କର୍ତ୍ତୃତ୍ୱପ୍ରଧାନ ଏବଂ କର୍ତ୍ତୃତ୍ୱକାମୀ ବୋଲି ଗୋଟିଏ ଅନୁମାନ ହୁଏତ ବେଶ୍ କରାଯାଇ ପାରୁଛି । ପାଠୁଆ ଅପାଠୁଆ, ଉଚ୍ଚ ନୀଚ, ସମ୍ଭ୍ରାନ୍ତ ଓ ସାଧାରଣ, ବହୁବିତ୍ତ ଓ ଅଳ୍ପବିତ୍ତ ମାନଙ୍କ ମଧ୍ୟରେ ନିୟମଟିର ଆଦୌ ବ୍ୟତିକ୍ରମ ନାହିଁ । ଶୈଳୀରେ ହୁଏତ ବ୍ୟତିକ୍ରମ ଅଛି ଏବଂ ଭାଷାରେ ବ୍ୟତିକ୍ରମ ରହିଛି । ନିଜ ଭିତରେ ଜୀବନର ଅସଲ ଆହ୍ୱାନଟି ବିଷୟରେ ଯଥେଷ୍ଟ ଚେତନାଟିଏ ନରହିଲେ ସୁସ୍ଥତାର ସାଧାରଣ ଭାରସାମ୍ୟଟି ଭାରି ଚହଲିଯାଏ । ତଦ୍ଦ୍ୱାରା ଆମେ ସାହସ ହରାଉ ଏବଂ କ୍ରମେ ଟଳିବାକୁ ଆରମ୍ଭ କରିଥାଉ ।

 

ସମାଜରେ ସମସ୍ୟାମାନ ଲାଗି ରହିଥାଏ । କର୍ତ୍ତୃତ୍ୱପ୍ରଧାନମାନେ ସେଥିପାଇଁ ଠୋ’ କରି ସେଗୁଡ଼ିକର ସମାଧାନ ହୋଇ ପାରୁ ନଥିବାରୁ ଜଣେ ଜଣେ ବ୍ୟକ୍ତିବିଶେଷଙ୍କୁ ଦାୟୀ କରନ୍ତି । ଗୋଟିଏ ପଟ ବା ପକ୍ଷ ଆଉଗୋଟିଏ ପଟ ଓ ପକ୍ଷକୁ ଦାୟୀ କରେ । ସେପରି କରି ନିଶ୍ଚୟ ଖୁସି ବି ହେଉଥିବ । ଗୋଟିଏ ରାଜନୀତିକ ଦଳ ଆଉଗୋଟିଏ ରାଜନୀତିକ ଦଳକୁ ଦାୟୀ କରେ । ସରକାର ଭିତରେ ରହିଥିବା ଦଳକୁ ସରକାରୀ ବାହାରେ ରହିଥିବା ଦଳ ଦାୟୀ କରେ ଏବଂ ବିରୋଧୀ ଦଳ ସରକାରୀ ଦଳଟାକୁ ଦାୟୀ କରିଥାଏ । ସରକାରମାନେ ଜନସାଧାରଣଙ୍କୁ ଦାୟୀ କରନ୍ତି ଏବଂ ଜନସାଧାରଣ ସରକାରକୁ । ଲୋକଉନ୍ନୟନର କାର୍ଯ୍ୟଗୁଡ଼ିକୁ ଘାଲେଇ ଦେଉଥିବା ସ୍ୱୟଂ ସରକାରମାନେ ଜନସାଧାରଣ ସହଯୋଗ କଲେ ଲୋକଉନ୍ନୟନ ହୋଇପାରନ୍ତା ବୋଲି ସତେଅବା ନାନାଭଳି ଖେଦ ପ୍ରକାଶ କରନ୍ତି । ଅପର ପକ୍ଷରେ ସତରେ ସୁସ୍ଥ ମଣିଷଟିଏ, ସିଏ ଯେତେ ଅନାମଧେୟ ହୋଇଥାଉ ପଛକେ, ନିଜ ସାମର୍ଥ୍ୟ ଉପରେ ସବାଆଗ ସବୁବେଳେ ଆସ୍ଥା ରଖିଥାଏ । ସମାଜରେ ତା’ରି ଭଳି ମନୁଷ୍ୟ ବହୁସଂଖ୍ୟାରେ ରହିଛନ୍ତି ବୋଲି ବିଶ୍ୱାସ କରୁଥାଏ । ସେମାନଙ୍କୁ ଖୋଜି ବାହାରିଥାଏ । ସେଥିସକାଶେ ଆଗ ଅମେଳଗୁଡ଼ିକ ନଦେଖି ମେଳଗୁଡ଼ିକୁ ଦେଖେ ଏବଂ, ଅନ୍ୟମାନଙ୍କ ଠାରେ ରହିଥିବା ପାର୍ଥକ୍ୟଗୁଡ଼ିକୁ ନିତାନ୍ତ ସ୍ୱାଭାବିକ ବୋଲି ବୁଝେ ଓ ସ୍ୱୀକାର କରିନିଏ । ନିଜକୁ ପୂରା ଠିକ୍ ବୋଲି ଦେଖାଇ ହୁଏନାହିଁ । ଆଉଜଣେ ତା’ର ଅଠିକ୍‌ଗୁଡ଼ିକୁ ଦେଖାଇ ଦେଲେ ତେଣୁ ମୋଟେ ବିଚଳିତ ବି ହୁଏନାହିଁ । ଧରା ପଡ଼ିଗଲା ବୋଲି କଦାପି ଅନୁଭବ କରେ ନାହିଁ ।

 

କର୍ତ୍ତୃତ୍ୱପ୍ରଧାନ ଧର୍ମମାନେ ପୃଥିବୀଯାକ ଏବେ ମଧ୍ୟ କମ୍ ଉପଦ୍ରବ କରୁନାହାନ୍ତି । ଧର୍ମ ଧର୍ମ ଭିତରେ ପ୍ରାୟ ଗୁଡ଼ାଏ ପ୍ରହସନ ପରି ପୃଥିବୀରେ ଯାହାସବୁ ଏବେ ମଧ୍ୟ ଦେଖିବାକୁ ମିଳୁଛି, ସେଗୁଡ଼ିକ ମୋଟେ ସତ ଧର୍ମପରାୟଣ ମାନଙ୍କ ହେତୁ ଘଟୁନାହିଁ, ଅସୁସ୍ଥ ଉକ୍ତ କର୍ତ୍ତୃତାକାମିତା ହେତୁ ଘଟିବାରେ ଲାଗିଛି । ଧର୍ମସ୍ଥମାନେ ଅଛନ୍ତି ବୋଲି ଧର୍ମମାନେ ରହିଛନ୍ତି । ବିଭିନ୍ନ ଧର୍ମଗୁଡ଼ିକ ମଧ୍ୟରେ ପରିଚୟ ବୃଦ୍ଧି ପାଇବା ସହିତ ସେହି ଧର୍ମସ୍ଥମାନେ ମଧ୍ୟ ପରସ୍ପରର ନିକଟ ହୋଇ ଆସୁଛନ୍ତି ଏବଂ ତଦ୍ଦ୍ୱାରା ସମଗ୍ର ପୃଥିବୀ ହିଁ ଲାଭବାନ୍ ହେଉଛି । କେବଳ ଧର୍ମନାମକ ସେହି ଖାସ୍ ଆୟତନଟି ମଧ୍ୟରେ ନୁହେଁ, ମାତ୍ର ବୃହତ୍ତର ପୃଥିବୀର ସଂପୂର୍ଣ୍ଣ ଆହ୍ୱାନଟିର କ୍ଷେତ୍ରରେ ଧର୍ମକୁ ମଧ୍ୟ ଯେ ଆହୁରି ଭଳି ଭଳି ଭୂମିକା ଗ୍ରହଣ କରିବାକୁ ପଡ଼ିବ, ପୃଥିବୀର ଧର୍ମସ୍ଥ ସତ୍ୟମାନେ ଯେ କ୍ରମେ ସେହି ସତ୍ୟଟିର ଉପଲବ୍ଧି କରି ପାରିଲେଣି, ସେଇଟି ଅଧିକରୁ ଅଧିକ ସ୍ପଷ୍ଟ ହୋଇ ଯାଉଛି । ଆନୁଷ୍ଠାନିକତାମାନେ ଖୁବ୍ ଗୌଣ ହୋଇ ଯାଉଛନ୍ତି ଓ ଆହୁରି ଅଧିକ ଅର୍ଥରେ ମଧ୍ୟ ଗୌଣ ହୋଇଯିବେ ।

 

ଗ୍ରନ୍ଥଟିର ଉପସଂହାରରେ ସମ୍ପାଦକ-ମଣ୍ଡଳୀ ସେହି କଥାଟିରେ ଆସି ପହଞ୍ଚିଛନ୍ତି । ଏହି ଥାକ ଥାକ କର୍ତ୍ତୃତ୍ୱ ତଥା ଥାକ ଥାକର ଅସୁସ୍ଥତା, ତାହାହିଁ ମନୁଷ୍ୟମାନଙ୍କୁ ପରସ୍ପର ଠାରୁ ଦୂରଛଡ଼ା କରି ରଖିଛି । ପୃଥିବୀରେ ବହୁ ଶୋଷଣ ଏବଂ ବହୁ ଅନ୍ୟାୟକୁ ପ୍ରଶୟ ଦେବାରେ ଲାଗିଛି । ମନୁଷ୍ୟମାନଙ୍କର ପୃଥିବୀକୁ ନାନାପ୍ରକାରେ ଅସୁନ୍ଦର ଓ ଅନ୍ୟମନସ୍କ ହୋଇ ରହିବାରେ ସହାୟତା କରୁଛି । ପ୍ରାୟ ସର୍ବବ୍ୟାପୀ ହୋଇ ରହିଛି । ଧର୍ମ ମଧ୍ୟରୁ ସର୍ବବିଧ ଅଧ୍ୟାତ୍ମକୁ ଅପହଞ୍ଚ କରି ରଖିଛି । ଆମ ପୃଥିବୀର ରାଜନୀତିକ ବହୁ ସମ୍ଭାବନା ଓ ସାମାଜିକ ବିବର୍ତ୍ତନର ପଥମାନଙ୍କୁ ବିଡ଼ମ୍ବିତ କରି ବି ରଖିଛି । ପରମ୍ପରା ନାମକ ପେଖନାଗୁଡ଼ାକୁ ଯାବୁଡ଼ି ଧରି, ଜଣେ ଜଣେ ସୁସ୍ଥ ବ୍ୟକ୍ତିର ଆହ୍ୱାନମାନଙ୍କୁ ନାନା ଅସୁସ୍ଥ ଆତ୍ମଦ୍ରୋହର ପ୍ରକୋପରେ ଅବଦମିତ କରି ରଖି ବହୁ କର୍ତ୍ତୃତ୍ୱ ଦ୍ୱାରା ବହୁମନ୍ତେ ପୀଡ଼ିତ ରହି ନକାରାତ୍ମକ ଅର୍ଦ୍ଧସତ୍ୟ ଗୁଡ଼ାକୁ ଜାରି ରଖି ଅଥବା ସହ୍ୟ କରି ବ୍ୟକ୍ତିମାନେ ନିଜ ମିଛଗୁଡ଼ାକର ଜ୍ୱାଳାରେ ନାଚିବାରେ ଲାଗିଥାନ୍ତି ଏବଂ ବ୍ୟକ୍ତିତ୍ୱ-ବିକାଶର ସଙ୍ଗତ ପଥଗୁଡ଼ିକୁ ବାଉଳା କରି ଦିଅନ୍ତି । ବହୁ ହୃଦୟହୀନତାର ବାଟମାନଙ୍କୁ ମଣିଷମାନଙ୍କ ଲାଗି ନିର୍ଦ୍ଧାରିତ ହୋଇ ରହିଥିବା ପ୍ରାୟ ଗୋଟିଏମାତ୍ର ଗତି ବୋଲି ଗ୍ରହଣ କରି ନେଇଥାଆନ୍ତି । ଆମ ପୃଥିବୀରେ ବହୁ ବହୁ ଦୁଃଶାସନର କାରଣ ମଧ୍ୟ ହୁଅନ୍ତି ।

 

If fear and destructiveness are the major emotional sources of fascism, eros belongs mainly to democracy, -ସୁବୃହତ୍ ପୁସ୍ତକଟିର ପ୍ରାୟ ସବାଶେଷ ଏହି ଉକ୍ତିଟିକୁ ଆମେ ପ୍ରକୃତରେ କିପରି ପୂରା ବୁଝିବାରେ ସମର୍ଥ ହେବା ? ଆମ ନିଜ ବ୍ୟକ୍ତିତ୍ୱର ପ୍ରୟାସଗୁଡ଼ିକ ଯଦି ସୁସ୍ଥତାର, ଅଧିକ ଅଧିକ ସୁସ୍ଥତାର କାମନା ରଖିଥିବେ, ତେବେଯାଇ ସିନା କଥାଟିର ଅଧ୍ୟାତ୍ମ ମର୍ମଟି ଆମ ଭିତରଯାଏ ସ୍ପର୍ଶ କରି ପାରିବ ! ମାତ୍ର, ଅନ୍ୟ ପକ୍ଷରେ ଏକାଧିକ ପ୍ରଲୋଭନ ଦ୍ୱାରା ପ୍ରେରିତ ହୋଇ ଆମେ ଯଦି କର୍ତ୍ତୃତ୍ୱକାମୀ ଅନ୍ୟ ହୀନତା ତଥା ତଜ୍ଜନିତ ଉଗ୍ରତାଗୁଡ଼ିକର ବହୁ ଅସୁସ୍ଥ ଶାସନ ଭିତରେ ମଜ୍ଜି ରହିଥିବା, ତେବେ ଏହି ଆବେଦନଟିକୁ ତୁଚ୍ଛା କଳ୍ପନାରାଜ୍ୟରେ ରହିଥିବା କେତେ ଖାସ୍ ବ୍ୟକ୍ତିଙ୍କର ମୋଟା ମୋଟା କଳ୍ପନା ବୋଲି ଜାଣି ହସରେ ହିଁ ଉଡ଼ାଇ ଦେବା । ଭୟ ଏବଂ ଭୟର ଆତ୍ମଜବତ୍ ଭାଙ୍ଗିରୁଜି ପକାଇବାର ଓ ବିଗାଡ଼ି ଦେବାର ତାମସାଟା ଭିତରେ ପକାଇ ରଖିଥିବା । ବହୁ କାରଣରୁ ଏହି ଦ୍ୱିତୀୟ କିସମଟିର ଦୌରାତ୍ମ୍ୟଟା ହିଁ ପୃଥିବୀରେ ଫାସିଷ୍ଟ୍‌ବାଦର ଯଜମାନୀ କରି ଆସିଛି । କର୍ତ୍ତୃତ୍ୱ ହିଁ ବହୁ ବହୁ କ୍ଷମତାର ଜନକରୂପେ କାର୍ଯ୍ୟ କରିଛି । ପୃଥିବୀର ବାସ୍ତବଟିକୁ କେତେ ନା କେତେ ଦୁର୍ବୁଦ୍ଧି ଦ୍ୱାରା ଅସ୍ତବ୍ୟସ୍ତ କରି ରଖିଛି । ଗଣତନ୍ତ୍ର ଲଜ୍ଜିତ ହୋଇ ରହିଛି । ନାନା ଔପଚାରିକତାର ଦୁରାତ୍ମ ଗୋଟିଏ gadget ରେ ପରିଣତ ହେବାରେ ସେହି ଢମମାନଙ୍କରେ । ତୁଚ୍ଛା କ୍ଷମତାର ଏକ ବାହ୍ୟାବରଣ ମଧ୍ୟରେ । ଆମ ନିଜ କୁଟୁମ୍ବଟାରୁ ଆରମ୍ଭ କରି ଏହି ଇସ୍କୁଲମାନଙ୍କ ଲଗାଏତ ଅର୍ଥନୀତିର ଲୀଳାଙ୍ଗନ ପର୍ଯ୍ୟନ୍ତ । ଘରମାନେ କି ସୁନ୍ଦର ସୁଗଠିତ ଭାବରେ ପୂରା ଗଣତନ୍ତ୍ର ପରି ଦିଶୁଛି, ମାତ୍ର ଭିତରେ କର୍ତ୍ତୃତ୍ୱଟା ହିଁ ମୁରବୀ ହୋଇ ବସିଛି । ଭଲ ମନୁଷ୍ୟମାନେ ଯୁଧିଷ୍ଠିର ବନିଛନ୍ତି ଏବଂ ବିଷ୍ଣୁଶର୍ମା ବନି ବର୍ତ୍ତନ ଭୋଗୁଛନ୍ତି ।

 

Eros ଅର୍ଥାତ୍ ପ୍ରୀତି । ଯାବତୀୟ ହୀନତା ଏବଂ ଉଗ୍ରତାର ସେହି ମହୌଷଧପ୍ରାୟ ବିକଳ୍ପଟି । ଜୀବନ ଲାଗି ପ୍ରୀତି, ପରସ୍ପର ଲାଗି ପ୍ରୀତି, ପୃଥିବୀ ଉଦ୍ଦେଶ୍ୟତାରେ ପ୍ରୀତି, ଏକ ସଦାସଚଳତା ତଥା ସଦାସହଜତା । ଜଣେ ସୁସ୍ଥ ବ୍ୟକ୍ତିତ୍ୱର ଅନ୍ତର ଏବଂ ବାହାର ଭିତରେ ଯେପରି କୌଣସି ଅନ୍ତର ନଥାଏ, ଠିକ୍ ସେହିପରି ପ୍ରୀତିନାମକ ଏକ ମୂଳପ୍ରେରଣା ଦ୍ୱାରା ପରିଚାଳିତ ହୋଇ ଆମ ବ୍ୟକ୍ତିଗତ ଜୀବନ ଓ ସାମୂହିକ ସାମଜଧର୍ମ ଗୁଡ଼ିକ ମଧ୍ୟରେ କୌଣସି ଅନ୍ତର ନଥାଏ-। ଏହିପରି ବ୍ୟକ୍ତିତ୍ୱଟିଏ ଅନ୍ୟ ବ୍ୟକ୍ତିତ୍ୱମାନଙ୍କୁ ଖୋଜେ, ଏକ ସୁହୃତ୍‌ସୁଲଭ ପ୍ରାୟ ଅନମନୀୟ ହଁ’ର ଆଶାବାଦ ସହିତ । ଘରମାନେ ସର୍ବଦା ଖୋଲା ରହିଥାନ୍ତି । ଅବାଧରେ ଆମ ସାମୂହିକତା ଗୁଡ଼ିକର ଜୀବନବଣିଜ ଲାଗି ରହିଥାଏ । ସମସ୍ୟା ଥାଏ, କିନ୍ତୁ ସେଥିଲାଗି କୌଣସି ମିଛ ଏବଂ ନାଟକୀୟ ତ୍ରାସ ଆମଉପରେ ସବାର ହୋଇ ବସିନଥାଏ । ସାଙ୍ଗରେ ଅନ୍ୟ ସହମଣିଷମାନେ ରହିଛନ୍ତି ବୋଲି ପକ୍କା ଆସ୍ଥାମାନେ ରହିଥାନ୍ତି । ନେତା ମୋଟେ ଠକେନାହିଁ, ସାଧାରଣ ଜନପକ୍ଷଟି ମଧ୍ୟ ନେତାର ନେତୃତ୍ୱଗୁଡ଼ିକୁ ଏକ ମନମୁଖୀ ଏକଚାଟିଆ ବୋଲି ମାନି ନିଏନାହିଁ ।

 

ଚାଲ, କହିବା ତ, କୋଉ ଡାକ୍ତରର ଔଷଧ ଦ୍ୱାରା ଆମେ ଏହି ଅସୁସ୍ଥତା ନାମକ ରୋଗଟିକୁ ଭଲ କରିବା ! ବଜାରରେ ଏହି ବଇଦମାନେ ଅଲବତ ରହିଥିବେ । ସେହି କାଟର ଅର୍ଥାତ୍ ସେତିକିଯାଏ ଆପଣାର ସୁସ୍ଥତାମାନଙ୍କର କଳ୍ପନା କରୁଥିବା ମଳୁମାନେ ଥିବେ, ତେଣୁ ତଦନୁରୂପ ବୈଦ୍ୟମାନଙ୍କର ଆବଶ୍ୟକତା ରହିଥିବ । ତଥାପି ଆଖିମାନେ ବଦଳୁଥିବେ, ଦିଗ୍‌ବଳୟମାନେ ପ୍ରସାରିତ ହେବାରେ ଲାଗିଥିବେ ଏବଂ ତେଣୁ ନୂଆ ନୂଆ ସିଦ୍ଧାନ୍ତମାନେ ମଧ୍ୟ ଏହି ପୃଥିବୀର ଶୁଶ୍ରୂଷା କରିବାଲାଗି ଆସି ପହଞ୍ଚିବାରେ ମୋଟେ ବିରାମ ନଥିବ । ଏକ ସୁସ୍ଥ ବିଜ୍ଞାନ କହିଲେ ତ ଧର୍ମତଃ ସେହି କଥାଟିକୁ ହିଁ ବୁଝାଇବା ଉଚିତ । ଆମେ ବ୍ୟବହାର କରୁଥିବା Theory ନାମକ ସେହି ଇଂରାଜୀ ଶବ୍ଦଟି ଗ୍ରୀକ୍ theorein ଶବ୍ଦଟିରୁ ଆସିଛି । ତାହାର ମୂଳ ଅର୍ଥଟି ହେଉଛି looking about the world,- ଅର୍ଥାତ୍ ଆମ ବିଶ୍ୱ-ଅବଲୋକନର ଆୟତନଟି । ସେହି ଆୟତନଟି ସବୁକାଳେ ହିଁ ପ୍ରସାରିତ ହେବାରେ ଲାଗିଥାଏ ଓ ତେଣୁ ଆମର ସିଦ୍ଧାନ୍ତଗୁଡ଼ିକୁ ମଧ୍ୟ ବଦଳାଇ ଦିଏ । ସମସ୍ୟାମାନେ ବଢ଼ୁଛନ୍ତି ଏବଂ ଆମ ବୁଝିବାର ସରଳତାଟି ଜଟିଳ ହେଉଛି ବୋଲି ଯେଉଁମାନେ ଦେଖିବାର ଅଭ୍ୟସ୍ତତା ମଧ୍ୟରେ ପଡ଼ିଯାଇଥାନ୍ତି, ନିୟମତଃ ଖାସ୍ ସେହିମାନେ ହିଁ ଆମ ଜୀବନଗତ ଅନ୍ଦାଜମାନେ ମଧ୍ୟ ସର୍ବଦା ପ୍ରସାରିତ ହେଉଛନ୍ତି ବୋଲି ମୋଟେ ଦେଖି ପାରନ୍ତି ନାହିଁ । ଏହି ବିଶ୍ୱଅବଲୋକନ, ଜର୍ମାନ୍ ଭାଷାରେ Weltanschauung ବୋଲି ତାହାର ସଂଜ୍ଞା କରା ଯାଇଥାଏ । ସେହି ଅବଲୋକନଟି ପ୍ରସାରିତ ହେଉଥାଏ ଏବଂ ଥିଓରିମାନେ ବି ବଦଳି ଯାଉଥାଆନ୍ତି । ପରିଣାମରେ ଆମ ସୁସ୍ଥତା ଏବଂ ଅସୁସ୍ଥତାର ସଂଜ୍ଞାଟି ମଧ୍ୟ ।

 

ପୁସ୍ତକ-ଟିପ୍ପଣୀ :

 

୧.

Lawrence K. Frank: Society as the Patient, Rutger University Press. 1948.

 

ଶ୍ରୀଯୁକ୍ତ ଫ୍ରାଙ୍କ୍‌ଙ୍କୁ ଜଣେ ଅଗ୍ରଣୀ ନୃତତ୍ତ୍ୱବିତ୍ ଶ୍ରୀମତୀ ମାର୍ଗାରେଟ୍ ମିଡ୍ ଏକ ଅବକାଶରେ ଯଥାର୍ଥ ବୈଜ୍ଞାନିକ ଦୃଷ୍ଟିଦ୍ୱାରା ଜୁଆ ହୋଇଥିବା ଜଣେ କନ୍‌ଫୁସିଅସ୍ ବୋଲି କହିଛନ୍ତି ।

୨.

Erich Fromm: Escape from Freedom, Rinehart and Company Inc., New York, 1941.

୩.

T.W. Adorno and others (Edited): The Authoritarian Personality, Harper and Brothers, New York, 1950.

Image

 

Unknown

ବ୍ୟକ୍ତିତ୍ୱର ଆହ୍ୱାନ

 

Hoechstes Glueck der Erdenkinder

Sei nur die Persoenlichkit

 

[ପୃଥିବୀରେ ବାସ କରୁଥିବା ମନୁଷ୍ୟମାନଙ୍କର ଏକ ବ୍ୟକ୍ତିତ୍ୱର ଅର୍ଜନ କରିବା ହିଁ ସର୍ବୋଚ୍ଚ ସୌଭାଗ୍ୟ ହୋଇ ରହୁ ।]

 

–ଜର୍ମାନ୍ ମହାକବି ଗ୍ୟୟ୍‍ଟେ (Goethe)

 

ଜୀବନ ନାମକ ଆମର ଏହି ପରିମଣ୍ଡଳଟିରେ ମନୋବିଜ୍ଞାନର କ୍ଷେତ୍ରରେ ଇତିମଧ୍ୟରେ ବହୁ ସଂପ୍ରସାରଣ ଘଟିଛି । ମନୋବିଜ୍ଞାନର ଅଧ୍ୟୟନ କ୍ରମେ ଏକ ଜୀବନବିଜ୍ଞାନର ଅଧ୍ୟୟନରେ ପରିଣତ ହୋଇଛି ଏବଂ ସକଳ ଦୃଷ୍ଟିରୁ ବ୍ୟକ୍ତିତ୍ୱର ଅଧ୍ୟୟନ ସେଥିରେ କେନ୍ଦ୍ର ହୋଇ ରହିଛି । ମନୁଷ୍ୟମାନଙ୍କୁ ସବାଆଗ ଜଣେ ଜଣେ ବ୍ୟକ୍ତିରୂପେ ସ୍ୱୀକାର କରିନେବା ହିଁ ସେହି ସର୍ବବିଧ ସନ୍ଦର୍ଭରେ ମୁଖ୍ୟ ଧ୍ୟେୟରେ ପରିଣତ ହେବାରେ ଲାଗିଛି । ମନୋବିଜ୍ଞାନରେ ନୂଆ ନୂଆ ବିଶେଷ ଅଧ୍ୟୟନର ଆୟାମମାନେ ଉନ୍ମୋଚିତ ହୋଇ ଯାଉଛନ୍ତି । ଶିଶୁ-ମନୋବିଜ୍ଞାନ, ଶିକ୍ଷା ମନୋବିଜ୍ଞାନ, ଅପରାଧ-ମନୋବିଜ୍ଞାନ, ସମାଜ-ମନୋବିଜ୍ଞାନ, ଇତ୍ୟାଦି, ଇତ୍ୟାଦି ଯାହାକୁ ଯେତେ । ମନୋବିଜ୍ଞାନ ଅଧିକରୁ ଅଧିକ ପ୍ରାସଙ୍ଗିକତା ବହନ କରି ଲାବୋରେଟରୀ ଭିତରକୁ ଆସିଲାଣି । ନିଯୁକ୍ତିଗୁଡ଼ିକର କ୍ଷେତ୍ରରେ ଯୋଗ୍ୟତା ଅନୁସାରେ ଉଚିତ ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରି ପାରିବାରେ ମନୋବିଜ୍ଞାନର ପ୍ରୟୋଜନ ପଡ଼ିଲାଣି । ଆଧୁନିକ ଶିଳ୍ପୋଦ୍ୟୋଗ ଗୁଡ଼ିକରେ ମାଲିକ ଏବଂ ଶ୍ରମିକ ପକ୍ଷ ଦୁଇଟି ଭିତରେ ଯଥାସମ୍ଭବ ସହାୟକାରୀ ଉପାୟଗୁଡ଼ିକୁ ଖୋଜି ବାହାର କରିବାରେ ମନୋବିଜ୍ଞାନରେ ବିହିତ ଆଲୋଚନାମାନ କରାଗଲାଣି । ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାର କ୍ଷେତ୍ରରେ ସଫଳତାମାନ ଖୋଜି ମନୋବିଜ୍ଞାନ ଖୁବ୍ ଲୋଡ଼ା ଯାଉଛି । ଆଧୁନିକ ହୋଟେଲ ପରିଚାଳନାର ଫଳପ୍ରଦ ଉପାୟଚୟର ଆଗ୍ରହୀ ହୋଇ ମନୋବିଜ୍ଞାନର ପ୍ରୟୋଗ ହେଉଛି । ବେପାରିମାନେ ଅଧିକ ସିଦ୍ଧି ଲାଭ କରିବାର ଅଭିପ୍ରାୟରେ ମନୋବିଜ୍ଞାନର ଟେକ୍‌ନିକ୍ ଗୁଡ଼ିକୁ କ୍ରମେ ଖୁବ୍ ବ୍ୟବହାର କରୁଛନ୍ତି । ପ୍ରଚାରବିଭାଗ ମାନଙ୍କରେ ସରକାରୀ ତଥା ଘରୋଇ କର୍ତ୍ତାମାନେ ମନୋବିଜ୍ଞାନକୁ ଏକ ଶକ୍ତିଶାଳୀ ମୁଦ୍ରାରୂପେ ବ୍ୟବହାର କରୁଛନ୍ତି ଏବଂ ସମ୍ଭବତଃ ଖବରକାଗଜ ଗୁଡ଼ିକରେ ପ୍ରକାଶିତ ହେଉଥିବା ବିଜ୍ଞାପନଗୁଡ଼ିକ ପାଠକମାନଙ୍କର ବିବେଚନାରେ ଏକ ଖାସ୍ ମନୋବିଜ୍ଞାନର ଚାକ୍ଷୁଷ ଦର୍ପଣ ରୂପେ ଅତ୍ୟନ୍ତ ସ୍ପଷ୍ଟ ହୋଇଯାଉଛି ।

 

ସରକାର ମାନଙ୍କରେ କର୍ତ୍ତାମାନେ ସ୍ୱ-ଅଭିଳାଷ ଓ ସ୍ୱ-ଅଭିପ୍ରାୟ ମାନଙ୍କୁ ଚରିତାର୍ଥ କରିବାରେ ନିଜର ଅମଲାତନ୍ତ୍ରଟାକୁ ଅନୁକୂଳ ଭାବରେ ପ୍ରଶିକ୍ଷିତ କରିନେବାରେ ମନୋବିଜ୍ଞାନ ବେଶ୍ କାମରେ ଲାଗୁଛି । ତନ୍ତ୍ରରେ ତନ୍ତ୍ରରେ ଆଦୌ ବିଶେଷ ଭେଦ ନାହିଁ । ଅଗଣତନ୍ତ୍ର ମାନଙ୍କରେ ଯେଉଁପରି, ଆମର ଏହି ଭଳି ଭଳି ଗଣତନ୍ତ୍ର ମାନଙ୍କରେ ମଧ୍ୟ ସେହିଭଳି । ଅମଲାକୁଳ ଅବଶ୍ୟ କର୍ତ୍ତା ବତାଇ ଦେଉଥିବା ବୋଲମାନ ମାନିବେ । ଆବଶ୍ୟକ ହେଉଥିବାରୁ ଆପଣାର ମୁହଁଟିକୁ ଚିତ୍ରିତ କରି ରଖିଥିବେ ଏବଂ ସେଥିଲାଗି ମୁଖାମାନ ପିନ୍ଧି ବିଶ୍ୱସନୀୟ ହୋଇ ଯେପରି ପାଳନକାରୀ କର୍ତ୍ତାମାନଙ୍କର ଅନୁଗତ ହୋଇ ରହି ପାରିବେ, ସେଥିଲାଗି ଏକ ଖାସ୍ ତାଲିମ ଗୁଡ଼ିଏ ଓ ପ୍ରଲୋଭନ ଇତ୍ୟାଦି । ସେହି କ୍ଷେତ୍ରରେ ମଧ୍ୟ ଏକ ଅନୁରୂପ ମନୋବିଜ୍ଞାନର ଖୁବ୍ ଆଶ୍ରା ନିଆଯାଇ ପାରୁଛି । ଏହିସବୁ ବାସ୍ତବ ପ୍ରତି କୌଣସି ପ୍ରକାରର ନୀତିବାଦୀ ନାକମାନଙ୍କୁ ଟେକି ଅବିଚାରମାନ କରିବା ବିଷୟରେ ଆମେ ପ୍ରକୃତରେ ଖୁବ୍ ସତର୍କ ରହିବା । ସମାଜର ଏତେ ଏତେ ସ୍ତରରେ ଯେ ସଂପୃକ୍ତମାନେ ମନୋବିଜ୍ଞାନକୁ ଲୋଡ଼ିବା ଆବଶ୍ୟକ ମଣୁଛନ୍ତି, ଆମେ କେବଳ ସେହି ଗୋଟିଏ କଥାକୁ ହିଁ ମନେ ରଖିବା । ଏହିପରି ନାନା ପ୍ରକାରେ ଲୋଡ଼ା ହେବାଦ୍ୱାରା ମନୋବିଜ୍ଞାନ ନାମକ ଏହି ଗବାକ୍ଷଟିରେ ମଧ୍ୟ ଆବଶ୍ୟକ ସମୃଦ୍ଧି ହେବାରେ ଲାଗିଥିବ ଏବଂ ଗୋଟିଏ ମାନବ-ବିଜ୍ଞାନ ରୂପେ ମନୋବିଜ୍ଞାନର ଅଧିକରୁ ଅଧିକ ପ୍ରତିଷ୍ଠା ମଧ୍ୟ ସମ୍ଭବ ହେଉଥିବ । ଭେଲମାନେ ବାହାରି ଯାଉଥିବେ ଏବଂ, ଯାହା ସ୍ଥାୟୀ ଏବଂ ଅଧିକ ସମ୍ଭାବନାପୂର୍ଣ୍ଣ, ତାହାହିଁ ବୋଧଗମ୍ୟ ହେଉଥିବ ।

 

ଗୋଟିଏ ଅସୁସ୍ଥ ସମାଜ ଯେଉଁଗୁଡ଼ିକୁ ଅସୁସ୍ଥ ବୋଲି କହେ, ସେଗୁଡ଼ିକ ଯେ ସତକୁ ସତ ସୁସ୍ଥ, ସେକଥା କୌଣସି ସୁସ୍ଥ ବିଚାରବୁଦ୍ଧି କଦାପି ଅସ୍ୱୀକାର କରି ପାରିବନାହିଁ । ବହୁ ଅସୁସ୍ଥ କର୍ତ୍ତୃତ୍ୱର ଅଧୀନ ହୋଇ ରହିଥିବା ଆମର ଏହି ଚଳଣିମାନ ସୁସ୍ଥ ଅସୁସ୍ଥର ପ୍ରଶ୍ନଟିର କିପରି କ’ଣ ବା ସମାଧାନ ଆଣି ଦେଇ ପାରିବ ? ଜଣେ ଅସୁସ୍ଥ ମନୁଷ୍ୟ ହିଁ ସଚରାଚର ଅସୁସ୍ଥତାର ମାର୍କାଗୁଡ଼ାଏ ମାରି ଦେଇ ଅନ୍ୟ ମନୁଷ୍ୟମାନଙ୍କୁ ଅସୁସ୍ଥ ବୋଲି ଧରିନିଏ । କିନ୍ତୁ, ଅନ୍ୟ ପକ୍ଷରେ, ଜଣେ ସୁସ୍ଥ ମନୁଷ୍ୟ ଆପଣାକୁ ପୂର୍ଣ୍ଣ ସୁସ୍ଥ ଅର୍ଥାତ୍ ପରିପୂର୍ଣ୍ଣତା-ସମ୍ପନ୍ନ ବୋଲି ଦାବି କରିବାକୁ ସର୍ବଦା ସଙ୍କୋଚ କରୁଥାଏ । ଆମ ଦେହସ୍ତରରେ ମଧ୍ୟ ଆମେ କେହିହେଲେ ରୋଗମାନ ଦେହକୁ ଆକ୍ରାନ୍ତ କରି ରଖି ଥାଆନ୍ତୁ ବୋଲି ଆଦୌ ଇଚ୍ଛା କରୁନାହିଁ । ତଥାପି ରୋଗାକ୍ରାନ୍ତ ହୋଇ ପଡ଼ିଥିବା ସମୟରେ ଆମ ଅବଚେତନର ସ୍ତରରେ ଆମେ ଯଥାଶୀଘ୍ର ରୋଗମୁକ୍ତ ଅବସ୍ଥାକୁ ଫେରିଯିବାର ସୁସ୍ଥ ଅଭିଳାଷଟିଏ ରଖିଥାଉ । ସେହି ଅଭିଳାଷଟି ଆମ ରୁଗ୍‌ଣ ଦେହଟି ରୋଗମୁକ୍ତ ହେବାର ପ୍ରକ୍ରିୟାରେ ବ୍ୟବହାର କରା ଯାଉଥିବା ଔଷଧ-ଚିକିତ୍ସାକୁ ବହୁଭାବେ ସଂବଳିତ କରେ ବୋଲି କ୍ରମେ ଡାକ୍ତରମାନେ ମଧ୍ୟ ସ୍ୱୀକାର କରୁଛନ୍ତି ଏବଂ, ଆମ ମାନସିକ ଭୂମିର ସନ୍ଦର୍ଭରେ ମଧ୍ୟ ସେହି ସତ୍ୟଟି ହୁଏତ ଅଧିକ ପ୍ରାସଙ୍ଗିକତାର ଦ୍ୟୋତକ ହୋଇଥିବ ।

 

ଏବଂ, ସେହି ପରିପ୍ରେକ୍ଷୀରେ, ଶ୍ରୀଯୁକ୍ତ କାର୍ଲ୍ ଗୁସ୍ତାଫ୍ ୟୁଙ୍ଗ୍‌ଙ୍କର ସେହି ମହତ୍ତ୍ୱପୂର୍ଣ୍ଣ ଉକ୍ତିଟି: ମୁଁ ଏକାଧିକ ଅବସରରେ ଖୁବ୍ ଲକ୍ଷ୍ୟ କରି ଦେଖିଛି ଯେ, ଏହିପରି ଭାବରେ ନାନାବିଧ ଘାତସଂଘାତର କବଳରେ ଆପଣାର ଜୀବନରେ ଗ୍ରସ୍ତ ହୋଇ ରହିଥିବା ଆମ ରୋଗୀମାନେ ଉପରକୁ ଯେତେ ପୀଡ଼ିତ ହୋଇ ଚିକିତ୍ସାଧୀନ ହୋଇ ରହିଥିଲେ ମଧ୍ୟ ତଥାପି ଏକ ଗଭୀରତମ ସ୍ତରରେ ଏପରି ଗୋଟିଏ ବ୍ୟକ୍ତିତ୍ୱର ବାହକ ହୋଇ ଅବଶ୍ୟ ରହିଥାନ୍ତି, ଯାହାକୁ ସକଳ ଅର୍ଥରେ ସୁସ୍ଥ ଅର୍ଥାତ୍ normal ବୋଲି କୁହାଯିବ । ସେହି ସୁସ୍ଥ ବିଭବଟି ଅପେକ୍ଷା କରି ରହିଥାଏ । (୧) ପ୍ରକୃତରେ କେଡ଼େ ଉଦ୍‌ବେଳନକାରୀ କଥାଟି ! କାଳକାଳର ନାନା ପରମ୍ପରାଗ୍ରସ୍ତ ପ୍ରପୀଡ଼ନ ଦ୍ୱାରା ଆପଣାର ଗଭୀରତମ ଜୀବନଧାତୁଟି ବିଷୟରେ ପ୍ରାୟ ବିସ୍ମୃତ ହୋଇ ନାନାଭଳି ଅସୁସ୍ଥ ପ୍ରମତ୍ତତା ଦ୍ୱାରା ଗ୍ରସ୍ତ କର୍ତ୍ତୃତ୍ୱଗୁଡ଼ାକ ଦ୍ୱାରା ପ୍ରରୋଚିତ ହୋଇ ରହି ଆସିଥିବା ତୁମ ଆମଙ୍କର ନିଦ୍ରାଭଙ୍ଗ ଘଟାଇ ପାରିବାଲାଗି ସମର୍ଥ ସତ୍ୟବାକ୍ୟଟିଏ । ରୋଗୀଟିର ପଶ୍ଚାତ୍‌ରେ ତାକୁ ତଥାପି ଆତ୍ମବଳଟିଏ ଆଣି ଦେଇ ପାରୁଥିବା ସୁସ୍ଥ ସକାରାତ୍ମକ ମୂଳ ବିଶ୍ୱାସଟିଏ । ଯାବତୀୟ ଅନ୍ଧକାରସତ୍ତ୍ୱେ ଅପେକ୍ଷମାଣ ସେହି ଆଲୋକଟି ଉପରେ ବିଶ୍ୱାସ । କେବଳ ଏକପାଖିଆ ଭାବରେ ସେହି ରୋଗୀଟା ଭିତରେ ନୁହେଁ । ତା’ର ଚିକିତ୍ସା କରୁଥିବା ଡାକ୍ତରଙ୍କ ଭିତରେ ବି । ତେବେ ତ ତଥାକଥିତ ରୋଗୀ ସମ୍ପର୍କରେ ଡାକ୍ତରଙ୍କର ଆଭିମୁଖ୍ୟଟି ହିଁ ଅନ୍ୟ ପ୍ରକାରର ହୋଇଯିବ । ଆମେ କେହିହେଲେ ନିଜକୁ ହିଁ ସକଳ ନ୍ୟାୟରେ ଡାକ୍ତର ବୋଲି ଧରିନେଇ ଆଉ ମୋଟେ ମାନବନିୟତିର ଏହି ଜଗତବଜାରଟାରେ ବୈଦ୍ୟଗିରି କରି ବାହାରିବାକୁ ଇଚ୍ଛାହିଁ କରିବାନାହିଁ । ଆମ ମନୁଷ୍ୟମାନଙ୍କର ଏହି ପୃଥିବୀ ସର୍ବପ୍ରଥମେ ପଥିକମାନଙ୍କର ଏକ ଅବିରାମ ଆତ୍ମଆବିଷ୍କାରର ଗୋଟିଏ ମାର୍ଗ ବୋଲି ଅନୁଭୂତ ହେବ । ଆକୂତିମାନେ ଧର୍ମତଃ ସମାନ ହୋଇ ଆସିବେ ।

 

ତେଣୁ, ସତେ ତ, ଆମ ମନଃଚିକିତ୍ସା-କ୍ଷେତ୍ରର ପ୍ରାଜ୍ଞମାନେ କାହିଁକି ଆପଣାର ବିଜ୍ଞାନପେଡ଼ିଟା ଭିତରେ କେବଳ ଅସୁସ୍ଥ, ଗୁଳାବାହାର ଖାସ୍ ସନ୍ତକର ମନୁଷ୍ୟମାନଙ୍କୁ ସାଉଁଟି ରଖି ସେଇଥିରୁ ହିଁ ସୁସ୍ଥ ତଥା କାମ୍ୟର କଳ୍ପନାନୁମାନ କରିବାକୁ ଉଚିତ ମନେ କରିଛନ୍ତି ? ଅନୁଚିତମାନଙ୍କୁ ସ୍ୱତଃସିଦ୍ଧ ଏବଂ ସ୍ୱାଭାବିକ ବୋଲି ଧରି ନେଇ ଉଚିତଗୁଡ଼ିକର ସନ୍ଧାନ କରିଛନ୍ତି । ଆଗ ଉଚିତଗୁଡ଼ିକୁ, ସୁସ୍ଥଗୁଡ଼ିକୁ ଠାବ କରି ସେହି ଭୂମିଟି ଉପରେ ଅସୁସ୍ଥମାନଙ୍କୁ ଚିହ୍ନଟ କରି ବାହାରିବା, ଯାବତୀୟ ବୈଜ୍ଞାନିକ ନ୍ୟାୟରେ ସେଇଟି ହିଁ ସମୀଚୀନ ହେବ କି ?- ଏହିପରି ଏକ ବିକଳ୍ପ ଅନୁମାନ ମାତ୍ର ଏହି ବିଂଶ ଶତାବ୍ଦୀରେ ହିଁ ମାନବୀୟ ସମ୍ଭାବନା-ବିଜ୍ଞାନରେ ଆମ ଜିଜ୍ଞାସୁମାନଙ୍କର ବିବେକଟିକୁ ସ୍ପର୍ଶ କଲା । ପ୍ରଥମେ ତ ପ୍ରବୀଣ ପୂର୍ବଗମାନେ ତାହାକୁ ଅବୈଜ୍ଞାନିକ ବୋଲି କହି ପ୍ରାୟ ଘରେ ହିଁ ପୂରାଇ ଦେଲେନାହିଁ; ତଥାପି ସେଇଟି ହିଁ କ୍ରମଶଃ ଦାନା ବାନ୍ଧିବାକୁ ଆରମ୍ଭ କଲା । ବ୍ୟକ୍ତିତ୍ୱର ଅଧ୍ୟୟନ-ପ୍ରାଙ୍ଗଣରେ ସତେଅବା ଏକ ଅନ୍ୟ ଉଦୟର ବେଳଟିଏ ଆସି ପହଞ୍ଚିଲା । ଏହି ପୃଥିବୀରେ କ’ଣ କେବଳ ପୀଡ଼ିତମାନେ ହିଁ ଅଛନ୍ତି ? ନାଇଁ ନାଇଁ, ଯୁଗେ ଯୁଗେ ପୂର୍ଣ୍ଣଦୃଷ୍ଟି ପଥସ୍ଥମାନେ ମଧ୍ୟ ଅଛନ୍ତି । ଯୁଗମାନଙ୍କୁ ବହୁସମ୍ଭବା କରି ରଖିଛନ୍ତି । ପ୍ରଖ୍ୟାତ ଏବଂ ଅଖ୍ୟାତ ତୁଚ୍ଛା ମନୁଷ୍ୟମାନେ,- ଖୁସି ହୋଇ ବାଟମାନ ଚାଲୁଥିବା ସେହି ସମସ୍ତେ । ଶ୍ରୀ ଆବ୍ରାହାମ୍ ମାସ୍‌ଲୋଭ୍ ସେହିମାନଙ୍କୁ ଆବିଷ୍କାର କରି ପରୀକ୍ଷାଗାରକୁ ଆଣିଲେ । ବ୍ୟକ୍ତିତ୍ୱର ଅଧ୍ୟୟନ-ଭୂମିରେ ଏକ ତୁମୁଳ ବୈପ୍ଳବିକତାର କାରଣ ହେଲେ । ଜଣେ ନିମିତ୍ତ ହେଲେ । ସମଗ୍ର ମନୁଷ୍ୟବିଜ୍ଞାନର କ୍ଷେତ୍ରରେ ନାନା ନୂଆ ଉନ୍ମୋଚନ ଘଟାଇଥିଲେ ।

 

ଆବ୍ରାହାମ ମାସଲୋଭ୍‌ଙ୍କର ଗୋଟିଏ ପୁସ୍ତକର ଆଲୋଚନା ଦ୍ୱାରା ଆମେ ଆମର ଏହି ଶେଷ ଅଧ୍ୟାୟଟିରେ ପ୍ରବେଶ କରିବା । (୨) ପାରିଭାଷିକ ଶବ୍ଦଟିଏ ଦେଇ ଅଭିଧାନ ମାନଙ୍କରେ motivation କୁ ଅନୁପ୍ରେରଣା ବୋଲି କୁହାଯାଇଛି । ଜୀବନରେ ଆମେ ମନୁଷ୍ୟମାନେ ଯାହାକିଛି କରୁ ଅଥବା କରିବାରୁ ନିବୃତ୍ତ ହୋଇ ରହୁ, ସେଗୁଡ଼ିକର ପଶ୍ଚାତରେ ଗୋଟିଏ କିମ୍ବା କେତେକ ଅନୁପ୍ରେରଣା ସର୍ବଦା ରହିଥାଏ । ଅନ୍ନସ୍ତରୀୟ ଆବଶ୍ୟକତା ଗୁଡ଼ିକରୁ ଆରମ୍ଭ କରି ପ୍ରାଣ ଏବଂ ମନ ଲଗାଏତ ଆମେ ବୁଝୁଥିବା ଅଧ୍ୟାତ୍ମ ପର୍ଯ୍ୟନ୍ତ । ଅନୁପ୍ରେରଣା ଅନୁସାରେ ଆମ ଜୀବନର ସର୍ବବିଧ ସକ୍ରିୟତା ଏବଂ, ବ୍ୟକ୍ତିତ୍ୱ ନାମକ ସେହି ଖାସ୍ ସମ୍ପଦଟିର ବିକଶିତ ହୋଇ ଆସିବା ସକାଶେ ମଧ୍ୟ ତଦନୁରୂପେ ଅନୁପ୍ରେରଣାମାନ । ଶ୍ରୀଯୁକ୍ତ ମାସ୍‌ଲୋଭ୍ ନିଜ ଗ୍ରନ୍ଥଟିର ଏକାବେଳେକେ ମୂଳରୁ ହିଁ ବିଜ୍ଞାନ ବିଷୟରେ ଆପଣାର ଭୂମିପ୍ରସ୍ଥଟିକୁ ସ୍ପଷ୍ଟ କରି ଦେଇଛନ୍ତି । ଆମେ ଯେଉଁ ପ୍ରାକୃତିକ, ସମାଜସଂସ୍କୃତି ଓ ମାନସିକ ବାସ୍ତବଗୁଡ଼ିକୁ ଜୀବନରେ ବଞ୍ଚୁଛୁ, ସେସବୁକୁ ଜାଣିବା ପାଇଁ ତଥାକଥିତ ଆମ ବିଜ୍ଞାନ ହେଉଛି କେବଳ ଗୋଟିଏ ମାତ୍ର ସାଧନ । ସେହି ବିଜ୍ଞାନର କୌଶଳ ଗୁଡ଼ିକ ସେହି ଜ୍ଞାନଆହରଣରେ ଯେତିକି ଫରଚା ଯୋଗାଇ ଦେଉଛି, ସେତିକି ଆଦୌ ସୁବକିଛି ନୁହେଁ । ଆହୁରି ଏକାଧିକ ମାର୍ଗ ରହିଛି, ଯାହାକୁ ପ୍ରଚଳିତ ବିଜ୍ଞାନଟା ବିଜ୍ଞାନସମ୍ମତ ବୋଲି ସ୍ୱୀକାର କରିବନାହିଁ । ଜଣେ ବୈଜ୍ଞାନିକ, ବସ୍ତୁତଃ ସତ୍ୟଗୁଡ଼ିକର ଅନ୍ୱେଷଣ କରୁଥିବା ଯେକୌଣସି ବ୍ୟକ୍ତି ଏବଂ ଦୃଷ୍ଟି ଯାବତୀୟ ଅର୍ଥରେ ଆପେ ମଧ୍ୟ ସୁସ୍ଥ ହୋଇଥିବା ଏକାନ୍ତ ଆବଶ୍ୟକ । ତା’ ଜିଜ୍ଞାସାର ଅନ୍ତର୍ମନଟିରେ ମଧ୍ୟ କୌଣସି ବକ୍ରତା ରହିବା ଉଚିତ ହେବନାହିଁ । କାରଣ, ସତକୁ ସତ ସେହି ବକ୍ରତା ଅର୍ଥାତ୍ ଅସୁସ୍ଥତା ରହିଥିଲେ ସଂପୃକ୍ତ ଅନୁସନ୍ଧିତ୍ସୁ ମନୁଷ୍ୟଟି କେବେହେଲେ ନିଜ ପ୍ରୟାସଗୁଡ଼ିକର ଯଥାର୍ଥ ଫଳଗୁଡ଼ିକୁ ମଧ୍ୟ ଲାଭ କରି ପାରିବନାହିଁ ।

 

ଏପରି କଥାଟିଏ ବୈଜ୍ଞାନିକମାନେ କେବେ କହିନଥିଲେ । ସେମାନେ ନାନା କାରଣରୁ ଯେତିକିରେ ରହିଥିଲେ, ସମ୍ଭବତଃ ସେତିକିକୁ ସ୍ୱୟଂସଂପୂର୍ଣ୍ଣ ବୋଲି ମାନି ନେଉଥିଲେ । ମାସ୍‌ଲୋଭ୍ ସକଳ ଅର୍ଥରେ ଏକ ବିକଳ୍ପ ମାର୍ଗ ସୂଚାଇ ଦେଇ ଅନ୍ୟ କ୍ଷେତ୍ରସ୍ଥମାନଙ୍କ ପାଇଁ ବହୁ ମଥାବ୍ୟଥାର କାରଣ ହୋଇଥିଲେ । ମାସ୍‌ଲୋଭ୍ ଘୋଷଣା କଲେ, କେବଳ ଲକ୍ଷ୍ୟ ବା ଲକ୍ଷ୍ୟମାନେ ବୃହତ୍ ଓ ସୁଉଚ୍ଚ ହେଲେ ଯଥେଷ୍ଟ ହେବନାହିଁ; ଅନୁସୃତ ମାର୍ଗମାନେ ମଧ୍ୟ ଅନୁରୂପ ଭାବରେ ଶୁଦ୍ଧ ହୋଇଥିବା ଆବଶ୍ୟକ । ସେହି ଦୃଷ୍ଟିରୁ ଆମେ ଗ୍ରହଣ କରୁଥିବା ମାର୍ଗମାନେ ହିଁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ସେ ବିବେଚନା କରୁଥିଲେ । ମାର୍ଗକୁ ଅଗ୍ରାଧିକାର ଦେଇ ସେ ନିଶ୍ଚୟ ଦାବି କରୁଥିଲେ ଯେ, ଯାବତୀୟ ନ୍ୟାୟରେ ଆମଦ୍ୱାରା ବ୍ୟବହୃତ ବିଜ୍ଞାନର ଅସଲ ମର୍ଯ୍ୟାଦାଟି ସେଥିରେ କାମରେ ଲାଗୁଥିବା ସାଧନ, ପରୀକ୍ଷଣ-ପଦ୍ଧତି, ଗବେଷଣାର ଦିଗ୍‌ନିର୍ଣ୍ଣୟ ତଥା ପଦ୍ଧତିଗୁଡ଼ିକରେ ହିଁ ସର୍ବାଆଗ ନିର୍ଭରଶୀଳ ହୋଇ ରହିଥାଏ ଏବଂ ସୁତରାଂ ଲକ୍ଷ୍ୟଟି ମଧ୍ୟରେ ରହିଥିବା ପ୍ରଶ୍ନ ଓ ସମସ୍ୟାଗତ ବୃହତ୍ତାଗୁଡ଼ିକର ଉଜ୍ଜ୍ୱଳତା ଉପରେ ଆଦୌ ନିର୍ଭର କରେନାହିଁ । ଏକଥାଟି ଲଙ୍କାପୁରୀରେ ହରିନାମ ଭଳି ଶୁଭିଥିବ । ଏହି ଆଭିମୁଖ୍ୟଟିକୁ ସ୍ୱୀକାର କରିନେଲେ ସେହି ଅନୁସାରେ ନାନା କ୍ଷେତ୍ରରେ ରହିଥିବା ଆମର ବଦ୍ଧମୂଳ ଧାରଣାଗୁଡ଼ିକ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଭାବରେ ଯେ ଚହଲିଯିବ, ସେଥିରେ ଆମେ ମୋଟେ ବିସ୍ମୟ ପ୍ରକଟ କରିବାନାହିଁ ।

 

ହଁ, ପ୍ରଚଳିତ ସମାଜରେ ବହୁପ୍ରକାରେ ଅଭ୍ୟସ୍ତ ହୋଇ ରହିଥିବା ଆମ ସମସ୍ତଙ୍କର ବଦ୍ଧମୂଳ ନାନା ଧାରଣାରେ । ସମ୍ମାନ ବିଷୟରେ, ଏକ ସୁସ୍ଥ ମନୁଷ୍ୟ ବିଷୟରେ, ଗୋଟିଏ ଉତ୍ତମ ସମାଜ ବିଷୟରେ ଆମର କଳ୍ପନା ଓ ଧାରଣାଗୁଡ଼ିକରେ । ମାସ୍‌ଲୋଭ୍ କହିଛନ୍ତି: ଯିଏ ସମ୍ମାନ ପାଇବାର ସତରେ ଯୋଗ୍ୟ, ତାହାର ଆତ୍ମସମ୍ମାନ-ବୋଧ ହେଉଛି ପ୍ରକୃତରେ ସୁସ୍ଥ । ବସ୍ତୁତଃ ସେଇଟି ହିଁ ସ୍ଥାୟୀ ହୋଇ ରହିଥାଏ । ମୋତେ ଅନ୍ୟମାନେ ପ୍ରକୃତରେ ସମ୍ମାନ କରୁଥିବେ, ମୁଁ ଆପଣାଆଡ଼ୁ ଅନ୍ୟମାନଙ୍କ ଠାରୁ ସମ୍ମାନ ଦାବି କରୁନଥିବି: ମୋ’ର ଉଚ୍ଚ ପଦଟିର ବଳରେ, ମୋ’ର ଧନୀପଣ ବଳରେ ତଥା ଆହୁରି କେତେ କ’ଣ ହେତୁ, ଅନ୍ୟମାନେ ମୋତେ ଖୋସାମଦ କରୁଥିବେ ସିନା, କିନ୍ତୁ ତେଣେ ମୋ’ ପ୍ରତି ସେମାନଙ୍କର କୌଣସି ଶ୍ରଦ୍ଧା ଅଥବା ସମ୍ମାନ ନଥିବ । ପୁନଶ୍ଚ, ଜଣେ ସୁସ୍ଥ ବ୍ୟକ୍ତି ମୂଳତଃ ସ୍ୱୟଂ ଅଧିକରୁ ଅଧିକ ପରିମାଣରେ ବିକାଶ ଲାଭ କରିବାରେ ପ୍ରୟାସରତ ହୋଇ ରହିଥାଏ । ତା’ର ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ସମ୍ଭାବନାଗୁଡ଼ିକର ବିକାଶଟିରେ । ତାହାରି ଦ୍ୱାରା ହିଁ ସଦା ଅନୁପ୍ରେରିତ ରହିଥାଏ, ଆପଣା ସାମର୍ଥ୍ୟଗୁଡ଼ିକର ଉତ୍ତରୋତ୍ତର ଅର୍ଥାତ୍ ପୂର୍ଣ୍ଣରୁ ପୂର୍ଣ୍ଣତର କୁସୁମନ ନିମନ୍ତେ ତତ୍ପର ଥାଏ । କିନ୍ତୁ, ଅପର ପକ୍ଷରେ, ଯଦି କେହି ଆଉକିଛିକୁ ଜୀବନର ମୌଳିକ ଆବଶ୍ୟକତା ବୋଲି ସ୍ୱୀକାର କରି ତାହାରି ସକାଶେ ସଦା ଧାବମାନ ରହିଥାଏ, ତେବେ ସେ ଆପଣାକୁ ଜଣେ ଅସୁସ୍ଥ ବ୍ୟକ୍ତି ବୋଲି ପ୍ରତିପାଦିତ କରେ-

 

ଏଣୁ, ଗୋଟିଏ ସୁସ୍ଥ ଅର୍ଥାତ୍ ଉପଯୁକ୍ତ ସମାଜ ବୋଲି ମଧ୍ୟ ଆମେ କାହାକୁ ବୁଝିବା ? ଯେଉଁ ସମାଜ ସେଇଟି ମଧ୍ୟରେ ବାସ କରୁଥିବା ବ୍ୟକ୍ତିମାନେ ଯେପରି ଆପଣାର ମୂଳଭୂତ ପ୍ରୟୋଜନ ଗୁଡ଼ିକର ଚାହିଦା ପୂରଣ କରି ସ୍ୱଜୀବନର ଉଚ୍ଚତମ ବିକାଶ କରି ଆଣି ପାରୁଥିବେ ଓ ସେଥିଲାଗି ଏକ ସଂପୂର୍ଣ୍ଣ ଭାବରେ ଅନୁକୂଳ ପରିବେଶଟିଏ ପ୍ରଦାନ କରୁଥିବେ, ସେଇଟି ହେଉଛି ଏକ ଉତ୍ତମ ସମାଜ । ସାଧନ, ସାଧ୍ୟ, ଉତ୍ତମ ବ୍ୟକ୍ତି, ଉତ୍ତମ ସମାଜ,- ଏସବୁ ଶବ୍ଦ ହିଁ ସେତେବେଳେ ସ୍ୱୀକୃତ ମନୋବିଜ୍ଞାନକୁ ସମ୍ପୂର୍ଣ୍ଣ ଭାବରେ ଏକ ଅନଧିକାର ଅନୁପ୍ରବେଶ ଭଳି ହିଁ ନିଶ୍ଚୟ ଲାଗିଥିବ । ଦର୍ଶନ ନାମକ ସେହି ଆବ୍‌ଷ୍ଟ୍ରାକ୍ଟ୍ ଅବୈଜ୍ଞାନିକ ଅନ୍ୟ ପୃଥିବୀର ନାନା ବ୍ୟାପାରକୁ ଅପ୍ରସଙ୍ଗ ବୋଲି ଧରି ନିଆ ଯାଇଥିବ । ଗୋଟାଏ ବିରକ୍ତିରେ କଟୁସ୍ୱାଦର ଅନୁଭବ ଦେଇଥିବ । ଏବେ ମଧ୍ୟ ଆମ ମକ୍ତବୀ ଚଉପାଢ଼ୀ ଗୁଡ଼ିକୁ ତାହା କମ୍ ଅନଭ୍ୟସ୍ତ ଲାଗିବନାହିଁ । ଆବ୍ରାହାମ୍ ମାସ୍‌ଲୋଭ୍ ସେଥିପାଇଁ ଆଦୌ ଶଙ୍କି ରହିଯାଇ ନଥିଲେ । ସେହି ନିଜସ୍ୱ ଭୂମିଟିର ନିର୍ଦ୍ଦେଶନା ଅନୁସାରେ ସେ ନିଉରୋଟିକ୍ ଅର୍ଥାତ୍ ପୀଡ଼ାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଦର୍ଶାଇ ଦେଇ ଆପଣାର ନୂତନ ସଂଜ୍ଞାଗୁଡ଼ିକୁ ମଧ୍ୟ ବାହାର କଲେ । ଜଣେ ନିଉରୋଟିକ୍ ମନୁଷ୍ୟ ହେଉଛି ସେଇ, ଯିଏକି ଯେତିକି ଭିତରେ ଥାଏ ସେତିକି ମଧ୍ୟରୁ ଆପଣାର ତୃପ୍ତିଟିକୁ ଆହରଣ କରେ । ତେଣୁ, କେବଳ ଉପଲବ୍ଧ ପରିବେଶଟି ଉପରେ ଅଧିକତର ପରିମାଣରେ ନିର୍ଭର କରେ । ତା’ର ନିଜ ଇଚ୍ଛା ବୋଲି ବେଶୀ କିଛି ନଥାଏ । ନିଜର କୌଣସି ଅନ୍ତର୍ଗତ ଆହ୍ୱାନ ପାଇ ସିଏ ନିଜକୁ ଗଢ଼ି ଆଣୁନଥାଏ ।

 

ମାସ୍‌ଲୋଭ୍‌ଙ୍କର ଦୃଷ୍ଟିରେ ତେଣୁ ଜଣେ ମନୁଷ୍ୟର ନିର୍ବାଚିତ ଲକ୍ଷ୍ୟଟି ହିଁ ପ୍ରକୃତରେ ସର୍ବବିଧ ନିଷ୍ପତ୍ତିଗୁଡ଼ିକୁ କରେ, ପରିବେଷ୍ଟନୀମାନେ ସେଥିରେ ସାଧନରୂପେ କାର୍ଯ୍ୟ କରନ୍ତି । ଲକ୍ଷ୍ୟ ହେଉଛି, ସିଏ ଆପଣାର ଅନ୍ତର୍ନିହିତ ସମ୍ଭାବନା ଗୁଡ଼ିକୁ ଆପଣାର ଜୀବନରେ ଏକ ବାସ୍ତବ ଆକାର ଦେବାର ପ୍ରୟାସ କରିବ ଏବଂ, ସେଥିଲାଗି ଯାହାସବୁ ଆବଶ୍ୟକତା, ସର୍ବୋପରି ସେହିଗୁଡ଼ିକ ହେଉଛି ତା’ ଲାଗି ସର୍ବପ୍ରାଥମିକ ଆବଶ୍ୟକତା । ଏଇଟି ହେଉଛି ଆମ ଜୀବନର ଏକ ସ୍ୱାଧୀନତା, ଯାହା ଆମେ ସୁସ୍ଥ ମନୋବିଜ୍ଞାନର ସ୍ତରରୁ ଅବଶ୍ୟ ଲାଭ କରୁଥିବା । ତେଣୁ, ଏବ ପରି ଆମେ ମନୋବିଜ୍ଞାନର କ୍ଷେତ୍ରଟି ମଧ୍ୟରୁ ମୂଲ୍ୟବୋଧର ଯାବତୀୟ ପ୍ରସଙ୍ଗକୁ ଅପ୍ରାସଙ୍ଗିକ ବୋଲି କହି ବାହାରକୁ ଯେ ଫିଙ୍ଗି ଦେବାରେ ଲାଗିଥିବା, ତାହା ମନୋବିଜ୍ଞାନକୁ ଦୁର୍ବଳ ହିଁ କରିଦେବ । ଏକ ବିଜ୍ଞାନ ରୂପେ ତାହାକୁ ସମୃଦ୍ଧି ଲାଭ କରିବାରୁ ବଞ୍ଚିତ କରି ରଖିବା ଫଳରେ ମନୁଷ୍ୟସମାଜ ନାନା ଅପ୍ରାକୃତତା ମଧ୍ୟରେ ପରିବର୍ଜିତ ହୋଇ ରହିଥିବ, ଯାବତୀୟ ନୀତିକୁ ଆପେକ୍ଷିକ ବୋଲି କହି ଦିଗ୍‌ଭ୍ରଷ୍ଟ ହୋଇ ରହିଯିବ । ସଂପ୍ରତି ସ୍ଥିତିଗୁଡ଼ିକ ଅଳ୍ପବହୁତ ପରିମାଣରେ ହୁଏତ ସେହିପରି ଅବହେଳିତ ହୋଇରହିଛି ।

 

ଆବ୍ରାହାମ୍ ମାସ୍‌ଲୋଭ୍‌ଙ୍କର ବିଶ୍ଳେଷଣ ଅନୁସାରେ ଆମ ଆବଶ୍ୟକତାମାନେ ହେଉଛନ୍ତି ଦୁଇ ପ୍ରକାରର ଓ ଦୁଇ ସ୍ତରର । ଉଚ୍ଚତର ଆବଶ୍ୟକତାମାନ ଏବଂ ନିମ୍ନତର ଆବଶ୍ୟକତାମାନ । ସେଗୁଡ଼ିକ ମଧ୍ୟରେ ରହିଥିବା ଭେଦଗୁଡ଼ିକ ହେଉଛି, (୧) ଆମ ଜୀବନବିବର୍ତ୍ତନର ଏକ ଦ୍ୱିତୀୟ ପର୍ଯ୍ୟାୟରେ ଆମେ ଉଚ୍ଚତର ଗୁଡ଼ିକର ସମ୍ମୁଖୀନ ହୋଇଥାଉ । (୨) ଜୀବନରେ କ’ଣ ସବୁ ଦାନା ବାନ୍ଧି ଆସିବାର ନାନା ସଙ୍କେତ ମିଳିବାର ପର୍ବଟିଏ ଆରମ୍ଭ ହେଲେ ଆମେ ଆମ ଉଚ୍ଚତର ଆବଶ୍ୟକତା ମାନଙ୍କୁ ଯାଇ ଘ୍ରାଣ କରିଥାଉ । (୩) ଏକ ଆବଶ୍ୟକତା ଯେତିକି ଉଚ୍ଚ, କେବଳ ଜୀବନରେ ବଞ୍ଚି ରହିବାର କ୍ଷେତ୍ରରେ ତାହା ସେତିକି କମ୍ ଅପରିହାର୍ଯ୍ୟ ଏବଂ ତେଣୁ ସେଇଟିକୁ ପ୍ରାୟ ସଂପୂର୍ଣ୍ଣ ସ୍ୱାଭାବିକତା ସହିତ ବେଶ୍ ଗଡ଼ାଇ ଦେଇ ହୁଏ ଏବଂ ସେଇଟି ଆମ ଜୀବନରୁ ଆଖର ପୂରା ଅନ୍ତର୍ହିତ ଯିବାଟା ମଧ୍ୟ ସେତିକି ସହଜ ହୁଏ । (୪) ଉଚ୍ଚତର ଆବଶ୍ୟକତାଟିର ସ୍ତରରେ ଜୀବନ ବଞ୍ଚିବାର ଅର୍ଥ ହେଉଛି ଆମର ଶରୀର ଅଧିକ ବଳଯୁକ୍ତ ଓ ଶ୍ରମକ୍ଷମ ହୁଏ, ଆମର ଆୟୁଷବୃଦ୍ଧି ହୁଏ, ରୋଗମାନେ କମ୍ ପରିମାଣରେ ଆମ ଶରୀରକୁ ଆକ୍ରମଣ କରିପାରନ୍ତି । ଆମର ନିଦ୍ରା ଗଭୀରତର ହୁଏ, ଖାଦ୍ୟରୁଚିରେ ମଧ୍ୟ ବୃଦ୍ଧି ଘଟିଥାଏ । (୫) ଉଚ୍ଚତର ଆବଶ୍ୟକତାମାନେ ଶୀଘ୍ରାତିଶୀଘ୍ର କାହିଁକି ପୂରଣ ହେଉନାହାନ୍ତି ବୋଲି ଭିତରୁ କୌଣସି ଅସ୍ଥିରତାର ଅନୁଭବ ମୋଟେ ହୁଏନାହିଁ । (୬) ଆମ ଉଚ୍ଚତର ଆବଶ୍ୟକତା ଗୁଡ଼ିକର କ୍ରମଶଃ ପୂରଣ ହୋଇ ଆସୁଛି ବୋଲି ଅନୁଭବ ହେଉଥିବା ସଙ୍ଗେ ସଙ୍ଗେ ଆମ କାମ୍ୟତର ଫଳମାନେ ଆମକୁ ମିଳି ଯାଉଛନ୍ତି ବୋଲି ଖୁବ୍ ସ୍ପଷ୍ଟ ବି ହୋଇ ଯାଉଥାଏ । ଏକ ଗଭୀରତର ସୁଖର ଅନୁଭବ ହୁଏ ଓ ଅନ୍ତର୍ଜୀବନର ସ୍ତରରେ ଏକ ପ୍ରଶାନ୍ତି ଏବଂ ଧନାଢ଼୍ୟତା ମଧ୍ୟ ପ୍ରାପ୍ତ ହୁଏ ।

 

ପୁନଶ୍ଚ, ଆହୁରି ଆଗକୁ, (୭) ଯେତେବେଳେ ଆମେ ଉଚ୍ଚତର ଆବଶ୍ୟକତା ମାନଙ୍କୁ ଅଗ୍ରାଧିକାର ଦେଇ ସେହିଗୁଡ଼ିକ ଅନୁସାରେ ନିଜର ଜୀବନକୁ ବଞ୍ଚୁ, ସେତେବେଳେ ଏକ ସୁସ୍ଥତାର ହିଁ ଉତ୍ତରୋତ୍ତର ଅନୁଭବ ହୁଏ,- ଅସୁସ୍ଥତାମାନେ ଦୂରକୁ ଚାଲି ଯାଉଥିବା ପରି ଲାଗୁଥାଏ । (୮) ଆମର ଉଚ୍ଚତର ଆବଶ୍ୟକତାମାନେ ସାଧାରଣତଃ ଆରମ୍ଭରୁ ହିଁ ଆମଠାରୁ ଅଧିକ ଦାବି କରନ୍ତି, ଏକାବେଳେକେ ପ୍ରାୟ ସେହି ପ୍ରଥମରୁ ହିଁ । (୯) ଆମ ଭିତରେ ଉଚ୍ଚତର ଆବଶ୍ୟକତା ଗୁଡ଼ିକର ଉନ୍ମେଷଣ ସମ୍ଭବ ହେବା ସକାଶେ ବାହାରର ସ୍ଥିତିଗୁଡ଼ିକ ମଧ୍ୟ ତଦନୁରୂପ ପ୍ରକାରେ ଅଧିକ ଅନୁକୂଳ ହୋଇ ପାରୁଥିବା ସର୍ବଦା ପ୍ରୟୋଜନ ହୋଇଥାଏ । (୧୦) ଉଭୟ ଉଚ୍ଚତର ତଥା ନିମ୍ନତର ଆବଶ୍ୟକତା ଅଭିଜ୍ଞତା ଲାଭ କରିଥିବା ବ୍ୟକ୍ତିମାନେ ଅନୁକ୍ଷଣ ଉଚ୍ଚତରଟି ଆଡ଼କୁ ମନ କରିବାକୁ ଆରମ୍ଭ କଲେ ଉଚ୍ଚତର ଗୁଡ଼ିକୁ ହିଁ ତୁଳନାତ୍ମକ ଭାବରେ ଅଧିକ ମୂଲ୍ୟ ଦେଇଥାନ୍ତି । (୧୧) ଆମର ଆବଶ୍ୟକତାମାନେ ଯେତିକି ଉଚ୍ଚ ଆୟାମର ହୋଇ ଥାଆନ୍ତି, ଆମ ଭଲ ପାଇବାର ଆୟତନଟି ମଧ୍ୟ ସେତିକି ଅଧିକ ପ୍ରଶସ୍ତ ହୁଏ ଅର୍ଥାତ୍ ଆମେ ସେତିକି ଅଧିକ ବ୍ୟକ୍ତିଙ୍କ ସକାଶେ ଶ୍ରଦ୍ଧାଯୁକ୍ତ ହୋଇ ରହିପାରୁ । ସେମାନେ ଅଧିକ ମନୁଷ୍ୟଙ୍କୁ ନିଜର କରିନେଇ ପାରନ୍ତି ଅର୍ଥାତ୍ ଭାରି ସହଜରେ ଅଧିକ ମନୁଷ୍ୟଙ୍କର ନିଜର ହୋଇ ପାରନ୍ତି । (୧୨) ଆମେ ନିଜର ଉଚ୍ଚତର ଆବଶ୍ୟକତା ଗୁଡ଼ିକର କ୍ଷେତ୍ରରେ ଯେତିକି ଚରିତାର୍ଥତା ଲାଭ କରୁ, ଆମ ଚାରି ପାଖରେ ରହିଥିବା ଏହି ପୌର ଏବଂ ସାମାଜିକ ଜୀବନରେ ମଧ୍ୟ ତାହାର ସେତିକି ଅଧିକ ସୁଫଳ ପରିଲକ୍ଷିତ ହୋଇଥାଏ । (୧୩) ନିମ୍ନତର ଆବଶ୍ୟକତା ମାନଙ୍କର ତୃପ୍ତିବିଧାନ ଅପେକ୍ଷା ଏହି ଉଚ୍ଚତର ଗୁଡ଼ିକର ତୃପ୍ତିବିଧାନ ଆମକୁ ସ୍ୱକୀୟ ଆତ୍ମ-ଉପଲବ୍ଧିର ସେତିକି ଅଧିକ ନିକଟବର୍ତ୍ତୀ କରାଇଥାଏ । (୧୪) ଏହି ଉଚ୍ଚତର ଆବଶ୍ୟକତା ଗୁଡ଼ିକର ଅନୁଧାବନ ତଥା ତୃପ୍ତିବିଧାନ ଆମ୍ଭମାନଙ୍କୁ ଜଣେ ଜଣେ ଅଧିକ ଶକ୍ତିଯୁକ୍ତ ଓ ସତ୍ୟନିଷ୍ଠ ଭାବରେ ଜଣେ ଜଣେ ଯଥାର୍ଥ ବ୍ୟକ୍ତିତ୍ୱର ଅଧିକାରୀ ହେବାର ପ୍ରତିଷ୍ଠା ମଧ୍ୟ ଆଣି ଦେଇଥାଏ । (୧୫) ଆବଶ୍ୟକତା ଗୁଡ଼ିକର କ୍ଷେତ୍ରରେ ଆମେ ଯେତିକି ଉଚ୍ଚତାଯୁକ୍ତ ସ୍ତରରେ ଜୀବନଯାପନ କରୁଥାଉ, ଯାବତୀୟ ମନୋବୈଜ୍ଞାନିକ ଶୁଶ୍ରୂଷା ଆମ ନିମନ୍ତେ ସେତିକି ଅଧିକ ସହଜ ଏବଂ ଫଳପ୍ରଦ ମଧ୍ୟ ହୋଇଥାଏ; ଅନ୍ୟ ପକ୍ଷରେ, ଆମେ ନିମ୍ନତର ସ୍ତରଗୁଡ଼ିକରେ ଯାଇ ଜୀବନ ଅତିବାହିତ କରୁଥିଲେ, ସେଗୁଡ଼ିକ କ୍ୱଚିତ୍ ହିଁ ଫଳଦାୟକ ହୋଇ ଥାଆନ୍ତି । (୧୬) ନିମ୍ନତର ଆବଶ୍ୟକତା ଗୁଡ଼ିକର ପରିସର ନିୟମତଃ ଅଧିକ ସଂକୀର୍ଣ୍ଣ ହୋଇ ରହିଥାଏ, ସେଗୁଡ଼ିକୁ ଅଧିକ ସହଜରେ ଚିହ୍ନାଇ ଦେଇ ହୁଏ, ସତେଅବା ଆଙ୍ଗୁଠି ଦେଖାଇ କହିଦେଇ ହେଉଥାଏ ।

 

ଅବଶ୍ୟ ସ୍ମରଣ ରହିଥିବା ଆବଶ୍ୟକ ଯେ ଆପଣାର ଆଦୌ କୌଣସି ଦାର୍ଶନିକ ଖିଆଲରେ ଶ୍ରୀଯୁକ୍ତ ମାସ୍‌ଲୋଭ୍ ଏହି ଲକ୍ଷଣଗୁଡ଼ିକର ନିର୍ଣ୍ଣୟ କରିନାହାନ୍ତି । ଅଥବା କୌଣସି ନୀତିଶାସ୍ତ୍ରର ବାକ୍ୟଗୁଡ଼ିକ ଦ୍ୱାରା ଉତ୍ସାହିତ ହୋଇ ଆମପାଇଁ ସେଗୁଡ଼ିକୁ ଆଣି ବାଢ଼ି ଦେଇନାହାନ୍ତି-। ସେ ଏହିପରି ପ୍ରକୃତ ମନୁଷ୍ୟମାନଙ୍କୁ ଆବିଷ୍କାର କରିଛନ୍ତି, ଯେଉଁମାନେ ଆପଣା ଆପଣାର ଜୀବନରେ ପ୍ରାୟ ଦୃଶ୍ୟମାନ୍ ଭାବରେ ଉଚ୍ଚତର କୌଣସି ଆବଶ୍ୟକତା ଦ୍ୱାରା ଅନୁପ୍ରାଣିତ ହୋଇ ଜୀବନ ବଞ୍ଚୁଥିଲେ ଏବଂ ବିହିତ ସୁଫଳ ଗୁଡ଼ିକର ଅଧିକାରୀ ହୋଇଥିଲେ । ମାସ୍‌ଲୋଭ୍ ସେମାନଙ୍କର ଜୀବନଶୈଳୀ ଗୁଡ଼ିକୁ ଅବଲୋକନ କରିଥିଲେ ଏବଂ ଅନ୍ତରଙ୍ଗ ଭାବରେ ସେମାନଙ୍କୁ ବୁଝିବାର ପ୍ରୟାସ କରିଥିଲେ । ସେମାନଙ୍କୁ ପ୍ରଶ୍ନମାନ ପଚାରିଥିଲେ ଏବଂ ଉତ୍ତରଗୁଡ଼ିକୁ ତଥ୍ୟରୂପେ ସଂଗ୍ରହ କରି ଆଣିଥିଲେ । ସେଗୁଡ଼ିକୁ ଏକତ୍ର କରି ମିଳାଇ ତାହାରି ଭିତ୍ତିଭୂମି ଉପରେ ଆପଣାର ନିଷ୍କର୍ଷମାନ ବାହାର କରିଥିଲେ । ଉଚ୍ଚତର ଓ ନିମ୍ନତର ଆବଶ୍ୟକତାର ଦୁଇଭଳି ଜୀବନତତ୍ତ୍ୱର ସନ୍ଧାନ ପାଇଥିଲେ । ପୂର୍ବରୁ ତ ଆଉମାନେ ରୋଗୀମାନଙ୍କୁ ଦେଖି ରୋଗମୁକ୍ତ ମାନଙ୍କର ଅନୁମାନ କରି ଆସିଥିଲେ, ଅସୁସ୍ଥଟାର ଅଧ୍ୟୟନ କରି ସୁସ୍ଥ ବିକଳ୍ପଟି କିପରି ଅବଶ୍ୟ ହୋଇଥିବ, ତାହାର ଯଥାସାଧ୍ୟ ଅନୁମାନ କରିଥିଲେ । ଆବ୍ରାହାମ ମାସ୍‌ଲୋଭ୍ ସେହି ରୀତିଟିକୁ ଓଲଟାଇ ଦେଲେ । ଉଚିତଟିକୁ ଦେଖି ଉଚିତଟିକୁ ଜାଣିଲେ । ପାରମ୍ପରିକ ମାନଙ୍କର ଚକ୍ଷୁଃଶୂଳ ହୋଇଥିଲେ ସିନା, ତଥାପି ଏହି ଅଭିନବ ରୀତିଟିର ପ୍ରେରଣାରେ ଅଗ୍ରସର ହୋଇ ଯାଇଥିଲେ । ମନ୍ଦର ଗର୍ଭପ୍ରବେଶ କରି ଭଲର ଅନ୍ଦାଜ କରିବା, ଅକାମ୍ୟ ଗୁଡ଼ିକର ଗବେଷଣା ଦ୍ୱାରା କାମ୍ୟମାନଙ୍କର ସନ୍ଧାନ ପାଇବା, ନିଃସଙ୍ଗତାର ବ୍ୟବଚ୍ଛେଦ ଦ୍ୱାରା ସଙ୍ଗୀମାନଙ୍କୁ ଖୋଜିବା ଏବଂ ସଙ୍ଗୀଟିଏ ହୋଇ ପାରିବାର ବାଟ ପାଇଯିବା, ଅଳପମାନଙ୍କର ଟିକିନିଖି ପରିଚୟ ଲାଭ କରିବାର ମାଧ୍ୟମରେ ଅଧିକଗୁଡ଼ିକର ଆଘ୍ରାଣ ଲାଭ କରିବା, ଅନ୍ଧକାରକୁ ନିକଟରୁ ଆହୁରି ନିକଟ ଭାବରେ ପରଖି ନିରୀଖି ଆଲୋକର ନିକଟବର୍ତ୍ତୀ ହେବା,- ଏହି ଯାବତୀୟ ପ୍ରୟାସ ହେଉଛି ଏକ ରକ୍ଷଣଶୀଳ ନୀତିବାଦର ହିଁ ଏକ ଅବୈଜ୍ଞାନିକତା । ଶ୍ରୀଯୁକ୍ତ ମାସ୍‌ଲୋଭ୍ ଏକ ଅନ୍ୟ ବିଜ୍ଞାନର ଆହ୍ୱାନ ମାନି ସେହି ରକ୍ଷଣଶୀଳତାକୁ ଅତିକ୍ରମ କରି ପାରିଲେ ।

 

ଯେଉଁ ବ୍ୟକ୍ତିମାନେ Self-Actualization ଅର୍ଥାତ୍ ଆତ୍ମ-ଉପଲବ୍ଧିକୁ ଆପଣା ଜୀବନର ଧର୍ମରୂପେ ଗ୍ରହଣ କରି ନେଇଥାନ୍ତି, ମାସ୍‌ଲୋଭ୍‌ଙ୍କ ବିଚାରରେ ସେହିମାନେ ହିଁ ମନୁଷ୍ୟଜାତିକୁ ଅଧିକତମ ବାସ୍ତବତା ସହିତ ଭଲ ପାଆନ୍ତି ଏବଂ ସ୍ୱବିଚାର ଗୁଡ଼ିକରେ ଅଧିକତର ପରିମାଣରେ ବିକାଶ ଲାଭ କରିଥାନ୍ତି । ସେହି ଅନୁସାରେ, ଶ୍ରୀ ମାସ୍‌ଲୋଭ୍‌ଙ୍କର ଦୃଷ୍ଟିରେ ଏହି ଉଚ୍ଚତର ଏବଂ ନିମ୍ନତର ଆବଶ୍ୟକତା ଗୁଡ଼ିକର ଅନୁସରଣ କରି ଏହି ପୃଥିବୀରେ ଦୁଇ କିସମର ମନୁଷ୍ୟ ରହିଥାନ୍ତି: ଗୋଟିଏ ପାଖ ପ୍ରଧାନତଃ ଖାପ ଖାଇ ଯିବାଲାଗି ଯାବତ ମେହେନତ କରେ, ଆଉ ପାଖଟି କୌଣସି ଗୁଳାରେ ଯାଇ ପଡ଼ି ଯାଏନାହିଁ ଓ ନିଜକୁ କୌଣସି ପ୍ରକାର ଯାନ୍ତ୍ରିକତା ଭିତରେ ନେଇ ପକାଇ ଦିଏନାହିଁ । ଅପର କିସମଟି ଏକ ଲକ୍ଷ୍ୟଟିଏ ଥାପି ସେହି ଆଡ଼କୁ ଅଗ୍ରସର ହେବାର ଚେଷ୍ଟା କରେ ଏବଂ ତାହାକୁ ହିଁ ଜୀବନର ସବୁଠାରୁ ଅଧିକ ପ୍ରିୟ ଧର୍ମ ବୋଲି ଗ୍ରହଣ କରି ନେଇଥାଏ: ବାଧ୍ୟ ହୋଇ ମୋଟେ ନୁହେଁ, ଖୁସି ହୋଇ, ଜଣେ ରାଜା ପରି । ଆମ ଜୀବନର ଅସଲ ଯାବତୀୟ ବିଶ୍ୱାସର ଅଙ୍କୁରୋଦ୍‌ଗମ ପ୍ରକୃତରେ ଆମ ବାହାରୁ ନୁହେଁ, ଭିତରୁ ହିଁ ହୋଇଥାଏ ଏବଂ, ହୁଏତ ଏକ ବିରୋଧାଭାସ ପରି ଯେତେ ମନେ ହେଉଥିଲେ ମଧ୍ୟ, ଆମ ଜୀବନର ଉଚ୍ଚତମ କର୍ମପ୍ରେରଣା ଗୁଡ଼ିକ ଆଦୌ କୌଣସି ପ୍ରକାରେ ଆଦିଷ୍ଟ ହୋଇ ଜନ୍ମଲାଭ କରନ୍ତିନାହିଁ । ଆପଣାକୁ ଯଥାସମ୍ଭବ ଅଧିକ ପରିମାଣରେ ସ୍ୱଚ୍ଛ ଏବଂ ଅକୁଣ୍ଠିତ ଭାବରେ ଅଭିବ୍ୟକ୍ତ କରି ଆଣିଥାନ୍ତି । ଏକ ଚୂଡ଼ାନ୍ତ ନିଷ୍କର୍ଷ ପରି ମାସ୍‌ଲୋଭ୍ କହିଛନ୍ତି ଯେ, ଆତ୍ମ-ଉପଲବ୍ଧି ଅର୍ଥାତ୍ ଆତ୍ମ-ଅଭିବ୍ୟକ୍ତିର ଯାବତୀୟ ପ୍ରକ୍ରିୟା ଆମ ଜୀବନର ସମୃଦ୍ଧି ଆଡ଼କୁ ହିଁ ଆପଣାକୁ ଅଭିମୁଖୀ କରି ରଖିଥାନ୍ତି ଏବଂ ଅନ୍ୟ ପକ୍ଷରେ, ଅନ୍ୟ ଜାତିର ପ୍ରକ୍ରିୟାଟି ସତେଅବା ଆମ ଭିତରେ ରହି ଆମକୁ ଅସ୍ଥିର କରି ରଖୁଥିବା ଅଭାବଗୁଡ଼ିକର ଏକ ଯେନ ତେନ ପ୍ରକାରେଣ କ୍ଷତିପୂରଣ କରିବାରେ ପ୍ରୟାସୀ ହୋଇ ରହିଥାଆନ୍ତି । ତେଣୁ, ସତେଅବା ବ୍ୟକ୍ତିତ୍ୱ-ଅଧ୍ୟୟନର ସେହି ପୁରୁଣା ଗୁଳାଗୁଡ଼ିକ ଆଗରେ ପ୍ରାୟ ଏକ ଦୁଃସାହସ କରି ମାସ୍‌ଲୋଭ୍ କହି ପାରିଛନ୍ତି ଯେ, ଜଣେ ବ୍ୟକ୍ତିର ଚାରିତ୍ରିକ ଜୀବନସ୍ଥିତିଟିକୁ ଜାଣିବାକୁ ହେଲେ, ସିଏ କେଉଁଗୁଡ଼ିକ ସହିତ ଖାପ ଖାଇଯିବାକୁ ଚେଷ୍ଟା କରୁଛି ସେଗୁଡ଼ିକୁ ନୁହେଁ, ସିଏ କେଉଁସବୁ କ୍ଷେତ୍ରରେ ଆପଣାକୁ ଅଭିବ୍ୟକ୍ତ କରିବାର ପ୍ରୟାସମାନ କରୁଛି, ବରଂ ସେଇଟିକୁ ଅଧିକ ଯତ୍ନ ସହକାରେ ପରଖି ଦେଖିବାକୁ ହୁଏ ।

 

ମନୋଜଗତର ଅଧ୍ୟୟନକୁ ଅକ୍ତିଆର କରି ରଖିଥିବା ସେହି ଚିହ୍ନା ସଂସ୍କାରଟା ଭିତରେ ଅନୁବଦ୍ଧ ହୋଇ ରହିଥିବା ଆମେ ଧାଉଡ଼ିଟା ଯାକ କାଳେ ତଥାପି ପାସୋରି ଦେବା, ସେଥିଲାଗି ପ୍ରାୟ ପୁନରାବୃତ୍ତି କଲା ପରି ଶ୍ରୀଯୁକ୍ତ ମାସ୍‌ଲୋଭ୍ ଉଲ୍ଲେଖ କରିଛନ୍ତି, ଆତ୍ମ-ଅଭିବ୍ୟକ୍ତି ଅର୍ଥାତ୍ ଆତ୍ମସତ୍ୟର ଉପଲବ୍ଧିକୁ ସର୍ବପ୍ରଥମ ଧର୍ମରୂପେ ଗ୍ରହଣ କରିଥିବା ବ୍ୟକ୍ତିମାନେ ଆମର ଏହି ସମାଜ ଓ ସଂସ୍କୃତିଟା ସହିତ ଆଦୌ ସହଜରେ ଖାପ ଖାଇ ପାରନ୍ତି ନାହିଁ । ସେଗୁଡ଼ିକ ସହିତ ନିଜକୁ ଯେକୌଣସି ମତେ ଚଳାଇ ନେଉଥାନ୍ତି ସତ, କିନ୍ତୁ ପ୍ରାୟ ସମସ୍ତେ ସେହି ସମାଜ ଓ ସଂସ୍କୃତି ସହିତ ସଂଗ୍ରାମ କରନ୍ତି, ନିଜ ଭିତରେ ତାହାର ପ୍ରତିରୋଧ କରୁଥାଆନ୍ତି,- ମୋଟେ ମଣ ହୋଇ ରହିଯିବାକୁ ଇଚ୍ଛା କରୁନଥାନ୍ତି । ନିଜ ଭିତରେ ସେଗୁଡ଼ିକ ବିଷୟରେ ସର୍ବଦା ଏକ ଦୂରତା ହିଁ ରକ୍ଷା କରୁଥାନ୍ତି । କାରଣ, ସେମାନେ ଅତ୍ୟନ୍ତ ଜଳଜଳ ଭାବରେ ଦେଖି ପାରୁଥାନ୍ତି ଯେ, ଏହି ଅଭ୍ୟସ୍ତ ଓ ପରିଚିତ ଚଳନ୍ତିଟାରେ ଯାହାକୁ ନୀତି, ନୈତିକତା ଏବଂ ଜୀବନମୂଲ୍ୟ ବୋଲି କୁହାଯାଉଛି, ତାହା ହେଉଛି ଏହ ପୃଥିବୀରେ ମନୁଷ୍ୟମାନଙ୍କୁ ମାମୁଲି ଏବଂ ହାରାହାରି କରି ରଖିବାର ଏକ ରୋଗବିକାରଗ୍ରସ୍ତ ଚକ୍ରାନ୍ତ ଏବଂ ଏକ ଚକ୍ରାନ୍ତର ଗୋଟିଏ ଗୋଟିଏ ଫିସାଦ ଓ ପ୍ରଧାନତଃ ଗୁଡ଼ାଏ ଥୋପ ପରି କାର୍ଯ୍ୟ କରି ଥାଆନ୍ତି ।

 

ଜୀବନ ବଞ୍ଚିବାର ଭୂମିରେ ଯେଉଁମାନେ ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ ହୋଇ ରହିଥାନ୍ତି, ସେମାନଙ୍କ ସକାଶେ ଏହି ପୃଥିବୀ ବସ୍ତୁତଃ ଏକ ଅଧିକୃତ ସ୍ଥାନ ହୋଇ ରହିଥାଏ । ସଂପୂର୍ଣ୍ଣ ଭାବରେ ଗୋଟାଏ ଜଙ୍ଗଲ ଭଳି; ଏପରି ଏକ ଶତ୍ରୁରାଜ୍ୟ, ଯେଉଁଠାରେ କି କେବଳ ପ୍ରକାରେ ମନୁଷ୍ୟ ବାସ କରୁଥାନ୍ତି, ଯେଉଁମାନଙ୍କ ଉପରେ ସେମାନେ ନିଜର ଅଧିକାର ବିସ୍ତାର କରିପାରିବେ ଏବଂ, ଅନ୍ୟ ପକ୍ଷରେ ସେମାନେ ଯେଉଁମାନଙ୍କ ଦ୍ୱାରା ଅଧିକୃତ ହୋଇ ରହିଥିବେ । ସେମାନଙ୍କର ଜୀବନଗତ ମୂଲ୍ୟବୋଧ ଅଗତ୍ୟା ସତେଅବା ସେହି ଜଙ୍ଗଲର ଅଧିବାସୀ ମାନଙ୍କର ମୂଲ୍ୟବୋଧରେ ପରିଣତ ହୋଇ ରହିଥାଏ । ସଂପୂର୍ଣ୍ଣ ଭାବରେ ନିମ୍ନସ୍ତରର ଆବଶ୍ୟକତାମାନେ ସେମାନଙ୍କୁ ଅତ୍ୟନ୍ତ ବାଧ୍ୟ କରି ରଖିଥାନ୍ତ,- ଆଉଟିକିଏ ଅନ୍ୟଭଳି କହିଲେ, କେବଳ ଜୀବନକୁ ବଞ୍ଚାଇ ରଖିବାର ଓ ଯେକୌଣସି ଉପାୟରେ ନିରାପଦ ଭାବରେ ତିଷ୍ଠି ରହିବାର ଆବଶ୍ୟକତାମାନେ । ସେହି ସର୍ବମୂଳ ଭୂମିଟିରେ ଆପଣାର ସନ୍ତୋଷବିଧାନ କରି ପାରିଥିବା ମନୁଷ୍ୟଟି କିନ୍ତୁ ଅନ୍ୟ ପ୍ରକାରର । ଆପଣା ପାଖରେ ଯଥେଷ୍ଟ ସାମର୍ଥ୍ୟ ରହିଥିବାରୁ ସେ ଉଚ୍ଚତର ଆବଶ୍ୟକତା ଗୁଡ଼ିକ ଆଡ଼େ ମନ ଅବଶ୍ୟ ବଳାଇପାରେ, ଏକାନ୍ତ ଚିନ୍ତାମୁକ୍ତ ହୋଇ ତାହା କରିପାରେ । କେବଳ ଦୈନନ୍ଦିନ ତାତ୍କାଳିକତା ଗୁଡ଼ିକରେ ସେ ମୋଟେ ବନ୍ଧା ହୋଇ ରହିନଥାଏ ।

 

ଆତ୍ମ-ଉପଲବ୍ଧି ଓ ଆତ୍ମ-ଅଭିବ୍ୟକ୍ତିର ସ୍ତରକୁ ଆପଣାକୁ ଉନ୍ନୀତ କରି ନେଇ ପାରିଥିବା ଜଣେ ବ୍ୟକ୍ତିର ଜୀବନରେ ଇଦ୍‍, ଇଗୋ ଏବଂ ସୁପର୍‌ଇଗୋ ପ୍ରକୃତରେ ପରସ୍ପର ସହିତ ସହଯୋଗିତା ହିଁ କରନ୍ତି,- ପରସ୍ପରକୁ ଅଧିକ ଶକ୍ତି ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ଆଦୌ କୌଣସି ପ୍ରକାରର ଯୁଦ୍ଧ ଲାଗି ରହିନଥାଏ ଏବଂ ନିଉରୋଟିକ୍ ବ୍ୟକ୍ତିମାନଙ୍କର ଜୀବନରେ ଯେପରି ସର୍ବଦା ଘଟିଥାଏ, ସେଗୁଡ଼ିକ ମଧ୍ୟରେ ଆଦୌ କୌଣସି ମୂଳଭୂତ ମତଭେଦ ମଧ୍ୟ ନଥାଏ-। ଏହି ସତ୍ୟଟି ବସ୍ତୁତଃ ଅଧିକରୁ ଅଧିକ ସ୍ପଷ୍ଟ ହୋଇଯାଉଛି ଯେ, ଜୀବନରେ ନାନାଭାବେ ଖଞ୍ଜ, କ୍ଷୁଦ୍ରପରିସର, ଅପରିପକ୍ୱ ଏବଂ ଅସୁସ୍ଥ ବ୍ୟକ୍ତିମାନେ ଆପଣାର ମନୋଗତ ଜୀବନସ୍ତରରେ ମଧ୍ୟ ଅତ୍ୟନ୍ତ ଖଞ୍ଜ ଏବଂ ଅପରିଣତ ହୋଇ ରହି ଥାଆନ୍ତି । ବ୍ୟକ୍ତିମାନଙ୍କର ଅଧ୍ୟୟନ କରୁଥିବା ସେହି କିସମର ମନୋବିଜ୍ଞାନୀମାନେ ମଧ୍ୟ କେବଳ ଏକ କ୍ଷୁଦ୍ରପରିସର ମନୋବିଜ୍ଞାନ ମଧ୍ୟରେ ବିଚରଣ କରି ପାରିବେ । ଏଣୁ, ଅପର ପକ୍ଷରେ, ଆତ୍ମ-ଅଭିବ୍ୟକ୍ତି ଏବଂ ଆତ୍ମ-ଉପଲବ୍ଧିର କ୍ଷେତ୍ରରେ ଜୀବନ ବଞ୍ଚୁଥିବା ବ୍ୟକ୍ତିମାନଙ୍କର ଅଧ୍ୟୟନ ହିଁ ମନୋବିଜ୍ଞାନକୁ ଏକ ଏକ ବୃହତ୍‌ପରିସର ବିଜ୍ଞାନ ରୂପେ ଉତ୍ତୋଳିତ କରିନେଇ ପାରିବ ଓ ତେବେ ସମଗ୍ର ବିଶ୍ୱର ସ୍ତରରେ ମଧ୍ୟ ପ୍ରାସଙ୍ଗିକ ହୋଇ ରହିପାରିବ ।

 

ଗୋଟିଏ ଉତ୍ତମ ସମାଜ କହିଲେ ତେବେ ଆମେ ପ୍ରକୃତରେ କ’ଣ ବୁଝିବା ? ଏହିପରି ଏକ ସମାଜ ଯାହାକି ସେହି ସମାଜରେ ବାସ କରୁଥିବା ବ୍ୟକ୍ତିମାନଙ୍କୁ ସୁସ୍ଥ ତଥା ଆତ୍ମ-ଅଭିବ୍ୟକ୍ତିରତ ଜଣେ ଜଣେ ମନୁଷ୍ୟ ହେବା ନିମନ୍ତେ ପର୍ଯ୍ୟାପ୍ତ ସମ୍ଭାବନା ପ୍ରଦାନ କରି ପାରୁଥିବ । ବାହାରର ଲକ୍ଷଣ ଇତ୍ୟାଦିରୁ ଆମେ କେବେହେଲେ ସୁସ୍ଥ ବ୍ୟକ୍ତିମାନଙ୍କୁ ଚିହ୍ନି ପାରିବାନାହିଁ । ସେମାନଙ୍କ ପରିଚ୍ଛଦ ଇତ୍ୟାଦି ବିଶେଷ ପ୍ରକାରର ହୋଇଥିବାରୁ ସେମାନେ ସୁସ୍ଥ ବୋଲି ଆଦୌ ଚିହ୍ନି ହୁଏନାହିଁ । ସେମାନଙ୍କର ଆଚାର ଏବଂ ଆଚରଣମାନେ ମଧ୍ୟ ମୋଟେ ବିଶେଷ ପ୍ରକାରର ହୋଇ ନଥାନ୍ତି । ସେମାନଙ୍କ ଠାରେ ସର୍ବଦା ଏକ ସ୍ୱାଧୀନତା ତଥା ସାବଲୀଳତାର ବୋଧ ହିଁ ବିଦ୍ୟମାନ୍ ଥାଏ । ସବାଶେଷରେ, ପୁସ୍ତକଟିର ଏକ ଉପସଂହାର କରି ଆବ୍ରାହାମ୍ ମାସ୍‌ଲୋଭ୍‌ କହୁଛନ୍ତି, ଇତର ପ୍ରାଣୀମାନଙ୍କୁ ଆଧାର ରୂପେ ବ୍ୟବହାର କରି ଯେଉଁ ମନୋବିଜ୍ଞାନର ଗବେଷଣା ହୋଇ ଯେଉଁ ସିଦ୍ଧାନ୍ତଗୁଡ଼ିକ ଉପଲବ୍ଧ ହୁଅନ୍ତି, ସେଗୁଡ଼ିକ ଆମକୁ ମନୁଷ୍ୟମାନଙ୍କ ଜୀବନର ଖାସ୍ ସେହି ତଥ୍ୟଗୁଡ଼ିକ ସହିତ ପରିଚିତ କରାନ୍ତି, ଯେଉଁଗୁଡ଼ିକ କି ଉଭୟ ମନୁଷ୍ୟ ଓ ଇତରପ୍ରାଣୀ ମାନଙ୍କ ମଧ୍ୟରେ ରହିଥାଏ । ମାତ୍ର ଯେଉଁସବୁ କ୍ଷେତ୍ର ଏବଂ ସାମର୍ଥ୍ୟର କ୍ଷେତ୍ରରେ ମନୁଷ୍ୟମାନେ ଇତରପ୍ରାଣୀଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଓ ଯେଉଁ ଗୁଡ଼ିକରେ ମନୁଷ୍ୟ ଇତର ପ୍ରାଣୀମାନଙ୍କୁ ସ୍ପଷ୍ଟତଃ ଉଚ୍ଚତର ସ୍ତରରେ ଅବସ୍ଥିତ,- ଉଦାହରଣ ସ୍ୱରୂପ, ଇତରମାନେ ତ ସକଳ ଅର୍ଥରେ ଆପଣାର କେତୋଟି ସହଜାତ ପ୍ରବୃତ୍ତି ମଧ୍ୟରେ ପ୍ରସୀମିତ ହୋଇ ରହିଥାନ୍ତି ଏବଂ ମନୁଷ୍ୟମାନେ ନିରନ୍ତର ଶିକ୍ଷା କରୁଥାନ୍ତି ଏବଂ ପୂରା ଅନ୍ତଃପ୍ରେରିତ ଭାବରେ ଶିଖିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତି,- ସେହି କ୍ଷେତ୍ରମାନଙ୍କର ଇତର ପ୍ରାଣୀମାନଙ୍କର ଅଧ୍ୟୟନରୁ ଲବ୍ଧ ଆମର ଜ୍ଞାନଗୁଡ଼ିକୁ ଆଣି ପ୍ରୟୋଗ କରିବା ଦ୍ୱାରା ଆଦୌ କିଛି ଫଳ ଉପଲବ୍ଧ ହୁଏନାହିଁ ଏବଂ ଆମର ସକଳ ପ୍ରଚେଷ୍ଟାକୁ ବ୍ୟର୍ଥ ହିଁ କରେ ।

 

ପ୍ରତ୍ୟେକ ମନୁଷ୍ୟର ଜଣେ ବ୍ୟକ୍ତିରୂପେ ନାନାଭଳି କର୍ମ ଏବଂ ସେଗୁଡ଼ିକ ପଛରେ ସେହିପରି ନାନାବିଧ ଅନୁପ୍ରେରଣା । ମାତ୍ର, ଜଣେ ଅସଲ ବ୍ୟକ୍ତିର ମୂଳତଃ ଯାବତୀୟ ଅନୁପ୍ରେରଣା ପଛରେ ସେହି ଗୋଟିଏ ଲକ୍ଷ୍ୟ । ସେହି ଲକ୍ଷ୍ୟଟି ହେଉଛି ତା’ର ଆତ୍ମ-ଅଭିବ୍ୟକ୍ତି ଏବଂ ଆତ୍ମ-ଉପଲବ୍ଧି । ସିଏ ମଧ୍ୟ ଅନ୍ୟ ପ୍ରତ୍ୟେକ ମନୁଷ୍ୟଙ୍କ ସଦୃଶ ପୃଥିବୀରେ ସକଳ କର୍ମ କରୁଥିବ ଏବଂ ସେଥିଲାଗି ଅନୁପ୍ରେରଣା ଲାଭ କରୁଥିବ । ତଥାପି ଏହି ସବୁକିଛି ଉକ୍ତ ମୂଳ ଅନୁପ୍ରେରଣାର ଚାରିପାଖରେ ଗୁନ୍ଥି ହୋଇ ରହିଥିବେ । ଆଦୌ କୌଣସି ଦ୍ୱନ୍ଦ୍ୱର କାରଣ ହେବେନାହିଁ,- ନିଜ ଭିତରେ ନୁହେଁ କିମ୍ବା ବାହାରେ ଏହି ପୃଥିବୀରେ ନୁହେଁ । ଆଗରେ ଅସଲ ଲକ୍ଷ୍ୟଟି ଗୋଟିଏ ଆହ୍ୱାନପ୍ରାୟ ହୋଇ ରହିଥିବ ଏବଂ ସଂପୂର୍ଣ୍ଣ ଅବଲୀଳା ସହିତ ହିଁ ଟାଣି ନେଉଥିବ । ପୃଥିବୀର ନିୟୁତ ମନୁଷ୍ୟ ନିଜ ନିଜ ଇଚ୍ଛାରେ କେତେ କୁଆଡ଼େ ଧାଇଁଥିବେ,- ପ୍ରକୃତରେ କେତେ ପ୍ରକାରର ପଲର ଅନ୍ତର୍ଗତ ହୋଇ । ସିଏ କିନ୍ତୁ ଆପଣାକୁ ସେହିସବୁ ଆକର୍ଷଣରୁ ମୁକ୍ତ କରି ରଖିଥିବ । ଆପଣାର ଏକ ନିଜସ୍ୱ ବ୍ୟକ୍ତିତ୍ୱ ସହିତ ଖିଅ ଲଗାଇ ଜୀବନ ବଞ୍ଚୁଥିବା ମନୁଷ୍ୟଟିର ସର୍ବଦା ଏହିପରି ଲକ୍ଷ୍ୟଟିଏ ରହିଥିବ ଏବଂ ସିଏ ସେଇଟିରେ ଏକ ପୂର୍ଣ୍ଣ ବିଶ୍ୱାସ ମଧ୍ୟ ସ୍ଥାପନ କରି ପାରିଥିବ । ଠିକ୍ ଯେକୌଣସି ଭଗବଦ୍‌ବିଶ୍ୱାସ ସଦୃଶ । ଯେଉଁ ମନୁଷ୍ୟର ଏହିଭଳି ବ୍ରତଟିଏ ରହିଥିବ, ସିଏ ସକଳ ଅର୍ଥରେ ଆପଣା ଭିତରୁ ହିଁ ଏକ ଉଚ୍ଚାଟନା ଅନୁଭବ କରିବ,- ସତେଯେପରି କାହାର ଡାକ ଶୁଣି ଏକ ବାଟ ଚାଲୁଥିବା ପରି ଅନୁଭବ କରିବ ।

 

ଆତ୍ମ-ବାସ୍ତବାୟନର ଲକ୍ଷ୍ୟଟିକୁ ସର୍ବପ୍ରଥମ ବ୍ରତରୂପେ ଗ୍ରହଣ କରିଥିବା ଜଣେ ମନୁଷ୍ୟର ଚରିତ୍ର ଅର୍ଥାତ୍ ଆଚାରମାନ ଏହିପରି ହୋଇଥିବ ବୋଲି ସଂକ୍ଷେପରେ ବର୍ଣ୍ଣନା କରାଯାଇଛି । ନିଜ ବାସ୍ତବଟିକୁ ସିଏ ଅଧିକ ସମର୍ଥ ଭାବରେ ଦେଖୁଥିବ ଅର୍ଥାତ୍ ନାନା ତଥାକଥିତ ବିକୃତ କାରଣ ଦ୍ୱାରା ପରିଚାଳିତ ହେଉଥିବାରୁ ସେହି ବାସ୍ତବଗୁଡ଼ିକ ଆଦୌ ସାତବଙ୍କା ହୋଇ ଦେଖା ଯାଉନଥିବେ । ସେହି ବାସ୍ତବମାନେ ଯେତେ ଯାହା ହେଲେ ମଧ୍ୟ ଆଦୌ ତାକୁ ଅଧୀର ଅଥବା ଅଶାନ୍ତି କରି ପକାଇବେ ନାହିଁ । ଆପଣାକୁ, ଅନ୍ୟମାନଙ୍କୁ ଏବଂ ମନୁଷ୍ୟମାନଙ୍କର ସ୍ୱାଭାବିକ ପ୍ରକୃତିକୁ ସିଏ ଅବିଚଳିତ ରହି ସ୍ୱୀକାର କରିନେଇ ପାରୁଥିବ । ପୂର୍ଣ୍ଣ ସ୍ୱତଃସ୍ଫୂର୍ତ୍ତତା ସହିତ ଜୀବନ ବଞ୍ଚୁଥିବ । ସମସ୍ୟାଗୁଡ଼ିକ ସକାଶେ ମନୁଷ୍ୟମାନଙ୍କୁ ୟାକୁ ତାକୁ ଦାୟୀ ନକରି ବରଂ ସମସ୍ୟାଗୁଡ଼ିକୁ ବୁଝୁଥିବ ଏବଂ ସେଗୁଡ଼ିକର ସମ୍ମୁଖୀନ ହେଉଥିବ । ଟାଉ ଟାଉ ହୋଇ କୌଣସି ଏକ ପକ୍ଷକୁ ଆଉଜି ପଡ଼ୁନଥିବ, ତେଣୁ ଏକ ଅନାସକ୍ତ ସକାରାତ୍ମକତା ସହିତ ସବୁକିଛି ଉପରେ ଅବଲୋକନ ହିଁ କରିବ । ଏକ ନିଜସ୍ୱ ଦୂରତା ରକ୍ଷା କରି ବାଟ ଚାଲି ପାରୁଥିବ, କୌଣସି ଖାସ୍ ସଂସ୍କୃତି ଅଥବା ପରିବେଶର ଆଦୌ ବଶ ହୋଇ ପଡ଼ିବନାହିଁ । ଅନୁକ୍ଷଣ ଏକ ଅବିଚ୍ଛିନ୍ନ ସଚେତନତା ଅର୍ଥାତ୍ ନବୀନତା ସହିତ ସବୁକିଛିର ବିଚାର କରୁଥିବ । ଯେତେ ବୁଝିଲେ ଏବଂ ଜାଣିଲେ ମଧ୍ୟ ତଥାପି ଆହୁରି ରହସ୍ୟ ରହିଛି ବୋଲି ଅନୁଭବ କରୁଥିବ । ସତେଅବା ଏକ ବୈପୁଲ୍ୟର ରୋମାଞ୍ଚକାରୀ ଅନୁଭୂତି, ଅର୍ଥାତ୍ ଆପଣାର ସେହି ଅନୁଭୂତି ବଳରେ ସେ ସମଗ୍ର ମନୁଷ୍ୟସମଗ୍ରଟିର ଅନୁଭୂତିକୁ ସହଜରେ ଘ୍ରାଣ କରିନେଇ ପାରୁଥିବ । ଅନ୍ୟ ମନୁଷ୍ୟଗଣଙ୍କ ସହିତ ତା’ର ସମ୍ପର୍କ ତଥା ସମ୍ବନ୍ଧଗୁଡ଼ିକ ନ୍ୟାୟତଃ ଅଧିକ ଗଭୀର ହୋଇ ରହିଥିବ । ସିଏ ସ୍ୱଭାବତଃ ହିଁ ଏକ ଗଣତନ୍ତ୍ର ଆଡ଼କୁ ଅନୁରକ୍ତ ରହିଥିବ । ସାଧ୍ୟ ଏବଂ ସାଧନ ମଧ୍ୟରେ ରହିଥିବା ପାର୍ଥକ୍ୟଟିକୁ ହୃଦୟଙ୍ଗମ କରି ପାରୁଥିବ । ତା’ ଭିତରେ ଏପରି ଗୋଟିଏ ବିନୋଦଭାବ ବିଦ୍ୟମାନ ଥିବ, ଯାହାକି ଆଦୌ କାହାରିକୁ ବିଦ୍ରୂପ କରୁନଥିବ,- ଆକ୍ଷରିକ ଅର୍ଥରେ ଏକ ଜୀବନଦର୍ଶନର ସ୍ତରରେ । ଗୋଟିଏ କଥାରେ ଏହି ସବୁକିଛିକୁ ଗୋଟିଏ ଗୁଚ୍ଛ ମଧ୍ୟରେ ଏକତ୍ର ଗଛାଇ କହିଲେ, ସିଏ ଏକ ସର୍ଜନାତ୍ମକ ଜୀବନ ଯାପନ କରୁଥିବ ।

 

ଶ୍ରୀଯୁକ୍ତ ମାସ୍‌ଲୋଭ୍‌ ମନୁଷ୍ୟ-ଗବେଷଣାର ନିର୍ଦ୍ଦିଷ୍ଟ ମନୋବୈଜ୍ଞାନିକ ଧାରାଟିକୁ Humanistic Psychology ବୋଲି କହିଛନ୍ତି । ମନୋବିଜ୍ଞାନର ଯାବତୀୟ ସଚଳତା ତ ସର୍ବଦା ମାନବ ଓ ମାନବସମାଜକୁ ନେଇ, ତେବେ ଏପରି ଏକ ନାମକରଣ ନିମନ୍ତେ କ’ଣ ଆବଶ୍ୟକତା ଆଉ ରହିଥିଲା, ଶୁଣିଲା କ୍ଷଣି ହୁଏତ ସେହିପରି ଏକ ସଂଶୟ ଜାତ ହୋଇପାରେ । ପୃଥିବୀଯାକର ମକ୍ତବୀ ମନୋଗବେଷଣା ପ୍ରାୟ ପ୍ରଚଣ୍ଡ ଭାବରେ ମନୁଷ୍ୟମାନଙ୍କୁ ଗୋଟାଏ ବ୍ୟବହାର୍ଯ୍ୟ ପଦାର୍ଥବତ୍ ଦେଖୁଥିବା ସମୟରେ ଆପଣାର ଖାସ୍ ମାର୍ଗଟିକୁ ମାସ୍‌ଲୋଭ୍ ନିଶ୍ଚୟ ଅତ୍ୟନ୍ତ ଉଚିତ ବୋଲି ଚିନ୍ତା କରିଥିବେ । ମଣିଷମାନଙ୍କୁ କିପରି ନାନା ମତଲବ ସହିତ ବ୍ୟବହାର କରାଯାଇ ପାରିବ, ସେହି କଥାଟିକୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଥିବା ଏକ ସମାଜରେ ପ୍ରତ୍ୟେକ ମନୁଷ୍ୟକୁ ଗୋଟିଏ ଗୋଟିଏ ବ୍ୟକ୍ତିତ୍ୱ ବୋଲି ମାନି ସେଥିଲାଗି ନିଜର ବୈଜ୍ଞାନିକ ସଂଜ୍ଞାଗୁଡ଼ିକରେ ନୂଆ ଆଖିରେ ଅଗ୍ରସର ହେବା,- ଆମ ଚଳନ୍ତି ସ୍ୱୀକୃତଗୁଡ଼ିକର କ୍ଷେତ୍ରରେ ଯେ ଘୋର ପ୍ରମାଦର କାରଣ ହେବ, ସେକଥା ଖୁବ୍ ବୁଝି ହେଉଛି । ତେଣୁ, ମନୁଷ୍ୟ-ଅଧ୍ୟୟନର ଏହି ନୂଆ ପରିମଳଟି ସେତେବେଳେ ଏକାଧିକ ଯୁକ୍ତିଦ୍ୱାରା ସଂବଳିତ ହୋଇ ଆପଣାକୁ ସଂପୂର୍ଣ୍ଣ ଭାବରେ ଏକ ଅନ୍ୟ ପ୍ରସ୍ଥବୋଧର ଶ୍ରଦ୍ଧା ସହିତ ଅବତୀର୍ଣ୍ଣ କରାଇ ଆଣିଥିଲା, ବହୁତ ସ୍ଥିତାବସ୍ଥାକୁ କାଟି କାଟି ଆଗକୁ ଯାଇଥିଲା ।

 

ଆପଣାର ଅନୁଭବ ତଥା ଅନ୍ତର୍ଦୃଷ୍ଟି ଦେଇ ମାସ୍‌ଲୋଭ୍ ଏହିପରି ଭାବରେ ଖୋଜ ବଢ଼ାଉ ବଢ଼ାଉ ନିଜର ସତ୍ୟ-ସାକ୍ଷାତ୍‌କାର ଗୁଡ଼ିକ ବିଷୟରେ ନିୟମିତ ଭାବରେ ନାନା ଟିପ୍ପଣୀ ଲିପିବଦ୍ଧ କରି ରଖୁଥିଲେ । ତାଙ୍କର ତିରୋଧାନ ପରେ ସେଗୁଡ଼ିକର ସମ୍ପାଦନା କରାଯାଇ Journals ନାମରେ ପ୍ରକାଶ ଲାଭ କରିଛି । ଅତି ବୃହତ୍ ଦୁଇ ଖଣ୍ଡରେ । ପ୍ରାୟ ଦୁଇହଜାର ପୃଷ୍ଠାରଏକ ଅବୟବରେ । (୩) ସେହି ଟିପାଗୁଡ଼ିକରୁ ଆମକୁ ମାସ୍‌ଲୋଭ୍- ବିଚାରର ଏକ କ୍ରମପରିପକ୍ୱ ପରିଚୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ମିଳିଯାଇ ପାରିବ । ଆତ୍ମ-ଉପଲବ୍ଧି ଏବଂ ଆତ୍ମ-ଅଭିବ୍ୟକ୍ତିର ଯେଉଁ ମାର୍ଗଧାରାଟି, ସେଇଟି ହେଉଛି ଏକ ଆରୋହଣ, ଏକ ଗିରିଶିଖରକୁ ଲୟ ରଖି ଆରୋହୀ ମନୁଷ୍ୟର ଆରୋହଣ । ଶିଖରରେ ଯାଇ ପହଞ୍ଚିବାର ଯେଉଁ ଅନୁଭୂତି, ମାସ୍‌ଲୋଭ୍ ତାହାକୁ ଆମର ଏକ ଶିଖର-ଅନୁଭୂତି (peak experience) ବୋଲି ନାମିତ କରିଛନ୍ତି । ତଥାପି ସତର୍କ କରିଦେଇ ସେ କହିଛନ୍ତି ଯେ, ଶିଖରଦେଶରେ ଯାଇ ପହଞ୍ଚିବାର ବାଟଟି-। ମୋଟେ ନିମ୍ନସ୍ଥ ପାଦଦେଶଟିକୁ ହରାଇ ବସିବା, ସେଇଟି ପ୍ରତି ଅଶ୍ରଦ୍ଧା ପ୍ରକଟ କରିବା କିମ୍ବା ତାହାକୁ ପ୍ରତ୍ୟାଖ୍ୟାନ କରିବାକୁ ବୁଝାଏ ନାହିଁ । ଏପରିକି, ସେଇଟି ହେଉଛି ନିମ୍ନସ୍ତ ଏକ ପାଦଦେଶ ଓ ମୁଁ ବର୍ତ୍ତମାନ ସେଇଟିକୁ ଛାଡ଼ି ଉଚ୍ଚକୁ ଉଠି ଆସିଲି ବୋଲି କୌଣସି ଅସ୍ୱାଭାବିକ ଅନୁଭବର କାରଣ ହୁଏନାହିଁ । ନାଇଁ, ସେହି ପାଦଦେଶଟି ଏବେ ମଧ୍ୟ ମୋ’ର ହୋଇ ରହିଛି ଓ ଯୁଗପତ୍ ଭାବରେ ମୁଁ ଅଧିକ ଆଉକିଛି ମଧ୍ୟ ଲାଭ କରିଛି ବୋଲି ଅନୁଭବ ହେଉଥାଏ । ଅର୍ଥାତ୍ ଏଇଟି ଏବଂ ସେଇଟି ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ନଥାଏ । ବରଂ ଦୁଇଟିଯାକର ଏକ ପୂର୍ଣ୍ଣାଙ୍ଗ ବୋଧ ହେଉଥାଏ ଏବଂ ଯାବତୀୟ ଏଇଟି ଓ ସେଇଟି କରି ଦେଖିବାର ପୂର୍ବ ଅଭ୍ୟାସଟା ହିଁ ଚାଲି ଯାଇଥାଏ ।

 

ଏପରି ଭାବିବା ଆଦୌ ଉଚିତ ନୁହେଁ ଯେ ଏବର ଏହି ଆଧୁନିକ ଯନ୍ତ୍ରକୌଶଳର ଅଧୀନ ହୋଇ ରହିଥିବା ସମାଜରେ ମନୁଷ୍ୟର ଜଣେ ବ୍ୟକ୍ତିରୂପେ ବିକାଶଲାଭ କରିବା ଖୁବ୍ କଷ୍ଟକର ହୋଇଯାଇଛି । ମାସ୍‌ଲୋଭ୍ କହିବେ ଯେ, ଏହି ଆଧୁନିକ ସମାଜରେ ହିଁ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ଅଧିକତର ଅନୁକୂଳତା ପ୍ରକୃତରେ ରହିଛି । ପ୍ରାଚୀନ ଏବଂ ଆଦିମ ସମାଜଗୁଡ଼ିକ ତ ଆପଣାର ସାମର୍ଥ୍ୟ-କ୍ଷେତ୍ରରେ ବଡ଼ ସୀମିତ ହୋଇ ରହିଥିଲେ; ବଡ଼ ଦରିଦ୍ର ଏବଂ ଅଳ୍ପସମ୍ବଳ ହୋଇ ରହିଥିଲେ । ଆତ୍ମବିକାଶ ନିମନ୍ତେ ସେତେବେଳେ ମନୁଷ୍ୟମାନଙ୍କର ସେତେ ଫୁରସତ ନଥିଲା, କାରଣ ଅନ୍ନସାଧନ ଇତ୍ୟାଦିର ଜଞ୍ଜାଳରେ ସେମାନଙ୍କର ପ୍ରାୟ ସବୁଯାକ ସମୟ ବିତି ଯାଉଥିଲା । ଏହି ସନ୍ଦର୍ଭରେ ଶ୍ରୀଯୁକ୍ତ ମାସ୍‌ଲୋଭ୍ ଭାରତବର୍ଷର ହିନ୍ଦୁ ମାୟାବାଦ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ମାୟାବାଦୀ ସେହି ନକାରାତ୍ମକତା ଏହି ପୃଥିବୀସ୍ଥ ନିମ୍ନ ଆବଶ୍ୟକତା ଗୁଡ଼ିକର ପ୍ରତ୍ୟାଖ୍ୟାନ କରିଥାଏ ଏବଂ ନାନାପ୍ରକାରେ ପଳାୟନ କରିବା ଲାଗି ପରାମର୍ଶ ଦିଏ । ନାଇଁ, ଏପରି ନକରି ସବୁଟିର ଏକ ସମଗ୍ର କଳ୍ପନା କରିବାକୁ ହେବ ଏବଂ ସେଥିଲାଗି ଏକ ସୋପାନକ୍ରମରେ ହିଁ ସବୁଗୁଡ଼ିକୁ ଅନ୍ତର୍ଗତ କରି ଦେଖିବାକୁ ହେବ ।

 

ମାସ୍‌ଲୋଭ୍ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦୁଇ ପ୍ରକାରର ମନୋବିଜ୍ଞାନକୁ ସୂଚିତ କରି ଦେଇଛନ୍ତି: ତାଙ୍କରି ପରିଭାଷାରେ ଦୁଇଟିରୁ ଗୋଟିଏ ହେଉଛି D-Psychology ଓ ଅନ୍ୟଟି B-Psychology-Deficit Psychology ଏବଂ Being Psychology; ପ୍ରଥମଟି ଯାବତୀୟ ବାହ୍ୟ ନିୟନ୍ତ୍ରଣ ଦ୍ୱାରା ପରିଚାଳିତ ହୁଏ, ସେହି ଫ୍ରଏଡୀୟ ସୁପର୍‌ଇଗୋର ତାଡ଼ନାରେ ତାଡ଼ିତ ହୋଇ ରହିଥାଏ, ବାହ୍ୟ ଧର୍ମାଚାର ଗୁଡ଼ିକର ପାଳନ କରୁଥାଏ ଏବଂ ଆପେ ଯେକୌଣସି ପ୍ରକାରେ ତିଷ୍ଠି ରହିବ ବୋଲି ନାନା କର୍ତ୍ତୃତ୍ୱର ଅଧୀନରେ ଆପଣାକୁ ଆନ୍ଦୋଳିତ କରି ରଖିଥାଏ । ଅନ୍ୟ ପକ୍ଷରେ, ଦ୍ୱିତୀୟଟି ସେହି ସବୁକିଛିକୁ ଅତିକ୍ରମ କରି ଆପେ ହିଁ ଆପଣାକୁ ନିୟନ୍ତ୍ରଣ ମଧ୍ୟରେ ରଖିଥାଏ । ନିଜ ଜୀବନରେ ଯଥାସମ୍ଭବ ଅଧିକରୁ ଅଧିକ ପୂର୍ଣ୍ଣାଙ୍ଗତା ହାସଲ କରି ପାରିବାରେ ଚେଷ୍ଟାବାନ୍ ଥାଏ । ଆପଣାର ଭାଗ୍ୟକୁ ଆପେ ଗଢ଼େ ଏବଂ ଏହି ଦିଗରେ ତା’ର ସକଳ ପ୍ରଚେଷ୍ଟା ସତେଅବା ଗୋଟିଏ ନକ୍ସା ପରି ତା’ ସମ୍ମୁଖରେ ଝଳଝଳ ହେବାରେ ଲାଗିଥାଏ । ଏକ ସଂପୂର୍ଣ୍ଣ ଭିନ୍ନ ଆଭିମୁଖ୍ୟ ଏହି B-Psychology ର: ପୂର୍ବତନ ପରମ୍ପରାଟି ଅନୁସାରେ ତ ମନୁଷ୍ୟମାନଙ୍କୁ କ’ଣ ସବୁ ବିଗିଡ଼ି ଯାଇଥିବା ଏକ ଯନ୍ତ୍ର ପରି ଗ୍ରହଣ କରାଯାଏ,- ବିଗିଡ଼ି ଯାଇଥିବାର କାରଣଗୁଡ଼ିକୁ ଉଖାରି ବାହାର କରାଯାଏ, ରୋଗୀକୁ ଏକ କାଉଚ୍ ଉପରେ ଶୁଆଇ ନିଦାନ ଗୁଡ଼ିକର ଅନୁମାନ କରି ରୋଗକୁ ଭଲ କରାଯାଏ ଏବଂ, ଅନ୍ୟଟି ଜଣେ ବ୍ୟକ୍ତିର ନାନା ଯନ୍ତ୍ରଣା ଏବଂ ନାନାବିଧ କାମନା ରହିଥିଲେ ମଧ୍ୟ ତାକୁ ତଥାପି ଏକ ବ୍ୟକ୍ତି ପରି ଦେଖେ ଓ ବୁଝିଥାଏ ଏବଂ ତେଣୁ, ଖାସ୍ ସେହି ଗୁଡ଼ିକର ଆରୋଗ୍ୟ କରିବାର ଅଳ୍ପତା ଭିତରେ କଦାପି ବାନ୍ଧି ହୋଇ ରହି ଯାଏନାହିଁ । ଜଣେ ବ୍ୟକ୍ତିର ତଥାକଥିତ କାମନା ଓ ଯନ୍ତ୍ରଣା ଇତ୍ୟାଦି ଯେ ଏକ ଆତ୍ମଜ୍ଞାନର ପ୍ରୟାସକୁ ବ୍ୟକ୍ତ କରୁଥିବ, ସେହି ସମ୍ଭାବନାଟିକୁ ତାହା କଦାପି ଏଡ଼ି ଦିଏନାହିଁ । ଏପରି ଏକ ଆଭିମୁଖ୍ୟ ସ୍ୱୟଂ ମନୋବିଜ୍ଞାନୀ ମାନଙ୍କୁ ମଧ୍ୟ ସେମାନଙ୍କର ନିଜ ଅଭିବୃଦ୍ଧିରେ ସହାୟତା କରେ ।

 

ଅଚେତନ ଓ ଅବଚେତନ କହିଲେ ସିଗ୍‌ମୁଣ୍ଟ୍ ଫ୍ରଏଡ୍ ତ ମନୁଷ୍ୟ ଭିତରର କେବଳ ଇଦ୍ ଏବଂ ସହଜାତ ପ୍ରବୃତ୍ତିଗତ ନାନା ତାଡ଼ନାକୁ ବୁଝିଥିଲେ । କିନ୍ତୁ, ସେହି ମଗ୍ନ ବୃହତ୍ ପ୍ରସାରଟି ଭିତରେ ହୁଏତ ଏପରି ମୂଳଭୂତ ବୃତ୍ତିପ୍ରକ୍ରିୟାମାନ ନିଶ୍ଚୟ ରହିଥାନ୍ତି ଯେଉଁଗୁଡ଼ିକୁ କି ସଂପୃକ୍ତ ବ୍ୟକ୍ତିଟି ଅବହେଳା କରି ଆସିଥାଏ । ସେଗୁଡ଼ିକ ଯେ କେବଳ ଦାବି ହୋଇ ଆମ ଭିତରେ ରହି ଥାଆନ୍ତି, ସେପରି ଆଦୌ ମାନିନେବା ଉଚିତ ହେବନାହିଁ । ସେହି ଅଚେତନକୁ ଆମ ଗଭୀର ଜୀବନ-ଚେତନାର ସର୍ଜନାତ୍ମକ ଅଥବା ତତ୍ତ୍ୱସତ୍ୟମୂଳକ ଏକ ରାଜ୍ୟ ବୋଲି ଅନୁମାନ କରାଯାଇ ପାରିବ । ଶ୍ରୀ ମାସ୍‌ଲୋଭ୍ ଏକ ସକାରାତ୍ମକ ପ୍ରେରଣା ଦେଇ କହିଛନ୍ତି ଯେ, ପ୍ରତ୍ୟେକ ମନୁଷ୍ୟ ଭିତରେ ଜଣେ ବୁଦ୍ଧ ହିଁ ଅପେକ୍ଷା କରି ରହିଥାନ୍ତି, ଯିଏକି ଏକ ଉଚ୍ଚତାକୁ ଉଠି ଜଣେ ଉତ୍ତମରୁ ଆହୁରି ଉତ୍ତମ ବ୍ୟକ୍ତିଟିଏ ହେବାର ବାସନାକୁ ବହନ କରୁଥାନ୍ତି, ଆପଣା ଶକ୍ତିର ଉଚ୍ଚରୁ ଆହୁରି ଉଚ୍ଚ ଏକ ଶୀର୍ଷରେ ଯାଇ ପହଞ୍ଚିବାର ମାର୍ଗଟିଏ ଖୋଜୁଥାନ୍ତି । ତେଣୁ, ଜଣେ ମନୁଷ୍ୟକୁ ଆମେ କାହିଁକି ଜଣେ ରୋଗୀ ବୋଲି ଦେଖିବା, ଯିଏକି ନିଜକୁ କେବଳ ସେହି ରୋଗର ଲକ୍ଷଣ ଗୁଡ଼ିକର କବଳରୁ ମୁକ୍ତ ହୋଇ ଆସିବାର ଇଚ୍ଛା ପୋଷଣ ହିଁ କରୁଥାଏ ? ଅର୍ଥାତ୍ ପ୍ରତ୍ୟେକ ମନୁଷ୍ୟ ଭିତରେ ନାନାବିଧ ସ୍ୱର୍ଗକଳ୍ପନାର ଗୋଟିଏ ସୋପାନକ୍ରମ ବିଦ୍ୟମାନ ଥାଏ; ଆହୁରି ଏବଂ ଆହୁରି ଅଧିକ ପରିପୂର୍ଣ୍ଣତାର ସ୍ୱପ୍ନମାନ, ଅଶେଷତାରୁ ତଥାପି ଆହୁରି ଅଧିକ ବ୍ୟାପ୍ତ ଅଶେଷତାମାନ,- ବାସ୍ତବତା ବିଷୟରେ ଏକାଧିକ କଳ୍ପନା ଓ ଚିତ୍ରମାନ ।

 

କଥାଟିକୁ ଅଧିକ ସହଜବୋଧ୍ୟ କରିବା ଉଦ୍ଦେଶ୍ୟରେ ମାସ୍‌ଲୋଭ୍ ଷୋଡ଼ଶ ଶତାବ୍ଦୀ ଇଉରୋପୀୟ ଦାର୍ଶନିକ ବେନେଡିକ୍ଟ୍ ସ୍ପିନୋଜାଙ୍କର ଗୋଟିଏ ଉକ୍ତିକୁ ମଧ୍ୟ ଉଦ୍ଧାର କରିଛନ୍ତି: ‘‘ଯାହାକିଛି ଉତ୍ତମ, ପୂର୍ଣ୍ଣତଃ ତାହାରି ଉପଭୋଗ କରିବା ହେଉଛି ପ୍ରତ୍ୟେକ ମନୁଷ୍ୟର ସୁଖଲାଭ ତଥା ଆନନ୍ଦର ଯଥାର୍ଥ ଉତ୍ସ । କିନ୍ତୁ, ସେଥିରେ ଆଦୌ ଏପରି ଭାବନା ରହିବା ଉଚିତ ନୁହେଁ ଯେ, ସିଏ ଏକାକୀ ହିଁ ସେହି ଆନନ୍ଦର ଉପଭୋଗ କରୁଛି ଏବଂ ଅନ୍ୟମାନେ ସେଥିରୁ ବଞ୍ଚିତ ହୋଇ ରହିଛନ୍ତି । ମୁଁ ହେଉଛି ପ୍ରକୃତରେ ଅଧିକ ଭାଗ୍ୟବାନ୍, କାରଣ କେବଳ ମୁଇଁ ଏସବୁ ଭୋଗ କରୁଛି ଏବଂ ଅନ୍ୟମାନେ ସେଗୁଡ଼ିକରୁ ବଞ୍ଚିତ ହୋଇ ରହିଛନ୍ତି ଅର୍ଥାତ୍ ମୁଁ ମୋ’ ପରି ଅନେକ ଅନେକ ମନୁଷ୍ୟଙ୍କ ଠାରୁ ତେଣୁ ଅଧିକ ସୁଖୀ ତଥା ଭାଗ୍ୟଶାଳୀ ବୋଲି ଯିଏ ଭାବେ, ସିଏ ପ୍ରକୃତରେ ଯଥାର୍ଥ ସୁଖ ଏବଂ ଆନନ୍ଦ ବିଷୟରେ ଅଜ୍ଞାନ ହୋଇ ହିଁ ରହିଥାଏ ଏବଂ, ଏହିପରି ସ୍ଥିତିରେ ସିଏ ଯେଉଁ ଆନନ୍ଦକୁ ଅନୁଭବ କରେ, ତାହା ହୁଏତ ଅତ୍ୟନ୍ତ ପିଲାଳିଆ ହୋଇ ରହିଥାଏ ଅଥବା ଅନ୍ୟ ମନୁଷ୍ୟମାନଙ୍କୁ ଈର୍ଷା ହିଁ କରୁଥାଏ ।’’ ମାସ୍‌ଲୋଭ୍ ଆପେ ମଧ୍ୟ ସୁନିର୍ଦ୍ଦିଷ୍ଟ ଭାବରେ ସ୍ପିନୋଜାଙ୍କ ପଟେ ବୋଲି ଘୋଷଣା କରିଛନ୍ତି ।

 

ତେଣୁ, ଯୁଗପତ୍ ଭାବରେ ଆପଣା ସତ୍ତାରେ ଅବସ୍ଥିତ ରହିବା ଓ ତଥାପି ନିୟତ ସମୃଦ୍ଧିଲାଭ କରି ପାରୁଥିବା ନିମନ୍ତେ ଜଣେ ବ୍ୟକ୍ତିକୁ ତା’ ଆଦର୍ଶ ମନୁଷ୍ୟାତ୍ମାଟି ପ୍ରତି ହିଁ ଶ୍ରଦ୍ଧାଶୀଳ ହୋଇ ରହିବାକୁ ପଡ଼ିବ ଏବଂ ସେଇଟି ସହିତ ଆପଣାର ଉପସ୍ଥିତ ଜୀବନସତ୍ତାଟିକୁ ମଧ୍ୟ ଭଲ ପାଇବାକୁ ହେବ । ଜଣେ ସତକୁ ସତ ଉତ୍ତମ ମନୁଷ୍ୟ କେବେହେଲେ ଗ୍ରୀକ୍ ଦାର୍ଶନିକ ପ୍ଲେଟୋଙ୍କ ପରି ଆଦର୍ଶ ଏବଂ ବାସ୍ତବକୁ ପରସ୍ପର ଠାରୁ ବିଚ୍ଛିନ୍ନ କରି ମଧ୍ୟ ଦେଖିବ ନାହିଁ ଏବଂ ସେହିପରି ଜଣେ ପ୍ଲେଟୋବାଦୀ ମଧ୍ୟ ଜଣେ ଉତ୍ତମ ମନୁଷ୍ୟ ହୋଇ ପାରିବନାହିଁ । ଏହି ସନ୍ଦର୍ଭରେ ଶ୍ରୀଯୁକ୍ତ ମାସ୍‌ଲୋଭ୍ ସେହି ତଥାକଥିତ ଧାର୍ମିକମାନଙ୍କର ଉଲ୍ଲେଖ କରିଛନ୍ତି, ଯେଉଁମାନଙ୍କର ଜୀବନରେ ପ୍ରକୃତ ବିଶ୍ୱାସ ଲାଗି କୌଣସି ସ୍ଥାନ ନଥାଏ (କାରଣ, ତେବେ ନ୍ୟାୟତଃ ସକଳ ମନୁଷ୍ୟଙ୍କ ଉପରେ ତଥା ଆପଣା ଉପରେ ଏକ ବିଶ୍ୱାସ ହିଁ ରହି ଥାଆନ୍ତା); ତେଣୁ ସେମାନେ ଅଗତ୍ୟା ନାନା ପ୍ରକାରର ନର୍କ ଏବଂ ସ୍ୱର୍ଗର ଉଦ୍‌ଭାବନ କରନ୍ତି । ଏପରି କରି ସେମାନେ ମନୁଷ୍ୟମାନଙ୍କୁ ଭୟ ଦେଖାନ୍ତି ଅଥବା ନାନାପ୍ରକାରେ ପ୍ରଲୋଭିତ କରନ୍ତି ଏବଂ ସେହିଭଳି କେତେକ ଉପାୟରେ ଭଲ ହେବାର ଉଦ୍‌ବୋଧନ ଦେଉଥାନ୍ତି । ସତେ ଯେପରି ମନୁଷ୍ୟମାନେ ଆପେ ନିର୍ଦ୍ଦିଷ୍ଟ ଲକ୍ଷ୍ୟମାନଙ୍କ ଦ୍ୱାରା ପ୍ରେରିତ ହୋଇ ମୋଟେ ଭଲ ହୋଇ ପାରିବେନାହିଁ ଏବଂ ସେହି ପ୍ରକ୍ରିୟାରେ ନିଜକୁ ଅଭିବ୍ୟକ୍ତ କରି ଆଣି ପାରିବେନାହିଁ, ସବାଆଗ ଜଣେ ପୂର୍ଣ୍ଣ ମନୁଷ୍ୟ ହୋଇ ଏସବୁ କିଛି ହିଁ କରି ପାରିବେନାହିଁ, ସେମାନେ ସେହି କଥାଟିକୁ ଧରି ନେଇଥାନ୍ତି । ଏହି ସନ୍ଦର୍ଭରେ ମାସ୍‌ଲୋଭ୍ ଏକ B-Religion ର ପ୍ରସଙ୍ଗରେ କହିଛନ୍ତି, ଯାହାକି ମନୁଷ୍ୟର ପ୍ରକୃତି ଉପରେ ବିଶ୍ୱାସ ରଖିବାର କଥା କହିବ, ମନୁଷ୍ୟଠାରେ ରହିଥିବା ସେହି ଅମିତ ଶକ୍ତିର କଥା କହିବ ଯାହାକି ତାକୁ ଉତ୍ତୋଳିତ କରିନେଇ ପାରିବ । ସିଏ ଏକ B-ମନୋବିଜ୍ଞାନର କଥା କହିଛନ୍ତି ଯାହାକି ଧର୍ମକୁ ଯାଜକଗୋଷ୍ଠୀ ଏବଂ ନିର୍ବୋଧମାନଙ୍କର ହାତରୁ ମୁକ୍ତ କରିନେବ ।

 

ଆମର ଯାବତୀୟ ଯଥାର୍ଥ ବିଦ୍ୟା ଆମ ଭିତରେ ବସ୍ତୁତଃ ଏକ ସାଧୁତାକୁ ଉଦ୍‌ଘାଟିତ କରି ଆଣିବ, ଯାହାକି ଜଣେ ବ୍ୟକ୍ତିକୁ ତା’ର ଆତ୍ମ-ଆବିଷ୍କାରର ମାର୍ଗରେ ସହାୟତା କରୁଥିବ । ଏହ ଦୃଷ୍ଟିରୁ ଦେଖିଲେ Humanistic Psychology ଅର୍ଥାତ୍ ମାନବ-ଅଭିମୁଖୀ ମନୋବିଜ୍ଞାନ ପ୍ରକୃତରେ ଆମ ମନୁଷ୍ୟମାନଙ୍କ ଲାଗି ଏକ ଆଶାର ହିଁ ସଞ୍ଚାର କରିଥାଏ, ଏପରି ଏକ ଆଶା ଯାହାକି, ଆମେ ମନୁଷ୍ୟମାନେ ଯେତିକିରେ ଅଛୁ, ତାହାଠାରୁ ଅଧିକ ଉନ୍ନତି ସମ୍ଭବ କରିବାରେ ଏବଂ ଅଧିକ ହେବାରେ ଆମକୁ ଉତ୍ସାହିତ କରିନେବ । ଆମକୁ ମିଥ୍ୟା ଏବଂ ସତ୍ୟ ମଧ୍ୟରୁ ସତ୍ୟଟିକୁ ହିଁ ସ୍ୱୀକାର କରିନେବାର ସାମର୍ଥ୍ୟ ପ୍ରଦାନ କରିବ, ମନ୍ଦକୁ ବର୍ଜନ କରି ଉତ୍ତମଟିକୁ ଗ୍ରହଣ କରିବାପାଇଁ ଉଦ୍‌ବୋଧିତ କରିନେବ । ଏହି ବର୍ତ୍ତମାନର ମନୁଷ୍ୟସମାଜକୁ ଯେ ବଦଳାଇ ଅଧିକ ମନୁଷ୍ୟଯୋଗ୍ୟ କରିବା ସମ୍ଭବ, ସେହି ବିଶ୍ୱାସଟିକୁ ଆଣିଦେବ ।

 

କେଡ଼େ ନିଶ୍ଚୟ ଏବଂ ନିର୍ଭର ଦେଇ ମାସ୍‌ଲୋଭ୍ କହିଛନ୍ତି ଯେ, ମନୁଷ୍ୟମାତ୍ରେ ସମସ୍ତଙ୍କର ପ୍ରକୃତିରେ ସତ୍ୟ, ସୌନ୍ଦର୍ଯ୍ୟ, ସଜ୍ଜନତା, ନ୍ୟାୟ, ଶୃଙ୍ଖଳା, ବିନୋଦପ୍ରିୟତା (Humour) ଏବଂ ପରିପୂର୍ଣ୍ଣତା ନିମନ୍ତେ ସର୍ବଦା ଏକ ବ୍ୟାକୁଳତା ରହିଛି । ସେମାନେ ମିଥ୍ୟା ନୁହେଁ, ସତ୍ୟର ହିଁ କାମନା କରୁଛନ୍ତି, ଅନ୍ଧ ନରହି ଆଖିକୁ ଖୋଲା ରଖିବାକୁ ଇଚ୍ଛା କରୁଛନ୍ତି । ମାତ୍ର, ଆମର ମୌଳିକ ସ୍ତରର ଆବଶ୍ୟକତା ଗୁଡ଼ିକର ଆଗ ପୂରଣ ହେଲେ ଏବଂ ଏକ ପୂର୍ଣ୍ଣ ଅନୁକୂଳ ସ୍ଥିତି-ପରିମଳ ସମ୍ଭବ ହୋଇ ପାରିଲେ ଯାଇ ସେମାନେ ସେହି ବ୍ୟାକୁଳତାଟିକୁ ଅନୁଭବ କରି ପାରିବେ । ଯଦି ମନୁଷ୍ୟର ପ୍ରକୃତି ମୂଳତଃ ମନ୍ଦ ହୋଇଥାନ୍ତା, ତେବେ ମଣିଷକୁ କୌଣସି ପ୍ରକାର ସ୍ୱାଧୀନ ଜୀବନ ମୋଟେ ଭଲ ଲାଗନ୍ତାନାହିଁ । ମନଃଚିକିତ୍ସାରୁ ଜଣେ ମନୋବିଜ୍ଞାନୀର ଯେଉଁ ଅଭିଜ୍ଞତା ମିଳିଥାଏ, ତଦ୍ଦ୍ୱାରା ମନୁଷ୍ୟ ନିଜକୁ ସତକୁ ସତ ଖୋଲି ଦେବାକୁ ଇଚ୍ଛା କରେ, କୌଣସି ପ୍ରକାରେ ଉପହସିତ ହେବାକୁ ମୋଟେ ଭୟ କରେନାହିଁ, ଭର୍ତ୍ସନା ଶୁଣେ ଏବଂ ଦଣ୍ଡ ବି ପାଏ । ସିଏ ସଂପୂର୍ଣ୍ଣ ଭାବରେ ଆପଣାକୁ ବିବସନ କରିଦେଇ ଶିଖେ । ଆପଣାର ଗୁପ୍ତ ଘାଆମାନଙ୍କୁ ଦେଖିବାକୁ ଆରମ୍ଭ କରେ, ଯାହାକୁ ସିଏ ଏଯାଏ ସକଳ ଅବସରରେ ଲୁଚାଇ ରଖି ହିଁ ଆସିଥିଲା । ସତେଅବା ଏକ ଯଥାର୍ଥ ବନ୍ଧୁଠାରୁ ଶିକ୍ଷା କରିଥାଏ ଯେ, ସିଏ ମଧ୍ୟ ଏକ ଲମ୍ଫ ଦେଇପାରିବ ଏବଂ ତଥାପି କୌଣସି ଆଘାତ ପାଇବନାହିଁ ଏବଂ ତା’ପରେ ସେ ଆଦୌ ଉପହସିତ ଅନୁଭବ କରେନାହିଁ, କୌଣସି ଦଣ୍ଡ ମଧ୍ୟ ପାଏନାହିଁ ।

 

ତେଣୁ, ରୋଗ କହିଲେ ସତକୁ ସତ ଆମେ ସାଧାରଣତଃ ଯାହା ବୁଝିଥାଉ, ମାନସିକ କ୍ଷେତ୍ରରେ ମଧ୍ୟ କ’ଣ ମାତ୍ର ସେତିକିକୁ ବୁଝାଇବ ? ଗୋଟାଏ ବିକାରଗ୍ରସ୍ତ ଏବଂ ନାନାବିଧ କର୍ତ୍ତୃତ୍ୱଦ୍ୱାରା ସଦା ପ୍ରପୀଡ଼ିତ ତଥାକଥିତ ସମାଜକୁ ଯେଉଁମାନେ ଅନ୍ତଃମନରେ ସ୍ୱୀକାର କରିନେଇ ପାରନ୍ତି ନାହିଁ ଏବଂ ଯେତେ ପ୍ରତିରୋଧ କରିବାକୁ ଇଚ୍ଛା କରୁଥିଲେ ମଧ୍ୟ ତଥାପି ତାହାର ମୁକାବିଲା କରି ପାରନ୍ତି ନାହିଁ, ଏବଂ ପୀଡ଼ା ଭୋଗ କରନ୍ତି, ସେମାନଙ୍କୁ କ’ଣ ଆମେ ରୋଗୀ ବୋଲି କହିବା-? ଏହି ସନ୍ଦର୍ଭରେ ଶ୍ରୀଯୁକ୍ତ ମାସ୍‌ଲୋଭ୍ Metapathology ଶବ୍ଦଟିର ପ୍ରୟୋଗ କରିଛନ୍ତି । ପ୍ରତିବାଦୀ ମନୁଷ୍ୟଟିଏ ତଥାପି ପାରେନାହିଁ ଏବଂ ଯନ୍ତ୍ରଣା ଭୋଗ କରୁଥାଏ । ମୋଟେ ଖାପ ଖାଇପାରେ ନାହିଁ ଏବଂ ମନଃସ୍ତରରେ ଭାରି ଚହଲି ଯାଏ । ପୁରୁଣା ମନୋକ୍ଷେତ୍ରର ବୈଦ୍ୟମାନେ ତାକୁ ନାନା ଆଦିମ ଅସାଧନର ପ୍ରୟୋଗ କରି ବଶ କରି ରଖିବାର ମନ୍ଦ ଚେଷ୍ଟା କରନ୍ତି । ଭାରି ଅବଶ କରି ଦିଅନ୍ତି । ତେଣୁ, ଅସଲ ଏକ ସୁସ୍ଥ ଜୀବନର ଆସ୍ପୃହା ରହିଥିବା ଜଣେ ବ୍ୟକ୍ତି ଏହି ଉପସ୍ଥିତ ସମାଜଭିତରେ ମୋଟେ ଶାନ୍ତ ହୋଇ ରହି ପାରେନାହିଁ । ତା’ ଭିତରେ ତେଣୁ ସର୍ବଦା କାହାଣ କାହାଣ ଅସନ୍ତୋଷ ଓ ଅଭିଯୋଗ ପୂରି ରହିଥାଏ । ଏହି grumbling କୁ ମାସ୍‌ଲୋଭ୍ higher grumbling ବୋଲି କହିଛନ୍ତି । ଅସଲ ବୈଜ୍ଞାନିକ ସେହି ସତକଥାଟିକୁ ଅବଶ୍ୟ ବୁଝିବ । ତେଣୁ ବୈଜ୍ଞାନିକର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବ୍ୟକ୍ତିଟି ହେଉଛି ଆଗ; ଆମେ ପ୍ରଥମେ ସେହି ବୈଜ୍ଞାନିକକୁ ହିଁ ବୁଝିବା ଓ ତେବେ ଯାଇ ତା’ର ବିଜ୍ଞାନଟିକୁ ବୁଝିପାରିବା ।

 

ସୁତରାଂ ସୁସ୍ଥ ବ୍ୟକ୍ତି ମାନଙ୍କ ନିମନ୍ତେ ଯେଉଁ therapy ଅର୍ଥାତ ଚିକିତ୍ସା ଓ ଶୁଶ୍ରୂଷା, ସେଇଟିକୁ ମାସ୍‌ଲୋଭ୍ growth therapy ବୋଲି କହିଛନ୍ତି । ତାଙ୍କର ବିଶ୍ଳେଷଣ ଅନୁସାରେ ଏ ଯୁଗରେ ଉପଲବ୍ଧ ହୋଇଥିବା ଯେଉଁ ବିତ୍ତ ଏବଂ ସୁଖର ପ୍ରାଚୁର୍ଯ୍ୟ, ତାହା ବହୁତ ବହୁତ ନୂତନ ସମସ୍ୟାକୁ ମଧ୍ୟ ସୃଷ୍ଟି କରୁଛି । ସେହି ସମସ୍ୟାଗୁଡ଼ିକ ଆମର ଏହି ସଭ୍ୟତାଟିକୁ ମଧ୍ୟ ଭାଙ୍ଗି ଚୂନା କରିଦେବ ବୋଲି ଅନେକେ ଆଶଙ୍କା କଲେଣି । ମାତ୍ର, ମାସ୍‌ଲୋଭ୍ କହୁଛନ୍ତି ଯେ, ନାଇଁ ନାଇଁ, ସେହି ବସ୍ତୁସ୍ଥିତିଟି ଆମକୁ ସୂଚାଇ ଦେଉଛି ଯେ, ପୃଥିବୀରେ ମନୁଷ୍ୟମାନଙ୍କର ଚେତନା ବସ୍ତୁତଃ ଏକ ଉଚ୍ଚତର grumble ବା ଅସନ୍ତୋଷର ସ୍ତରକୁ ଉତ୍‌ଥିତ ହୋଇଯାଉଛି । କେଡ଼େ ସଂବେଦନାପୂର୍ଣ୍ଣ ଭାବରେ ଏହି ବିତ୍ତ ତଥା ସୁଖର ପ୍ରାଚୁର୍ଯ୍ୟରୁ ଉପୁଜୁଥିବା ସମସ୍ୟାଗୁଡ଼ିକ ଦାରିଦ୍ର୍ୟରୁ ଉପୁଜୁଥିବା ସମସ୍ୟାଗୁଡ଼ିକର ତୁଳନାରେ ତଥାପି ଅଧିକ ସ୍ୱାଗତଯୋଗ୍ୟ ବୋଲି ସେ ଘୋଷଣା କରିଛନ୍ତି । ମନୁଷ୍ୟର ସର୍ବମୂଳ ଆବଶ୍ୟକତାଗୁଡ଼ିକ ବିଷୟରେ ସ୍ମରଣ କରାଇ ଦେଇ ସେ ପୁନର୍ବାର କହିଛନ୍ତି–ସର୍ବପ୍ରଥମ ଆବଶ୍ୟକତା ପଇସା ନୁହେଁ, ମୋଟରଗାଡ଼ି ନୁହେଁ, ଟେଲିଭିଜନ ନୁହେଁ, ବିତ୍ତଗୁଡ଼ିକର ପ୍ରାଚୁର୍ଯ୍ୟ ମଧ୍ୟ ନୁହେଁ । ଅସଲ ହେଉଛି ଏଠି ସବୁ ନିଜର ବୋଲି ଲାଗିବ, ପୃଥିବୀ ଘର ବୋଲି ଅନୁଭବ ହେବ, ଏଠି ଆମର ସବୁଯାକ ଜୀବନ ଏକ ସ୍ଵାଭାବିକ ଭାତୃତ୍ଵର ବେଢ଼ ଭିତରେ ଗଅଁଠା ହୋଇ ରହିଛି ବୋଲି ମନେ ହେଉଥିବ । ପଇସା ଅବଶ୍ୟ ସାହାଯ୍ୟ କରିବ, କିନ୍ତୁ କେବଳ ଉକ୍ତ ମୂଳ ପ୍ରୟୋଜନ ଗୁଡ଼ିକର ସହାୟକ ହୋଇ ରହିଥିବ ।

 

ଉକ୍ତିଟିର ସମର୍ଥନରେ ମାସ୍‌ଲୋଭ୍ ଆଉ ଗୋଟିଏ ବହିରୁ ଉଦ୍ଧୃତିଟିଏ ଆଣି ଦେଇଛନ୍ତି–‘‘ଇତିହାସରେ ପ୍ରଥମଥର ପାଇଁ ମନୁଷ୍ୟ ହାତରେ ଯଥେଷ୍ଟ ସମ୍ବଳ ହୋଇଛି, ଯାହାର ଉପଯୋଗ ଦ୍ୱାରା ସମସ୍ତଙ୍କ ପାଇଁ ଖାଦ୍ୟର ଯୋଗାଡ଼ କରିହେବ, ସମସ୍ତଙ୍କ ନିମନ୍ତେ ବାସଗୃହର ବ୍ୟବସ୍ଥା ସମ୍ଭବ ହେବ, ସମସ୍ତଙ୍କ ପାଇ ସୁଖ ଓ ଆରାମ, ସମସ୍ତଙ୍କ ହାତରେ ଯଥେଷ୍ଟ ଅବସର ସମୟ । ଏଣୁ, ପ୍ରଶ୍ନଟି ହେଉଛି, ତେବେ ଆମ ମନୁଷ୍ୟମାନଙ୍କର ଲକ୍ଷ୍ୟଟି ପ୍ରକୃତରେ କ’ଣ ? ଯାବତୀୟ ଅଭାବରୁ ମୁକ୍ତ ହୋଇ ବର୍ତ୍ତମାନ ସେ ମୁକ୍ତ ହୋଇ ନିଜର ଜୀବନକୁ କିପରି ଅତିବାହିତ କରିବ ଓ ଅନୁରୂପ ଭାବରେ ବଞ୍ଚିବ ? ବର୍ତ୍ତମାନ ତ ସିଏ ପୂର୍ଣ୍ଣମୁକ୍ତ ଭାବରେ ମୁଁ କିଏ, ମୁଁ ଏହି ପୃଥିବୀରେ କ’ଣ ଖୋଜୁଛି ଏବଂ ମୋ’ର ସତ ‘ମୁଁ’ଟି ସତକୁ ସତ କ’ଣ ଆବଶ୍ୟକ କରୁଛି ଇତ୍ୟାଦି ପ୍ରଶ୍ନମାନ ପଚାରି ମଧ୍ୟ ପାରିବ ।’’ ହଁ, କେବଳ ପଚାରିବ ନାହିଁ; ପଚାରିବ ଉତ୍ତର ପାଇବ ଏବଂ ପାଇଥିବା ଉତ୍ତରଗୁଡ଼ିକ ଅନୁସାରେ ଜୀବନଟିଏ ବଞ୍ଚିବ । କାରଣ, ଆମ ଦ୍ୱାରା ଉପଲବ୍ଧ ଶିକ୍ଷାଟି ଅନୁସାରେ ଯଦି ଆମ ଜୀବନ ବଞ୍ଚିବାର ଆଚାରମାନେ ମଧ୍ୟ ଅନୁରୂପ ନହେବେ, ତେବେ ସେହି ଶିକ୍ଷା କେବଳ ନକଲି ବୋଲି ପ୍ରତିପାଦିତ ହେବ । ଅର୍ଥାତ୍, ସଂବୁଦ୍ଧ ମନୁଷ୍ୟମାନେ ଏକ ଭ୍ରାତୃତ୍ୱର ସୂତ୍ରରେ ସମ୍ମିଳିତ ହୋଇ ଆସିବେ: ସେମାନେ ଅନ୍ୟମାନଙ୍କର ସହାୟତା କରିବେ ଏବଂ ସେହି ଦିଗରେ ଉପଯୁକ୍ତ ଭାବେ ସମର୍ଥ ହୋଇ ପାରିବା ନିମନ୍ତେ ଆପଣା ଜୀବନକୁ ଉନ୍ନତ ଏବଂ ଆହୁରି ଉନ୍ନତ କରିପାରିବା ପାଇଁ ଚେଷ୍ଟା କରୁଥିବେ ।

 

ଏକ ଯଥାର୍ଥ ବ୍ୟକ୍ତିତ୍ୱ ମଧ୍ୟରେ ପୂର୍ଣ୍ଣ ନମନୀୟତା ରହିଥିବ, ଯଥେଷ୍ଟ ପରିପକ୍ୱତା ଅର୍ଜନ କରିଥିବାରୁ ସେ ଏକାବେଳେକେ ନାନା କ୍ଷେତ୍ରରେ ବିଚରଣ କରି ପାରୁଥିବ: ଏହି ସାମ୍ପ୍ରତିକତା ଭିତରେ ଅବଶ୍ୟ ଥିବ ଏବଂ ତା’ ଭିତରେ ଭବିଷ୍ୟତ ବିଷୟରେ ନକ୍ସାମାନେ ମଧ୍ୟ ରହିଥିବେ, ଆଗରେ ଆଦର୍ଶମାନେ ରହିଥିବେ, ସିଏ ଆପଣାର ଲକ୍ଷ୍ୟଟି ଅନୁସାରେ ନିଜକୁ ପ୍ରଶିକ୍ଷିତ କରି ନେଉଥିବ । ଜଣେ ସୁସ୍ଥ ବ୍ୟକ୍ତି କେବେହେଲେ ନିଜକୁ ଅନ୍ୟମାନଙ୍କ ଠାରୁ ଅଲଗା କରି ରଖିବନାହିଁ; କେବଳ ବଳହୀନ, ରୋଗଗ୍ରସ୍ତ ଏବଂ ଅପରିପକ୍ୱମାନେ ହିଁ ସେହିପରି କରିବାକୁ ବାଧ୍ୟ ହେଉଥିବେ । ବାସ୍ତବତଃ କର୍ତ୍ତୃତ୍ୱ ଉପରେ ନିର୍ଭର କରି ରହିଥିବା ସରକାରମାନେ ମାସ୍‌ଲୋଭ୍‌ଙ୍କ ମତରେ, ଏହି ନୂତନାଭିଳାଷୀ ମାନଙ୍କୁ ସହ୍ୟ କରି ପାରନ୍ତିନାହିଁ । ସେମାନଙ୍କୁ ନିୟନ୍ତ୍ରଣରେ ରଖିବାର ନାନା ମାର୍ଗ ବାହାର କରୁଥାନ୍ତି । ସରକାରମାନେ ସତ୍ୟକୁ ଡରନ୍ତି ଓ ମିଛରେ ଥାଆନ୍ତି । କାରଣ, ସତକଥାଟି ହେଉଛି ଯେ, ଶୀଘ୍ର ହେଉ ବା ବିଳମ୍ବରେ ହେଉ, ସେହି ସତ୍ୟ ସରକାରକୁ ଧ୍ୱଂସ ହିଁ କରିଦିଏ । ମନୁଷ୍ୟର ବ୍ୟକ୍ତିଗତ ଜୀବନରେ ମଧ୍ୟ ତାହାହିଁ ଅନେକ ସମୟରେ ଘଟେ । ସିଏ ମଧ୍ୟ ପ୍ରତିରୋଧ କରେ, ଅସ୍ୱୀକୃତିଗୁଡ଼ିକ ଭିତରେ ଛନ୍ଦି ହୋଇ ରହିଥାଏ ଏବଂ ନିଜଭିତରେ ବହୁତ କିଛିକୁ ଅବଦମିତ କରି ରଖିବାରେ ଲାଗିଥାଏ । କାରଣ ତା’ର ବର୍ତ୍ତମାନ ବ୍ୟକ୍ତିତ୍ୱସ୍ଥିତିଟି (ଯାହାକୁ ସିଏ ଆପଣାର ଅସଲ ଆତ୍ମା ବୋଲି ଭାବୁଥାଏ) ସେଇଟି ଅସଲ ସତ୍ୟଟି ସହିତ ପରିଚୟ ଘଟିଲେ ପ୍ରକୃତରେ ବିଧ୍ୱସ୍ତ ହୋଇଯିବାର ଏକ ପୂର୍ଣ୍ଣ ଆଶଙ୍କା ରହିଥାଏ ।

 

ମାସ୍‌ଲୋଭ୍ କହିଛନ୍ତି, ସେହିପରି ଗୋଟିଏ ମନ୍ଦ ସମାଜ ତଥା ଜଣେ ମନ୍ଦ ବ୍ୟକ୍ତି ଅସଲ ଉଦ୍‌ଘାଟନକାରୀ ସତ୍ୟଟି ଦ୍ୱାରା ଧ୍ୱସ୍ତ ହୋଇ ଯାଇଥାନ୍ତି । ଅପର ପକ୍ଷରେ, ଏକ ଉତ୍ତମ ସମାଜ, ବ୍ୟକ୍ତି, ଦାମ୍ପତ୍ୟ ସମ୍ବନ୍ଧ ଏବଂ ବନ୍ଧୁତା ସେହି ସତ୍ୟଟି ଦ୍ୱାରା ଅଧିକରୁ ଅଧିକ ବଳଯୁକ୍ତ ହିଁ ହୁଅନ୍ତି । ଏହି ପ୍ରସଙ୍ଗରେ ମାସ୍‌ଲୋଭ୍ ସେହି ବ୍ୟକ୍ତିକୁ the unbribable man ବୋଲି କହିଛନ୍ତି, ଯାହାକୁ କି କୌଣସି ପ୍ରକାର ଉତ୍କୋଚର ପ୍ରଲୋଭନ ଦ୍ୱାରା ବଶ କରାଯାଇ ପାରେନାହିଁ ଏବଂ, ପୁସ୍ତକଟିର ଶେଷରେ ସେ ଉପସଂହାର କରି କହିଛନ୍ତି ଯେ, ଆମ ଜୀବନର ଯେକୌଣସି ଅଗ୍ରଗତି ଅର୍ଥାତ୍ ଉନ୍ନୟନର କ୍ଷେତ୍ରରେ ସର୍ବପ୍ରଥମ କଥାଟି ହେଉଛି ଯେ ଆମେ ଆମର ମନୋଗତ କ୍ଷେତ୍ରଟିରେ ଅଧିକରୁ ଅଧିକ ସୁସ୍ଥ ହେଉଥିବା,- ଆମର ଅସଲ ପୁଞ୍ଜି ଆମ ପ୍ରକୃତ ଆତ୍ମାଟିର ଉନ୍ନତିବିଧାନ କରୁଥିବା । ତାହାହିଁ ଆମକୁ ଆମ ଜୀବନର ସର୍ବବିଧ ଉତ୍ତମ ଆଡ଼କୁ ଅଗ୍ରସର କରାଇ ନେଉଥିବ । ପୁନଶ୍ଚ, ଜଣେ ଜଣେ ବ୍ୟକ୍ତିର ପରିଚୟରେ ଆମେ ନିଜର ଜୀବନକୁ ଯେତିକି ଅଧିକ ବିଶ୍ୱସନୀୟ ଭାବରେ ବଞ୍ଚୁଥିବା, ସେତିକି ସେତିକି ଆମ ଚରିତ୍ରଗତ ଶୈଳୀଗୁଡ଼ିକର କ୍ଷେତ୍ରରେ ପରସ୍ପରଠାରୁ ଭିନ୍ନ ହେବା,- ସ୍ୱଭାବରେ ଭିନ୍ନ ହେବା ଓ ଆମ ଅନ୍ତଃପ୍ରେରଣାଗୁଡ଼ିକର ଅଭିବ୍ୟକ୍ତିରେ ମଧ୍ୟ ଭିନ୍ନ ହେବା । ସବୁ ବ୍ୟକ୍ତି ସବୁଥିରେ ଏକମତ ହେବେ, ଏକାଭଳି ଆଖିରେ ଏହି ଜୀବନକୁ ଦେଖିବେ,- ଏଇଟି ତ କେବଳ ଏକ ଅସୁସ୍ଥ ଜୀବନଚଳଣିର ପରିଚୟ ହିଁ ଆଣି ଦେଇଥାଏ ।

 

ନାଇଁ, ସବୁ ବ୍ୟକ୍ତି କଦାପି ସବୁକଥାରେ ଏକମତ ହେବେନାହିଁ । ଜଣେ ବ୍ୟକ୍ତି ତା’ ବ୍ୟକ୍ତିତ୍ୱ ଦ୍ୱାରା ବିବେକଟିଏ ପାଇଛି ଓ ତାହାରି ଉପରେ ଛିଡ଼ା ହୋଇ ଆପେ ସବୁକିଛିର ବିଚାର କରି ପାରୁଛି ଏବଂ ସେହି କାରଣରୁ ଆପଣାର ମତଟିଏ ଦେଇପାରୁଛି, ସେଇଟି ସୁସ୍ଥତାର ପରିଚାୟକ ଏବଂ, ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ ସତ୍ୟଟି ହେଉଛି ଯେ, ଆମେ ଏପରି ଗୋଟିଏ ସମାଜରେ ବାସ କରୁଛୁ, ଯେଉଁଥିରେ ଅନ୍ୟ ବ୍ୟକ୍ତିମାନେ ମୋ’ର ଭିନ୍ନ ମତଟିର ସ୍ୱାଗତ କରୁଛନ୍ତି ଏବଂ ମୁଁ ମଧ୍ୟ ସେମାନଙ୍କର ସ୍ୱ-ମତଗୁଡ଼ିକୁ ଆଦୌ କୌଣସି ପ୍ରକାରେ ବିଚଳିତ ନହୋଇ ଶୁଣୁଛି ଏବଂ ସ୍ୱାଗତ କରୁଛି । ଖୁବ୍ ମନେ ରହିବା ଉଚିତ ଯେ, ନିଜନିଜର ମତମାନେ ରହିଥିଲେ ମଧ୍ୟ ଆମେ ପରସ୍ପର ପାଖରେ ସର୍ବଦା ନମନୀୟ ରହିଛୁ । ମୋ’ ନିଜର ମତ ହିଁ ଠିକ୍ ବୋଲି ନିଜ ଭିତରେ ମୋଟେ ଅଡ଼ି ବସିନାହୁଁ । ତେଣୁ ନିଜ ମତ ସମେତ ସବୁ ମତକୁ ସନ୍ତୁଳିତ କରି ଦେଖିପାରୁଛୁ ଏବଂ ତେଣୁ ଏକ ସର୍ବମାନ୍ୟ ସତ୍ୟ ବି ସମ୍ଭବ ହୋଇ ପାରୁଛି । ତଦ୍ଦ୍ୱାରା ଆମ ନିଜନିଜର ମତଗୁଡ଼ିକ ଲାଭବାନ୍ ହେଉଛନ୍ତି ଓ ଅଧିକତର ସମୃଦ୍ଧି ମଧ୍ୟ ଲାଭ କରୁଛନ୍ତି । ଅନ୍ୟ ପକ୍ଷରେ, ଯେଉଁଠାରେ ଜଣେ କିମ୍ବା କେତେଜଣେ ତା’ର ବା ସେମାନଙ୍କର ମତମାନଙ୍କୁ ଅନ୍ୟ ସମସ୍ତଙ୍କ ଉପରେ ଆଣି ଲଦି ଦେଉଛନ୍ତି ଓ ନିଜ ନିଜର କୌଣସି ସ୍ଥିର ସୁଚିନ୍ତିତ ମତ ନଥିବାରୁ ଆଉମାନେ ମଧ୍ୟ ଉକ୍ତ ବଳୁଆମାନଙ୍କର ମତକୁ ଯେପରି ସେହିପରି ମାନି ନେଉଛନ୍ତି, ସେଠାରେ ଗୋଷ୍ଠୀଜୀବନରେ ବହୁ ପ୍ରମାଦ ଆସି ପହଞ୍ଚିବାର ଆଶଙ୍କାମାନ ରହିଛି । କର୍ତ୍ତୃତ୍ୱଟା ଖୁବ୍ ମୁହଁ ପାଇଯାଉଛି ଏବଂ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱଟିଏ ମୁକୁଳିତ ହୋଇ ଆସିବାର ପ୍ରକ୍ରିୟାରେ ବାଧାମାନେ ଆସି ପହଞ୍ଚି ଯାଉଛନ୍ତି । ବହୁତ କିଛି ବାଉଳା ହୋଇଯାଉଛି ଏବଂ ଅସତ୍ୟମାନେ ସତ୍ୟର ନାନା ପ୍ରତୀତି ଦେଇ ମନୁଷ୍ୟମାନଙ୍କର ଜୀବନଗୁଡ଼ିକୁ ବଡ଼ ସନ୍ତାପିତ କରି ପକାଉଛନ୍ତି । ଏହି ସାଂପ୍ରତିକ ପୃଥିବୀ ଉପରେ ଆଖି ପକାଇଲେ ତାହାର ବହୁ ଦୃଷ୍ଟାନ୍ତ ନିଶ୍ଚୟ ଦିଶିଯିବ ।

 

ମାନବୋଦ୍ଦିଷ୍ଟ ମନୋବିଜ୍ଞାନର ଏହିସବୁ ନୂଆ ନୂଆ ସନ୍ଦର୍ଭ ମନୁଷ୍ୟମାନଙ୍କୁ ଗୋଟାଏ କାର୍ଯ୍ୟସିଦ୍ଧକାରୀ ଗୁଳାରେ ଆଣି ପକାଇ ତଥାକଥିତ ବୈଜ୍ଞାନିକ ପଦ୍ଧତିଗୁଡ଼ିକୁ ହିଁ ମନୋବିଜ୍ଞାନର ପାରମ୍ପରିକ ପ୍ରବୀଣମାନଙ୍କୁ ଅତ୍ୟନ୍ତ ଅଶ୍ୱସ୍ତିକର ବୋଧ ହେବ । ଏହାଦ୍ୱାରା ଶୁଦ୍ଧ ବିଜ୍ଞାନ ଏବଂ ମନୋବିଜ୍ଞାନ ମଧ୍ୟରେ ଦାର୍ଶନିକ ୟାଡ଼ୁସାଡ଼ୁ ଗୁଡ଼ିଏ ଆସି ପଶିଯାଉଛି ଏବଂ ତଦ୍ଦ୍ୱାରା ଘୋର ଶୃଙ୍ଖଳାଭଙ୍ଗ ଇତ୍ୟାଦି ହେଉଛି ବୋଲି ସେମାନେ ଆପତ୍ତି କରିବେ । ପୁନଶ୍ଚ, ପୂର୍ବରୁ ଚଳି ଆସୁଥିବା ପରମ୍ପରାକୁ ଅତିକ୍ରମ କରିଯାଇ ଆବ୍ରାହାମ୍ ମାସ୍‌ଲୋଭ୍ ଯେଉଁପରି ଅସୁସ୍ଥ ମନୁଷ୍ୟମାନଙ୍କୁ ନ ଲୋଡ଼ି ସୁସ୍ଥ ମନୁଷ୍ୟମାନଙ୍କୁ ଆଶୟ କରି ମନୁଷ୍ୟବ୍ୟକ୍ତିତ୍ୱର ଆକଳନମାନ କରିଛନ୍ତି, ସେଇଟି ମଧ୍ୟ ବହୁସଂଖ୍ୟକ ସାଇକିଆଟ୍ରିକ୍ ଚିକିତ୍ସକଙ୍କୁ ବେଶ୍ ବିଚଳିତ କରିଦେବ । କିନ୍ତୁ, ମନୁଷ୍ୟ ଯେ କେବଳ କୌଣସି ପ୍ରଚଳିତ ଛାଞ୍ଚ ସହିତ ଖାପ ଖାଇବାକୁ ଆପଣାର ସଂପୂର୍ଣ୍ଣ ଧର୍ମରୂପେ ମାନି ନିଏନାହିଁ, ପ୍ରତ୍ୟେକ ତଥାକଥିତ ରୋଗଗ୍ରସ୍ତ ଭିତରେ ଯେ ସର୍ବଦା ଏକ ସ୍ୱାସ୍ଥ୍ୟକାମୀ ଆଲୋକର ଆକାଙ୍‌କ୍ଷୀ ଦୋସରଟିଏ ରହିଛି, ମନୁଷ୍ୟକୁ ଏକ ବହୁଆୟାମଯୁକ୍ତ ସତ୍ତାରୂପେ ବୁଝି ପାରୁଥିବା ମନୋବିଜ୍ଞାନ ଏବଂ ଯେକୌଣସି ବିଜ୍ଞାନ ତାହା କ୍ରମେ ଘ୍ରାଣ କରି ପାରିଲାଣି । ମାସ୍‌ଲୋଭ୍‌ଙ୍କର କହିଥିବା ପରି ସୁସ୍ଥ ମନୋବିଜ୍ଞାନୀଟିଏ ଜଣେ ବ୍ୟକ୍ତି ମଧ୍ୟରେ ତା’ର ଯାବତୀୟ ଆପାତ ଅସୁସ୍ଥତା ସତ୍ତ୍ୱେ ସୁସ୍ଥ ମନୁଷ୍ୟତ୍ମାଟିର ନିଶ୍ଚୟ ବହୁବିଧ ଗନ୍ଧ ଅବଶ୍ୟ ପାଇପାରିବ । ଜଣେ ମଣିଷ ଖାଲି ଦେହଟିଏ ନୁହେଁ, କେବଳ ବହୁ ପ୍ରାଣବିକାରର ବୁଜୁଳାଟିଏ ମଧ୍ୟ କଦାପି ନୁହେଁ । ତୁଚ୍ଛା ଗୋଟାଏ ମାନସିକତା ମଧ୍ୟ ନୁହେଁ । ମନୁଷ୍ୟ ହେଉଛି ଗୋଟିଏ, ଅନୁକ୍ଷଣ ଆପଣାକୁ ଗଠିତ କରି ନେବାର ପ୍ରାୟ ଏକ ସହଜାତ ବ୍ରତ ଦ୍ୱାରା ପରିପ୍ରେରିତ ହୋଇ ନିଜ ଭିତରେ ପୂର୍ବର ବହୁତ କିଛିକୁ ଭାଙ୍ଗି ବି ଦେଉଥିବାର ଗୋଟିଏ ସମଗ୍ର, ନୂଆ କିଛି ପାଇବାର ଏକ ଉନ୍ମେଷ ପାଇ ପୁରୁଣା କେତେ କ’ଣକୁ ଛାଡ଼ି ବାହାରି ଯାଉଥିବାର ସମଗ୍ରଟିଏ । ସେହି ସମଗ୍ରଟି ହେଉଛି ତାହାର ଆତ୍ମା ।

 

ସେହି ଆତ୍ମାର ସର୍ବଦା ଗୋଟିଏ ଜୀବନଦର୍ଶନ ରହିଛି । ଏକ ନିର୍ଭରଶିଳା ଅବଶ୍ୟ ରହିଛି, ଯାହାକୁ ଆପଣାର ଜୀବନାକାଶ ଉପରେ ଦେଖି ଦେଖି ସିଏ ଆପଣାର ଠାବ ପାଉଛି । ତା’ ନହେଲେ କୌଣସି ଜଣେ ମନୁଷ୍ୟର ଜୀବନ ମଧ୍ୟ ଆଦୌ ସମ୍ଭବ ହୁଅନ୍ତା ନାହିଁ । ସେହିପରି ଏକ ସମଗ୍ରବୋଧଟିଏ କେଡ଼େ ଅନୁରାଗରେ ନିଜ ଆଗରେ ଗୋଟିଏ ଲକ୍ଷ୍ୟ ବୋଲି ଥାପି ରଖିଛି ବୋଲି ଆମ ଜୀବନଯାକର ଏହି ଯାବତୀୟ ହସ ଓ କାନ୍ଦ, ହାରିବା ଏବଂ ଜିତିବା ତଥା ଝୁଣ୍ଟିବା ଏବଂ ଉଠିବାର ଏକ ମୂଲ୍ୟ ଥିବାର ଏବଂ ଆହୁରି କେତେ ବି ଛିଣ୍ଡି ଯାଉଥିବାର ଏକ ଅସରନ୍ତି ଖେଳ ଅବିଶ୍ରାନ୍ତ ଲାଗି ରହିଛି ! ଏବଂ ସମଗ୍ରତଃ ଏହି ଜୀବନ ଭଲ ଲାଗୁଛି, ସଂସାର ଆପଣାର ଲାଗୁଛି, ମାତ୍ର କେତେଟା ଦିନ ପାଇଁ ଆମେ ଏହି ପୃଥିବୀକୁ ଆସିଛୁ ବୋଲି ମନେ ପକାଇଦେଲା ବେଳକୁ ଆଦୌ ମୁଣ୍ଡ ବାଡ଼େଇ ପକାଇବାକୁ ମନ ହେଉନାହିଁ । ଏଠାରେ ସବୁକିଛି ଦୁଇଟା ଦିନପାଇଁ ବୋଲି ଜ୍ଞାନୀମାନେ କହିବାରେ ଲାଗିଥିଲେ ମଧ୍ୟ ତଥାପି ଆମେ ପ୍ରତ୍ୟେକେ ବନ୍ଧୁ ଖୋଜୁଛୁ, ବନ୍ଧୁ ହୋଇ ପାରୁଛୁ, କୃପଣଙ୍କ ପରି ଜମା କରୁଛୁ ଓ ଅକୃପଣ ହୋଇ ଦେଇ ବି ପାରୁଛୁ । ଲୁଟିନେଇ ପାରୁଛୁ ଓ ଭରି ଦେଇ ପାରୁଛୁ ।

 

ସିଗ୍‌ମୁଣ୍ଟ୍ ଫ୍ରଏଡ୍‌ଙ୍କ ସମେତ ଯେଉଁ ମନୋବିଶ୍ଳେଷକ ବିଜ୍ଞାନୀମାନେ ଦୀର୍ଘଦିନ ପୃଥିବୀରେ ବଞ୍ଚି ରହି ଆପଣାର ଜିଜ୍ଞାସାମାନଙ୍କୁ ଅବ୍ୟାହତ ରଖି ପାରିଛନ୍ତି, ସେମାନେ ଆପଣା ମାର୍ଗର ନାନା ପାହାଚକୁ ଉଠୁ ଉଠୁ ଆପେ ମଧ୍ୟ କେତେ କେତେ ପ୍ରକାରେ ଅଭିବୃଦ୍ଧି ଲାଭ କରି ପାରିଥିଲେ । ଆପେ ଫ୍ରଏଡ୍‌ ମଧ୍ୟ ତାଙ୍କର ଆହୁରି କେତେ ସମସାମୟିକ ଉତ୍ସାହୀ ବିଜ୍ଞାନୀଙ୍କ ପରି ତତ୍କାଳୀନ ଭୌତିକ ବିଜ୍ଞାନର ଲାବୋରେଟରି ପଦ୍ଧତିଚୟର ଅନୁସରଣ କରି ମନୁଷ୍ୟଜୀବର ଅନ୍ତର୍ଗତ ସଦରମଫସଲଗୁଡ଼ିକୁ ଆବିଷ୍କାର କରିବେ ବୋଲି ବିଧିବଦ୍ଧ ଭାବରେ ଗୋଟିଏ ଘୋଷଣା କରିଥିଲେ । ସେହି ଧାରାରେ ସମ୍ଭବତଃ ଆରମ୍ଭ ବି କରିଥିଲେ: ମାତ୍ର କ୍ରମଶଃ ଯେତିକି ଯେତିକି ଅଗ୍ରସର ହେଲେ ଅର୍ଥାତ୍ ପରିପକ୍ଵତା ଲାଭ କରି ସେ ବିଚ୍ଛିନ୍ନଗୁଡ଼ିକୁ ଏକତ୍ର ଗୋଟାଏ କରି ଦେଖିବାରେ ସମର୍ଥ ହେଲେ, ସେତିକି ନିଜ ଭିତରେ ମଧ୍ୟ ନୂଆ ନୂଆ ଅନ୍ୟ ଆଖିମାନଙ୍କୁ ପାଇଥିଲେ ଏବଂ ଆପଣାର ସତ୍ୟ ବିଷୟକ ଅନ୍ଦାଜଗୁଡ଼ିକରେ ସତେଅବା ପାହାଚ ପରେ ପାହାଚ ଉଠି ପାରିଥିଲେ । ପୁରୁଣା ସଂଜ୍ଞାଗୁଡ଼ିକରୁ ନୂଆ ନୂଆ ଅନ୍ୟ ବ୍ୟଞ୍ଜନାର ସନ୍ଦେଶ ପାଇ ପାରିଲେ । ପରବର୍ତ୍ତୀ କାଳର ତାଙ୍କର ଆଉଗୋଟିଏ ପୁସ୍ତକରେ ଆମେ ତାହାରି ଏକ ଉଦାହରଣ ଖୁବ୍ ଦେଖିବାକୁ ପାଇଥାଉ (୪) : “ଆମେ ଯାହାକୁ ଇଗୋ ବୋଲି କହିଆସିଛୁ, ସେଥିରେ ମଧ୍ୟ ଭିନ୍ନ ଭିନ୍ନ ସ୍ପଷ୍ଟ ଏକାଧିକ ବିଭାଜନକାରୀ ଗାରମାନ ତଥାପି ରହିଥିବା ପରି ମନେ ହେଉଛି । ମନେ ହେଉଛି, ଯାବତୀୟ ପ୍ରକୃତ ଅର୍ଥରେ ଇଗୋର କେବଳ ଗୋଟିଏ ପ୍ରକାରର ସ୍ଥିତି ହିଁ ରହିଛି-ତାହା ଏକ ଅସାଧାରଣ ସ୍ଥିତି ବୋଲି ଅବଶ୍ୟ ସ୍ୱୀକାର କରିବାକୁ ହେବ-ମାତ୍ର ସେଇଟିକୁ ଏକ ବିକାରଯୁକ୍ତ (pathological) ସ୍ଥିତି ବୋଲି କହି କଦାପି ଅପବାଦ ଦେଇ ହେବନାହିଁ, -ଏବଂ, ଆପଣାର ସେହି ସ୍ଥିତିରେ ଇଗୋ ବିକାରଗ୍ରସ୍ତ ହୋଇ ଆଦୌ କିଛିହେଲେ କରେନାହିଁ । ସତ୍ତାର ସର୍ବୋଚ୍ଚ ସ୍ଥିତିରେ କେବଳ ପ୍ରୀତି ହିଁ ପ୍ରୀତି, ଏବଂ ସେହି ଅବସ୍ଥାରେ ଇଗୋ ଓ ବହିସଂସାରର କୌଣସି କିଛି ମଧ୍ୟରେ କିଛିହେଲେ ଭେଦ ନଥାଏ, ଆମର ଏହି ବାହାରର ଇନ୍ଦ୍ରିୟମାନେ ଆମକୁ ଯେତେ ଯାହା ତଥ୍ୟପ୍ରମାଣ ଯୋଗାଇଦେଇ କହୁଥାଆନ୍ତୁ ପଛକେ, ଯେଉଁ ମଣିଷଟି ପ୍ରକୃତରେ ପ୍ରୀତିରେ ଥାଏ, ସିଏ ବସ୍ତୁତଃ ଏହାହିଁ ଘୋଷଣା କରୁଥାଏ ଯେ, ‘ମୁଁ’ ଓ ‘ତୁମ’ ଭିତରେ ଆଦୌ କୌଣସି ଦୂରତା ନାହିଁ, କାରଣ ଆମେ ସତକୁ ସତ ଗୋଟିଏ ଏବଂ, ସେଇଟି ଆମର ବାସ୍ତବ ଜୀବନର ଏକ ପ୍ରକୃତ ଘଟଣା ପରି ଆମର ଇଗୋ ତାହାରି ଅନୁସାରେ ନିଜ ଜୀବନରେ ଆଚରଣ କରିବାପାଇଁ ମଧ୍ୟ ପ୍ରସ୍ତୁତ ହୋଇ ରହିଥାଏ ।’’

 

ତେଣୁ, ଏହିପରି ଭାବରେ, ଏକ ସୁସ୍ଥ ବ୍ୟକ୍ତିତ୍ୱର ପଥ ହେଉଛି ଏକ ସ୍ଵଭାବ- ସମ୍ଭାବନର ହିଁ ଗୋଟିଏ ପଥ, ଗୋଟିଏ ସତତସଚଳ ସତତସମ୍ଭବନର ପଥ ।ତା’ର ସମ୍ମୁଖରେ ଶିଖର ପରେ ଶିଖରମାନେ ଦୃଶ୍ୟ ହୋଇ ଆସୁଥିବେ । ଶିଖରମାନେ ହିଁ ଟାଣି ନେଇ ଯାଉଥିବେ । ଆବ୍ରାହାମ୍ ମାସ୍‌ଲୋଭ୍‌ଙ୍କର ପରିଭାଷାରେ ଆମେ ତାହାକୁ ଆତ୍ମବାସ୍ତବାୟନ ଓ ଆତ୍ମଉପଲବ୍ଧିର ସେହି ପ୍ରକ୍ରିୟାଟି ବୋଲି କହିଲେ ଶ୍ରୀଯୁକ୍ତ ମାସ୍‌ଲୋଭ୍‌ ମଧ୍ୟ ନିଶ୍ଚୟ କୌଣସି ଆପତ୍ତି କରିବେନାହିଁ । ପ୍ରତ୍ୟେକ ମୁହୂର୍ତ୍ତରେ ବାଧା ଓ ପତିକୂଳତାମାନେ ରହିଥିବେ, ତଥାପି ଆରୋହଣର ଅବିରାମ ପ୍ରକ୍ରିୟାଟିଏ ଲାଗି ରହିଥିବ । ଚାଲିଛି ବୋଲି କୌଣସି ଖାସ୍ ସଚେତନତା ନଥିବ । କେତେଯାଏ ଆସିଲି ଓ ଆହୁରି କେତେ ବାକି ରହିଲା ବୋଲି ଭାବିବାକୁ କିମ୍ବା ହିସାବ କରିବାକୁ ଅବକାଶ ନଥିବ । ଏତେ କଷଣମୁକ୍ତ ଓ ସାବଲୀଳ ଭାବରେ ଆରୋହଣଟି ଲାଗି ରହିଥିବ ଯେ, ସତେଅବା ମୋ’ ଭିତରେ ହିଁ ସେହି ଶିଖରମାନେ ରହି ଆଖିସାମନାର ସେହି ଶିଖରଗୁଡ଼ିକ ଉଦ୍ଦେଶ୍ୟରେ ଉଦ୍‌ବୁଦ୍ଧ କରି ନେଉଛନ୍ତି ବୋଲି ପ୍ରତ୍ୟକ୍ଷ ହେବ । ସମ୍ଭବତଃ ଆଦର୍ଶବାଦୀମାନେ ହିଁ ମୋ’ ସାମନାରେ ଆଦର୍ଶଟିଏ ଅଛି ଏବଂ ମୁଁ ସେଇଠାରେ ଯାଇ ପହଞ୍ଚିବି ବୋଲି ପଣ କରି ବାଟଟିଏ ଚାଲୁଛି ବୋଲି କୌଣସି ନା କୌଣସି ବାହାନାରେ ମିଛସଚେତନ ହୋଇ ରହିଥାଆନ୍ତି । ସେଥିରୁ ଏକପ୍ରକାର ଆନନ୍ଦ ବି ଲାଭ ହୁଏତ କରୁଥାନ୍ତି । ସୁସ୍ଥ ବ୍ୟକ୍ତିଟିଏ ଆଦର୍ଶଟିଏ ବଞ୍ଚେ ଏବଂ ବାଟଟିଏ ଚାଲେ । ଅତ୍ୟନ୍ତ ସ୍ୱଭାବସଚେତ ଭାବରେ ଏବଂ ସେଥିରୁ ଏକ ସ୍ୱାଭାବିକ ଆନନ୍ଦ ଲାଭ କରୁଥାଏ-

 

ସୁସ୍ଥ ଶିଖରଯାତ୍ରୀଟିଏ କଦାପି ଜଣେ ସଜ୍ଜନ ହେବାଲାଗି ମନ କରିବନାହିଁ । ଆମ ସଂସାରର ସଜ୍ଜନମାନେ ସତକୁ ସତ ଜଣେ ସତ୍-ଜନ ହେବା ନିମନ୍ତେ ହୁଏତ ବେଶୀ କିଛି କରନ୍ତିନାହିଁ । ଅନ୍ୟମାନଙ୍କର ଆଖିରେ ଜଣେ ସଜ୍ଜନ ଭଳି ଦେଖାଯିବେ ବୋଲି ସେମାନେ ଯାହାକିଛି ପ୍ରୟାସ କରୁଥାଆନ୍ତି । ନିଜର ସତ ମୁଁ’ଟି ପାଖରୁ ଲୁଚି ବୁଲୁଥାନ୍ତି ଏବଂ ବାହାରେ ଅଭିନୟ କରନ୍ତି । ସେହି ଅନୁସାରେ ଆବଶ୍ୟକ ଶୃଙ୍ଖଳାଦିକୁ ଖୁବ୍ ମାନିବାରେ ଲାଗିଥାନ୍ତି । ଏକ ସୁସ୍ଥ ବ୍ୟକ୍ତିତ୍ୱ ଅଭିନୟ କରେନାହିଁ; ନିଜ ଭିତରେ ନିଜ ପାଖରେ ନୁହେଁ ବା ବାହାରେ ଅନ୍ୟମାନଙ୍କ ଆଗରେ ମଧ୍ୟ ନୁହେଁ । ତା’ ଜୀବନର ନକ୍ସାଟିରେ ସଦର ଓ ମଫସଲ ବୋଲି ମୋଟେ କିଛି ନଥାଏ-। ଆଠପହରୀ ଓ ପୋଷାକୀ ବୋଲି ଅଲଗା ଅଲଗା ଦୁଇଟା ହୋଇ କିଛି ନଥାଏ । ତେଣୁ, ଜଣେ ସୁସ୍ଥ ବ୍ୟକ୍ତି ଯେଉଁଠାକୁ ଯାଏ, ସେଠାରେ ବାତାବରଣଟିକୁ କେଡ଼େ ସହଜ ଓ ସିଧା କରିଦିଏ; ଆପଣାର ମୋଟେ କୌଣସି ସଚେତନ ପ୍ରୟାସକୁ ଖଟାଇ ନୁହେଁ, ସଂପୂର୍ଣ୍ଣ ଭାବରେ କେବଳ ନିଜ ଉପସ୍ଥିତିଟି ଦ୍ୱାରା । ସିଏ ଏପରି କିଛି କରୁଛି ବୋଲି ଜାଣି ମଧ୍ୟ ପାରେନାହିଁ । ଯେକୌଣସି ମେଳ ଭିତରେ ଆସି ବସିଗଲେ ସେଠା ପବନଟା ସତେଅବା କୌଣସି କିମିଆର ସ୍ପର୍ଶରେ କେଡ଼େ ହାଲୁକା ହୋଇଯାଏ । ଅନେକ ଅସହଜ ମନୁଷ୍ୟଙ୍କୁ ସିଏ ନିଜର ସଂସର୍ଗଟି ଦ୍ୱାରା ସହଜ ହେବାରେ ବହୁତ ସାହାଯ୍ୟ ମଧ୍ୟ କାହିଁକି ନକରୁଥିବ !

 

ସୁସ୍ଥ ସହଜ ବ୍ୟକ୍ତିତ୍ୱଟିଏ ଯେଉଁଠିକୁ ଯାଏ, ସେଠାରେ ସଂପୃକ୍ତ ସମସ୍ତଙ୍କର ସତେଅବା ସାଙ୍ଗଟିଏ ହୋଇଯାଏ । ସାଙ୍ଗ ହେବା ସକାଶେ କୌଣସି ଚେଷ୍ଟା ନକରି ମଧ୍ୟ ସାଙ୍ଗଟିଏ ହୋଇଯାଏ । ସିଏ କେଡ଼େ ଅଲଗା ପ୍ରକାରର, କେତେ କେତେ ଗୁଣର ଅଧିକାରୀ, ତେଣୁ ଆମ ସମସ୍ତଙ୍କର, ସାଧାରଣଙ୍କର ସମ୍ମାନର ଯୋଗ୍ୟ,-ଏସବୁ ଯାବତୀୟ କଥା ତାକୁ ନିଜ ମେଳରେ ପାଇ ପାସୋର କିପରି ହୋଇଯାଏ କେଜାଣି ? ସେଇଟି ସମ୍ଭବତଃ ଏକ ଖାସ୍ ଭ୍ରାତୃତ୍ୱଭାବନାର ପ୍ରସଙ୍ଗ, ଯାହା ସତକୁ ସତ ଅତ୍ୟନ୍ତ ସଂକ୍ରାମକ,- ସର୍ବବିଧ ଦୂରତାକୁ ଅସ୍ୱୀକାର କରେ ଏବଂ ଏଠି କେହି କାହାଠାରୁ ବଡ଼ କିମ୍ବା ସାନ ନୁହନ୍ତି,- କେହି ଖାସ୍ ସ୍ପୃଶ୍ୟ ନୁହନ୍ତି ଏବଂ କେହି ଅସ୍ପୃଶ୍ୟ ମଧ୍ୟ ନୁହନ୍ତି, ଏହିପରି ଏକ ଆତ୍ମବିବେକର ବାହକ ହୋଇ ରହିଥାଏ । ସେଇଟି ବସ୍ତୁତଃ ଗୋଟିଏ ବିଶେଷ ଧର୍ମ, ଯାହା ଆମ ପୃଥିବୀର ସର୍ବବିଧ ତଥାକଥିତ ଏଧର୍ମ ଏବଂ ସେଧର୍ମ ଠାରୁ ସତେଅବା ଭିନ୍ନ ହୋଇ ରହିଥାଏ । ଆଦୌ କୌଣସି ସନ୍ତକ, ପବିତ୍ର ଶାସ୍ତ୍ର କିମ୍ବା ବହୁସଂଖ୍ୟାର ବଳରେ ନୁହେଁ, ପୂରାପଣେ ସଂସର୍ଗ ଦ୍ଵାରା ସର୍ବତ୍ର ଚିହ୍ନି ହୋଇଯାଏ । ଆମ ପୃଥିବୀର ସବୁଯାକ ଧର୍ମ ଏବଂ ବିଧିବ୍ୟବସ୍ଥାରେ ଉତ୍ତମ ଅନ୍ୟଟିଏ ହେବାର କେତେ ନା କେତେ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରାମର୍ଶମାନ ଭର୍ତ୍ତି ହୋଇ ରହିଛି ସିନା, ମାତ୍ର ଧର୍ମମାନେ ତଥା ବିଧି ଓ ପ୍ରବିଧିମାନେ ତଥାପି ଏକ ଆରେକର ପ୍ରସଙ୍ଗରେ ପ୍ରଧାନତଃ ନାକ ହିଁ ଟେକୁଛନ୍ତି ଏବଂ ଗୁରୁବର୍ଗ ମଧ୍ୟ ପରସ୍ପର ଠାରୁ କେଡ଼େ ଏକସିଙ୍ଗିଆ ହୋଇ ରହିବାକୁ ନିରାପଦ ଭାବୁଛନ୍ତି ଏବଂ ଆପଣା ଆପଣାର ଖୁଆଡ଼ଗୁଡ଼ିକୁ ବଡ଼ ଦରିଦ୍ର ଏବଂ ଅଳ୍ପାୟତନ କରି ରଖିଛନ୍ତି । ଜଣେ ସୁସ୍ଥ ବ୍ୟକ୍ତି ପୃଥିବୀରେ ଅଳପଗୁଡ଼ିକୁ ଅଧିକ କରିବାରେ ଓ ଦୂରତାଗୁଡ଼ିକୁ ଦୂର କରିବାରେ ସର୍ବଦା ହିଁ ସହାୟତା କରି ଆସିଛି, ସାଙ୍ଗଟିଏ ହୋଇ ପାରିବାରୁ ଏବଂ ସାଙ୍ଗମାନଙ୍କୁ ଖୋଜି ବାହାରିଥିବାରୁ ସୁସ୍ଥ ବ୍ୟକ୍ତିତ୍ୱମାନେ ତାହା କରି ଆସିଛନ୍ତି ।

 

ଶ୍ରୀଯୁକ୍ତ କାର୍ଲ୍ ଗୁସ୍ତାଫ୍ ୟୁଙ୍ଗ୍‍ ତାଙ୍କର ଏକ ଗ୍ରନ୍ଥରେ (Integration of Personality, ପୃଷ୍ଠା- ୨୯୦) କହିଛନ୍ତି ଯେ, ଇତିହାସରେ ପ୍ରସିଦ୍ଧ ହୋଇ ରହିଥିବା ମହାନ୍ ବ୍ୟକ୍ତିତ୍ୱମାନେ ସେମାନଙ୍କର ଏହି ମହତ୍ତାଟି ଲାଗି ସ୍ମରଣୀୟ ହୋଇ ରହିଛନ୍ତି ଯେ, ସେମାନେ କେବେହେଲେ ସେମାନଙ୍କ ଚାରିପାଖର ଚଳନ୍ତି ସମାଜଟି ସହିତ ଆପଣାକୁ ଆଖି ବୁଜି ଖାପ ଖୁଆଇ ନେଇ ନାହାନ୍ତି । ମୋଟେ ଶାନ୍ତ ସୁନାପୁଅ ପରି ଆଚରଣ ଦେଖାଇ ନାହାନ୍ତି । ସେହି ୟୁଙ୍ଗ୍‌ଙ୍କ କଥାରେ କହିଲେ, ଏକ ବ୍ୟକ୍ତିତ୍ୱ ଅଧିକ ପରିପକ୍ଵତା ଲାଭ କରି ଆସୁଥିବା ସଙ୍ଗେ ସଙ୍ଗେ ତା’ର ପୃଥୀ-ସଚେତନତା ମଧ୍ୟ ବୃଦ୍ଧି ପାଇଥାଏ । (ତତ୍ରେବ, ପୃଷ୍ଠା- ୩୦୨) ଅଧିକ ଆତ୍ମ-ସଚେତନତାରୁ ଅଧିକ ପୃଥ୍ୱୀ-ସଚେତନତା ତଥା ଅଧିକ ପୃଥ୍ୱୀ-ସଚେତନତାରୁ ଅଧିକ ଆତ୍ମ-ସଚେତନତା ବଢ଼ିଲେ ତ ଆମେ ଯେତେବେଳେ ଯେଉଁଠାରେ ଥାଉ, ସେଠାରେ ସଂପୂର୍ଣ୍ଣ ଅବଲୀଳା କ୍ରମେ ଜଣେ ସାଙ୍ଗ ହିଁ ହୋଇଯାଉ । ଆପଣା ଭିତରେ ନିଜେ ନିଜର ସାଙ୍ଗ ହୋଇ ପାରିଲେ ବୃହତ୍ତର ପୃଥିବୀଟିରେ ମଧ୍ୟ ସାଙ୍ଗଟିଏ ପରି ଜୀବନକୁ ବଞ୍ଚିବାଲାଗି ଆଉ କାହିଁକି କ’ଣ ବାଧା ରହିବ ? ଏକ ଅନ୍ୟଭଳି ସାହସ ଅର୍ଥାତ୍ ସଙ୍କୋଚଶୂନ୍ୟତା ରହିଥାଏ, ଯାହାର ଅଧିକାରୀ ହୋଇପାରିଲେ ନିଜକୁ କିମ୍ବା ପୃଥିବୀକୁ ମୋଟେ ଡର ମାଡ଼େ ନାହିଁ । ଆପଣାର ଘରଟି ଘରଭଳି ମାନୁଥିଲେ ତା’ ଭିତରେ ରହିଥିବା ମଇଳାଗୁଡ଼ିକୁ ଯେପରି ମାନିନେଇ ହୁଏନାହିଁ, ପ୍ରାୟ ସେହିପରି । ସେହିପରି, ନିଜର ସମାଜଟିକୁ ନିଜର ବୋଲି ଅନୁଭବ କରି ପାରିଲେ, ସେଥିରେ ରହିଥିବା ଅଚଳନ୍ତି ଚଳଣିମାନଙ୍କୁ ମାନି ନେବାକୁ ସ୍ୱତଃ ଏକ ଅନିଚ୍ଛା ଜାତ ହୁଏ । ଯେଉଁମାନେ ଗୋଟିଏ ସମାଜରେ ସତେଅବା କୁଣିଆ ପରି ଚଳପ୍ରଚଳ ହେଉଥାନ୍ତି ଏବଂ ନିଜର ଗୋଟିଏ ଅଲଗା ଜୀବନ ବଞ୍ଚିବାରେ ଅଧିକ ମନ ଦିଅନ୍ତି, ସେମାନେ ତେଣୁ ଆଦୌ କୌଣସି ଝଞ୍ଜଟରେ ନପଶି ପ୍ରାୟ ଆଖି ବୁଜି ଚଳଣିଗୁଡ଼ିକୁ ମାନି ନିଅନ୍ତି ଏବଂ ତା'ପରେ ନିଦକ ହୋଇ ଆପଣାର ମନଲାଖି ଏକ ସ୍ୱତନ୍ତ୍ର ଜୀବନ ବଞ୍ଚୁଥାଆନ୍ତି । ଉପରକୁ କେଡ଼େ ଶିଷ୍ଟ ଓ ସୁନାପୁଅ ପରି ମନେ ହୁଅନ୍ତି ।

 

ଅର୍ଥାତ୍, ଜଣେ ମୁକ୍ତ ଅର୍ଥାତ୍ ସୁସ୍ଥ ମନୁଷ୍ୟବ୍ୟକ୍ତି ତା' ନିଜ ଘର ସଦୃଶ ସମାଜଟି ଯେଉଁପରି ରହିଛି, ସେଇଟିକୁ ମୋଟେ ସେହି ପରି ସ୍ୱୀକାର କରି ନିଏନାହିଁ । ସେପରି କରି ଆଦୌ ସମାଜକୁ ଧୋକା ଦିଏନାହିଁ । ସମାଜକୁ ଧୋକା ଦେବାଟାକୁ ଆପଣାକୁ ଧୋକା ଦେବାପରି ଗର୍ହିତ ବୋଲି ବୁଝେ । ତେଣୁ, ସେହି ବ୍ୟକ୍ତିତ୍ୱମାନେ ହିଁ ଚଳନ୍ତି ଖଣ୍ଡିଆମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ଏବଂ ସମାଜ- ପରିବର୍ତ୍ତନର ସକଳ ପ୍ରକ୍ରିୟାରେ ଅଗ୍ରଣୀ ହୁଅନ୍ତି । ନ୍ୟସ୍ତସ୍ଵାର୍ଥଗୁଡ଼ିକ ଠାରୁ ବହୁ ଆକ୍ରମଣ ସହ୍ୟ କରନ୍ତି, ତଥାପି ହଟି ରହିଯାଆନ୍ତି ନାହିଁ । ସେମାନେ ସତ୍ୟପଟେ ରହିଥାନ୍ତି । ଧର୍ମପଟେ ରହିଥାନ୍ତି । କଷ୍ଟମାନଙ୍କୁ ସହ୍ୟ କରନ୍ତି, ତଥାପି ହଟି ରହିଯାଆନ୍ତି ନାହିଁ । ସେମାନେ ସତ୍ୟପଟେ ରହିଥାନ୍ତି । ଧର୍ମପଟେ ରହିଥାନ୍ତି । କଷ୍ଟମାନଙ୍କୁ ସହ୍ୟ କରନ୍ତି ଏବଂ ବେଳେ ବେଳେ ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରନ୍ତି । ଜ୍ଞାନ ଓ ବିଜ୍ଞାନର କ୍ଷେତ୍ରରେ ମନୁଷ୍ୟଦ୍ୱାରା ମନୁଷ୍ୟକୁ କରା ଯାଉଥିବା ସର୍ବବିଧ ଶୋଷଣର କ୍ଷେତ୍ରରେ ଏହିଭଳି ଆତ୍ମୋତ୍ସର୍ଗର ବହୁ ଦୃଷ୍ଟାନ୍ତ ରହି ଆସିଛି । ସେହି ଏକାବେଳେକେ ଏକ ଅନ୍ୟ ସାହସଯୁକ୍ତ ମୁକ୍ତ ଏବଂ ସୁସ୍ଥ ବ୍ୟକ୍ତିତ୍ୱମାନେ ଆପଣା ନିମନ୍ତେ କୌଣସି କ୍ଷମତା ଅକ୍ତିଆର କରିନାହାନ୍ତି, ବସ୍ତୁତଃ ସବୁ ମନୁଷ୍ୟଙ୍କର ଘରସ୍ୱରୂପ ଏହି ସମଗ୍ର ପୃଥିବୀଟିର ଗୁହାମୁକ୍ତି ସକାଶେ ହିଁ ଯାହାକିଛି କରିଛନ୍ତି । ‘ନାହିଁ’ ବୋଲି କହିବାର ପଶ୍ଚାତରେ ଯେ ଏକ ସକାରାତ୍ମକ ପୃଥୀସ୍ଵପ୍ନ ଏବଂ ପୃଥ୍ୱୀଚିତ୍ର ରହିପାରେ ଏବଂ ପୃଥିବୀକୁ କେତେ ପାଦ ଆଗେଇ ନେଇପାରେ, ସେହି ବ୍ୟକ୍ତିମାନଙ୍କର ସେହି ଉଜ୍ଜ୍ୱଳ କାହାଣୀଟି ସର୍ବତ୍ର କହିଆସିଛି ।

 

ପୃଥିବୀର ଯାବତୀୟ ସ୍ଥାୟୀ ପରିବର୍ତ୍ତନ ହୋଇଛି ସେହି ମୁକ୍ତ ଏବଂ ସୁସ୍ଥ ବ୍ୟକ୍ତିତ୍ୱଗୁଡ଼ିକର ଆତ୍ମଦାନ ତଥା ନେତୃତ୍ୱ ଦ୍ୱାରା । ଅନ୍ୟ ଯେଉଁମାନେ ଆପେ କ୍ଷମତାମାନଙ୍କରେ ଆସୀନ ହେବେ ବୋଲି ଅନ୍ୟ କ୍ଷମତାସୀନ ମାନଙ୍କୁ ଆସନଚ୍ୟୁତ କରିବେ ବୋଲି ଶସ୍ତ୍ର ଧାରଣ କରିଛନ୍ତି, ଲୋକମାନସକୁ ତତାଇଛନ୍ତି, ସେମାନେ ମଧ୍ୟ ବିପ୍ଳବ କରିଛନ୍ତି ସତ, କିନ୍ତୁ କ୍ଷମତା ହାସଲ କରିବାପରେ ହୁଏତ ସଂକଳ୍ପଭ୍ରଷ୍ଟ ହୋଇଛନ୍ତି । କ୍ଷମତାକୁ ଆସି ପ୍ରତିକ୍ରିୟାଶୀଳ ପାଲଟି ଯାଇଛନ୍ତି ଏବଂ ବହୁ ଅସୁନ୍ଦରତା ଓ ଅନୌଚିତ୍ୟର କାରଣ ହୋଇଛନ୍ତି । ସେମାନେ ଅନେକ ସମୟରେ ଖଡ୍‌ଗ ଉତ୍ତୋଳନ ମଧ୍ୟ କରିଛନ୍ତି । କିଛି ଅଗ୍ରଗତି ଅବଶ୍ୟ ହୋଇଛି ସତ, କିନ୍ତୁ ପୃଥ୍ୱୀଭାଗ୍ୟର ଗ୍ରନ୍ଥିଗୁଡ଼ିକ ଅଧିକ ପରିମାଣରେ ଜଟିଳ ହୋଇ ଯାଇଛନ୍ତି, ବହୁ ସଦିଛା ନାନା ଅସତ୍‌ଇଚ୍ଛା ଭିତରେ ପାଣି ଫାଟି ଯାଇଛନ୍ତି । ଅପର ପକ୍ଷରେ, ସୁସ୍ଥ ଏବଂ ମୁକ୍ତ ବ୍ୟକ୍ତିତ୍ୱମାନେ ଆପେ କ୍ଷମତା ହାସଲ କରିବା ଉଦ୍ଦେଶ୍ୟରେ ମୋଟେ କୌଣସି ନେତୃତ୍ୱକୁ ମନ କରିନାହାନ୍ତି । ସେମାନେ ସମଗ୍ର ପୃଥ୍ୱୀବୀଲାଗି ନିମିତ୍ତ ହୋଇଛନ୍ତି ଅର୍ଥାତ୍ ସେହିପରି ନିମିତ୍ତଟିଏ ହେବାଲାଗି ଆପଣାକୁ ତିଆରି କରି ନେଇଛନ୍ତି । ଏକ ସାର୍ଥକ୍ୟ ବ୍ୟକ୍ତିତ୍ୱ ପ୍ରକୃତରେ ସଚରାଚର ତାହାହିଁ କରିଥାଏ । ସିଏ ଆପଣାକୁ, କୌଣସି ବଜାରରେ ନେଇ ବିକି ଦେବାକୁ ଓ ତଦ୍ଦ୍ୱାରା ଲାଭବାନ୍ ହେବାକୁ ମୋଟେ କିଛି କରେନାହିଁ । ଆମର ଏହି ଚଳନ୍ତି ସମାଜବ୍ୟବସ୍ଥାରେ ତ ପାଖେ ଶୋଷୁଛନ୍ତି ଓ ଆଉପାଖେ ଶୋଷିତ ହେଉଛି । ଉଭୟ ପକ୍ଷ ସେଇଟିକୁ ଆପଣାର ଭାଗ୍ୟ ବୋଲି ସ୍ଵୀକାର ମଧ୍ୟ କରି ନେଇଛନ୍ତି । ଏକ ସୁସ୍ଥ ବ୍ୟକ୍ତିତ୍ୱ କଦାପି ସେହି ଭାଗ୍ୟବାଦକୁ ମାନି ନିଏନାହିଁ । ସେଇଥିପାଇଁ ସେ ଏପରି ଏକ ପୃଥ୍ୱୀବ୍ୟବସ୍ଥା ନିମନ୍ତେ ନିଜକୁ ଆପଣାର ସ୍ଵଧର୍ମଟି ଅନୁସାରେ ଗଠନ କରିନିଏ, ଯେଉଁଟିରେ ପ୍ରତ୍ୟେକ ବ୍ୟକ୍ତି ଆପଣାର ଭାଗ୍ୟଟିକୁ ଆପେ ଗଢ଼ିବ ଏବଂ ଅନ୍ୟ ସମସ୍ତେ ମଧ୍ୟ ନିଜନିଜର ଭାଗ୍ୟଗୁଡ଼ିକୁ ଗଢ଼ିବା ଲାଗି ପରିପୂର୍ଣ୍ଣ ସୁଯୋଗର ଅଧିକାରୀ ହେବେ । ପୃଥିବୀର ରାଜନୀତି, ଅର୍ଥନୀତି ଏବଂ ଧର୍ମଭାବନା ସେଇଥିପାଇଁ ଅନୁକୂଳ ରହିଥିବେ ।

 

ଉତ୍ତମ ଜନମାନେ ଉତ୍ତମ ହୋଇ ରହି ପାରିବେ ବୋଲି ତଥାକଥିତ ବ୍ୟକ୍ତିଗତ ଜୀବନର ଚାରି କାନ୍ଥ ଭିତରେ ନିଜକୁ ନିବୁଜ କରି ରଖିଥାନ୍ତି । ଚଳନ୍ତି ଦୁଷ୍ଟ ପୃଥିବୀଟା ମଧ୍ୟ କ’ଣ ସବୁ ବିଚାରି କେଡ଼େ ସନ୍ତର୍ପଣରେ ସେମାନଙ୍କୁ ଉତ୍ତମ ବୋଲି କହି ପ୍ରଶଂସା କରେ ଓ ବହୁ ସମ୍ମାନ ଦିଏ । କିନ୍ତୁ ଏକ ସୁସ୍ଥ ବ୍ୟକ୍ତିର ଭାରି ନାଆଁ ପକାଏ ଏବଂ ଧରା ପଡ଼ିଯାଏ । ଏକ ସୁସ୍ଥ ବ୍ୟକ୍ତିତ୍ୱ ପଳାୟନ କରେନାହିଁ । ଏକ ସୁସ୍ଥ ନିମିତ୍ତ ପଳାୟନ କରେନାହିଁ । ଆଲୁଅର ପକ୍ଷ ନେଇ ପୃଥିବୀଟାକୁ ଅଥୟ କରି ରଖିଥିବା ପ୍ରମତ୍ତ ଅନ୍ଧାରଗୁଡ଼ାକୁ ଅଣ୍ଟା ସିଧା କରି ‘ନାହିଁ’ ବୋଲି କହେ । ସକଳ ଅନ୍ଧକାର ସତ୍ତ୍ୱେ ପୃଥିବୀରେ ଆଲୁଅମାନେ ଯେ ତଥାପି ରହିଛନ୍ତି ଏବଂ ସବୁକାଳେ ଅବଶ୍ୟ ରହିବେ, ଆପଣାର କ୍ରିୟାଶୀଳ ଜୀବନଟିର ମାଧ୍ୟମରେ ସେହି କଥାଟିର ଘୋଷଣା କରୁଥାଏ । ହଁ, ମିଥ୍ୟା ସତ୍ତ୍ୱେ ତଥାପି ସତ୍ୟ ରହିଛି ଏବଂ ସର୍ବବିଧ ‘ନାହିଁ’ ‘ନାହିଁ’ ସତ୍ତ୍ୱେ ‘ହଁ’ ମାନେ ଅବଶ୍ୟ ରହିଛନ୍ତି । କେବଳ ସେତିକି ନୁହେଁ, ଏହି ଅନ୍ଧାର ଗୁଡ଼ିକୁ ଚୁନୌତି ଦେବାଲାଗି ଆଲୁଅଟା ଯେ ସବୁକାଳକୁ ରହିଥିବ ଏବଂ କ୍ଷମତାଗୁଡ଼ାକୁ ଚୁନୌତି ଦେଇ ଏକ ଅନମନୀୟ ଜୀବନପ୍ରୀତି ସର୍ବଦା ବଳବତ୍ତର ରହିଥିବ, ଆମ ଜୀବନର ସତ ବ୍ୟକ୍ତିତ୍ୱାତ୍ମାଟି ତାହାରି ସନ୍ଦେଶବାହକ ହୋଇ ରହିଥାଏ-। ଏହି ଉପସ୍ଥିତ ଇହସଂସାରଟିର ମନୁଷ୍ୟମାନଙ୍କ ନିମନ୍ତେ ନିର୍ଭର କରି ବଞ୍ଚିବା ଲାଗି ଆଉ କିଛି ବି ନାହିଁ ବୋଲି ଯେଉଁମାନେ ନିଃସଙ୍ଗତା ଏବଂ ନାନାବିଧ ଆତ୍ମଉପେକ୍ଷାକୁ ସତେଅବା ଏକମାତ୍ର ସାର ବୋଲି ଗ୍ରହଣ କରିନିଅନ୍ତି, ଭାରି ଆନମନା ହୁଅନ୍ତି ଓ ରୁଷି ବସିବାକୁ ହିଁ ଭଦ୍ରଜନୋଚିତ ସେହି ଗୋଟିଏମାତ୍ର ମାର୍ଗ ବୋଲି ମାନନ୍ତି, ସେମାନେ ଆପଣାର ସତ ବ୍ୟକ୍ତିତ୍ୱଟିକୁ ବସ୍ତୁତଃ କେତେ ତାଳ ପାଣି ଓ କେତେ ତାଳ ପଙ୍କ ତଳେ ହରାଇ ବସିଥାନ୍ତି କେଜାଣି ? ଏବେ ତ ଆମର ଲେଖକ ଏବଂ କଳାକାରମାନେ ଯାବତୀୟ ସର୍ଜନାତ୍ମକତା କହିଲେ ସେହିପରି ଗୋଟିଏ ରାଜକୀୟ ଆତ୍ମମ୍ଭରିତା ସହିତ ଏକ ରୁଷି ବସିବାକୁ ହିଁ ବୁଝୁଛନ୍ତି । ସେମାନଙ୍କ ଆଗରେ ଆଉ କୌଣସି ପୃଥିବୀ ହିଁ ନାହିଁ ଏବଂ ତେଣୁ ସେମାନେ ଜଣେ ଜଣେ ଜନନୀଛେଉଣ୍ଡ ଅତି ଦୁଃଖୀ ପରି ଖାଲି ଛଟପଟ ହେଉଥିବେ ସିନା । ଏବଂ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେମାନଙ୍କ ଭିତରେ ରହିଥିବା ସୁସ୍ଥ ବ୍ୟକ୍ତିତ୍ୱଟି ତଥାପି ଆଶାୟୀ ହୋଇ ରହିଥିବ ଏବଂ ଆମର ଏହି ବୃହତ୍ତର ପୃଥିବୀଟି ମଧ୍ୟ ବହୁ ସହାନୁଭୂତି ସହିତ ସେମାନଙ୍କର ବାଟ ଚାହିଁ ବସିଥିବ ।

 

ପରିଶେଷରେ ଭିକ୍ଟର୍ ଫ୍ରାଙ୍କ୍‌ଲ୍ (Viktor Frankl) । ଶ୍ରୀଯୁକ୍ତ ଫ୍ରାଙ୍କ୍‌ଲ୍‌ଙ୍କର ଏହି କ୍ଷେତ୍ରର ମନୋଜିଜ୍ଞାସାକୁ ଆମେ ପ୍ରକୃତରେ କେଉଁଠାରେ ଆରମ୍ଭ କରି କେଉଁଠାରେ ଶେଷ ବି କରିବା ? ପ୍ରାଙ୍କ୍‌ଲ୍ ହେଉଛନ୍ତି ନିଜେ ହିଁ ତାଙ୍କର ଯାବତୀୟ ଏଷଣାର ଲାବୋରେଟରି । ନାତ୍‌ସୀ ଇହୁଦୀହତ୍ୟାର ଜଣେ ଶିକାର । ତାଙ୍କରି ସାମନାରେ ତାଙ୍କର ପତ୍ନୀଙ୍କୁ ଧର୍ଷଣ କରି ଅପହରଣ କରି ନିଆ ଯାଇଥିଲା ଯେ ମହାଯୁଦ୍ଧଟା ସରିଯିବା ପରେ ମଧ୍ୟ ତାଙ୍କର ଆଉ କୌଣସି ସମ୍ବାଦ ମିଳିଲା ନାହିଁ । ଫ୍ରାଙ୍କ୍‌ଲ୍‍ଙ୍କୁ କର୍ତ୍ତାମାନେ ତତ୍କାଳୀନ ମାରଣ-ଶିବିରକୁ (Concentration Camp) କୁ ଧରି ନେଇଥିଲେ । ଦୀର୍ଘ ପାଞ୍ଚବର୍ଷ କାଳ ସେ ସେହିପରି ତିନିଗୋଟି ଶିବିରରେ ଆବଦ୍ଧ ହୋଇ ରହିଥିଲେ । ପ୍ରତ୍ୟହ ସକାଳ ସମୟରେ ମାରଣ-ଭୂମିକୁ ପ୍ରେରିତ ହେବା ନିମନ୍ତେ କୃତାନ୍ତମାନେ ଯେଉଁ ତାଲିକା ଆଣି ପହଞ୍ଚି ଯାଉଥିଲେ, ଅତି ଭାଗ୍ୟର ବିଷୟ ଯେ ଫ୍ରାଙ୍କ୍‌ଲ୍‌ଙ୍କର ନାଆଁ ସେଥିରେ ଆସିନଥିଲା, ନହେଲେ ଅନ୍ୟ ଯେକୌଣସି ବନ୍ଦୀ ପରି ତାଙ୍କୁ ମଧ୍ୟ ବିଷାକ୍ତ ବାଷ୍ପର ଗୃହକୁ ଯାଇ ମରିବାକୁ ପଡ଼ିଥାନ୍ତା । ଯୁଦ୍ଧ ସରିଲା ଏବଂ ଆମେରିକାନ୍ ସୈନ୍ୟବାହିନୀ ଆସି ଅବଶିଷ୍ଟ ରହିଥିବା ଫ୍ରାଙ୍କ୍‌ଲ୍‌ ଓ ସହବନ୍ଦୀ ଅନ୍ୟମାନଙ୍କୁ ଶିବିରଟିରୁ ମୁକ୍ତ କରିଥିଲେ । ତା'ପରେ କ୍ରମଶଃ ସୁସ୍ଥ ହୋଇ ଫ୍ରାଙ୍କ୍‌ଲ୍‌ ସବାଆଗ ନିଜ ପରିବାରର ଅନ୍ୟମାନଙ୍କୁ ଖୋଜିଲେ ଏବଂ କେବଳ ଝିଅଟିର ସନ୍ଧାନ ପାଇଥିଲେ । ଅନ୍ୟମାନେ ସମ୍ଭବତଃ ଜୀବନରେ ନଥିଲେ ।

 

ଫ୍ରାଙ୍କ୍‌ଲ୍‌ ଯାହାକିଛି ଲେଖିଛନ୍ତି, ନିଜ ମାତୃଭାଷା ଜର୍ମାନ୍‍ରେ ଲେଖିଛନ୍ତି । ଜୀବନର ଶେଷ ଅବଧି ପର୍ଯ୍ୟନ୍ତ ଇଂରାଜୀ ଭାଷା ଉପରେ ତାଙ୍କର ତାଙ୍କୁ ବିଶ୍ୱାସ ଦେଇ ପାରିବାଭଳି ଦଖଲ ଆସିନଥିଲା । ମାତ୍ର ଅଳ୍ପ କେତେଗୋଟି ଗ୍ରନ୍ଥ ଏବଂ ବିଷୟନିଷ୍କର୍ଷର ଇଂରାଜୀ ତର୍ଜମା କ୍ରମଶଃ ପ୍ରକାଶ ଅବଶ୍ୟ ପାଇଲାଣି । ଆପଣାର ଅଧ୍ୟୟନ-ଦୃଷ୍ଟିଟିକୁ ଫ୍ରାଙ୍କ୍‍ଲ୍ Logotherapy ବୋଲି କହିଛନ୍ତି । ଇଉରୋପୀୟ ଅଧ୍ୟୟନ- କ୍ଷେତ୍ରଟି ଏ ପର୍ଯ୍ୟନ୍ତ ମୁଖ୍ୟତଃ Logic ଦ୍ୱାରା ହିଁ ନିର୍ଦ୍ଧାରିତ ହୋଇ ଆସିଥିଲା ଏବଂ, ମନୋବିଜ୍ଞାନର ପ୍ରାୟ ଯାବତୀୟ ପରିଶୀଳନରେ ତାହା ମନୁଷ୍ୟମାନଙ୍କୁ ପ୍ରୟୋଜନ ବଶତଃ ସତେଅବା ଗୋଟିଏ ଯନ୍ତ୍ରବତ୍ ଦେଖି ଆସିଥିଲା, ଯାହାକୁ ତୁମେ ଭାଙ୍ଗି ମୋଡ଼ି ଯନ୍ତ୍ରଟିଏ ପରି ତିଆରି କରି ପାରିବ ଏବଂ କାମରେ ଲଗାଇ ପାରିବ । ମନୁଷ୍ୟମାନଙ୍କୁ ଫିଟ୍ ବା ଅନ୍‌ଫିଟ୍ ବୋଲି ଘୋଷଣା କରିଦେଇ ପାରିବ ଏବଂ, ନିର୍ଦ୍ଦିଷ୍ଟ ଉପଚାରମାନ ଦେଇ ତାକୁ ପୁନର୍ବାର ବ୍ୟବହାରଯୋଗ୍ୟ କରିପାରିବ । ଭିକ୍ଟର୍ ଫ୍ରାଙ୍କ୍‌ଲ୍‌ ଅପର ପକ୍ଷରେ logos କୁ ମାନଦଣ୍ଡ ବୋଲି ଗ୍ରହଣ କରିଥିଲେ । ଯାବତୀୟ ମୂଲ୍ୟାୟନରେ ପ୍ରତ୍ୟେକ ମନୁଷ୍ୟ ସମ୍ମୁଖରେ କ’ଣ ଗୋଟିଏ କାମ୍ୟର ଅଭୀଷ୍ଟଟିଏ ଥାପନା କରି ଜୀବନଟିଏ ଗଢ଼ିବ ଏବଂ ସେହି ଅନୁସାରେ କିଛି ନା କିଛି ହେବ । ଆଦୌ କୌଣସି ସାଧାରଣ ହାଣ୍ଡିରେ ପଡ଼ି ଗୋଟିଏ ଛାଞ୍ଚ ଅନୁସାରେ ତିଆରି ହେବନାହିଁ ଏବଂ, ସେହି ଅନୁସାରେ, ସର୍ବବିଧ ମନଃଚିକିତ୍ସାରେ ତାକୁ ଆବଶ୍ୟକ ଟେକ୍‌ନିକ୍ ଇତ୍ୟାଦିର ବଳରେ ସିଏ ଯେଉଁ ସମାଜ ସହିତ ଖାପ ନଖାଇ ପ୍ରତିବାଦ ଜଣାଇବା ପରି ତଥାକଥିତ ଗୋଟିଏ ଅସୁସ୍ଥତାକୁ ଆଦରି ନେଇଥିଲା, ତାକୁ ପୁଣି ସେଇ ସମାଜ ଲାଗି ବାଧ୍ୟ ଏବଂ ବଶ୍ୟ କରି ଖାପ ଖୁଆଇ ଆଣିବାର କୌଣସି ପ୍ରଚେଷ୍ଟା ନକରି ତାକୁ କାର୍ଯ୍ୟତଃ ଏକ ବ୍ୟକ୍ତିରୂପେ ଦେଖିବାକୁ ହେବ ଏବଂ ତା’ ଭିତରେ ବିକାଶଲାଭ କରିବା ସକାଶେ ନିରୂପିତ ହୋଇ ରହିଥିବା ବ୍ୟକ୍ତିତ୍ୱ ଆଡ଼କୁ ମୁହାଁଇ ଦେବାକୁ ହେବ । ତାକୁ ତା’ର logos ଟି ଆଡ଼କୁ ଜାଗରୂକ କରାଇ ନେବାକୁ ହେବ ।

 

ପୂର୍ଣ୍ଣତଃ କେଡ଼େ ଅନ୍ୟଭଳି ଉଦ୍‌ବୋଧନ ଦେଇ ଫ୍ରାଙ୍କ୍‍ଲ୍ ଜାଗାଏ(୫) କହିଛନ୍ତି ଯେ, ପ୍ରତ୍ୟେକ ମନୁଷ୍ୟ ସୁଖ ପାଇଲେ ଅବଶ୍ୟ ସୁଖୀ ହୁଏ ସତ, ମାତ୍ର ସୁଖ ବା pleasure ଏକମାତ୍ର ଉପାଦାନ ନୁହେଁ, ଯାହା ତା’ର ଜୀବନଟାକୁ ସବାଆଗ ଆପଣାର ଅଧୀନ କରି ରଖିଥାଏ । ତୁଚ୍ଛା ଗୁଡ଼ାଏ କ୍ଷମତାର ଅଧିକାରୀ ହୋଇ ରହିବାଟା ମଧ୍ୟ ତାକୁ ଯଥେଷ୍ଟ ବୋଲି ମୋଟେ ଲାଗେନାହିଁ । ନାଇଁ, ସିଏ ନିଜ ଜୀବନରେ ଏକ ଖାସ୍ ଅର୍ଥ ହିଁ ଖୋଜୁଥାଏ: ଏକ will to meaning (Der Wille Zum Sinne), ଯାହାକି ତା’ ଜୀବନର ସର୍ବବିଧ ଆୟତନରେ ଏକ ମୀମାଂସାକାରୀ ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରୁଥାଏ । ନିଜ ଜୀବନର ଏକ ଅନ୍ତର୍ଗତ ମୂଳପ୍ରୟାସ ରୂପେ ରହି ସେ ଆପଣାର ଜୀବନଯାପନରେ ଗୋଟିଏ ଉଚ୍ଚତର ଚରମ ଅର୍ଥର ସ୍ପର୍ଶ ପାଇପାରିଛି ବୋଲି ତାକୁ ଏକ ସୁନିଶ୍ଚିତ ପ୍ରତ୍ୟୟ ପ୍ରଦାନ କରିପାରେ । ତେଣୁ, ଶ୍ରୀ ଫ୍ରାଙ୍କ୍‌ଲ୍‌ଙ୍କର ବିଚାର ଅନୁସାରେ, ଜଣେ ମନୁଷ୍ୟର ଯାବତୀୟ ମନଃଚିକିତ୍ସାରେ ପ୍ରତ୍ୟେକ ବ୍ୟକ୍ତିର ସେହି Will to Meaning ଟିକୁ ପ୍ରେରିତ ଅର୍ଥାତ୍ ଯଥାର୍ଥ ପ୍ରକାରେ ସଚଳ କରି ଆଣିବା ହିଁ ଜଣେ ଚିକିତ୍ସକର ପ୍ରଥମ ଏବଂ ସର୍ବପ୍ରଧାନ ଉଦ୍ଦେଶ୍ୟ ହୋଇ ରହିଥିବା ଉଚିତ ହେବ

 

ପୁନଶ୍ଚ ସେହି ଅସଲ will ଟି ଯେତେବେଳେ କୌଣସି କାରଣରୁ ବାଧାପ୍ରାପ୍ତ ହୋଇଥାଏ, ଜଣେ ବ୍ୟକ୍ତି ସେତେବେଳେ ସତେଅବା ଯେକୌଣସି ପ୍ରକାରେ ଏକ କ୍ଷତିପୂରଣର ପରିତୃପ୍ତି ରୂପେ ହିଁ ଅନ୍ୟ ବିକଳ୍ପମାନ ଖୋଜିବାକୁ ଆରମ୍ଭ କରେ । ସେତେବେଳେ ସେ କ୍ଷମତା ଇଚ୍ଛା କରେ, ଭଳି ଭଳି କ୍ଷମତା ପଛରେ ଧାଇଁବାକୁ ଆରମ୍ଭ କରେ । ହଁ, ପଇସା ପଛରେ ମଧ୍ୟ ଧାଏଁ । ଶ୍ରୀଯୁକ୍ତ ଫ୍ରାଙ୍କ୍‌ଲ୍ ପଇସା ପଛରେ ସେହି ଧାଇଁବାକୁ ମନୁଷ୍ୟର ଏକ ଆଦିମତମ will to power ବୋଲି କହିଛନ୍ତି । ସଂପ୍ରତି ଆମ ଆଧୁନିକ ପୃଥିବୀରେ ଯେଉଁ neurosis ଅର୍ଥାତ୍ ଅନ୍ତର୍ଜୀବନଗତ ବିକୃତି ଇତ୍ୟାଦି ଦେଖିବାକୁ ମିଳୁଛି, ଶ୍ରୀ ଫ୍ରାଙ୍କ୍‌ଲ୍‌ ତାହାର ଚାରିଗୋଟି ଲକ୍ଷଣର ସୂଚନା ମଧ୍ୟ ପ୍ରଦାନ କରିଛନ୍ତି: ଜୀବନ ପ୍ରତି ଏକ ମୂଳଭୂତ ଉଦାସୀନତା ଏବଂ ସେଥିପାଇଁ ଆମ ଜୀବନରେ ନାନାବିଧ ଉପେକ୍ଷାଭାବ, ଭାଗ୍ୟବାଦୀ ଦୃଷ୍ଟିକୋଣ, ଅର୍ଥାତ୍ ଲଗାମଟା ଯେପରି ଆଉକାହା ହାତରେ ଯାଇ ରହିଛି, ପଲ-ଚିନ୍ତା, ଅର୍ଥାତ୍ ପଲଟା ହେଉଛି ସତ୍ୟ, ବ୍ୟକ୍ତି କିଛି ନୁହେଁ ଏବଂ ଆଚରଣ ମାନଙ୍କରେ ନାନା ପ୍ରକାରର ଉଗ୍ରତା ଓ ଅନମନୀୟତା ଏହି ପଲ ଓ ଏକ ସୁସ୍ଥ ଶକ୍ତିଦାୟକ ସମାଜ ଭିତରେ ଯେଉଁ ପାର୍ଥକ୍ୟ ରହିଛି, ଫ୍ରାଙ୍କ୍‌ଲ୍‌ ଏହି ସନ୍ଦର୍ଭରେ ସେଇଟିକୁ ମଧ୍ୟ ସୂଚାଇ ଦେଇଛନ୍ତି: ଏକ community ବା ସୁସ୍ଥ ସମୁଦାୟ ସର୍ବଦା ହିଁ ଉପଯୁକ୍ତ ବ୍ୟକ୍ତିତ୍ୱମାନଙ୍କ ଉପରେ ନିର୍ଭର କରିଥାଏ ଏବଂ ଏକ ସୁସ୍ଥ ବ୍ୟକ୍ତିତ୍ୱ ମଧ୍ୟ ନିଜର କର୍ମକ୍ଷେତ୍ର ରୂପେ ଏକ ସମୁଦାୟର ଅପେକ୍ଷା ରଖିଥାଏ । ମାତ୍ର, ଯେକୌଣସି ପଲର ଆଦତ୍ ଏବଂ ଆଚରଣ ହେଉଛି ଗୋଟାସୁଦ୍ଧା ଭିନ୍ନ ଧରଣର । ଗୋଟିଏ ପଲ ଯୋଗ୍ୟ ବ୍ୟକ୍ତିତ୍ୱମାନଙ୍କୁ ସଚରାଚର ମୋଟେ ସହ୍ୟ କରି ପାରେନାହିଁ, ସେମାନେ ରହିଥିବାରୁ ନିଜକୁ ସତେଅବା ସର୍ବଦା ବିପନ୍ନ ମଣୁଥାଏ ଏବଂ ତେଣୁ ଜଣେ ବ୍ୟକ୍ତିର ସ୍ଵାଧୀନତାକୁ ଦାବି ରଖିବାର ଚେଷ୍ଟା କରେ । ବ୍ୟକ୍ତିମାନଙ୍କୁ ପଲ ଭିତରେ ବାଧ୍ୟ ହୋଇରଖିବାର ବାଟ ଖୋଜୁଥାଏ ।

 

ତାଙ୍କର ଆଉଗୋଟିଏ ପୁସ୍ତକରେ ଶ୍ରୀ ଫ୍ରାଙ୍କ୍‍ଲ୍ ଅଧିକ ସ୍ପଷ୍ଟ କରିଦେଇ ଲୋଗୋଥେରାପି କଥା କହିଛନ୍ତି: ଏହି ଥେରାପିଟିର ମାର୍ଗରେ ଆମେ ତିନୋଟି ଭିନ୍ନ ଭିନ୍ନ ପ୍ରକାରେ ଜୀବନର ମୂଲ୍ୟଟିକୁ ଆବିଷ୍କାର କରିପାରିବା । ୧) କୌଣସି ଗୋଟିଏ କର୍ମର ମାଧ୍ୟମରେ,- ସେହି କର୍ମଟିକୁ କରି ଏବଂ ସେଥିରେ ସଫଳକାମ ହୋଇ, ୨) ଏକ ମୂଲ୍ୟ ବିଷୟରେ ପ୍ରତ୍ୟକ୍ଷ ଅଭିଜ୍ଞତା ଲାଭ କରି, ସତକୁ ସତ ସେହି ଜୀବନମୂଲ୍ୟଟିର ଉପଲବ୍ଧି ଦ୍ୱାରା, ଦୃଷ୍ଟାନ୍ତ ସ୍ଵରୂପ ପ୍ରକୃତି ଅଥବା ସଂସ୍କୃତି ସହିତ ସଂଶ୍ଳିଷ୍ଟ ହୋଇ କୌଣସି କାର୍ଯ୍ୟ କରିବାଦ୍ୱାରା ଓ ଏବଂ ପ୍ରୀତିର ସମ୍ପାଦନ ଦ୍ୱାରା ଜଣେ ବ୍ୟକ୍ତିକୁ ନିବିଡ଼ ଭାବରେ ଅନୁଭବ କରିବାଦ୍ୱାରା ଏବଂ ଦୁଃଖର ବରଣ କରି-। ଆମେ ଦୈନନ୍ଦିନ ଏହି ସାଧାରଣ ସମ୍ପର୍କର ଆୟତନଟି ମଧ୍ୟରେ ଯାହାକୁ ଆମ ପୃଥିବୀ ବୋଲି କହିଥାଉ, ତାହାର ଏକ ଉର୍ଦ୍ଧ୍ୱପ୍ରସାରଣ ଦ୍ୱାରା । ତା’ପରେ କେତେ ଏହି ଅନ୍ତର୍ଦୃଷ୍ଟିପୂର୍ଣ୍ଣ ବହୁ ମହତ୍ତ୍ୱର ତାଙ୍କର ଏହି କଥାଟି: ଆମେ ନ୍ୟାୟତଃ ଆପଣାର ଜୀବନଟିକୁ ଏକ ବୟସସୀମା ମଧ୍ୟରେ ହିଁ ରହିଥିବା ଗୋଟିଏ ଅସ୍ଥାୟୀ ବସ୍ତୁ ବୋଲି କହୁ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ମନୁଷ୍ୟମାତ୍ରେ ଆମେ ସମସ୍ତେ ଏକ ସୀମିତ ସମୟ ଲାଗି ପୃଥିବୀକୁ ଆସିଛୁ ଓ ସେଇଟି ଅତିବାହିତ ହୋଇଗଲେ ଏଠାରୁ ନିଶ୍ଚୟ ଚାଲିଯିବୁ । ମାତ୍ର ତା’ ବୋଲି ଆମ ଜୀବନର ଯେ କୌଣସି ଅର୍ଥ ନାହିଁ, ସେକଥା ଆଦୌ ନୁହେଁ ଏବଂ, ଯେତେ ସୀମାଙ୍କିତ ହୋଇ ରହିଥିଲେ ମଧ୍ୟ ଏଇଟିକୁ ନେଇ ଆମର କେତେ ନା କେତେ ଦାୟିତ୍ୱ ରହିଛି । କାରଣ, ଏହି ଯାବତୀୟ ସୀମା ମଧ୍ୟରେ ମଧ୍ୟ ଆମ ଜୀବନର ଅନ୍ତର୍ନିହିତ ସମ୍ଭାବନାଗୁଡ଼ିକର ବାସ୍ତବାୟନ, ସେଇଟି ହେଉଛି ଆମ ପ୍ରତ୍ୟେକ ମନୁଷ୍ୟଙ୍କର ଦାୟିତ୍ୱ ।

 

ହଁ, ବସ୍ତୁତଃ କେତେ ନା କେତେ ସମ୍ଭାବନା,-ଏବଂ ସେଗୁଡ଼ିକୁ ପ୍ରତ୍ୟକ୍ଷ ରୂପ ଦେବାକୁ ପଡ଼ିବ । ସମ୍ଭାବନାଗୁଡ଼ିକ ମଧ୍ୟରୁ କେତୋଟିକୁ ଆଗ ବାଛିନେବାକୁ ହେବ ଏବଂ ବ୍ୟକ୍ତ କରି ଆଣିବାକୁ ହେବ । ଏହିପରି ଭାବରେ ପ୍ରତ୍ୟେକ ମନୁଷ୍ୟ ଆପଣାର ଜୀବନପଥଟିଏ ବରି ନେଇଥାଏ । ଇଚ୍ଛା କରୁଥିଲେ ଘୁଷୁରି ହୁଏ ଏବଂ ଇଚ୍ଛା କରୁଥିଲେ ଗୋଟିଏ ମହାନ୍ ଆତ୍ମା ମଧ୍ୟ ହୋଇପାରେ । ସିଏ କେଉଁଟିକୁ ବାଛେ ଏବଂ ସେଇଟି ଅନୁସାରେ ବଞ୍ଚେ, ସେଇଟି ତା’ର ଆପଣାର ନିଷ୍ପତ୍ତିଗୁଡ଼ିକ ଉପରେ ନିର୍ଭର କରେ, ପରିବେଶ ଉପରେ ନ୍ୟାୟତଃ ନିର୍ଭର କରେନାହିଁ-। ତେଣୁ ଆମେ ହିଁ ବାଛୁ ଏବଂ ଆମେ ହିଁ ବଞ୍ଚୁ । ଆମେ ଯଥାର୍ଥ ସୁରାଖ ଗୁଡ଼ିକୁ ପାଇଥିଲେ ପରିସ୍ଥିତି ଯେଉଁଭଳି ହୋଇଥାଉ ପଛକେ, ସୁଅଟାକୁ କାଟି କାଟି ଆଗକୁ ଯାଇଥାଉ । ଘୃଣା କରୁ ଅଥବା ଭଲ ପାଉ, ପୃଥିବୀଟା ଅନୁକୂଳ ହେଲାନାହିଁ ବୋଲି ନିନ୍ଦା କରୁ ଅଥବା ତଥାପି ଧର୍ମତଃ ଜୀବନନିଷ୍ଠ ଏବଂ ପୃଥିବୀନିଷ୍ଠ ହୋଇ ସତକୁ ସତ ଏକ ଜୀବନକୁ ବଞ୍ଚୁ; ପ୍ରେରଣା ପାଉ ଓ ପ୍ରେରଣା ଦେଉ । ଅନ୍ୟମାନଙ୍କ ଆଡ଼କୁ ଟାଣିହୋଇ ଯାଉ କିମ୍ବା ରୁଷି ବସୁ । ଖୁବ୍ ଗେହ୍ଲା ହେଉ, କେତେ ଭଳି ଯଷ୍ଟିର ସାହାଯ୍ୟ ନେବୁ ବୋଲି ଚାହିଁ ବସିଥାଉ । ମୂଳତଃ ବିଶ୍ୱାସ ଅଥବା ଅବିଶ୍ୱାସରେ ବାଟ ଚାଲୁ । ମାୟାବାଦୀ ହୋଇ ସଂସାରଟିକୁ କ୍ଷଣଭଙ୍ଗୁର ବୋଲି ଘୋଷଣା କରୁ ଏବଂ ଏଠାରେ କେହି କାହାର ନୁହନ୍ତି ବୋଲି ଅଭିଯୋଗ କରିବାରେ ଲାଗିଥାଉ ବା ମନୁଷ୍ୟମାତ୍ରେ ପ୍ରତ୍ୟେକେ ମୋ’ର ସମଧର୍ମୀ ବୋଲି ଜାଣି ସେଥିରୁ ଅମାପ ସାହସ ଅର୍ଥାତ୍ ଆତ୍ମବିଶ୍ଵାସ ଲାଭ କରୁ । କେଡ଼େ ସହଜରେ ସାଙ୍ଗ ହୋଇଯାଉ ଏବଂ ସେହି କାରଣରୁ ସର୍ବଦା କେବଳ ସାଙ୍ଗମାନଙ୍କୁ ପାଇ ଯାଉଥିବା ପରି ଅନୁଭବ କରୁ । ଅନ୍ୟମାନେ ନିଃସଙ୍ଗତାଗୁଡ଼ାକର ଗବେଷଣା କରିବାରେ ଲାଗିଥାଆନ୍ତି, ଏଠି ଘରମାନଙ୍କରେ ଥାନ ପାଇଥିଲେ ମଧ୍ୟ ବେଘର ହୋଇ ବୁଲନ୍ତି । ଗୋଟିଏ ଆତ୍ମପୀଡ଼ନ- ରତିରୁ ସତେଅବା ଏକ ଖାସ୍ ପ୍ରକାରର ତୃପ୍ତି ହୁଏତ ଲାଭ କରନ୍ତି । ସଚରାଚର ନାନାଭାବେ ଭିତରେ ଉଗ୍ର ହୋଇ, ଉତ୍ତାପଯୁକ୍ତ ହୋଇ ରହିଥାନ୍ତି ଏବଂ ପୃଥିବୀଟାକୁ ଅଭିଶାପ ଦେଉଥାନ୍ତି । ଏପରି ଏକ ଅଲକ୍ଷଣା ପୃଥିବୀକୁ କାହିଁକି ଆସିଲେ ବୋଲି ନିଜସହିତ ମଧ୍ୟ କଳହ କରୁଥାନ୍ତି କି ?

 

ଏହିପରି ଏକ ‘ନାହିଁ ନାହିଁ’ର ହାଟରେ ଭିକ୍ଟର୍ ଫ୍ରାଙ୍କ୍‌ଲ୍‌ଙ୍କର ଲୋଗୋଥେରାପି କେଡ଼େ ବିଶ୍ୱାସ-ସମୁଜ୍ଜ୍ୱଳ ସହଜତାରେ ‘ହଁ ହଁ’ ବୋଲି କହିଛି । Doch dem Leben ja Sagen,- ଏଇଟିକୁ ଫ୍ରାଙ୍କ୍‌ଲ୍‌ ଆପଣାର ଏକ ପ୍ରଧାନ ଗ୍ରନ୍ଥର ଶୀର୍ଷକରୂପେ ବ୍ୟବହାର କରିଛନ୍ତି । ତଥାପି ଜୀବନକୁ ହଁ ହଁ ବୋଲି କହିବା । ହଁ, ତଥାପି, ନାହିଁ ନାହିଁ ମାନେ ନାନା ନ୍ୟାୟଯୁକ୍ତି ସହିତ ତୁମକୁ ଗୋଟାସୁଦ୍ଧା ବୁଡ଼ାଇ ଦେବା ଓ ହୁଡ଼ାଇ ନେବାରେ ତୁମଉପରେ ଆସି ଅଜାଡ଼ି ହୋଇ ପଡ଼ୁଥିବେ, ଅକାଟ୍ୟ ପ୍ରମାଣମାନ ଦେଇ ଏହି ପୃଥିବୀ ଆଉ କଦାପି ରହିବନାହିଁ ବୋଲି ଗୋଳ କରିବାରେ ଲାଗିଥିବେ, ତଥାପି ତୁମେ ନିଜଭିତରୁ ଏବଂ ପରସ୍ପର ଭିତରୁ କ’ଣ ଅନ୍ୟ ଆବାଜଟିଏ ପାଇ ହଁ ହଁ ବୋଲି କହୁଥିବ । ହଁ ହଁ ବୋଲି ବଞ୍ଚୁଥିବ ଏବଂ ତଦ୍ଦ୍ୱାରା ପୃଥିବୀଟିକୁ ବହୁସମ୍ଭବ କରି ରଖିଥିବ । ଛେରୁଆ ବାସ୍ତବବାଦୀମାନେ ହାଉହାଉ ହେବାରେ ଲାଗିଥିବେ, ତଥାପି ତୁମେ କେଉଁଠାରେ ଚେନାଏ ଆକାଶ ଉପରେ ତାରାଟିଏ ଜଳୁଥିବାର ଦେଖି ପାରୁଥିବ । ସତେ ତ, ଏହି ପୃଥିବୀ ଆଉ ମୋଟେ ରହିବନାହିଁ ବୋଲି ନାହାକମାନେ ଆମ ଇତିହାସଯାକ କହି ଆସିଛନ୍ତି ଏବଂ ତଥାପି ପୃଥିବୀ ରହିଛି । ସମ୍ମୁଖଦୃଷ୍ଟି ହୋଇ ରହିଛି ଏବଂ ଆଗକୁ ଆଗକୁ ମାଡ଼ିଯାଇଛି । ମନୁଷ୍ୟମାନଙ୍କୁ ନୂଆ ନୂଆ ଆଖି ଯୋଗାଇ ଦେଇଛି, ନୂଆ ନୂଆ ସମାଧାନର ବାଟ କାଢ଼ିଛି । କୌଣସି ସିଦ୍ଧ ପ୍ରମାଣ ନାହିଁ, ତଥାପି ତାହାହିଁ ଘଟିଛି । ଆମେ ମଣିଷମାନେ ଯେ ପରିସ୍ଥିତି ମାନଙ୍କର ଦାସ ନୋହୁ, ତାହାରି ପ୍ରମାଣ ଦେଇଛି । ହଁ, ଆମେ ମନୁଷ୍ୟମାନେ ପରିସ୍ଥିତିଗୁଡ଼ିକୁ ତିଆରି କରୁ ଓ ପୁଣି ସେଗୁଡ଼ିକର ସମାଧାନ ବାହାର କରି ସେଗୁଡ଼ିକୁ ବଦଳାଉ । ଆମେ ହିଁ ବିଗାଡ଼ୁ ଓ ଆମେ ମଧ୍ୟ ସଜାଡୁ । ଯେତିକି ବିଗାଡ଼ୁ, ତା'ଠାରୁ ଅଧିକ ଶକ୍ତିଶାଳୀ କରି ସଜାଡ଼ି ନେଉ ଏବଂ ସେହି କାରଣରୁ ତ ସତେ ଏକ ଅଗ୍ରଗତି ଲାଗି ରହିଥାଏ ।

 

ଶ୍ରୀଯୁକ୍ତ ଫ୍ରାଙ୍କ୍‌ଲ୍‌ଙ୍କର ସୁନିଶ୍ଚିତ ଭାବରେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥଟି ହେଉଛି Homo Patiens- Man the Sufferer ବା The Suffering Man- ଆମ ଇତିହାସରେ ମନୁଷ୍ୟ ସହିତ Economicus, Politicus, Sapiencs, Faber, Ludens ପ୍ରଭୃତି ବିଶେଷଣ ଲଗାଇ ଦିଆଯାଇ ତାକୁ ସର୍ବତ୍ର ଗୋଟିଏ ମାତ୍ର ଖାସ୍‌ ଗବାକ୍ଷ ଦେଇ କଳ୍ପନା କରାଯାଇ ଆସିଛି । ମାତ୍ର, ଫ୍ରାଙ୍କ୍‌ଲ୍‌ Homo Patiens ଅଭିଧାଟି ଦ୍ୱାରା ମଣିଷକୁ ପରିପୂର୍ଣ୍ଣତଃ ଏକ ସକାରାତ୍ମକ ଅର୍ଥ-ବ୍ୟଞ୍ଜନାରେ ଦେଖିବାର ସାହସ କରିଛନ୍ତି । ମନୁଷ୍ୟମାତ୍ରେ ଆମ ପ୍ରତ୍ୟେକଙ୍କର ଜୀବନର ଦୁଃଖନାମକ ଯେଉଁ ଘଟଣାଟି ଆସିଥାଏ, ଏବଂ ଆହୁରି ଅଧିକ ବଡ଼ କଥା ହେଉଛି, ଆମେ ସ୍ୱପ୍ରବୃତ୍ତ ହୋଇ ଯେଉଁସବୁ ଦୁଃଖକୁ ଆଦରି ନେଇଥାଉ, ସେଗୁଡ଼ିକ କ’ଣ ଆମକୁ ତୁଚ୍ଛା ଦୁଃଖ ଦେବାକୁ ହିଁ ଆସିଥାଏ ? ନା, ଆମେ ସ୍ୱୟଂ ଉଚିତ ପ୍ରକାରେ ତାହାକୁ ଗ୍ରହଣ କରିନେଇ ପାରୁନାହିଁ ବୋଲି ଏମାନେ ଆମକୁ ଦୁଃଖ ପରି ଲାଗନ୍ତି ଏବଂ ଦୁଃଖ ଦେଉଥାନ୍ତି ? ଦୁଃଖ ଉଜ୍ଜ୍ୱଳ ମଧ୍ୟ କରେ, ଆମ ଭିତରୁ କେତେ କେତେ କୁଣ୍ଠା ଏବଂ ଅନିଚ୍ଛୁକତାକୁ ଧୋଇ ନେଇଯାଏ, କେତେ କେତେ ଅମେଳକୁ ଆମ ଭିତରେ ମେଳରେ ପରିଣତ କରି ଦେଇଥାଏ । ପୃଥିବୀଯାକର ସଭ୍ୟତାରେ ଆମର ଅଗ୍ରଣୀମାନେ ନାନା ଦୁଃଖକୁ ବରଣ କରି ନେଇନଥିଲେ ଆମେ ପ୍ରକୃତରେ ଏଯାଏ ଆସି ପହଞ୍ଚି ପାରିଥାନ୍ତୁ କି ? ଜଣେ ରୋଗୀର ରୋଗନାମକ ଦୁଃଖକୁ ଦୂର କରିବାର ଅଭିପ୍ରାୟରେ ଆମ ଚିକିତ୍ସକମାନେ ଔଷଧ ପ୍ରୟୋଗ କରି ଯେ ଏକ ପ୍ରତିକାର କରିପକାନ୍ତି, ତଦ୍ଦ୍ୱାରା ସେମାନେ ଆହୁରି କେତେ କେତେ ରୋଗଲାଗି ଶରୀରକୁ ହୁଏତ ଉନ୍ମୁକ୍ତ କରିଦିଅନ୍ତି ବୋଲି ଏବେ ଡାକ୍ତରମାନେ ମଧ୍ୟ କହିଲେଣି ।

 

ଗ୍ରନ୍ଥଟିରେ ଶ୍ରୀଯୁକ୍ତ ଫ୍ରାଙ୍କ୍‌ଲ୍‌ ଏପରି ଗୋଟିଏ କଥାର ଉତ୍‌ଥାପନ କରିଛନ୍ତି, ଯାହାକି ଆମକୁ ଆମର କେତେ ନା କେତେ ଭିତର ଆଡ଼କୁ ଉନ୍ମୋଚିତ କରିଦେବ ଏବଂ ଏହି ପୃଥିବୀରେ ଲାଗି ରହିଥିବା ବହୁବିଧ ଅମଣିଷପଣିଆର ଭିତରକୁ ପ୍ରାୟ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇଦେଇ ପାରିବ । ଏହି ଦୁଃଖୀ ସଂସାରଟାରେ ଯେଉଁ ଆଦର୍ଶବାଦୀମାନେ ଏତେ ଏତେ ଉଗ୍ର ଦୁଃଖରେ ଜୁଡ଼ୁବୁଡ଼ୁ କରି ରହିଛନ୍ତି, ସେମାନେ ଆପଣାର ସେହି ଆଦର୍ଶଗୁଡ଼ିକୁ ଗ୍ରହଣ କରି ପାରିଛନ୍ତି ତ ! ନା ପୂର୍ଣ୍ଣ ଅପ୍ରମତ୍ତ ଏବଂ ସୁସନ୍ତୁଳିତ ଭାବରେ ସେଗୁଡ଼ିକୁ ଆଦୌ ନିଜ ଜୀବନ ମଧ୍ୟକୁ ସ୍ୱୀକାର କରି ନେଇଛନ୍ତି ଏବଂ ତେଣୁ ଆପଣାକୁ କେତେ ପରିମାଣରେ ସାନ୍ତ୍ୱନା ଦେବା ସକାଶେ ଆଦର୍ଶଟାକୁ ଅନ୍ୟମାନଙ୍କ ଉପରେ ନେଇ ଉଗ୍ର ଭାବରେ ଯାଇ ମାଡ଼ି ଦେଉଛନ୍ତି ? ମତାନ୍ଧ ଏବଂ ଧର୍ମାନ୍ଧ ହେଉଛନ୍ତି, ମୋ’ ଧର୍ମକୁ ଏବଂ ମୋ’ର ମତକୁ ପୃଥିବୀଯାକ ସମସ୍ତେ ଗ୍ରହଣ କରନ୍ତୁ ବୋଲି ଅଭିଯାନମାନଙ୍କରେ ବାହାରି ପଡ଼ୁଛନ୍ତି ? ପଇତାଟାକୁ ବଦଳାଇ ଦେଲେ ମଣିଷମାନେ ବଦଳିଯିବେ ବୋଲି କି ପ୍ରଚଣ୍ଡ ପ୍ରକାରେ ବିଶ୍ଵାସ ମଧ୍ୟ କରୁଛନ୍ତି, ଡିକ୍ଟେଟର୍‌ମାନେ ଅରାଜୀମାନଙ୍କୁ ମାରଣ-ଶିବିରକୁ ଧରି ନେଉଛନ୍ତି । ଆମର ବା ମୋ’ର ଯେଉଁ ପରି ଗୋଟିଏ ଆଦର୍ଶ ଏବଂ ଧର୍ମ ରହିଛି, ଅନ୍ୟମାନଙ୍କର ବା ଜଣେ ଅନ୍ୟ ବ୍ୟକ୍ତିର ମଧ୍ୟ ଏକ ଧର୍ମ ଏବଂ ଆଦର୍ଶ ରହିବା ଉଚିତ ବୋଲି ସେମାନେ ମୋଟେ ବୁଝିବାକୁ ଇଚ୍ଛା କରନ୍ତିନାହିଁ । ଦୁଃଖୀ ହୁଅନ୍ତି ନା ସୁଖୀ ହୁଅନ୍ତି ? ତେଣୁ, ଅନ୍ତର୍ଗତ ସନ୍ଦେହରୁ ହିଁ ଉଗ୍ରତା, ଏକ ଅପାରଗତାରୁ ହିଁ ଭଳି ଭଳି ଅଭିନୟ ଏବଂ ଅମାନୁଷିକତା । ଅଳପଟାକୁ, ଏକ ଆପେକ୍ଷିକତାକୁ ସତେଅବା କୌଣସି କାଳିସୀର ଦୌରାତ୍ମ୍ୟ ହେତୁ ଶତକଡ଼ା ସବୁକିଛି କହିବା ଫଳରେ ଏହି ଯାବତୀୟ ମତିହୀନତା ଓ ଦୁଷ୍ଟତା । ଏହା ମୋ’ର ଆଦର୍ଶ, ଏବଂ ଏହା ଏକମାତ୍ର ଆଦର୍ଶ; ଏଇଟି ମୋ’ ଠାକୁର, ଏବଂ ତେଣୁ ପୃଥିବୀଯାକ ସମସ୍ତେ ମଧ୍ୟ ଏଇଟିକୁ ଅଲବତ ଠାକୁର ବୋଲି ସ୍ୱୀକାର କରିବେ ବୋଲି ଏକ ଅଫିମିଆ ଏକଜିଦିଆପଣର ଧୃଷ୍ଟତା ।

 

ତେଣୁ, କେଡ଼େ ସ୍ପଷ୍ଟତାର ସହିତ ଫ୍ରାଙ୍କ୍‍ଲ୍ ଏହି ଗ୍ରନ୍ଥରେ ଘୋଷଣା କରି ପାରିଛନ୍ତି: ମୁଁ ଯାହାକୁ ଆପଣାର ବୋଲି ବୁଜୁଳା କରି ବାନ୍ଧି ରଖିଛି, ସେଇଟିର ବସ୍ତୁତଃ କୌଣସି ମୂଲ୍ୟ ନାହିଁ, ମାତ୍ର ଯାହାକିଛି ସତକୁ ସତ ଦେଇପାରୁଛି, ସେଇଟିର ହିଁ ଯାହାକିଛି ସତ୍ୟମୂଲ୍ୟ ରହିଛି । ଜୀବନରେ ବସ୍ତୁତଃ କିଛି ହୋଇ ପାରିବା ଏବଂ ଏହିପରି ହେବାଦ୍ୱାରା ମୁଁ ଯାହାକିଛି ପାଇଲି, ତାହାକୁ ଏକ ସ୍ଵାଭାବିକ ନିତ୍ୟ ପ୍ରେରଣାରେ ଦେଇ ବି ପାରିବା,- ତାହାହିଁ ଧର୍ମ ଓ ତାହାହିଁ ଆଦର୍ଶ । ଅସଲ ପୂର୍ଣ୍ଣତାବୋଧର ମାର୍ଗ । ବୁଜୁଳା କରି ବୋହିବାଟା ହେଉଛି ପ୍ରମତ୍ତତା, ଏକ ସ୍ଵାଧିକାରପ୍ରମତ୍ତତା । ଏହି ପ୍ରମତ୍ତ ମନୁଷ୍ୟମାନେ ଆମ ପୃଥିବୀ ନିମନ୍ତେ ହୁଏତ ସକଳ ଦୁଃଖର କାରଣ ହୁଅନ୍ତି । ସେମାନେ ଆପଣା ସକାଶେ କ’ଣ କମ୍ ଦୁଃଖକୁ ଡାକି ଆଣି ଥାଆନ୍ତି ! ଅଧିକାର-ପ୍ରମତ୍ତତାର ମାପକାଠି ମାନଙ୍କୁ ପକାଇ ଆମେ କେବେହେଲେ ସେହି ନିଦାନ ସତ୍ୟଟିକୁ ବୁଝି ପାରିବାନାହିଁ । ବୁଜୁଳା ବାନ୍ଧିବାକୁ ଧର୍ମବତ୍ ମାନୁଥିଲେ ଓ ଆପଣାକୁ ଦେବାର କ୍ଷେତ୍ରରେ ନାନାଭଳି କୃପଣତାକୁ ଯାବୁଡ଼ି ଧରିଥିବା ପର୍ଯ୍ୟନ୍ତ ତୁଚ୍ଛା ଲୁଚକାଳି ଖେଳିବାରେ ହିଁ ଲାଗିଥିବା । ଆପଣାର ଈଶ୍ୱରୀୟ ଦ୍ଵାରଗୁଡ଼ିକୁ କେଡ଼େ ଜବର ହୋଇ କିଳି ରଖିଥିବା । ତେଣୁ, ଦୁଃଖ ଓ ସୁଖଲାଭ ଜୀବନରେ ସବାଆଗର ସମସ୍ୟା ନୁହେଁ । ଆପଣାକୁ ଦେଇ ପାରୁଥିବା ବା ନାନାଭାବେ କୃପଣ ହୋଇ ରହିଥିବା ହେଉଛି ସମସ୍ୟା । ଦେବାର ଜୀବନରେ ଆମର ସବୁଯାକ ଦୁଃଖ ଯେ ଅପସାରିତ ହୋଇଯିବ, ସେକଥା ମଧ୍ୟ ନୁହେଁ । ଦୁଃଖ ରହିବ, କିନ୍ତୁ ଏକ ସାର୍ଥକତା ଉପଲବ୍ଧ ହେବ ଏବଂ, ଆମ ସଂସାରର ଏହି ଯାବତୀୟ ସଚଳତାର କ୍ଷେତ୍ରଗୁଡ଼ିକରେ ସେହି ସାର୍ଥକତାର ଯେଉଁ ଉପଲବ୍ଧିଟି, ତାହାକୁ ଆମେ ବସ୍ତୁତଃ ଆଉ କେଉଁ ସୁଖ ସହିତ ତୁଳନା କରି କମ୍ ବୋଲି କହିପାରିବା ?

 

ଏବଂ, ଏହାପରେ ପୁସ୍ତକଟିରେ ରହିଥିବା ସେହି ଅତିପରିଚିତ ଅଭିବ୍ୟକ୍ତିଟି । ମନୋବିଜ୍ଞାନର ପରିଭାଷାରେ ଆଦୌ ଲେଖା ହୋଇନାହିଁ । ମାତ୍ର ଶ୍ରୀ ଭିକ୍‌ଟର୍‌ ଫ୍ରାଙ୍କ୍‌ଲ୍ ପରିଭାଷାର କୋଉ ବାଡ଼ଗୁଡ଼ାକୁ ମାନିଛନ୍ତି ଯେ ଏଠାରେ ମଧ୍ୟ ସେଇଟି ବିଷୟରେ ସାବଧାନତା ଅବଲମ୍ବନ କରି ଥାଆନ୍ତେ: ଗୋଟିଏ ପୁସ୍ତକ ରଚନା କରିବା, ସେଇଟି ମୋଟେ କୌଣସି ବଡ଼ କଥା ନୁହେଁ । ଏକ ଜୀବନ ବଞ୍ଚିବା, ସେଇଟି ହେଉଛି ଏକ ଅଧିକ ବଡ଼ କଥା । ଆହୁରି ବଡ଼ କଥା ହେଉଛି ଯେ, ଏପରି ପୁସ୍ତକଟିଏ ଲେଖା ହୋଇ ପାରିବ, ଯେଉଁଟି ଅନୁସାରେ ଆମେ ଜୀବନଟିଏ ବଞ୍ଚି ପାରୁଥିବା । ପୁନଶ୍ଚ, ତା'ଠାରୁ ମଧ୍ୟ ତଥାପି ଆହୁରି ଅନେକ, ଅନେକ ବଡ଼ କଥା ହେଉଛି ଯେ, ଏପରି ଗୋଟିଏ ଜୀବନ ତୁମେ ବଞ୍ଚି ପାରୁଥିବ, ଯାହା ବିଷୟରେ ପ୍ରକୃତରେ ପ୍ରସ୍ତକଟିଏ ଲେଖା ହୋଇ ପାରିବ । ହଁ, ପ୍ରକୃତରେ ଗୋଟିଏ ଜୀବନ ବଞ୍ଚିବା, ସେଇଟି ଅସଲ କଥା, ସବାମୂଳ କଥା । ଏଇଟି ହେଉଛି ଲକ୍ଷ୍ୟ, ଏଇଟି ହେଉଛି ସର୍ବଶ୍ରେଷ୍ଠ ଶୈଳୀ, ସର୍ବଶ୍ରେଷ୍ଠ ସାର୍ଥକତା ଓ ସର୍ବଶ୍ରେଷ୍ଠ ତୃପ୍ତି-। ଏହାକୁ ଆମେ ତୁଚ୍ଛା କୌଣସି ନୀତିବାଦୀ ଦର୍ଶନର କଥା କହି ଆଦୌ ଉଡ଼ାଇ ଦେଇ ପାରିବା ନାହିଁ । ପିଲାମାନଙ୍କୁ ବଡ଼ମାନେ ଦେଉଥିବା କୌଣସି ବାଚନିକ ପରାମର୍ଶ ବୋଲି ମୋଟେ ଟାଳି ଦେଇ ପାରିବାନାହିଁ । ଯାବତୀୟ ବିଜ୍ଞାନ, ଏହି ସବୁକିଛି ଆଖର ଏକ ଜୀବନ ଭଳି ଜୀବନ ବଞ୍ଚିବା ନିମନ୍ତେ । କେବଳ ଆମ ମଥାଭିତରେ କୌଣସି ପାଣ୍ଡିତ୍ୟର ପ୍ରଦର୍ଶନ ଲାଗି ସାଇତା ହୋଇ ରହିବାର ବିଷୟ ନୁହେଁ । ମକ୍ତବୀ ସର୍ବବିଧ ବିଜ୍ଞାନଚର୍ଯ୍ୟା ସାଧାରଣତଃ ଆମ ମଥାର ଚୌହଦୀ ଭିତରେ ହିଁ ନିଜକୁ ସୀମିତ କରି ରଖିଛି ଓ ସେତିକିକୁ ଶୃଙ୍ଖଳା ବୋଲି କହିଛି । ଭିକ୍ଟର୍‌ ଫ୍ରାଙ୍କ୍‌ଲ୍‌ ସେହି ଶୃଙ୍ଖଳାକୁ ଅତିକ୍ରମ କରି ଯାଇଛନ୍ତି । ଏକ ଅନ୍ୟ ଶୃଙ୍ଖଳାର ଉଦ୍‌ବୋଧନ ହିଁ ଦେଇଛନ୍ତି । ମନୁଷ୍ୟ ଭିତରେ ଏକ ଅନ୍ୟ ସମର୍ଥତାକୁ ପ୍ରତ୍ୟକ୍ଷ କରି ପାରିଛନ୍ତି ଏବଂ ଏକ ଉତ୍ତୋଳନର କଥା କହିଛନ୍ତି ।

 

ଏବଂ, ସେହି ଅନୁସାରେ ଏକ ଅନ୍ୟ ପରିଭାଷାର ମଧ୍ୟ ସୃଷ୍ଟି କରିଛନ୍ତି । ବାଡ଼ଗୁଡ଼ିକୁ ଭାଙ୍ଗିଛନ୍ତି । ଫ୍ରାଙ୍କ୍‌ଲ୍‌ଙ୍କୁ ବୁଝିପାରିଲେ ଆମେ ତାଙ୍କର ପରିଭାଷାଗୁଡ଼ିକୁ ମଧ୍ୟ ଅତ୍ୟନ୍ତ ସହଜରେ ବୁଝିପାରିବା । ଫ୍ରାଙ୍କ୍‌ଲ୍ Der Unbedingte Mensch କଥା କହିଛନ୍ତି, Der Unbewuste Gott କଥା କହିଛନ୍ତି: ଅର୍ଥାତ୍ ଏକ Unconditional Man ଏବଂ ଏକ Unconsious God କଥା କହି ସେ ଆମକୁ ମୋଟେ କୌଣସି abstract ଅର୍ଥାତ୍‍ ବାୟବୀୟ ବିଭ୍ରାନ୍ତି ମଧ୍ୟକୁ ଭୁଲାଇ ନେଇନାହାନ୍ତି, ମନୁଷ୍ୟମାତ୍ରେ ପ୍ରତ୍ୟେକଙ୍କ ମଧ୍ୟରେ ଉନ୍ମୋଚନ ଲାଗି ଅପେକ୍ଷା କରି ରହିଥିବା ଏକ ସମ୍ଭାବନାମୟ ବ୍ୟକ୍ତିତ୍ୱର କଥା ହିଁ କହିଛନ୍ତି । ନାନାଭାବେ ବହୁପ୍ରସୀମିତ ହୋଇ ରହିଥିବା ମନୁଷ୍ୟ- ନିୟତିଟିର ଗର୍ଭରେ ଏକ ଅଚେତନ ଭଗବାନ୍ ବିଦ୍ୟମାନ୍ ରହିଛନ୍ତି ବୋଲି ଚେତାଇ ଦେଇଛନ୍ତି । ଏହି ବାହ୍ୟ ନାନା ଅଭ୍ୟସ୍ତତା ଦ୍ୱାରା ନସରପସର ହୋଇ ରହିଥିବା ମଣିଷଟା ଭଗବାନ୍‍ଙ୍କୁ ଯୁଗେ ଯୁଗେ ବହୁବିଧ କଳ୍ପନା ତଥା ପିତୁଳା ମଧ୍ୟରେ ଠାବ କରିବାର ଖାସ୍ ଶିକ୍ଷାମାନ ପାଇ ଆସିଛନ୍ତି: ନାନାବିଧ ମନ୍ଦିରରେ, ଶାସ୍ତ୍ର-ଲାଳସାରେ ଏବଂ ସେହି ଅନୁସାରେ ଭଳି ଭଳି ଘୃଣାରେ । ସ୍ଵର୍ଗର ପ୍ରଲୋଭନରେ ଏବଂ ନର୍କମାନଙ୍କର ଭୟରେ ଅବାଟ ମାନଙ୍କରୁ ତଥାକଥିତ ଠିକ୍ ବାଟମାନଙ୍କୁ ଆସିବାର ବହୁ ପ୍ରରୋଚନା ଲାଭ କରିଛନ୍ତି ଓ ସେଗୁଡ଼ିକରୁ କେତେ ସାନ୍ତ୍ୱନା ମଧ୍ୟ ଲାଭ କରିଛନ୍ତି, ନିଜ ଭିତରର ଅସଲ ବ୍ୟକ୍ତିତ୍ୱଟିକୁ ଅନୁଭବ ହିଁ କରି ନାହାନ୍ତି । ଭିକ୍ଟର୍ ଫ୍ରାଙ୍କ୍‍ଲ୍ ନିଜର ଅଙ୍ଗେ ନିଭାଇଥିବା ବହୁ ବେଦନା ଏବଂ ଯାତନାମୟ ଜୀବନଟିକୁ ସତେଅବା କେଡ଼େ ଅନ୍ତରଙ୍ଗ ଭାବରେ ବୁଝି ଏକ ଅନ୍ୟ ସଂବେଦନା ସହିତ ଆମ ମନୁଷ୍ୟମାନଙ୍କର କେଡ଼େ ନିକଟ ହୋଇ ପାରିଛନ୍ତି ।

 

ପ୍ରସ୍ତୁତ ପୁସ୍ତକଟିର ଆଲୋଚନା-ଭାଗଟିକୁ ଆମେ ଏହିଠାରେ ଶେଷ କରିବା । କେଉଁଠାରୁ ଆରମ୍ଭ ହୋଇ କେଉଁଠାରେ ଯେ ମୁଣ୍ଡି ମରାହେଲା, ସେହି କଥାଟିକୁ ଲକ୍ଷ୍ୟ କରି ଆମେ ମାସ୍‍ଲୋଭ୍‍ ଏବଂ ଫ୍ରାଙ୍କ୍‌ଲ୍‌ଙ୍କ ଯାଏ ଆସିବାକୁ ଚେଷ୍ଟା କରିବା । ଯେତେଯେତେ ପାର୍ଥକ୍ୟ ରହିଥିଲେ ମଧ୍ୟ ସେଗୁଡ଼ିକ ମଧ୍ୟରେ ସେତୁଟିଏ ଅବଶ୍ୟ ପଡ଼ିଥିବାର ଖୁବ୍ ଲକ୍ଷ୍ୟ କରିପାରିବା । ମନୋବିଜ୍ଞାନ ଏବଂ ମନୋବିଶ୍ଳେଷଣ ମାର୍ଗ ଦେଇ ମନୁଷ୍ୟବ୍ୟକ୍ତି ଓ ତା’ର ବ୍ୟକ୍ତିତ୍ୱକୁ ବୁଝିବା ନିମନ୍ତେ ଯେଉଁ ସୁଦୀର୍ଘ ମାର୍ଗଟି ଏବେ ମଧ୍ୟ ଅବ୍ୟାହତ ରହିଛି, ସେଇଟିକୁ ଅନ୍ତରଙ୍ଗ ଭାବରେ ହୃଦୟଙ୍ଗମ କରି ପାରିବା । ସେହି ମାର୍ଗଟିକୁ ଏକ ମାର୍ଗରୂପ ପ୍ରଦାନ କରିବାର ପ୍ରତ୍ୟେକଟିର ତଥା ପ୍ରତ୍ୟେକ ମନୋବିଜ୍ଞାନୀଙ୍କର ସ୍ପଷ୍ଟତଃ ଅବଦାନମାନ ରହିଛି ବୋଲି ଜାଣି ପାରିବା । କେଉଁଟି ଠିକ୍ ଓ କେଉଁଟି ଭୁଲ୍, ଏପରି ପ୍ରଶ୍ନ ପଚାରିବାକୁ ଆଦୌ ଇଚ୍ଛା ହେବନାହିଁ । ଠିକ୍ ଭୁଲ୍‌କୁ ନିଠ କରି ସର୍ବବିଧ ବିଜ୍ଞାନରେ କେତେ ଉତ୍ସାହୀ କେତେ କେତେ କଳହ କରି ଯେ ଆସିଛନ୍ତି, ତାହାର ଇୟତ୍ତା ନଥିବ । ନାହିଁ, ଯାବତୀୟ ବିଜ୍ଞାନ ପରି ମନୋବିଜ୍ଞାନର ମଧ୍ୟ ପ୍ରସାର ପରେ ପ୍ରସାର ଲାଭ କରିବାର ଏକ ସୁବୋଧ୍ୟ ଧର୍ମ ସର୍ବଦା ରହିଆସିଛି । ପୃଥିବୀଟି ସହିତ ଯେତିକି ଯେତିକି ବିଜ୍ଞାନୀମାନଙ୍କର ସଂପୃକ୍ତି ବଢ଼ିଛି ଓ ବଢ଼ୁଛି, ସେତିକି ସଂପ୍ରସାରଣମାନେ ମଧ୍ୟ ଆସି ଆହ୍ୱାନ ଦେଇଛନ୍ତି । ମୋଟେ ଜାତି ଯାଇନାହିଁ । ପୃଥିବୀ ଉପକୃତ ହେବାରେ ଲାଗିଛି ।

 

ଗୋଟିଏ ହେଉଛି ବ୍ୟକ୍ତିତ୍ୱ ଏବଂ ଆଉଗୋଟିଏ ହେଉଛି ବ୍ୟକ୍ତିଗତ, ଏବଂ ଦୁଇଟି ମଧ୍ୟରେ ଏକ ସମୁଦ୍ରର ବ୍ୟବଧାନ । ଶ୍ରୀଯୁକ୍ତ ଲରେନ୍‌ସ୍ ଫ୍ରାଙ୍କ୍‌ଲ୍‌ଙ୍କର ବ୍ୟାଖ୍ୟାଟି ଅନୁସାରେ(୭), ବ୍ୟକ୍ତିତ୍ଵ ଓ ବ୍ୟକ୍ତିବାଦ ହେଉଛନ୍ତି ସଂପୂର୍ଣ୍ଣ ଭାବରେ ଦୁଇଟି ବିପରୀତ ପ୍ରସଙ୍ଗ । ବ୍ୟକ୍ତିବାଦକୁ ଆମେ କେବେହେଲେ ବ୍ୟକ୍ତିତ୍ୱ ବୋଲି ଭ୍ରମ କରି ପକାଇବା ନାହିଁ । ଜଣେ ବ୍ୟକ୍ତିର ଅନ୍ତର୍ନିହିତ ସମ୍ଭାବନା ଗୁଡ଼ିକର ଯଥାସମ୍ଭବ ପୂର୍ଣ୍ଣରୁ ପୂର୍ଣ୍ଣତର ଉତ୍ତରୋତ୍ତର ବିକାଶ, ତାହାହିଁ ତା’ର ବ୍ୟକ୍ତିତ୍ୱର ପରିଚୟ ଏବଂ, ପ୍ରତ୍ୟେକ ବ୍ୟକ୍ତିର ଏକାବେଳକେ ମୂଳ ଧାତୁ ଗୁଡ଼ିକର କ୍ଷେତ୍ରରେ ସର୍ବଦା ଏକ ଅନନ୍ୟତା ରହିଥିବାରୁ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ୱ ମଧ୍ୟ ତା’ର ଏକ ଅନନ୍ୟ ସମ୍ପଦ ବୋଲି ଜାଣି ରଖିବାକୁ ହେବ । ଅପର ପକ୍ଷରେ, ବ୍ୟକ୍ତିବାଦ ହେଉଛି ଏକ ଏପରି ଦୃଷ୍ଟିକୋଣ ଏବଂ ତାହାରିଦ୍ୱାରା ପରିଚାଳିତ ହେଉଥିବା ଗୋଟିଏ ଜୀବନ, ଯେତେବେଳେ କି ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିମାନଙ୍କ ସହିତ ନାନା ପ୍ରତିଦ୍ୱନ୍ଦିତାରେ ଲିପ୍ତ ହୋଇ ରହିଥାଏ, ସେମାନଙ୍କର ବିରୋଧରେ ସତେଅବା ଚରମ ଅସ୍ତ୍ରମାନ ପ୍ରୟୋଗ କରି ସେମାନଙ୍କୁ ପରାଭୂତ କରିଦେବା ଲାଗି ବ୍ୟସ୍ତ ଥାଏ । ମୁଖ୍ୟତଃ ନିଜକୁ ଧନରେ, ସମ୍ମାନଲାଭର ଓ କ୍ଷମତାର ନାନାବିଧ କ୍ଷେତ୍ରରେ ଅନ୍ୟ ସମସ୍ତଙ୍କ ଠାରୁ ସରସ ଏବଂ ଅଧିକ ବୋଲି ପ୍ରତିପାଦିତ କରି ପାରିବାର ନାନା ପ୍ରଦର୍ଶନରେ ମାତିଥାଏ । ଆମର ସାମୁଦାୟିକ ଜୀବନକୁ ତାହା ଧର୍ମତଃ ଏକ ରଣକ୍ଷେତ୍ରରେ ପରିଣତ କରି ରଖିଥାଏ । ଏକ ଅସମାନ ସମାଜ, ତାହା ହେଉଛି ଏହି ବ୍ୟକ୍ତିବାଦୀ ମାନଙ୍କର ସୃଷ୍ଟି । ସାମନ୍ତବାଦ, ପୁଞ୍ଜିବାଦ ଏବଂ ସେହି ରୀତିର ଯାହାକିଛି ଗଢ଼ଣ, ତାହା ହେଉଛି ବ୍ୟକ୍ତିବାଦର ଭିଆଣ । ବ୍ୟକ୍ତିତ୍ୱ ତ ଅନ୍ୟ ସକଳ ମନୁଷ୍ୟଙ୍କ ମଧ୍ୟରେ କୁସୁମିତ ହେବାରେ ଲାଗିଥିବା ବ୍ୟକ୍ତିତ୍ୱଟିକୁ ଘ୍ରାଣ କରୁଥାଏ ଏବଂ ସେଇଟିର ସମ୍ମାନ କରେ । ସବୁ ମନୁଷ୍ୟଙ୍କୁ ସମଧର୍ମୀ ତଥା ସହଯାତ୍ରୀ ସଦୃଶ ଦେଖେ । ମୁଖ୍ୟତଃ ଏକ ମୂଳଭୂତ ଜୀବନାନୁରାଗରେ ହିଁ ଆପଣାକୁ ପ୍ରେରିତ କରି ରଖିଥାଏ । ବ୍ୟକ୍ତିବାଦୀର ତ ଏଡ଼େ ବଡ଼ ଏହି ପୃଥିବୀରେ କେବଳ ଜଣେମାତ୍ର ସଙ୍ଗୀ ରହିଥାଏ ଏବଂ ସିଏ ହେଉଛି ସିଏ ନିଜେ । ଫଳରେ ଜଣେ ବ୍ୟକ୍ତିବାଦୀ ପ୍ରାୟ ଏକାବେଳେକେ ଏକ ଦହନମୟ ଉଗ୍ରମନ୍ୟତା ଓ ହୀନମନ୍ୟତା ଦ୍ୱାରା ଉତ୍ପୀଡ଼ିତ ହୋଇ ରହିଥାଏ ।

 

ଆବ୍ରାହାମ୍ ମାସ୍‌ଲୋଭ୍ ସୁସ୍ଥ ବ୍ୟକ୍ତିତ୍ୱର ଏକ ବ୍ୟକ୍ତି ମଧ୍ୟରେ ତାକୁ ପରିଚାଳିତ କରୁଥିବା B-Values (Being-Values)ର ଆରୋପଣ କରିଛନ୍ତି । (୮) ଯାହାକିଛି ଆମର ସତ୍ତାଗତ ସମ୍ଭାବନାମାନଙ୍କୁ ସେହି ଗଭୀର ଭ୍ରୂଣସ୍ତରରୁ ନିର୍ମାଣ କରି ଆଣୁଥାଏ, ସେଗୁଡ଼ିକ ହେଉଛି B-Values,- ସେଗୁଡ଼ିକ ଆମକୁ ନିଜ ବିଷୟରେ ଆମର ସକାରାତ୍ମକ ଏବଂ ସର୍ଜନାତ୍ମକ ଆଖିଗୁଡ଼ିକୁ ଆଣି ଯୋଗାଇ ଦିଅନ୍ତି । ସକାରାତ୍ମକ ଓ ସର୍ଜନାତ୍ମକ ବ୍ୟକ୍ତିମାନେ ପୃଥିବୀରୁ ଆଦୌ ପଳାଇ ଯାଆନ୍ତି ନାହିଁ । ଯେକୌଣସି ମନୁଷ୍ୟ ପରି ସଂସାରର ଅନ୍ନସ୍ତରୀୟ ଉପଭୋଗ ଗୁଡ଼ିକୁ ପୂର୍ଣ୍ଣପ୍ରାଣରେ ଗ୍ରହଣ କରନ୍ତି ଏବଂ ଆଦୌ କୌଣସି ବୈରାଗ୍ୟ ଭିତରକୁ ବଣା ହୋଇ ଚାଲି ଯାଆନ୍ତିନାହିଁ । ମୋଟେ ବାବାଜୀ ହୁଅନ୍ତି ନାହିଁ । ଏକ ଆଧ୍ୟାତ୍ମିକ ଜୀବନର ପିପାସା ଅନୁଭବ କରୁଛନ୍ତି ବୋଲି ସେମାନେ ତପୋରତ ହୋଇ ରହିବାର ମତଲବରେ କୌଣସି ନିକାଞ୍ଚନ ଶିଖରରେ ଯାଇ ଏକାଗ୍ର ହୋଇ ବସିବା ନିମନ୍ତେ ଆଦୌ ଶ୍ରଦ୍ଧା ଦେଖାନ୍ତିନାହିଁ । ସେମାନଙ୍କର ଯାବତୀୟ ଆବଶ୍ୟକତା, ଶ୍ରୀଯୁକ୍ତ ମାସ୍‌ଲୋଭ୍‌ଙ୍କ ଭାଷାରେ metaneeds ରେ ହିଁ ପରିଣତ ହୋଇଯାଏ । ସେମାନେ ନିଜକୁ ଅନ୍ତରାଳ କରିଥିବା ସବୁପ୍ରକାର ଢାଙ୍କୁଣିକୁ ଭାଙ୍ଗି ଦିଅନ୍ତି, ଯେପରିକି ଆପଣାର ଏହି ପୃଥ୍ୱୀଜୀବନରେ ମଧ୍ୟ ଏକ ସତ ଅନ୍ତର୍ଜୀବନକୁ ପ୍ରତ୍ୟକ୍ଷ କରି ପାରିବେ । ଯାହାକିଛି ଅଭିପ୍ରେତ ହୋଇ ଭିତରେ ରହିଛି, ତାହାକୁ ବାହାରକୁ ନେଇଆସି ପାରିବେ,- ପୂର୍ଣ୍ଣ ଭାବରେ ହେବେ ଏବଂ ଆପଣାର ଲବ୍ଧ ଅର୍ଜନ ଏବଂ ସାମର୍ଥ୍ୟମାନଙ୍କୁ ପୃଥିବୀ ନିମନ୍ତେ ନିୟୋଜିତ କରିପାରିବେ ।

 

ସୁତରାଂ, ସକଳ ଆତ୍ମ-ଉପଲବ୍ଧି ଆପଣାକୁ ଅନ୍ୟମାନଙ୍କ ଠାରୁ ଅଧିକ ଉଚ୍ଚ ଓ ଅଧିକ ଗୁଣଯୁକ୍ତ ବୋଲି କୌଣସି ପ୍ରଦର୍ଶନ ନିମନ୍ତେ ଆଦୌ ଉଦ୍ଦିଷ୍ଟ ହୋଇ ରହିନଥାଏ । ବରଂ ଅଧିକ ବାସ୍ତବ ଅର୍ଥରେ ଏହି ପୃଥିବୀକୁ ହିଁ ଓହ୍ଲାଇଆସେ ଏବଂ ସର୍ବଜନଙ୍କ ମଧ୍ୟରେ ଏକ ନିବିଡ଼ତର ଜୀବନର ନମୁନା ହୋଇ ରହିଥାଏ । ବସ୍ତୁତଃ ପୃଥିବୀର ଆଉ ସମସ୍ତଙ୍କୁ ସେମାନଙ୍କର ସେହିପରି ଏକ ଆତ୍ମ-ଉପଲବ୍ଧି ଆଡ଼କୁ ପ୍ରୟାସୀ ହେବାଲାଗି ଏକ ଆମନ୍ତ୍ରଣ ହିଁ ଜଣାଏ, ଜଣେ ସଙ୍ଗୀରୂପେ ପ୍ରେରଣା ଦିଏ । ପାଖକୁ ଟାଣେ ଏବଂ ଉଚିତ ବାଟଟିକୁ ସ୍ୱୀକାର କରିନେଲେ ପ୍ରତ୍ୟେକ ମନୁଷ୍ୟ ମନୁଷ୍ୟଯୋଗୀ ସେହି ଆକାଙ୍‌କ୍ଷିତ ପ୍ରତିଶ୍ରୁତି ଗୁଡ଼ିକର ଭାଜନ ହେଉଥିବାର ମାର୍ଗରେ ଏକ ଆରେକର କେତେ ନା କେତେ ସହାୟକ ହୋଇ ପାରିବେ ବୋଲି ଉଦ୍‌ବୋଧନ ଦେବାରେ ଲାଗିଥାଏ । ଏହି ଦୃଷ୍ଟିରେ ଶ୍ରୀଯୁକ୍ତ ମାସ୍‌ଲୋଭ୍‌ଙ୍କର Self-Actualization ର ସେହି ଖାସ୍ ବ୍ୟଞ୍ଜନାଟିକୁ ଆମେ ଏକ World-Actualization ବୋଲି କହିପାରିବା କି ? ଏକ World-Actualization ଲାଗି ଆମ ପ୍ରତ୍ୟେକଙ୍କର ଏକ Self-Actualization,- ଏକ ବିଶ୍ଵ-ବାସ୍ତବାୟନ ନିମନ୍ତେ ଆମ ପ୍ରତ୍ୟେକଙ୍କର ଏହି ଆତ୍ମ-ବାସ୍ତବାୟନର ଆହ୍ୱାନଟି । ବ୍ୟକ୍ତିତ୍ୱ-ଜିଜ୍ଞାସାର ସରଣୀଟିକୁ ଧରି ମନୋବିଜ୍ଞାନର ସାହସୀ ଅଧ୍ୟୟନଟା ଆମକୁ ଯେ ଏଯାଏ ଆଣି ପାରିଲାଣି, ସେହି ପଥମ କାଳର ଲାବୋରେଟରୀ ମଧ୍ୟରେ ଆପଣାକୁ ଆବଦ୍ଧ କରି ରଖି ମନୁଷ୍ୟମାନଙ୍କୁ ନାନା ଯାନ୍ତ୍ରିକ ଉପାୟରେ ମଣ କରି କାମରେ ଲଗାଇବାରେ ସୀମିତ ହୋଇ ରହିଥିଲେ ଏହା କେବେହେଲେ ସମ୍ଭବ ହୋଇନଥାନ୍ତା । ଯେଉଁ ଶୁଦ୍ଧ ଉପବୀତଧାରୀମାନେ ସେଇଠାରେ ରହିଗଲେ ଏବଂ ତାହାକୁ ହିଁ ବିଜ୍ଞାନର ଶୃଙ୍ଖଳା ବୋଲି ମଣିଲେ, ବରଂ ସେହିମାନେ ହିଁ ସେତିକିରେ ରହିଗଲେ । ବହୁ ଭାଗ୍ୟର କଥା ଯେ ମନୋବିଜ୍ଞାନ ମୋଟେ ସେହିଠାରେ ଅଟକି ରହିଗଲା ନାହିଁ । ନ୍ୟାୟତଃ କୌଣସି ବିଜ୍ଞାନ ଆଦୌ ଅଟକି ରହି ଯାଏନାହିଁ । ନୂଆ ନୂଆ କ୍ଷିତିଜର ସନ୍ଧାନ ଲାଭ କରେ ଏବଂ ଅଗ୍ରସର ହେବାରେ ଲାଗିଥାଏ । ରକ୍ଷଣଶୀଳମାନେ ହିଁ ରହିଯାଆନ୍ତି । ବ୍ୟୂହରେ ପ୍ରବେଶ କରନ୍ତି ଏବଂ ମାୟାରେ ପଡ଼ିଯାଆନ୍ତି ବୋଲି ବ୍ୟୂହଟି ମଧ୍ୟରୁ ବାହାରି ପାରନ୍ତିନାହିଁ ।

 

ଆପଣାର ଗୋଟିଏ ପୁସ୍ତକରେ(୯) ଗ୍ରୀକ୍ Metanoia ଶବ୍ଦଟିର ବ୍ୟବହାର କରି ମାସ୍‌ଲୋଭ୍ ମନୁଷ୍ୟତ୍ମାର ଏକ ପୁନର୍ଜନ୍ମଲାଭର ପ୍ରକ୍ରିୟାକୁ ସୂଚିତ କରାଇ ଦେବାର ଚେଷ୍ଟା କରିଛନ୍ତି । ଆମର ଜୀବନରେ ଆମ ବ୍ୟକ୍ତିତ୍ୱର ଉଦ୍‌ଭବ ଏବଂ ବିକାଶ-ପ୍ରକ୍ରିୟାକୁ ସେହିପରି ଏକ ସୋପାନ ସୋପାନର ଜନ୍ମଲାଭ କରୁଥିବାର ଶେଷହୀନ ପ୍ରକ୍ରିୟା ବୋଲି ସକଳ ଯୁକ୍ତି ସହିତ ଗ୍ରହଣ କରାଯାଇ ପାରିବ । ଏକ ଅନବରତ ସମ୍ଭବନର ପ୍ରକ୍ରିୟା । କେତେ ଅନ୍ତରଙ୍ଗ ସକାରାତ୍ମକତା ସହିତ ଆପଣାର ଜୀବନଟିକୁ ସ୍ୱୀକାର କରିନେଇ ପାରିଲେ ଯେ ଆମେ ପ୍ରତ୍ୟେକେ ସେଇଟି ଲାଗି ଭାଜନ ହୋଇପାରିବା, ଏକ ପରିପକ୍ୱ ଚେତନା ହିଁ ହୁଏତ ତାହାର ଫଳ ପାଇ ପାରିବ । ସେହି କଥାଟିକୁ ଉପଲବ୍ଧି କରି ଶ୍ରୀ ୟୁଙ୍ଗ୍ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତିମନୁଷ୍ୟକୁ ସତକୁ ସତ ବୁଝିବାକୁ ହୁଏ, ତେବେ ଆମକୁ ଜଣେ ସାଧାରଣ ମାମୁଲି ମଣିଷ ବିଷୟରେ ଉପଲବ୍ଧ ହୋଇଥିବା ସବୁଯାକ ତଥାକଥିତ ବୈଜ୍ଞାନିକ ତଥ୍ୟକୁ ଆଡ଼େଇ ଦେବାକୁ ପଡ଼ିବ ଏବଂ ସକଳ ଥିଓରିକୁ ବର୍ଜନ କରି ବାହାରି ଆସିବାକୁ ହେବ । ଆମର ଦୃଷ୍ଟିକୋଣଟି ମଧ୍ୟରୁ ସକଳ ପୂର୍ବବଦ୍ଧମୂଳ ଧାରଣାଗୁଡ଼ିକୁ ଦୂର କରିଦେଇ ଏକାବେଳେକେ ସଂପୂର୍ଣ୍ଣ ଭାବରେ ଏକ ନୂତନ ଆଖିରେ ସବୁକିଛିର ମୂଲ୍ୟାୟନ କରିବାକୁ ହେବ ।

 

ତେଣୁ, ଯେତେ ପ୍ରକାରେ ଅତ୍ୟୁଚ୍ଚ ବୋଲି ବୋଧ ହେଉଥିବା ନୈତିକ ସୂତ୍ରମାନେ, ଯେତେ ନିଷ୍ଠାପର ଭାବରେ ଦୃଢ଼ ଏବଂ ଅପରିବର୍ତ୍ତନୀୟ ହୋଇ ରହିଥିବା ଧର୍ମୀୟ ମାର୍ଗବିଧି ଇତ୍ୟାଦି,- ସେଗୁଡ଼ିକର ସାହାଯ୍ୟ ନେଇ କଦାପି ଆମ ବ୍ୟକ୍ତିଜୀବନର ସ୍ଵାଧୀନତା ଓ ଆତ୍ମନିର୍ଭରତା ଲାଗି ଉପଯୁକ୍ତ ମୂଳଦୁଆଟିଏ ପକାଇବା ଆଦୌ ସମ୍ଭବ ହେବନାହିଁ । ଅସଲ କଥାଟି ହେଉଛି ଯେ ଆମେ ସହଜ ଏବଂ ସଂପୂର୍ଣ୍ଣ ଭାବରେ ନିଜ ଜୀବନକୁ ବଞ୍ଚିବାରୁ ହିଁ ଏକ ପ୍ରତ୍ୟକ୍ଷ ସଜ୍ଞାନତାର ଅଧିକାରୀ ଅବଶ୍ୟ ହୋଇଥିବା । ଆମ ଭିତରେ ସେହି ପୂର୍ଣ୍ଣ ଅନ୍ତରଙ୍ଗ ବ୍ୟକ୍ତି ଜୀବନଟିକୁ ସତକୁ ସତ ଅଙ୍ଗେ ନିଭାଇ ପାରୁଥିବା ଏବଂ ସର୍ବୋପରି, ଏକ ଅନୁକ୍ଷଣ ଅକାଟ୍ୟ ପାରସ୍ପରିକତାର ସୂତ୍ରରେ ପ୍ରତ୍ୟେକ ବ୍ୟକ୍ତି ଯେ ତାହାରି ଭିତରେ ଗୋଟିଏ ଅପାର୍ଥିବ ମୀମାଂସାଶକ୍ତି ସହିତ ସମ୍ବନ୍ଧିତ ହୋଇ ରହିଛି, ତାହାରି ଏକ ପ୍ରତ୍ୟକ୍ଷ ଅନୁଭବ ମଧ୍ୟ ଲାଭ କରୁଥିବା । ହଁ, ସେହି ଅନ୍ୟ ଶକ୍ତିଟି ପ୍ରକୃତରେ ଏକ ସମାଧାନକାରୀ ଭାରସାମ୍ୟ ରୂପେ ହିଁ ବିଦ୍ୟମାନ ରହିଛି । ଆମେ ବଞ୍ଚୁଥିବା ଆମର ପୃଥିବୀ ଏବଂ ଆପଣାର ବିବେକବୁଦ୍ଧି ମଧ୍ୟରେ ଏକ ମଧ୍ୟସ୍ଥରୂପେ କାର୍ଯ୍ୟ କରୁଛି ।

 

ଏହାପରେ, କେଡ଼େ ସହଜ ଏବଂ ସେହି ସାଧାରଣ କଥାଟି, ଯଦି ଆମେ କେବଳ ଜିରୋ (Zero) ପରେ ଜିରୋ ବସାଇବାରେ ଲାଗିଥିବା, ତେବେ ସେଗୁଡ଼ିକର ଏକତ୍ରିତ ମୂଲ୍ୟ ଆମକୁ କେବେହେଲେ କୌଣସିଠାରେ ଆଣି ପହଞ୍ଚାଇ ଦେଇ ପାରିବନାହିଁ । ଠିକ୍ ସେହିପରି, ଆମ ମନୁଷ୍ୟମାନଙ୍କର ଏକ ସାମୁଦାୟିକ ଜୀବନ କହିଲେ ସେଥିରେ ଥିବା ଗୋଟିଏ ଗୋଟିଏ ଏକକରୂପେ ବସ୍ତୁତଃ ବ୍ୟକ୍ତିମାନଙ୍କୁ ବୁଝାଇବ । ଅର୍ଥାତ୍ ସେଇଟିରେ ଯେଉଁ ମନୁଷ୍ୟବ୍ୟକ୍ତିମାନେ ବାସ କରୁଛନ୍ତି, ସେମାନେ ଜଣେ ଜଣେ ଏକକ ହିସାବରେ କେତେ କ’ଣ ଆତ୍ମିକ ଏବଂ ଜୀବନନୀତିଗତ ଉଚ୍ଚତାମାନ ହାସଲ କରି ପାରିଛନ୍ତି, ସର୍ବଦା ସେହି କଥାଟିକୁ ହିଁ ଅଙ୍ଗୁଳିନିର୍ଦ୍ଦେଶ କରି ଦେଉଥିବ । ଶ୍ରୀଯୁକ୍ତ ୟୁଙ୍ଗ୍ ସେହି ସହଜ କଥାଟିକୁ ପୁନର୍ବାର ଆମର ସ୍ମରଣ କରାଇ ଦେଇ କହିଛନ୍ତି ଯେ ଜିରୋ ପରେ ଜିରୋ ବସାଇ ଏକ ନିୟୁତରେ ଯାଇ ପହଞ୍ଚିଲେ ମଧ୍ୟ ଯେପରି ତାହା ଗୋଟିଏ ‘ଏକ’କୁ ଆଦୌ ସମ୍ଭବ କରି ପାରିବନାହିଁ, ଠିକ୍ ସେହିପରି ଯାବତୀୟ ସାମୁଦାୟିକ ଜୀବନ ଆଖର ଉକ୍ତ ସମୁଦାୟଟି ମଧ୍ୟରେ ବାସ କରୁଥିବା ଜଣେ ଜଣେ ବ୍ୟକ୍ତିର ହିଁ ଜୀବନସ୍ଥିତିକୁ ବୁଝାଇବ । ତେଣୁ, ସର୍ବଶେଷ ସବାଆଗର ସତ୍ୟଟି ହେଉଛି ଯେ, ଯଦି ଏହି ମନୁଷ୍ୟବ୍ୟକ୍ତି ମାନଙ୍କର ଜୀବନରେ ଏକ ଆତ୍ମିକ ଜାଗରୂକତା ଆସି ନପାରିଛି, ତେବେ ସମାଜଟା ମଧ୍ୟ ସେହିପରି ସୁପ୍ତ ପଡ଼ିଥିବ । କାରଣ, ଯେକୌଣସି ସମାଜ କହିଲେ ସେଥିରେ ଥିବା ବ୍ୟକ୍ତିମାନଙ୍କର ସମଷ୍ଟିକୁ ହିଁ ବୁଝାଇବ । ସେହି ବ୍ୟକ୍ତିମାନଙ୍କର ଜୀବନଗତ କ୍ରମୋଦୟଟିକୁ ବୁଝାଉଥିବ ।

 

ବ୍ୟକ୍ତିତ୍ୱ ସମ୍ବନ୍ଧରେ ତେଣୁ ଶେଷ ନିଷ୍କର୍ଷଟି ହେଉଛି ଯେ, ସେହି ସମ୍ପଦଟି ଅନାବିଷ୍କୃତ ହୋଇ ରହିଥାଏ ଓ ଆମକୁ ତାହାର ଆବିଷ୍କାର କରିବାକୁ ହେବ । ଏହି ବୃକ୍ଷଶାଖା ଓ ପତ୍ରଗୁଡ଼ିକରେ ଏକ ଫୁଲର ବାସନା ମଧ୍ୟ ରହିଛି, ସେହି ସତ୍ୟଦ୍ୱାରା ପ୍ରେରିତ ଏବଂ ସଦାପ୍ରୟାସରତ ହୋଇ ରହିବା, ସକଳ ସକାରାତ୍ମକ ଅର୍ଥରେ ତାହାହିଁ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ଆମ ଜୀବନର ଆହ୍ୱାନ । ବ୍ୟକ୍ତି ଜାଗ୍ରତ ହେବ, ସେହି ସତ୍ୟଟିର ଭେଟ ପାଇବ, ସେହି ଭେଟଟିର ଭାଷାଟିକୁ ବୁଝିବ ଏବଂ ସେହି ମୁତାବକ ପ୍ରୟାସୀ ହେବ । ପରିବେଶଟା ଆଗରୁ ମୋ’ର ଅନୁକୂଳ ଏବଂ ଇଚ୍ଛାମତ ହୋଇ କାହିଁକି ରହିଲାନାହିଁ ବୋଲି ଆଦୌ ରୁଷି ବସିବାକୁ ମନ କରିବନାହିଁ ଏବଂ ନିଜର ବାଟଟିଏ ବାହାର କରିବ-। ପରିବେଶ ଏବଂ ପରିସ୍ଥିତି ଗୁଡ଼ିକୁ ବଦଳାଇବ, ସେଗୁଡ଼ିକ ସହିତ ଯୁଝିବ । ନିଜ ଭିତରୁ ସୁନିଶ୍ଚିତ ଭାବରେ ଏକ ଭରସା ପାଉଥିବ, ଯାହାକି ସର୍ବବିଧ ନାହିଁ ନାହିଁ ସତ୍ତ୍ୱେ ହଁ ହଁ ବୋଲି କହୁଥିବ ଓ ଜନନୀ ସଦୃଶ ଦମ୍ଭ ଦେଉଥିବ । ସେହି ଦମ୍ଭ ଏବଂ ସେଥିରୁ ଉପଲବ୍ଧ ଆତ୍ମସାହସଟିର ବଳରୁ ହିଁ ତ ପୃଥିବୀ ବଦଳି ଆସିଛି ଓ ବଦଳିବାରେ ଲାଗିଛି । ପୃଥିବୀରେ ଯେତେବେଳେ ନୂତନ ପ୍ରେରଣା ଏବଂ ଦିକ୍‌ନିର୍ଦ୍ଦେଶନା ଯୁଗେ ଯୁଗେ ମନୁଷ୍ୟମାନଙ୍କର ଚେତନାକୁ ଉନ୍ମୀଳିତ କରି ଅଗ୍ରସର କରାଇ ଆଣିଛି, ବ୍ୟକ୍ତିତ୍ୱମାନେ ହିଁ ସେହି ସବୁକିଛିରେ ନିମିତ୍ତ ହୋଇ ରହି ଆସିଛନ୍ତି । ସେହିମାନେ ହିଁ ଯାବତୀୟ କ୍ଷୁଦ୍ର ସୁଖଭୋଗର କୋଟର ମଧ୍ୟରୁ ବାହାରି ନିଜକୁ ସର୍ବତ୍ର ଏହି ପୃଥିବୀ ଲାଗି ଅର୍ଥାତ୍ ସବୁ ମଣିଷଙ୍କ ଲାଗି ଦାୟୀ ବୋଲି ଅନୁଭବ କରିଛନ୍ତି ଏବଂ ଯାବତୀୟ ଉଦ୍‌ବେଳନର କାରଣ ହୋଇଛନ୍ତି । ପ୍ରତିଷ୍ଠିତ ସିଷ୍ଟେମ୍‌ମାନେ କୋପ କରିଛନ୍ତି, ଶାନ୍ତିଭଙ୍ଗ ହେଲା ବୋଲି ଭୀତ ହୋଇ ଉଠିଛନ୍ତି; ସେହି ହେତୁ କ୍ରୂର ହୋଇ ଉଠିଛନ୍ତି ଏବଂ ମତି ହରାଇଛନ୍ତି । ମାତ୍ର ଇତିହାସର ଏକ ବିଚିତ୍ର ନିୟମ ଅନୁସାରେ ନୂଆ ବିଚାରର ସୃଷ୍ଟି ହୋଇଛି, ସେହି ଅନୁସାରେ ନୂଆ ବାଟମାନେ ଦୃଷ୍ଟିଗୋଚର ହୋଇ ଆସିଛନ୍ତି । ସିଷ୍ଟେମ୍‌ମାନେ ଇତିହାସ ହୋଇ ରହି ଯାଇଛନ୍ତି । ଏକ ସ୍ଵାଭାବିକ ସମାଜ-ବିବର୍ତ୍ତନରେ ମନୁଷ୍ୟର ହିଁ ବିଜୟ ଘୋଷିତ ହୋଇଛି । ସବୁକିଛି ଅଧିକ ଫରଚା ହୋଇ ଆସିଛି ଏବଂ ପୃଥିବୀର ମନୁଷ୍ୟମାନେ ନୂଆ ନୂଆ ପାରସ୍ପରିକତାରେ ଏକ ଆରେକକୁ ତଥା ଏହି ପୃଥିବୀକୁ ଆବିଷ୍କାର କରିବାକୁ ସମର୍ଥ ହୋଇଛନ୍ତି ।

 

ତୁଚ୍ଛା ଏହି ନିତ୍ୟନୈମିତ୍ତିକ ମନୁଷ୍ୟଟି ମଧ୍ୟରେ ଏକ ବ୍ୟକ୍ତିତ୍ୱର ଜାଗୃତି ଘଟିଲେ ସିଏ ସତକୁ ସତ ସେହି ଆପଣା ଭିତରୁ ହିଁ ଏପରି ଆଉକିଛିର ମଧ୍ୟ ଆବିଷ୍କାର କରିଥାଏ, ଯାହା ଫଳରେ କି ସେ ପୂର୍ଣ୍ଣ ଅକାତର ଭାବରେ ବରଂ ପଛକୁ ରହିବାକୁ ଶିକ୍ଷା କରେ ଏବଂ ପୃଥିବୀକୁ ବାଟ ଛାଡ଼ିଦିଏ । ସେହି ପୁରୁଣା ଅର୍ଥଟାକୁ ଦେଇ ଆମେ ତାହାକୁ ଆଦୌ ଏକ ତ୍ୟାଗ ବୋଲି କହିବା ନାହିଁ । ସେଇଟିକୁ ଆମେ ସର୍ବବିଧ ସୁସ୍ଥ ବ୍ୟକ୍ତିତ୍ୱର ଏକ ସ୍ଵତଃସ୍ଫୂର୍ତ୍ତ ଧର୍ମ ବୋଲି ହିଁ କହିବା-। ସେହି ଧର୍ମ ଆମର ଏହି ମତଲବୀ ପୃଥିବୀଟାର ସୌଦାଗରୀଟାକୁ ଆଦୌ ସ୍ୱୀକାର କରେନାହିଁ । ସେହି ସୌଦାଗରୀ ଗୁଡ଼ାକର ମାୟାମାନଙ୍କୁ ଛାଡ଼ିଲେ ଯାଇ ସମ୍ଭବତଃ ଆପଣା ଭିତରେ କାର୍ଯ୍ୟକାରୀ ହେବାକୁ ଆରମ୍ଭ କରିଥିବା ବ୍ୟକ୍ତିତ୍ୱଟିର ସ୍ପନ୍ଦନଗୁଡ଼ିକୁ ଅନୁଭବ କରି ହୋଇଥାଏ । ସୌଦାଗରୀଟା ସହିତ ଯୁଝି ବି ହୁଏ । ପୃଥିବୀଟାର ଏହି ପୋଷାକୀମାନେ ଏଠି ବହୁମଣ୍ଡିତ ହୋଇ ରହିଥିଲେ ମଧ୍ୟ ତଥାପି ଆପଣାର ଖାସ୍ ଆଖିଗୁଡ଼ିକୁ ନେଇ ବଞ୍ଚିହୁଏ,-ଏକ ବିକଳ୍ପ ପୃଥିବୀର ଉଚ୍ଚାଟନାକୁ ସମ୍ଭବ କରି ଆଣିହୁଏ । ଆମର ଏହି ପୃଥିବୀଟିକୁ ନିରୀଖି ଦେଖିପାରିଲେ ସେଥିପାଇଁ ଭାରି ସ୍ପଷ୍ଟ ବି ହୋଇଯାଏ ଯେ, ଏଠାରେ ଏହି ଦରବାରୀ ହାଟମାନଙ୍କର ସୌଦାଗରଧର୍ମୀ ସର୍ବବିଧ ଗୋଳ ମଧ୍ୟରେ ତଥାପି ଆମ ମନୁଷ୍ୟମାନଙ୍କର ବ୍ୟକ୍ତିତ୍ୱଟି ଏକ ବିକଳ୍ପ ଜୀବନକୁ ବଞ୍ଚି ପାରୁଛି, ଏହି ବାଟରେ ସାଥୀମାନେ ମିଳି ଯାଉଛନ୍ତି ଓ ଏକ ଅନ୍ୟ ଇପ୍ସିତ ପୃଥିବୀର ପରିଚୟ ମଧ୍ୟ ମିଳି ମିଳି ଆସୁଛି ।

Image